Web News

ରାକ୍ଷୀ ପୂର୍ଣ୍ଣୀମାରେ ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି
ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆଜି ଏହି ବଡ ଅପଡେଟ୍ ଦେଇଛନ୍ତି ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି, ନୂଆ ହିତାଧିକାରୀଙ୍କୁ ଯୋଡିବାକୁ ଆରମ୍ଭ ହୋଇଛି ଫିଲଡ଼ ଇନକ୍ଵାରୀ। ୨୦୨୬-୨୭ ବର୍ଷରେ ୩ ଲକ୍ଷ ୧୭ ହଜାର ୯୬୬ ନୂଆ ଆବେଦନ ଆସିଛି। ଡିବିଟି, ଇ-କେ୍ୱାଇସି, ଫିଲଡ ଭେରିଫିକେସନ ଏବଂ ବ୍ୟାଙ୍କ ସମନ୍ୱୟ ସମସ୍ୟା ରହିଛି। ୮୨ ହଜାର ୩୬ଟି DBT ସକ୍ରିୟକରଣ, ୨୮ ହଜାର ୬୨୧ଟି ବାୟୋମେଟ୍ରିକ୍, e-KYC ଏବଂ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ବାରୀ ସମ୍ବନ୍ଧୀୟ ମାମଲା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛି ମହିଳା ଓ ଶିଶୁ ବିକାଶ ବିଭାଗ । ଫିଲଡ଼ ତଦନ୍ତ ପାଇଁ ବ୍ଲକ ଓ ଏନଏସି ଜିଲ୍ଲା କମିଟିକୁ ରିପୋର୍ଟ ଦେବେ। ଜିଲ୍ଲା କମିଟି ଜୁଲାଇ ୨୫ ତାରିଖ ସୁଦ୍ଧା ରାଜ୍ୟ କମିଟିକୁ ରିପୋର୍ଟ ଦେବେ। ବାୟୋମେଟ୍ରିକ ଦେଇ ନଥିବା ହିତାଧିକାରୀଙ୍କ ତାଲିକା ସୁଭଦ୍ରା ପୋର୍ଟାଲରେ ରହିଛି। ସେମାନେ ମୋ-ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଜୁଲାଇ ୨୫ ଭିତରେ ଫିଙ୍ଗର ପ୍ରିଣ୍ଟ ଦେଇ ଏହାକୁ ସଂପୂର୍ଣ୍ଣ କରିବାକୁ ନିବେଦନ କରିଛନ୍ତି ପ୍ରଭାତୀ । କେବଳ ନୂଆ ନୁହନ୍ତି, ଏହି ପ୍ରକ୍ରିୟାରେ ବାଦ୍ ପଡିଥିବା ପୁରୁଣା ହିତାଧିକାରୀ ବି ଯୋଡ଼ି ହୋଇପାରିବେ । ଯେଉଁମାନେ ୫ ଏକର ଜମି ନ ଥାଇ କିମ୍ବା ଆଇଟି ରିଟର୍ଣ୍ଣ ନ କରି ସୁଭଦ୍ରାରୁ ବାଦ ପଡିଛନ୍ତି ସେମାନେ ଫିଲଡ ତଦନ୍ତରେ ଅଭିଯୋଗ କରିପାରିବେ। ପ୍ରଥମରୁ ଯଦି କିଛି ପାଇ ନଥିବେ, କିନ୍ତୁ ଯୋଗ୍ୟ ହୋଇଥିବେ, ସେମାନେ ଯୋଗ୍ୟ ପ୍ରମାଣିତ ହେଲେ ଏକାବେଳକେ ୫ଟି କିସ୍ତିର ଟଙ୍କା ପାଇବେ। ଏନେଇ ଆଜି ଲୋକସେବା ଭବନରେ ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୁଲାଇ ୨୫ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣୀମାରେ ସୁଭଦ୍ରାର ପଞ୍ଚମ କିସ୍ତି ମିଳିବ। ଯାହାକୁ ନେଇ ଉଭୟ ନୂଆ ଓ ତାଲିକାରୁ ବାଦପଡ଼ିଥିବା ହିତାଧିକାରୀଙ୍କ ମନରେ ଆଶା ବଢିଯାଇଛି। ରାଜ୍ୟ ସରକାରଙ୍କ ଫ୍ଲାଗ୍ ସିପ୍ ପ୍ରୋଗ୍ରାମ ବୋଲି କୁହାଯାଉଥିବା ସୁଭଦ୍ରା ଯୋଜନାରେ ଏ ଯାଏଁ ଏକ କୋଟିରୁ ଅଧିକ ମହିଳାଙ୍କୁ ଚାରୋଟି କିସ୍ତିରେ ୧ କୋଟି ୨୦ ଲକ୍ଷ ୬୪୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଯାଏ ୧ କୋଟି ୧ ଲକ୍ଷ ୯୯ ହଜାର ୧୧୯ ଜଣଙ୍କୁ ଅନ୍ତିମ ସମ୍ଭାବ୍ୟ ହିତାଧିକାରୀ ଭାବେ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ରଥଯାତ୍ରା ପାଇଁ ପୁରୀରେ ୮ ଅସ୍ଥାୟୀ ଚିକିତ୍ସାଳୟ, ୧୭୦୦ ଶୌଚାଳୟ
ପୁରୀ ରଥଯାତ୍ରା ୨୦୨୬ ପାଇଁ ରାଜ୍ୟ ସରକାର ୮ଟି ଅସ୍ଥାୟୀ ହସ୍ପିଟାଲ, ୧୭୦୦ ବାୟୋ-ଟଏଲେଟ, ୪୭୩ ସିସିଟିଭି କ୍ୟାମେରା, ୬୫ ଏଲଇଡି ସ୍କ୍ରିନ୍ ଓ ୩୦୦ରୁ ଅଧିକ ଟ୍ରେନ ସହ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଭୁବନେଶ୍ୱର : ପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ପୁରୀରେ ଭକ୍ତଙ୍କ ନିମନ୍ତେ ୮ଟି ଅସ୍ଥାୟୀ ଚିକିତ୍ସାଳୟ, ୧୭ଶହଟି ଶୌଚାଳୟ ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ, ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ପ୍ରତ୍ୟେକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ତଥା ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାପାଇଁ ନିରନ୍ତର ସୂଚନା ପ୍ରଦାନର ବ୍ୟବସ୍ଥା ରହିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଯେପରି ଯୋଗଯୋଗ ବିଚ୍ଛିନ୍ନ ନରୁହେ, ସେଥିପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କର୍ଡନ ପରିଚାଳନା, ମହିଳାମାନଙ୍କ ସୁରକ୍ଷା, ସନ୍ଦିଗ୍ଧ ଓ ନିଶା ସେବନକାରୀଙ୍କ ଉପରେ ନଜର, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ, ଜରୁରୀକାଳୀନ ଇଭାକ୍ୟୁସନ, ପାଣିପାଗକୁ ଦେଖି ଉପଯୁକ୍ତ ପଦକ୍ଷେପ ଆଦି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରି ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଫୁଲ୍-ପ୍ରୁଫ୍ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ୪୭୩ ସିସିଟିଭି କ୍ୟାମେରା ସହିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ୬୫ଟି ବଡ ଏଲ୍ଇଡି ସ୍କ୍ରିନ୍ର ବ୍ୟବସ୍ଥା କରାଯାଇଛି। ଓଡିଆ, ହିନ୍ଦୀ ଓ ଇଂରାଜୀରେ ଏଥିରେ ସୂଚନା ଦିଆଯିବ। ମୋବାଇଲ ନେଟୱାର୍କ ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ଟାୱାରର ବ୍ୟବସ୍ଥା କରାଯାଇଛି। ସୂଚନା ପ୍ରଦାନ ପାଇଁ ଏଥରକ ଅଧିକ ବାର୍ତ୍ତା (ବଲ୍କ ମେସେଜ୍)ର ବ୍ୟବସ୍ଥା ମଧ୍ୟ କରାଯାଇଛି। ରଥଯାତ୍ରାର ପ୍ରତ୍ୟେକ ଟିକ୍ନିଖି କାର୍ଯ୍ୟ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପାର୍କିଙ୍ଗ୍, ବଡଦାଣ୍ଡରେ ହାଇମାକ୍ସ ଲାଇଟର ବ୍ୟବସ୍ଥା କରାଯାଇଛି। ଏଥର ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ୧୭୦୦ଟି ବାୟୋ-ଟଏଲେଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ୫ଟି ଟଏଲେଟକୁ ପରିସ୍କାର ପରିଚ୍ଛନ୍ନ କରିବା ପାଇଁ ଜଣେ ଜଣେ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି। ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା ପାଇଁ ସହାୟତାା କେନ୍ଦ୍ରର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଭିଡ ନିୟନ୍ତ୍ରଣ ପାଇଁ ଅନେକ ନିର୍ଗମନ ଦ୍ବାରର ବ୍ୟବସ୍ଥା କରାଯାଇଛି। ସମସ୍ତ ସୁରକ୍ଷା କାର୍ଯ୍ୟର ନିୟନ୍ତ୍ରଣ ପାଇଁ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ଟ୍ରେନ ଚଳାଚଳ କରିବ। ତେଣୁ ଟ୍ରେନର ସମୟ ଅନୁଯାୟୀ ଭକ୍ତ ମାନଙ୍କ ଆଗମନକୁ ଦେଖି ଯାତ୍ରୀମାନଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରିବା, ଭିଡ ନିୟନ୍ତ୍ରଣ ସହିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ସଠିକ ରୂପେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ସମସ୍ତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡି.କେ. ସିଂହ, ଗୃହ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡଙ୍ଗୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ବିଭିନ୍ନ ବିଭାଗର ସଚିବ ଓ ପୋଲିସ ଉଚ୍ଚ ପଦାଧିକାରୀ ଏବଂ ପୁରୀ ଜିଲ୍ଲାପାଳ ଓ ଏସ୍.ପି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ ସମୀକ୍ଷା ବୈଠକ କରିବା ପାରେ ଆଜି ଆଉଥରେ ଲୋକସେବା ଭବନରେ ବିସ୍ତୃତ ସମୀକ୍ଷା କରିଛନ୍ତି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ବନ ମହୋତ୍ସବ ପାଳିତ। ପରିବେଶ ପାଇଁ ବୃକ୍ଷ ର ଯତ୍ନ ନେବାକୁ ଆହ୍ୱାନ
ଖୋର୍ଦ୍ଧା: ଖୋର୍ଦ୍ଧାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ରେ ବନ ମହୋତ୍ସବ ଏବଂ ବ୍ୟାଙ୍କ୍ ସାଇବର କ୍ରାଇମ ସଚେତନତା ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି। ଗତ ଜୁଲାଇ ୧ତାରିଖ ରୁ ଜୁଲାଇ ୭ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ ଅବସର ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ବୃକ୍ଷ ରୋପଣ , ଯତ୍ନ , ପରିବେଶ ସୁରକ୍ଷା ସମ୍ପର୍କିତ ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ୍, ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସିନିୟର୍ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ବିଷ୍ଣୁ ପ୍ରସାଦ ସେଠୀ, ଦ୍ୱିତୀୟ କ୍ରିଷ୍ଣ କାନ୍ତ ସାମନ୍ତରାୟ, ତୃତୀୟ ପ୍ରତ୍ୟୁଷ ରଞ୍ଜନ ସାହୁ, ଜୁନିଅର ବିଭାଗ ରେ ଶୁଭଲକ୍ଷ୍ମୀ ଦାସ, ସୁଜ୍ଞାନି ପ୍ରିୟଦର୍ଶନୀ, ସାଇ ସାସ୍ୱତୀ ବେହେରା, ଚିତ୍ରାଙ୍କନ ରେ ରୂତ୍ୟୁପୁନମ୍ ସିଂ, ଯୋଷିକା ଜାଗୃତି ପ୍ରଧାନ, ସାଇ ସମ୍ପୂର୍ଣ୍ଣ ସାହୁ, ଶୁଭାଙ୍ଗି ବିଶ୍ୱାଳ, ପଦ୍ମିନୀ ଜେନା, ଅଭିଲିପସା ଲେଙ୍କା ପ୍ରମୁଖ ଯୋଗ୍ୟ ବିବେଚିତ ହୋଇ ମୁଖ୍ୟ ଅତିଥି ଙ୍କ ଠାରୁ ପ୍ରମାଣ ପତ୍ର, ଟ୍ରଫି ପୁରସ୍କାର ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ବୃକ୍ଷ ରୋପଣ ଏବଂ ପରିବେଶ ସୁରକ୍ଷା ସଚେତନ ଟା ସମ୍ପର୍କିତ ଏକ ଗୋଷ୍ଠୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସାତଦିନ ଧରି ଚାଲୁଥିବା ଏହି ଉତ୍ସବ ର ଉଦ୍ଜାପନି ଦିବସରେ ଆକ୍ସସିସ ବ୍ୟାଙ୍କ୍ ତରଫ ରୁ ସାଇବର୍ ବ୍ୟାଙ୍କ୍ ଠକେଇ ସଚେତନତା ସମ୍ପର୍କ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ ସୁମିତା ତ୍ରିପାଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବ ରେ ଖୋର୍ଦ୍ଧା ଏକ୍ସସ ବ୍ୟାଙ୍କ୍ ଶାଖା ପରିଚାଳକ ରାଜେନ୍ଦ୍ର ଖଣ୍ଡୁଆଳ, ସ୍କୁଲ ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଏବଂ। ସ୍କୁଲ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ଏବଂ ଯତ୍ନ ସରେ ଛାତ୍ର ଛାତ୍ରୀ ଙ୍କ ମୁଖ୍ୟ ଭୂମିକା କୁ ବର୍ଣ୍ଣନା କରିଥିଲେ। ଆଜିର ଛାତ୍ର ଆଗାମୀ କାଲି ର ଭବିଷ୍ୟତ । ଭବିଷ୍ୟତ ରେ ସୁସ୍ଥ ପରିବେଶ, ଏବଂ ଉତ୍ତମ ଜଳବାୟୁ ଅନୁଭୂତ ପାଇଁ ସମସ୍ତେ ଖାଲି ସ୍ଥାନ ରେ ବୃକ୍ଷ ରୋପଣ ଏବଂ ଯତ୍ନ ପାଇଁ ଆହ୍ୱାନ ଦେଇଥିଲେ। ସମସ୍ତ ପିଲାମାନଙ୍କୁ ତାଙ୍କ ପିତାମାତା ଙ୍କ ପରିଶ୍ରମ ର ଅର୍ଥ କୁ ବ୍ୟାଙ୍କ୍ ସାଇବର୍ ଠକେଇ ରୁ ନିବୃତ୍ତ ରଖିବାକୁ ସଚେତନ କରାଯାଇଥିଲା। ସ୍କୁଲ ର ଉପାଧ୍ୟକ୍ଷ ତୁଷାର କାନ୍ତ ମହାନ୍ତି, ଏକାଡେମିକ ଡିନ୍ ବନଦୁର୍ଗା ଶାହା, ଶିକ୍ଷକ ବିରଞ୍ଚି ନାରାୟଣ ପଣ୍ଡା, ମାନସ ରଞ୍ଜନ ମହାପାତ୍ର , କରସିମା ସାହୁ ପ୍ରମୁଖ ପରିଚାଳନା କରିଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ବରଗଡ଼ରେ ବିଜେଡିର ଅଭିନବ ପ୍ରତିବାଦ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି
ବରଗଡ଼,: ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆଜି ବରଗଡ଼ ଗାନ୍ଧୀ ଛକଠାରେ "ଶିକ୍ଷା ବଞ୍ଚାଅ ଆନ୍ଦୋଳନ" ଏକ ଅଭିନବ ପ୍ରତିବାଦ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲାପ୍ରତିବାଦକାରୀମାନେ ଝାଳମୁଡ଼ି ଓ ସୁଖା ଝୁରୀ ବିକ୍ରି କରିବା ସହ ନିଜ ବେକରେ ଲେମ୍ବୁ ମାଳା ପିନ୍ଧି "ନିମୋଡ଼ା ନିମୋଡ଼ା" ଗୀତର ତାଳେ ନାଚି ସରକାରଙ୍କ ବିରୋଧରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ କୀର୍ତ୍ତନ ମାଧ୍ୟମରେ ମଧ୍ୟ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ କଟାକ୍ଷ କରାଯାଇଥିଲା।ଏହି ପ୍ରତିବାଦରେ ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ବିଜେଡି ଯୁବ ନେତା ସୁବ୍ରତ ସିଂଙ୍କ ସମେତ ବହୁ ନେତା ଓ ଶତାଧିକ କର୍ମୀ ଯୋଗଦେଇ ସରକାର ବିରୋଧରେ ନାରାବାଜି କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଏବଂ କରନ ଶିକନ୍ଦର। ପ୍ରତିବାଦ ସମୟରେ ବିଜେଡି ନେତୃବୃନ୍ଦ ଅଭିଯୋଗ କରିଥିଲେ ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ପ୍ରାୟ ଦୁଇ ହଜାର ତ୍ରୁଟି ରହିଛି, ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଗୁରୁତର ଅବହେଳା। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଶିକ୍ଷା କ୍ଷେତ୍ରରେ ବିଫଳ ହୋଇଥିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ କରି ନେତାମାନେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।ପରବର୍ତ୍ତୀ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହାପରେ ଗାନ୍ଧୀ ଛକରୁ ଶୋଭାଯାତ୍ରା ବାହାରି "ନିମୋଡ଼ା ନିମୋଡ଼ା" ଗୀତର ତାଳେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ବିଜେଡି ନେତୃବୃନ୍ଦ ଦାବି କରିଥିଲେ ଯେ, ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ତୁରନ୍ତ ସୁଧାରାଯାଉ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଆଉ କୌଣସି ପ୍ରକାରର ଅବହେଳା କରାନଯାଉ ଏବଂ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକ ଦାୟିତ୍ୱ ନେଇ ଇସ୍ତଫା ପ୍ରଦାନ କରନ୍ତୁ। ପ୍ରତିବାଦରେ ଶତାଧିକ ଦଳୀୟ ନେତା, କର୍ମୀ ଓ ସମର୍ଥକ ସାମିଲ ହୋଇ ସରକାର ବିରୋଧରେ ସ୍ଲୋଗାନ ଦେଇ ଶିକ୍ଷା କ୍ଷେତ୍ରରେ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବାକୁ ଦୃଢ଼ ଦାବି କରିଥିଲେ।
Bargarh (ବରଗଡ଼) • ରିପୋର୍ଟ : ତରଣୀ ପଟେଲ

ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା
ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ପରିବେଶବିତ୍ ତଥା ପ୍ରକୃତିବନ୍ଧୁ ତେଜରାଜ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପରିବେଶ ସଚେତନତା ଏବଂ ପ୍ରକୃତି ସଂରକ୍ଷଣ ଉପରେ ବିଶେଷ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପତିତପାବନ ସାହୁ ଯୋଗଦେଇ ବୃକ୍ଷ ହେଉଛି ମାନବଜୀବନର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ। ସେ ପ୍ରତ୍ୟେକ ଛାତ୍ରଛାତ୍ରୀ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ବରପାଲି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଘନଶ୍ୟାମ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଧାନ, ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ବେହେରା, ସତଲମା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ଗଡ଼ତିଆ, ଜିଲ୍ଲା ପରିବେଶ ସଚେତନତା ସମିତିର ସମ୍ପାଦକ ମୋହନ ଚାନ୍ଦ ପଧାନ ଏବଂ ସତଲମା ଉନ୍ନୀତ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ଭୋଇ ଉପସ୍ଥିତ ରହି ପରିବେଶ ସୁରକ୍ଷାର ଆବଶ୍ୟକତା, ଜଳବାୟୁ
Bargarh (ବରଗଡ଼) • ରିପୋର୍ଟ : ସତ୍ୟ ସୁରୁଜଲ୍, ବରପାଲ୍ଲୀ

ଡି.ଏ.ଭି .ପବ୍ଲିକ୍ ସ୍କୁଲ, ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରରେ ପାଳିତ ହେଲା ୩୧ତମ ପ୍ରତିଷ୍ଠା ଦିବସ
ତାଳଚେର : ଡି.ଏ.ଭି.ପବ୍ଲିକ୍ ସ୍କୁଲ, ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରର ୩୧ତମ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ବୈଦିକ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ଏହି ୩୧ତମ ଉତ୍ସବର ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼ଃ ଅଦୈତ୍ୟ ଚରଣ ଗଡନାୟକ ଯୋଗଦାନ କରି ଉତ୍ସବକୁ ସାଫଲ୍ଯ ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ରୂପେ ପ୍ରତିଭା ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ଅସ୍ମିତା ଯୋଶୀ ଯୋଗଦାନ କରି ଗୌରବ ମଣ୍ଡିତ କରାଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ୨୦୨୫ ମସିହାରେ ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁଶ୍ରୀ ଏସ୍ ମନୀଷା ବିଶିଷ୍ଟ ଅତିଥି ରୂପେ ଯୋଗଦାନ ଦେଇଥିଲେ । ତାଙ୍କୁ ବିଦ୍ୟାଳୟ ତରଫରୁ ତାଙ୍କର କୃତିତ୍ୱ ପାଇଁ ସମ୍ମାନିତ କରାଯାଇଥିଲା । ସେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି ଅଧ୍ୟୟନ ପ୍ରତି ସେମାନଙ୍କର ଏକାଗ୍ରତା ,ଆଗ୍ରହ ଏବଂ ଦୃଢ଼ନିଷ୍ଠା ସଫଳତାର ମାର୍ଗଦର୍ଶକ ହେବ ବୋଲି ଉପଦେଶ ଦେଇଥିଲେ । ବିଦ୍ୟାଳୟର ଦଶମ ଏବଂ ଦ୍ଵାଦଶ CBSEରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ୨୦୨୫–୨୦୨୬ ଶିକ୍ଷାବର୍ଷର ଦଶମ ଶ୍ରେଣୀର ୬୦ ଜଣ ଏବଂ ଦ୍ୱାଦଶ ଶ୍ରେଣୀର ୧୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ମହୋଦୟ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଏବଂ ଶୈକ୍ଷିକ ଉନ୍ନତିରେ ସନ୍ତୋଷ ପ୍ରକାଶ କରି ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଶିକ୍ଷା ସହ ବିଭିନ୍ନ କ୍ଷେତ୍ରରେ ଆହୁରି ଅଧିକ ସଫଳତା ଲାଭ କରନ୍ତୁ ବୋଲି କାମନା କରିଥିଲେ । ଏହି କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ମହୋଦୟା ଛାତ୍ରଛାତ୍ରୀଙ୍କ ସଫଳତାରେ ସନ୍ତୋଷ ପ୍ରକାଶ କରି ବିଦ୍ୟାଳୟର ଅଧିକ ଉନ୍ନତି ହେଉ ବୋଲି ଆଶା ପ୍ରକଟ କରିଥିଲେ ।ଏହି ଗୌରବମୟ ଉତ୍ସବରେ ଏମ୍. ସି. ଏଲ.ର ବରିଷ୍ଠ ଅଧିକାରୀଗଣ ଏବଂ ବିଭିନ୍ନ ଶ୍ରମିକ ସଂଗଠନର ନେତୃବର୍ଗ ଯୋଗଦାନ କରିଥିଲେ । JEE ପ୍ରବେଶିକା ପରୀକ୍ଷାରେ ଉଚ୍ଚ ସ୍ଥାନ ଅଧିକାର କରି କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ଅଧକ୍ଷ ତଥା ଡିଏଭି ଜୋନ-ଡି ର ସହକାରୀ ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ତାଙ୍କ ଅଭିଭାଷଣରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କର ଉଚ୍ଚ ପ୍ରଶଂସା କରି ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପାଇଁ ଅଧିକ ଗୌରବ ଆଣିଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବରେ ତାଳଚେର ଅଞ୍ଚଳର ବିଭିନ୍ନ ଡି.ଏ.ଭି. ସ୍କୁଲର ଅଧ୍ୟକ୍ଷମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ତାକର୍ଷକ ଓ ମନ ମୁଗ୍ଧକର ନୃତ୍ୟ ଏବଂ ସଂଗୀତ ପରିବେଷଣ କରାଯାଇଥିଲା । ଉତ୍ସବର ଶେଷରେ ବିଦ୍ୟାଳୟର ରସାୟନ ବିଜ୍ଞାନର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।
Angul (ଅନୁଗୋଳ) • ରିପୋର୍ଟ : ସନାତନ କର, ଜିଲ୍ଲା ପ୍ରତିନିଧି

ଆକାଶ ରଞ୍ଜନ ମୁଣ୍ଡ କୁ ସାଇନିଂ କିଡ୍ସ ୱର୍ଲ୍ଡ ବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା
କଳାହାଣ୍ଡି : ସାଇନିଂ କିଡ୍ସ ୱାର୍ଲ୍ଡ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ , ଓ ଛାତ୍ର ଛାତ୍ରୀ ମାନେ , ବାଜା ବଜେଇ, , ହୁଲ ହୁଲି ଦେଇ ଅତି ଆଡ଼ମ୍ବରରେ ପାରାବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏଠାରେ କଳାହାଣ୍ଡି ସମଦୃଷ୍ଟି କ୍ଷମତା ବିକାଶ ( ସକ୍ଷମ ) ର ସଦସ୍ୟ ଶ୍ରୀ ବିସେଶ୍ୱରି ପ୍ରଧନୀ , ଶ୍ରୀ ରାଜେଶ କୁମାର ଭୈରୋମଲ ତାଙ୍କୁ ମାଲ୍ୟାର୍ପଣ କରି ସୁବେଚ୍ଛା ଜଣାଇଥିଲେ। ବ୍ରାହ୍ମଣ ସମାଜ ଜୁନାଗଡ ଓ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡଃ ପ୍ରବୀର କୁମାର ଗୋଏଲ ମାନପତ୍ର ପଦାର୍ପଣ କରି ଥିଲେ , ଉପସ୍ଥିତ ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ ଦଣ୍ଡସେନା ବକ୍ତବ୍ୟ ଦେଇଥିଲେ । ଶ୍ରୀ ମୁଣ୍ଡ ସମସ୍ତ ଶ୍ରେଣୀ କକ୍ଷ କୁ ଭ୍ରମଣ କରି , ଛାତ୍ର ଓ ଛାତ୍ରୀ ମାନଙ୍କ ସହିତ ମିଶି କିପରି ଭାବରେ ନିଜ ସ୍ବପ୍ନ କୁ ପୂର୍ଣ୍ଣ କରିବା ତାହା ନେଇ ସେ ଅଭିପ୍ରେରଣା ଦେଇଥିଲେ ।
Kalahandi (କଳାହାଣ୍ଡି) • ରିପୋର୍ଟର :ରିତେଶ କୁମାର ମୁଣ୍ଡ

ପ୍ରିୟଦର୍ଶନି ଇନ୍ଦିରା ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ସ୍ୱୟଂ ରକ୍ଷା ପ୍ରଶିକ୍ଷଣ ଶିବିର ସମାପ୍ତ,, ୪୨ ଛାତ୍ରୀ ଲାଭାନ୍ୱିତ
ଜୁନାଗଡ଼, ଓଡ଼ିଶା ସରକାରଙ୍କ ଶକ୍ତିଶ୍ରୀ ଏମ୍ପାୱରମେଣ୍ଟ ସେଲ୍ ପକ୍ଷରୁ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସଚେତନତା ଓ ଆତ୍ମରକ୍ଷା କୌଶଳ ବିକାଶ ଉଦ୍ଦେଶ୍ୟରେ ପ୍ରିୟ ଦର୍ଶନି ଇନ୍ଦିରା ମହାବିଦ୍ୟାଳୟ, ଜୁନାଗଡ଼ରେ ଆୟୋଜିତ ସପ୍ତାହବ୍ୟାପୀ ସ୍ୱୟଂ ରକ୍ଷା ପ୍ରଶିକ୍ଷଣ ଶିବିର ଶୁକ୍ରବାର ସଫଳତାର ସହ ସମାପ୍ତ ହୋଇଛି।ଗତ ୪ ଜୁଲାଇରୁ ୧୦ ଜୁଲାଇ ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରଶିକ୍ଷଣରେ ମହାବିଦ୍ୟାଳୟର ୪୨ ଜଣ ଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ l ପ୍ରଶିକ୍ଷଣରେ ବିଭିନ୍ନ ଆତ୍ମରକ୍ଷା କୌଶଳ ସମ୍ପର୍କରେ ବ୍ୟବହାରିକ ତାଲିମ ପ୍ରଦାନ କରାଯାଇଥିଲା lକାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଅମିତା ମେହେର ଥିବାବେଳେ ଅଭିଜ୍ଞ ପ୍ରଶିକ୍ଷକ ଜଲି ପରା ଭୋଇ ଓ ଶିବାନୀ ଭାଟି ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।ସମାପନୀ ଉତ୍ସବରେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷା ସବିତା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବର୍ତ୍ତମାନ ସମୟରେ ପ୍ରତ୍ୟେକ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିକ୍ଷା ଅତ୍ୟନ୍ତ ଜରୁରୀ। ଏହିପରି ପ୍ରଶିକ୍ଷଣ ସେମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ ଓ ସୁରକ୍ଷାବୋଧ ବୃଦ୍ଧି କରିବ ବୋଲି ସେ ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ମିଡିଆ କ୍ଲବର ସଭାପତି ଆଦିତ୍ୟ ପ୍ରସାଦ ମହାନ୍ତି ଯୋଗଦେଇ ମହିଳା ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରିୟବ୍ରତ ବାଣୁଆ ସ୍ୱୟଂ ରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଏହାର ଆବଶ୍ୟକତା ଓ ମହିଳା ସଶକ୍ତୀକରଣରେ ଏହାର ଭୂମିକା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ଶକ୍ତିଶ୍ରୀଏମ୍ପାୱରମେଣ୍ଟ ସେଲ୍ର ସଂଯୋଜିକା ଅଧ୍ୟାପିକା ଅମିତା ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ
Kalahandi (କଳାହାଣ୍ଡି) • ରିପୋର୍ଟର :ରିତେଶ କୁମାର ମୁଣ୍ଡ, ଜୁନାଗଡ଼

ରଥଯାତ୍ରା-୨୦୨୬ ପାଇଁ ଭଜନ ସମାରୋହ, ପ୍ରସ୍ତୁତି ବୈଠକ ଶେଷ, ୯ ଦିନିଆ କାର୍ଯ୍ୟକ୍ରମକୁ ମଞ୍ଜୁରି
ଭବାନୀପାଟଣା: ପବିତ୍ର ରଥଯାତ୍ରା-୨୦୨୬ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା ପ୍ରଶାସନ, କଳାହାଣ୍ଡିଙ୍କ ମିଳିତ ଆନୁକୂଳ୍ୟରେ ଆୟୋଜିତ ହେବାକୁ ଥିବା "ଶ୍ରୀ ଜଗନ୍ନାଥ ଭଜନ ଧାରା ତଥା ରଥଯାତ୍ରା ଭଜନ ସମାରୋହ-୨୦୨୬" ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପ-ଜିଲ୍ଲାପାଳ ଭବାନୀପାଟଣା, ଉପ-ନିର୍ଦ୍ଦେଶକ (ଯୋଜନା ଓ ତଦାରଖ ୟୁନିଟ), ପୌରପାଳିକା ଭବାନୀପାଟଣାର ନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ରଥଯାତ୍ରା ଭଜନ ସମାରୋହର ସୁଚାରୁ ଆୟୋଜନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଭଜନ ସମାରୋହ ୯ ଦିନ ଧରି ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିବା ବେଳେ, ସାଂସ୍କୃତିକ ଦଳମାନଙ୍କ ପରିବେଷଣ କ୍ରମ ଲଟେରୀ ମାଧ୍ୟମରେ ନିର୍ଦ୍ଧାରଣ କରାଯାଇଥିଲା। ମାଉସୀମା' ମନ୍ଦିର ପରିସର ଓ ଭଜନ ସ୍ଥଳର ସ୍ୱଚ୍ଛତା ଦାୟିତ୍ୱ ପୌରପାଳିକା ଭବାନୀପାଟଣାକୁ ନ୍ୟସ୍ତ କରାଯାଇଥିବା ବେଳେ, କଳାକାରଙ୍କ ଯାତାୟାତ ସୁବିଧା ଓ ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଉପ-ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବୈଠକର ସମାପ୍ତି ଘୋଷଣା କରିଥିଲେ।
Kalahandi (କଳାହାଣ୍ଡି) • ରିପୋର୍ଟର: ରିତେଶ କୁମାର ମୁଣ୍ଡ, ଭବାନୀପାଟଣା

କୋଷାଗୁମୁଡ଼ା ଲ୍ୟାମ୍ପରେ ସାର ବଣ୍ଟନକୁ ନେଇ ବିବାଦ ଗର୍ଜିଲେ ବିଧାୟକ, ପାତର ଅନ୍ତର ନକରିବାକୁ ଲ୍ୟାମ୍ପ କର୍ତ୍ତାପକ୍ଷଙ୍କୁ କଡ଼ା ତାଗିଦ
ନବରଙ୍ଗପୁର: ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ଚାଷୀମାନଙ୍କୁ ସାର ଅଭାବର ସମ୍ମୁଖୀନ ହେବାକୁ ନ ପଡ଼ିବ ବୋଲି ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ପରିମାଣର ରାସାୟନିକ ସାର ପ୍ରତ୍ୟେକ ଲ୍ୟାମ୍ପ (LAMPS) ମାଧ୍ୟମରେ ଯୋଗାଇ ଦେଇଥିବା ସରକାରୀ ଦାବି ରହିଛି। କିନ୍ତୁ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ଲ୍ୟାମ୍ପରେ ସାର ବଣ୍ଟନକୁ ନେଇ ଦେଖାଦେଇଥିବା ଅବ୍ୟବସ୍ଥା ଓ ବୈଷମ୍ୟର ଅଭିଯୋଗ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ, ଲ୍ୟାମ୍ପ କର୍ତ୍ତୃପକ୍ଷ ସମସ୍ତ ଚାଷୀଙ୍କୁ ସମାନ ଭାବେ ସାର ବଣ୍ଟନ ନ କରି କେତେକଙ୍କୁ ପ୍ରାଥମିକତା ଦେଉଥୂବାବେଳେ ଅନ୍ୟ ଚାଷୀମାନଙ୍କୁ ସାର ନ ମିଳିବାରୁ ସେମାନେ ହତାଶ ହେଉଛନ୍ତି। ଏହି ଭଳି ପାତର ଅନ୍ତର ଚାଷୀମାନଙ୍କ ମନରେ ସରକାରଙ୍କ ସାର ଯୋଗାଣ ବ୍ୟବସ୍ଥାକୁ ନେଇ ଭୁଲ ବାର୍ତ୍ତା ପହଞ୍ଚାଉଥିବା ସହ ଅଭାବର ଏକ କୃତ୍ରିମ ପରିସ୍ଥିତି ସୃଷ୍ଟି କରୁଥିବା ବୋଲି ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ନବରଙ୍ଗପୁରର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ସ୍ବୟଂ କୋଷାଗୁମୁଡା ଲ୍ୟାମ୍ପରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ସେ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କୁ ସୃଷ୍ଟ ଭାବେ ଜଣାଇଥିଲେ ଯେ, ସାର ବଣ୍ଟନରେ କୌଣସି ପ୍ରକାର ବୈଷମ୍ୟ କିମ୍ବା ପାତର ଅନ୍ତର ଗ୍ରହଣଯୋଗ୍ୟ ନୁହେଁ। ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କୁ ନିୟମ ଅନୁଯାୟୀ ସମାନ ସୁଯୋଗ ଓ ସାର ଯୋଗାଇ ଦେବାକୁ ସେ କଡ଼ା ତାଗିଦ କରିଥିଲେ। ବିଧାୟକ ଶ୍ରୀ ମାଝୀ କହିଥିଲେ ଯେ, ସରକାର ଚାଷୀଙ୍କ ସ୍ବାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପର୍ଯ୍ୟାପ୍ତ ସାର ଯୋଗାଣର ବ୍ୟବସ୍ଥା କରିଛନ୍ତି। ତେଣୁ ତୃଣମୂଳ ସ୍ତରରେ ଯଦି କୌଣସି ଅବହେଳା, ଅନିୟମିତତା କିମ୍ବା ପକ୍ଷପାତ ହୁଏ, ତାହା ସହ୍ୟ କରାଯିବ ନାହିଁ। ଚାଷୀଙ୍କ ସ୍ବାର୍ଥ ବିରୋଧୀ କାର୍ଯ୍ୟ ପ୍ରତି ପ୍ରଶାସନ ଓ ସମ୍ପୂକୁ ବିଭାଗ ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ। ଏପଟେ ବିଧାୟକଙ୍କ ହସ୍ତକ୍ଷେପ ପରେ ଚାଷୀମାନଙ୍କ ମଧ୍ୟରେ ଆଶାର ସଞ୍ଚାର ହୋଇଥିବା ବେଳେ, ଆଗାମୀ ଦିନରେ ସାର ବଣ୍ଟନ ପ୍ରକ୍ରିୟା ସ୍ବଚ୍ଛ ଓ ନିରପେକ୍ଷ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। ଚାଷ ଋତୁର ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ କୌଣସି ଚାଷୀ ସାରରୁ ବଞ୍ଚିତ ନ ହୁଅନ୍ତୁ, ସେଥୂପାଇଁ ପ୍ରଶାସନ ପକ୍ଷରୁ କଡ଼ା ନଜରଦାରି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Nabarangpur (ନବରଙ୍ଗପୁର) • ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, ଜିଲ୍ଲା ପ୍ରତିନିଧି, ନବରଙ୍ଗପୁର

ବିଜେପିର ମିଶ୍ରଣ ପର୍ବ
ନବରଙ୍ଗପୁର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନବରଙ୍ଗପୁର ଗସ୍ତ କରିଛନ୍ତି। ଏହି ସମୟରେ ସାଂସଦ ବଳଭଦ୍ର ମାଝୀ, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ବିଜେପି ସମ୍ପାଦକ ସରୋଜ କୁମାର କର, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରି ଗାଁ ବିଧାୟକ ନରସିଂହ ଭତ୍ରା,ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ପୂର୍ଣ୍ଣିମା ନାୟକ ଓ ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ପର୍ଶୁରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ କର୍ମୀ ସମ୍ମଳନୀରେ ମିଶ୍ରଣ ପର୍ବ ପାଳନ କରାଯାଇଛି । ଏଥିରେ ୨ଶହରୁ ଊର୍ଦ୍ଧ୍ବ ବିଜେପି କର୍ମୀ ଯୋଗ ଦେଇଥିଲେ ।
Nabarangpur (ନବରଙ୍ଗପୁର) • ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, ଜିଲ୍ଲା ପ୍ରତିନିଧି, ନବରଙ୍ଗପୁର

ଡାକ ବିଭାଗର ସେବା ସହ ଯୋଡ଼ି ଉଦ୍ୟୋଗୀଙ୍କ ବ୍ୟବସାୟ ବଢ଼ାଇବା ଲକ୍ଷ୍ୟ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଜିଲ୍ଲାପରିଷଦ ବୈଠକ ଗୃହରେ ଶୁକ୍ରବାର ଭାରତୀୟ ଡାକ ବିଭାଗ ପକ୍ଷରୁ ଏସ୍ଏଚ୍ଜି ଓ ଏସ୍ଏସ୍ଏମ୍ଇ ପ୍ରତିନିଧ୍ ଙ୍କୁ ନେଇ ଏକ ସଚେତନତା ଓ ମତ ବିନିମୟ କାର୍ଯ୍ୟକ୍ରମ କରାଯାଇଛି। ଯେଉଁଠା ଠାରେ ଡାକ ବିଭାଗର ବିଭିନ୍ନ ସେବାକୁ ବ୍ୟବହାର କରି କିପରି ବ୍ୟବସାୟ ପରିସର ବଢ଼ାଇହେବ ସେନେଇ ପରାମର୍ଶ ଦିଆଯାଇଥିଲା। ଚିଠି କିମ୍ବା ପାର୍ସଲ ପହଞ୍ଚାଇବାରେ ସୀମିତ ନୁହେଁ ଡାକ ବିଭାଗ। ଏବେ ଗ୍ରାମୀଣ ଉଦ୍ୟୋଗୀ ଓ ଏସ୍ଏଚ୍ଜିଙ୍କ ବ୍ୟବସାୟ ବଢ଼ାଇବାରେ ମଧ୍ୟ ଭରସାର ସାଥୀ ପାଲଟିଛି ବୋଲି ମତ ପ୍ରକାଶ ପାଇଛି। ନବରଙ୍ଗପୁରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ଅଞ୍ଚଳର ପୋଷ୍ଟମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର, ଆଇପିଓଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଏସ୍ଏଚ୍ଜି ଓ ଏସ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କ ସହ ସିଧାସଳଖ ଆଲୋଚନା କରି ଡାକ ବିଭାଗର ପାର୍ସଲ, ଲଜିଷ୍ଟିକ୍ସ, ସିଡ୍ ପୋଷ୍ଟ, ସଞ୍ଚୟ ଓ ବିଭିନ୍ନ ଆକ ସେବା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହି ସେବାକୁ ଉପଯୋଗ କରି ସ୍ଥାନୀୟ ଉତ୍ପାଦକୁ ଦେଶର ବିଭିନ୍ନ ପ୍ରାନ୍ତରେ ପହଞ୍ଚାଇ ଉଦ୍ୟୋଗୀମାନେ ଅଧିକ ଲାଭବାନ ହୋଇପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଏସ୍ଏନ୍ଜି 3 ଏସ୍ଏସ୍ଏମ୍ଇ ପ୍ରତିନିଧିମାନେ ନିଜ ଅନୁଭୂତି ବାଣ୍ଟିବା ସହ ବିଭିନ୍ନ ସମସ୍ୟା ପ୍ରଶ୍ନ ଉଠାଇଥିଲେ। ପୋଷ୍ଟମାଷ୍ଟର ଜେନେରାଲ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ଭାରତୀୟ ଡାକ ବିଭାଗ ପକ୍ଷରୁ ସମ୍ପୂର୍ଣ ସହଯୋଗର ଆଶ୍ବାସନ ଦେଇଥିଲେ। ସ୍ଥାନୀୟ ଉଦ୍ୟୋଗୀଙ୍କୁ ଡାକ ବିଭାଗର ସେବା ସହ ଯୋଡ଼ି ସେମାନଙ୍କ ବ୍ୟବସାୟର ବଜାର ବିସ୍ତାର କରିବା ହିଁ ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ଏଥିସହ ଡାକବିଭାଗରେ ଉତ୍କର୍ଷ ପ୍ରଦର୍ଶନକୁ ନେଇ ୩ ଜଣ କର୍ମଚାରୀଙ୍କୁ ପୁରୁସ୍କୃତ କରାଯାଇଥିଲା।
Nabarangpur (ନବରଙ୍ଗପୁର) • ରିପୋର୍ଟ : ଗୋବିନ୍ଦ ତ୍ରିପାଠୀ, ଜିଲ୍ଲା ପ୍ରତିନିଧି, ନବରଙ୍ଗପୁର
