Web News

ପୂର୍ବତନ ଉପନଗରପାଳ ତଥା ବ୍ୟବସାୟୀ ମହାସଂଘର ପୂର୍ବତନ ସଭାପତି ରାମ ଅବତାରଙ୍କ ପରଲୋକ
ଖୋର୍ଦ୍ଧା, ୨୧/୮: ଖୋର୍ଦ୍ଧା ସହରର ବରିଷ୍ଠ ନାଗରିକ, ପୂର୍ବତନ ଉପନଗରପାଳ ବ୍ୟବସାୟୀ ମହାସଂଘ ସଭାପତି ତଥା ବିଶିଷ୍ଟ ସମାଜସେବୀ ରାମ ଅବତାରଙ୍କ ଶୁକ୍ରବାର ମଧ୍ୟାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ଖୋର୍ଦ୍ଧା ସହରର ବ୍ୟବସାୟୀ ମହଲ, ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ସମେତ ସାଧାରଣ ମହଲରେ ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତ ରାମ ଅବତାର ୧୯୩୯ ମସିହା ଅକ୍ଟୋବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ୱର୍ଗତ ଭିକାରୀଲାଲଙ୍କ ପୁତ୍ର ଥିଲେ। ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଓ ସରଳ ମନୋଭାବର ବ୍ୟକ୍ତି ଭାବେ ସେ ଖୋର୍ଦ୍ଧା ସହରରେ ବେଶ୍ ପରିଚିତ ଥିଲେ। ବିଭିନ୍ନ ସାମାଜିକ, ଧାର୍ମିକ ଓ ବ୍ୟବସାୟିକ ସଂଗଠନ ସହିତ ଦୀର୍ଘବର୍ଷ ଧରି ସେ ସକ୍ରିୟ ଭାବେ ଜଡ଼ିତ ରହିବା ସହିତ ସମାଜସେବାରେ ନିଜକୁ ନିୟୋଜିତ ରଖିଥିଲେ।୧୯୭୯ ମସିହାରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେ ତତ୍କାଳୀନ ଖୋର୍ଦ୍ଧା ବିଜ୍ଞାପିତ ଅଞ୍ଚଳ ପରିଷଦର ଉପନଗରପାଳ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ କାର୍ଯ୍ୟକାଳରେ ଖୋର୍ଦ୍ଧା ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସହରର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ସମସ୍ୟା ସମାଧାନ ଦିଗରେ ତାଙ୍କ ଅବଦାନ ଉଲ୍ଲେଖନୀୟ ଥିଲା। ଧାର୍ମିକ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଥିଲା। ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମସ୍ଥିତ ପ୍ରଭୁ ଶ୍ରୀ ଧବଳେଶ୍ୱର ଦେବଙ୍କ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଭାବେ ସେ ଦୀର୍ଘବର୍ଷ ଦାୟିତ୍ୱ ତୁଲାଇଥିଲେ। ସେହିପରି ରାଜ୍ୟର ପ୍ରମୁଖ ଐତିହାସିକ ଓ ଧାର୍ମିକ ପୀଠ ମା’ ବରୁଣେଇ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ଭାବେ ମଧ୍ୟ ସେ ୧୯୮୦ରୁ ୧୯୮୬ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ।ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ସ୍ୱର୍ଗତ ରାମ ଅବତାରଙ୍କର ଦୀର୍ଘ ଅବଦାନ ରହିଥିଲା। ୧୯୮୦ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ଚେମ୍ବର ଅଫ୍ କମର୍ସର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ୧୯୯୫ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଖୋର୍ଦ୍ଧା ବ୍ୟବସାୟୀ ମହାସଂଘର ସଭାପତି ଭାବେ ରହି ବ୍ୟବସାୟୀମାନଙ୍କ ବିଭିନ୍ନ ସମସ୍ୟା ଓ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ୧୯୯୯ ମସିହାରେ ସେ ଜିଲ୍ଲା କଞ୍ଜ୍ୟୁମର ପ୍ରୋଟେକ୍ସନ କାଉନସିଲର ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ। ତାଙ୍କ ମୃତ୍ୟୁ ସମ୍ବାଦ ପାଇ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବ୍ୟବସାୟୀ ମହାସଂଘର ପୂର୍ବତନ ସଭାପତି ଶାରଦା ଚରଣ ପଟ୍ଟନାୟକ, ଚେମ୍ବର ଅଫ୍ କମର୍ସର ସଭାପତି ମଦନ ମୋହନ ରାମ, ଜିତେନ୍ଦ୍ର କୁମାର ଭଞ୍ଜ, ଜ୍ୟୋତି ପ୍ରସାଦ ରାମ, ସୁଧାକର ତ୍ରିପାଠୀ, ଚନ୍ଦ୍ରଶେଖର ମହାରଣା, ମାନସ ରଞ୍ଜନ ପଟ୍ଟନାୟକ, ପି. ନନ୍ଦକିଶୋର ପାତ୍ରଙ୍କ ସମେତ ୧୩ ନମ୍ବର ୱାର୍ଡ ମେମ୍ବରଙ୍କ ପ୍ରତିନିଧି ରାଜେଶ ପ୍ରଧାନ ଓ ୧୮ ନମ୍ବର ୱାର୍ଡ ମେମ୍ବରଙ୍କ ପ୍ରତିନିଧି ବଦ୍ରିନାରାୟଣ ସାହୁ ପ୍ରମୁଖ ଖୋର୍ଦ୍ଧା ମେନ୍ରୋଡସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ସ୍ୱର୍ଗତ ରାମ ଅବତାରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ତାଙ୍କ ବିୟୋଗରେ ଖୋର୍ଦ୍ଧା ସହର ଜଣେ ଅଭିଜ୍ଞ ସମାଜସେବୀ, ଜନସେବୀ ଓ ବ୍ୟବସାୟୀ ନେତାଙ୍କୁ ହରାଇଲା ବୋଲି ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ସାମ୍ବାଦିକ ଭବନ ପଛରେ ସରକାରୀ ଜମିରେ ରାତିଅଧିଆ ଖନନ ଅଭିଯୋଗ
ଜେସିବି ଲଗାଇ ଗାତ ଖୋଳା, ଗଛ ନଷ୍ଟ ଓ ମାଙ୍କଡ଼ା ପଥର ଭଙ୍ଗାକୁ ନେଇ ସାମ୍ବାଦିକ ମହଲରେ କ୍ଷୋଭ; ନିରପେକ୍ଷ ତଦନ୍ତ ଦାବି ଖୋର୍ଦ୍ଧା, ୨୧/୮: ଖୋର୍ଦ୍ଧା ସାମ୍ବାଦିକ ଭବନ ପଛପଟେ ଥିବା କଥିତ ସରକାରୀ ଜମିରେ ରାତିଅଧିଆ ଜେସିବି ଲଗାଇ ଗାତ ଖୋଳିବା, ସେଠାରେ ଥିବା ବିଭିନ୍ନ ଗଛ କାଟିବା ବା କ୍ଷତିଗ୍ରସ୍ତ କରିବା ଏବଂ ବହୁ ପରିମାଣର ମାଙ୍କଡ଼ା ପଥର ଭାଙ୍ଗିବା ଅଭିଯୋଗକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାସ୍ଥଳର ମାପଚୁପ କରି ଜମିର ପ୍ରକୃତ ସ୍ଥିତି ନିର୍ଦ୍ଧାରଣ ସହ ଖନନ ପାଇଁ ଅନୁମତି ଥିଲା କି ନାହିଁ, ତାହାର ନିରପେକ୍ଷ ତଦନ୍ତ କରିବାକୁ ସାମ୍ବାଦିକମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି। ସୂଚନାନୁଯାୟୀ, ଖୋର୍ଦ୍ଧାରେ ଏକ ସାମ୍ବାଦିକ ଭବନ ପ୍ରତିଷ୍ଠା କରିବା ନେଇ ସାମ୍ବାଦିକମାନେ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ଏହି ଦାବି ପରିପ୍ରେକ୍ଷୀରେ ତତ୍କାଳୀନ ଭୁବନେଶ୍ୱର ଲୋକସଭା ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ତତ୍କାଳୀନ ଓଡ଼ିଶା ସରକାରଙ୍କ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ଏବଂ ୧୦ ନମ୍ବର ୱାର୍ଡର କାଉନସିଲର ମଧୁସ୍ମିତା ପରିଡ଼ାଙ୍କ ଉପସ୍ଥିତିରେ ୨୦୧୩ ମସିହା ଅଗଷ୍ଟ ୭ ତାରିଖରେ ସାମ୍ବାଦିକ ଭବନର ଔପଚାରିକ ଉଦ୍ଘାଟନ ହୋଇଥିଲା। ସାମ୍ବାଦିକ ଭବନ ପ୍ରତିଷ୍ଠା ପରଠାରୁ ଏହା କେବଳ ସାମ୍ବାଦିକମାନଙ୍କ ବୈଠକସ୍ଥଳ ହୋଇ ରହିନାହିଁ। ବିଭିନ୍ନ ସାମାଜିକ, ଜନକଲ୍ୟାଣମୂଳକ ଓ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଏହା ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ହୋଇଛି। ପ୍ରତି ତିନି ମାସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ବୃକ୍ଷରୋପଣ, ଜଳଛତ୍ର, ସଡ଼କ ସୁରକ୍ଷା ସଚେତନତା ସପ୍ତାହ ସମେତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହୋଇଆସୁଛି। ଫଳରେ ସାମ୍ବାଦିକ ଭବନ କେବଳ ସାମ୍ବାଦିକମାନଙ୍କ ନୁହେଁ, ଜିଲ୍ଲାବାସୀ ଓ ପ୍ରଶାସନର ମଧ୍ୟ ଏକ ଆସ୍ଥାର କେନ୍ଦ୍ର ପାଲଟିଛି।ତେବେ ଏହି ଭବନର ପଛପଟେ ଥିବା ଜମିକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି। ସାମ୍ବାଦିକମାନଙ୍କ କହିବାନୁଯାୟୀ, ଉକ୍ତ ଅଞ୍ଚଳରେ ଆଗାମୀ ଦିନରେ ବ୍ୟାପକ ବୃକ୍ଷରୋପଣ କରାଯାଇ ଏହାକୁ ଏକ ସବୁଜ ପରିବେଶରେ ପରିଣତ କରିବାର ଯୋଜନା ରହିଥିଲା। ମାତ୍ର ଦୁଇ ଦିନ ତଳେ ରାତି ସମୟରେ ଏକ ଜେସିବି ମେସିନ୍ ଲଗାଇ ଉକ୍ତ ସ୍ଥାନରେ ଗାତ ଖୋଳାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ପେନସନର୍ସ ଆସୋସିଏସନ୍ ପକ୍ଷରୁ ଏହି ଖନନ କାର୍ଯ୍ୟ କରାଯାଇଥିବା କୁହାଯାଉଛି। ତେବେ ଏହି ଅଭିଯୋଗର ସତ୍ୟତା ଏବଂ ଖନନ ପାଇଁ କୌଣସି ସରକାରୀ ଅନୁମତି ନିଆଯାଇଥିଲା କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖନନ ସମୟରେ ସ୍ଥାନରେ ଥିବା ତାଳ, ଖଜୁରୀ, ଶାଗୁଆନ, ଶିଶୁ ଆଦି ବିଭିନ୍ନ ଗଛ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଥିବା ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। ଏଥିସହ ପ୍ରାୟ ୨୦୦ରୁ ଅଧିକ ମାଙ୍କଡ଼ା ପଥର ଭାଙ୍ଗି ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।ସରକାରୀ ଜମିରେ ଥିବା ଗଛଗୁଡ଼ିକ କେଉଁ ଅନୁମତି ବଳରେ କ୍ଷତିଗ୍ରସ୍ତ ହେଲା ଏବଂ ଜମିର ସ୍ୱରୂପ ପରିବର୍ତ୍ତନ ପାଇଁ କାହାର ଅନୁମୋଦନ ଥିଲା, ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବିଶେଷକରି ରାଜ୍ୟରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ସରକାରୀ ଜମିରେ ଥିବା ପୁରୁଣା ଗଛ ନଷ୍ଟ ହେବା ଘଟଣାର ତଦନ୍ତ ଆବଶ୍ୟକ ବୋଲି ସାମ୍ବାଦିକମାନେ କହିଛନ୍ତି। ଏହି ଘଟଣା ପରେ ସାମ୍ବାଦିକ ମହଲରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ସରକାରୀ ଜମିରେ ଖନନ, ନିର୍ମାଣ କିମ୍ବା ଜମିର ସ୍ୱରୂପରେ ପରିବର୍ତ୍ତନ ଭଳି କାର୍ଯ୍ୟ ପୂର୍ବରୁ ସମ୍ପୃକ୍ତ ବିଭାଗର ଅନୁମତି ନିଆଯାଇଥିଲା କି ନାହିଁ, ତାହା ଯାଞ୍ଚ କରାଯିବାକୁ ଦାବି ହୋଇଛି। ଯଦି ବିନା ଅନୁମତିରେ ଏଭଳି କାର୍ଯ୍ୟ ହୋଇଥାଏ, ତେବେ ଦାୟୀ ବ୍ୟକ୍ତି, ସଂସ୍ଥା କିମ୍ବା ସମ୍ପୃକ୍ତ ପକ୍ଷ ବିରୋଧରେ ଆଇନ ଅନୁଯାୟୀ ଉଚିତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସାମ୍ବାଦିକମାନେ ଦାବି କରିଛନ୍ତି। ସାମ୍ବାଦିକମାନଙ୍କ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ଖୋର୍ଦ୍ଧା ସହରରେ ଅତୀତରେ ବିଭିନ୍ନ ସଂଗଠନ ନାମରେ ସରକାରୀ ଜମିରେ ସାଂସଦ ଓ ବିଧାୟକଙ୍କ ଅନୁଦାନରେ କେତେକ ଗୃହ ନିର୍ମାଣ ହୋଇଥିବା ନଜିର ରହିଛି। ପରବର୍ତ୍ତୀ ସମୟରେ ସେଗୁଡ଼ିକ ମଧ୍ୟରୁ କେତେକ ବ୍ୟକ୍ତିଗତ ଦଖଲରେ ରହିଥିବା ନେଇ ଅଭିଯୋଗ ହୋଇଆସୁଛି। କେତେକ ଗୃହ ବର୍ତ୍ତମାନ ବ୍ୟବହାର ନହୋଇ ତାଲା ପଡ଼ିଥିବା ମଧ୍ୟ ଅଭିଯୋଗ ରହିଛି। ତେଣୁ ସରକାରୀ ଜମିର ବ୍ୟବହାର, ଦଖଲ ଓ ନିର୍ମାଣକୁ ନେଇ ଖୋର୍ଦ୍ଧା ସହରରେ ବ୍ୟାପକ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।ସାମ୍ବାଦିକ ଭବନ ପଛପଟ ଜମିକୁ ନେଇ ଉଠିଥିବା ଅଭିଯୋଗର ନିରାକରଣ ପାଇଁ ଘଟଣାସ୍ଥଳର ତୁରନ୍ତ ସରକାରୀ ମାପଚୁପ କରାଯାଇ ଜମିର ଖାତା, ପ୍ଲଟ୍ ଓ କିସମ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ସାର୍ବଜନୀନ କରିବାକୁ ଦାବି ହୋଇଛି। ଏଥିସହ ଜେସିବି ଦ୍ୱାରା ଖନନ ପାଇଁ ଅନୁମତି ଥିଲା କି ନାହିଁ, ନଷ୍ଟ କିମ୍ବା କ୍ଷତିଗ୍ରସ୍ତ ହୋଇଥିବା ଗଛର ସଂଖ୍ୟା, ଭଙ୍ଗାଯାଇଥିବା ମାଙ୍କଡ଼ା ପଥରର ପରିମାଣ ଏବଂ ଘଟଣାରେ କାହାର ଭୂମିକା ରହିଛି, ତାହା ତଦନ୍ତ କରିବାକୁ ମଧ୍ୟ ଦାବି ହୋଇଛି।ସରକାରୀ ସମ୍ପତ୍ତିର ସୁରକ୍ଷା ଓ ସରକାରୀ ଜମିରେ ଅନଧିକୃତ ଦଖଲ, ଖନନ କିମ୍ବା ନିର୍ମାଣକୁ ରୋକିବା ପ୍ରଶାସନର ଦାୟିତ୍ୱ। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଘଟଣାସ୍ଥଳ ପରିଦର୍ଶନ, ମାପଚୁପ ଓ ଆବଶ୍ୟକ ଦସ୍ତାବିଜ ଯାଞ୍ଚ କରୁ ବୋଲି ସାମ୍ବାଦିକ ମହଲରୁ ଦାବି ହୋଇଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଜମିରେ ଆଉ କୌଣସି ଖନନ କିମ୍ବା ନିର୍ମାଣ କାର୍ଯ୍ୟ ନକରିବା ସହ ସରକାରୀ ଜମି ଓ ସେଠାରେ ଥିବା ବୃକ୍ଷର ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ଦାବି ହୋଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜିଲ୍ଲା ସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ l
ଖୋରଧା ତା 21.08.2026 ରିଖ: ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଙ୍କଟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଅତିରିକ୍ତ ଉପାୟୁକ୍ତ ଭୁବନେଶ୍ୱର କମିଶନରେଟ ପୋଲିସ୍ ଶ୍ରୀ ସୁନାରାମ ହେମ୍ବ୍ରମ୍, ଉପ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପୀୟ ଅବନିକାନ୍ତ ନାୟକ, ସହକାରୀ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପୀୟ ଚନ୍ଦ୍ରକାନ୍ତ ଦଳାଇ, ଡେପୁଟୀ କଲେକ୍ଟର, ଜରୁରୀ, ଶ୍ରୀତପା ମିଶ୍ର ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ପ୍ରତ୍ୟେକ କାରଖାନା, ଚିକିତ୍ସାଳୟ, ବିଦ୍ୟାଳୟ ମାନଙ୍କରେ ଯେଭଳି ଅଗ୍ନି ନିର୍ବାପକ ଯନ୍ତ୍ର ନିଶ୍ଚିତ ଭାବରେ ମହଜୁଦ ଥାଏ ସେଥି ପ୍ରତି ଅଗ୍ନିଶମ ଅଧିକାରୀ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ l ସେହିପରି ଅଧ୍ୟକ୍ଷ ଖୋରଧା ଜିଲ୍ଲା ରେ ଥିବା ମୋଟ ଛୋଟ ମୋଟ ୮୫୫ ଶିଳ୍ପ କାରଖାନାର ସଙ୍କଟ ଜନିତ ପରିଚାଳନା ସମୀକ୍ଷା କରି ଉପଖଣ୍ଡ ସ୍ତରୀୟ ସଙ୍କଟ ପରିଚାଳନା କମିଟି ଆୟୋଜନ କରିବାକୁ ଉପ ନିର୍ଦ୍ଦେଶକ କାରଖାନା ଓ ବାଷ୍ପୀୟ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଖୋରଧା ଜାତୀୟ ମାର୍ଗ ଦେଇ ପରିବହନ କରୁଥିବା ଗ୍ୟାସ ଜାନଗୁଡ଼ିକରେ ସୁରକ୍ଷା ବିଧେୟ ସୂଚନା ଲେଖିବା ଉପରେ ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ l ଭାରତୀୟ ତୈଳ ନିଗମ, ରନ୍ଧନ ଗ୍ୟାସ କାରଖାନା, ଭୁବନେଶ୍ୱର, ଜଳ ନିଗମ , ଭୁବନେଶ୍ୱର ର ଜଳ ବିଶୁଧିକରଣ ପ୍ଲାଣ୍ଟ, ଭାରତୀୟ ଗ୍ୟାସ କର୍ତ୍ତୃପକ୍ଷ (ଗେଲ ଇଣ୍ଡିଆ) ଲିମିଟେଡ, ଭୁବନେଶ୍ୱର, ଓଡ଼ିଶା ପରିମଳ ବିଶୁଦ୍ଧି କରଣ ପ୍ଲାଣ୍ଟ, ସାବ୍ରୀ ଖାଦ୍ୟ ଉତ୍ପାଦନ କାରଖାନା, ଭାରତୀୟ ତୈଳ ନିଗମ ପାଇପ୍ ଲାଇନ୍ ଡିଭିଜନ, ଜଟଣୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅପତ୍ତ କାଳୀନ ସମୟରେ ସୁରକ୍ଷା ନିମନ୍ତେ ମକ୍ ଡ୍ରିଲ ଓ ଗୋଷ୍ଠିଗତ ସଚେତନତା ଅଭିଯାନ ଉପରେ ଅଧ୍ୟକ୍ଷ ସମୀକ୍ଷା କରିଥିଲେ l ବୈଠକରେ ସମ୍ରୁକ୍ତ ବିଭାଗୀୟ ବରିଷ୍ଠ ଅଧିକାରୀ ଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗ ଦେଇଥିଲେ l ଶେଷରେ ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜଳବନ୍ଦୀ ପରିବାରଙ୍କୁ ରିଲିଫ୍ ସାମଗ୍ରୀ, ଗୋଖାଦ୍ୟ ଓ ଶିଶୁ ଖାଦ୍ୟ ବଣ୍ଟନ
ବନ୍ୟା ଦୁର୍ଗତଙ୍କ ପାଖରେ ସମାଜସେବୀଙ୍କ ମାନବିକତା ବିଂଝାରପୁର, ୨୨/୦୮: ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଇଚ୍ଛାପୁର, ଜରି ଓ କଲ୍ୟାଣପୁର ଅଞ୍ଚଳରେ ବନ୍ୟାଜଳ ଘେରରେ ରହୁଥିବା ପରିବାରଙ୍କ ପାଖରେ ପହଞ୍ଚିଛି ସମାଜସେବୀଙ୍କ ସହାୟତାର ହାତ। ବିପଦ ସମୟରେ ଜଳବନ୍ଦୀ ଲୋକଙ୍କ ଦୁଃଖରେ ସାମିଲ ହୋଇ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି ସମାଜସେବୀମାନେ। ମଲିଆ ଦାଣ୍ଡିସାହି ନିବାସୀ ବିଶିଷ୍ଟ ସମାଜସେବୀ ତଥା ପିପୂଲ୍ସ କେୟାର ଫାଉଣ୍ଡେସନର ଚେୟାରମ୍ୟାନ୍ ସୁଶାନ୍ତ ଜେନା ଏବଂ ଖରସ୍ରୋତା ପୁସ୍ତକ କମିଟିର ଅଧ୍ୟକ୍ଷ ତଥା ରଜମହୋତ୍ସବର ଉଦ୍ୟୋକ୍ତା ପଦ୍ମାକର ଗୁରୁଙ୍କ ମିଳିତ ଉଦ୍ୟମରେ ଏହି ସହାୟତା ପ୍ରଦାନ କରାଯାଇଥିଲା। ନିଜସ୍ୱ ଉଦ୍ୟମରେ ସେମାନେ ବନ୍ୟାପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜଳବନ୍ଦୀ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ସହିତ ଗୋଖାଦ୍ୟ ଓ ଶିଶୁ ଖାଦ୍ୟ ବଣ୍ଟନ କରିଥିଲେ। ଏଥିସହ ଦୁର୍ଗତ ପରିବାରଗୁଡ଼ିକର ସୁଖଦୁଃଖ ବୁଝିବା ସହ ବନ୍ୟା ପରିସ୍ଥିତି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବନ୍ୟା ଭଳି ଦୁର୍ବିପାକ ସମୟରେ ସମାଜର ସକ୍ଷମ ବ୍ୟକ୍ତିମାନେ ଆଗେଇ ଆସି ଅସହାୟଙ୍କୁ ସହାୟତାର ହାତ ବଢ଼ାଇବା ଆବଶ୍ୟକ ବୋଲି ସମାଜସେବୀମାନେ ମତ ଦେଇଥିଲେ। “ଥିଲାବାଲା ଦିଅନ୍ତୁ, ନଥିବା ଲୋକ ନିଅନ୍ତୁ”—ଏହି ମାନବିକ ବାର୍ତ୍ତା ନେଇ ସେମାନେ ବନ୍ୟା ଦୁର୍ଗତଙ୍କ ପାଖରେ ଛିଡ଼ା ହୋଇଥିଲେ। ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ବିପଦ ସମୟରେ ଅସହାୟ ପରିବାରଙ୍କ ନିକଟରେ ସହାୟତା ପହଞ୍ଚାଇବା ମାନବିକତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି ମତ ପ୍ରକାଶ ପାଇଛି।
Jajpur (ଯାଜପୁର) • ଯାଜପୁର, ବିଂଝାରପୁରରୁ ଉଦୟନାଥ ଜେନାଙ୍କ ରିପୋର୍ଟ

ବନ୍ୟା ଦୁର୍ଗତଙ୍କ ପାଖରେ କଂଗ୍ରେସ ଓ ଶ୍ରମିକ ସଂଘ: ଦଶରଥପୁରର ବିଭିନ୍ନ ବନ୍ୟାଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି
ଯାଜପୁର, ୨୨/୦୮: ବୈତରଣୀ ଓ କାଣୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ବନ୍ୟା ଦୁର୍ଗତଙ୍କ ପାଖରେ ପହଞ୍ଚିଛି କଂଗ୍ରେସ ଓ ରାଜ୍ୟ କୃଷି ଓ ଗ୍ରାମ୍ୟ କୋଠାବାଡ଼ି ଶ୍ରମିକ ସଂଘ। INTUC ରାଜ୍ୟ ଶାଖା ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ ଓ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ମିଳିତ ଭାବେ ବନ୍ୟାପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ ସହ ଦୁର୍ଗତଙ୍କ ସମସ୍ୟା ନେଇ ଆଲୋଚନା କରାଯାଇଛି। ଦଶରଥପୁର ବ୍ଲକର ଯାଇନ୍ତିରା, ଧୋବାବିଲ, ତରପଦା, ଗଣ୍ଡକୁଳ, ଛାଞ୍ଚିଣା, ମାଲିକାପୁର, ଦୁଦୁରାଅଣ୍ଟା, ମଙ୍ଗଳପୁର ଓ ଶୁଶୁଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରତିନିଧି ଦଳ ପହଞ୍ଚି ବନ୍ୟା ଦୁର୍ଗତଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ବନ୍ୟା ପରବର୍ତ୍ତୀ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ପ୍ରତିନିଧି ଦଳ ଦଶରଥପୁର ବିଡିଓଙ୍କୁ ଭେଟି ବନ୍ୟାଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ବନ୍ୟା ପ୍ରଭାବିତଙ୍କ ପାଇଁ ଚାଲୁଥିବା ଫ୍ରି କିଚେନ୍ର ଅବଧି ଆଉ ୭ ଦିନ ବୃଦ୍ଧି, କାଣୀ ନଦୀର ପାଟଣା ନିକଟରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ବନ୍ଧ କରିବା ଏବଂ ଘରଭଙ୍ଗା ଓ କୃଷି କ୍ଷୟକ୍ଷତିର ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଥିଲା। ଏଥିସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା, ଭାଙ୍ଗିଯାଇଥିବା ଘର ପାଇଁ ଗୃହ ସହାୟତା, ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଣ, କୃଷି ଓ କୋଠାବାଡ଼ି ଶ୍ରମିକଙ୍କ ପାଇଁ କାମ ସୃଷ୍ଟି ଏବଂ ବନ୍ୟା ପରେ ସମ୍ଭାବ୍ୟ ଥଣ୍ଡା, କାଶ ଓ ଚର୍ମରୋଗ ପ୍ରତିରୋଧ ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ, ରାଜ୍ୟ ଆବାହକ ହରଣ ମଣ୍ଡଳ, ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାଗର ପରିଡ଼ା, ରାଜ୍ୟ ଉପସଭାପତି ନୀଳମାଧବ ପାତ୍ର, ସାଧାରଣ ସମ୍ପାଦକ କୁମାର ଜାଲିଆ, ସ୍ଥାନୀୟ ନେତା ଦେବାନନ୍ଦ ପତି ଓ ଅନୁପମ ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଯାଜପୁର ବ୍ଲକର ଘାଇ ପ୍ରଭାବିତ ଏରବାଙ୍କ ପଞ୍ଚାୟତରେ ମଧ୍ୟ ବନ୍ୟା ଦୁର୍ଗତଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା। ଜିଲ୍ଲା କଂଗ୍ରେସ ଉପସଭାପତି ବିଭୁତି ଭୂଷଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ସହାୟତା ପହଞ୍ଚାଇ ଦିଆଯାଇଥିଲା। ରାଧାଶ୍ୟାମ ପତି, ବାବୁଲି ପରିଡ଼ା, ରମାକାନ୍ତ ଦାସ, ଚଗୁଲୁ ଜେନା, ଶେଖର ସମ୍ବିତ ଧଳ, ନନ୍ଦ କିଶୋର ଦାସ ଓ ଅକ୍ଷୟ ସାହୁଙ୍କ ସମେତ ରାଜ୍ୟ କୃଷି ଓ ଗ୍ରାମ୍ୟ କୋଠାବାଡ଼ି ଶ୍ରମିକ ସଂଘର ପ୍ରସଂଜିତ ସମଦାର, ମୁକେଶ ମଣ୍ଡଳ, ବିଶ୍ୱଜିତ ହଳଦାର ଓ ସିବେନ୍ଦ୍ର ମଜୁମଦାର ପ୍ରମୁଖ ସହଯୋଗ କରିଥିଲେ। ମାଲକାନଗିରିରୁ ଆସି ବନ୍ୟାପ୍ରଭାବିତ ଯାଜପୁର ଓ ଦଶରଥପୁର ଅଞ୍ଚଳରେ ସେବା ଯୋଗାଇଥିବା ସମସ୍ତ ସହଯୋଗୀଙ୍କୁ କଂଗ୍ରେସ ନେତା ସନ୍ତୋଷ ନନ୍ଦ କୃତଜ୍ଞତା ଜଣାଇଥିଲେ। ଏଥିସହ ଦୁର୍ଗତଙ୍କ ପାଇଁ ନିରନ୍ତର ସହାୟତା ଓ ପ୍ରଶାସନିକ ପଦକ୍ଷେପ ଜାରି ରଖିବାକୁ ସେ ଦାବି କରିଥିଲେ।
Jajpur (ଯାଜପୁର) • ଅନିଲ କୁମାର ଜେନା

ମହାନଦୀ ସେତୁରୁ ଡେଇଁ ପଡ଼ିଥିବା ବୃଦ୍ଧ ଜୀବୀତ ଉଦ୍ଧାର | ଉଦ୍ଧାର କରିଥିବା ଯୁବକଙ୍କୁ ସମ୍ମାନୀତ କଲେ ଥାନା ଅଧିକାରୀ
ଜଗତପୁର: ମହାନଦୀ ସେତୁ ଉପରୁ ଡେଇଁ ପଡିଥିବା ଜଣେ ବୃଦ୍ଧଙ୍କୁ ଜଗତପୁର ସୁନାରୀ ବଣ ପାର୍ଶ୍ଵ ମହାନଦୀର ପ୍ରଖର ସ୍ରୋତରୁ ଜୀବୀତ ଉଦ୍ଧାର କଲେ ସ୍ଥାନୀୟ ଯୁବକ ସନାତନ ପାଳିଆ । ଉଦ୍ଧାର ବୃଦ୍ଧ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ହଳଦୀ ବସ୍ତାର ପ୍ରତାପ ଚନ୍ଦ୍ର ସାମଲ ( ୭୨) । ସାହସିକତାର ସହ ମହାନଦୀର ପ୍ରଖର ସ୍ରୋତରୁ ଉଦ୍ଧାର କରିଥିବା ଯୁବକଙ୍କୁ ଜଗତପୁର ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାସମଲ ସମ୍ମାନୀତ କରିଛନ୍ତି । ସୂଚନା ଯୋଗ୍ୟ, ଯାଜପୁର ଅଞ୍ଚଳର ବୃଦ୍ଧ ପ୍ରତାପ ଭୁବନେଶ୍ଵର ତମାଣ୍ଡୋରେ ରହୁଥିଲେ । କିଛି ଦିନ ପୂର୍ବେ ତାଙ୍କ ମାଙ୍କ ଦେହାନ୍ତ ହୋଇ ଯାଇଥିଲା ।ସେହିଦିନ ଠାରୁ ପ୍ରତାପ ମାନସିକ ଚିନ୍ତାରେ ରହୁଥିଲେ । ଶୁକ୍ରବାର ସକାଳେ ପ୍ରତାପ ଜଗତପୁର ପାର୍ଶ୍ଵ ମହାନଦୀ ସେତୁ ଉପରୁ ଡେଇଁ ପଡିଥିଲେ । ପ୍ରତାପ ମହାନଦୀର ଭରା ପାଣି ଓ ପ୍ରଖର ସ୍ରୋତରେ ଭାସି ଭାସି ପ୍ରାୟ ୩ କିଲୋ ମିଟର ଦୂର ସୁନୀରୀ ବଣ ପର୍ଯ୍ୟନ୍ତ ଚାଲିଯାଇଥିଲେ | ସେହି ଗ୍ରାମର ଜଣେ ୨୬ ବର୍ଷୀୟ ଯୁବକ ସନାତନ ପାଳିଆ ସାହସିକତା ଦେଖାଇ ନିଜ ଜୀବନକୁ ବାଜି ଲଗାଇ ପ୍ରଖର ସ୍ରୋତରୁ ବୁଦ୍ଧଙ୍କୁ ଉଦ୍ଧାର କରିଥିଲେ । ସାହସିକତାର ସହ କୃଦ୍ଧଙ୍କୁ ଉଦ୍ଧାର କରିଥିବାରୁ ଜଗତପୁର ଥାନା ଅଧିକାରୀ ଶ୍ରୀ ସାସମଲ ସନାତନଙ୍କୁ ସମ୍ମାନୀତ କରିଥିଲେ । ଉଦ୍ଧାର ବୃଦ୍ଧଙ୍କୁ ତାଙ୍କ ପରିବାର ଲୋକଙ୍କୁ ଜିମା ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ଦିଆ ଯାଇଛି ।
Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ପ୍ରତି ପଞ୍ଚାୟତରେ ଫିଜିଓ ଥେରାପୀ ଚିକିତ୍ସା କେନ୍ଦ୍ର କରିବାକୁ ଦାବି
ଭୁବନ ୨୧.୮- ୨୦୨୭ ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ କ୍ଷମତାସୀନ ବିଜେପି ସରକାର ଅଣ୍ଟା ଭିଡିଛି। ଗ୍ରାମ ପଞ୍ଚାୟତ ଗୁଡିକୁ ସମୃଦ୍ଧ କରିବାକୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗ୍ରାମ ସମ୍ପଦ ଓ ଗ୍ରାମାଞ୍ଚଳର ବିକାଶ ପାଇଁ ସ୍ଥାୟୀ ସମ୍ପଦ ର ସବୁଜ ,ସୁରକ୍ଷିତ ଏବଂ ସୁଗମ ମଡେଲ କାର୍ଯ୍ୟକାରୀ ହେବ । ଏଥି ନିମନ୍ତେ ପ୍ରତି ପଞ୍ଚାୟତକୁ ୧.୫ କୋଟିରୁ ୩ କୋଟି ଟଙ୍କା ପ୍ରଦାନ କରାଯାଇ ଗ୍ରାମ ସଭା ଜରିଆରେ ପ୍ରତି ପଞ୍ଚାୟତରେ ୭୫ ଲକ୍ଷ ଟଙ୍କା ବ୍ୟୟରେ ଆଦର୍ଶ ଖେଳ ପଡ଼ିଆ ଓ ଯୁବକ ମାନଙ୍କ ପାଇଁ ଜିମ୍ ନିର୍ମାଣ ହେବ,୪୯ ଲକ୍ଷ ଟଙ୍କାରେ ଆଦର୍ଶ କଲ୍ୟାଣ ମଣ୍ଡପ,୩୪ ଲକ୍ଷ ଟଙ୍କାରେ ଆଦର୍ଶ ପୋଖରୀ,୨୨ ଲକ୍ଷ ଟଙ୍କା ରେ ଶ୍ମଶାନ ,୨୦ ଲକ୍ଷ ଟଙ୍କା ରେ ଗ୍ରାମୀଣ ପାର୍କ ନିର୍ମାଣ କରାଯିବା ସହିତ ପ୍ରତି ପଞ୍ଚାୟତରେ ୭୦୦ ବୃକ୍ଷ ରୋପଣ କରାଯାଇ ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିବା ସହ ଗ୍ରାମାଞ୍ଚଳ ଲୋକ ମାନଙ୍କୁ ସହର ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଘୋଷଣା କରିଛନ୍ତି । ବର୍ତ୍ତମାନ ପ୍ରତି ଘରେ ଘରେ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଲୋକମାନେ ମଧୁମେହ,ଉଚ୍ଚ ରକ୍ତଚାପ , ଗ୍ୟାଷ୍ଟ୍ରିକ ସହିତ ବିଭିନ୍ନ ପ୍ରକାରର ରୋଗ ରେ ପୀଡିତ ହେଉଛନ୍ତି । ଏଥିପାଇଁ ସରକାର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ଫିଜିଓ ଥେରାପୀ ସେଣ୍ଟର ପ୍ରତିଷ୍ଠା କରି ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଜଣେ ଲେଖାଏଁ ଟେକ୍ନିସିଆନ ନିଯୁକ୍ତି ଦେବାକୁ ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ବରିଷ୍ଠ ନେତା,ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ନଟବର ସାହୁ ଦାବି କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ,ସରକାର ଗ୍ରାମାଞ୍ଚଳ ବିକାଶ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ । ତା ସହିତ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେଇ ପ୍ରତି ପଞ୍ଚାୟତରେ ଫିଜିଓ ଥେରାପୀ ସେଣ୍ଟର ପ୍ରତିଷ୍ଠା କଲେ ରୋଗୀ ମାନେ ଗାଁ ରେ ସୁବିଧା ରେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ଓ ଟେକ୍ନିସିଆନ ନିଯୁକ୍ତି ଦ୍ୱାରା ଅନେକାଂଶରେ ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି ଦର୍ଶାଇଛନ୍ତି । ଏହା ପୂର୍ବରୁ ବିଗତ ସରକାର ସମୟରେ ପ୍ରତି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ ଙ୍କ ପାଇଁ ବୈଠକଖାନା କରିବା ଓ ଲୋକଙ୍କ ଦ୍ୱାରା ସିଧା ସଳଖ ନିର୍ବାଚିତ ହେଉଥିବା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବ୍ୟବସ୍ଥା ଉଠାଇ ଦେବାକୁ ଦୃଢ଼ ଦାବି କରି ଶ୍ରୀଯୁକ୍ତ ସାହୁ ବେଶ୍ ଚର୍ଚ୍ଚାରେ ରହିଥିଲେ ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ପୁରୁଣାକୋଟ ହାଇସ୍କୁଲରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ପୁରୁଣାକୋଟ: ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା, ଅନଲାଇନ୍ ଠକେଇରୁ ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ଡିଜିଟାଲ୍ ଅଭ୍ୟାସ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ପୁରୁଣାକୋଟ ହାଇସ୍କୁଲ ପରିସରରେ ଏକ ସାଇବର ସୁରକ୍ଷା ସଚେତନତା ଅଧିବେଶନ ଆୟୋଜିତ ହୋଇଥିଲା। ପୁରୁଣାକୋଟ ଥାନାର ଆଇଆଇସି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ସାଇବର ଅପରାଧ ନିବାରଣ, ଅନଲାଇନ୍ ସୁରକ୍ଷା ଏବଂ ଡିଜିଟାଲ୍ ପ୍ଲାଟଫର୍ମର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷକରି ଅଜଣା ଲିଙ୍କରେ କ୍ଲିକ୍ ନକରିବା, ବ୍ୟକ୍ତିଗତ ତଥ୍ୟ ଓ ପାସୱାର୍ଡ କାହା ସହ ଶେୟାର ନକରିବା ସହ ସୋସିଆଲ୍ ମିଡିଆର ସୁରକ୍ଷିତ ବ୍ୟବହାର ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ସାଇବର ଅପରାଧରୁ ସୁରକ୍ଷିତ ରହିବା ପାଇଁ ସତର୍କତା ଓ ସଚେତନତା ହିଁ ପ୍ରମୁଖ ଉପାୟ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଦୁଃଖର ସମୟରେ ଚୁଲବୁଲି ପଳେଇଙ୍କ ପରିବାର ପାଖରେ ଲୁଲୁ ସେନା
ଅନୁଗୋଳ: ଶଙ୍ଖପୁର ପଞ୍ଚାୟତର ଅର୍ଜୁନ ପଳେଇଙ୍କ ଝିଅ ଚୁଲବୁଲି ପଳେଇଙ୍କ ଅକାଳ ବିୟୋଗରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖଦ ସମୟରେ ଲୁଲୁ ସେନା ପକ୍ଷରୁ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସାମର୍ଥ୍ୟ ଅନୁଯାୟୀ ସହାୟତା ପ୍ରଦାନ କରାଯାଇଛି। ଶଙ୍ଖପୁର ଲୁଲୁ ସେନାର ସଭାପତି ଶ୍ରୀ ମହେଶ ସାହୁଙ୍କ ଉପସ୍ଥିତିରେ ଏହି ସହାୟତା ପରିବାରକୁ ପ୍ରଦାନ କରାଯାଇଥିଲା। ଦୁଃଖର ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ମାନବିକତା ବୋଲି ଲୁଲୁ ସେନା ପକ୍ଷରୁ କୁହାଯାଇଛି। ଲୋକଙ୍କ ସୁଖ ଓ ଦୁଃଖରେ ସାଥୀ ହୋଇ ରହିବା ସହ ସମାଜସେବା ଜାରି ରଖିବାକୁ ଲୁଲୁ ସେନା ପକ୍ଷରୁ ପ୍ରତିବଦ୍ଧତା ପ୍ରକାଶ କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୭.୦୯୮ କେଜି ବଜ୍ରକପ୍ଟା ଜବତ, ୩ ଗିରଫ: ଓଡ଼ିଶା–ଛତିଶଗଡ଼ ସୀମାରେ ଚୋରାଚାଲାଣ ଅଭିଯୋଗ; ତଦନ୍ତ ଜାରି
ଖଡ଼ିଆଳ, ୨୧/୦୮: ବନ୍ୟଜନ୍ତୁ ଚୋରାଚାଲାଣ ବିରୋଧରେ ଖଡ଼ିଆଳ ବନଖଣ୍ଡ ବିଭାଗକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବନ ବିଭାଗ ଚଢ଼ାଉ କରି ୭.୦୯୮ କେଜି ବଜ୍ରକପ୍ଟା (Pangolin Scale) ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ବନ ବିଭାଗର ସୂଚନା ଅନୁଯାୟୀ, ଜବତ ବଜ୍ରକପ୍ଟାକୁ ଖଡ଼ିଆଳ ଅଞ୍ଚଳର ପଲମା-ଝରନାଲା ସରକାରୀ ପମ୍ପ ହାଉସ ନିକଟରେ ରଖାଯାଇଥିବା ବେଳେ ବନ ବିଭାଗର ଟିମ୍ ଚଢ଼ାଉ କରି ଏହାକୁ ଉଦ୍ଧାର କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଖଡ଼ିଆଳ ରାଣୀମୁଣ୍ଡାର ବାଲକୃଷ୍ଣ ହାତୀ (୩୦), ସୋନୁ ହାତୀ (୪୦) ଏବଂ ଛତିଶଗଡ଼ର ଗରିଆବନ୍ଦ ଜିଲ୍ଲା ପିଠାପଡ଼ା ଅଞ୍ଚଳର ରୋଶନ ଠାକୁର (୩୧)। ଏହି ତିନି ଜଣ ମିଳିତ ଭାବେ ଓଡ଼ିଶା–ଛତିଶଗଡ଼ ସୀମା ଅଞ୍ଚଳରେ ବଜ୍ରକପ୍ଟା ଚୋରାଚାଲାଣ କରୁଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ରାଜେଶ ହରିଜନଙ୍କ ନେତୃତ୍ୱରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୭.୦୯୮ କେଜି ଓଜନର ବଜ୍ରକପ୍ଟା ଜବତ ହୋଇଥିଲା। ଜବତ ବଜ୍ରକପ୍ଟାର ଆନ୍ତର୍ଜାତିକ ବଜାରରେ ଲକ୍ଷାଧିକ ଟଙ୍କା ମୂଲ୍ୟ ଥିବା ଅନୁମାନ କରାଯାଉଛି। ଗିରଫ ତିନି ଅଭିଯୁକ୍ତଙ୍କୁ ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ କରାଯାଇଛି। ଏହି ଚୋରାଚାଲାଣ ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଏହା ପଛରେ କୌଣସି ବଡ଼ ରାକେଟ୍ କାର୍ଯ୍ୟ କରୁଛି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ

7.098 Kg Pangolin Scales Seized, Three Arrested: Forest Department Cracks Down on Wildlife Smuggling Along Odisha–Chhattisgarh Border
Khariar, August 21: The Khariar Forest Division has achieved a major breakthrough in its ongoing crackdown on wildlife trafficking. Acting on reliable information, the Forest Department conducted a raid and seized 7.098 kg of pangolin scales, while arresting three persons allegedly involved in the illegal trade. According to Forest Department sources, the seized pangolin scales had been kept near a government pump house in the Palama-Jharanala area of Khariar. Acting on a tip-off, a Forest Department team raided the location and recovered the scales. The arrested persons have been identified as Balakrishna Hati (30) and Sonu Hati (40), both residents of Ranimunda under Khariar, and Roshan Thakur (31) of Pithapada in Gariaband district of Chhattisgarh. The three accused were allegedly involved in the illegal transportation of pangolin scales along the Odisha–Chhattisgarh border. Following credible information, a special team led by Forester Rajesh Harijan, under the direction of the Khariar Forest Division authorities, conducted the raid and successfully apprehended the accused. The seized pangolin scales weigh 7.098 kg and are suspected to have a value of several lakhs of rupees in the international illegal wildlife market. Following their arrest, all three accused were produced before the court. The Forest Department has launched a further investigation to determine whether more people are involved in the wildlife trafficking network and to identify the possible links behind the illegal trade. The seizure is being seen as a significant achievement for the Khariar Forest Division in its efforts to curb the illegal trafficking of protected wildlife and wildlife products.
Nuapada (ନୂଆପଡ଼ା) • Report: Malaya Meher

କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା (ନିବାରଣ, ପ୍ରତିଷେଧ ଏବଂ ପ୍ରତିକାର)ଅଧି ନିୟମ ୨୦୧୩ ଜିଲ୍ଲା ସ୍ତରୀୟ କର୍ମଶାଳା l
ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା (ନିବାରଣ, ପ୍ରତିଷେଧ ଏବଂ ପ୍ରତିକାର) ଅଧି ନିୟମ ୨୦୧୩ ଜନିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି l ଉକ୍ତ କର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଅତିଥି ବିଷୟ ବିଶେଷଜ୍ଞ ଶ୍ରୀମତୀ କସ୍ତୁରୀ ମହାପାତ୍ର, ଆଭ୍ୟନ୍ତରୀଣ କମିଟି ଅଧ୍ୟକ୍ଷା ନିବେଦିତା ପରିଡ଼ା, ଆଞ୍ଚଳିକ କମିଟି ଅଧ୍ୟକ୍ଷା ମଞ୍ଜୁ ପ୍ରଭା ଧଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟ କ୍ଷେତ୍ରରେ ମହିଳା ମାନଙ୍କ ଯୌନ ନିର୍ଯ୍ୟାତନା ନିବାରଣ ପ୍ରତିଷେଧ ଏବଂ ଆଭ୍ୟନ୍ତରୀଣ କମିଟି ଓ ଆଞ୍ଚଳିକ କମିଟିର କାର୍ଯ୍ୟଧାରା ସମ୍ପର୍କରେ ବିଶଦ ଭାବେ ତାଲିମ୍ ପ୍ରଦାନ କରିଥିଲେ l ବୈଠକରେ ଅଧ୍ୟକ୍ଷ ଏଭଳି ଅଭିଯୋଗ ଗୁଡିକର ଚିହ୍ନଟ, ଯାଞ୍ଚ,ଶୁଣାଣି ଓ ସମାଧାନ ଓଡ଼ିଶା ସରକାର ଙ୍କ ସେବା ଅଧିନିୟମ ଓ ସାମ୍ବିଧାନିକ ସେବା ୨୦୧୩ ଅଧିନିୟମ ଅନୁଯାୟୀ ସମାଧାନ ଦିଗରେ ଗୁରୁତ୍ୱାରୋପ କରିଥିଲେ l ପ୍ରତ୍ୟେକ ମଣିଷ ଆତ୍ମ ସମ୍ମାନର ସହ ବଞ୍ଚିବାର ସାମ୍ବିଧାନିକ ଅଧିକାର ପ୍ରଦାନ କରିଛି l ସମୟ ସହିତ ଆମେ ସମସ୍ତେ ଚାଲିବା ସହ ଆଇନକୁ ମାନିବା ଆମ ସମସ୍ତଙ୍କ ଦାୟିତ୍ଵ ସହ ମୋ ଘର ଯେମିତି ସେମିତି ମୋ ଅଫିସକୁ ମଧ୍ୟ ସମ୍ମାନ ଦେଇ ସେବାକରିବା ଆମ ସମସ୍ତଙ୍କ ପ୍ରମୁଖ ଦାୟିତ୍ଵ ବୋଲି ଅତିଥି ବିଶେଷଜ୍ଞ କସ୍ତୁରୀ ମହାପାତ୍ର ପ୍ରକାଶ କରିଥିଲେ l ଏଥି ସହ ପ୍ରତ୍ୟେକ କାର୍ଯ୍ୟାଳୟ ମହିଳା ମାନଙ୍କ ସୁରକ୍ଷା ପାଇଁ ନିଜ କାର୍ଯ୍ୟାଳୟରେ କମିଟି ଗଠନ କରିବା, ଏଭଳି ସ୍ପର୍ଶ କାତର ଅଭିଯୋଗ ଆସିଲେ ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ନିର୍ଦ୍ଦେଶ ଦେଇଥିଲେ l ବିଷୟ ବିଶାରଦ ମାନେ ଅଧିନିୟମ ୨୦୧୩ ର ବିଭିନ୍ନ ଦିଗ ଉପରେ ଆଭ୍ୟନ୍ତରୀଣ କମିଟି, ଆଞ୍ଚଳିକ କମିଟି,ପୁଲିସ ସେବା, ଜିଲ୍ଲା ପ୍ରଶାସନ ସେବା ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ତାଲିମ୍ ପ୍ରଦାନ କରିବା ସହ ଅଧିକାରୀ ମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ପ୍ରଦାନ କରିଥିଲେ l ବୈଠକରେ ଡେପୁଟୀ କଲେକ୍ଟର, ସଂଗ୍ରାମ ଜେନା, ଅନନ୍ୟା ସୃଷ୍ଟି ଶତପଥୀ, ଶ୍ରିତପା ମିଶ୍ର, ସାରା ମଲ୍ଲିକ, ସୌମ୍ୟା ସାଗାରିକା ସ୍ୱାଇଁ, ଆସିଷ୍ଟାଣ୍ଟ କଲେକ୍ଟର ଭୁବନେଶ୍ଵରୀ କଅଁର, ଇପ୍ସିତା ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ l ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ସୌଦାମିନୀ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ l
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା
