Web News

ସେବା ସଂକଳ୍ପ ଅଭିଯାନରେ ପଥପ୍ରାନ୍ତ ନାଟକ ସଚେତନତା ସୃଷ୍ଟି ପାଇଁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜନ
ଖୋର୍ଦ୍ଧା: “ସେବା ସଂକଳ୍ପ ଅଭିଯାନ” ଅଧୀନରେ ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଯାଇଛି। ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ସାମାଜିକ ବିଷୟକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କଳାକାର ଓ ସ୍ୱେଚ୍ଛାସେବୀମାନେ ନାଟକ ମାଧ୍ୟମରେ ସାମାଜିକ ସଚେତନତା, ସ୍ୱଚ୍ଛତା, ସୁସ୍ଥ ଜୀବନଶୈଳୀ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ନେଇ ବାର୍ତ୍ତା ପ୍ରଦାନ କରିଥିଲେ। ରାସ୍ତାକଡ଼ରେ ଆୟୋଜିତ ଏହି ନାଟକକୁ ସ୍ଥାନୀୟ ଲୋକେ ଦେଖିବା ସହ ସଚେତନତାମୂଳକ ବାର୍ତ୍ତାକୁ ଗ୍ରହଣ କରିଥିଲେ। “ସେବା ସଂକଳ୍ପ ଅଭିଯାନ” ମାଧ୍ୟମରେ ସମାଜରେ ସଚେତନତା ବୃଦ୍ଧି ସହ ଜନସାଧାରଣଙ୍କୁ ସାମାଜିକ ଦାୟିତ୍ୱ ପ୍ରତି ଅଧିକ ସଚେତନ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବୋଲଗଡ଼ରେ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ ମଦମୁକ୍ତ ଓ ନିଶାମୁକ୍ତ ଓଡ଼ିଶା ଦାବିରେ ତ୍ରିରଙ୍ଗା ପଦଯାତ୍ରା
ଖୋର୍ଦ୍ଧା: ମହାତ୍ମା ଗାନ୍ଧୀ ଏବଂ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶାନ୍ତିଦୂତ ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମଜୟନ୍ତୀ ଅବସରରେ ବୋଲଗଡ଼ ଖଦି କେନ୍ଦ୍ର ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି।ପୂଜ୍ୟପୂଜା ସଂସଦ ତଥା ଗାନ୍ଧୀ ସ୍ମୃତି କମିଟିର ଆନୁକୂଲ୍ୟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସର୍ବଧର୍ମ ପ୍ରାର୍ଥନା ସହ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟ ଓ ସେବାର ଆଦର୍ଶ ସହ ଶାସ୍ତ୍ରୀଜୀଙ୍କ ସରଳତା ଓ ଦେଶପ୍ରତି ସମର୍ପଣକୁ ସ୍ମରଣ କରାଯାଇଥିଲା।ଏହି ଅବସରରେ ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଭାବେ ଘୋଷଣା କରିବା ଏବଂ ନିଶା ନିବାରଣ ଅଭିଯାନକୁ ସଫଳ କରିବା ଦାବିରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଥିଲା। ଗାନ୍ଧୀ ମଣ୍ଡପଠାରୁ ପଦଯାତ୍ରା ବାହାରି ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାରେ ଅଂଶଗ୍ରହଣକାରୀମାନେ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା ଏବଂ ଗାନ୍ଧୀଜୀଙ୍କ ଆଦର୍ଶକୁ ଜନଜୀବନରେ ପ୍ରତିଷ୍ଠିତ କରିବା ନେଇ ସଚେତନତାର ବାର୍ତ୍ତା ଦେଇଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ରାସୋଳରେ ଅବକାରୀ ଚଢ଼ାଉ, ୬୨୦ ଲିଟର ଦେଶୀ ମଦ ସହ ୩ ଦୁଇଚକିଆ ଜବତ, ଜଣେ ଗିରଫ
ଖୋରଧା, : ବେଗୁନିଆ ଥାନା ଅଧୀନ ରାସୋଳ ଗ୍ରାମରେ ବେଆଇନ ଦେଶୀ ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିଲା ମୋବାଇଲ ୟୁନିଟ୍ ପକ୍ଷରୁ ହୋଇଥିବା ଏହି ଚଢ଼ାଉରେ ୬୨୦ ଲିଟର ଅବୈଧ ଦେଶୀ ମଦ ସହ ୩ଟି ଦୁଇଚକିଆ ଯାନ ଜବତ ହୋଇଛି। ଘଟଣାରେ ମିନତୀ ପାଇକରାୟ (୪୦)ଙ୍କୁ ଗିରଫ କରାଯାଇଛି।ଅବକାରୀ ବିଭାଗର ସୂଚନା ଅନୁଯାୟୀ, ରାସୋଳ ଗ୍ରାମରେ ଅଭିଯୁକ୍ତଙ୍କ ଘର ପଛପଟେ ମଦ ମହଜୁଦ ଥିବା ସୂଚନା ପାଇ ଅକ୍ଟୋବର ୨ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୬୨୦ ଲିଟର IDL ଜବତ ହୋଇଥିଲା।ଏଥିସହ TVS Jupiter ସ୍କୁଟି (OD-02-DE-7124), Yamaha Fascino ସ୍କୁଟି ଏବଂ Hero HF Deluxe ମୋଟରସାଇକେଲ (OD-05-AU-3214) ଜବତ କରାଯାଇଛି। ଜବତ ମଦ ଓ ଯାନବାହନର ମୋଟ ଆନୁମାନିକ ମୂଲ୍ୟ ୩ ଲକ୍ଷ ୬୪ ହଜାର ଟଙ୍କା ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ଏହି ଘଟଣାରେ ମିନତୀ ପାଇକରାୟଙ୍କ ସହ ତାଙ୍କ ସ୍ୱାମୀ **ରାଜନୀକାନ୍ତ ପାଇକରାୟ ଓରଫ ରାଜିଆ (୪୪)**ଙ୍କ ନାମ ମଧ୍ୟ ମାମଲାରେ ରହିଛି। ରାଜନୀକାନ୍ତ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।ଏନେଇ P.R. No. 269/2026-27 ରେ OEA-2008 ଧାରା ୫୨(ଏ)(i) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ମିନତୀ ପାଇକରାୟଙ୍କୁ ଅକ୍ଟୋବର ୨ ତାରିଖରେ ଜେଏମ୍ଏଫ୍ସି, ବେଗୁନିଆଙ୍କ ଅଦାଲତରେ ହାଜର କରାଯାଇଛି। ରେଞ୍ଜ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ଓ ଅବକାରୀ ଇନ୍ସପେକ୍ଟର ମାନସୀ ନାୟକଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା। ଏଥିରେ ଏସ୍ଆଇ ସୁଜିତ କୁମାର ମୁଦୁଲି, ଖୋରଧା ଷ୍ଟେସନ୍ ଓଆଇସି ସୁଜିତ କୁମାର ନାଗ, ଏଏସ୍ଆଇ ଜିତେନ୍ଦ୍ର କୁମାର ବେହେରାଙ୍କ ସମେତ ଅବକାରୀ କର୍ମଚାରୀମାନେ ସାମିଲ ହୋଇଥିଲେ। ଅବକାରୀ ଅଧୀକ୍ଷକ ସୁମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ନିଶାମୁକ୍ତ ଯୁବ ଭାରତ ପାଇଁ ଖୋର୍ଦ୍ଧାରେ ଗଣଦୌଡ଼ ଶତାଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ; ନିଶାମୁକ୍ତ ସମାଜ ପାଇଁ ଶପଥ ପାଠ
ଖୋର୍ଦ୍ଧା: ନିଶାମୁକ୍ତ ଯୁବ ଭାରତ ଗଠନର ବାର୍ତ୍ତା ନେଇ ବିଶ୍ୱ ପ୍ରସିଦ୍ଧ ପାଇକ ମାଟି ଖୋର୍ଦ୍ଧାରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇଁ ଭାରତ, ଯୁବ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରୁ ଗଣଦୌଡ଼ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ସାମାଜିକ କର୍ମୀ ମନ୍ମଥ ରାଉତରାୟ, ସମ୍ମାନିତ ଅତିଥି ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଡ. ସଂଗ୍ରାମ କେଶରୀ ସାମନ୍ତରାୟ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଖୋର୍ଦ୍ଧା ଆଞ୍ଚଳିକ ପରିଚାଳକ ଭଗତ୍ ବେହେରା ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖିବା, ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି କରିବା ଏହି ଗଣଦୌଡ଼ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଗଣଦୌଡ଼ ଶେଷରେ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର, ମେଡାଲ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରୋଜେକ୍ଟ ପଏଣ୍ଟର ଉପଦେଷ୍ଟା ପ୍ରମୋଦ କୁମାର ହରିଚନ୍ଦନ ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ସୃଷ୍ଟି ସହ ସୁସ୍ଥ ଓ ସକାରାତ୍ମକ ଜୀବନ ପ୍ରତି ପ୍ରେରଣା ଦିଆଯାଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ପ୍ରାଣନାଥ Autonomous କଲେଜରେ ABVP ପକ୍ଷରୁ ସ୍ୱଚ୍ଛତା ଅଭିଯାନ
ଖୋର୍ଦ୍ଧା, -: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଖୋର୍ଦ୍ଧା ପ୍ରଣାନାଥ ଅଟୋନୋମସ୍ କଲେଜ କ୍ୟାମ୍ପସ୍ ୟୁନିଟ୍ ପକ୍ଷରୁ ଆଜି କଲେଜ ପରିସରରେ ଏକ ସ୍ୱେଚ୍ଛାସେବୀ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ଖୋର୍ଦ୍ଧା ଜିଲ୍ଲା ନଗର ବିସ୍ତାରକ ସାଇ ଜୀବନ ଜ୍ୟୋତି, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଦଧିବାମନ ଦାସ, ରାଜ୍ୟ କ୍ରୀଡ଼ା ସହ-ସଂଯୋଜିକା ଡି. ନନ୍ଦିନୀ, ଜିଲ୍ଲା ଛାତ୍ରୀ ପ୍ରମୁଖ ପ୍ରଜ୍ଞା ପାରମିତା ପରିଡ଼ା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ସାହୁ, ଖୋର୍ଦ୍ଧା ଜିଲ୍ଲା C.D.D. ସୁପ୍ରକାଶ ବେହେରା ଏବଂ ଜିଲ୍ଲା S.F.S. ଶୁଭମ ବେହେରାଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏଥିସହ +୩ ପ୍ରଣାନାଥ କ୍ୟାମ୍ପସ୍ ୟୁନିଟ୍ ସ୍ତରରେ ତୁଳସୀ ମହାରଣା, ସାସ୍ୱତୀ ପରିଡ଼ା, ଶ୍ରୀମାନ ସୁବ୍ରତ କୁମାରଙ୍କ ସମେତ ଅନ୍ୟାନ୍ୟ କ୍ୟାମ୍ପସ୍ ସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସ୍ୱଚ୍ଛତା ଅଭିଯାନକୁ ସଫଳ କରିଥିଲେ।କାର୍ଯ୍ୟକର୍ତ୍ତାମାନେ କଲେଜ ପରିସରକୁ ସ୍ୱଚ୍ଛ କରିବା ସହିତ ଏକ ସୁସ୍ଥ, ସୁନ୍ଦର ଓ ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି ପାଇଁ ପ୍ରୟାସ କରିଥିଲେ। ଏହା ସହିତ ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରାଯାଇ ଶ୍ରଦ୍ଧାପୂର୍ବକ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା। ଗାନ୍ଧୀଜୀଙ୍କ ଆଦର୍ଶ, ସ୍ୱଚ୍ଛତା, ଶୃଙ୍ଖଳା ଓ ସେବା ଭାବନାକୁ ସ୍ମରଣ କରି ଆୟୋଜିତ ଏହି କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କୁ ପ୍ରେରଣା ଦେବା ସହ ନୈତିକ ଶିକ୍ଷା ପ୍ରଦାନ କରିଥିଲା। ଏହି ପଦକ୍ଷେପ ଅନ୍ୟ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ନାଲିପଡା ଅର୍ଜୁନପୁର, ପୂଵୁସାହି, ବାଜପୁର,ବରସାହି ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ::ଶିଶୁ ଶ୍ରମ ମୁକ୍ତ ପଞ୍ଚାୟତ ପାଇଁ ନେଲେ ସଂକଳ୍ପ
ଖୋର୍ଦ୍ଧା -ଖୋର୍ଦ୍ଧା ବ୍ଲକ ନାଲିପଡ଼ା ଅର୍ଜୁନପୁର ପଂଚାୟତ, ପୂଵୁସାହି ପଂଚାୟତ ଓ ବରସାହି, ବାଜପୁର ପଂଚାୟତ ରେ ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସରକାରଙ୍କ ନିର୍ଦେଶ ଅନୁଯାୟୀ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ନାଲିପଡା ଅର୍ଜୁନପୁର ପଂଚାୟତ ଠାରେ ସରପଞ୍ଚ ସୂର୍ଯ୍ୟପ୍ରସାଦ ମହାନ୍ତି ଙ୍କ ସଭାପତିତ୍ୱ ରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭୁ ପ୍ରସାଦ ସୁବୁଦ୍ଧି ପ୍ରଥମେ ଶପଥ ପାଠ କରାଇବା ସହିତ ସ୍ଵଛ, ପରିମଳ, ଓ ଶିଶୁ ଶ୍ରମ ମୁକ୍ତ, ବାଲ୍ୟ ବିଭାହ ମୁକ୍ତ ପଞ୍ଚାୟତ ଗଠନ ପାଇଁ ସଂକଳ୍ପ ନେଇଥିଲେ l ଏହି ଅବସରେ ସରପଞ୍ଚ ସୂର୍ଯ୍ୟ ପ୍ରସାଦ ମହାନ୍ତି ପଞ୍ଚାୟତ ର ବିଭିନ୍ନ ଯୋଜନା,, ଭିବିଜି ରାମ ଜି କାର୍ଯ୍ୟ ଉପରେ ଆଲୋଚନା, ପର୍ଯ୍ୟାଲୋଚନା କରି, ଉପସ୍ଥିତ ସାଧାରଣ ଲୋକ ଙ୍କ ମତାମତ ନେଇ ବାର୍ଷିକ ଉନ୍ନୟନ ମୂଳକ ଖସଡ଼ା ପ୍ରସ୍ତୁତ କରିଥିଲେ l ସେହିପରି ଉପସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀ ବିକାଶ କୁମାର ନାୟକ ଉପସ୍ଥିତ ରହି ଶିଶୁ ଶ୍ରମ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଉପସ୍ଥିତ ଗ୍ରାମବାସୀ, ଲୋକ ପ୍ରତିନିଧି ଙ୍କୁ ସରକାରୀ ଆଇନି ବ୍ୟବସ୍ଥା, କାର୍ଯ୍ୟକାରିତା ଉପରେ ବୁଝାଇବା ସହିତ ଶିଶୁ ଶ୍ରମିକ ମୁକ୍ତ ପଞ୍ଚାୟତ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ର ଅର୍ଜୁନପୁର ଉଚ୍ଚ ମାଧ୍ୟମିକ ସ୍କୁଲ ର ପ୍ରଧାନ ଶିକ୍ଷକ ଅଭିରାମ ବେହେରା,ସମିତି ସଭ୍ୟ,ଏମ୍ବିକେ, ବ୍ୟାଙ୍କ ମିତ୍ର,, ସିଆରପି, ମହିଳା ଗୋଷ୍ଠୀ ସଦସ୍ୟ,ପଞ୍ଚାୟତ କର୍ମଚାରୀ, ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ସେହିପରି ପୂଵୁସାହି ପଞ୍ଚାୟତ ଠାରେ ସରପଞ୍ଚ ସଂଘମିତ୍ରା ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ପଂଚାୟତ ନିର୍ବାହୀ ଅଧିକାରୀ ମନୋରଞ୍ଜନ ଜେନା ଗ୍ରାମସଭା ରେ ଉପସ୍ଥିତ ଲୋକଙ୍କୁ ଶପଥ ପାଠ କରାଇବା ସହିତ ଶିଶୁ ଶ୍ରମ ମୁକ୍ତ ପଂଚାୟତ ପାଇଁ ସଂକଳ୍ପ ନେଇଥିଲେ l ଏଡିଇଓ ଯଶୋଦା ଦେଇ,ମହିଳା ମହାସଂଘ ସଭାନେତ୍ରୀ ସୁକାନ୍ତି ସାହୁ, ଏମ୍ବିକେ ଦମୟନ୍ତୀ ଛୋଟରାୟ,ଉପସ୍ଥିତ ଥିଲେ l ବାଜପୁର ଠାରେ ସରପଞ୍ଚ, କେଦାରଶ୍ୱର ପୃଷ୍ଟି ଙ୍କ ଅଧ୍ୟକ୍ଷୟତା ରେ ନିର୍ବାହୀ ଅଧିକାରୀ ସୁଜିତ ବିଶ୍ୱାଳ, ସମସ୍ତ ଲୋକ ପ୍ରତିନିଧି, ମହିଳା ଗୋଷ୍ଠୀ ସଦସ୍ୟା, ll,ସେହିପରି ବରସାହି ପଞ୍ଚାୟତ ଠାରେ ସରପଞ୍ଚ ଶରତ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆୟେଷା ପାଇକରାୟ,ଜିଲ୍ଲା ଶ୍ରମ ଅଧିକାରୀ ବିକାଶ କୁମାର ନାୟକ,ମହିଳା ମହାସଙ୍ଘ ସଭାନେତ୍ରୀ ଝୁନୁଲତା ମୁଦୁଲି, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ,ଏମ୍ବିକେ ଜ୍ୟୋତ୍ରୀମୟୀବେହେରା, ସାମାଜିକ କର୍ମୀ ଅର୍ଜୁନ ପ୍ରଧାନ,ଅଙ୍ଗନବାଡି କର୍ମୀ, ମହିଳା ଗୋଷ୍ଠୀ ପ୍ରମୁଖ ଉପସ୍ଥିତ ରହିଥିଲା ବେଳେ ପଞ୍ଚାୟତ ଉନ୍ନୟନ ମୂଳକ କାର୍ଯ୍ୟ, ଶିକ୍ଷା ସ୍ୱାସ୍ଥ୍ୟ, ପରିମଳ, ସ୍ୱଚ୍ଛତା ଉପରେ ଆଲୋଚନା କରି ଥିଲେ l
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଆଇଟିବିପି ପକ୍ଷରୁ ସେବା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖୋର୍ଦ୍ଧା, ୨/୧୦: ଗାନ୍ଧୀ ଜୟନ୍ତୀ ଅବସରରେ ଭାରତ-ତିବ୍ବତ ସୀମା ପୋଲିସ ବଳ (ଆଇଟିବିପି) ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ‘ଏକ ଘଣ୍ଟା, ଏକ ଦିନ, ଏକ ସାଥ’ କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟାଳୟ, ଭୁବନେଶ୍ୱର ଓ ଆଇଟିବିପି ୪୧ତମ ବାହିନୀ ପକ୍ଷରୁ ଏମ୍ସ, ଭୁବନେଶ୍ୱର ପରିସରରେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା। ଏଥିରେ ଆଇଟିବିପିର ଅଧିକାରୀ ଓ ଯବାନମାନେ ସକ୍ରିୟ ଭାବେ ସାମିଲ ହୋଇ ଏମ୍ସ ପରିସରର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ। ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ଗଠନ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ସେହିପରି ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ–୨୦୨୬ ଅବସରରେ ଆଇଟିବିପି ୪୧ତମ ବାହିନୀ, ଖୋର୍ଦ୍ଧା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। କାର୍ଯ୍ୟାଳୟ ମୁଖ୍ୟ ଶ୍ରୀ ଦିଗ୍ବିଜୟ ସିଂହଙ୍କ ନେତୃତ୍ୱରେ ଅଧିକାରୀ ଓ ଯବାନମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ଶିବିରରୁ ମୋଟ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ଭଳି ମାନବିକ କାର୍ଯ୍ୟ ମାଧ୍ୟମରେ ଆଇଟିବିପିର ଅଧିକାରୀ ଓ ଯବାନମାନେ ସାମାଜିକ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରିଛନ୍ତି।ସ୍ୱଚ୍ଛତା ଅଭିଯାନ ଓ ରକ୍ତଦାନ ଭଳି ସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରି ଆଇଟିବିପି ପକ୍ଷରୁ ସମାଜ ପ୍ରତି ଦାୟିତ୍ୱବୋଧ ଓ ମାନବ ସେବାର ବାର୍ତ୍ତା ଦିଆଯାଇଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଲଖାର୍ଦ୍ଧା

ରୂପାୟନ' ତରଫରୁ ମହାତ୍ମା ଗାନ୍ଧୀ ସଦ୍ଭାବନା ସମ୍ମାନ ଉତ୍ସବ-୨୦୨୬ ପାଳିତ
ରୂପାୟନ' ଅନୁଷ୍ଠାନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ "ମହାତ୍ମା ଗାନ୍ଧୀ ସଦ୍ଭାବନା ସମ୍ମାନ ଉତ୍ସବ - ୨୦୨୬" ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା। ଗାନ୍ଧିଜୀଙ୍କ ଆଦର୍ଶ, ଶାନ୍ତି, ଅହିଂସା ଓ ସଦ୍ଭାବନାର ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଉତ୍ସବରେ 'ରୂପାୟନ'ର ସଦସ୍ୟ, ଅତିଥି ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର: 'ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଗାନ୍ଧୀଜୀ ଙ୍କ ଜୟନ୍ତୀରେ ମଦ ବିକ୍ରି ଅଭିଯୋଗ, ପୋଲିସର ନିରବତା ନେଇ ପ୍ରଶ୍ନ
ଝାରବନ୍ଧ –ମହାତ୍ମା ଗାନ୍ଧୀଜୀଙ୍କ ଜୟନ୍ତୀ ଓ ଭାରତରତ୍ନ ଲାଲବହାଦୁର ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ଅବସରରେ ମଦ ବିକ୍ରି ନିଷେଧ ଥିବା ସତ୍ତ୍ୱେ ଝାରବନ୍ଧ ବ୍ଲକ ଅଞ୍ଚଳରେ ମଦ ବିକ୍ରି ହୋଇଥିବା ଅଭିଯୋଗ ଉଠିଛି। ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଓ ନିତ୍ୟାନନ୍ଦପୁର ଗ୍ରାମରେ ଶୁକ୍ରବାର ମଦ ବିକ୍ରି ହୋଇଥିବା ନେଇ ସ୍ଥାନୀୟ ମହଲରୁ ଅଭିଯୋଗ ହୋଇଛି। ଗାନ୍ଧୀଜୀ ଙ୍କ ଜୟନ୍ତୀ ଭଳି ଜାତୀୟ ଦିବସରେ ସରକାରୀ ନିୟମ ଅନୁଯାୟୀ ମଦ ବିକ୍ରି ବନ୍ଦ ରହିବା କଥା ଥିବାବେଳେ ଏହି ଅଭିଯୋଗ ସ୍ଥାନୀୟ ପ୍ରଶାସନର ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏନେଇ ଆମ ପ୍ରତିନିଧି ଝାରବନ୍ଧ ପୋଲିସ ସହ ଫୋନ ଯୋଗେ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ଫୋନ୍ କଲ୍ରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ଅଭିଯୋଗ ରହିଛି। ଜାତୀୟ ଦିବସରେ ନିଷେଧ ସତ୍ତ୍ୱେ ଯଦି ମଦ ବିକ୍ରି ହୋଇଥାଏ, ତେବେ ଏହା କିପରି ଘଟିଲା ଏବଂ ଏଥିପାଇଁ କିଏ ଦାୟୀ—ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି। ଘଟଣାର ସତ୍ୟତା ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବା ସହ ଏନେଇ ପୋଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦେବାକୁ ଦାବି ହୋଇଛି।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଝାରବନ୍ଧ କଲେଜରେ ଅଗ୍ନିବୀର ଶିବିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଝାରବନ୍ଧ -ବଂଶୀଧର ନାୟକ ବରଗଡ଼ ଜିଲ୍ଲା ଝାରବନ୍ଧସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୧୦ ଦିନିଆ ଅଗ୍ନିବୀର ଶିବିରରେ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଅକ୍ଟୋବର ୨ ତାରିଖରେ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଜୟନ୍ତୀ ପାଳନ କରାଯାଏ। କାର୍ଯ୍ୟକ୍ରମରେ ଶିବିରରେ ଅଂଶଗ୍ରହଣ କରୁଥିବା ଅଗ୍ନିବୀର ପ୍ରଶିକ୍ଷାର୍ଥୀମାନେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନ, ଆଦର୍ଶ, ଦେଶପ୍ରେମ, ଶୃଙ୍ଖଳା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ଦେଶ ସେବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଦେଶଭକ୍ତି, ଶୃଙ୍ଖଳା ଓ କର୍ତ୍ତବ୍ୟବୋଧ ବୃଦ୍ଧି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଥିଲେ। ଏହି ଅବସରରେ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ସହ ଶାସ୍ତ୍ରୀଜୀଙ୍କ ସରଳ ଜୀବନ ଓ ଦେଶପ୍ରତି ନିଷ୍ଠା ବିଷୟରେ ପ୍ରଶିକ୍ଷାର୍ଥୀମାନଙ୍କୁ ଅବଗତ କରାଯାଇଥିଲା। ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ଯୁବପିଢ଼ି ନିଜ ଦାୟିତ୍ୱ ସଠିକ ଭାବେ ପାଳନ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା। ଶିବିରରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଶିବିର ପରିଚାଳକ, ସ୍ୱେଚ୍ଛାସେବୀ ଓ ଅଗ୍ନିବୀର ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ରହି ଦୁଇ ମହାନ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଶ୍ରୀ ହରିହର ସାହୁ, ମାନଭଞ୍ଜନ ମିର୍ଦ୍ଧା, ନବୀନ କୁମାର ମେହେର, ଗଗନ ବିହାରୀ ଡନସନା, ମୁକେଶ ବାଗ ଓ ଚନ୍ଦ୍ରମଣି ବାଗ ଯୋଗଦେଇଥିଲେ। ଅତିଥିମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଦୁର୍ଯ୍ୟୋଧନ ପାଣ୍ଡେଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇ ମହାବିଦ୍ୟାଳୟ ପରିସରକୁ ସଫାସୁତୁରା କରାଯାଇଥିଲା।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ପିତାତଳି ଗ୍ରାମପଞ୍ଚାୟତରେ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଓ ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ପାଳିତ
ଚିକିଟି :୦୨/୧୦/୨୦୨୬: ପିତାତଳି ଗ୍ରାମପଞ୍ଚାୟତ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଅଭିଯାନ ଅବସରରେ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପିତାତଳି ଗ୍ରାମପଞ୍ଚାୟତରେ ଆୟୋଜିତ ଗ୍ରାମସଭାରେ ସରପଞ୍ଚ ଏ. ରାଙ୍ଗା ରାଓ ସଭା ମୂଖ୍ୟ ଭାବେ ଯୋଗଦେଇଥିଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ଗ୍ରାମସଭାରେ ବିଭିନ୍ନ ବିଭାଗର କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଅଙ୍ଗନବାଡ଼ି କର୍ମୀ, ପ୍ରଧାନ ଶିକ୍ଷକ , ଗ୍ରାମବାସୀ ଯୋଗଦେଇଥିଲେ।ସଭାରେ ଚିକିଟି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ରାମକୃଷ୍ଣ ବେହେରା,ପିତାତଳି ରାଜସ୍ୱ ନିରୀକ୍ଷକ, ପ୍ରଧାନ ଶିକ୍ଷକ ବଳରାମ ବେହେରା, ସ୍ୱାସ୍ଥ୍ୟକର୍ମୀ କୁମାରୀ ଧରିତ୍ରୀ ଦାସ, ସ୍ୱୟଂ ସହାୟିକା କରିସ୍ମା କୁମାରୀ, କର୍ମଚାରୀ କାଳିଆ ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇଥିଲେ।ଏହି ଅବସରରେ ନିଜ ନିଜ ବିଭାଗର ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗୀୟ ପ୍ରତିନିଧିମାନେ ଆଲୋଚନା କରିଥିଲେ। ବିଶେଷକରି ସ୍ୱାସ୍ଥ୍ୟସେବା, ପୋଷଣ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ସ୍ୱଚ୍ଛତା ଏବଂ ଗ୍ରାମୀଣ ବିକାଶ କ୍ଷେତ୍ରରେ ଚାଲୁଥିବା ବିଭିନ୍ନ ଯୋଜନାର ସଫଳତା ବିଷୟରେ ବୁଝାଇଥିଲେ। କର୍ମଚାରୀ ମାନେ ନିଜ ନିଜ କ୍ଷେତ୍ରରେ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ତେବେ ପୁରୁଷଙ୍କ ତୁଳନାରେ ମହିଳା ମାନେ ସଂଖ୍ୟାଧିକ ଭାବେ ଯୋଗ ଦେଇଥିଲେ। ଏଥିସହ ପ୍ରେରଣା କେନ୍ଦ୍ର, ପିତାତଳି ର ମାମୁନି ସାହୁ ବାଲ୍ୟବିବାହ ନିରୋଧ ଓ ଏହାର କୁପ୍ରଭାବ ସମ୍ପର୍କରେ ସଚେତନତାମୂଳକ ଆଲୋଚନା କରିଥିଲେ। ବାଲ୍ୟବିବାହ ରୋକିବା ପାଇଁ ପରିବାର, ବିଦ୍ୟାଳୟ ଓ ସମାଜର ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ସ୍ୱଚ୍ଛତା ହିଁ ସେବାର ମୂଳ ଲକ୍ଷ୍ୟକୁ ସଫଳ କରିବା ପାଇଁ ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶେଷରେ ଉପସ୍ଥିତ ସମସ୍ତେ ସ୍ୱଚ୍ଛତା ଶପଥ ପାଠ କରି ନିଜ ଘର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଗ୍ରାମ ପରିବେଶକୁ ସ୍ୱଚ୍ଛ ରଖିବା ସହ ଅନ୍ୟମାନଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିବା ପାଇଁ ସଂକଳ୍ପ ନେଇଥିଲେ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ

ବେଲଟୁକୁରି ଗ୍ରାମପଞ୍ଚାୟତରେ ଗାନ୍ଧୀ ଜୟନ୍ତୀ ପାଳିତ: ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା ପାଇଁ ନିଆଗଲା ସଂକଳ୍ପ
ନୂଆପଡ଼ା: ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ବେଲଟୁକୁରି ଗ୍ରାମପଞ୍ଚାୟତ ପରିସରରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ଜୀବନ, ଆଦର୍ଶ ଓ ଦେଶ ପାଇଁ ତାଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଗାନ୍ଧୀଜୀ ସତ୍ୟ ଓ ଅହିଂସାକୁ ଅସ୍ତ୍ର କରି ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲେ। ସ୍ୱାଧୀନତା ସହିତ ସେ ସ୍ୱଚ୍ଛତା, ସ୍ୱାବଲମ୍ବନ, ଗ୍ରାମ ସ୍ୱରାଜ, ମାନବିକତା ଓ ସାମାଜିକ ସମାନତାର ବାର୍ତ୍ତା ଦେଇଥିଲେ। ଗାନ୍ଧୀଜୀଙ୍କ ମତରେ ଦେଶର ପ୍ରକୃତ ବିକାଶ ଗ୍ରାମର ବିକାଶ ସହିତ ଜଡ଼ିତ। ତେଣୁ ଗ୍ରାମକୁ ସ୍ୱଚ୍ଛ, ସୁସ୍ଥ ଓ ସ୍ୱାବଲମ୍ବୀ କରିବା ଦିଗରେ ସମସ୍ତେ ଏକାଠି ହୋଇ କାମ କରିବାକୁ ଏହି ଅବସରରେ ଆହ୍ୱାନ କରାଯାଇଥିଲା। ବିଶେଷକରି ନିଜ ଗାଁକୁ ପ୍ଲାଷ୍ଟିକ ମୁକ୍ତ କରିବା, ପରିବେଶର ସୁରକ୍ଷା, ସ୍ୱଚ୍ଛତା ବଜାୟ ରଖିବା, ଶିଶୁ ଶ୍ରମିକ ନିରୋଧ ଓ ବାଲ୍ୟ ବିବାହ ଭଳି ସାମାଜିକ ସମସ୍ୟା ବିରୋଧରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଗ୍ରାମୀଣ ଲୋକଙ୍କ ପାଇଁ ୧୨୫ ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ସମ୍ପର୍କରେ ମଧ୍ୟ ଗ୍ରାମବାସୀଙ୍କୁ ବୁଝାଇଥିଲେ ଗ୍ରାମପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାଳକ ରାମ ମାଝୀ। ଗ୍ରାମବାସୀମାନେ ଯୋଜନାର ସୁଯୋଗ ନେଇ ରୋଜଗାର ପାଇବା ସହିତ ଗ୍ରାମର ମୌଳିକ ଭିତ୍ତିଭୂମି ଓ ବିକାଶ କାର୍ଯ୍ୟରେ ସହଯୋଗ କରିବାକୁ ସେ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ସରପଞ୍ଚ ଚନ୍ଦ୍ରଶେଖର ଚନ୍ଦ୍ରକାର, ନାୟବ ସରପଞ୍ଚ ତୋଷ ଚନ୍ଦ୍ରକାର, ମେମ୍ବର ହରେଶ ଚନ୍ଦ୍ରକାର, ପ୍ରଭୁ ନାୟକ, ମୋହନ ପାଣ୍ଡେ, ନେତ ରାମ ବରିହା, ରାଜେନ ବରିହା, ଗ୍ରାମସାଥୀ, ସୁନିତା ଚନ୍ଦ୍ରକାର, ଆସଦା ନାୟକ, ମିଥିଲା ନାୟକ, ହୀରା ଚନ୍ଦ୍ରକାରଙ୍କ ସମେତ ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସାମାଜିକ ସଚେତନତା ଓ ଗ୍ରାମର ସାମୂହିକ ବିକାଶ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବାର ସଂକଳ୍ପ ନେଇଥିଲେ। ଶେଷରେ ଗ୍ରାମପଞ୍ଚାୟତ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା।
Nuapada (ନୂଆପଡ଼ା) • ରିପୋର୍ଟ: ବିଜୟ ବରିହା, ନୂଆପଡା
