ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ମାନାପଲୀ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ
Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟSeptember 23, 202618 views

ଖଲ୍ଲିକୋଟ, ୨୩/୦୯: ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଖଲ୍ଲିକୋଟ ସହରର ବଜାର ଅଞ୍ଚଳରେ ବର୍ଷାର ପ୍ରଭାବରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାଘାଟରେ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିବା ଦେଖାଯାଇଛି।
ଏହି ମଧ୍ୟରେ ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ମାନାପଲୀ ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ରାସ୍ତା ଉପରେ ପଡ଼ିଥିବା ଗଛକୁ କାଟି ହଟାଇବା ସହ ରାସ୍ତାକୁ ଯାତାୟାତ ଉପଯୋଗୀ କରିଥିଲେ।
ରାସ୍ତା ସଫା ହେବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହେବା ସହ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ସୁଗମ ହୋଇଥିଲା।
ଅନ୍ୟପକ୍ଷରେ ଆଗାମୀ ଦିନରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନାକୁ ନଜରରେ ରଖି ସାଧାରଣ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ପ୍ରଶାସନକୁ ସଜାଗ ରହିବା ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
