--:--:--
-- ---
Srishti News

Web News

ଦାରିଦ୍ର୍ୟ ଓ ଅସମାନତା ନାବାଳକଙ୍କ ମନରେ ଅପରାଧ ମନୋବୃତ୍ତି ସୃଷ୍ଟି କରେ: ସୁପ୍ରିମକୋର୍ଟ
Sep 5, 2026•26 views

ଦାରିଦ୍ର୍ୟ ଓ ଅସମାନତା ନାବାଳକଙ୍କ ମନରେ ଅପରାଧ ମନୋବୃତ୍ତି ସୃଷ୍ଟି କରେ: ସୁପ୍ରିମକୋର୍ଟ

​ନୂଆଦିଲ୍ଲୀ:ସମାଜରେ ବୃଦ୍ଧି ପାଉଥିବା ଦାରିଦ୍ର୍ୟ, ଆର୍ଥିକ ଅସମାନତା ଏବଂ ସାମାଜିକ ଅବହେଳା ନାବାଳକମାନଙ୍କୁ ଅପରାଧ ଦୁନିଆ ଆଡ଼କୁ ଠେଲି ଦେଉଛି। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଆଭିମୁଖ୍ୟ ପ୍ରକାଶ କରିବା ସହ ନାବାଳକ ଅପରାଧ ପ୍ରତି ସମାଜ ଓ ଆଇନଗତ ବ୍ୟବସ୍ଥାର ସମ୍ବେଦନଶୀଳ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ​କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ:ସାମାଜିକ ପ୍ରସଙ୍ଗ: ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କୌଣସି ଶିଶୁ ଜନ୍ମରୁ ଅପରାଧୀ ନଥାଏ। ଦାରିଦ୍ର୍ୟ, ଗୁଜରାଣ ମେଣ୍ଟାଇବାରେ ଅସମର୍ଥତା, ଶିକ୍ଷାର ଅଭାବ ଏବଂ ସାମାଜିକ ଭେଦଭାବ ଯୋଗୁଁ ନାବାଳକମାନଙ୍କ ମନରେ ନକାରାତ୍ମକ ଭାବନା ଏବଂ ଅପରାଧିକ ମନୋବୃତ୍ତି ଜାଗ୍ରତ ହୋଇଥାଏ। ​ସୁଧାରମୂଳକ ଆଭିମୁଖ୍ୟ: ନାବାଳକମାନଙ୍କ ସମ୍ବନ୍ଧୀୟ ମାମଲାରେ କେବଳ ଦଣ୍ଡବିଧାନ ଉପରେ ଧ୍ୟାନ ନଦେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ସୁଧାରମୂଳକ ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ। ​ପରିବାର ଓ ସମାଜର ଭୂମିକା: ଆର୍ଥିକ ଦୁର୍ବଳ ଶ୍ରେଣୀର ଶିଶୁମାନଙ୍କୁ ସୁରକ୍ଷିତ ପରିବେଶ, ଆବଶ୍ୟକୀୟ ଶିକ୍ଷା ଏବଂ ମୌଳିକ ସୁବିଧା ଯୋଗାଇ ଦେବାରେ ସରକାର ଏବଂ ସମାଜ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ଶିଶୁ ଅପରାଧ ବୃଦ୍ଧିକୁ ନେଇ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଅଦାଲତ ଏହି ସଂବେଦନଶୀଳ ଆଭିମୁଖ୍ୟ ରଖିଛନ୍ତି। ନାବାଳକ ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ ଅଧୀନରେ ନାବାଳକମାନଙ୍କ ମାନସିକତା ଏବଂ ସେମାନଙ୍କ ପରିସ୍ଥିତିକୁ ବିଚାରକୁ ନେଇ ଆଇନଗତ ପ୍ରକ୍ରିୟା ପରିଚାଳନା କରିବାକୁ ସର୍ବୋଚ୍ଚ କୋର୍ଟ ପରାମର୍ଶ ଦେଇଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ବତନ୍ତ୍ର ପ୍ରତିନିଧି

କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ
Sep 5, 2026•27 views

କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ

ସେପ୍‌ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ମହାନ ଶିକ୍ଷାବିତ୍ ଓ ଦାର୍ଶନିକ ଡ. ସର୍ବପଲ୍ଳୀ ରାଧାକ୍ରିଷ୍ଣନ୍‌ଙ୍କର ଏହା ଜନ୍ମଦିନ । ତେବେ ଏହା ଗୁରୁ ଦିବସ ଭାବେ କାହିଁକି ପାଳନ କରାଯାଏ, ତା’ର ରହିଛି ଏକ ସୁନ୍ଦର ଇତିହାସ । ରାଧାକ୍ରିଷ୍ଣନ ୧୯୬୨ ମସିହାରେ ଦେଶର ରାଷ୍ଟ୍ରପତି ଭାବେ ଶପଥ ନେଲେ । ତାଙ୍କର ଦେଶ ଓ ବିଦେଶରେ ଅନେକ ଛାତ୍ର ଥିଲେ । ସେମାନେ ଡ. ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସେହିବର୍ଷ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ମନସ୍ଥ କଲେ । ସେମାନେ ଡ. ରାଧାକ୍ରିଣ୍ଣନଙ୍କୁ ଭେଟି ଏ ନେଇ ଅନୁମତି ମାଗିବାରୁ ଡ.ରାଧାକ୍ରିଷ୍ଣନ ସେମାନଙ୍କୁ ଭିନ୍ନ ଏକ ପରାମର୍ଶ ଦେଇଥିଲେ । ଏହାକୁ ତଙ୍କ ଜନ୍ମଦିନ ଭାବେ ପାଳନ ନ କରି ସମଗ୍ର ଗୁରୁ ଓ ଶିକ୍ଷକ ସମଜକୁ ସମ୍ମାନ କରିବାର ଦିନ ଭାବେ ପାଳନ କରିବାକୁ ସେ ନିଜର ସେହି ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ । ତାହା ହିଁ ହେଲା । ତାଙ୍କ ଛାତ୍ରମାନେ ଏହି ଦିବସକୁ ଗୁରୁ ପୂଜନ ଦିବସ ଭାବେ ପାଳନ କଲେ । ସେବେଠାରୁ ଏହାକୁ ଗୁରୁ ଦିବସ ଭାବେ ସାରା ଦେଶ ପାଳନ କରୁଛି ।

Ganjam (ଗଞ୍ଜାମ) • ରିପୋର୍ଟ କବିରାଜ ପାତ୍ର ସ୍ବତନ୍ତ୍ର ପ୍ରତିନିଧି

ଭଇଁରିଗୁଡ଼ାରେ ଭକ୍ତିମୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ
Sep 5, 2026•63 views

ଭଇଁରିଗୁଡ଼ାରେ ଭକ୍ତିମୟ ପରିବେଶରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ଜୁନାଗଡ: ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଭଇଁରିଗୁଡ଼ା ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଉତ୍ସାହ ଓ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତି, ଶ୍ରଦ୍ଧା ଓ ଧାର୍ମିକ ଭାବନାରେ ଶତାଧିକ ଶ୍ରଦ୍ଧାଳୁ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଗ୍ରାମର ତ୍ରିନାଥ ମନ୍ଦିର ରୁ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା। ବିଭିନ୍ନ ସ୍ଥାନ ଦେଇ ଶୋଭାଯାତ୍ରାଟି ଜଗନ୍ନାଥ ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରାରେ ଶ୍ରୀକୃଷ୍ଣଙ୍କ ଜୟଧ୍ୱନି, ଭକ୍ତିଗୀତ ଓ ବିଭିନ୍ନ ଧାର୍ମିକ ସ୍ଲୋଗାନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଏହି ଶୋଭାଯାତ୍ରାରେ ଗ୍ରାମର ବହୁ ଶ୍ରଦ୍ଧାଳୁ, ଯୁବକ, ଯାଦବ ସମାଜର କାର୍ଯ୍ୟକର୍ତ୍ତା ଓ ଭକ୍ତମାନେ ଯୋଗଦାନ କରିଥିଲେ। ଏଥିସହ ଦୂରଦୂରାନ୍ତରୁ ମଧ୍ୟ ବହୁ ଭକ୍ତ ଆସି ଏହି ଧାର୍ମିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ଭକ୍ତିରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଶୋଭାଯାତ୍ରା ସମୟରେ ଆୟୋଜକ ଓ ଭକ୍ତମାନଙ୍କ ପକ୍ଷରୁ ଶାନ୍ତି, ଶୃଙ୍ଖଳା ଓ ସୁସଂଖଳିତ ପରିବେଶ ବଜାୟ ରଖିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ମଧ୍ୟ ଶୃଙ୍ଖଳାର ସହ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଫଳରେ ସମଗ୍ର କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ସୁନ୍ଦର ଭାବେ ସମ୍ପନ୍ନ ହୋଇଥିଲା। ଆୟୋଜକ କମିଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Kalahandi (କଳାହାଣ୍ଡି) • Reports: Debaraj Banua

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ
Sep 5, 2026•81 views

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣକ ହେଲେ ବିଶ୍ୱାମିତ୍ର ନାଇକଙ୍କ ୨୩ ବର୍ଷୀୟା ପତ୍ନୀ ଝୁମୁରି ନାଇକ। ଝୁମୁରିଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରିବା ସହ ସ୍ୱାମୀ ବିଶ୍ୱାମିତ୍ରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।ସୂଚନା ଅନୁଯାୟୀ, ମାତ୍ର ୨ ବର୍ଷ ପୂର୍ବେ ସାମାଜିକ ରୀତିନୀତି ଅନୁସାରେ ଝୁମୁରିଙ୍କ ବିବାହ ବିଶ୍ୱାମିତ୍ରଙ୍କ ସହ ସମ୍ପନ୍ନ ହୋଇଥିଲା। ବିବାହର କିଛି ଦିନ ସବୁକିଛି ଠିକ୍ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା। ବିଶ୍ୱାମିତ୍ର ପ୍ରତିଦିନ ଅତ୍ୟଧିକ ମଦ ପିଇ ଘରକୁ ଆସୁଥିଲେ ଏବଂ ସାମାନ୍ୟ କଥାରେ ଝୁମୁରିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାରପିଟ୍ କରୁଥିଲେ ବୋଲି ମୃତକଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ପାରିବାରିକ ବିବାଦର ସମାଧାନ ପାଇଁ ପୂର୍ବରୁ ଉଭୟ ପରିବାର ପକ୍ଷରୁ ବହୁବାର ବୈଠକ ବସି ବୁଝାବୁଝି ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଶ୍ୱାମିତ୍ରଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସି ନଥିଲା। ଗତ ଗୁରୁବାର ସନ୍ଧ୍ୟା ସମୟରେ କୌଣସି ଏକ ଘରୋଇ କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପୁଣି ଥରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାର କିଛି ସମୟ ପରେ, ଅର୍ଥାତ୍ ଗତକାଲି ଝୁମୁରିଙ୍କ ଶାଶୁ ହଠାତ୍ ଡେଙ୍ଗାପଦର ର ରେ ରହୁଥିବା ଝୁମୁରି ର ବଡ଼ ଭଉଣୀ କୁନି ନାଇକଙ୍କ ମୋବାଇଲ୍ ଫୋନକୁ କଲ୍ କରି ଝୁମୁରିଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଥିଲେ। ନବବଧୂଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ ଏବଂ ଏହା ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ଦାବି କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଜଗନ୍ନାଥପ୍ରସାଦ ଥାନା ପୋଲିସ ଅଧିକାରୀ ପ୍ରମୋଦ କୁମାର ଲେଙ୍କା ତୁରନ୍ତ ପଞ୍ଚଭୂତି ଗ୍ରାମରେ ପହଞ୍ଚି ପ୍ରାଥମିକ ତଦନ୍ତ ଓ ପଚରାଉଚରା ସମୟରେ ଅଟକ ସ୍ୱାମୀ ବିଶ୍ୱାମିତ୍ର ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ସେ ଘଟଣା ସମୟରେ ବାହାରେ ଥିଲେ ଏବଂ ଘରକୁ ଫେରିବା ପରେ ଝୁମୁରି ନିଜ ଶାଢ଼ୀ ବା ଲୁଗାରେ ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିବା କହିଛି I ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି ।

Ganjam (ଗଞ୍ଜାମ) • ର୍ଯ୍ୟ ନାରାୟଣ ପଣ୍ଡା ଙ୍କ ରିପୋର୍ଟ

ନୟାଗଡ଼: କୁକୁଡ଼ାଝରି ବୃନ୍ଦାବନ ବିହାରୀପୁରରେ ନିଆରା କୃଷ୍ଣ ଜନ୍ମାଷ୍ଟମୀ; କୁନି କୁନି ଶ୍ରୀକୃଷ୍ଣଙ୍କ ଲୀଳାଖେଳାରେ ବିଭୋର ଗ୍ରାମବାସୀ
Sep 5, 2026•19 views

ନୟାଗଡ଼: କୁକୁଡ଼ାଝରି ବୃନ୍ଦାବନ ବିହାରୀପୁରରେ ନିଆରା କୃଷ୍ଣ ଜନ୍ମାଷ୍ଟମୀ; କୁନି କୁନି ଶ୍ରୀକୃଷ୍ଣଙ୍କ ଲୀଳାଖେଳାରେ ବିଭୋର ଗ୍ରାମବାସୀ

ସାରା ଦେଶରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କୁକୁଡ଼ାଝରି ବୃନ୍ଦାବନ ବିହାରୀପୁର ଗ୍ରାମରେ ଏକ ନିଆରା ଆବହୋୱା ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ ଭାବନା ଓ ସଂସ୍କୃତିକୁ ଜନମାନସରେ ଜାଗ୍ରତ କରିବା ପାଇଁ ଗ୍ରାମରେ ଏକ ଭାବପୂର୍ଣ୍ଣ ପ୍ରୟାସ କରାଯାଇଥିଲା। ​ଗ୍ରାମର କୁନି କୁନି ପିଲାମାନେ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାଖେଳା ସହ ଜଡ଼ିତ ଚରିତ୍ର - ଯଥା ରାଧା-କୃଷ୍ଣ, ଗୋପ-ଗୋପାଙ୍ଗନା, ନନ୍ଦ, ଦେବକୀ ଓ ବାସୁଦେବଙ୍କ ମନୋରମ ବେଶଭୂଷାରେ ସଜ୍ଜିତ ହୋଇଥିଲେ। ଏହି କୋମଳମତି ଶିଶୁମାନେ ଧାଡ଼ି ହୋଇ କୁନି କୁନି ପାଦରେ ଗାଁ ଦାଣ୍ଡରେ ନଗର ପରିକ୍ରମା କରି ପ୍ରଭୁ କୃଷ୍ଣଙ୍କ ପ୍ରେମ ଓ ଭକ୍ତିର ବାର୍ତ୍ତା ବାଣ୍ଟିଥିଲେ। ​ଶିଶୁମାନଙ୍କର ଏହି ମନମୁଖକର ରୂପ ଦେଖି ଗ୍ରାମର ମା’ ଓ ଭଉଣୀମାନେ ହାତରେ ଫୁଲ, ଚନ୍ଦନ, ଧୂପ, ଦୀପ ଓ ନୈବେଦ୍ୟ ଧରି ସେମାନଙ୍କୁ ଶ୍ରଦ୍ଧାର ସହ ବନ୍ଦାପନା କରିଥିଲେ। ପୁରାଣର ବୃନ୍ଦାବନର ଦୃଶ୍ୟ ସେଦିନ ବୃନ୍ଦାବନ ବିହାରୀପୁର ଗ୍ରାମ ଦାଣ୍ଡରେ ଜୀବନ୍ତ ହୋଇଉଠିଥିବା ପରି ଅନୁଭୂତ ହୋଇଥିଲା। ଏହି ସାଂସ୍କୃତିକ ଓ ଭକ୍ତିମୟ କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳରେ ଏକ ଶ୍ରଦ୍ଧାପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ସହ ସ୍ଥାନୀୟ ଲୋକଙ୍କ ନିକଟରେ ବେଶ୍ ଆଦୃତ ହୋଇଛି।

Nayagarh (ନୟାଗଡ଼) • ଯଦୁମଣି ବେହେରା

ତାରାତାରିଣୀ ପାଦ ଦେଶ ରେ ୫୪ କୁଣ୍ଡୀୟ ବିଶ୍ୱ ଶାନ୍ତି ମହାଯଜ୍ଞ: ଛାମୁଣ୍ଡା ହନୁମାନ ମଠରେ ଜଗତଗୁରୁ ସ୍ୱାମୀ ଅରୂପାନନ୍ଦ
Sep 5, 2026•112 views

ତାରାତାରିଣୀ ପାଦ ଦେଶ ରେ ୫୪ କୁଣ୍ଡୀୟ ବିଶ୍ୱ ଶାନ୍ତି ମହାଯଜ୍ଞ: ଛାମୁଣ୍ଡା ହନୁମାନ ମଠରେ ଜଗତଗୁରୁ ସ୍ୱାମୀ ଅରୂପାନନ୍ଦ

ଜଗନ୍ନାଥପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଛାମୁଣ୍ଡା ସ୍ଥିତ ଶ୍ରୀ ହନୁମାନ ମଠ ପରିସରରେ ଜଗତଗୁରୁ ରାମାନନ୍ଦ ଆଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦ ମହାରାଜଙ୍କ ଶୁଭାଗମନ ହୋଇଯାଇଛି। ଏହି ଅବସରରେ ମଠରେ ଆୟୋଜିତ ଏକ ସ୍ୱତନ୍ତ୍ର ସତ୍ସଙ୍ଗରେ ଜଗତଗୁରୁଙ୍କ ସହ ବ୍ରହ୍ମପୁର ହନୁମାନ ମଠର ନାଗା ହରିହର ଦାସ, ବାବନପୁର ମଠ ମହନ୍ତ ଅଶୋକ ଦାସ, ଖଣ୍ଡୁରୁ ମଠ ମହନ୍ତ ରାମ ପ୍ରସନ୍ନ ଦାସ, କାଦପଡ଼ା ମଠ ମଧୁସୂଦନ ଦାସ, ପାଲାପଡ଼ା ମଠ ସ୍ୱାମୀ ଶଙ୍କରାନନ୍ଦ ତୀର୍ଥ, ଜଗନ୍ନାଥପ୍ରସାଦ ମହନ୍ତ ତ୍ରିବିକ୍ରମ ଦାସ ଏବଂ ଛାମୁଣ୍ଡା ମଠ ମହନ୍ତ ମହାରାଜ ସତାନନ୍ଦ ଦାସ ପ୍ରମୁଖ ଅଞ୍ଚଳର ବହୁ ପ୍ରମୁଖ ସାଧୁସନ୍ଥ ଯୋଗ ଦେଇଥିଲେ। ବିଶ୍ୱ ଶାନ୍ତି ଓ ଜନ କଲ୍ୟାଣ ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୮ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମା’ ତାରାତାରିଣୀ ମନ୍ଦିର ପାଦଦେଶ, ପବିତ୍ର ଋଷିକୂଲ୍ୟା ନଦୀ ତଟରେ ସନ୍ଥ ସମାଜ ଦ୍ୱାରା ଏକ ଭବ୍ୟ ୫୪ କୁଣ୍ଡୀୟ ବିଶ୍ୱ ଶାନ୍ତି ମହାଯଜ୍ଞ ଆୟୋଜିତ ହେବାକୁ ଯାଉଛି ବୋଲି ଏହି ବୈଠକରେ ଜଗତଗୁରୁ ଘୋଷଣା କରିଛନ୍ତି। ଏହି ପ୍ରମୁଖ ଧାର୍ମିକ ମହୋତ୍ସବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ପରିବେଶ ପ୍ରକାଶ ପାଇଛି।

Ganjam (ଗଞ୍ଜାମ) • ସୂର୍ଯ୍ୟ ନାରାୟଣ ପଣ୍ଡା ଙ୍କ ରିପୋର୍ଟ

ଗଛ କୁ ପିଟିଲା ଯାତ୍ରୀ ବାହି ବସ,ଚାଳକ ଙ୍କ ମୃତୁ , ୨୫ଆହତ
Sep 5, 2026•19 views

ଗଛ କୁ ପିଟିଲା ଯାତ୍ରୀ ବାହି ବସ,ଚାଳକ ଙ୍କ ମୃତୁ , ୨୫ଆହତ

ଭୁବନେଶ୍ୱରରୁ ନୟାଗଡ଼ ଯାଉଥିବା ଏକ ଯାତ୍ରୀବାହି ବସ୍ ବାଉଁଶିଆପଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଚାଳକ ଜଣକ ହେଲେ ଖୋର୍ଦ୍ଧା ପିଚୁକୁଳି ଗ୍ରାମର ନିରଂଜନ ସ୍ୱାଇଁ । ଅନ୍ୟ ଆହତ ଯାତ୍ରୀମାନଙ୍କୁ ନାୟାଗଡ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ, ବସ୍‌ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସ୍ଥାନୀୟ ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଣ୍ଡା ନିକଟରେ ଚାଳକ ଜଣକ ଭାରସାମ୍ୟ ହରାଇ ଏକ ଗଛ ଦେହରେ ପିଟି ଦେଇବାରୁ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ସ୍ଥାନୀୟ ପୋଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ ।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଝଡ଼ ତୋଫାନ ଓ ପ୍ରବଳ ବର୍ଷା କ୍ଷତିପୂରଣ ଦାବିରେ ରାସ୍ତାରୋକ ଦାବିପତ୍ର ଦେବା ପରେ ବି ମିଳିଲାନି କ୍ଷତିପୂରଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
Sep 5, 2026•23 views

ଝଡ଼ ତୋଫାନ ଓ ପ୍ରବଳ ବର୍ଷା କ୍ଷତିପୂରଣ ଦାବିରେ ରାସ୍ତାରୋକ ଦାବିପତ୍ର ଦେବା ପରେ ବି ମିଳିଲାନି କ୍ଷତିପୂରଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବରଗଡ଼: ୫/୯/ ଝଡ଼ ତୋଫାନ ଓ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ। ବରଗଡ଼ ସୋହେଲା-ଚକରକେନ୍ଦ୍ ଛକରେ ସ୍ଥାନୀୟ ଗ୍ରାମବାସୀମାନେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ବିଗତ ଦିନରେ ହୋଇଥିବା ଝଡ଼ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏନେଇ ପ୍ରଶାସନ ନିକଟରେ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତାରୋକ ଯୋଗୁଁ ଉକ୍ତ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ନିଜ ଦାବି ଉପସ୍ଥାପନ କରିଛନ୍ତି। ଏପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କ ସହ କୌଣସି ସମାଧାନର ବାଟ ବାହାରିନଥିବା ବେଳେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଆନ୍ଦୋଳନକାରୀମାନେ କହିଛନ୍ତି।

Bargarh (ବରଗଡ଼) • ସତ୍ୟ ସୁରୁଜାଲ

ଖଡ଼ିଆଳ ମାଟିର ଲଢୁଆ ପୁଅ କମଳ ଚରଣ ତାଣ୍ଡିଙ୍କୁ କଂଗ୍ରେସର ରାଜ୍ୟ ସମ୍ପାଦକ ଦାୟିତ୍ୱ
Sep 5, 2026•145 views

ଖଡ଼ିଆଳ ମାଟିର ଲଢୁଆ ପୁଅ କମଳ ଚରଣ ତାଣ୍ଡିଙ୍କୁ କଂଗ୍ରେସର ରାଜ୍ୟ ସମ୍ପାଦକ ଦାୟିତ୍ୱ

ଖଡ଼ିଆଳ: ଖଡ଼ିଆଳ ନିର୍ବାଚନମଣ୍ଡଳୀର ଲଢୁଆ ପୁଅ ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ପରିଚିତ କମଳ ଚରଣ ତାଣ୍ଡିଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ରାଜ୍ୟ ସମ୍ପାଦକ ପଦବୀରେ ନିଯୁକ୍ତି ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏହି ନୂଆ ଦାୟିତ୍ୱ ମିଳିବା ପରେ ଖଡ଼ିଆଳ ଅଞ୍ଚଳର କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଦୀର୍ଘଦିନ ଧରି କମଳ ଚରଣ ତାଣ୍ଡି ବିଭିନ୍ନ ଜନସମସ୍ୟାକୁ ନେଇ ଲୋକଙ୍କ ସହ ରହିଆସିଛନ୍ତି। ଅଞ୍ଚଳର ଅଭାବୀ, ଗରିବ ଓ ଅସହାୟ ଲୋକଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବାରେ ସେ ସକ୍ରିୟ ଭୂମିକା ନେଇଥିବା ଦେଖିବାକୁ ମିଳିଛି। କୃଷକଙ୍କ ସମସ୍ୟା, ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ରୋଜଗାର, ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗରେ ସେ ଜନସାଧାରଣଙ୍କ ସହ ଆନ୍ଦୋଳନ ଓ ପ୍ରତିବାଦରେ ସାମିଲ ହୋଇଆସିଛନ୍ତି। ଅଞ୍ଚଳବାସୀଙ୍କ ନ୍ୟାୟସଙ୍ଗତ ଦାବିକୁ ନେଇ ସ୍ୱର ଉଠାଇବା ସହ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରେ ମଧ୍ୟ ସେ ଉଦ୍ୟମ କରିଛନ୍ତି। ବିଶେଷକରି ଅସହାୟ ଓ ଆବଶ୍ୟକତାରେ ଥିବା ପରିବାରଙ୍କୁ ସହଯୋଗ, ଲୋକଙ୍କ ବ୍ୟକ୍ତିଗତ ଓ ସାମାଜିକ ସମସ୍ୟାରେ ସହଯୋଗର ହାତ ବଢ଼ାଇବା ଏବଂ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବା ତାଙ୍କ ରାଜନୈତିକ କାର୍ଯ୍ୟଧାରାର ଏକ ପ୍ରମୁଖ ଦିଗ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ରାଜ୍ୟ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ଆଗାମୀ ଦିନରେ ଖଡ଼ିଆଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ସହ ଜନସମସ୍ୟାକୁ ନେଇ ଲୋକଙ୍କ ପାଖରେ ରହିବା ତାଙ୍କ ପାଇଁ ଏକ ବଡ଼ ଦାୟିତ୍ୱ ହେବ। କମଳ ଚରଣ ତାଣ୍ଡିଙ୍କ ଏହି ନିଯୁକ୍ତିକୁ ନେଇ କଂଗ୍ରେସ କର୍ମୀ, ଯୁବକ, ସମର୍ଥକ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ଦାୟିତ୍ୱରେ ସେ ଦଳ ଓ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆହୁରି ଦୃଢ଼ତାର ସହ କାମ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ, ଖଡିଆଲ

ମନ୍ତ୍ରୀତରାଇରେ ଧୁମ୍‌ଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ମହାସମାବେଶରେ ଭକ୍ତିମୟ ପରିବେଶ; ଭଜନ, କୀର୍ତ୍ତନ ଓ ନାଚଗୀତରେ ମୁଖରିତ ହେଲା ଅଞ୍ଚଳ
Sep 5, 2026•71 views

ମନ୍ତ୍ରୀତରାଇରେ ଧୁମ୍‌ଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ମହାସମାବେଶରେ ଭକ୍ତିମୟ ପରିବେଶ; ଭଜନ, କୀର୍ତ୍ତନ ଓ ନାଚଗୀତରେ ମୁଖରିତ ହେଲା ଅଞ୍ଚଳ

ଖଡ଼ିଆଳ: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମନ୍ତ୍ରୀତରାଇ ଠାରେ ଶ୍ରୀମଦ୍ ଭାଗବତ ଠୁଙ୍ଗୀ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଧୁମ୍‌ଧାମ ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ମହାସମାବେଶରେ ବହୁ ସଂଖ୍ୟକ କୃଷ୍ଣଭକ୍ତ ଓ ଗ୍ରାମବାସୀ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନା କରିଥିଲେ। ଜନ୍ମାଷ୍ଟମୀ ଅବସରରେ ସମଗ୍ର ଅଞ୍ଚଳ ଭକ୍ତିରସରେ ଭିଜିଯାଇଥିଲା। ଭକ୍ତମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କ ପ୍ରତି ଅଗାଧ ଭକ୍ତି ଓ ଆଧ୍ୟାତ୍ମିକ ଭାବନା ପରିଲକ୍ଷିତ ହୋଇଥିଲା। ଶ୍ରୀକୃଷ୍ଣଙ୍କ ଜନ୍ମକଥା, ଭାଗବତ ପାଠ ଓ ଧାର୍ମିକ କାର୍ଯ୍ୟକ୍ରମରେ ପରିବେଶ ଆଧ୍ୟାତ୍ମିକ ହୋଇଉଠିଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଭଜନ, କୀର୍ତ୍ତନ, ନାଚ ଓ ଗୀତ। ଭକ୍ତିମୟ ସଙ୍ଗୀତର ତାଳେ ତାଳେ ଶ୍ରଦ୍ଧାଳୁମାନେ ଆନନ୍ଦରେ ମଜିଯାଇଥିବା ବେଳେ ସମଗ୍ର ଅଞ୍ଚଳ ଭଜନ ଓ କୀର୍ତ୍ତନରେ ମୁଖରିତ ହୋଇଉଠିଥିଲା। ଶ୍ରୀକୃଷ୍ଣଙ୍କ ଜୟଧ୍ୱନିରେ ପରିବେଶ ଭକ୍ତିମୟ ହୋଇପଡ଼ିଥିଲା। ଗ୍ରାମବାସୀଙ୍କ ସହଯୋଗ ଓ କୃଷ୍ଣଭକ୍ତମାନଙ୍କ ଉତ୍ସାହ ଯୋଗୁଁ ଏହି ଜନ୍ମାଷ୍ଟମୀ ଉତ୍ସବ ଏକ ଭବ୍ୟ ଓ ସ୍ମରଣୀୟ ଧାର୍ମିକ ସମାବେଶର ରୂପ ନେଇଥିଲା। ଏଭଳି ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ଏକତା ଓ ଆଧ୍ୟାତ୍ମିକ ଚେତନାକୁ ଆହୁରି ସୁଦୃଢ଼ କରିଥାଏ ବୋଲି ମତ ପ୍ରକାଶ ପାଇଥିଲା।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ

ତମିଆଁ ମେହେରପଡ଼ାରେ ୩୮ତମ ଗଣେଶ ପୂଜା, ଛଅଦିନ ଧରି ଜମିବ ସାଂସ୍କୃତିକ ମହୋତ୍ସବ: ଦଣ୍ଡନୃତ୍ୟରୁ ଡାନ୍ସ, ପାରାୟଣରୁ ଅର୍କେଷ୍ଟ୍ରା, ମୀନା ବଜାର ହେବ ବିଶେଷ ଆକର୍ଷଣ
Sep 5, 2026•126 views

ତମିଆଁ ମେହେରପଡ଼ାରେ ୩୮ତମ ଗଣେଶ ପୂଜା, ଛଅଦିନ ଧରି ଜମିବ ସାଂସ୍କୃତିକ ମହୋତ୍ସବ: ଦଣ୍ଡନୃତ୍ୟରୁ ଡାନ୍ସ, ପାରାୟଣରୁ ଅର୍କେଷ୍ଟ୍ରା, ମୀନା ବଜାର ହେବ ବିଶେଷ ଆକର୍ଷଣ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ଗ୍ରାମର ମେହେରପଡ଼ାରେ ଚଳିତ ବର୍ଷ ଧୁମଧାମରେ ପାଳିତ ହେବ ୩୮ତମ ଗଣେଶ ପୂଜା ଉତ୍ସବ। ନୂଆଖାଇ ଅବସରରେ ଆୟୋଜିତ ଏହି ପୂଜା ଉତ୍ସବକୁ ନେଇ ମେହେରପଡ଼ା ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ତମିଆଁ ମେହେରପଡ଼ା ଗଣେଶ ପୂଜା କମିଟି–୨୦୨୬ ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ପୂଜା ଓ ବିଭିନ୍ନ ଧାର୍ମିକ-ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଭକ୍ତି, ଲୋକକଳା ଓ ଆଧୁନିକ ମନୋରଞ୍ଜନର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିବ। ସେପ୍ଟେମ୍ବର ୧୭ ତାରିଖରେ ସୁରେଶ୍ୱରୀ ମହିଳା ଦଣ୍ଡନୃତ୍ୟ ପରିବେଷଣ କରାଯିବ। ସେହିପରି ୧୮ ତାରିଖରେ ଟିଟିଲାଗଡ଼ର ନ୍ୟୁ ଲାଇଫ୍ ଡେନ୍ସ ଗ୍ରୁପ୍ ପକ୍ଷରୁ ଆକର୍ଷଣୀୟ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିବ। ୧୯ ତାରିଖରେ ସକାଳ ୧୦ଟାରେ ଜ୍ୟୋସ୍ନାମୟୀ ଦୀକ୍ଷିତଙ୍କ ପାରାୟଣ ଅନୁଷ୍ଠିତ ହେବ। ସେହିଦିନ ରାତି ୮ଟାରେ ମୁନ୍ଦଳସର ରାମଜୀ କଳା ପରିଷଦ ପକ୍ଷରୁ ‘ସୀତାଚୋରୀ’ ପରିବେଷଣ କରାଯିବ। ୨୦ ତାରିଖରେ ଆୟୋଜିତ ଡାନ୍ସ ପ୍ରତିଯୋଗିତା ଯୁବପିଢ଼ି ଓ କଳାପ୍ରେମୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିବ। ଏହାପରେ ୨୧ ତାରିଖରେ **ସୁମନ ଅର୍କେଷ୍ଟ୍ରା (ଆର୍‌. ରାଜକୁମାର)**ର ସଙ୍ଗୀତ କାର୍ଯ୍ୟକ୍ରମରେ ଉତ୍ସବର ମାହୋଲ ଆହୁରି ରଙ୍ଗିନ ହେବ। ଶେଷରେ ୨୨ ତାରିଖ ଦିନ ୧୧ଟାରେ ଶ୍ରୀଗଣେଶଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ। ଉତ୍ସବରେ ମୀନା ବଜାରକୁ ବିଶେଷ ଆକର୍ଷଣ ଭାବେ ସାମିଲ କରାଯାଇଛି। ଏହା ଛୋଟଠାରୁ ବଡ଼—ସମସ୍ତଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇବ। ନୂଆଖାଇର ଭାଇଚାରା, ପାରମ୍ପରିକତା ଓ ସାଂସ୍କୃତିକ ଭାବଧାରାକୁ ଆଧାର କରି ଆୟୋଜିତ ଏହି ଗଣେଶ ପୂଜା ଉତ୍ସବ ତମିଆଁ ମେହେରପଡ଼ାରେ ସାମାଜିକ ଏକତା ଓ ଭାତୃତ୍ୱର ବାର୍ତ୍ତା ବହନ କରିବ ବୋଲି କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Balangir (ବଲାଙ୍ଗୀର) • ବ୍ୟୁରୋ ରିପୋର୍ଟ: ମଳୟ ମେହେର

ବିଏଚପିର ୬୨ତମ ପ୍ରତିଷ୍ଠା ଦିବସ, ଲକ୍ଷ୍ମଣନାନନ୍ଦ ସରସତୀଙ୍କ ବଳିଦାନ ଦିବସ
Sep 5, 2026•43 views

ବିଏଚପିର ୬୨ତମ ପ୍ରତିଷ୍ଠା ଦିବସ, ଲକ୍ଷ୍ମଣନାନନ୍ଦ ସରସତୀଙ୍କ ବଳିଦାନ ଦିବସ

ଖୋର୍ଦ୍ଧା : ବିଶ୍ୱହିନ୍ଦୁ ପରିଷଦ(ଭିଏଚପି) ର ୬୨ତମ ଜିଲା ସ୍ତରୀୟ ପ୍ରତିଷ୍ଠା ଦିବସ ଏବଂ ବ୍ରହ୍ମଲୀନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସତୀଙ୍କ ବଳିଦାନ ଦିବସ ସ୍ଥାନୀୟ ଶ୍ରୀରାମକୃଷ୍ଣ ଗୋଶାଳା ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଉପସଭାପତି ସୁଦର୍ଶନ ରଥଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ସନ୍ଥ ବିଶ୍ବମ୍ବର ଦାସ ମହାରାଜ ଉଦ୍‌ଘାଟନ କରି ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଏବଂ ସାମୀ ଲକ୍ଷ୍ମଣାନନ୍ଦଙ୍କ ତ୍ୟାଗମୟ ଜୀବନା ରାଷ୍ଟ୍ର ନିର୍ମାଣ ସମ୍ପର୍କରେ କହିଥିଲେ I ସମଗ୍ର ହିନ୍ଦୁ ସମାଜକୁ ସଙ୍ଗଠିତ କରିବା, ହିନ୍ଦୁ ଧର୍ମ ଓ ସଂସ୍କୃତିର ସୁରକ୍ଷା ତଥା ବିଶ୍ବସ୍ତରରେ ହିନ୍ଦୁ ମାନଙ୍କ ଭୂମିକା ସୁଦୂତ କରିବା ଉଦ୍ଦେଶ୍ୟରେ ଭାଦ୍ରବ ମାସ କୃଷ୍ଣପକ୍ଷ ୧୯୬୪ ମସିହା ଅଗଷ୍ଟ ୨୯ ତାରିଖ ପବିତ୍ର ଜନ୍ମାଷ୍ଟମୀ ରେ ପବିତ୍ର ଜନ୍ମାଷ୍ଟମୀରେ ମୁମ୍ବାଇ ସ୍ଥିତ ସାନ୍ଦିପନୀ ଆଶ୍ରମରେ ଆରଏସଏସ ଦ୍ଵିତୀୟ ସରସଂଘଚାଳକ ଶ୍ରୀଗୁରୁଜୀଙ୍କ ମାର୍ଗ ଦର୍ଶନରେ ସାମୀ ଚିନ୍ମମୟାନନ୍ଦଙ୍କ କରକମଳରେ, ଏସଏମ ଆପ୍ଟେ ଙ୍କ ପ୍ରତ୍ୟକ୍ଷ ତତୃବାଧନରେ ଭିଏଚପି ପ୍ରତିଷ୍ଠା ହୋଇଥିଲା । ସାଧନତା ପରବର୍ତି ଭାରତରେ ଧର୍ମ ବିଦ୍ବେଷ ନୀତି, ଅସ୍ପୃସ୍ୟତାକୁ ଦୂର, ଧର୍ମ ପରିବର୍ତନକୁ ରୋଜିବା ଏବଂ ହିନ୍ଦୁ ସଂସ୍କୃତିର ସଂରକ୍ଷଣ ପାଇଁ ବିଏଚପିର ପରିକଳ୍ପନା କରାଯାଇଥିଲା ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଧର୍ମଜାଗରଣ ସମନ୍ୱୟ ପୁରୀ ବିଭାଗ ସଂଯୋଜକ ନବକୃଷ୍ଣ ମହାପାତ୍ର ଯୋଗଦେଇ ପବିତ୍ର ଜନ୍ମାଷ୍ଟମୀରେ ଆନନ୍ଦ ଉଲ୍ଲାସ ରହିଥ‌ିବା ବେଳେ ଠିକ ଏହି ସମୟରେ ସମଗ୍ର ହିନ୍ଦୁ ସମାଜ ଶବ୍ଧ ପାଲଟିଯାଇଥିଲା ତାହା ଥିଲା ପୂଜ୍ୟ ସନ୍ଥ ଲକ୍ଷ୍ମଣନାନନ୍ଦ ସରସତୀଙ୍କୁ ହତ୍ୟା । କିଛି ବିଧର୍ମ ମାନେ ତାଙ୍କୁ ଢଳେଶପଟ୍ଟା ଆଶ୍ରମରେ ଅତି ନିମର୍ମ ଭାବେ ହତ୍ୟା କରିଥିଲେ । ଯିଏ ବଣପର୍ବତ ଘେରା ଆଦିବାସୀ ବହୁଳ ଅଂଚଳରେ ହାତରେ ବାଡି ଖଣ୍ଡେ ଧରି ଗାଁକୁ ଗାଁ ବୁଲି ଜନଜାତି, ଗରିବ ଭାଇ ଭଉଣୀ ମାନଙ୍କୁ ବଂଚିବାର କଳା ଶିକ୍ଷା ଦେବା ସହ ଏହି ଅଂଚଳରେ ସାମାଜିକ ଶୈକ୍ଷିକ ଓ ଆଧାତ୍ମକ ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ବଜରଙ୍ଗ ଦଳ ଜିଲା ସଂଯୋଜକ ଉଦିତ ନାରାୟଣ ପ୍ରହରାଜ ମଂଚାସୀନ ଥିଲେ ।ଭିଏଚପି ଜିଲା ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ଜିଲା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ସ୍ବାଗତ ଭାଷଣ ରେ ବିଏଚପି ପ୍ରତିଷ୍ଠା ଦିବସ, ଲକ୍ଷ୍ମଣାନନ୍ଦ ସଂଘର୍ଷର କାହାଣୀ ସନ୍ଥ ସିରୋମଣି ରବି ଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ଏବଂ ବିଏଚପି ପୂର୍ବତନ ଅନ୍ତରାଷ୍ଟ୍ରୀୟ ଅଧକ୍ଷ ଅଶୋକ ତା ସିଘଲଙ୍କ ଜନ୍ମ ଶତବାର୍ଷିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସହ ସମ୍ପାଦକ ସନ୍ତୋଷ ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ଅଭିମନ୍ୟୁ ଘଟୁଆଲ, ଏସଏମ ଦିବ୍ୟ ପ୍ରକାଶ, ସତ୍ୟଜିତ ବେହେରା, ଶୁଭଙ୍କର ପାଇକରାୟ, ଆଦର୍ଶ କେ, ଅଂଶୁମାନ, କୌଶିକ ବେହେରା। ରଶ୍ମିରଞ୍ଜନ ମିଶ୍ର, ହୃଷିକେଶ ବେହେରା, ରଞ୍ଜ ବରାଳ ଙ୍କ ସମେତ ବୁଦ୍ଧିଢିବୀ ଶିକ୍ଷାବିତ ଉପସ୍ଥିତ ଥିଲେ । ବିଭିନ୍ନ କଳା ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଗୋଶାଳାରେ ଗୋମାତା ପୂଜନ ଉତ୍ସବ ପରେ ଜନ୍ମାଷ୍ଟମୀ ନୀତି ପାଳିତ ହୋଇଥିଲା । ଭାଗବତ ପାଠ କରାଯାଇଥିଲା । ବରିଷ୍ଠ ଗୋସେବକ ରାଧାମୋହନ ପ୍ରଧାନ ଓ ଅନ୍ଯ ମାନେ ପରିଚାଳନା କରିଥିଲେ।

Nuapada (ନୂଆପଡ଼ା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା