--:--:--
-- ---
Srishti News

ସ୍ଥାୟୀ ଖେଳ ପଡ଼ିଆ ଅଭାବରେ ଭଇଁରିଗୁଡ଼ା ପଞ୍ଚାୟତବାସୀ ହନ୍ତସନ୍ତ ସରକାରୀ ଜମି ଚିହ୍ନଟ କରି ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବି

Kalahandi (କଳାହାଣ୍ଡି)Report: Debaraj BanuaSeptember 21, 2026102 views
ସ୍ଥାୟୀ ଖେଳ ପଡ଼ିଆ ଅଭାବରେ ଭଇଁରିଗୁଡ଼ା ପଞ୍ଚାୟତବାସୀ ହନ୍ତସନ୍ତ  ସରକାରୀ ଜମି ଚିହ୍ନଟ କରି ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବି
କଳାହାଣ୍ଡି, ଜୁନାଗଡ଼: ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡ଼ା ପଞ୍ଚାୟତରେ ଏକ ସ୍ଥାୟୀ ଖେଳ ପଡ଼ିଆ ନଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ କ୍ରୀଡ଼ା ଓ ବ୍ୟାୟାମ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତର ଯୁବପିଢ଼ି ଓ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏହା ଏକ ଦୀର୍ଘଦିନର ସମସ୍ୟା ହୋଇ ରହିଛି। ସୂଚନା ଅନୁଯାୟୀ, ପଞ୍ଚାୟତବାସୀ ନିକଟସ୍ଥ କୁରୁଗୁଡ଼ା ସରକାରୀ ବିଦ୍ୟାଳୟର ଖେଳ ପଡ଼ିଆ ଉପରେ ନିର୍ଭର କରୁଛନ୍ତି। ମାତ୍ର ବିଦ୍ୟାଳୟର ନିଜସ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଖେଳିବାକୁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ସାଧାରଣ ଲୋକଙ୍କ ପାଇଁ ସେଠାରେ ନିୟମିତ ଭାବେ କ୍ରୀଡ଼ା କରିବା ସମ୍ଭବ ହେଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଏକ ସରକାରୀ ଜମିକୁ ଚିହ୍ନଟ କରି ସେଠାରେ ଥିବା ଅନାବନା କଣ୍ଟାବୁଦା ଓ ଜଙ୍ଗଲିଆ ଅଞ୍ଚଳକୁ ସଫା କରାଯାଇଛି। ଉକ୍ତ ସ୍ଥାନରେ ଏକ ସ୍ଥାୟୀ ଖେଳ ପଡ଼ିଆ ନିର୍ମାଣ କରିବାକୁ ଗ୍ରାମବାସୀ ଆଗ୍ରହ ପ୍ରକାଶ କରିଛନ୍ତି। ଏନେଇ ଜମିର ସଠିକ୍ ଚିହ୍ନଟ ଓ ସୀମା ନିର୍ଦ୍ଧାରଣ ପାଇଁ ଜୁନାଗଡ଼ ତହସିଲଦାରଙ୍କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ଜମି ଚିହ୍ନଟ ହୋଇପାରିଲେ ସରକାରୀ ସହାୟତାରେ ଖେଳ ପଡ଼ିଆର ଉନ୍ନତିକରଣ, ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ବିକାଶ କରାଯାଇପାରିବ ବୋଲି ପଞ୍ଚାୟତବାସୀ ଆଶା ପ୍ରକାଶ କରିଛନ୍ତି। ତେଣୁ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ କ୍ରୀଡ଼ା ପ୍ରତିଭାର ବିକାଶକୁ ଦୃଷ୍ଟିରେ ରଖି ଜୁନାଗଡ଼ ତହସିଲ ପ୍ରଶାସନ ଶୀଘ୍ର ଉକ୍ତ ସରକାରୀ ଜମି ଚିହ୍ନଟ କରି ଖେଳ ପଡ଼ିଆ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।