Web News

କୋଟି କୋଟି ଟଙ୍କା ବ୍ୟୟ ପରେ ବି ଅଚଳ ପବିତ୍ର ମୋହନ ମେଡିକାଲ କଲେଜ, ରକ୍ଷଣାବେକ୍ଷଣକୁ ନେଇ ଉଠିଲା ପ୍ରଶ୍ନ
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ପବିତ୍ର ମୋହନ ମେଡିକାଲ କଲେଜକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡିକାଲ କଲେଜ ଏପର୍ଯ୍ୟନ୍ତ ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଏହାର ରକ୍ଷଣାବେକ୍ଷଣ ମଧ୍ୟ ସନ୍ତୋଷଜନକ ଭାବେ ହେଉନଥିବା ଅଭିଯୋଗ ହେଉଛି। ଦୀର୍ଘ ସମୟ ଧରି କଲେଜ ପରିସର ଅବ୍ୟବହୃତ ରହିଥିବାରୁ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତି ଦେଖି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଏତେ ବଡ଼ ଅର୍ଥ ବ୍ୟୟ କରି ନିର୍ମିତ ଏହି ମେଡିକାଲ କଲେଜର ଉଦ୍ଦେଶ୍ୟ କ'ଣ ଥିଲା ଏବଂ ଏହାକୁ କେବେ କାର୍ଯ୍ୟକ୍ଷମ କରାଯିବ? ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀଙ୍କ ମତରେ, ଯଦି ସରକାର ଏହି ପ୍ରକଳ୍ପ ପ୍ରତି ଗୁରୁତ୍ୱ ଦେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତି, ତେବେ ଏହା କେବଳ ତାଳଚେର କିମ୍ବା ଅନୁଗୋଳ ଜିଲ୍ଲା ନୁହେଁ, ସମଗ୍ର ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଚିକିତ୍ସା ଶିକ୍ଷାର ଏକ ବଡ଼ ସୁଯୋଗ ସୃଷ୍ଟି କରିପାରିବ।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ପବିତ୍ର ମୋହନ ମେଡିକାଲ ପରିସରରେ ବେଆଇନ ବାଲି ଗଚ୍ଛିତ ଅଭିଯୋଗ, ତଦନ୍ତ ଦାବି
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ପବିତ୍ର ମୋହନ ମେଡିକାଲ ପରିସର ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ବିପୁଳ ପରିମାଣର ବାଲି ଗଚ୍ଛିତ ରହିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ଅଭିଯୋଗ ଅନୁଯାୟୀ, କୋଟି କୋଟି ଟଙ୍କା ମୂଲ୍ୟର ବାଲି ଏଠାରେ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି। ପ୍ରଶ୍ନ ଉଠୁଛି, ଏତେ ବିପୁଳ ପରିମାଣର ବାଲି କିପରି ଏହି ସ୍ଥାନକୁ ଆସିଲା? ଏହା କି ବୈଧ ଅନୁମତି ଓ ରୟାଲଟି ପ୍ରଦାନ କରାଯାଇ ମହଜୁଦ ରଖାଯାଇଛି, ନା ବେଆଇନ ଭାବେ ଗଚ୍ଛିତ କରାଯାଇଛି? ଏତେ ବଡ଼ ପରିମାଣର ବାଲି ମହଜୁଦ ଥିବା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ଓ ତହସିଲ ପକ୍ଷରୁ କୌଣସି ପଦକ୍ଷେପ କାହିଁକି ନିଆଯାଇନି ବୋଲି ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଅଣାଯିବା ସହିତ, ଯଦି କୌଣସି ବେଆଇନ କାରବାର କିମ୍ବା ଅନିୟମିତତା ହୋଇଥାଏ, ତେବେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଘଣ୍ଟପଡ଼ା ରେଳ ଓଭରବ୍ରିଜ୍ ନିର୍ମାଣରେ ବିଳମ୍ବକୁ ନେଇ ଜନଅସନ୍ତୋଷ, ଶୀଘ୍ର କାମ ସମାପ୍ତ ଦାବି
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମପଞ୍ଚାୟତରେ ନିର୍ମାଣାଧୀନ ରେଳ ଓଭରବ୍ରିଜ୍ କାର୍ଯ୍ୟ ଦୀର୍ଘ ପ୍ରାୟ ଛଅ ବର୍ଷ ଧରି ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା ଦେଇ ଅନନ୍ତ ମାଇନ୍ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ପ୍ରତିଦିନ ଯାତାୟାତ କରୁଥିବା ବେଳେ ବ୍ରିଜ୍ କାମ ଅଧାରେ ଅଟକି ରହିବାରୁ ସାଧାରଣ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଛି। ଦୈନନ୍ଦିନ ଯାତାୟାତରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ି ଚାଲିଛି। ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପ୍ରତିବାଦ କରି ଯଥାଶୀଘ୍ର ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ବିଭାଗ ନିକଟରେ ଦାବି ଜଣାଇଛନ୍ତି। ଯଦି ଅତିଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ନହୁଏ, ତେବେ ଆଗାମୀ ଦିନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବୃହତ୍ ଜନଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ବାସିନ୍ଦାମାନେ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ଦାବି, ଦୀର୍ଘ ଦିନ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ଏହି ପ୍ରକଳ୍ପକୁ ଶୀଘ୍ର ସମ୍ପୂର୍ଣ୍ଣ କରି ଜନସାଧାରଣଙ୍କ ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଦେବଗଡ଼ ଜିଲ୍ଲା ଜୁନିୟର ରେଡ଼କ୍ରସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପଦ୍ମିନୀ ଦାସ୍ ଙ୍କ ସଂଯୋଜନା ରେ ଜିଲ୍ଲା ଜୁନିୟର ରେଡ଼କ୍ରସ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର୍ ସଭାପତିତ୍ୱ କରିଥିଲେ। ଜୁନିୟର ରେଡ଼କ୍ରସ ଅଫିସର ରଶ୍ମିନ୍ କୁମାର ଦାସ ବାର୍ଷିକ ବିବରଣୀ ପ୍ରଦାନ ସହ ଚଳିତ ଶିକ୍ଷା ବର୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷିକା, ଜିଲ୍ଲା ର ସମସ୍ତ ବ୍ଲକ ଅଧିକାରୀ, ଜିଲ୍ଲା ଜୁନିୟର ରେଡ଼କ୍ରସ ର ମାଷ୍ଟର ଟ୍ରେନର, ଶିକ୍ଷକ/ଶିକ୍ଷୟିତ୍ରୀ, ସ୍ବେଚ୍ଛାସେବୀ, ସମସ୍ତ ବ୍ଲକ ର ଜୁନିୟର ରେଡ଼କ୍ରସ ସଂଯୋଜକ ଉପସ୍ଥିତ ରହି ନିଜର ମୂଲ୍ୟବାନ ମତାମତ ସହ ଜିଲ୍ଲା ରେ ରେଡକ୍ରସ ର ସମସ୍ତ କାର୍ଯ୍ୟକ୍ରମ କୁ ସଫଳ ରୂପେ ସଂପାଦନ କରିବାକୁ ଦୃଢ଼ ସଂକଳ୍ପ ନେଲେ। ପରିଶେଷରେ ଜିଲ୍ଲା ଜୁନିୟର ରେଡ଼କ୍ରସ ମାଷ୍ଟର ଟ୍ରେନର ଅମିତ୍ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Deogarh (ଦେଓଗଡ଼) • ରିପୋର୍ଟ:- ନରୋତ୍ତମ ପରିଡ଼ା ସୃଷ୍ଟି ନିୟୂଜ୍ ବାରକୋଟ

କଳାହାଣ୍ଡି : ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଜୁନାଗଡ଼ ଠାରୁ ମଲପଡ଼ା ରାସ୍ତା ଷ୍ଟ୍ରିଟ୍ ଲାଇଟ୍ ଠିକା ରେ ଦୁର୍ନୀତି ର ଆଶଙ୍କା
ଜୁନାଗଡ - ସରକାର ଯୋଜନା ଅନେକ କିନ୍ତୁ ବିଭାଗୀୟ ମଧୁ ଚନ୍ଦ୍ରିକା ଯୋଗୁଁ ସରକାରୀ ଯୋଜନା ବାଟ ବଣା ହେବ ନଜର କୁ ଆସିଛି। ଜୁନାଗଡ ସହରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ଜନସାଧାରଙ୍କ ରାତ୍ର ରେ ଗମନା ଗମନ ସୁବିଧା ତଥା ସହରର ଆଲୋକମୟ କରିବା ପାଇଁ ପ୍ରାୟ ତିନି ବର୍ଷ ତଳେ ୩୦୦ ରୁ ଅଧିକ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ କରାଯାଇଥିଲା। ସେହି ସମୟରେ ମଧ୍ୟ ନିମ୍ନ ମାନର ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ହୋଇଥିବା ଚର୍ଚ୍ଚାକୁ ଆସିଥିଲା। ସେହି ଯୋଜନାରେ ଜୁନାଗଡ଼ ଠାରୁ ମାଳପଡା ରାସ୍ତାରେ ପ୍ରାୟ ୭୦ ରୁ ଅଧିକ ଖୁଣ୍ଟ ସହ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ହୋଇଥିଲା କିନ୍ତୁ ୧୨/୧୫ ଷ୍ଟ୍ରିଟ୍ ଲାଇଟ୍ ହିଁ ମାତ୍ର କାର୍ଯ୍ୟକ୍ଷମ ଅଛି । ଖୁଣ୍ଟ ଅଛି କିନ୍ତୁ ଷ୍ଟ୍ରିଟ୍ ଲାଇଟ୍ ନାହିଁ । ପ୍ରଶ୍ନ ଉଠୁଛି ନିମ୍ନ ମାନର ଷ୍ଟ୍ରିଟ୍ ଲାଇଟ୍ ଯୋଗାଇଥିବା ଠିକା ସଂସ୍ଥା ନା ବିଭାଗୀୟ ଅଧିକାରୀ ଦାୟୀ। ଶିଘ୍ର ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ କରିବା ସହ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଜନସାଧାରଣ ଙ୍କ ଦାବି ହେଉଛି।
Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ,ଜୁନାଗଡ

ଛତ୍ରପୁରରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ଗଞ୍ଜାମ: ଛତ୍ରପୁରରେ ଗଂଜାମ ଜିଲ୍ଲା କଂଗ୍ରେସର ପୂର୍ବଖଣ୍ଡ ସଭାପତି ରଶ୍ମିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା l ଏଥିରେ ବହୁ ମାନ୍ୟଗଣ୍ୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ ଅଖିଳ ଭାରତୀୟ କଂଗ୍ରେସ କମିଟି ର ଓଡିଶା ପ୍ରଭାରୀ ଲାଳଜୀ ଦେଶାଇ ଙ୍କ ନେତୃତ୍ୱରେ କିପରି ଆଗାମୀ ଦିନରେ କଂଗ୍ରେସ ଅଗ୍ରଗତି ହେଇପାରିବ କିପରି ଶାସକ ଦଳ ର ବିଫଳତା ଲୋକଙ୍କ ପାଖରେ ପହଞ୍ଚିବ ସହତ ଲୋକଙ୍କ ଅଧିକାର କୁ କିପରି ଲୋକେ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ସମସ୍ତ କଂଗ୍ରେସ କର୍ମୀ ଙ୍କୁ ପ୍ରେରଣା କରିଥିଲେ ।
Ganjam (ଗଞ୍ଜାମ) • ରିପୋର୍ଟ: ପିତାମ୍ବର ମହାରଣା, ଛତ୍ରପୁର

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ୧୦୦ ୟୁନିଟ୍ ରକ୍ତ
ଅନୁଗୋଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଅନୁଗୋଳ ବିଧାନସଭା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ଉପସ୍ଥିତ ଅତିଥିମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୀର୍ଘ, ନିରାମୟ ଓ ସୁଖମୟ ଜୀବନ କାମନା କରିଥିଲେ। ଏହି ଅବସରରେ ବିଜେପି ନେତା ଦିଲୀପ ପ୍ରଧାନ, ମଣ୍ଡଳ ସଭାପତି ଏବଂ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ରକ୍ତଦାନ ଶିବିରକୁ ସଫଳ କରିଥିବାରୁ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ, ସମସ୍ତ ପଦାଧିକାରୀ, ସଦସ୍ୟ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତୁଳସୀପାଳ ଶିବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ, ଚାଳକ ଗୁରୁତର
ଅନୁଗୋଳ: ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତାର ତୁଳସୀପାଳ ଶିବ ମନ୍ଦିର ନିକଟରେ ଶୁକ୍ରବାର ଏକ ଦ୍ରୁତଗତି ସ୍କର୍ପିଓ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ ବିଲମାଳରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, OD 02 CV 7901 ନମ୍ବର ବିଶିଷ୍ଟ ସ୍କର୍ପିଓ ଗାଡ଼ିଟି ତାଳଚେର ଅଞ୍ଚଳର ହୋଇଥିବା ବେଳେ ସେଥିରେ ପ୍ରାୟ ୫ରୁ ୬ ଜଣ ତୀର୍ଥଯାତ୍ରୀ କପିଳାସରେ ଦର୍ଶନ ସାରି ତାଳଚେର ଅଭିମୁଖେ ଫେରୁଥିଲେ। ଏହି ସମୟରେ ତୁଳସୀପାଳ ଶିବ ମନ୍ଦିର ନିକଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଖସି ବିଲମାଳରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଆହତ ଚାଳକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ବରିଷ୍ଠ ସାମ୍ବାଦିକ ରବି ନାୟକଙ୍କ ସେବାମୂଳକ ପଦକ୍ଷେପ
ଭୁବନେଶ୍ୱର: "ମାନବ ସେବା ହିଁ ମାଧବ ସେବା" ଉକ୍ତିକୁ ସାର୍ଥକ କରି ବରିଷ୍ଠ ସାମ୍ବାଦିକ ରବି ନାୟକ ଭୁବନେଶ୍ୱରସ୍ଥିତ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ଏକ ସେବାମୂଳକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏହି ଅବସରରେ ଆଶ୍ରମରେ ରହୁଥିବା ବୃଦ୍ଧା ମାଆମାନଙ୍କୁ କ୍ଷୀର ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରବି ନାୟକଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଅନ୍ତେବାସୀଙ୍କ ସହ କିଛି ସମୟ ଅତିବାହିତ କରିବା ସହ ନିଜ ହାତରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଏହି ସେବାମୂଳକ ପଦକ୍ଷେପ ବୃଦ୍ଧାଶ୍ରମର ମାଆମାନଙ୍କ ମୁହଁରେ ହସ ଫୁଟାଇଥିବା ବେଳେ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା। ଭୁବନେଶ୍ୱରର ଏସବିଆଇ ବ୍ୟାଙ୍କ ନିକଟରେ ଅବସ୍ଥିତ ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ସମାଜରେ ଅବହେଳିତ ଓ ସାହାରା ଖୋଜୁଥିବା ବରିଷ୍ଠ ନାଗରିକଙ୍କ ପ୍ରତି ସହାନୁଭୂତି ଓ ଦାୟିତ୍ୱବୋଧର ବାର୍ତ୍ତା ଦେଇଛି। ଆଶ୍ରମ କର୍ତ୍ତୃପକ୍ଷ କହିଛନ୍ତି, ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ବୃଦ୍ଧାଶ୍ରମରେ ରହୁଥିବା ପ୍ରବୀଣମାନଙ୍କ ସହ କିଛି ସମୟ ବିତାଇବା ଓ ସେମାନଙ୍କ ସୁଖଦୁଃଖ ବାଣ୍ଟିବା ଏକ ମହାନ ସାମାଜିକ କାର୍ଯ୍ୟ। ରବି ନାୟକଙ୍କ ଏହି ପଦକ୍ଷେପ ସମାଜର ଅନ୍ୟମାନଙ୍କୁ ମଧ୍ୟ ଏଭଳି ସେବାମୂଳକ କାର୍ଯ୍ୟରେ ସାମିଲ ହେବାକୁ ପ୍ରେରଣା ଯୋଗାଇବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ ମହାକୁଡ଼, ଭୁବନେଶ୍ୱର

ପାଣି ଟୋପେ ପାଇଁ ହାହାକାର: ଗୋଟିଏ ଟ୍ୟାପ୍ ଭରସାରେ ୪୫ ପରିବାର, ଜଳ ସଙ୍କଟରେ ପଞ୍ଚଭୂତି ଗ୍ରାମ
ଜଗନ୍ନାଥପ୍ରସାଦ: ରାଜ୍ୟ ସରକାର ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ପଞ୍ଚଭୂତି (ପଞ୍ଚପତି) ଗ୍ରାମରେ ଜଳ ସଙ୍କଟ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି। ପାନୀୟ ଜଳର ଅଭାବ ଯୋଗୁଁ ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗ୍ରାମର ପ୍ରାୟ ୪୦ରୁ ୪୫ଟି ପରିବାର ମାତ୍ର ଗୋଟିଏ ପାନୀୟ ଜଳ ଟ୍ୟାପ୍ ଉପରେ ନିର୍ଭରଶୀଳ। ପାଣି ସଂଗ୍ରହ ପାଇଁ ପ୍ରତିଦିନ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବାରୁ ମହିଳା ଓ ବୃଦ୍ଧମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ଗ୍ରାମରେ ଥିବା ନଳକୂପ ଓ ଜଳ ଯୋଗାଣ ବ୍ୟବସ୍ଥା ଠିକ୍ ଭାବେ କାର୍ଯ୍ୟକ୍ଷମ ନଥିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିଲେ ମଧ୍ୟ ପର୍ଯ୍ୟାପ୍ତ ପାଣି ମିଳୁନଥିବା ଅଭିଯୋଗ ହେଉଛି। ସରକାରଙ୍କ ୨୪ ଘଣ୍ଟିଆ ଜଳ ଯୋଗାଣ ଯୋଜନାର ସୁଫଳ ଏହି ଗ୍ରାମରେ ପହଞ୍ଚିନଥିବା ନେଇ ମଧ୍ୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଲୋକମାନେ ନୁହେଁ, ଗୃହପାଳିତ ପଶୁମାନେ ମଧ୍ୟ ଜଳ ଅଭାବର ସମ୍ମୁଖୀନ ହେଉଥିବାରୁ ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଗ୍ରାମବାସୀମାନେ ଦାବି କରିଛନ୍ତି ଯେ, ପଞ୍ଚଭୂତି ଗ୍ରାମରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ ଏବଂ ପ୍ରତ୍ୟେକ ଘରକୁ ନିୟମିତ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ। ଏହି ସମସ୍ୟାର ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଜଳ ସଙ୍କଟ ଆହୁରି ଉଗ୍ର ରୂପ ନେଇପାରେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଜଗନ୍ନାଥପ୍ରସାଦ

୫ କିଲୋ ଚାଉଳ ପାଇଁ ରାତି ଅଧରୁ ଲାଇନରେ ୮୦ ବର୍ଷର ବୃଦ୍ଧା: ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସାଲିଆସାହି ଅଞ୍ଚଳରେ ଜଣେ ୮୦ ବର୍ଷର ବୃଦ୍ଧାଙ୍କୁ ମାତ୍ର ୫ କିଲୋ ରାସନ ଚାଉଳ ପାଇବା ପାଇଁ ରାତି ଅଧରୁ ଲାଇନରେ ଅପେକ୍ଷା କରିବାକୁ ପଡ଼ୁଥିବା ଘଟଣା ସରକାରୀ ବ୍ୟବସ୍ଥା ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ବରିଷ୍ଠ ନାଗରିକଙ୍କ ପାଇଁ ଥିବା ସରକାରୀ ସୁବିଧାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ରାଜନୈତିକ ସ୍ତରରେ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ଘୋଷଣା ହେଉଥିଲେ ମଧ୍ୟ, ତାହାର ସୁଫଳ ସମାଜର ସବୁଠାରୁ ଅସହାୟ ଓ ବୟସ୍କ ଲୋକଙ୍କ ପାଖରେ କେତେ ଦୂର ପହଞ୍ଚୁଛି, ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସାମାଜିକ କର୍ମୀମାନଙ୍କ ମତରେ, ୮୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଶାରୀରିକ ଭାବେ ଅକ୍ଷମ ହିତାଧିକାରୀଙ୍କ ପାଇଁ ଘରେ ରାସନ ପହଞ୍ଚାଇବା ଭଳି ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରାଯିବା ସହ ବାୟୋମେଟ୍ରିକ ଓ ଅନ୍ୟାନ୍ୟ ପ୍ରକ୍ରିୟାକୁ ସରଳ କରିବା ଆବଶ୍ୟକ। ଏହି ଘଟଣାକୁ ସାମ୍ନାକୁ ଆଣିଥିବା ସାମ୍ବାଦିକ ସୁଶାନ୍ତ କୁମାର ମହାକୁଡ଼ଙ୍କ ପ୍ରୟାସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଉଛି। ସାଧାରଣ ଲୋକଙ୍କ ଆଶା, ଏହି ଘଟଣା ପରେ ପ୍ରଶାସନ ସମସ୍ୟାର ଗୁରୁତ୍ୱକୁ ବୁଝି ବରିଷ୍ଠ ନାଗରିକଙ୍କ ପାଇଁ ରାସନ ବଣ୍ଟନ ବ୍ୟବସ୍ଥାକୁ ଅଧିକ ମାନବିକ ଓ ସୁଗମ କରିବା ଦିଗରେ ପଦକ୍ଷେପ ନେବ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ଅଷ୍ଟମରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ବାର୍ଷିକ ଅଧିବେଶନ
ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୭ ତମ ବାର୍ଷିକ ଅଧିବେଶନ ରଣପୁର ରାଜ୍ୟ ମହତପଲା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ୮ଟି ରାଜ୍ୟର ସଭାପତିଙ୍କ ଉପସ୍ଥିତିରେ ଅଷ୍ଟମ ରାଜ୍ୟ ସଭାପତି ରଘୁନାଥ ସାହୁ ସ୍ୱଜାତୀୟ ପତାକା ଉତ୍ତୋଳନ କରି ଅଧିବେଶନକୁ ଉଦଘାଟନ କରିଥିଲେ। ସାଧାରଣ ସଂପାଦକ ଭାଗିରଥି ସାମନ୍ତରାୟଙ୍କ ସଂଯୋଜନାରେ ଅଷ୍ଟମ ରାଜ୍ୟ ଉପସଭାପତି ସୁଶାନ୍ତ କୁମାର ସାହୁ, ସହ ସମ୍ପାଦକ ଭିକାରି ଚରଣ ସାହୁ, ରଣପୁର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ମଙ୍ଗଳାଯୋଡି ରାଜ୍ୟ ସଭାପତି ବିରଞ୍ଚି ନାରାୟଣ ସାହୁ, ନଇରୀ ସଭାପତି ପ୍ରଶାନ୍ତ କୁମାର ସାହୁ, ବାଣପୁର ସଭାପତି ପ୍ରଫୁଲ କୁମାର ସୁବୁଦ୍ଧି, ସମ୍ପାଦକ ଦିଲୀପ କୁମାର ସାହୁ, ସରପାରୀ ସଭାପତି ପ୍ରଭାକର ସାହୁ, ସିକୋ ସଭାପତି କୈଳାସ ଚନ୍ଦ୍ର ସାହୁ, ମୁଗମଣ୍ତା ରାଜ୍ୟ ସଂପାଦକ ମାଧବ ଚନ୍ଦ୍ର ସାହୁ, ଗୋଡିପଦର ରାଜ୍ୟ ସମ୍ପାଦକ ବିଜୟ କୁମାର ସାହୁ, ଅଷ୍ଟମ ରାଜ୍ୟ ଉପଦେଷ୍ଟା ରଘୁନାଥ ସାହୁ(ଚାନ୍ଦପୁର), ଗୋବିନ୍ଦ ଚନ୍ଦ୍ର ସାହୁ, ସୁରେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଯୌତୁକ ଭଳି ଏକ ଘୃଣ୍ୟ କାର୍ଯ୍ୟକୁ ବିରୋଧ କରିବା ସହ ସ୍ୱଜାତିର ଯୁବକ ଯୁବତୀ ମାନଙ୍କ ବିବାହ ପାଇଁ ଏକ ମାଟ୍ରିମୋନିଆଲ ଆପ୍ ସୃଷ୍ଟି କରିବାକୁ ମଙ୍ଗଳାଯୋଡ଼ି ସଂପାଦକ ପ୍ରଦୀପ କୁମାର ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତୈଳିକ ଜାତି ଏକ ପଛୁଆ ବର୍ଗ ହୋଇଥିବାରୁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ ଦାବି କରାଯାଇଥିଲା। ସମାଜ ଗଠନରେ ମହିଳା ମାନଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ମହାସଭାରେ ଏକ ମହିଳା ସଂଗଠନ ନିମନ୍ତେ ଏକ ସଂଯୋଜକ କମିଟି ଗଠନ କରାଯାଇଥିଲା। କୋଷାଧକ୍ଷ ଚୌଧୁରୀ ଅରବିନ୍ଦ ସାହୁ ଆୟବ୍ୟୟ ବିବରଣୀ ପାଠ କରିଥିଲେ। ଶେଷରେ ଆଗାମୀ ଦୁଇବର୍ଷ ପାଇଁ ନୂତନ କର୍ମକର୍ତା ଚୟନ କରାଯାଇଥିଲା। ସଭାପତି ରଘୁନାଥ ସାହୁ(ଟାଙ୍ଗୀ), ଉପସଭାପତି ସୁଶାନ୍ତ କୁମାର ସାହୁ(ନଇରୀ), ସାଧାରଣ ସଂପାଦକ ଭାଗିରଥି ସାମନ୍ତରାୟ(ବୋଡଙ୍ଗରା), ସହ ସଂପାଦକ ଭିକାରୀ ଚରଣ ସାହୁ(ଗଇନଡା), ଭଞ କିଶୋର ସାହୁ(ବାଣପୁର), ଯୁଗ୍ମ ସଂପାଦକ ପ୍ରିୟ ରଂଜନ ସାହୁ, ସନ୍ତୋଷ କୁମାର ସାହୁ, କୋଷାଧକ୍ଷ ଚୌଧୁରି ଅରବିନ୍ଦ ସାହୁ, ସମୀକ୍ଷକ ଭାବେ ସୁଦର୍ଶନ ସାହୁ, ଭକ୍ତ ଭୁଷଣ ସାହୁ ଓ ପ୍ରଫୁଲ କୁମାର ସାହୁ ମନୋନୀତ ହୋଇଥିଲେ। ମହିଳା ସଂଗଠନର ସଂଯୋଜକ ଭାବେ କୁମୁଦିନୀ ସାହୁ, ଶୁଭଲକ୍ଷ୍ମୀ ସାହୁ, ସଂଯୁକ୍ତା ମହାପାତ୍ର, ରୋଜାଲିନ ସାହୁ,ପୁଷ୍ପାଞଳି ସାହୁ, ସଂଯୁକ୍ତା ସାହୁ, ଲକ୍ଷ୍ମୀପ୍ରିୟା ସାହୁ ପ୍ରମୁଖ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମ କୁ ରଣପୁର ରାଜ୍ୟ ସମ୍ପାଦକ ବିଜୟ କୁମାର ସାହୁ ଓ ଅଭ୍ୟର୍ଥନା କମିଟି ସଭାପତି ଅରକ୍ଷିତ ସାହୁ ଧନ୍ୟବାଦ ଦେଇଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ : ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା
