Web News

ଦାରୀଙ୍ଗୀ ବାଡି ବନାଅଞ୍ଚଳ ପାଇଁ ନୂତନ ଅଧିକାରୀଙ୍କ ଯୋଗଦାନ
କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ପରିଦର୍ଶନରେ ଯିବା ସହ ଜଙ୍ଗଲର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିପାଇଁ ନିୟମିତ ପାଟ୍ରୋଲିଂ ସହ କର୍ମଚାରୀଙ୍କ ସହ ଜଙ୍ଗଲରେ ପାଦରେ ଚାଲିଚାଲି ପାଟ୍ରୋଲିଂ କରାଯିବ ବୋଲି କହିଛନ୍ତି। ସେ ବୁଧବାର ଉକ୍ତ ବନାଞ୍ଚଳର ସିମନବାଡ଼ି ସେକ୍ସନ ପରିଦର୍ଶନରେ ଆସିବା ସହ ସେକ୍ସନର ବନପାଳ ବନିତା ପ୍ରଧାନଙ୍କ ସହ ବିଭିନ୍ନ କାର୍ଯ୍ୟର ବିଶେଷ କରି ଉଜୁଡିଯାଇଥିବା ଜଙ୍ଗଲରେ ଚାରାରୋପଣ ଓ ଚାରା ଉତ୍ପାଦନ କେନ୍ଦ୍ର ସମ୍ପର୍କରେ ସମୀକ୍ଷା କରିଛନ୍ତି। ପରେ ସେ ଚାରାରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେହିପରି ଗୁରୁବାର ବୁଡ଼ାଗୁଡା ସେକ୍ସନ ପରିଦର୍ଶନରେ ଯିବେ। ସେଠାରେ ବନପାଳ ମନ୍ମଥ ପରିଚ୍ଛାଙ୍କ ସହ ସମୀକ୍ଷା କରି ସେକ୍ସନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ ଚାରା ଉତ୍ପାଦନ କେନ୍ଦ୍ର ଓ ଚାରାରୋପଣ ସମ୍ପର୍କରେ ପରିଦର୍ଶନ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା ପୂର୍ବରୁ ନୟାଗଡ଼ ଜିଲାରେ ବନ୍ୟଜନ୍ତୁ ସମ୍ପଦ ବିଭାଗରେ କାର୍ଯ୍ୟରତ ଥିଲେ। ସେଠାରୁ ବଦଳି ହୋଇ ଦାରିଙ୍ଗବାଡ଼ିରେ ଯୋଗଦାନ କରିଛନ୍ତି।
Kandhamal (କନ୍ଧମାଳ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ ଭଞ୍ଜନଗର

ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ଅମାନୁଷିକତା: ୧୩ ବର୍ଷର ନାବାଳିକାକୁ ୫ ଦିନ କାଳ ଗଣଦୁଷ୍କର୍ମ, ୧୮ ଗିରଫ
ଶ୍ରୀଗଙ୍ଗାନଗର :ରାଜସ୍ଥାନର ଶ୍ରୀଗଙ୍ଗାନଗର ଅଞ୍ଚଳରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୩ ବର୍ଷର ନାବାଳିକାକୁ ଅପହରଣ କରାଯାଇ ଦୀର୍ଘ ୫ ଦିନ ଧରି ବିଭିନ୍ନ ହୋଟେଲରେ ରଖି ଅମାନୁଷିକ ଭାବେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ନାରକୀୟ କାଣ୍ଡରେ ପ୍ରାୟ ୩୨ ଜଣ ସାମିଲ ଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ଜୁନ୍ ୧୮ ତାରିଖ ଦିନ ନାବାଳିକା ଜଣକ ନିଜ ସାଙ୍ଗ ଘରୁ ଫେରୁଥିବା ସମୟରେ ଘରକୁ ଛାଡ଼ିଦେବା ବାହାନାରେ ଏକ ଅଟୋରେ ବସିଥିଲେ। ମାତ୍ର ଅଟୋ ଚାଳକ ଜଣକ ନାବାଳିକାକୁ ତାଙ୍କ ଘରେ ନଛାଡ଼ି ସ୍ଥାନୀୟ ଏକ ହୋଟେଲକୁ ନେଇ ଦୁର୍ବୃତ୍ତମାନଙ୍କ କବଳରେ ଛାଡ଼ି ଦେଇଥିଲା। ଏହାପରେ ପ୍ରାୟ ୫ ଦିନ କାଳ ପୀଡ଼ିତାଙ୍କୁ ବିଭିନ୍ନ ହୋଟେଲରେ ବନ୍ଧକ ରଖି ୩୦ରୁ ଅଧିକ ଅଭିଯୁକ୍ତ ବଳାତ୍କାର କରିଥିଲେ। ଝିଅ ନିଖୋଜ ହେବା ନେଇ ପିତାମାତାଙ୍କ ଅଭିଯୋଗ ପରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା। ପରେ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଏକ ହୋଟେଲରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି। ମାମଲାର ଗମ୍ଭୀରତା କୁ ଦୃଷ୍ଟିରେ ରଖି ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ସମେତ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି। ଏଥିସହିତ ଅପରାଧ ଘଟିଥିବା ପ୍ରାୟ ୩ଟି ବେଆଇନ ହୋଟେଲ ଉପରେ ପ୍ରଶାସନ ପକ୍ଷରୁ ବୁଲଡୋଜର ଚଲାଯାଇ ସେଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଏହି ସଂଗୀନ ମାମଲାକୁ ନେଇ ଜାତୀୟ ମହିଳା କମିଶନ (NCW) ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କମିଶନଙ୍କ ପକ୍ଷରୁ ଶ୍ରୀଗଙ୍ଗାନଗର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ (SP) ଙ୍କୁ ଆସନ୍ତା ୧୫ ଦିନ ମଧ୍ୟରେ ଏକ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (Action Taken Report) ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଜିଲ୍ଲାରେ ଥିବା ସମସ୍ତ ବେଆଇନ ଓ ଅଣପଞ୍ଜୀକୃତ ହୋଟେଲଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି
ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

କଳିଙ୍ଗ ଡିଏଭିର ୩୧ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ
ତାଳଚେର: ତାଳଚେରସ୍ଥିତ ମା' ହିଙ୍ଗୁଳା ମାଇନ୍ସ ପରିସରରେ ଅବସ୍ଥିତ କଳିଙ୍ଗ ଡିଏଭି ପବ୍ଲିକ ସ୍କୁଲର ୩୧ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶ୍ରୀ ଅଦୈତ ଗଡ଼ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା, ସଂସ୍କୃତି ଓ ମୂଲ୍ୟବୋଧର ବିକାଶ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ କଳିଙ୍ଗ ଡିଏଭିର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଜଗନ୍ନାଥ ଡିଏଭିର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୁକୁଳା ଚକ୍ରବର୍ତ୍ତୀ, ହିଙ୍ଗୁଳା ମାଇନ୍ସର ମହାପ୍ରବନ୍ଧକ ସୁନିଲ କୁମାର ଜୋଶୀ ଓ ତାଙ୍କ ଧର୍ମପତ୍ନୀ ଅସ୍ମିତା ଜୋଶୀଙ୍କ ସହ ବହୁ ବିଶିଷ୍ଟ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଜନ୍ମଦିନରେ ବ୍ରିଜ ମରାମତି: ପ୍ରତିବାଦ ନା ପ୍ରଚାର ? ବିଧାୟକଙ୍କ ପଦକ୍ଷେପକୁ ନେଇ ଉଠିଲା ପ୍ରଶ୍ନ
ବୀରମିତ୍ରପୁର : ଜନ୍ମଦିନରେ କେକ୍ କାଟିବା ବଦଳରେ ଦଲକି ବ୍ରିଜରେ ଗିଟି ପକାଇ ମରାମତି କରି ଚର୍ଚ୍ଚାରେ ରହିଛନ୍ତି ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ। ତେବେ ତାଙ୍କର ଏହି ପଦକ୍ଷେପକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦଲକି ବ୍ରିଜ ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିଲା। ଏଭଳି ସ୍ଥିତିରେ କେବଳ ଜନ୍ମଦିନ ଦିନ ବ୍ରିଜରେ ପହଞ୍ଚି ପ୍ରତୀକାତ୍ମକ ଭାବେ ଗିଟି ପକାଇବା ଦ୍ୱାରା ସମସ୍ୟାର ସମାଧାନ ହେବ କି ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି। ସମାଲୋଚକମାନଙ୍କ ମତରେ, ଜଣେ ବିଧାୟକଙ୍କ ଦାୟିତ୍ୱ ହେଉଛି ସମ୍ପୃକ୍ତ ବିଭାଗ ଉପରେ ଚାପ ପକାଇ ସ୍ଥାୟୀ ମରାମତି କାର୍ଯ୍ୟ ସୁନିଶ୍ଚିତ କରିବା, ନା କି ପ୍ରତୀକାତ୍ମକ ଭାବେ ନିଜେ ମରାମତି କରିବା। ଏହା ପ୍ରକୃତ ସମାଧାନ ନା କେବଳ ରାଜନୈତିକ ବାର୍ତ୍ତା—ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପଟେ, ବିଧାୟକଙ୍କ ସମର୍ଥକମାନେ ଏହାକୁ ପ୍ରଶାସନର ଉଦାସୀନତା ବିରୋଧରେ ଏକ ପ୍ରତିବାଦ ବୋଲି କହୁଛନ୍ତି। ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ମୁଖ୍ୟ ଦାବି ହେଉଛି, ଦଲକି ବ୍ରିଜର ତୁରନ୍ତ ସ୍ଥାୟୀ ମରାମତି କରାଯାଇ ଯାତାୟାତକୁ ସୁରକ୍ଷିତ କରାଯାଉ। ଏହି ପଦକ୍ଷେପ ପରେ ସମ୍ପୃକ୍ତ ବିଭାଗ କିପରି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
Sundargarh (ସୁନ୍ଦରଗଡ଼) • ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ, ବୀରମିତ୍ରପୁର

ବ୍ୟବହାରରେ ଆସୁନି ମୁକ୍ତା ଯୋଜନାରେ ନିର୍ମିତ ଶୌଚାଳୟ; ତଦନ୍ତ ଦାବି ଜୋରଦାର
ଗଞ୍ଜାମ, ଖଲ୍ଲିକୋଟ: ଖଲ୍ଲିକୋଟ ଏନ୍ଏସି ଅଞ୍ଚଳରେ ମୁକ୍ତା ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପରେ ନିର୍ମିତ ହୋଇଥିବା ବିଭିନ୍ନ ସାର୍ବଜନୀନ ସମ୍ପତ୍ତି ବ୍ୟବହାରରେ ନ ଆସିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖଲ୍ଲିକୋଟ ଏନ୍ଏସିର ବିଭିନ୍ନ ସ୍ଥାନରେ ରାସ୍ତା, ମିଶନ ଶକ୍ତି ଗୃହ, ଭେଣ୍ଡିଂ ଜୋନ୍ ଓ ଫୁଡ୍ କୋର୍ଟ ଭଳି ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଅନେକ ପ୍ରକଳ୍ପ ଏପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଖୋଲାଯାଇନାହିଁ। ଖୋଲ ସାହି, ସାମନ୍ତ ସାହି, ଅମରେଶ୍ୱର ନଗର, ସ୍ୱାସ୍ଥ୍ୟପୁରୀ ସମେତ ବିଭିନ୍ନ ସ୍ଥାନରେ ପ୍ରାୟ ୧୧ଟି ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିବା ସତ୍ତ୍ୱେ ସେଗୁଡ଼ିକ କାର୍ଯ୍ୟକ୍ଷମ ହୋଇନଥିବା ଅଭିଯୋଗ ହୋଇଛି। ସେହିପରି ଭେଣ୍ଡିଂ ଜୋନ୍ ଓ ଫୁଡ୍ କୋର୍ଟର ଅବସ୍ଥା ମଧ୍ୟ ସମାନ ରହିଥିବା କୁହାଯାଉଛି। ଏହାସହ ଅମରେଶ୍ୱର ମନ୍ଦିର ରୋଡ଼ର ଉତ୍ତର ପାର୍ଶ୍ୱରେ ମୁକ୍ତା ଯୋଜନାରେ ପୁରୁଷ ଓ ମହିଳାଙ୍କ ପାଇଁ ନିର୍ମିତ ସାର୍ବଜନୀନ ଶୌଚାଳୟ ଆଜି ପର୍ଯ୍ୟନ୍ତ ବ୍ୟବହାର ପାଇଁ ଖୋଲାଯାଇନଥିବା ଅଭିଯୋଗ ହୋଇଛି। ଶୌଚାଳୟରେ ପାଣି ଓ ଅନ୍ୟାନ୍ୟ ମୌଳିକ ସୁବିଧାର ମଧ୍ୟ ଅଭାବ ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ନିର୍ମାଣ ପ୍ରକ୍ରିୟା ଏବଂ ସରକାରୀ ଅର୍ଥ ବ୍ୟୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠିଛି। ଏହି ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସରକାର ଓ ସମ୍ପୃକ୍ତ ବିଭାଗ ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ ସ୍ୱତନ୍ତ୍ର ପ୍ରତିନିଧି

ମେଡ଼ିକାଲ ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ: ୩ ଘଣ୍ଟା ଛଟପଟ ହୋଇ ଚାଲିଗଲା ନାବାଳିକାଙ୍କ ଜୀବନ
ଭବାନୀପାଟଣା : କଳାହାଣ୍ଡି ଜିଲାରେ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଆମ୍ବୁଲାନ୍ସ ଦୀର୍ଘ ୩ ଘଣ୍ଟା ଧରି ଅଟକିବା ରହିବାରୁ ଠିକ୍ ସମୟରେ ରୋଗୀ ମେଡ଼ିକାଲ ପହଞ୍ଚି ନ ପାରି ମୃତ୍ୟୁବରଣ କରିଥିବା ଅଭିଯୋଗ ଆସିଛି। ତୁଲାପଡାର ରିୟା ନାଏକ(୧୧) ନାମକ ଜଣେ ଛାତ୍ରୀଙ୍କୁ ପେଟ ଯନ୍ତ୍ରଣା ହେବାରୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଗୁରୁତର ହେବାରୁ ତାଙ୍କୁ ଅକ୍ସିଜେନ ଲଗାଇ ୧୦୮ ଆମ୍ବୁଲାନ୍ସ ଜରିଆରେ ଭବାନୀପାଟଣା ଜିଲା ମୁଖ୍ୟ ମେଡିକାଲକୁ ନିଆଯାଉଥିଲା।ହେଲେ ବାଟରେ ପଞ୍ଚର ହେବାରୁ ୧୦୮ ଆମ୍ବୁଲାନ୍ସଟି ସ୍ଥାନୀୟ ଗୋହିରାପଦର ରେଳ ଫାଟକ ନିକଟରେ ଅଟକି ଯାଇଥିଲା।ତେବେ ଦୁର୍ଭାଗ୍ୟବଶତ ଆମ୍ବୁଲାନ୍ସର ଜରୁରୀକାଳୀନ ସ୍ପେୟାର ଚକ ମଧ୍ୟ ପୂର୍ବରୁ ଖରାପ ରହିଥିଲା। ଯାହାଫଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଗୁରୁତର ରୋଗୀ ରିୟା ସେଠାରେ ୩ ଘଣ୍ଟା ଧରି ଅଟକି ରହିଥିଲେ। ପରେ ଭବାନୀପାଟଣାରୁ ଆଉ ଏକ ଆମ୍ବୁଲାନ୍ସ ଜରିଆରେ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ରିୟାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
Kalahandi (କଳାହାଣ୍ଡି) • ରିପୋର୍ଟର ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

କଳାହାଣ୍ଡିରେ ଜିଲ୍ଲା ଜନଗଣନା ହସ୍ତପୁସ୍ତିକା (ଡିସିଏଚବି) ପ୍ରଶିକ୍ଷଣ ଅନୁଷ୍ଠିତ
ଭବାନୀପାଟଣା, : କଳାହାଣ୍ଡି ଜିଲ୍ଲା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ଜନଗଣନା ହସ୍ତପୁସ୍ତିକା (District Census Handbook–DCHB) ପ୍ରସ୍ତୁତି ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣରେ ଡେପୁଟି କଲେକ୍ଟର ତଥା ଡେପୁଟି ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ଲମ୍ବୋଦର ନାଏକ ଉପସ୍ଥିତ ରହି ପ୍ରଶିକ୍ଷଣର ସୁପରିଚାଳନା କରିଥିଲେ। ଜନଗଣନା ଟ୍ରେନର ପ୍ରଶିକ୍ଷକ ଶ୍ରୀ ସୌରଭ ତିୱାରୀ ଓ ଶ୍ରୀ ପମ୍ମୁ ସିଂହ ଡିସିଏଚବି ପ୍ରସ୍ତୁତିର ବିଭିନ୍ନ ବୈଷୟିକ ଓ ପ୍ରାୟୋଗିକ ଦିଗ ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣରେ ଜିଲ୍ଲାର ସମସ୍ତ ତହସିଲଦାର-କମ୍-ଚାର୍ଜ ଜନଗଣନା ଅଧିକାରୀ, ଅତିରିକ୍ତ ତହସିଲଦାର-କମ୍-ଅତିରିକ୍ତ ଚାର୍ଜ ଜନଗଣନା ଅଧିକାରୀ, ରାଜସ୍ୱ ସୁପରଭାଇଜର, ରାଜସ୍ୱ ନିରୀକ୍ଷକ (ଆର୍.ଆଇ.), ଅମିନ, ବୈଷୟିକ ସହାୟକ ଓ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷଣରେ ଡିସିଏଚବିରେ ସମ୍ମିଳିତ ହେବାକୁ ଥିବା ଜିଲ୍ଲାର ଭୌଗୋଳିକ, ସାମାଜିକ, ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଭିତ୍ତିଭୂମି ଓ ଅନ୍ୟାନ୍ୟ ସମ୍ବଳ ସମ୍ପର୍କିତ ତଥ୍ୟର ସଠିକ୍ ସଂଗ୍ରହ, ସଂକଳନ ଓ ଯାଞ୍ଚ ପ୍ରକ୍ରିୟା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ଜିଲ୍ଲା ଜନଗଣନା ହସ୍ତପୁସ୍ତିକା କେବଳ ଏକ ପରିସଂଖ୍ୟାନ ପୁସ୍ତକ ନୁହେଁ; ଏହା ଜିଲ୍ଲାର ସାମଗ୍ରିକ ବିକାଶର ଏକ ପ୍ରମାଣିକ ଦଲିଲ। ଏଥିରେ ସଂକଳିତ ତଥ୍ୟ ଆଗାମୀ ଦଶ ବର୍ଷ ପାଇଁ ସରକାରଙ୍କ ଉନ୍ନୟନ ଯୋଜନା ପ୍ରସ୍ତୁତି, ନୀତି ନିର୍ଦ୍ଧାରଣ, ସମ୍ବଳର ସୁଚିନ୍ତିତ ବଣ୍ଟନ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ। ତେଣୁ ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିର୍ଭୁଲ ଓ ଗୁଣାତ୍ମକ ତଥ୍ୟ ସଂଗ୍ରହ କରିବାକୁ ଆହ୍ୱାନ କରାଯାଇଥିଲା।
Kalahandi (କଳାହାଣ୍ଡି) • ରିପୋର୍ଟର :ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

ବିଧାୟକଙ୍କ ହସ୍ତକ୍ଷେପ ଫଳରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଶୌଚାଳୟର ନବୀକରଣ ଆରମ୍ଭ.
ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୨ ସ୍ଥିତ ସରକାରୀ ବସଷ୍ଟାଣ୍ଡ ଠାରେ ଦୀର୍ଘ ୩୦ବର୍ଷ ତଳେ ସର୍ବସାଧାରଣଙ୍କ ବ୍ୟବହାର ନିମିତ୍ତ ନିର୍ମାଣ ହୋଇଥିବା ଏକ ଶୌଚାଳୟଟି ନିୟମିତ ରକ୍ଷଣାବେକକ୍ଷଣା ଅଭାବ କାରଣରୁ ଦୟାନିୟ ଅବସ୍ଥାରେ ଥିଲା । ଶୌଚାଳୟଟିର ରକ୍ଷଣା ବେକ୍ଷଣା ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଏ ସମ୍ବନ୍ଧରେ ଅବଗତ କରାଇବା ସତ୍ୱେ ଶୌଚାଳୟର ପୁନରୁଦ୍ଧାର ପାଇଁ ଆର ଏସ ପି ପକ୍ଷରୁ କୌଣସି ପଦକ୍ଷେପ ନିଆଗଲାନାହିଁ । ଶେଷରେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ହସ୍ତକ୍ଷେପ ଏବଂ ପରାମର୍ଶ କ୍ରମେ ରାଜ୍ୟ ସରକାର ମିଲାଦ ଯୋଜନାରେ ପରିତ୍ୟକ୍ତ ହୋଇ ପଡ଼ିଥିବା ଉକ୍ତ ଶୌଚାଳୟଟିକୁ ନବୀକରଣ ପାଇଁ ୬ଲକ୍ଷ ଟଙ୍କା ଅନୁଦାନ ଦେବାପରେ ଶୌଚାଳୟଟିର ନବୀକରଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି ।
Rourkela (ରାଉରକେଲା) • ରିପୋର୍ଟ : ସୁବାସ କୁମାର ଗୁପ୍ତା

"ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ର ସମୀକ୍ଷା କଲେ କେନ୍ଦ୍ରୀୟ ଅଧିକାରୀ "
କେନ୍ଦୁଝର ସଦର, ୯/୭ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ (OSWAN) ହଲ ଠାରେ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ' ର ଏକ ଗୁରୁତ୍ତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱାନିଧି ଯୋଜନାର ଉପସଚିବ ତଥା କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଡ଼I. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତIରେ ଅନୁଷ୍ଠିତ ଏହି ବୈଠକ ରେ ଜିଲ୍ଲାର ସାତଟି ଆକାଂକ୍ଷୀ ବ୍ଲକ ର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଛି I କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ଭାବରେ କେନ୍ଦୁଝର ଜିଲ୍ଲାକୁ ଏହା ତାଙ୍କର ଦ୍ୱିତୀୟ ଗସ୍ତ I ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ର ବାଂଶପାଳ ଓ ହରିଚନ୍ଦନପୁର ବ୍ଲକକୁ ସାମିଲ କରାଯାଇଥିଲା I ପରବର୍ତ୍ତୀ ସମୟରେ ନୀତି ଆୟୋଗଙ୍କ ନିର୍ଦେଶକ୍ରମେ ଆଉ ୫ ଟି ବ୍ଲକ ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ସଦର, ପାଟଣା ଓ ତେଲକୋଇକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାଫଳରେ ଜିଲ୍ଲାରେ ମୋଟ ଆକାଂକ୍ଷୀ ବ୍ଲକ ସଂଖ୍ୟା ୭ କୁ ବୃଦ୍ଧି ପାଇଛି I ୨୦୨୪ ମସିହା ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କାର୍ଯ୍ୟକାରୀ ହୋଇଥିବା ସମ୍ପର୍ଣ୍ଣତା ଅଭିଯାନ ୧.0 ଅନ୍ତର୍ଗତ ୬ ଟି ପ୍ରମୁଖ ସୁଚକାଙ୍କ ମଧ୍ୟରୁ ହରିଚନ୍ଦନପୁର ବ୍ଲକ ୩ ଟି ରେ ଏବଂ ବାଂଶପାଳ ବ୍ଲକ ୨ ଟି ରେ ଶତପ୍ରତିଶତ ଲକ୍ଷ୍ୟ ହାସଲ କରିଛି I ଏହି ଉଲ୍ଲେଖନୀୟ ସଫଳତା ପାଇଁ ହରିଚନ୍ଦନପୁର ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ରାଜ୍ୟସ୍ତରରେ ସମ୍ମାନିତ କରାଯାଇଛି I 'ସମ୍ପର୍ଣ୍ଣତା ଅଭିଯାନ ୨.0 ଦ୍ୱିତୀୟ:୨୦୨୬ ଜାନୁଆରୀ ୩୧ ତାରିଖରୁ ସମସ୍ତ ୭ ଟି ବ୍ଲକ ରେ ଶୁଭାରମ୍ଭ କରାଯାଇଥିଲା I ଏହି ଅଭିଯାନ ୨୦୨୬ ଏପ୍ରିଲ ୧୪ ପର୍ଯ୍ୟନ୍ତ ଚାଲିଲା । ଯେଉଁଥିରେ ଶିଶୁଙ୍କ ପୃଷ୍ଟିକର ଖାଦ୍ୟ, ଅଙ୍ଗନବାଡି କେନ୍ଦ୍ର ରେ ପାନୀୟ ଜଳ ଓ ଶୌଚାଳୟ ସୁବିଧା ଏବଂ ଗୋପାଳନ କ୍ଷେତ୍ରରେ ଟୀକାକରଣ ଭଳି ୬ ଗୋଟି ଗୁରୁତ୍ୱପୂର୍ଣ ବିଷୟ ଉପରେ ଧ୍ୟାନ ଦିଆଯାଉଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲାରେ ଶିକ୍ଷା ସ୍ୱାସ୍ଥ୍ୟ ଓ ମୌଳିକ ଭିତ୍ତିଭୂମିର ସୁଧାର ପାଇଁ ଏହି କାର୍ଯ୍ୟକ୍ରମ ବେଶ ସହାୟକ ହଉଛି । ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ଯୋଜନା ଗୁଡିକ ସମ୍ମିଳିତ ଭାବେ କାର୍ଯ୍ୟକାରୀ କରାଯାଇ ବିଭିନ୍ନ ଗୁରତ୍ୱପୁର୍ଣ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରର ବିଭିନ୍ନ ସୁଚକାଙ୍କ ରେ ବ୍ଲକ ମାନଙ୍କ ମଧ୍ୟରେ ରାଙ୍କୀଙ୍ଗ କରାଯାଇ ବିକାଶ ପାଇଁ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରାଯାଉଛି । ଏହା ଦ୍ୱାରା ଏହି ଅଂଚଳ ଗୁଡିକରେ ବିକାଶ ତ୍ୱରାନ୍ୱିତ ହୋଇପାରୁଛି । ପରେ ପରେ କେନ୍ଦୁଝର ଆକାଂକ୍ଷୀ ବ୍ଲକ ର ବିଭିନ୍ନ ପ୍ରକଳ୍ପ ଓ ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିଥିଲେ । ଏହି କାର୍ୟକ୍ରମରେ ଜିଲ୍ଲାପାଳ ବିଶାଳ ସିଂହ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୁଷଣ, ଉପନିର୍ଦ୍ଦେଶକ( ଯୋଜନା ଓ ପରିସଂଖ୍ୟାନ) ଗଜେନ୍ଦ୍ର କୁମାର ବେହେରା ଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ୭ ଗୋଟି ବ୍ଲକ ର ବିଡ଼ିଓ ଓ ଅନ୍ୟ ବ୍ଲକ ଅଧିକାରୀ ଆଭାସୀ ମାଧ୍ୟମରେ ଓସୱାନ କେନ୍ଦ୍ରରୁ ଯୋଗ ଦେଇଥିଲେ ।
Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ

ମୋହନ ସରକାରଙ୍କ ନିୟମକୁ ବେଖାତିର କଲେ ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ
ଭୁବନ ୯.୭- ପାଠ୍ୟ ପୁସ୍ତକରେ ତୃଟିରୁ ଦୃଷ୍ଟି ହଟାଇବା ସକାଶେ ମୋହନ ସରକାର କେ ଜି ରୁ ପି ଜି ସମ୍ପୂର୍ଣ ମାଗଣା ଶିକ୍ଷାଦାନ ପାଇଁ ଘୋଷଣା କରିଥିଲେ । ଏହା କେବଳ ଘୋଷଣାରେ ସୀମିତ ରହିଲା ଭଳି ସ୍ପଷ୍ଟ ହୋଇଛି । ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସ୍ଥିତ ମହିମା ମହାବିଦ୍ୟାଳୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାରଙ୍କ "କେ ଜି ରୁ ପି ଜି " ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଘୋଷଣାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। କେତେକ ମହଲର ଅଭିଯୋଗ ହେଉଛି, ମହାବିଦ୍ୟାଳୟରେ ସରକାରୀ ନିର୍ଦ୍ଦେଶ ଓ ନିୟମାବଳୀର ସଠିକ୍ ପାଳନ ହେଉନାହିଁ। ଫଳରେ "କେ ଜି ରୁ ପି ଜି " ଯୋଜନା କେବଳ ଘୋଷଣାରେ ସୀମିତ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହି ଅଭିଯୋଗ ସମ୍ପର୍କରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମତାମତ ମିଳିପାରିନଥିବା ବେଳେ ସରକାରଙ୍କ ତରଫରୁ କୌଣସି ନୋଟିଫିକେଶନ /ମାର୍ଗ ଦର୍ଶିକା ଆସିନାହିଁ ବୋଲି କର୍ମଚାରୀ ମାନେ ମତ ଦେଇଛନ୍ତି । ଆଜି ଯୁକ୍ତ ୨ କଳା ବିଭାଗ ବିଦ୍ୟାର୍ଥୀ ଙ୍କ ପାଇଁ ୫୨୭୭ ଟଙ୍କା ଓ ବିଜ୍ଞାନ ବିଭାଗରେ ୫୫୦୦ ଟଙ୍କା ଫି ଆଦାୟ କରାଯାଇଛି। ତେବେ ଲୋକଙ୍କ ସରକାର କୁହାଯାଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନିର୍ଦ୍ଦେଶରେ କିଛି ମୂଲ୍ୟ ନାହିଁ ବୋଲି ଜନ ସାଧାରଣରେ ଆଲୋଚନା ହେଉଛି।
Dhenkanal (ଢେଙ୍କାନାଳ) • ରିପୋର୍ଟ : ସୁଶାନ୍ତ କୁମାର ପୋଥାଳ

ଏବିଭିପି ର ୭୮ତମ ପ୍ରତିଷ୍ଠା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଭୁବନ ୯.୭- : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଭୁବନ ନଗର ଶାଖା ଆନୁକୂଲ୍ୟରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଓ ଭୁବନ ମହିଳା ମହାବିଦ୍ୟାଳୟ ପରିସରରେ ସଂଗଠନର ୭୮ତମ ସ୍ଥାପନ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହେବା ସଙ୍ଗେ ସଙ୍ଗେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଏହି ମହତ୍ ସାମାଜିକ ଓ ସାଂଗଠନିକ କାର୍ଯ୍ୟକ୍ରମରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ କାମାକ୍ଷାନଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶତୃଘନ ଜେନା, ବିଡ଼ିଓ ଭୁବନ ଶ୍ରୀମତୀ ଆୟୁଷି ମହାପାତ୍ର, କାମାକ୍ଷାନଗର ଉପ ଜିଲ୍ଲାପାଳ ବିକାଶ ଚନ୍ଦ୍ର ମହାନ୍ତି ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସେହିଭଳି ଭୁବନ ମହିଳା ମହାବିଦ୍ୟାଳୟ ରେ ଏବିଭିପିର ଓଡ଼ିଶା ପ୍ରାନ୍ତ ପ୍ରମୁଖ ତଥା ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଧ୍ୟାପକ ଦିଲ୍ଲୀପ୍ କୁମାର ଦାସ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପୂଜା ପ୍ରଧାନ, ନଗର ସଭାପତି ଥବିର ଭୋଇ, ନଗର ସମ୍ପାଦକ ଜ୍ଞାନ ରଞ୍ଜନ ଗୁରୁ, ଛାତ୍ର ନେତା ପ୍ରଜ୍ଞରଞ୍ଜନ ସାହୁ, ବିଶ୍ୱଜିତ୍ ବେହେରା, ପ୍ରଶାନ୍ତ ଦାସ, ସ୍ମୃତିରଞ୍ଜନ ସାହୁ ଓ ନଗର ଛାତ୍ରୀ ନେତ୍ରୀ ଶ୍ରୀୟା ବାରିକ, ଜ୍ୟୋସ୍ନା ଙ୍କ ସହ ନଗର ଶାଖା ର ସମସ୍ତ ପୁରାତନ ଓ ବର୍ତ୍ତମାନ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଗଣ ବିଦ୍ୟାର୍ଥୀ ପରିଷଦର ଦେଶ ଗଠନ ପ୍ରକ୍ରିୟା ଓ ଶିକ୍ଷା କ୍ଷେତ୍ରରେ ଥିବା ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ମହାବିଦ୍ୟାଳୟର ଅଗଣିତ ଛାତ୍ରଛାତ୍ରୀ ଏବଂ ସଂଗଠନର କର୍ମକର୍ତ୍ତାମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।
Dhenkanal (ଢେଙ୍କାନାଳ) • ରିପୋର୍ଟ : ସୁଶାନ୍ତ କୁମାର ପୋଥାଳ

ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ୫୧ ତମ ପ୍ରତିଷ୍ଠା ଦିବସ ପାଳିତ
ଭୁବନ ୯.୭- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ୫୧ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଭୂୟାଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି ମହାବିଦ୍ୟାଳୟଟି ୫୧ ବର୍ଷ ପୂର୍ବେ ଆଜିର ଦିନରେ ସହିଦ୍ ବାଜି ରାଉତ ଙ୍କ ନାମରେ ପ୍ରତିଷ୍ଠା ହୋଇ ଶିକ୍ଷା,ସଂସ୍କୃତି ର ଉଜ୍ଜ୍ବଳ ପ୍ରତୀକ ଭାବେ ଦିନକୁ ଦିନ ଅଗ୍ରଗତି କରିଚାଲିଛି । ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରି ନିଜର ଲକ୍ଷ୍ୟ ପ୍ରାପ୍ତି ହେବା ସହ କଲେଜ ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଶ୍ରୀମତୀ ଆୟୁଷୀ ମହାପାତ୍ର ଯୋଗଦେଇ କଲେଜର ଉନ୍ନତି ପାଇଁ ପୁରାତନ ଛାତ୍ର ଛାତ୍ରୀ ମାନେ ସହଯୋଗ କରିବା ଜରୁରୀ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ କାମାକ୍ଷାନଗର ଉପ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିକାଶ କୁମାର ମହାନ୍ତି,ଅଧ୍ୟାପକ ଅନିଲ କୁମାର ଧୀର ଯୋଗଦେଇଥିଲେ । ମୋ କଲେଜ, ମୋ ଗୌରବ ସଂଯୋଜକ ଅଧ୍ୟାପକ ପ୍ରଭାତ କୁମାର ଜେନା ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୂୟାଁ ବାର୍ଷିକ ବିବରଣୀ ପାଠ ଜରିଆରେ ମହାବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର ଧନ୍ୟବାଦ ଅର୍ପଣ କରିଥିଲେ । ଏ ବି ଭି ପି ର ପ୍ରତିଷ୍ଠା ଦିବସ ଅବସରରେ କଲେଜ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
Dhenkanal (ଢେଙ୍କାନାଳ) • ରିପୋର୍ଟ : ସୁଶାନ୍ତ କୁମାର ପୋଥାଳ
