--:--:--
-- ---
Srishti News

Web News

ପରିତ୍ୟକ୍ତ ଅବସ୍ଥାରେ ଜଗନ୍ନାଥ ମନ୍ଦିର ର ଦକ୍ଷିଣ ପାର୍ଶ୍ୱଦ୍ଵାର
Jun 18, 2026•293 views

ପରିତ୍ୟକ୍ତ ଅବସ୍ଥାରେ ଜଗନ୍ନାଥ ମନ୍ଦିର ର ଦକ୍ଷିଣ ପାର୍ଶ୍ୱଦ୍ଵାର

ଖଲ୍ଲିକୋଟ: ଓଡ଼ିଶାର ଅଦ୍ୱିତୀୟ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଖଲ୍ଲିକୋଟ ସହର ରେ ଅବସ୍ଥିତ । ଯାହାକି ପୁରୀସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଢାଞ୍ଚାରେ ନିର୍ମିତ ହୋଇଛି । ଖଲ୍ଲିକୋଟ ଗଡ଼ର ମହାନୁଭବ ରାଜା ଙ୍କ ଶାସନ କାଳରେ ନିର୍ମାଣ ହୋଇଥିବା ବେଳେ ତାହା ଏବେ ଅବହେଳିତ ହେବା ପରିଲକ୍ଷିତ ହେଉଛି। ଜଗନ୍ନାଥ ମନ୍ଦିର ର ମେଘନାଦ ପାଚେରୀକୁ ଲାଗି କେତେକ ଲୋକ ଜବରଦଖଲ ରେ ରଖିବାରେ ନଜରକୁ ଆସୁଛି ବୋଲି, ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ତା ସହିତ ମନ୍ଦିର ର ଚତୁଃପାର୍ଶ୍ଵରେ ଶିଉଳି ମାଡି ଗଲାଣି, ବର୍ଷା ହେଲେ ମନ୍ଦିର ମଧ୍ୟରେ କେତେକ ସ୍ଥାନରେ ଜଳ ନିର୍ଗତ ହେବା ଦୃଷ୍ଟି ଗୋଚର ହେଉଛି। ଏଣ୍ଡୋମେଣ୍ଟ୍ ବୋର୍ଡ ର ସଭାପତି ସ୍ବର୍ଗତ ରାଣୀସା ସାହେବଙ୍କ ଦେହାନ୍ତ ପରେ ବର୍ତ୍ତମାନର ଏଣ୍ଡୋମେଣ୍ଟ୍ ବୋର୍ଡ ରେ ସଭ୍ୟ ରୂପେ କାର୍ଯ୍ୟ ରତ କେଉଁ ମାନେ ଅଛନ୍ତି ତାହା ସର୍ବ ସାଧାରଣ ଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ଲକ୍ଷ୍ୟ କରାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତା ସଙ୍ଗେସଙ୍ଗେ ଆମେଯଦି ତର୍ଜମା କରିଵା ବିଜେଡି ସରକାର ଙ୍କ ସମୟରେ ପଞ୍ଚନିତୀ ଅନୁସରଣ କରୁଥିବା ଭି.କାର୍ତ୍ତିକ ପାଣ୍ଡିଆନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ମନ୍ଦିର ସମୂହ କୁ ଅପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରିଛନ୍ତି। କିନ୍ତୁ ଖଲ୍ଲିକୋଟ ର ଜଗନ୍ନାଥ ମନ୍ଦିର ଏଥିରୁ ବାଦ୍ ପଡିବା ପରେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଡବଲ୍ ଇଞ୍ଜିନ୍ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଖଲ୍ଲିକୋଟ ର ଜଗନ୍ନାଥ ମନ୍ଦିର ପ୍ରତି କୋୖଣସି ପଦକ୍ଷେପ ନେଉନଥିବା ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟେଣ୍ଡର ମାମଲାକୁ କେନ୍ଦ୍ରକରି ଏନ୍ଏସି ରେ ଟଣାଓଟରା ଚାଲିଥିବା ବେଳେ, ଖଲ୍ଲିକୋଟ ରଧର୍ମାନୁଷ୍ଠାନ ପ୍ରତି ବୈମାତୃକ ମନୋଭାବ ପୋଷଣ କାହିଁକି କେଜାଣି ସାମ୍ନା କୁ ଆସୁଛି ତାହା ଏକ ପରିତାପ ବିଷୟ ବୋଲି ଜଣାପଡିଛି । ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦ୍ଵାର ହେଉଛି ବାହୁତୀ ଠାକୁରାଣୀ ଙ୍କ ପୀଠ କୁ ଯିବା ରାସ୍ତା, ପୁଣି ଦକ୍ଷିଣ ପାର୍ଶ୍ୱରେ ଅଛି ଟାଉନ୍ ପ୍ରାଥମିକ ବିଦ୍ୟାଳୟ ଏ ମଧ୍ୟରେ ଅଳିଆ, ଆବର୍ଜନା ରେ ପରିପୂର୍ଣ ଦକ୍ଷିଣ ଦ୍ଵାର ହେଲେ ନଜର ପଡୁନାହିଁ କାହାର ? ରାତ୍ର ପାହିଲେ କେତେ ଯେ ଭକ୍ତ ଦର୍ଶନ ନିମନ୍ତେ ଏରାସ୍ତା ଦେଇ ଥିବା ଆସିବା କରିଥାନ୍ତି, ତା'ର ହିସାବ ନାହିଁ। ତେଣୁ ଏଠାରେ ଶାସକ ପ୍ରଶାସକ ମାନଙ୍କୁ ନିବେଦନ କରିଛନ୍ତି ଏହାର ତଦନ୍ତ କରି ଉପଯୁକ୍ତ ବିଚାର କରି ପଦକ୍ଷେପ ନେଲେ ମନ୍ଦିର ସମୂହ ର ଉନ୍ନତି ହୋଇପାରିବ।

Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟ

ଭୁବନରେ ଶିବପାର୍ବତୀ ବିବାହ,  ବାଜା ବାଣରେ ଦୁଳୁକିଲା ସହର
Jun 18, 2026•107 views

ଭୁବନରେ ଶିବପାର୍ବତୀ ବିବାହ, ବାଜା ବାଣରେ ଦୁଳୁକିଲା ସହର

ଢେଙ୍କାନାଳ-ଭୁବନ: ପବିତ୍ର ଶୀତଳ ଷଷ୍ଠୀ ଅବସରରେ ବିପୁଳ ଉତ୍ସାହ ଉଦ୍ଦୀପନା ଓ ଆନନ୍ଦ ଉଲ୍ଲାସ ସହ ଢେଙ୍କାନାଳ ଜିଲ୍ଲା ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ ହୋଇଯାଇଛି। ଭୁବନ ଏନ୍ଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସ୍ଥିତ ଛତାମଠ ପରିସରରେ ବାବା କାଶୀ ବିଶ୍ଵନାଥଙ୍କର ମାତା ପାର୍ବତୀ ଙ୍କ ସହିତ ବିବାହ ସମ୍ପନ୍ନ ହୋଇଯାଇଛି । ବର ପିତାମାତା ଭାବେ ମୁନା ସାଥୁଆ ମହାପାତ୍ର, ବିନତୀ ସାଥୁଆ ମହାପାତ୍ର ଏବଂ କନ୍ୟା ପିତା ମାତା ଭାବେ ବିପିନ ସାମନ୍ତ ରାୟ ,ପ୍ରଭାତୀ ସାମନ୍ତ ରାୟ ଯୋଗଦେଇ ଦେବ ବିବାହ କରିଥିଲେ । ପୁରୋହିତ ତପନ କୁମାର ମିଶ୍ର ମନ୍ତ୍ରପାଠ କରି ଦେବ ଦମ୍ପତି ଙ୍କ ବିବାହ କରାଇ ଥିଲେ । ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାମୁହିକ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟାରେ ଦେବ ଦମ୍ପତି ନଗର ପରିକ୍ରମା କରିଥିଲେ । କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ଙ୍କ ସମେତ ବରିଷ୍ଠ କର୍ମକର୍ତ୍ତା ସୁରେନ୍ଦ୍ର କୁମାର ପୋଥାଳ, ସଦାନନ୍ଦ ନାୟକ ଓ ଶିବ ବିବାହ ପରିଚାଳନା କମିଟି ସଦସ୍ୟ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଢେଙ୍କାନାଳ ଜିଲ୍ଲା ର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ବୁଦ୍ଧେଶ୍ଵର ଙ୍କ ମାତା ପାର୍ବତୀ ଦେବୀ ଙ୍କ ବିବାହ କାର୍ଯ୍ୟରେ ଚଳିତ ବର୍ଷ ବିନୀତ କୁମାର ସାହୁ, ମନ୍ଦାକିନୀ ଗୁରୁ ମହାଦେବ ଙ୍କ ପିତା ମାତା ଏବଂ ଦୀପକ କୁମାର ଦାସ, ରଶ୍ମିତା ପୋଥାଳ ମାତା ପାର୍ବତୀଙ୍କ ପିତା ମାତା ସାଜି ବିବାହ କରାଇ ଥିଲେ । ସନ୍ଧ୍ୟା ୬ ଘଟିକା ସମୟ ରେ ବାଟ ବରଣି କରାଯାଇଥିଲା ଓ ସନ୍ଧ୍ୟା ୭ ଘଟିକରେ ବ୍ରାହ୍ମଣୀ ଦେବୀ ଛକରୁ ମହାଦେବ ଙ୍କ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ତତ୍ତ୍ଵାବଧାନରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ବରଯାତ୍ରୀ ସାଜିଥିଲେ । ଡି ଜେ ସାଉଣ୍ଡ ସାଙ୍ଗକୁ ବାଜା ,ବାଣ ଓ ମହିଳା, ପୁରୁଷ ସଙ୍କୀର୍ତ୍ତନ ରେ ସହର ଦୁଲୁକିଥିଲା । ରାତ୍ର ୧୦ ଘଟିକା ରେ ବରଯାତ୍ରୀ ସହ ବୂଦ୍ଧେଶ୍ୱର ମହାଦେବ ମନ୍ଦିର ରେ ପହଞ୍ଚିବା ପରେ ବିବାହ କାର୍ଯ୍ୟ ଅନୁଷ୍ଟିତ ହେବାର ସ୍ଥିର ହୋଇଛି ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ଜଣାପଡ଼ିଛି। ଭୂଷଳ ପଞ୍ଚାୟତର ଜୟପୁର ଶିବ ମନ୍ଦିର ରେ ମଧ୍ୟ ଦେବ ଦମ୍ପତି ଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଅତିଥି ଭାବେ ଯୋଗଦେଇଥିଲେ ।

Jajpur (ଯାଜପୁର) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଢାବାରେ ଗ୍ୟାସ୍ ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ: ୩ ଆହତ
Jun 18, 2026•79 views

ଢାବାରେ ଗ୍ୟାସ୍ ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ: ୩ ଆହତ

ନବରଙ୍ଗପୁର: ଜିଲ୍ଲାର ରାଇଘର ସଦର ଅଞ୍ଚଳରେ ଥିବା ମାଉସି ମା’ ମନ୍ଦିର ନି ନିକଟସ୍ଥ ଏକ ଢାବାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକେଜ୍ ହେବା ଯୋଗୁ ଏହି ଦୁର୍ଘଟଣା ଘଟି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ଢାବାରେ  କାର୍ଯ୍ୟରତ ଦୁଇଜଣ କର୍ମଚାରୀ ସୁବାସ ହରିଜନ, ଯୋଗେଶ ହରିଜନ ସହ ଢାବା ମାଲିକ ପରିମୋଲ ସିଲ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାତି ପ୍ରାୟ ୧୧ଟା ସମୟରେ ଢାବାର ରୋଷେଇ ଘରେ ଥିବା ଏକ ଗ୍ୟାସ୍ ଟାଙ୍କିରୁ ହଠାତ୍ ଗ୍ୟାସ୍ ଲିକ୍ ହେବା ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ସେଠାରେ ନିଆଁ ଲାଗିଯାଇଥିଲା ଏବଂ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀମାନେ ଓ ଢାବା ମାଲିକ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ଏହି ସମୟରେ ଦୁଇ ଜଣ କର୍ମଚାରୀ ଓ ଢାବା ମାଲିକ ଗୁରୁତର ଭାବେ ପୋଡ଼ିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସଙ୍କ ସହଯୋଗରେ ଆହତ ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ରାଇଘର ପ୍ରାଥମିକ କ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ତେବେ ସେମାନଙ୍କର ଶରୀରର ବହୁ ଅଂଶ ପୋଡ଼ି ଯାଇଥିବାରୁ ଓ ସ୍ଵାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ଡାକ୍ତରମାନେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଇପୁର ସ୍ଥାନାନ୍ତର କରିଥିବା ଜଣାପଡିଛି। ଘଟଣା ପରେ ସମଗ୍ର ରାଇଘର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗ୍ୟାସ୍ ସିଲିଣ୍ଡର  ଓ ରୋଷେଇ ଉପକରଣ ବ୍ୟବହାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

Nabarangpur (ନବରଙ୍ଗପୁର) • ରିପୋର୍ଟ: ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

ବିକାଶର ଧାରା ଓଡ଼ିଶା ସାରା: କୃଷି ଓ ସଶକ୍ତ କୃଷକ ବିଭାଗର ସଫଳତା ନେଇ ସଚେତନତା ସଭା
Jun 18, 2026•109 views

ବିକାଶର ଧାରା ଓଡ଼ିଶା ସାରା: କୃଷି ଓ ସଶକ୍ତ କୃଷକ ବିଭାଗର ସଫଳତା ନେଇ ସଚେତନତା ସଭା

ଖଡ଼ିଆଳ, ୧୮/୦୬ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ପକ୍ଷରୁ ଆୟୋଜିତ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କୃଷି ଓ ସଶକ୍ତ କୃଷକ ବିଭାଗର ବିଭିନ୍ନ ଉପଲବ୍ଧି ଏବଂ ସରକାରୀ ଯୋଜନା ସମ୍ପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କୃଷକଙ୍କ ଆର୍ଥିକ ସଶକ୍ତିକରଣ, ଆଧୁନିକ କୃଷି ପ୍ରଣାଳୀ ଏବଂ ସରକାରୀ ସହାୟତାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ରାଜ୍ୟ ସରକାର କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି। ଜୈବିକ ଓ ଆଧୁନିକ ଚାଷ ପ୍ରଣାଳୀକୁ ଆପଣାଇବା ଦ୍ୱାରା ଜମିର ଉର୍ବରତା ବଜାୟ ରହିବା ସହ ଉତ୍ପାଦନ ବୃଦ୍ଧି ପାଇବ ଏବଂ କୃଷକଙ୍କ ଆୟ ମଧ୍ୟ ବଢ଼ିବ ବୋଲି ସେ ମତ ପ୍ରକାଶ କରିଥିଲେ। ସଭାରେ ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନା, ଆତ୍ମା ଅଧ୍ୟକ୍ଷ ନବୀନ ନାଏକ, ସମାଜସେବୀ ଅଜିତ କିଶୋର ଚଲାନ, ତିଖାଲି ଜଳସେଚନ ପ୍ରକଳ୍ପ ପାଣି ପଞ୍ଚାୟତ ଅଧ୍ୟକ୍ଷ ସୁଶାନ୍ତ କୁମାର ବିଶିଙ୍କ ସମେତ ବହୁ ଜନପ୍ରତିନିଧି ଓ ଅଧିକାରୀ ଉପସ୍ଥିତ ରହି କୃଷି କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ସଫଳତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କୃଷି, ସମନ୍ୱିତ ଶିଶୁ ଓ ମହିଳା ବିକାଶ, ଶିକ୍ଷା, ଖାଦ୍ୟ ଯୋଗାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସମେତ ବିଭିନ୍ନ ବିଭାଗ ପକ୍ଷରୁ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ପ୍ରଦର୍ଶନୀ ମାଧ୍ୟମରେ ସରକାରଙ୍କ ଜନହିତକର ଯୋଜନା, କୃଷି ଉନ୍ନତି କାର୍ଯ୍ୟକ୍ରମ ଓ ଲୋକକଲ୍ୟାଣମୂଳକ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ କୃଷକ ଓ ସାଧାରଣ ଜନତାଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଉଠାଇ ନିଜ ଆର୍ଥିକ ଓ ସାମାଜିକ ବିକାଶରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମଟି ଅଞ୍ଚଳରେ ବିକାଶ ଓ ସଚେତନତାର ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇବାରେ ସଫଳ ହୋଇଥିବା ମତ ପ୍ରକାଶ ପାଇଛି।

Nuapada (ନୂଆପଡ଼ା) • ରିପୋର୍ଟର: ଭଜନଲାଲ ଜଗତ

କୋକସରାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ
Jun 18, 2026•112 views

କୋକସରାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ

କୋକସରା: ବିକାଶର ଧାରା ଓ ଓଡ଼ିଶାର ଗୌରବର ଦୁଇ ବର୍ଷ ପୂର୍ତ୍ତିର ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଫିସଠାରେ ଅନୁସୂଚିତ ଜାତି ଓ ଜନଜାତି ସମାଜକୁ ନେଇ ଏକ ଭବ୍ୟ ସମ୍ବାଦ ବୈଠକ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ବହୁ ସଂଖ୍ୟକ ଲୋକ, ସାମାଜିକ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ସଭାରେ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ସମାଜର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଅଧିକାର ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଉପରେ ଆଲୋକପାତ କରିଥିଲେ। ମୂଖ୍ୟ ଅତିଥି ଭାବେ ବିଡ଼ିଓ ହିମାଞ୍ଚଲ ମାଝୀ ,ସମ୍ମାନୀତ ଅତିଥି ଭାବେ ବିଜେପି ଏସ୍‌.ସି. ମୋର୍ଚ୍ଚା ଜିଲ୍ଲା ଉପସଭାପତି ନିରଞ୍ଜନ ଛତ୍ରିଆ , ମୂଖ୍ୟବକ୍ତା ଭାବେ ଜିଲ୍ଲା ଅନୁସୂଚୀତ ଜନଜାତି ମୋର୍ଚା ଜିଲ୍ଲା ସଭାପତି ତ୍ରିନାଥ ଶବର ଉପସ୍ଥିତ ରହି ସମାଜର ସାମଗ୍ରିକ ବିକାଶ ଓ ସଶକ୍ତିକରଣ ଉପରେ ନିଜର ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ତ୍ରିନାଥ ଶବର,ଯୋଗଦେଇ ଅନୁସୂଚିତ ଜାତି ଓ ଜନଜାତି ସମାଜର ଗୌରବ, ସମ୍ମାନ, ଅଧିକାର ସୁରକ୍ଷା ଓ ବିକାଶର ଦିଗ ଉପରେ ଆଲୋଚନା କରିଥିଲେ। ମଧ୍ୟ ଉପସ୍ଥିତ ରହି ସଂଗଠନର ସୁଦୃଢ଼ତା, ସମାଜର ଉନ୍ନତି ଓ ସରକାରୀ ଯୋଜନାର ସୁଫଳ ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ। ସଭାରେ ଜନସାଧାରଣଙ୍କ ସହ ସିଧାସଳଖ ସମ୍ବାଦ କରାଯାଇ ବିଭିନ୍ନ ସମସ୍ୟା, ବିକାଶମୂଳକ ପ୍ରସଙ୍ଗ ଓ ସମାଜର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ଶେଷରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ସମ୍ମାନ, ଅଧିକାର ଓ ସାମଗ୍ରିକ ବିକାଶ ପାଇଁ ସମସ୍ତେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପ ନେଇଥିଲେ। ବିଡ଼ିଓ ହିମାଞ୍ଚଲ ମାଝୀ କାର୍ଯକ୍ରମ ପରିଚାଳନା କରିଥିବା ବେଲେ WEO ଭବାନୀ ଶଙ୍କର ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ l

Kalahandi (କଳାହାଣ୍ଡି) • ରିପୋର୍ଟ : ରିତେଶ କୁମାର ମୁଣ୍ଡ, କୋକସରା

ଡିଉଟି ସମୟରେ KCCL ଡ୍ରାଇଭରଙ୍କ ମୃତ୍ୟୁ; ପରିବାରକୁ ସହାୟତା ପାଇଁ ଆଗେଇ ଆସିଲେ ବିଧାୟକ ବ୍ରଜକିଶୋର ପ୍ରଧାନ
Jun 18, 2026•141 views

ଡିଉଟି ସମୟରେ KCCL ଡ୍ରାଇଭରଙ୍କ ମୃତ୍ୟୁ; ପରିବାରକୁ ସହାୟତା ପାଇଁ ଆଗେଇ ଆସିଲେ ବିଧାୟକ ବ୍ରଜକିଶୋର ପ୍ରଧାନ

ଅନୁଗୋଳ: ତାଳଚେର ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ KCCL କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟରତ ମଧ୍ୟପ୍ରଦେଶର ବାସିନ୍ଦା ଦୁର୍ଗା ପ୍ରସାଦ ଶୁକ୍ଲାଙ୍କର ଡ୍ୟୁଟି ସମୟରେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସହକର୍ମୀମାନେ ତୁରନ୍ତ ତାଙ୍କୁ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ପାଇବା ପରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ମେଡିକାଲରେ ପହଞ୍ଚି ମୃତକଙ୍କ ଶେଷ ଦର୍ଶନ କରିଥିଲେ। ସେ MCL ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ମରଶରୀରକୁ ସମ୍ମାନର ସହ ମଧ୍ୟପ୍ରଦେଶ ପଠାଇବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିଥିଲେ। ଏହି ଅବସରରେ ଯୁବ ନେତା ରାଜେଶ ଦାସ, ଠିକା କର୍ମଚାରୀ ସଂଘର ବଭ୍ରୁବାହ ପ୍ରଧାନ ଏବଂ ଯୁବ ନେତା ମନୋଜ ସାହୁ ଉପସ୍ଥିତ ଥିଲେ। ଦୁର୍ଗା ପ୍ରସାଦ ଶୁକ୍ଲାଙ୍କ ଅକାଳ ବିୟୋଗରେ ସହକର୍ମୀ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭାରତ ନିର୍ବାଚନ ଆୟୋଗ ପ୍ରିନ୍‌ସିପାଲ  ସେକ୍ରେଟେରୀଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା
Jun 18, 2026•63 views

ଭାରତ ନିର୍ବାଚନ ଆୟୋଗ ପ୍ରିନ୍‌ସିପାଲ ସେକ୍ରେଟେରୀଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସମୀକ୍ଷା

ଭାରତ ନିର୍ବାଚ଼ନ ଆୟୋଗଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଶ୍ରୀଯୁକ୍ତ ଏସ୍.ବି. ଯୋଷୀ ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଆଜି ସମୀକ୍ଷା କରିଛନ୍ତି । ପ୍ରିନ୍ସପାଲ ସେକ୍ରେଟାରୀ ଶ୍ରୀଯୁକ୍ତ ଯୋଷୀ ମୁଖ୍ୟ ନିର୍ବାଚ଼ନ ଅଧିକାରୀ, ମହାରାଷ୍ଟ୍ର କାର୍ଯ୍ୟାଳୟର ଡ଼େପୁଟୀ ସେକ୍ରେଟାରୀ ଶ୍ରୀ ଏମ୍. ଆର୍. ପାରକର ଏବଂ ଅଣ୍ତର ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ ନାଗେ ଏବଂ ମୁଖ୍ୟ ନିର୍ବାଚ଼ନ ଅଧିକାରୀ, ଓଡ଼ିଶା କାର୍ଯ୍ୟାଳୟର ଅଧିକାରୀମାନଙ୍କ ସହିତ ବିଭିନ୍ନ ବୁଥ ପରିଦର୍ଶନ କରି ବି.ଏଲ୍.ଓ. ମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ପୁନଶ୍ଚ, ପ୍ରିନସିପାଲ ସେକ୍ରେଟାରୀ ଶ୍ରୀ ଯୁକ୍ତ ଯୋଷୀଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚ଼ନ୍ଦ୍ର ସେଠି, ସମସ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଏବଂ ଡ଼େପୁଟୀ କଲେକ୍ଟର, ନିର୍ବାଚନ, ନିବେଦିତା ରାଉତଙ୍କ ସହିତ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ ।

Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ

୧୫୦ ଲିଟର ଦେଶୀ ମଦ ଜବତ ଓ ୧୫୦୦ ଲିଟର ମହୁଲ ପୋଚ ନଷ୍ଟ କରାଗଲା
Jun 18, 2026•79 views

୧୫୦ ଲିଟର ଦେଶୀ ମଦ ଜବତ ଓ ୧୫୦୦ ଲିଟର ମହୁଲ ପୋଚ ନଷ୍ଟ କରାଗଲା

ଢେଙ୍କାନାଳ-ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରାଆଜି ଗୁରୁବାର ୧୫୦ଲିଟର ଦେଶୀ ମଦ ଜବତ ହେବା ସହ ୧୫୦୦ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନାନୁଯାୟୀ ଭୁବନ ଥାନା ଅନ୍ତର୍ଗତ ଏକତାଳି ଗ୍ରାମରେ ଦେଶୀମଦ ର ବିପୁଳ ଚୋରା କାରବାର ହେଉଥିବା ଖବର ପାଇ ଅବକାରୀ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ଗୁରୁବାର ସକାଳ ୬ ଘଟିକା ସମୟରେ ସଦଳ ବଳେ ଚଢ଼ାଉ କରିବାକୁ ପାଟ୍ରୋଲିଂ ରେ ଯାଇଥିଲେ । ତେବେ ମାଫିଆ ଙ୍କ ର କୌଣସି ସନ୍ଧାନ ମିଳି ନଥିବା ବେଳେ ଅତ୍ୟନ୍ତ ଚତୁରତାର ସହ ନଦୀ ପଠାରେ ବ୍ୟାରେଲ ଓ ଜାରକିନ୍ ରେ ଦେଶୀ ମଦ ଲୁଚାଇ ରଖାଯାଇଥିବା ବେଳେ ଗାତ ଖୋଳି ମହୁଲ ପୋଚ କୁ ମଦ ମାଫିଆ ପୋତି ଦେଇଥିଲେ । ଅବକାରୀ ବିଭାଗ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ମଦ ଓ ପୋଚ ସବୁ ଉଦ୍ଧାର କରିଥିଲେ । ଭୁବନ ଅବକାରୀ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ କନଷ୍ଟେବଳ ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଙ୍କ ସହଯୋଗ କରିଥିଲେ । ଏ ସମ୍ପର୍କରେ କେଶ୍ ନଂ ୪୧/୨୦୨୬-୨୭ ରେ ମାମଲା ରୁଜୁ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି ।

Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ
Jun 18, 2026•72 views

ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

ଢ଼େଙ୍କାନାଳ: ସାମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଏହାର ସୁପରିଚାଳନା ନିମନ୍ତେ ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ ହଲ୍ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଢ଼େଙ୍କନାଳ ଦ୍ୱାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରାଚୀ ପ୍ରତ୍ୟୁସ୍ତା ରାଉତ ଯୋଗଦେଇ ଜିଲ୍ଲାରେ ବନ୍ୟା ବାତ୍ୟା ଭଳି ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟକ୍ରମ ସଂପର୍କରେ ଅବଗତ ହୋଇଥିଲେ । ପ୍ରସ୍ତୁତି ସଂପର୍କରେ ଅବଗତ ହୋଇ , ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସମନ୍ବୟ ରକ୍ଷା କରି ସର୍ବଦା ସତର୍କ ଓ ପ୍ରସ୍ତୁତ ରହି ତତ୍କାଳ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ଆଶଙ୍କା ଥିବା ଅଂଚଳ ଓ ବହୁମୂଖୀ ଆଶ୍ରୟସ୍ଥଳରେ ଅତ୍ୟାବଶ୍ୟକ ଔଷଧ, ସାପ କାମୁଡ଼ା ଇଞ୍ଜେକ୍ସନ, ମୋବାଇଲ ସ୍ୱାସ୍ଥ୍ୟ ସେବା ସୁବିଧା ଓ ମେଡ଼ିକାଲ ରିଲିଫ୍ ସେଣ୍ଟରର କାର୍ଯ୍ୟକାରିତା, ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା ଓ ଶାରିରୀକ ବିକଳାଙ୍ଗଙ୍କ ପାଇଁ ଆବଶ୍ୟକ ସେବା, ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଇବା, ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ନିୟମିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ସ୍ଥଳେ ଟ୍ୟାଙ୍କର ଓ ସିନ୍ଟେକ୍ସ ଦ୍ୱାରା ପାଣି ଯୋଗାଣ, ଲୋକଙ୍କୁ ଆବଶ୍ୟକ ପଲିଥିନ ଯୋଗାଣ, ସ୍ଥାନୀୟ ସ୍ବେଚ୍ଛା ସେବୀଙ୍କ ଦ୍ୱାରା ଲୋକଙ୍କୁ ସଚ଼େତନ କରିବା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା, ଅଗ୍ନିଶମ ଏବଂ ଓଡ୍ରାଫ ଦ୍ୱାରା ରାସ୍ତା ଅବରୋଧକୁ ହଟାଇବା , ତଳ ସ୍ତର ପର୍ଯ୍ୟନ୍ତ ବର୍ଷା, ବାତ୍ୟାର ପୂର୍ବ ସୂଚ଼ନା ପହଞ୍ଚାଇ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା, ଶୁଖିଲାଖାଦ୍ୟ, ପେଟ୍ରୋଲିୟମ ପଦାର୍ଥ ମହଜୁଦ୍ ରଖାଯିବା, ଗୃହ ପାଳିତ ପଶୁ ପକ୍ଷୀଙ୍କ ପାଇଁ ଔଷଧାଦିର ବ୍ୟବସ୍ଥା, ବିଦ୍ୟୁତ୍ ସରବରାହକୁ ଯଥା ଶୀଘ୍ର ନିୟମିତ କରିବା, ପୋଲିସ ପ୍ରଶାସନର ଭୂମିକା ଆଦି ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ବିଭାଗ ସମନ୍ୱୟ ରକ୍ଷା କରି ପ୍ରସ୍ତୁତ ରହିବା ଦ୍ୱାରା ଆମର ଧନ ଜୀବନ କ୍ଷତିକୁ ରୋକା ଯାଇ ପାରିବ ବୋଲି ଆପାତକାଳୀନ ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି । ଆସନ୍ତା କାଲି ୧୯ ତାରିଖରେ ବିଭିନ୍ନ ବହୁମୂଖୀ ଆଶ୍ରୟ ସ୍ଥଳରେ ଉଦ୍ଧାର କାର୍ଯ୍ୟର ପ୍ରସ୍ତୁତିର ମକ୍ ଡ୍ରିଲ ଆୟୋଜନ ହେବ ବୋଲି ସେ ସୂଚ଼ନା ଦେଇଛନ୍ତି । ଏହି ବୈଠକରେ ଡ଼େପୁଟୀ କଲେକ୍ଟର ପ୍ରିସିୟସ୍ ପ୍ରଧାନ, ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଡ଼ି.ପି.ଓ. ଶ୍ରୀ ସଚ୍ଚିଦାନନ୍ଦ ପତି ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଥିଲେ ।

Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଢେଙ୍କାନାଳ

ଉଦୀୟମାନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରେ ମହୋତ୍ସବ ଉଦଯାପିତ
Jun 18, 2026•92 views

ଉଦୀୟମାନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରେ ମହୋତ୍ସବ ଉଦଯାପିତ

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ରେ କାର୍ଯ୍ୟ କରୁଥିବା ଉଦୀୟମାନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତିନିଦିନ ଧରି ମହା ଆଡମ୍ବରରେ ରେ ଉତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରେ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ଭାଜପା ଦଳର ସଭାନେତ୍ରୀ ଦେବଜାନୀ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରି ତାଙ୍କ ବକ୍ତବ୍ୟରେ କହିଲେ ଆଧୁନିକତା ଚାକ ଚକ୍ୟ ଭିତରେ ଓଡ଼ିଶାର ଗଣ ପର୍ବ ହେଉଛି ରେ ପବ ଏହି ପର୍ବ ସମସ୍ତେ ତିନି ଦିନ ଧରି ପାଳନ କରନ୍ତି।ଏହି ପର୍ବ ଗ୍ରାମାଞ୍ଚଳ ରୁ ଧିରେ ଧିରେ ଲୋପ ପାଇ ବସୁଥିବା ବେଳେ ଉଦୀୟମାନ ଅନୁଷ୍ଠାନ ଏହି ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ପରମ୍ପରା ବଜାୟି ରଖି ଥିବାରୁ ଅନୁଷ୍ଠାନ ର ସମସ୍ତ କର୍ମ କର୍ତ୍ତା ମାନଂକୁ ବଧାଇ ଜଣାଇବା ସହିତ ସାଧୁବାଦ ଜଣାଇଥିଲେ। ମୁଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ଼ା ଅଜୟ କୁମାର ଲେଙ୍କା କହିଲେ ମାଟି ମାଆର ପବ ହେଉଛି ରଜପର୍ବ।ଏହି ପର୍ବ ଆମ ସମସ୍ତ ଙ୍କ ପାଇଁ ସଂସ୍କୃତି ର ପ୍ରତୀକ। ଆଗନ୍ତୁକ ଅତିଥି କାହ୍ନୁଚରଣ ସାହୁ ତାଂକ ବକ୍ତବ୍ୟ ରେ କହିଲେ ରେ ପବ ଭାଇଚାରା ସୃଷ୍ଟୀ କରେ ଓ ଆନନ୍ଦ ଉଲ୍ଲାସ ଭରୀ ଦେଇଥାଏ।ଅନ୍ୟ ମାନଂକ ମଧ୍ୟରେ ସରପଞ୍ଚ ରବ ଚନ୍ଦ୍ର ମହାନ୍ତି,ସମାଜ ସେବୀ ଆକାଶ କୁମାର ସାହୁ,ରବିନ୍ଦ୍ର କୁମାର ତରାଇ, ଆଇନଜୀବି ଦେବରାଜ ବେହେରା, ପ୍ରମୁଖ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିଲେ। ପରେ ମା, ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପିଠାପଣା,ଝୋଟି ପ୍ରତୀ ଯୋଗିତା ଖିଲି ପାନ ପ୍ରତିଯୋଗିତା , ସେହିପରି ବାଳକ ବାଳିକା , ମହିଳା ଓ ପୁରୁଷ ମଧ୍ୟରେ କବାଡି ପ୍ରତିଯୋଗିତା କରାଯାଇ ଥିଲା। ମିୟୁଜିକ ଚେୟାର,ରଜ କବିତା ଆସର ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା। ଶେଷରେ କୃତି ପ୍ରତିଯୋଗୀ ମାନଂକୁ ମାନ ପ୍ରତ ସହ ଟ୍ରଫୀ ପ୍ରଦାନ କରାଯାଇଥିଲା।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ, ବଡ଼ଚଣା

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିରେ ଅନୁଗୋଳରେ “ଜାତି ଜନଜାତି ସମ୍ବାଦ” କାର୍ଯ୍ୟକ୍ରମ
Jun 18, 2026•116 views

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିରେ ଅନୁଗୋଳରେ “ଜାତି ଜନଜାତି ସମ୍ବାଦ” କାର୍ଯ୍ୟକ୍ରମ

ଅନୁଗୋଳ: ଅନୁଗୋଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ “ଜାତି ଜନଜାତି ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ବିଶ୍ୱ ଭୂଷଣ ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ବିଭାଗୀୟ ଯୋଜନା ସମ୍ପର୍କରେ ସୂଚନା ଦେଇ ଏହାର ସୁବିଧା ନେବାକୁ ଆହ୍ୱାନ କରିଥିଲେ। ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଆଦିବାସୀ ସମାଜର ପ୍ରକୃତି ସହ ନିବିଡ଼ ସମ୍ପର୍କର ପ୍ରଶଂସା କରି ସେମାନଙ୍କ ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ପୃଷ୍ଟି ଓ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ। ମାନସ କୁମାର ଭଞ୍ଜ ଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜୈବ ବର୍ଜ୍ୟବସ୍ତୁ ପ୍ଲାଣ୍ଟକୁ ବିରୋଧ: ୧୪୯ ନମ୍ବର ଜାତୀୟ ରାଜପଥ ୧୨ ଘଣ୍ଟା ଅବରୋଧ
Jun 18, 2026•145 views

ଜୈବ ବର୍ଜ୍ୟବସ୍ତୁ ପ୍ଲାଣ୍ଟକୁ ବିରୋଧ: ୧୪୯ ନମ୍ବର ଜାତୀୟ ରାଜପଥ ୧୨ ଘଣ୍ଟା ଅବରୋଧ

ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ କର୍ଣ୍ଣପାଳ ପଞ୍ଚାୟତର ଶିପୁର ଗ୍ରାମରେ ପ୍ରସ୍ତାବିତ ଜୈବ ଚିକିତ୍ସା ଓ ବର୍ଜ୍ୟବସ୍ତୁ ଚିକିତ୍ସା ସୁବିଧା ପ୍ଲାଣ୍ଟ ନିର୍ମାଣକୁ ବିରୋଧ କରି ଗ୍ରାମବାସୀମାନେ ବୁଧବାର ୧୪୯ ନମ୍ବର ଜାତୀୟ ରାଜପଥକୁ ସରଧାପୁର ଛକ ଓ ଶିପୁର ବର ଛକ ନିକଟରେ ୧୨ ଘଣ୍ଟା ପାଇଁ ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ପ୍ଲାଣ୍ଟଟି ସ୍ଥାପନ ହେଲେ ଆଖପାଖର ୨୦ରୁ ଅଧିକ ଗ୍ରାମର ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜପଥ ଅବରୋଧ ଯୋଗୁଁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଥିଲେ। ପରେ କଣିହାଁ ତହସିଲଦାର ପ୍ରଣବ ପ୍ରକାଶ ପ୍ରଧାନ, ଏସଡିପିଓ ଭରତ ଚନ୍ଦ୍ର ସାହୁ ଓ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପ୍ଲାଣ୍ଟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନର ଆଶ୍ୱାସନ ପରେ କର୍ଣ୍ଣପାଳ ପଞ୍ଚାୟତର ଜନପ୍ରତିନିଧି ଓ ଗ୍ରାମବାସୀମାନେ ଆନ୍ଦୋଳନକୁ ସ୍ଥଗିତ ରଖି ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା