--:--:--
-- ---
Srishti News

Web News

SIR-2026 ପରେ ଅନୁଗୋଳରେ ୯,୧୯,୬୭୦ ଭୋଟର
Sep 21, 2026•52 views

SIR-2026 ପରେ ଅନୁଗୋଳରେ ୯,୧୯,୬୭୦ ଭୋଟର

ଅନୁଗୋଳ: SIR-2026 ପ୍ରକ୍ରିୟା ପରେ ଅନୁଗୋଳ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ସେପ୍ଟେମ୍ବର ୨୧, ୨୦୨୬ର ତଥ୍ୟ ଅନୁଯାୟୀ, ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୯,୧୯,୬୭୦ ଜଣ ଭୋଟର ରହିଛନ୍ତି। ଏଥିରେ ୪,୭୫,୫୦୪ ଜଣ ପୁରୁଷ, ୪,୪୪,୦୧୮ ଜଣ ମହିଳା ଏବଂ ୧୪୮ ଜଣ ତୃତୀୟଲିଙ୍ଗୀ ଭୋଟର ଅଛନ୍ତି। SIR-2026 ଡ୍ରାଫ୍ଟ ତାଲିକାରେ ଜିଲ୍ଲାରେ ୯,୦୮,୮୭୫ ଜଣ ଭୋଟର ଥିବା ବେଳେ ଚୂଡ଼ାନ୍ତ ତାଲିକାରେ ଏହି ସଂଖ୍ୟା ୯,୧୯,୬୭୦କୁ ବୃଦ୍ଧି ପାଇଛି। ଅଦ୍ୟତନ ପ୍ରକ୍ରିୟାରେ ୧୧,୫୪୯ ନୂଆ ଭୋଟରଙ୍କ ନାମ ଯୋଡ଼ାଯାଇଥିବା ବେଳେ ୭୫୪ଟି ନାମ ବାଦ ଦିଆଯାଇଛି। ସେହିପରି ୪,୨୭୩ ଭୋଟରଙ୍କ ତଥ୍ୟରେ ସଂଶୋଧନ କରାଯାଇଛି। ନିର୍ବାଚନମଣ୍ଡଳୀ ଅନୁଯାୟୀ ପାଲଲହଡ଼ାରେ ୧,୬୫,୦୫୮, ତାଳଚେରରେ ୧,୫୬,୧୩୭, ଅନୁଗୋଳରେ ୧,୯୬,୨୪୭, ଛେଣ୍ଡିପଦାରେ ୧,୯୯,୩୦୩ ଏବଂ ଆଠମଲ୍ଲିକରେ ୨,୦୨,୯୨୫ ଜଣ ଭୋଟର ରହିଛନ୍ତି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାର Gender Ratio ୯୩୪ ରହିଛି। ଏଥିରେ ୧୮ରୁ ୧୯ ବର୍ଷ ବୟସର ୯,୨୩୬ ଜଣ ଯୁବ ଭୋଟର, ୮୫ ବର୍ଷରୁ ଅଧିକ ବୟସର ୬,୩୫୧ ଜଣ ବରିଷ୍ଠ ଭୋଟର ଏବଂ ୧୦,୯୮୫ ଜଣ PwD ଭୋଟର ଅଛନ୍ତି। ଜିଲ୍ଲାରେ ମୋଟ ୧,୨୯୭ଟି ପୋଲିଂ ଷ୍ଟେସନ୍ ରହିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳ

ତୁଳସୀପାଳରେ ବୃକ୍ଷରୋପଣ ଅଭିଯାନ
Sep 21, 2026•42 views

ତୁଳସୀପାଳରେ ବୃକ୍ଷରୋପଣ ଅଭିଯାନ

ବଅଁରପାଳ: ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ ଅବସରରେ ବଅଁରପାଳ ବ୍ଲକ୍‌ ତୁଳସୀପାଳ ଗ୍ରାମରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଛି। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଲକ୍ଷ୍ୟରେ ଗ୍ରାମର ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ଓ କର୍ମକର୍ତ୍ତାମାନେ ଚାରାର ଯତ୍ନ ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଗଛଗୁଡ଼ିକୁ ବଡ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଆହ୍ୱାନ ଦେଇଥିଲେ। ଏଥିରେ ୨୮ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡ଼ନାୟକ, ଏସ୍‌ଟି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ କୁମାର ଭୋଇ, ମଣ୍ଡଳ ସଭାପତି ସୁବ୍ରତ କୁମାର ସାହୁଙ୍କ ସମେତ ବହୁ ସାମାଜିକ ଓ ସାଂଗଠନିକ କର୍ମକର୍ତ୍ତା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ବୃକ୍ଷରୋପଣ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ପରିବେଶ ସଚେତନତା ଓ ବୃକ୍ଷ ସୁରକ୍ଷାର ବାର୍ତ୍ତା ପହଞ୍ଚିଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ବଅଁରପାଳ , ଅନୁଗୋଳ

ଢେଙ୍କାନାଳ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ- ୨୦୨୬ ସଂକ୍ରାନ୍ତୀୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ  ସମୁଦାୟ ୯,୧୦ ୦୦୧ ଭୋଟର
Sep 21, 2026•15 views

ଢେଙ୍କାନାଳ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ- ୨୦୨୬ ସଂକ୍ରାନ୍ତୀୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ସମୁଦାୟ ୯,୧୦ ୦୦୧ ଭୋଟର

ଢ଼େଙ୍କାନାଳ, ୨୧.୯ - ଭାରତ ନିର୍ବାଚନ ଆୟୋଗ ଙ୍କ ପକ୍ଷରୁ ୧୪-୦୫-୨୦୨୬ ତାରିଖରେ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଘୋଷଣା କରାଯାଇଥିଲା। ଆଜି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାୟ ଚାରି ମାସ ଧରି ଚାଲିଥିବା ଏହି ପ୍ରକ୍ରିୟା ସଫଳତାର ସହ ସମାପ୍ତ ହୋଇ ଢେଙ୍କାନାଳ ଜିଲ୍ଲାର ସାର୍ -୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନ ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ଵର ପାଟିଲ ପ୍ରମୂଖ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଚୁଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଉପ ଜିଲ୍ଲାପାଳ ଶ୍ରୀ ପଦ୍ମ ଚ଼ରଣ ସାହୁ ଉପସ୍ଥିତ ଥିଲେ । ଡ଼େପୁଟୀ କଲେକ୍ଟର (ନିର୍ବାଚ଼ନ) ନିବେଦିତା ରାଉତ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ଏହି ପ୍ରକ୍ରିୟାର ଆରମ୍ଭ ୩୦ ମେ ରୁ ଆରମ୍ଭ ହୋଇ ୨୮ ଜୁନ୍ ପର୍ଯ୍ୟନ୍ତ ବୁଥ୍‌ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ଯାଇ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ହୋଇଥିଲା। ଏହାପରେ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତୀ କରଣ ଏବଂ ୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୫ ଜୁଲାଇରୁ ୧୯ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟ ଦିଆଯାଇଥିଲା। ଏହା ସହିତ ୫ ଜୁଲାଇରୁ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ନୋଟିସ୍‌, ଶୁଣାଣି ଓ ମାମଲାଗୁଡ଼ିକର ଫଇସଲା ପ୍ରକ୍ରିୟା ମଧ୍ୟ ଜାରି ରହିଥିଲା। ସାର୍ ଆରମ୍ଭ ସମୟରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୯,୬୨,୮୨୬ ଜଣ ଭୋଟର ଥିଲେ। ଗଣନା ପ୍ରକ୍ରିୟା ସମୟରେ ମୃତ୍ୟୁ, ସ୍ଥାୟୀ ସ୍ଥାନାନ୍ତରଣ ଏବଂ ଏକାଧିକ ଏଣ୍ଟ୍ରି ଭଳି ବିଭିନ୍ନ କାରଣରୁ ୫୮,୫୫୪ଟି ଫର୍ମ ସଂଗ୍ରହ ହୋଇପାରିନଥିଲା। ଫଳସ୍ୱରୂପ, ଚିଠା ଭୋଟର ତାଲିକାରେ ୯,୦୪,୨୭୨ ଜଣ ଭୋଟର ସ୍ଥାନ ପାଇଥିଲେ। ନୋଟିସ୍ ଓ ଶୁଣାଣି ପର୍ଯ୍ୟାୟରେ ମ୍ୟାପିଂ ହୋଇନଥିବା ଭୋଟର ଏବଂ ନାମ, ବୟସ, ବୟସର ଅସଙ୍ଗତି, ଲିଙ୍ଗ ଇତ୍ୟାଦି ବିଭିନ୍ନ ତ୍ରୁଟି ସଂକ୍ରାନ୍ତରେ ମୋଟ ୧,୬୨,୨୦୯ଟି ନୋଟିସ୍ ଜାରି କରାଯାଇଥିଲା। ଏହି ସମସ୍ତ ମାମଲାର ନିୟମାନୁସାରେ ଶୁଣାଣି କରାଯାଇ AERO ସ୍ତରରେ ଫଇସଲା କରାଯାଇଛି। ଏଥିସହିତ ଭୋଟଗ୍ରହଣ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତୀକରଣ ମଧ୍ୟ କରାଯାଇଛି। ଏହାଦ୍ୱାରା ଜିଲ୍ଲାରେ ଭୋଟଗ୍ରହଣ କେନ୍ଦ୍ର ସଂଖ୍ୟା ୧୦୨୨ରୁ ବୃଦ୍ଧି ପାଇ ୧୨୪୪ରେ ପହଞ୍ଚିଛି। ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୯,୧୦,୦୦୧ ଜଣ ଭୋଟର ରହିଛନ୍ତି। ସମଗ୍ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସମ୍ପାଦନ କରାଯାଇଛି। ପ୍ରତ୍ୟେକ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକୁ ନିୟମିତ ଭାବେ ସାମିଲ କରାଯାଇ ସୂଚନା ପ୍ରଦାନ କରାଯାଇଛି। ଏହି ସମଗ୍ର ପ୍ରକ୍ରିୟାକୁ ନିର୍ବାଚନ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ନିୟମିତ ଭାବେ ସମୀକ୍ଷା କରିଛନ୍ତି। ଏଥିସହିତ ସମଗ୍ର ପ୍ରକ୍ରିୟାରେ ରାଜନୈତିକ ଦଳ ସହଯୋଗ କରିଥିଲେ। ସମସ୍ତଙ୍କର ସାମୂହିକ ପ୍ରୟାସରେ ଢେଙ୍କାନାଳ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ସଫଳତାର ସହ ସମାପ୍ତ ହୋଇଛି ଏବଂ ଜିଲ୍ଲା ପାଇଁ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇଛି।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଗୋପାଳପୁର ବେଳାଭୂମିରେ ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ପାଳିତ। ସାମିଲ୍ ହେଲେ କ୍ୟାବିନେଟ୍ ମନ୍ତ୍ରୀ
Sep 21, 2026•18 views

ଗୋପାଳପୁର ବେଳାଭୂମିରେ ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ପାଳିତ। ସାମିଲ୍ ହେଲେ କ୍ୟାବିନେଟ୍ ମନ୍ତ୍ରୀ

ଗୋପାଳପୁର : ଆନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ବେଳାଭୂମିରେ ଏକ ଅଭାବନୀୟ ତଥା ଐତିହାସିକ ଦୃଶ୍ୟ ଦେଖିବାକୁ ମିଳିଛି। ‘ସ୍ଥିର ସମାଜ ପାଇଁ ସ୍ୱଚ୍ଛ ସମୁଦ୍ର’ ବିଶ୍ୱସ୍ତରୀୟ ନାରାକୁ ସାକାର କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି ରାଜ୍ୟ କ୍ୟାବିନେଟ୍‌ର ମାନ୍ୟବର ମନ୍ତ୍ରୀ। ସଫେଇ ମହାଯଜ୍ଞରେ ନିଜେ ସାମିଲ ହୋଇ ମନ୍ତ୍ରୀ ମହୋଦୟ ନିଜ ହାତରେ ବେଳାଭୂମିରୁ ଆବର୍ଜନା, ପ୍ଲାଷ୍ଟିକ୍ ଏବଂ ପଲିଥିନ ଗୋଟାଇ ସଫା କରିଛନ୍ତି। କେବଳ ଭାଷଣ ନଦେଇ ନିଜେ କାର୍ଯ୍ୟ କରି ସେ ସମସ୍ତଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି। ଏହି କାର୍ଯ୍ୟକ୍ରମ ‘ଲୋକଙ୍କ ସରକାର’ର ବାର୍ତ୍ତାକୁ ପ୍ରମାଣିତ କରିବା ସହ ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ଶୀର୍ଷରେ ରହିଛି। ଏହି ସଫେଇ ଅଭିଯାନରେ ମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ, ଗଞ୍ଜାମ ଜିଲ୍ଲାପାଳ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଶାସନିକ ଅଧିକାରୀ, ବ୍ୟବସାୟୀ, ପର୍ଯ୍ୟଟକ ଏବଂ ବିପୁଳ ସଂଖ୍ୟାରେ ଛାତ୍ର ସମାଜ ସାମିଲ ହୋଇଥିଲେ। ସମସ୍ତଙ୍କ ମିଳିତ ସହଯୋଗରେ ଗୋପାଳପୁର ବେଳାଭୂମିକୁ ଏକ ସ୍ୱଚ୍ଛ ଓ ନୂତନ ରୂପ ପ୍ରଦାନ କରାଯାଇଛି। ଗୋପାଳପୁରକୁ ଦେଶର ଶ୍ରେଷ୍ଠ ଓ ସ୍ୱଚ୍ଛ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ିତୋଳିବା ପାଇଁ ଏହି ସଂକଳ୍ପ ନିଆଯାଇଛି। ବେଳାଭୂମିକୁ ସ୍ୱଚ୍ଛ ଓ ପବିତ୍ର ରଖିବା ପ୍ରତ୍ୟେକ ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ନୈତିକ ଦାୟିତ୍ୱ ବୋଲି ଏହି ଅବସରରେ ମତପ୍ରକାଶ ପାଇଛି।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ତ୍ରୀନାଥସାହି ଗଣେଶ ଭଷାଣୀ ଉତ୍ସବ
Sep 21, 2026•89 views

ତ୍ରୀନାଥସାହି ଗଣେଶ ଭଷାଣୀ ଉତ୍ସବ

ଜଗତପୁର,୨୧/୦୯:ଗତ ୧୪ ତାରିଖ ଠାରୁ ଆୟୋଜିତ ହୋଇଥିବା ବିଘ୍ନବିନାଶନ ପ୍ରଭୂ ଗଜାନନଙ୍କ ଭସାଣୀ ଉତ୍ସବ ମହାଆଡମ୍ବର ସହାକାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଗତପୁରର ତ୍ରୀନାଥସାହି ଠାରେ ଗୌରୀନନ୍ଦନ ବିଘ୍ନବିନାଶନ ପ୍ରଭୂ ଗଜାନନଙ୍କ ଭସାଣୀ ଉତ୍ସ ଅନୁଷ୍ଠିତ ହୋଇଥିଲା | ମଣ୍ଡପରୁ ପ୍ରଭୂ ଗଣପତିଙ୍କୁ ସୁସଜ୍ଜିତ ମେଢ଼ରେ ବସାଇ ସାହି ବଜାର ପରିକ୍ରମା କରିବା ପରେ ପାଣିରେ ବିସର୍ଜନ କରାଯାଇଥିଲା । ଏଥିପାଇଁ ଜଗତପୁର ଥାନା ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା | ଚଳିତ ବର୍ଷ ଭସାଣୀ ଉତ୍ସବ ଥିଲା ନିଆରା | ଏକ ସୁସଜ୍ଜିତ ଗାଡିରେ ମହାପ୍ରଭୂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହିତ ଭଜନ ଜଣାଣର ତାଳେତାଳେ ନୃତ୍ୟ ପରିବେଷଣ ସମସ୍ତଙ୍କୁ ବିମୋହିତ କରିଥିଲା | ଏହି ଭଷାଣୀ ଉତ୍ସବରେ ସାହି କମିଟି ପକ୍ଷରୁ ଅଲେଖ ଖୁଣ୍ଟିଆ, ଗଣେଶ୍ୱର ସାହୁ, ଅକ୍ଷୟ କୁମାର ରଣା, ବିଜୟ ପ୍ରଧାନ, ବିଜୟ ବିଶ୍ୱାଳ, ସନ୍ତୋଷ କାଲଟା, ପୂର୍ଣ୍ଣଚନ୍ଦ୍ର ଦାସ, ରବିନ୍ଦ୍ର ମହାନ୍ତି ଓ ଉମାକାନ୍ତ ଖୁଣ୍ଟିଆଙ୍କ ସମେତ ସାହିର ସମସ୍ତ ସାହିବାସୀ ଯୋଗଦାନ କରିଥିଲେ |

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ଅନଲାଇନ ବେଟିଂ ଆପ୍‌ରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଠକେଇ: ଗଞ୍ଜାମ ସାଇବର ଥାନା ପୁଲିସ ଦ୍ୱାରା ୩ ଗିରଫ
Sep 21, 2026•16 views

ଅନଲାଇନ ବେଟିଂ ଆପ୍‌ରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଠକେଇ: ଗଞ୍ଜାମ ସାଇବର ଥାନା ପୁଲିସ ଦ୍ୱାରା ୩ ଗିରଫ

ଗଞ୍ଜାମ : ଅନଲାଇନ ବେଟିଂ ଆପ୍‌ ଜରିଆରେ ଲୋକଙ୍କୁ ପ୍ରଲୋଭିତ କରି ପ୍ରାୟ ୨୦ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଗଞ୍ଜାମ ସାଇବର ଥାନା ପୁଲିସ ଏକ ବଡ଼ ଧରଣର ର‍୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ମୁତାବକ, ଅନଲାଇନରେ ବେଟିଂ କରି ମୋଟା ଅଙ୍କର ଲାଭ କରାଇଦେବା ନାଁରେ ଏହି ର‍୍ୟାକେଟ୍‌ ସକ୍ରିୟ ରହିଥିଲା। ପ୍ରାୟ ୨୦ ଲକ୍ଷ ଟଙ୍କାର ସାଇବର ଠକେଇ ନେଇ ଅଭିଯୋଗ ହେବା ପରେ ଗଞ୍ଜାମ ସାଇବର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଚଢ଼ାଉ କରି ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ବିଭିନ୍ନ ବ୍ୟକ୍ତିଙ୍କ ନାଁରେ ଥିବା ପାନ କାର୍ଡ (PAN Card), ଆଧାର କାର୍ଡ (Aadhaar Card) ଏବଂ ବ୍ୟାଙ୍କ ପାସବୁକ୍‌ ଆଦି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି। ଅଭିଯୁକ୍ତମାନେ ଅନ୍ୟ ଲୋକଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଏହି ଠକେଇ ଟଙ୍କାର କାରବାର କରୁଥିବା ସନ୍ଦେହ କରାଯାଉଛି। ଏହି ର‍୍ୟାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଠକେଇ ଟଙ୍କା କେଉଁଆଡ଼େ ପଠାଯାଇଛି, ସେ ନେଇ ସାଇବର ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ସ.ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଙ୍ଖା ଓ ଏସି ଅଚଳ, ଗରମରେ ରୋଗୀ ହନ୍ତସନ୍ତ
Sep 21, 2026•9 views

ସ.ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଙ୍ଖା ଓ ଏସି ଅଚଳ, ଗରମରେ ରୋଗୀ ହନ୍ତସନ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସ.ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଙ୍ଖା ଓ ଏସି ଅଚଳ ହୋଇପଡ଼ିଥିବାରୁ ରୋଗୀମାନେ ପ୍ରବଳ ଗରମରେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଗରମରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ମଧ୍ୟରୁ ପଙ୍ଖା ଓ ଏସି ଭଳି ବ୍ୟବସ୍ଥା ଅଚଳ ରହିବା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି। ଏନେଇ ରୋଗୀ ଓ ସମ୍ପର୍କୀୟମାନେ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଧ୍ୟାନ ଦେଇ ପଙ୍ଖା ଓ ଏସି ମରାମତି କରିବା ସହ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି। ରୋଗୀଙ୍କ ସ୍ୱାସ୍ଥ୍ୟ ଓ ସୁବିଧା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

Sundargarh (ସୁନ୍ଦରଗଡ଼) • ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟ

ସେବା ସଙ୍କଳ୍ପ ଅଭିଯାନରେ ଚିକିଟିର ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ
Sep 21, 2026•45 views

ସେବା ସଙ୍କଳ୍ପ ଅଭିଯାନରେ ଚିକିଟିର ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ

ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ୯୮ ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଚିକିଟି: ୨୦/୦୯/୨୦୨୬: ‘ସେବା ସଙ୍କଳ୍ପ ଅଭିଯାନ–୨୦୨୬’ ପରିପ୍ରେକ୍ଷୀରେ ଚିକିଟି ବ୍ଲକସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଗିରିସୋଲାସ୍ଥିତ ମଦନମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ।ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ବ୍ଲକର ୯୮ଟି ବିଦ୍ୟାଳୟରୁ ବିଦ୍ୟାଳୟସ୍ତରରେ ମନୋନୀତ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କନିଷ୍ଠ ଓ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବର୍ଗରୁ ୬ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଉଦ୍‌ଯାପନୀ ସଭା ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ସଭାପତିତ୍ୱରେ ହୋଇଥିଲା। ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ୍. ଧନଞ୍ଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠୀ, ମେଘନାଥ ବେହେରା, ସିଆରସିସି ବି. ଭେଙ୍କଟ ରାଓ ଓ ପ୍ରଧାନଶିକ୍ଷୟିତ୍ରୀ ସବିତା ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ।ସିଆରସିସି ସୁଜିତ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି,ବହୁ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ।

Ganjam (ଗଞ୍ଜାମ) • Reports: Deepak Choudhury

ଚିକିଟିରେ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ସମ୍ପନ୍ନ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
Sep 21, 2026•19 views

ଚିକିଟିରେ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ସମ୍ପନ୍ନ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ଚିକିଟି, ୨୦/୦୯: ଚିକିଟି ବ୍ଲକ ଅନ୍ତର୍ଗତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିସୋଲା ପରିସରରେ ବ୍ଲକସ୍ତରୀୟ କ୍ରୀଡା ଓ କ୍ରୀଡା ପ୍ରତିଯୋଗିତା ୨୦୨୬–୨୭ ଉତ୍ସାହ, ଉଦ୍ଦୀପନା ଓ ଖେଳୁଆଡ଼ ମନୋଭାବର ସହିତ ସମ୍ପନ୍ନ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିକ୍ଷା ସହିତ କ୍ରୀଡାର ସମନ୍ୱୟ ହିଁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶର ମୂଳ ଆଧାର” ବୋଲି କହିଥିଲେ। କ୍ରୀଡା ଶାରୀରିକ ସୁସ୍ଥତା ସହିତ ଶୃଙ୍ଖଳା, ଆତ୍ମବିଶ୍ୱାସ, ନେତୃତ୍ୱ ଓ ଦଳଗତ ମନୋଭାବ ବିକାଶ କରେ ବୋଲି ସେ ମତବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ କ୍ରୀଡା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ସହିତ ଜୀବନରେ ଶୃଙ୍ଖଳା ଓ ଆତ୍ମବିଶ୍ୱାସ ଗଢ଼ି ତୋଳିବାରେ କିପରି ସହାୟକ ହୁଏ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜି. ପାପା ରାଓ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ରେଡ୍ଡୀ କ୍ଲଷ୍ଟର ସିଆରସିସି ବି. ଭେଙ୍କେଟ ରାଓ ଏବଂ ବ୍ଲକ କ୍ରୀଡା ସମ୍ପାଦକ ଜୁର ପ୍ରସାଦ ଗୌଡ଼ଙ୍କ ସମେତ ବହୁ ଶିକ୍ଷକ ଓ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ।ଚାରିଟି ଜୋନରୁ ୫୫୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଆଥଲେଟିକ୍ସ ଓ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବ୍ଲକର ୨୩ ଜଣ କ୍ରୀଡା ଶିକ୍ଷକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଚିହ୍ନଟ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରିଥିଲେ। ଚୟନିତ ଖେଳାଳିମାନଙ୍କୁ ସମାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି , କ୍ରୀଡା ଶିକ୍ଷକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ଦୁଇଦିନିଆ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ସଫଳତାର ସହିତ ସମାପ୍ତ ହୋଇଥିଲା।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଗିରିସୋଲା ମଦନମୋହନ ହାଇସ୍କୁଲରେ ଚିକିଟି ବ୍ଲକ୍ ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ    ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ୯୮ ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ
Sep 21, 2026•12 views

ଗିରିସୋଲା ମଦନମୋହନ ହାଇସ୍କୁଲରେ ଚିକିଟି ବ୍ଲକ୍ ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ୯୮ ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ

ସେବା ସଙ୍କଳ୍ପ ଅଭିଯାନ–୨୦୨୬’ ପରିପ୍ରେକ୍ଷୀରେ ଚିକିଟି ବ୍ଲକସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଗିରିସୋଲାସ୍ଥିତ ମଦନମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ।ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ବ୍ଲକର ୯୮ଟି ବିଦ୍ୟାଳୟରୁ ବିଦ୍ୟାଳୟସ୍ତରରେ ମନୋନୀତ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କନିଷ୍ଠ ଓ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବର୍ଗରୁ ୬ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଉଦ୍‌ଯାପନୀ ସଭା ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ସଭାପତିତ୍ୱରେ ହୋଇଥିଲା। ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ୍. ଧନଞ୍ଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠୀ, ମେଘନାଥ ବେହେରା, ସିଆରସିସି ବି. ଭେଙ୍କଟ ରାଓ ଓ ପ୍ରଧାନଶିକ୍ଷୟିତ୍ରୀ ସବିତା ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ।ସିଆରସିସି ସୁଜିତ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି,ବହୁ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ରାଜନଗର ବ୍ଲକ ରେ ଦୁଇ ଉଦୟମାନ ବ୍ୟକ୍ତି ବିଜେଡି ବ୍ଲକ ସଭାପତି ଭାବେ ମନୋନୀତ
Sep 21, 2026•21 views

ରାଜନଗର ବ୍ଲକ ରେ ଦୁଇ ଉଦୟମାନ ବ୍ୟକ୍ତି ବିଜେଡି ବ୍ଲକ ସଭାପତି ଭାବେ ମନୋନୀତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବିଜୁ ଜନତା ଦଳ ର ନିରଞ୍ଜନ ରାଉତ ସଭାପତି ତିନି ତିନି ଥର ସଭାପତି ହୋଇ ସୁଚାରୁ ରୁପେ କାର୍ଯ୍ୟ ଜାରି ରଖିଛନ୍ତି, ଏବଂ ରାଜନଗର ମାଟିର ଲଢ଼ୁଆ ଯୁବ ନେତା ତଥା ମହିଷାସୁର ପଞ୍ଚାୟତର ସରପଞ୍ଚ,ରାଜନଗର ବ୍ଲକ ସରପଞ୍ଚ ସଂଘର ସଭାପତି ଅଶୋକ କୁମାର ମହାନ୍ତି ଙ୍କୁ କାର୍ଯ୍ୟ କାରିଣୀ ସଭାପତି ଭାବେ ମନୋନୀତ କରାଯାଇ ଅଛି, ବିଜୁ ଜନତା ଦଳ ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋହଦୟ ଙ୍କୁ ଦୁଇ ଉଦୟ ମାନ ବ୍ୟକ୍ତି ସମ୍ବର୍ଦ୍ଧନା ଜଣାଇ ବା ସହିତ ରାଜନଗର ମାଟି ର ଲଢୁଆ ନେତା ବର୍ତ୍ତମାନର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ ମୋହଦୟ ଙ୍କୁ ବି ସମ୍ବର୍ଦ୍ଧନା ଜଣାଇ ବା ସହ ରାଜନଗର ବ୍ଲକ ରେ ଥିବା ସାଧାରଣ ଜନତାଙ୍କୁ ହାତ ଯୋଡ଼ି ନମସ୍କାର ଜଣାଇଛନ୍ତି,ଏବଂ ନିବେଦନ କରିଛନ୍ତି ରାଜନଗର ବ୍ଲକ ଥିବା ସମସ୍ତ ବିଜୁ ଜନତା ଦଳ ର କର୍ମୀ ମାନେ ଆଗାମୀ ଦିନରେ ଏକ ନିର୍ଣ୍ଣାୟକ ଭୂମିକା ହେବାକୁ ହେଲେ ଆପଣ ମାନଙ୍କ ର ଭୂମିକା ନିହାତି ଆବଶ୍ୟକ, ତେଣୁ ଏହିଭଳି ଦୁଇ ବ୍ୟକ୍ତି ଙ୍କ ଚିନ୍ତା କୁ ବିଜୁ ଜନତା ଦଳର ସମସ୍ତ କର୍ମୀ ସ୍ଵାଗତ ଜଣାଇଛନ୍ତି ଏବଂ ଆଗ ଧାଡ଼ିର କର୍ମୀ ସମାଜ ସେବୀ କଳା ସଂସ୍କୃତି କୁ ଭଲ ପାଉଥିବା ,ଉଚ୍ଚ ଶିକ୍ଷିତ ବ୍ୟକ୍ତିତ୍ଵ ଦରଦୀ ବନ୍ଧୁ ,କୃଷକ ବନ୍ଧୁ ବିଜ୍ଞାନ ରାଉତ ଙ୍କ ସହ ସମସ୍ତ କର୍ମୀ ମାନ ଙ୍କ ଖୁସିର ଲହରୀ ଦେଖିବାକୁ ମିଳିଛି

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ରୁ

ସ୍ଥାୟୀ ଖେଳ ପଡ଼ିଆ ଅଭାବରେ ଭଇଁରିଗୁଡ଼ା ପଞ୍ଚାୟତବାସୀ ହନ୍ତସନ୍ତ  ସରକାରୀ ଜମି ଚିହ୍ନଟ କରି ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବି
Sep 21, 2026•93 views

ସ୍ଥାୟୀ ଖେଳ ପଡ଼ିଆ ଅଭାବରେ ଭଇଁରିଗୁଡ଼ା ପଞ୍ଚାୟତବାସୀ ହନ୍ତସନ୍ତ ସରକାରୀ ଜମି ଚିହ୍ନଟ କରି ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବି

କଳାହାଣ୍ଡି, ଜୁନାଗଡ଼: ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡ଼ା ପଞ୍ଚାୟତରେ ଏକ ସ୍ଥାୟୀ ଖେଳ ପଡ଼ିଆ ନଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ କ୍ରୀଡ଼ା ଓ ବ୍ୟାୟାମ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତର ଯୁବପିଢ଼ି ଓ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏହା ଏକ ଦୀର୍ଘଦିନର ସମସ୍ୟା ହୋଇ ରହିଛି। ସୂଚନା ଅନୁଯାୟୀ, ପଞ୍ଚାୟତବାସୀ ନିକଟସ୍ଥ କୁରୁଗୁଡ଼ା ସରକାରୀ ବିଦ୍ୟାଳୟର ଖେଳ ପଡ଼ିଆ ଉପରେ ନିର୍ଭର କରୁଛନ୍ତି। ମାତ୍ର ବିଦ୍ୟାଳୟର ନିଜସ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଖେଳିବାକୁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ସାଧାରଣ ଲୋକଙ୍କ ପାଇଁ ସେଠାରେ ନିୟମିତ ଭାବେ କ୍ରୀଡ଼ା କରିବା ସମ୍ଭବ ହେଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଏକ ସରକାରୀ ଜମିକୁ ଚିହ୍ନଟ କରି ସେଠାରେ ଥିବା ଅନାବନା କଣ୍ଟାବୁଦା ଓ ଜଙ୍ଗଲିଆ ଅଞ୍ଚଳକୁ ସଫା କରାଯାଇଛି। ଉକ୍ତ ସ୍ଥାନରେ ଏକ ସ୍ଥାୟୀ ଖେଳ ପଡ଼ିଆ ନିର୍ମାଣ କରିବାକୁ ଗ୍ରାମବାସୀ ଆଗ୍ରହ ପ୍ରକାଶ କରିଛନ୍ତି। ଏନେଇ ଜମିର ସଠିକ୍ ଚିହ୍ନଟ ଓ ସୀମା ନିର୍ଦ୍ଧାରଣ ପାଇଁ ଜୁନାଗଡ଼ ତହସିଲଦାରଙ୍କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ଜମି ଚିହ୍ନଟ ହୋଇପାରିଲେ ସରକାରୀ ସହାୟତାରେ ଖେଳ ପଡ଼ିଆର ଉନ୍ନତିକରଣ, ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ବିକାଶ କରାଯାଇପାରିବ ବୋଲି ପଞ୍ଚାୟତବାସୀ ଆଶା ପ୍ରକାଶ କରିଛନ୍ତି। ତେଣୁ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ କ୍ରୀଡ଼ା ପ୍ରତିଭାର ବିକାଶକୁ ଦୃଷ୍ଟିରେ ରଖି ଜୁନାଗଡ଼ ତହସିଲ ପ୍ରଶାସନ ଶୀଘ୍ର ଉକ୍ତ ସରକାରୀ ଜମି ଚିହ୍ନଟ କରି ଖେଳ ପଡ଼ିଆ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି) • Report: Debaraj Banua