ମହାନଦୀ ବନ୍ୟାରେ ଅମ୍ବାଭୋନାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଶହ ଶହ ଏକର ଚାଷଜମି ଜଳମଗ୍ନ, ଉଦ୍ଧାର ହେଲେ ବିପଦଶଙ୍କୁଳ ଲୋକେ
Bargarh (ବରଗଡ଼)ସତ୍ୟ ସୁରୁଜଳSeptember 28, 20264 views

ବରଗଡ଼: ମହାନଦୀର ବନ୍ୟାଜଳ ବଢ଼ିବା ଯୋଗୁଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଚିଖିଲି ସମେତ ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିବାରୁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି।
ବନ୍ୟାପାଣିରେ ଧାନ ଓ ପନିପରିବା ଚାଷ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଚାଷଜମିରେ ପାଣି ଜମି ରହିବା ଯୋଗୁଁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏପଟେ ବନ୍ୟାର ପ୍ରଭାବରେ ମତ୍ସ୍ୟଜୀବୀମାନେ ମଧ୍ୟ କ୍ଷତି ସହିଛନ୍ତି। କେତେକ ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ବନ୍ୟାଜଳରେ ଭାସିଯାଇଥିବା ଜଣାପଡ଼ିଛି।
ପରିସ୍ଥିତି ଗମ୍ଭୀର ହେବାରୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅଗ୍ନିଶମ ବାହିନୀ ଓ ପ୍ରଶାସନିକ ଟିମ୍ ପକ୍ଷରୁ ବିପଦଶଙ୍କୁଳ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରାଯାଇଛି। ବନ୍ୟାଜଳ ଘେରରେ ରହିଥିବା ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ଆଶ୍ରୟସ୍ଥଳୀରେ ରହୁଥିବା ବନ୍ୟାପ୍ରଭାବିତ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟଜଳ ସମେତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉଛି। ଅନ୍ୟପଟେ ମହାନଦୀର ଜଳସ୍ତର ଓ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।
ବନ୍ୟା ଯୋଗୁଁ ଚାଷଜମି ଓ ମତ୍ସ୍ୟଜୀବୀଙ୍କ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରଭାବିତ ଲୋକେ ଦାବି କରିଛନ୍ତି।

