ବ୍ୟବହାରରେ ଆସୁନି ମୁକ୍ତା ଯୋଜନାରେ ନିର୍ମିତ ଶୌଚାଳୟ; ତଦନ୍ତ ଦାବି ଜୋରଦାର
Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ଖଲ୍ଲିକୋଟ ସ୍ୱତନ୍ତ୍ର ପ୍ରତିନିଧିJuly 10, 2026152 views

ଗଞ୍ଜାମ, ଖଲ୍ଲିକୋଟ: ଖଲ୍ଲିକୋଟ ଏନ୍ଏସି ଅଞ୍ଚଳରେ ମୁକ୍ତା ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନ ପ୍ରକଳ୍ପରେ ନିର୍ମିତ ହୋଇଥିବା ବିଭିନ୍ନ ସାର୍ବଜନୀନ ସମ୍ପତ୍ତି ବ୍ୟବହାରରେ ନ ଆସିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖଲ୍ଲିକୋଟ ଏନ୍ଏସିର ବିଭିନ୍ନ ସ୍ଥାନରେ ରାସ୍ତା, ମିଶନ ଶକ୍ତି ଗୃହ, ଭେଣ୍ଡିଂ ଜୋନ୍ ଓ ଫୁଡ୍ କୋର୍ଟ ଭଳି ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ଅନେକ ପ୍ରକଳ୍ପ ଏପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଖୋଲାଯାଇନାହିଁ।
ଖୋଲ ସାହି, ସାମନ୍ତ ସାହି, ଅମରେଶ୍ୱର ନଗର, ସ୍ୱାସ୍ଥ୍ୟପୁରୀ ସମେତ ବିଭିନ୍ନ ସ୍ଥାନରେ ପ୍ରାୟ ୧୧ଟି ମିଶନ ଶକ୍ତି ଗୃହ ନିର୍ମାଣ ହୋଇଥିବା ସତ୍ତ୍ୱେ ସେଗୁଡ଼ିକ କାର୍ଯ୍ୟକ୍ଷମ ହୋଇନଥିବା ଅଭିଯୋଗ ହୋଇଛି। ସେହିପରି ଭେଣ୍ଡିଂ ଜୋନ୍ ଓ ଫୁଡ୍ କୋର୍ଟର ଅବସ୍ଥା ମଧ୍ୟ ସମାନ ରହିଥିବା କୁହାଯାଉଛି।
ଏହାସହ ଅମରେଶ୍ୱର ମନ୍ଦିର ରୋଡ଼ର ଉତ୍ତର ପାର୍ଶ୍ୱରେ ମୁକ୍ତା ଯୋଜନାରେ ପୁରୁଷ ଓ ମହିଳାଙ୍କ ପାଇଁ ନିର୍ମିତ ସାର୍ବଜନୀନ ଶୌଚାଳୟ ଆଜି ପର୍ଯ୍ୟନ୍ତ ବ୍ୟବହାର ପାଇଁ ଖୋଲାଯାଇନଥିବା ଅଭିଯୋଗ ହୋଇଛି। ଶୌଚାଳୟରେ ପାଣି ଓ ଅନ୍ୟାନ୍ୟ ମୌଳିକ ସୁବିଧାର ମଧ୍ୟ ଅଭାବ ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।
ତେବେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା, ନିର୍ମାଣ ପ୍ରକ୍ରିୟା ଏବଂ ସରକାରୀ ଅର୍ଥ ବ୍ୟୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରଶ୍ନ ଉଠିଛି। ଏହି ସମସ୍ତ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ସରକାର ଓ ସମ୍ପୃକ୍ତ ବିଭାଗ ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
