ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସିଭିଲ୍ ସୋସାଇଟିର ଦାବିପତ୍ର
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵରJuly 2, 202658 views

ବାଲେଶ୍ୱର : ବୁଧବାର ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ୩ ପ୍ରମୁଖ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। ବାଲେଶ୍ୱର ସହରରେ ଥିବା ସରକାରୀ ଜମିକୁ ଜବର ଦଖଲ ମୁକ୍ତ କରିବା, ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା ଓ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଚଳିତ ବର୍ଷର ନୂଆ ପାଠ୍ୟପୁସ୍ତକ ପୂରା ନିର୍ଭୁଲ୍ କରି ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଯୋଗାଇବାକୁ ସଂଗଠନ ଦାବି କରିଛି। ସହରରେ ଯାନବାହନ ସଂଖ୍ୟା ବଢ଼ିଥିବା ବେଳେ ସହର ମୁଖ୍ୟ ପ୍ରବେଶ ପଥ (ଓଟି ରୋଡ୍) ସମ୍ପ୍ରସାରଣ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସିଭିଲ୍ ସୋସାଇଟି ସ୍ୱାଗତ କରିଛି। ଏଥିରେ ସରକାରୀ ଜମି ଅବରୋଧ ହୋଇଥିବାରୁ ସମ୍ପ୍ରସାରଣ କାର୍ଯ୍ୟ ଠିକରେ ହୋଇପାରୁନି। ତାମ୍ପୁଲିଆ ଓଭରବ୍ରିଜ୍ରୁ ଫକୀରମୋହନ ଗୋଲେଇ ପର୍ଯ୍ୟନ୍ତ ଉଭୟ ପଟେ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜବରଦଖଲରେ ଥିବା ବହୁ ଘର, ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର ଗୁଡ଼ିକୁ ଉଚ୍ଛେଦ ହୋଇନି। ତେଣୁ ରାସ୍ତା ସମ୍ପ୍ରସାରଣ ଓ ପାର୍ଶ୍ୱ ଡ୍ରେନ୍ ତିଆରି ଠିକ୍ ଭାବେ ହୋଇପାରୁନି। ଅଜ୍ଞାତଖଣ୍ଡିଆ, ତେଲେଙ୍ଗା ସାହି ଓ ପଢ଼ୁଆଁପଦା ମୌଜାରେ ଥିବା ପ୍ରାୟ ୪୦ ଏକରରୁ ଅଧିକ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରି ସେଠାରେ ନୂଆ ମାର୍କେଟ ଓ ହାଟ ପ୍ରତିଷ୍ଠାପାଇଁ ସଂଗଠନ ସରକାରଙ୍କୁ ଏହି ଚିଠି ଦେଇଛି। ରାସ୍ତା ପାର୍ଶ୍ୱରୁ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଏହି ନୂଆ ମାର୍କେଟ ଓ ହାଟରେ ଅବସ୍ଥାନ ପାଇଁ ଓ ଯାନବାହନ ପାର୍କିଂର ସୁଯୋଗ ଦିଆଯାଇପାରନ୍ତା ବୋଲି ସିଭିଲ୍ ସୋସାଇଟି କହିଛି। ଏହାଛଡ଼ା ରାଜ୍ୟରେ ନୂଆ ଜାତୀୟ ଶିକ୍ଷାନୀତି ପ୍ରଚଳନ ପାଇଁ ସରକାରୀ ପାଠ୍ୟପୁସ୍ତକରେ ଅକ୍ଷମଣୀୟ ତ୍ରୁଟି ହୋଇଛି। ଏହି ଭୁଲ୍ ପାଇଁ ଦୋଷୀ ବ୍ୟକ୍ତିଙ୍କ ଠାରୁ ବହି ଛପା ବାବଦକୁ ସମସ୍ତ କ୍ଷତି ଭରଣା ପାଇଁ ଶିକ୍ଷାବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସିଭିଲ୍ ସୋସାଇଟି ଦାବି କରିଛି।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସହିତ ସର୍ବଶ୍ରୀ ଅଜିତ କୁମାର ବରାଳ, ମଲ୍ଲୟ ରାୟ, ଶ୍ୟାମସୁନ୍ଦର ଜେନା, କମଳାକାନ୍ତ ବେହେରା, ସନ୍ତୋଷ କୁମାର ସାହୁ ପ୍ରମୁଖ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
