ପଟ୍ଟାମୁଣ୍ଡାଇରେ ଏନ୍ସିସି ପ୍ରଶିକ୍ଷଣ ଶିବିର, ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ୨୭ କ୍ୟାଡେଟଙ୍କ ଅଂଶଗ୍ରହଣ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇJuly 2, 2026164 views

ପଟ୍ଟାମୁଣ୍ଡାଇ, ୨ ଜୁଲାଇ: ୱାନ୍ ଓଡ଼ିଶା ବାଟାଲିୟନ୍ ଏନ୍ସିସି, କଟକ ଓ ସିଏଡିସି, ରେଭେନ୍ସା ବିଶ୍ୱବିଦ୍ୟାଳୟଙ୍କ ମିଳିତ ଆୟୋଜନରେ ପ୍ରାୟ ୬୦୦ ଜଣ କ୍ୟାଡେଟଙ୍କୁ ନେଇ ୧୦ ଦିନିଆ ଏନ୍ସିସି ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିର ୨ ଜୁଲାଇରୁ ୧୧ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଚାଲିବ।
କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇସ୍ଥିତ ଐତିହାସିକ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ୨୭ ଜଣ କ୍ୟାଡେଟ ଏହି ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଛନ୍ତି। କ୍ୟାଡେଟମାନଙ୍କ ଯାତାୟାତ, ରହଣି, ଖାଦ୍ୟ ଓ ଅନ୍ୟାନ୍ୟ ପରିଚାଳନା ଦାୟିତ୍ୱ ଏନ୍ସିସି ଶିକ୍ଷକ ସରୋଜ କୁମାର ସ୍ୱାଇଁ ତୁଲାଉଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳିତ ହେଉଛି।
ଏହି ପ୍ରଶିକ୍ଷଣ ଶିବିରରେ କ୍ୟାଡେଟମାନଙ୍କୁ ଶାରୀରିକ ଓ ମାନସିକ ବିକାଶ ସହ ଡ୍ରିଲ୍, ଅସ୍ତ୍ରଚାଳନାର ମୌଳିକ ପ୍ରଶିକ୍ଷଣ, ନେତୃତ୍ୱ ବିକାଶ, ଶୃଙ୍ଖଳା, ସାମାଜିକ ସେବା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ଦକ୍ଷତାଭିତ୍ତିକ ପାଠ୍ୟକ୍ରମର ପ୍ରଶିକ୍ଷଣ ଦିଆଯାଉଛି। ଦେଶପ୍ରେମ, ଶୃଙ୍ଖଳା ଓ ଜାତୀୟ ସେବା ଭାବନାକୁ ସୁଦୃଢ଼ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ।
