Web News

ଜରାଜୀର୍ଣ୍ଣ ଘରେ ଦୁଇ ପରିବାର, ଆବାସ ଯୋଜନାରେ ଘର ଯୋଗାଇବାକୁ ଦାବି
ପାଲଲହଡ଼ା: ପାଲଲହଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରବେଡ଼ା ପଞ୍ଚାୟତର ଝରାଲୋ (ମୁଣ୍ଡା ସାହି) ଗ୍ରାମରେ ଜରାଜୀର୍ଣ୍ଣ ଘରେ ଦୁଇଟି ପରିବାର ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ଜଣାପଡ଼ିଛି। ପ୍ରକାଶ ମୁଣ୍ଡା ଓ ବିଜୟ ମୁଣ୍ଡାଙ୍କ ଦୁଇ ପରିବାର ସହ ସେମାନଙ୍କ ମାଆ ଏକ ଛୋଟ ଓ ଜରାଜୀର୍ଣ୍ଣ ଘରେ ରହୁଥିବାରୁ ବର୍ଷା ଓ ବିଭିନ୍ନ ଋତୁରେ ସୁରକ୍ଷିତ ଭାବେ ରହିବା ନେଇ ସମସ୍ୟା ଦେଖାଦେଇଛି। ପରିବାରର ଏଭଳି ଦୁରବସ୍ଥା ସମ୍ପର୍କରେ ଖବର ପାଇବା ପରେ ପାଲଲହଡ଼ା ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକ ଓ ପାଲଲହଡ଼ା ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ କଂଗ୍ରେସ କମିଟିର ଉପସଭାପତି ଅଭିମନ୍ୟୁ ନାଏକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଅତ୍ୟନ୍ତ ଅସୁରକ୍ଷିତ ପରିସ୍ଥିତିରେ ରହୁଥିବା ଏହି ପରିବାରକୁ ତୁରନ୍ତ ସରକାରୀ ଆବାସ ଯୋଜନାରେ ସାମିଲ କରି ଏକ ସୁରକ୍ଷିତ ଘର ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ପରିବାରର ଅସହାୟତାକୁ ବିଚାରକରି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ପାଲଲହଡ଼ା , ଅନୁଗୋଳ

ତଳମୂଳରେ ‘ସେବା ସଂକଳ୍ପ’ ଅଭିଯାନ
ବଅଁରପାଳ: ବଅଁରପାଳ ବ୍ଲକ ତଳମୂଳ ଗ୍ରାମ ପଞ୍ଚାୟତରେ ‘ସେବା ସଂକଳ୍ପ’ ଅଭିଯାନ ଅବସରରେ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମ ହୋଇଛି। ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମୀରା ଗଡ଼ନାୟକ ଯୋଗଦେଇ ଆବାସ ଯୋଜନାର ହିତାଧିକାରୀଙ୍କୁ ଘର ସମ୍ପର୍କିତ ସହାୟତା ପ୍ରଦାନ କରିଥିଲେ। ଏହାସହ ଆୟୋଜିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଶ୍ରୀମତୀ ଗଡ଼ନାୟକ ସ୍ଥାନୀୟ ମହିଳାମାନଙ୍କୁ ଭେଟି ସେମାନଙ୍କ ସମସ୍ୟା, ସ୍ୱାବଲମ୍ବନ ଓ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମାଞ୍ଚଳବାସୀଙ୍କ ନିକଟରେ ସରକାରୀ ଯୋଜନା ଓ ଜନକଲ୍ୟାଣମୂଳକ ସେବା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ସ୍ୱାସ୍ଥ୍ୟକର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ସୋସିଆଲ ମିଡିଆରେ ମହିଳାଙ୍କୁ ଅଶ୍ଳୀଳ ଓ ଧମକପୂର୍ଣ୍ଣ ବିଷୟବସ୍ତୁ ପ୍ରଚାର, ଅଭିଯୁକ୍ତ ଗିରଫ
ଅନୁଗୋଳ: ସୋସିଆଲ ମିଡିଆ ମାଧ୍ୟମରେ ମହିଳାମାନଙ୍କୁ ଲକ୍ଷ୍ୟ କରି ଆପତ୍ତିଜନକ, ଅଶ୍ଳୀଳ ଓ ଧମକପୂର୍ଣ୍ଣ ବିଷୟବସ୍ତୁ ପ୍ରଚାର କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଅନୁଗୋଳ ସାଇବର ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳର ଶୁଭ୍ରରାଜ ମାଝୀ ଏନେଇ CC & EO ଥାନା, ଅନୁଗୋଳରେ କେସ୍ ନମ୍ବର ୧୭, ତାରିଖ ୨୦.୦୯.୨୦୨୬ରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୧.୦୯.୨୦୨୬ରେ ମାନ୍ୟବର ଅଦାଲତରେ ହାଜର କରିଛି। ସୋସିଆଲ ମିଡିଆରେ ଅଶ୍ଳୀଳ କିମ୍ବା ଆପତ୍ତିଜନକ ବିଷୟବସ୍ତୁ ପ୍ରଚାର, ଅପଶବ୍ଦ ପ୍ରୟୋଗ, ଧମକ ଦେବା କିମ୍ବା କାହାକୁ ଭୟଭୀତ କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁଗୋଳ ପୋଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ସୋସିଆଲ ମିଡିଆର ଅପବ୍ୟବହାର କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି। ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ପାଲାମଣ୍ଡପ ଛକରେ ଗଣେଶ ପୂଜାରେ ଯୋଗଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ଗୋଡ଼ିସାହିସ୍ଥିତ ପାଲାମଣ୍ଡପ ଛକଠାରେ ଆୟୋଜିତ ପବିତ୍ର ଗଣେଶ ପୂଜାରେ ଯୋଗଦେଇ ପ୍ରଭୁ ଶ୍ରୀଗଜାନନଙ୍କ ଆଶୀର୍ବାଦ କାମନା କରିଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ଏହି ଅବସରରେ ଶ୍ରୀ ସାହୁ ପୂଜା ମଣ୍ଡପରେ ପ୍ରଭୁ ଗଣେଶଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପରେ ଗ୍ରାମବାସୀ ଓ ପୂଜା କମିଟିର ସଦସ୍ୟମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ମିଶି ପ୍ରସାଦ ସେବନ କରିଥିଲେ। ତାଙ୍କ ଯୋଗଦାନକୁ ନେଇ ପୂଜା କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ପାଲଲହଡାରେ ଜନ ଅଭିଯୋଗ ଶୁଣାଣି: ୬ଟି ସମସ୍ୟାର ତୁରନ୍ତ ସମାଧାନ
ପାଲଲହଡା: ପାଲଲହଡା ବ୍ଲକ ହେଡକ୍ୱାର୍ଟରଠାରେ ଜିଲ୍ଲାପାଳ, ଅନୁଗୋଳ, ଆରକ୍ଷୀ ଅଧିକ୍ଷକ ଅନୁଗୋଳ ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏହି ଶୁଣାଣିରେ ସର୍ବମୋଟ ୯୮ଟି ଅଭିଯୋଗ ଗ୍ରହଣ କରାଯାଇ ଅଭିଯୋଗକାରୀଙ୍କ ସମସ୍ୟା ଶୁଣାଯାଇଥିଲା। ସେଥିମଧ୍ୟରୁ ୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହାସହ ଆର୍ଥିକ ଅଭାବରେ ଥିବା ୪ ଜଣ ଦୁଃଖୀ ଓ ଅସହାୟ ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ମୋଟ ୧୭,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ସହ ଆବଶ୍ୟକ ସହାୟତା ଯୋଗାଇଦେବା ଏହି ଜନ ଅଭିଯୋଗ ଶୁଣାଣିର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ପାଲଲହଡ଼ା ,ଅନୁଗୋଳ

ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନରେ ଚମ୍ପିଆନ୍ ଜଟଣୀ ଟିମ୍କୁ ସମ୍ବର୍ଦ୍ଧନା
ଖୋର୍ଦ୍ଧା-ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନ ସ୍ପୋର୍ଟସ ପ୍ରତିଯୋଗିତାରେ ଚମ୍ପିଆନ୍ ହୋଇ ଜଟଣୀର ଗୌରବ ବଢ଼ାଇଥିବା ଜଟଣୀ ଟିମ୍ର ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଚମ୍ପିଆନ୍ ଦଳର ସମସ୍ତ ଖେଳାଳିଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଜାତୀୟସ୍ତରୀୟ ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଥିଲା। ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଜଟଣୀ ଟିମ୍ ଉତ୍କୃଷ୍ଟ ପ୍ରଦର୍ଶନ କରି ସଫଳତା ହାସଲ କରୁ—ଏହି ଅବସରରେ ସମସ୍ତଙ୍କ ପକ୍ଷରୁ ଖେଳାଳିମାନଙ୍କ ସଫଳତା କାମନା କରାଯାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ପିଚୁକୁଳି OAVର ବାର୍ଷିକ ଉତ୍ସବ ପାଳିତ
ଖୋର୍ଦ୍ଧା: ବୋଲଗଡ଼ ବ୍ଲକ୍ର ପିଚୁକୁଳିଠାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ବାର୍ଷିକ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟ ଅତିଥି। ଏହି ଅବସରରେ ଛାତ୍ରଛାତ୍ରୀମାନେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେମାନଙ୍କର ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ପ୍ରତିଭା ଉପସ୍ଥିତ ଅତିଥି ଓ ଅଭିଭାବକଙ୍କୁ ଆକର୍ଷିତ କରିଥିଲା।ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ନିଜ ପ୍ରତିଭା ବଳରେ ପରିବାର, ଅଞ୍ଚଳ ଓ ସମଗ୍ର ଓଡ଼ିଶାର ନାମ ଗୌରବାନ୍ୱିତ କରିବାକୁ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ। ବାର୍ଷିକ ଉତ୍ସବର ସଫଳ ଆୟୋଜନ ପାଇଁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିକୁ ମୁଖ୍ୟ ଅତିଥି ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟାଙ୍କା ମହାପାତ୍ର, ଖୋର୍ଦ୍ଧା

ଗଣେଶ ପୂଜା ଭାଇଚାରା,ଏକତା ଓ ସମ୍ପର୍କକୁ ମଜବୁତ କରିବାର ମାଧ୍ୟମ : ନଗରପାଳ ଶୁଭେନ୍ଦୁ ସାହୁ
*ଫ୍ରେଣ୍ଡସିପ କ୍ଲବର ଗଣେଶ ମହୋତ୍ସବ ଉଦଯାପିତ* ଢେ଼ଙ୍କାନାଳ ୨୧.୯- ଯେଉଁଠି ଭକ୍ତିରେ ମିଶିଛି ସୃଜନଶୀଳତା, ଯେଉଁଠି କଳ୍ପନା ନେଇଛି ଭବ୍ୟତାର ରୂପ… ସେଇଠି ଜନ୍ମ ନେଇଛି ଭୁବନର ଅପୂର୍ବ “ପ୍ରେମ ମନ୍ଦିର " । ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଆଜି ଗୌରବମୟ ୧୨ ବର୍ଷରେ ପଦାର୍ପଣ କରିଛି। ଏହି ଦୀର୍ଘ ଯାତ୍ରା କେବଳ ଏକ ପୂଜାର ପରମ୍ପରା ନୁହେଁ; ଏହା ଭୁବନର ଯୁବଶକ୍ତିର ଏକତା, ଭକ୍ତି ଓ ସୃଜନଶୀଳତାର ଅନନ୍ୟ ପରିଚୟ। ଗଣେଶ ପୂଜା ଭାଇଚାରା,ଏକତା ଓ ସମ୍ପର୍କକୁ ମଜବୁତ କରିବାର ମାଧ୍ୟମ ବୋଲି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଫ୍ରେଣ୍ଡସିପ କ୍ଲବ୍ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏଥର ରାଧାରାଣୀଙ୍କ ପ୍ରେମ ମନ୍ଦିରର ଭବ୍ୟ ଓ ଦିବ୍ୟ ରୂପ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ଦେଖିବା ପାଇଁ ବିପୁଳ ଜନସମାଗମ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଫ୍ରେଣ୍ଡସିପ କ୍ଲବର ସଭାପତି, କର୍ମକର୍ତ୍ତା ମାନଙ୍କୁ ନଗରପାଳ ଶ୍ରୀଯୁକ୍ତ ସାହୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ କ୍ଲବ୍ ସଦସ୍ୟ ମାନଙ୍କର ପରିଶ୍ରମ ଓ ସୃଜନଶୀଳତା ଭୁବନକୁ ଆଉ ଦୁଇ ପାଦ ଆଗକୁ ନେଇଛି ଓ ନୂଆ ପରିଚୟ ଦେଇଛି । ଏହି ଯୁବଶକ୍ତି ହିଁ ଆମ ଭୁବନର ଭବିଷ୍ୟତର ସବୁଠାରୁ ବଡ଼ ଶକ୍ତି । ଭୁବନର ସାଂସ୍କୃତିକ ପରମ୍ପରା, ସାମାଜିକ ଏକତା ଓ ଭାଇଚାରା ଆହୁରି ସୁଦୃଢ଼ ହେଉ ବୋଲି କହିଥିଲେ । ସଭାପତି ଜୀବନ ଜ୍ୟୋତି ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଚିନ୍ମୟ କୁମାର ପୃଷ୍ଟି ଯୋଗଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଯୋରନ୍ଦା ମହିମାଗାଦୀ ପୀଠର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ: ସୁରେଶ ପୂଜାରୀ
ଢେଙ୍କାନାଳ, ୨୧/୦୯: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ତାଙ୍କ ଢେଙ୍କାନାଳ ଗସ୍ତ ଅବସରରେ ଆଜି ଢେଙ୍କାନାଳ ସର୍କିଟ୍ ହାଉସଠାରେ ଜୋରନ୍ଦା ମହିମାଗାଦୀ ପୀଠର ସାଧୁସନ୍ଥମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଜୋରନ୍ଦା ମହିମାଗାଦୀ ପୀଠର ଶୂନ୍ୟ ମନ୍ଦିର ପରିସର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସାଧୁସନ୍ଥମାନଙ୍କ ସହ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ ସାଧୁସନ୍ଥମାନଙ୍କ ମତାମତ ଓ ପ୍ରସ୍ତାବ ଶୁଣିବା ସହ ପୀଠରେ ଚାଲିଥିବା ବିକାଶ କାର୍ଯ୍ୟର ଶୀଘ୍ର ଓ ସୁଚାରୁ କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସାଧୁମାନଙ୍କୁ ଅନୁରୋଧ କରିଥିଲେ। ଯୋରନ୍ଦା ମହିମାଗାଦୀ ପୀଠର ବିକାଶ ପାଇଁ ପାଣ୍ଠିର କୌଣସି ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶ୍ୱାସନ ଦେଇଥିଲେ। ପୀଠର ବିକାଶ ସହ ଏହାର ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଗୁରୁତ୍ୱକୁ ଆହୁରି ବଢ଼ାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ଆଲୋଚନା ସମୟରେ ସାଧୁସନ୍ଥମାନେ ପ୍ରସିଦ୍ଧ ମାଘ ମେଳାର ସୁଚାରୁ ଓ ସଫଳ ଆୟୋଜନ ପାଇଁ ସ୍ୱତନ୍ତ୍ର ପାଣ୍ଠି କିମ୍ବା ବଜେଟ୍ ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ସେ ନିଜେ ଯୋରନ୍ଦା ମହିମାଗାଦୀ ପୀଠ ପରିଦର୍ଶନ କରି ପୀଠର ବିକାଶ ଓ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ କ’ଣ ପଦକ୍ଷେପ ନିଆଯାଇପାରିବ, ତାହା ଅନୁଧ୍ୟାନ କରିବେ। ମାଘ ମେଳା ପାଇଁ ସ୍ୱତନ୍ତ୍ର ପାଣ୍ଠି କିମ୍ବା ବଜେଟ୍ ବ୍ୟବସ୍ଥା ସମ୍ପର୍କିତ ପ୍ରସ୍ତାବକୁ ସେ ରାଜ୍ୟସ୍ତରରେ ଉପସ୍ଥାପନ କରି ସକାରାତ୍ମକ ପଦକ୍ଷେପ ପାଇଁ ଉଦ୍ୟମ କରିବେ ବୋଲି ସାଧୁସନ୍ଥମାନଙ୍କୁ ଆଶ୍ୱାସନ ଦେଇଥିଲେ। ଏହି ଆଲୋଚନାରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସିମରାଣୀ ନାୟକ, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଲିତ ବେହେରା, ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ, ଢେଙ୍କାନାଳ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଲାଇନ୍ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଓଲପୁରରେ ବାଇକ୍ ଧକ୍କା, ଦୁଇ ଗୁରୁତର
ଚିକିଟି, : ଚିକିଟି ଫାଣ୍ଡି ଅନ୍ତର୍ଗତ ଓଳପୁର ଠାରେ ଶନିବାର ରାତି ପ୍ରାୟ ୯ଟା ସମୟରେ ବାଇକ୍ ଧକ୍କାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଜଗନ୍ନାଥପୁର ଗ୍ରାମର ନରସିଂହ ଗୌଡ଼ (୪୦) ଏକ ହୋଣ୍ଡା ବାଇକ୍ରେ ଚିକିଟି ଆସୁଥିବା ବେଳେ ଓଳପୁର ଗ୍ରାମ ନିକଟରେ ହରିବନ୍ଧୁ ବେହେରାଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଧକ୍କାରେ ଉଭୟେ ରାସ୍ତାରେ ପଡ଼ି ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ଚିକିଟି ମେଡିକାଲକୁ ନିଆଯାଇଥିଲା। ତେବେ ଚିକିଟି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲା। ଆହତଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିବା ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ବିଳମ୍ବକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଗୁରୁତର ରୋଗୀଙ୍କ ପାଇଁ ତୁରନ୍ତ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବାକୁ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଚିକିଟି ଫାଣ୍ଡି ପୁଲିସ ପକ୍ଷରୁ ତଦନ୍ତ କରାଯାଉଥିବା ଜଣାପଡ଼ିଛି।
Ganjam (ଗଞ୍ଜାମ) • ରିପୋର୍ଟ: ଦୀପକ ଚୌଧୁରୀ ଓ ଦୁର୍ଗା ମାଧବ

ଅସୁରାଳିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି
୨୨ ଅଭିଯୋଗର ହେଲା ସ୍ଥଳୀୟ ସମାଧାନ, ରେଡକ୍ରସ ପାଣ୍ଠିରୁ ୬ ହଜାର ଟଙ୍କା ସହାୟତା ଭଦ୍ରକ, ୨୧/୦୯/୨୦୨୬: ଧାମନଗର ବ୍ଲକ୍ ଅନ୍ତର୍ଗତ ଅସୁରାଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଅଭିଯୋଗ ଶୁଣାଣିରେ ମୋଟ ୧୬୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୫୦ଟି ବ୍ୟକ୍ତିଗତ ସମସ୍ୟା, ୧୨ଟି ଗ୍ରାମୀଣ ସମସ୍ୟା ଏବଂ ରେଡକ୍ରସ୍ ଅଧୀନରେ ୨ଟି ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୨୨ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା। ଏଥିସହ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୨ ଜଣ ଅଭିଯୋଗକାରୀଙ୍କୁ ମୋଟ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅଭିଯୋଗ ଶୁଣାଣିରେ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା DRDAର ଶୁଭେନ୍ଦ୍ର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ସହ ଅଭିଯୋଗଗୁଡ଼ିକର ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଝାରବନ୍ଧ କଲେଜରେ ଫିଟ୍ କଲେଜ ଅଭିଯାନ ଓ ମାନସିକ ଚାପ ନିରାକରଣ କାର୍ଯ୍ୟକ୍ରମ
ଝାରବନ୍ଧ -ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ମାନସିକ ଚାପ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବରଗଡ଼ ରୁ ଆସିଥିବା କମୁନିଟି ସୱେର୍ଭିସର ବବୁନ କୁମାର ସାହୁ, କେଲିନିସିଆଲ ପ୍ସ୍ଯଚଲୋଜିଷ୍ଟ ଡ଼ା. ଯଶୋବନ୍ତ ରଣବୀର ଓ ସିଆସେ ରେଜିଷ୍ଟ୍ରି ଏସ୍ସିଷ୍ଟାନ୍ତ ରବୀନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ଅଧ୍ୟାପିକା ମିନପ୍ରଭା ପ୍ରଧାନ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ । ଫିଟ୍ କଲେଜ ଅଭିଯାନ ସଂଯୋଜକ ଶ୍ରୀ ନବୀନ କୁମାର ମେହେର ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବାକୁ ପ୍ରୋତ୍ସାହିତ କରିଥିଲେ । ଆଗନ୍ତୁକ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ଚାପ ନିରାକରଣ ବିଷୟରେ ମାର୍ଗଦର୍ଶନ କରିଥିଲେ । ଅଧ୍ୟାପକ ଡ଼ଃ ଖ୍ୟାତିମୟ ତ୍ରିପାଠୀଙ୍କ ନେତୃତ୍ୱରେ ସମସ୍ତ ଅଧ୍ୟାପକ, କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନସିକ ଚାପ ନିରାକରଣ ସମ୍ବନ୍ଧୀୟ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଡ଼ଃ ରଶ୍ମିରଞ୍ଜନ ମହାନ୍ତି, ଯାଜ୍ଞସେନି ନାୟକ, ରୀତାଞ୍ଜଳି ଗୁରୁ, ମୁକେଶ ବାଗ, ଚନ୍ଦ୍ରମଣି ବାଗ, କୁନି ସାହା, ଦୁର୍ଯୋଧନ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଗଗନ ବିହାରୀ ଦନସନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଟି ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ଚାପ ନିରାକରଣ ରେ ନିଶ୍ଚୟ ସାହାଯ୍ୟ କରିବ ବୋଲି ଉପସ୍ଥିତ ଜନ ମତପ୍ରକାଶ କରିଥିଲେ ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ
