ବୋଲ୍ ବମ୍ ନାଦରେ ଉଠୁଛି ପଡୁଛି ଯାଜପୁରର ବାବା ଗୋକର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣ
Jajpur (ଯାଜପୁର)ଯାଜପୁର ରୋଡ ରୁ ପ୍ରଦୀପ କୁମାର ପୃଷ୍ଟିAugust 11, 202695 views

ବୋଲ୍ ବମ୍... ବୋଲ୍ ବମ୍... ନାଦରେ ଉଠୁଛି ପଡୁଛି ଯାଜପୁରର ବାବା ଗୋକର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣ। ଶ୍ରାବଣୀ ଯାତ୍ରାରେ ଭକ୍ତଟିଏ ମନରେ ମାନସିକ ରଖିଥାଏ କେତେ କଥା। କାନ୍ଧରେ କାଉଡ଼ି, ମୁଣ୍ଡରେ ପଗଡ଼ି ଆଉ ତୁଣ୍ଡରେ ପାର୍ବତୀପତିଙ୍କ ନାମ।
“ପାର୍ କରେଗା... ଜଟିଆ ବାବା ପାର୍ କରେଗା... ଭୋଳା ବାବା ପାର୍ କରେଗା...” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ।
ବାବାଙ୍କ ନାମ ତୁଣ୍ଡରେ ଧରି କାହିଁ କେତେ ଦୂରରୁ ପାଦରେ ପାଦ ମିଶାଇ ଚାଲି ଆସିଛନ୍ତି ହଜାର ହଜାର କାଉଡ଼ିଆ ଭକ୍ତ। ଖାଲି ପାଦରେ ଦୀର୍ଘ ପଥ ଚାଲି ହୋଇଥିବା ଫୋଟକାର କଷ୍ଟକୁ ମଧ୍ୟ ଭୁଲି ଯାଇଛନ୍ତି ଭକ୍ତମାନେ। ମନରେ କେବଳ ଗୋଟିଏ ଆଶା—ବାବାଙ୍କ ଦର୍ଶନ ଓ ମହାଦେବଙ୍କ ଉପରେ ପବିତ୍ର ଜଳାଭିଷେକ।
ଶୈବ କ୍ଷେତ୍ର ଯାଜପୁରର ଜାରକା ନିକଟସ୍ଥ ବାବା ଗୋକର୍ଣ୍ଣେଶ୍ୱର ମନ୍ଦିରରେ ଶ୍ରାବଣୀ ଯାତ୍ରା ଅବସରରେ ଜମୁଛି ହଜାର ହଜାର ଭକ୍ତଙ୍କ ଭିଡ଼। ଭକ୍ତମାନଙ୍କ ସୁବିଧା ପାଇଁ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ନଦୀ ପାରିପାର୍ଶ୍ୱରେ ଓଡ୍ରାଫ୍ ଟିମ୍ ସଜାଗ ରହିଥିବା ବେଳେ ପୋଲିସ ପ୍ରଶାସନ ମଧ୍ୟ ଜାଗ୍ରତ ପ୍ରହରୀ ପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।
ସୁଚାରୁ ବ୍ୟବସ୍ଥା ଓ ପ୍ରଶାସନର ସଜାଗତା ଯୋଗୁଁ ଭକ୍ତମାନେ ସୁରୁଖୁରୁରେ ବାବା ଗୋକର୍ଣ୍ଣେଶ୍ୱରଙ୍କ ଦର୍ଶନ କରିବା ସହ ମହାଦେବଙ୍କୁ ପବିତ୍ର ଜଳାଭିଷେକ କରିପାରୁଛନ୍ତି।
