ଫରୱାର୍ଡ ବ୍ଲକର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ; ନେତାଜୀଙ୍କ ଆଦର୍ଶ ଓ ସାଲିସବିହୀନ ରାଜନୀତି ହିଁ ବିକଳ୍ପ
Ganjam (ଗଞ୍ଜାମ)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧିJune 29, 202654 views

ଚିକିଟି: ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ତୃତୀୟ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଚିକିଟିସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ, ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସମଦୃଷ୍ଟିର ସମ୍ପାଦକ ବିଘ୍ନେଶ୍ୱର ସାହୁ, ସାମ୍ବାଦିକ ସମରଜିତ୍ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଆଦର୍ଶ, ସମାଜବାଦୀ ଚିନ୍ତାଧାରା ଓ ସାଲିସବିହୀନ ରାଜନୀତିକୁ ଦେଶ ପାଇଁ ପ୍ରକୃତ ବିକଳ୍ପ ବୋଲି ମତ ପ୍ରକାଶ କରିଥିଲେ।
ବକ୍ତାମାନେ କହିଥିଲେ, ଫରୱାର୍ଡ ବ୍ଲକ ସଦାସର୍ବଦା କୃଷକ, ଶ୍ରମିକ, ଯୁବ, ଛାତ୍ର ଓ ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରିଆସୁଛି। ସେହିପରି ରାଜ୍ୟରେ ବଢ଼ୁଥିବା ଦାଦନ ସମସ୍ୟା, ଆଇନଶୃଙ୍ଖଳା ଅବନତି, ଦୁର୍ନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନ ଭଳି ମୌଳିକ ପ୍ରସଙ୍ଗ ପ୍ରତି ସରକାର ଗୁରୁତ୍ୱ ଦେବାକୁ ଦାବି କରାଯାଇଥିଲା। ଚିକିଟି ମଦ ମୃତ୍ୟୁ, କବିସୂର୍ଯ୍ୟନଗର ହାଜତ ମୃତ୍ୟୁ, ଗାନ୍ଧୀ କଲେଜ ଛାତ୍ରୀ ଆତ୍ମହତ୍ୟା ଓ ବେଗୁନିଆପଡ଼ା ଦୁଷ୍କର୍ମ ଘଟଣାକୁ ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରାଯାଇଥିଲା।
ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ବିଭୂଧେନ୍ଦ୍ର ପାଢୀ ଜିଲ୍ଲା ସଭାପତି, ସନ୍ତୋଷ କୁମାର ସାହୁ ସାଧାରଣ ସମ୍ପାଦକ, ସପ୍ନେଶ୍ୱର ପାଣିଗ୍ରାହୀ ସମ୍ପାଦକ ଏବଂ ମିଥୁନ ବେହେରା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜନସମସ୍ୟାକୁ ନେଇ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଜନଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶେଷରେ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସମ୍ମିଳନୀର ସମାପନ ଘୋଷଣା କରିଥିଲେ।
