Web News

ସାଉଥ୍ ବଲଣ୍ଡାରେ ଭବ୍ୟ ବାଣିଜ୍ୟ ମେଳା ଉଦ୍ଘାଟିତ, ଯୋଗଦେଲେ ବିଧାୟକ ବ୍ରଜକିଶୋର ପ୍ରଧାନ
ଅନୁଗୋଳ: ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଉଥ୍ ବଲଣ୍ଡା ସ୍ଥିତ ଦୁର୍ଗା ମଣ୍ଡପ ପଡ଼ିଆରେ ଆୟୋଜିତ ଭବ୍ୟ ବାଣିଜ୍ୟ ମେଳାର ଶୁଭ ଉଦ୍ଘାଟନ ଉତ୍ସବ ଆଜି ଉତ୍ସାହ ଓ ଆଡମ୍ବରର ସହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାର ଶୁଭ ଉଦ୍ଘାଟନ କରିଥିଲେ। ଏହି ବାଣିଜ୍ୟ ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ, ଘରୋଇ ଉପକରଣ ଓ ବିଭିନ୍ନ ପ୍ରକାରର ହସ୍ତନିର୍ମିତ ଦ୍ରବ୍ୟ ପ୍ରଦର୍ଶିତ ହୋଇଛି। ସେହିପରି ବିଭିନ୍ନ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟ ଷ୍ଟଲ୍ ଏବଂ ପରିବାର ସହ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଆକର୍ଷଣୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଧାୟକ ବ୍ରଜକିଶୋର ପ୍ରଧାନ କହିଥିଲେ ଯେ, ଏଭଳି ବାଣିଜ୍ୟ ମେଳା ସ୍ଥାନୀୟ କଳା, ସଂସ୍କୃତି ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବା ସହ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଉଦ୍ଘାଟନୀ ଉତ୍ସବରେ ମା' ଦୁର୍ଗା ମନ୍ଦିର କମିଟିର ସଦସ୍ୟମାନେ, ସ୍ଥାନୀୟ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବର୍ଗ ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି ମେଳାକୁ ସଫଳ କରିଥିଲେ। ମେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

କଣିହାଁ ଏନଟିପିସି ବଜାରରେ ଦୁର୍ଘଟଣା, ହାଇୱା ଚକା ତଳେ ବାଇକ୍ ଚାଳକ ଗୁରୁତର
ଅନୁଗୋଳ: କଣିହାଁ ଏନଟିପିସି ବଜାର ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକ ହାଇୱା ଚକା ତଳେ ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଅଗ୍ନିଶମ ବିଭାଗ ଏବଂ ଏନଟିପିସି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କଣିହାଁ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ପରିଚୟ ଏବଂ ଦୁର୍ଘଟଣାର ସଠିକ୍ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭୁବନ ରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
ଭୁବନ ୨୯.୬ - ବିପୁଳ ଉତ୍ସାହ ଉଦ୍ଦୀପନା ଓ ଶ୍ରଦ୍ଧା ଭକ୍ତି ର ସହ ଢେ଼ଙ୍କାନାଳ ଜିଲ୍ଲା ଭୁବନରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ପ୍ରାତଃ ୫ ଘଟିକାରେ ଦେଉଳ ଫିଟା,୫.୩୦ ରେ ମଙ୍ଗଳ ଆଳତୀ,୫.୪୫ ରେ ଜୟ ବିଜୟ ପୂଜା କରାଯାଇ ସକାଳ ୬ ଘଟିକାରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ପହଣ୍ଡି କରି ରତ୍ନ ମଣ୍ଡପ ରୁ ସ୍ନାନ ମଣ୍ଡପ କୁ ଅଣାଯାଇଥିଲା । ସକାଳ ୭ ଘଟିକା ସମୟରେ ସ୍ନାନମଣ୍ଡପ ରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସ୍ନାନ କରାଯାଇଥିଲା ଓ ସକାଳ ୭.୩୦ ରେ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ ୧୨ ଘଟିକାରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା । ସନ୍ଧ୍ୟା ୬.୩୦ ରେ ସନ୍ଧ୍ୟା ଆଳତି ଦିଆଯିବା ପରେ ୭ ଘଟିକା ସମୟରେ ମହାପ୍ରଭୁ ଙ୍କୁ ଅଣସର ବିଜେ କରାଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ଦର୍ଶନ କରିବା, ସନ୍ଧ୍ୟାଧୂପ , ଆଳତୀ ଦେଖିବାକୁ ସହସ୍ରାଧିକ ଭକ୍ତ ଙ୍କ ଗହଳି ଲାଗିଥିଲା । ମୁଖ୍ୟ ପୂଜକ ତୁଷାରକାନ୍ତି ମିଶ୍ର ଙ୍କ ତତ୍ତ୍ଵାବଧାନରେ ସମସ୍ତ ସେବାୟତ ଙ୍କ ସମେତ ଆଦ୍ୟ ସେବକ ରାମଚନ୍ଦ୍ର ରାଉତ ,ମନ୍ଦିର ପରିଚାଳନା କମିଟି ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଉପସ୍ଥିତିରେ ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

କାଜିରଙ୍ଗାରେ ଉତ୍ତେଜନା: ପଞ୍ଚତାରକା ହୋଟେଲ ପାଇଁ ଜମି ଅଧିଗ୍ରହଣକୁ ବିରୋଧ, ଆଦିବାସୀଙ୍କ ଉପରେ ପୋଲିସ ଲାଠିଚାର୍ଜ ଅଭିଯୋଗ
କାଜିରଙ୍ଗା, ଆସାମ: କାଜିରଙ୍ଗାର ହାତିଖୁଲି ଅଞ୍ଚଳରେ ପ୍ରସ୍ତାବିତ ପଞ୍ଚତାରକା ହୋଟେଲ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରୁଥିବା ପ୍ରାୟ ୪୦ଟି ଆଦିବାସୀ ପରିବାରଙ୍କ ଉପରେ ପୋଲିସ ବଳ ପ୍ରୟୋଗ କରିଥିବା ଅଭିଯୋଗ ଉଠିଛି। ରବିବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ପ୍ରତିବାଦକାରୀଙ୍କୁ ହଟାଇବା ପାଇଁ ପ୍ରାୟ ୨୦୦ ଜଣ ପୋଲିସ ମୁତୟନ କରାଯାଇଥିଲା। ଏହି କାର୍ଯ୍ୟବେଳେ ଜଣେ ୧୫ ବର୍ଷୀୟା କିଶୋରୀ ଆହତ ହୋଇଥିବା ସହ ଅନେକ ଲୋକଙ୍କୁ ବଳପୂର୍ବକ ଜମିରୁ ହଟାଇ ଦିଆଯାଇଥିବା ଅଭିଯୋଗ ରହିଛି। ଘଟଣା ସମୟରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଚାଲିଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏହି ମାମଲା ବର୍ତ୍ତମାନ ଅଦାଲତରେ ବିଚାରାଧୀନ ରହିଛି। ସମ୍ପ୍ରତି ଗୌହାଟି ଉଚ୍ଚ ନ୍ୟାୟାଳୟ ଆସାମ ପର୍ଯ୍ୟଟନ ବିକାଶ ନିଗମ (ATDC) ଏବଂ ଜିଲ୍ଲା ପ୍ରଶାସନଙ୍କୁ ଜମିର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଭାବିତ ପରିବାରମାନେ ସର୍ଭେ ଦିନ ସକାଳେ ନୋଟିସ ପାଇଥିବାରୁ ସେମାନଙ୍କ ମଧ୍ୟରୁ ଅନେକ ଲୋକ ସେଥିରେ ଯୋଗ ଦେଇପାରିନଥିବା ଅଭିଯୋଗ କରିଛନ୍ତି। ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ ହୋଟେଲ ସ୍ଥାନଟି ପରିବେଶ ସମ୍ବେଦନଶୀଳ ଅଞ୍ଚଳ (Eco Sensitive Zone) ମଧ୍ୟରେ ରହିଛି। ସେମାନଙ୍କ ଦାବି ହେଉଛି, ନିର୍ମାଣ ପାଇଁ ଜାତୀୟ ବନ୍ୟଜନ୍ତୁ ବୋର୍ଡର ଅନୁମତି, ପରିବେଶ ପ୍ରଭାବ ଆକଳନ (EIA) ଏବଂ ସାମାଜିକ ପ୍ରଭାବ ଆକଳନ (SIA) କରାଯାଇନାହିଁ। ଏହାସହ ନିର୍ମାଣକାରୀ ସଂସ୍ଥା ପୂର୍ବରୁ କଂକ୍ରିଟ କାନ୍ଥ ନିର୍ମାଣ କରିଥିବାରୁ ତାହାକୁ ହଟାଇବାକୁ ଦାବି କରାଯାଇଛି। ଅନ୍ୟପଟେ, ଏହି ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ଆସାମ ପର୍ଯ୍ୟଟନ ବିକାଶ ନିଗମର ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ବ୍ୟୁରୋ ରିପୋର୍ଟ

ସ୍ନାନ ମଣ୍ଡପରେ ବିରାଜମାନ ଚତୁର୍ଦ୍ଧା ମୂରତି, ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ
ଆଜି ଶ୍ରୀଜିଉଙ୍କ ସ୍ନାନପୂର୍ଣ୍ଣିମା। ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପରେ ବିରାଜମାନ ଚତୁର୍ଦ୍ଧା ମୂରତି। ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ। ଗଜବେଶରେ ଦର୍ଶନ ଦେବେ ତିନି ଠାକୁର । ଆଜି ସ୍ନାନପୂର୍ଣ୍ଣିମା। ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସୁଛନ୍ତି ଚତୁର୍ଦ୍ଧା ମୂରତି। ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ ନୀତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା, ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଶେଷରେ ପହଣ୍ଡି କରି ସ୍ନାନବେଦୀରେ ବିରାଜିଥିଲେ କାଳିଆ ସାଆନ୍ତ। ୧୦୮ ଗରା ପବିତ୍ର ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏହାପରେ ଗଜବେଶରେ ଦର୍ଶନ ଦେବେ ତିନି ଠାକୁର। ବର୍ଷସାରା ମହାପ୍ରଭୁଙ୍କର ବିମ୍ବ ସ୍ନାନ କରାଯାଇଥାଏ, କିନ୍ତୁ ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ଦିବ୍ୟ ଜଳରେ କରିବେ ସ୍ନାନ। ଜଗନ୍ନାଥଙ୍କୁ ୩୫ ଗଡୁ, ବଳଭଦ୍ରଙ୍କୁ ୩୩, ଦେବୀ ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗଡୁ ଜଳ ଲାଗି କରାଯିବ। ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳ ବିଜେ ସହ ସ୍ନାନ ନୀତି ରହିଛି। ଅପରାହ୍ଣ ୪ଟାରୁ ୫ଟା ମଧ୍ୟରେ ହାତୀ ବେଶ ଏବଂ ସଂଧ୍ୟା ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ରହିଛି ସାହାଣମେଲା ଦର୍ଶନ। ମହାପ୍ରଭୁଙ୍କ ଏହି ଦିବ୍ୟସ୍ନାନର ପ୍ରତ୍ୟକ୍ଷ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ପୁରୀରେ ଜମିଛି ଭକ୍ତଙ୍କ ଭିଡ଼। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ପୁରୀରେ ମୁତୟନ ହୋଇଛନ୍ତି ୭୯ ପ୍ଳାଟୁନ୍ ଫୋର୍ସ। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ କଣ୍ଟ୍ରୋଲ୍ ଉପରେ ରହିଛି ପ୍ରଶାସନର ଫୋକସ।
Puri (ପୁରୀ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ପଞ୍ଚଲିଙ୍ଗେଶ୍ଵର ଅଞ୍ଚଳରେ କୁଲଡିହା ଦନ୍ତା
ନୀଳଗିରି ଉପଖଣ୍ଡସ୍ଥ ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵରରେ ଭାଲୁ ଉପଦ୍ରବ ପରେ ପର୍ଯ୍ୟଟକ ଆତଙ୍କିତ ଦେଖା ଦେଇଛି କୁଲଡିହା ହାତୀଙ୍କ ଆତଙ୍କ । ହାତୀ ଗାଁରେ ଉପଦ୍ରବ କରୁଥିବା ବେଳେ ଏବେ ଅଧିକାଂଶ ସମୟରେ ପଞ୍ଚଲିଙ୍ଗେଶ୍ଵର ଅଞ୍ଚଳରେ ଦିନରେ ଏକ ଦନ୍ତା ବୁଲୁଥିବାର ନଜରକୁ ଆସିଛି । ଅଞ୍ଚଳବାସୀମାନେ ହାତୀ ଦେଖି ଭୟଭୀତ ହୋଇପଡ଼ିଥିବା ବେଳେ ଶୈବପୀଠ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ହାତୀ ଦେଖି ଆତଙ୍କିତ ହୋଇପଡିଛନ୍ତି । ବନବିଭାଗ ପକ୍ଷରୁ ଦନ୍ତାର ଗତିବିଧୂ ଉପରେ ନଜର ରଖାଯାଇଥିବା ଜଣାପଡିଛି ।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ସରକାର ଯୋଜନା ବାଟବଣା: କେବେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମଜୁର ସାହି, ଫୁଫ ଗାଁ, ସିର୍ଲି ଗୁଡା ଲୋକେ ଆଜି ପଂଚାୟତ ସମିତି କୋକସରା କୁ ଆସି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମିଳି ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ. ସରକାର ମାଳ ମାଳ ଯୋଜନା କାର୍ଯ୍ୟକାରୀ ପ୍ରସ୍ତୁତି କରନ୍ତି ସତ କିନ୍ତୁ ପ୍ରଶାସନ ଇଛା ଶକ୍ତି ଅଭାବ ଅବହେଳା ଯୋଗୁଁ ଆଜି ବି ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି। କୋଉଠି ନା କୋଉଠି ବାଟବଣା ହୋଇ ଯାଉଛି ସରକାର ଯୋଜନା। ଯାହା ଫଳରେ ଗରିବ ଅସହାୟ ବାସହୀନ ବିଧବା ପରିବାରକୁ ଆଜି ବି ଝାଟିମାଟି ଭଙ୍ଗା ଦଦରା କୁଡ଼ିଆରେ ଜିବନ ବିତାଉଛନ୍ତି ଲୋକେ.ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କୈାଣସି ସଫଳ ମିଳିନଥିବା ଅଭିଯୋଗ କରି ଛନ୍ତି ୩ ଗ୍ରାମର ହିତାଧିକାରୀ. ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ କି ନିଷ୍ପତି ନେଉଛି.
Kalahandi (କଳାହାଣ୍ଡି) • ରିପୋଟର :ରିତେଶ କୁମାର ମୁଣ୍ଡ, କୋକସରା

ଫରୱାର୍ଡ ବ୍ଲକର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ; ନେତାଜୀଙ୍କ ଆଦର୍ଶ ଓ ସାଲିସବିହୀନ ରାଜନୀତି ହିଁ ବିକଳ୍ପ
ଚିକିଟି: ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଚିକିଟିସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମଦୃଷ୍ଟିର ସମ୍ପାଦକ ବିଘ୍ନେଶ୍ୱର ସାହୁ, ସାମ୍ବାଦିକ ସମରଜିତ୍ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଆଦର୍ଶ, ସମାଜବାଦୀ ଚିନ୍ତାଧାରା ଓ ସାଲିସବିହୀନ ରାଜନୀତିକୁ ଦେଶ ପାଇଁ ପ୍ରକୃତ ବିକଳ୍ପ ବୋଲି ମତ ପ୍ରକାଶ କରିଥିଲେ। ବକ୍ତାମାନେ କହିଥିଲେ, ଫରୱାର୍ଡ ବ୍ଲକ ସଦାସର୍ବଦା କୃଷକ, ଶ୍ରମିକ, ଯୁବ, ଛାତ୍ର ଓ ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରିଆସୁଛି। ସେହିପରି ରାଜ୍ୟରେ ବଢ଼ୁଥିବା ଦାଦନ ସମସ୍ୟା, ଆଇନଶୃଙ୍ଖଳା ଅବନତି, ଦୁର୍ନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନ ଭଳି ମୌଳିକ ପ୍ରସଙ୍ଗ ପ୍ରତି ସରକାର ଗୁରୁତ୍ୱ ଦେବାକୁ ଦାବି କରାଯାଇଥିଲା। ଚିକିଟି ମଦ ମୃତ୍ୟୁ, କବିସୂର୍ଯ୍ୟନଗର ହାଜତ ମୃତ୍ୟୁ, ଗାନ୍ଧୀ କଲେଜ ଛାତ୍ରୀ ଆତ୍ମହତ୍ୟା ଓ ବେଗୁନିଆପଡ଼ା ଦୁଷ୍କର୍ମ ଘଟଣାକୁ ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରାଯାଇଥିଲା। ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ବିଭୂଧେନ୍ଦ୍ର ପାଢୀ ଜିଲ୍ଲା ସଭାପତି, ସନ୍ତୋଷ କୁମାର ସାହୁ ସାଧାରଣ ସମ୍ପାଦକ, ସପ୍ନେଶ୍ୱର ପାଣିଗ୍ରାହୀ ସମ୍ପାଦକ ଏବଂ ମିଥୁନ ବେହେରା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜନସମସ୍ୟାକୁ ନେଇ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଜନଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶେଷରେ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସମ୍ମିଳନୀର ସମାପନ ଘୋଷଣା କରିଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ସ୍ନାନ ପରେ ତିନି ଠାକୁର ଗଲେ ଅଣସର ଘର
ବିଶ୍ରା/ନୂଆଗାଁ୨୯,୬,୨୬ - ଭକ୍ତି ମୟ ପରିବେଶ ଓ ଆଷାଢ଼ ଶୁକ୍ଳ ପକ୍ଷ ରେ ସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସୁଦର୍ଶନ ଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ବିଶ୍ରା ଜଗନ୍ନାଥ ମନ୍ଦିରରେ ମନ୍ଦିର କମିଟି ପକ୍ଷରୁ ନିଷ୍ପତି ଅନୁଯାୟୀ ସ୍ନାନ ପୂର୍ଣ୍ଣିମା ତିଥିରେ ଧୁମ ଧାମରେ ପାଳିତ ହୋଇଯାଇଛି,ମନ୍ଦିର ମୁଖ୍ୟ ପୂଜକ ଜଗନ ମିଶ୍ର ଙ୍କ ତତ୍ତ୍ଵାବଧାନରେ ପୂଜକ ପର୍ଶୁରାମ ଦାଶ ପୂଜା ଅର୍ଚ୍ଚନା କରି ତିନି ଠାକୁର ଙ୍କୁ ସ୍ନାନ କରାଇଥିଲେ, ଏହିଅବସରରେ କର୍ତ୍ତା ଭାବରେ ମନ୍ଦିର ରାଜା ପ୍ରମୋଦ କୁମାର ହାଲୱାଇ, ଙ୍କ ସହଧର୍ମିଣୀ କର୍ତ୍ତି ଭାବରେ ନିର୍ମଳା ହଲୱାଇ, ପୂଜା ଅର୍ଚ୍ଚନା ସମାପନ କରି ଥିଲେ, ବିଶ୍ରା ମନ୍ଦିର କମିଟି ର ଅଧକ୍ଷ,ତଥା ସଭାପତି କୈଳାଶ ସାହୁ ( ଛୋଟକା) ସାଧାରଣ ସମ୍ପାଦକ ତଥା କୋଷାଧକ୍ଷ ଭାବରେ ଡକ୍ଟର ବଟ କୃଷ୍ଣ ସ୍ୱାଇଁ ,ସୁବାସ ଶର୍ମା,ସଚିତା ନନ୍ଦ ଶର୍ମା,ଆଉସୁ ଶର୍ମା,ଆଶିଷ ପାଣ୍ଡେ, ପ୍ରଫୁଲ୍ଲ ମହାପାତ୍ର, ଟୁଲୁ ଅଗ୍ରୱାଲ,ସୁମିତ୍ ସାହା, ନିରୋଦ କବି, ଆଜିର ପବିତ୍ର ଦିନରେ ପ୍ରତକ୍ଷ ଭାବରେ ସହଯୋଗ କରିଥିଲେ,ଏହି ଅବସରରେ ଗ୍ରାମର ଶତାଧିକ ଶ୍ରଦ୍ଧାଳମାନେ ଯୋଗଦାନ କରି ପୂଜା ଅର୍ଚ୍ଚନା ସମାପନ କରି ଥିଲେ, ସେହିପରି ନୂଆଗାଁ ବ୍ଲକ ଅନ୍ତର୍ଗତ ହାତୀ ବାଡି ଜଗନ୍ନାଥ ମନ୍ଦିରରେ ମନ୍ଦିର କମିଟି ର ସଭାପତି ପ୍ରସନ୍ନ ଦାଶ, କୋଷାଧକ୍ଷ ଚମରା ସାହୁ, ହାତୀ ବାଡି ରାଜା ଗଜପତି କାର୍ତ୍ତିକେଶ୍ୱର ଶେଖର ଦେଓ ଓ ପୂଜକ ବୀରେନ୍ଦ୍ର କୁମାର ପଣ୍ଡା ଙ୍କ ତତ୍ତ୍ୱାବଧାନରେ ସ୍ନାନ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥିଲା,ଏହି ଅବସରରେ ଗ୍ରାମର ସହ ସହ ଶ୍ରଦ୍ଧାଳୁ ଯୋଗଦେଇ ପୂଜା ଅର୍ଚ୍ଚନା ସମାପନ କରି ଥିଲେ,ଅନ୍ୟ ମାନଙ୍କ ମଧ୍ୟରେ ଗଣପତି ଦାଶ, ବିଜୟ କୁମାର ଦାସ, କୈଳାସ ପାଣି, ସ୍ୱର୍ଣ୍ଣ ରଣା, ଅମିତ୍ ସାହୁ, ଅନ୍ନଦା ଶଙ୍କର ପାଢୀ କମିଟି ର ସଦସ୍ୟ ମାନେ ଯୋଗଦେଇଥିଲେ, ଶେଷରେ ତିନି ଠାକୁର ଙ୍କୁ ଅଣସର ଘରକୁ ନିଆ ଯାଇଥିଲା
Sundargarh (ସୁନ୍ଦରଗଡ଼) • ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ

ମଣିଷ ଜୀବନ ସହ ଖେଳୁଛି କି ଆୟୋସିଏଲ୍ କମ୍ପାନୀ? ନାଇଟ୍ ସିଫ୍ଟରେ ଇଞ୍ଜିନିୟର ନଥିବା ଅଭିଯୋଗ
ତାଳଚେର: ତାଳଚେର ସାଉଥ୍ ବଲଣ୍ଡା ନିକଟସ୍ଥ ଆୟୋସିଏଲ୍ କମ୍ପାନୀକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ସୂତ୍ର ଓ କିଛି କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ଏହି କମ୍ପାନୀରେ ଖଣି ଅଞ୍ଚଳରେ ବ୍ୟବହୃତ ବିସ୍ଫୋରକ (ଡିନାମାଇଟ୍) ପ୍ରସ୍ତୁତ କରାଯାଏ ଏବଂ ତାହା ବିଭିନ୍ନ କୋଇଲା ଖଣିକୁ ଯୋଗାଣ ଦିଆଯାଏ। ଅଭିଯୋଗ ହେଉଛି, କମ୍ପାନୀରେ ତିନୋଟି ସିଫ୍ଟରେ କାମ ଚାଲୁଥିଲେ ମଧ୍ୟ ନାଇଟ୍ ସିଫ୍ଟ ସମୟରେ କୌଣସି ଇଞ୍ଜିନିୟର ଉପସ୍ଥିତ ରହୁନାହାନ୍ତି। ଏପରି ବିପଦପୂର୍ଣ୍ଣ କାର୍ଯ୍ୟ ସମୟରେ ଯଦି କୌଣସି ଅଘଟଣ ଘଟେ, ତେବେ ଏହାର ଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ ଉଠିଛି। କର୍ମଚାରୀଙ୍କ ସୁରକ୍ଷା ଓ କାର୍ଯ୍ୟସ୍ଥଳରେ ସମସ୍ତ ସୁରକ୍ଷା ନିୟମ ପାଳନ କରାଯାଉଛି କି ନାହିଁ, ତାହାର ତଦନ୍ତ କରିବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଅବହେଳିତ ସାଉଥ୍ ବଲଣ୍ଡା ଷ୍ଟେଟ୍ ବ୍ୟାଙ୍କ; ମୌଳିକ ସୁବିଧା ଅଭାବରୁ ଗ୍ରାହକ ହନ୍ତସନ୍ତ
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଅଞ୍ଚଳରେ ଅବସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ମୌଳିକ ସୁବିଧାର ଅଭାବ ନେଇ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ପରିସରରେ ଥିବା ଏହି ବ୍ୟାଙ୍କରେ ପ୍ରତିଦିନ କୋଟି କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବା ସତ୍ତ୍ୱେ, ଏଠାରେ ପର୍ଯ୍ୟାପ୍ତ ସୁରକ୍ଷା ଓ ଗ୍ରାହକ ସୁବିଧା ନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବ୍ୟାଙ୍କର ପ୍ରବେଶ ଦ୍ୱାରରେ ଗେଟ୍ର ବ୍ୟବସ୍ଥା ନଥିବା ସହ ଗ୍ରାହକଙ୍କ ପାଇଁ ଆବଶ୍ୟକୀୟ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ଏହାକୁ ନେଇ ବାରମ୍ବାର ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ବ୍ୟାଙ୍କକୁ ଆସୁଥିବା ହଜାର ହଜାର ଗ୍ରାହକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଶୀଘ୍ର ଆବଶ୍ୟକୀୟ ଭିତ୍ତିଭୂମି ସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ଗ୍ରାହକମାନେ ଦାବି କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

କଳା ହୀରାରେ କାଳିମା! ତାଳଚେର ଜଗନ୍ନାଥ ମାଇନ୍ସରେ କୋଇଲା ଉତ୍ତୋଳନକୁ ନେଇ ଉଠିଲା ପ୍ରଶ୍ନ
ତାଳଚେର: ତାଳଚେର ଅଞ୍ଚଳର ଜଗନ୍ନାଥ ମାଇନ୍ସରେ କୋଇଲା ଉତ୍ତୋଳନକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ମହଲରେ ଅଭିଯୋଗ ହେଉଛି ଯେ, ଅନୁମୋଦିତ ସୀମା (ସିଲିଂ) ଠାରୁ ଅଧିକ ପରିମାଣରେ କୋଇଲା ଉତ୍ତୋଳନ କରାଯାଉଛି। ଏଥିସହ କୋଟି କୋଟି ଟଙ୍କା ମୂଲ୍ୟର କୋଇଲା ନିଆଁ ଲାଗି ନଷ୍ଟ ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଅଭିଯୋଗକାରୀଙ୍କ ପ୍ରଶ୍ନ, ଯଦି ନିର୍ଦ୍ଧାରିତ ସୀମା ନାହିଁ କିମ୍ବା ଉତ୍ତୋଳନରେ କଟକଣା ରହିଛି, ତେବେ ଏତେ ପରିମାଣରେ କୋଇଲା ଉତ୍ତୋଳନ କେଉଁ ଆଧାରରେ କରାଯାଉଛି? ଏଥିପ୍ରତି ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ନଜର ପଡ଼ୁନାହିଁ, ନା କି ସବୁକିଛି ଜାଣିଶୁଣି ନିରବତା ଅବଲମ୍ବନ କରାଯାଉଛି? ଏଭଳି ପ୍ରଶ୍ନ ବୁଦ୍ଧିଜୀବୀ ଓ ସ୍ଥାନୀୟ ମହଲରେ ଉଠୁଥିବା ଚର୍ଚ୍ଚାର ବିଷୟ ପାଲଟିଛି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା
