ରାସୋଳରେ ଅବକାରୀ ଚଢ଼ାଉ, ୬୨୦ ଲିଟର ଦେଶୀ ମଦ ସହ ୩ ଦୁଇଚକିଆ ଜବତ, ଜଣେ ଗିରଫ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାOctober 2, 202610 views

ଖୋରଧା, : ବେଗୁନିଆ ଥାନା ଅଧୀନ ରାସୋଳ ଗ୍ରାମରେ ବେଆଇନ ଦେଶୀ ମଦ କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିଲା ମୋବାଇଲ ୟୁନିଟ୍ ପକ୍ଷରୁ ହୋଇଥିବା ଏହି ଚଢ଼ାଉରେ ୬୨୦ ଲିଟର ଅବୈଧ ଦେଶୀ ମଦ ସହ ୩ଟି ଦୁଇଚକିଆ ଯାନ ଜବତ ହୋଇଛି। ଘଟଣାରେ ମିନତୀ ପାଇକରାୟ (୪୦)ଙ୍କୁ ଗିରଫ କରାଯାଇଛି।ଅବକାରୀ ବିଭାଗର ସୂଚନା ଅନୁଯାୟୀ, ରାସୋଳ ଗ୍ରାମରେ ଅଭିଯୁକ୍ତଙ୍କ ଘର ପଛପଟେ ମଦ ମହଜୁଦ ଥିବା ସୂଚନା ପାଇ ଅକ୍ଟୋବର ୨ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୬୨୦ ଲିଟର IDL ଜବତ ହୋଇଥିଲା।ଏଥିସହ TVS Jupiter ସ୍କୁଟି (OD-02-DE-7124), Yamaha Fascino ସ୍କୁଟି ଏବଂ Hero HF Deluxe ମୋଟରସାଇକେଲ (OD-05-AU-3214) ଜବତ କରାଯାଇଛି। ଜବତ ମଦ ଓ ଯାନବାହନର ମୋଟ ଆନୁମାନିକ ମୂଲ୍ୟ ୩ ଲକ୍ଷ ୬୪ ହଜାର ଟଙ୍କା ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି।
ଏହି ଘଟଣାରେ ମିନତୀ ପାଇକରାୟଙ୍କ ସହ ତାଙ୍କ ସ୍ୱାମୀ **ରାଜନୀକାନ୍ତ ପାଇକରାୟ ଓରଫ ରାଜିଆ (୪୪)**ଙ୍କ ନାମ ମଧ୍ୟ ମାମଲାରେ ରହିଛି। ରାଜନୀକାନ୍ତ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।ଏନେଇ P.R. No. 269/2026-27 ରେ OEA-2008 ଧାରା ୫୨(ଏ)(i) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ମିନତୀ ପାଇକରାୟଙ୍କୁ ଅକ୍ଟୋବର ୨ ତାରିଖରେ ଜେଏମ୍ଏଫ୍ସି, ବେଗୁନିଆଙ୍କ ଅଦାଲତରେ ହାଜର କରାଯାଇଛି।
ରେଞ୍ଜ ଇନ୍ସପେକ୍ଟର ରାଧାକାନ୍ତ ଭୋଇ ଓ ଅବକାରୀ ଇନ୍ସପେକ୍ଟର ମାନସୀ ନାୟକଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା। ଏଥିରେ ଏସ୍ଆଇ ସୁଜିତ କୁମାର ମୁଦୁଲି, ଖୋରଧା ଷ୍ଟେସନ୍ ଓଆଇସି ସୁଜିତ କୁମାର ନାଗ, ଏଏସ୍ଆଇ ଜିତେନ୍ଦ୍ର କୁମାର ବେହେରାଙ୍କ ସମେତ ଅବକାରୀ କର୍ମଚାରୀମାନେ ସାମିଲ ହୋଇଥିଲେ। ଅବକାରୀ ଅଧୀକ୍ଷକ ସୁମତୀ ତ୍ରିପାଠୀଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ କରାଯାଇଥିଲା।
