ବରପାଲି ବସ୍ତି ଅଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା, ଅସନ୍ତୋଷରେ ପଡ଼ାବାସୀ
Bargarh (ବରଗଡ଼)ରିପୋର୍ଟ: ସତ୍ୟ ସୁରୁଜାଲ, ବରପାଲିJuly 2, 202662 views

ବରଗଡ଼/ ବରପାଲି ୩୦/୦୬ -() ବରପାଲି ବସ୍ତି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ନେଇଛି। ଦୀର୍ଘ ଦିନ ଧରି ନିୟମିତ ପାଣି ଯୋଗାଣ ବନ୍ଦ ରହିଥିବାରୁ ପଡ଼ାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପାଇପ ଲାଇନ ବିଛାଇବା କାମ ଚାଲିଥିବା ଆଳରେ ଜଳ ଯୋଗାଣ ବନ୍ଦ କରାଯାଇଛି, ଯାହା ଫଳରେ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଅନ୍ୟପଟେ, ପାନୀୟ ଜଳ ଯୋଗାଣ ବିଭାଗରେ କୌଣସି ସ୍ଥାୟୀ ଅଧିକାରୀ ନଥିବାରୁ କାର୍ଯ୍ୟରେ ସମନ୍ୱୟର ଅଭାବ ଦେଖାଦେଇଛି। ସମସ୍ୟା ସମ୍ପର୍କରେ ଯୋଗାଯୋଗ କଲେ କେବେ ପାଣି ମୋଟର ପୋଡ଼ିଯାଇଛି, କେବେ ବିଦ୍ୟୁତ ଲାଇନ ନାହିଁ କିମ୍ବା ଲୋଡ଼ ନେଉନାହିଁ ବୋଲି ବିଭିନ୍ନ କାରଣ ଦର୍ଶାଯାଉଥିବା ଅଭିଯୋଗ ହେଉଛି।
ବର୍ତ୍ତମାନ ସମଲେଶ୍ୱରୀ ମନ୍ଦିର ରାସ୍ତାରେ ପାଇପ ଲାଇନ ବିଛାଇବା କାମ ଚାଲିଥିବାରୁ ରାସ୍ତା ଖୋଳାଯାଇଛି। ତେବେ ଏହି କାମ କେବେ ଶେଷ ହେବ ଏବଂ ସ୍ଥାନୀୟ ବସ୍ତିବାସୀ କେବେ ନିୟମିତ ପାନୀୟ ଜଳ ପାଇବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଶୀଘ୍ର ସମସ୍ୟାର ସ୍ଥାୟୀ ସମାଧାନ କରି ବସ୍ତିବାସୀଙ୍କୁ ନିୟମିତ ପାନୀୟ ଜଳ ଯୋଗାଇବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
