ପାନୀୟଜଳ ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 30, 202682 views

ତାଳଚେର: ପାନୀୟଜଳ ସମସ୍ୟାର ସମାଧାନ ଦାବିରେ ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପଞ୍ଚାୟତର ପ୍ରାୟ ୭୦ ପ୍ରତିଶତ ଅଞ୍ଚଳ ଲିଙ୍ଗରାଜ କୋଇଲା ଖଣିରେ ଜମି ଅଧିଗ୍ରହଣ ହୋଇଥିବାରୁ ବର୍ଷସାରା ଜଳସଙ୍କଟ ଲାଗି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଖଣି ଖନନ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇ କୂଅ ଓ ପୋଖରୀ ଶୁଖିଯାଉଥିବା ବେଳେ ଏନଏଚ୍-୧୪୯ ସମ୍ପ୍ରସାରଣ କାର୍ଯ୍ୟ ଯୋଗୁଁ ପାଇପ୍ଲାଇନ କଟିଯାଇଛି। ଫଳରେ ପ୍ରାୟ ୭ ମାସ ହେବ ଏମସିଏଲ ପକ୍ଷରୁ ଯୋଗାଯାଉଥିବା ପାନୀୟଜଳ ବ୍ୟବସ୍ଥା ଠପ୍ ହୋଇପଡ଼ିଛି। ତାଳବେଡ଼ା ସମେତ ଆଖପାଖ ଅଞ୍ଚଳରେ ଜଳକଷ୍ଟ ଚରମ ସୀମାରେ ପହଞ୍ଚିବାରୁ ଗ୍ରାମବାସୀ ବାଧ୍ୟହୋଇ ରାଜପଥ କାର୍ଯ୍ୟ ବନ୍ଦ କରିଥିଲେ।
କଣ୍ଢାଳ ପଞ୍ଚାୟତ ସରପଞ୍ଚ ଯୋଶବନ୍ତୀ ବେହେରାଙ୍କ ନେତୃତ୍ୱରେ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ପୂର୍ବରୁ ତାଳଚେର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ କହିଛନ୍ତି। ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଶୀଘ୍ର ପାନୀୟଜଳ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।
