Web News

ଧାମନଗରରେ ଚତୁର୍ଥ ବନ୍ୟା: ବନ୍ୟାବିପନ୍ନଙ୍କ ନିକଟରେ ପହଞ୍ଚିଲେ ଡ଼. ଅରୁଣ ସାହୁ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼. ଅରୁଣ ସାହୁ ଧାମନଗର ବ୍ଲକର ଦୋବଲ ଅଞ୍ଚଳରେ ଚଳିତ ବର୍ଷର ଚତୁର୍ଥ ବନ୍ୟା ସ୍ଥିତି ପରିଦର୍ଶନ କରିଛନ୍ତି। ବନ୍ୟା ଯୋଗୁଁ ଦୋବଲ ଅଞ୍ଚଳର ଅନେକ ଗ୍ରାମର ଲୋକେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଥିବା ବେଳେ, ଡ଼. ଅରୁଣ ସାହୁ ଗେଙ୍ଗୁଟି ନଦୀବନ୍ଧରେ ପହଞ୍ଚି ବନ୍ୟାବିପନ୍ନ ପରିବାରଗୁଡ଼ିକ ସହ ସାକ୍ଷାତ କରିଥିଲେ। ସେମାନଙ୍କ ଦୁଃଖ, ଦୁର୍ଦ୍ଦଶା, ବିଭିନ୍ନ ସମସ୍ୟା ଓ ତତ୍କାଳୀନ ଆବଶ୍ୟକତା ସମ୍ପର୍କରେ ସେ ଆଲୋଚନା କରିଥିଲେ। ବନ୍ୟା ପରିସ୍ଥିତିରେ ଲୋକମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ରିଲିଫ୍, ପାନୀୟ ଜଳ, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା କିପରି ପୂରଣ ହେଉଛି, ସେନେଇ ମଧ୍ୟ ସେ ଲୋକଙ୍କ ସହ ଆଲୋଚନା କରିଥିଲେ। ବିପଦର ଏହି ଦୁର୍ଦ୍ଦିନରେ ବନ୍ୟାବିପନ୍ନଙ୍କ ପାଖରେ ଠିଆ ହୋଇ ସେମାନଙ୍କ ସମସ୍ୟାକୁ ନିକଟରୁ ବୁଝିବା ଏବଂ ଆବଶ୍ୟକ ସମୟରେ ସହଯୋଗର ହାତ ବଢ଼ାଇବା ହିଁ ଆମର ପ୍ରାଥମିକତା। ଲୋକଙ୍କ ଦୁଃଖ ଓ ଦୁର୍ଦ୍ଦଶା ସମୟରେ ସେମାନଙ୍କ ସହ ରହିବା ଏବଂ ସେମାନଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ। ଏହି ଗସ୍ତ ସମୟରେ ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ, ବିଜୁ ଜନତା ଦଳର ଧାମନଗର ନିର୍ବାଚନମଣ୍ଡଳୀ ନେତା ଡାକ୍ତର ସଞ୍ଜୟ ଦାସଙ୍କ ସମେତ ବିଭିନ୍ନ ନିର୍ବାଚିତ ପ୍ରତିନିଧି, ଜିଲ୍ଲା, ବ୍ଲକ ଓ ଏନ୍ଏସି ସ୍ତରୀୟ ନେତୃବୃନ୍ଦ ଏବଂ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବନ୍ୟାର ଏହି କଠିନ ସମୟରେ ଧାମନଗରବାସୀଙ୍କ ସହ ଆମର ଦୃଢ଼ ସମ୍ପର୍କ ଓ ସହଯୋଗ ଜାରି ରହିବ। ବନ୍ୟାବିପନ୍ନଙ୍କ ସୁରକ୍ଷା, ସହାୟତା ଓ ତତ୍କାଳୀନ ଆବଶ୍ୟକତା ପୂରଣ ଦିଗରେ ସମସ୍ତେ ଏକଜୁଟ ହୋଇ କାମ କରିବା ଆବଶ୍ୟକ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଶ୍ରମିକଙ୍କ ହକ୍ ପାଇଁ ବିଏମ୍ଏସ୍ର ଦାବିପତ୍ର ଅଙ୍ଗନୱାଡ଼ି-ଆଶାଙ୍କୁ କର୍ମଚାରୀ ମାନ୍ୟତା ସହ ସର୍ବନିମ୍ନ ମଜୁରୀ ୩୦ ହଜାର ଦାବି
ନୂଆପଡ଼ା: ଶ୍ରମିକ ଓ କର୍ମଚାରୀଙ୍କ ଦୀର୍ଘଦିନର ସମସ୍ୟା ଓ ବିଭିନ୍ନ ଦାବିର ସମାଧାନ ନେଇ ଭାରତୀୟ ମଜଦୂର ସଂଘ (ବିଏମ୍ଏସ୍) ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯାଇଛି। ଏହି କ୍ରମରେ ନୂଆପଡ଼ା ଜିଲ୍ଲା ବିଏମ୍ଏସ୍ ପକ୍ଷରୁ ଶ୍ରମିକଙ୍କ ବିଭିନ୍ନ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ଘୁବାସ ଚନ୍ଦ୍ର ରଇତାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରାଯାଇଛି। ରାଞ୍ଚିଠାରେ ଅନୁଷ୍ଠିତ ବିଏମ୍ଏସ୍ର ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି ବୈଠକରେ ଦେଶର ସଂଗଠିତ ଓ ଅଣସଂଗଠିତ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏହାପରେ ଅଗଷ୍ଟ ୧୭ ତାରିଖରେ ଦେଶବ୍ୟାପୀ ଦାବିପତ୍ର ପ୍ରଦାନ ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ଆହ୍ୱାନ ଅନୁଯାୟୀ ନୂଆପଡ଼ା ଜିଲ୍ଲା ବିଏମ୍ଏସ୍ ସଭାପତି ପ୍ରଦୀପ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, ଜିଲ୍ଲା ପ୍ରଭାରୀ ବିଷ୍ଣୁ ରଞ୍ଜନ ସା, ଜିଲ୍ଲା ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀ, ସଭାନେତ୍ରୀ ଲୋଭା ଲୁହାର, ଚନ୍ଦ୍ରକାନ୍ତି ଶବର ଓ ରଣଶ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅଙ୍ଗନୱାଡ଼ି-ଆଶାଙ୍କୁ ମିଳୁ କର୍ମଚାରୀ ମାନ୍ୟତା ବିଏମ୍ଏସ୍ ପକ୍ଷରୁ ଅଙ୍ଗନୱାଡ଼ି ଓ ଆଶା କର୍ମୀଙ୍କୁ କର୍ମଚାରୀର ମାନ୍ୟତା ଦେବା ସହ ସମ୍ମାନଜନକ ଦରମା ପ୍ରଦାନ ପାଇଁ ଦାବି କରାଯାଇଛି। ଆଶା କର୍ମୀଙ୍କୁ ପ୍ରସୂତିକାଳୀନ ଛୁଟି ସହ ପୂର୍ଣ୍ଣ ମାନଦେୟ ପ୍ରଦାନ ଏବଂ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ମାନଦେୟ ବୃଦ୍ଧି କରିବାକୁ ମଧ୍ୟ ସଂଘ ଦାବି ରଖିଛି। ଚୁକ୍ତିଭିତ୍ତିକ ଓ ଠିକା କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ‘ସମାନ କାମକୁ ସମାନ ଦରମା’ ଲାଗୁ କରିବା ଏବଂ ସର୍ବନିମ୍ନ ମଜୁରୀକୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି ହୋଇଛି। ପେନସନ ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଇପିଏସ୍-୯୫ ଅଧୀନରେ ନ୍ୟୂନତମ ପେନସନ ବୃଦ୍ଧି ସହ ମହାଙ୍ଗାଭତ୍ତା ଯୋଡ଼ିବା ଏବଂ ଏହାକୁ ଆୟୁଷ୍ମାନ ଭାରତ ଯୋଜନା ସହ ସଂଯୋଗ କରିବା ପାଇଁ ଦାବି କରାଯାଇଛି। ଇପିଏଫ୍, ଇଏସ୍ଆଇସି ଓ ବୋନସ୍ ଗଣନାରେ ଥିବା ସୀମାକୁ ଦ୍ୱିଗୁଣିତ କରିବା ସହ ପୁରୁଣା ପେନସନ ଯୋଜନା ପୁନଃ ପ୍ରଚଳନ କରିବାକୁ ସଂଘ ଦାବି କରିଛି। ସେହିପରି ଗ୍ରାଚ୍ୟୁଇଟି ଗଣନାକୁ ୧୫ ଦିନର ମଜୁରୀ ବଦଳରେ ୩୦ ଦିନର ମଜୁରୀ ଆଧାରରେ କରିବାକୁ ମଧ୍ୟ ଦାବି ରହିଛି। ଛଟେଇ ବନ୍ଦ ସହ ଶ୍ରମ ସଂହିତାରେ ସଂଶୋଧନ ଦାବି ଶ୍ରମ ସଂହିତାରେ ଥିବା ଶ୍ରମିକବିରୋଧୀ ବ୍ୟବସ୍ଥାଗୁଡ଼ିକରେ ଆବଶ୍ୟକ ସଂଶୋଧନ କରିବା ସହ ଓଡ଼ିଶାର ବିଭିନ୍ନ ଉଦ୍ୟୋଗରେ ହୋଇଥିବା ବେଆଇନ ଛଟେଇକୁ ପ୍ରତ୍ୟାହାର କରି ସମ୍ପୃକ୍ତ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବାକୁ ବିଏମ୍ଏସ୍ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ଭକ୍ତବନ୍ଧୁ ଧରୁଆ, ରାଧାକାନ୍ତ ବେହେରା, ବିଏମ୍ଏସ୍ ଜିଲ୍ଲା ମିଡିଆ ସେଲ୍ର ରାମନାଥ ପଣ୍ଡା, ଜାନକୀ ମାଝୀ, ଗୀତାଞ୍ଜଳି ବିଶି, ଜାନକୀ ମେହେର, ଷଷ୍ଠୀ ସାହୁ, ବଳଧର କେତକୀ, ଯଯାତି ମେହେର, ସଞ୍ଜୟ ନାୟକ, ପିଣ୍ଡୁ ହଂସ, ଆକାଶ କଟାଙ୍କଙ୍କ ସମେତ ଅଙ୍ଗନୱାଡ଼ି, ଆଶା, ମିଶନ ଶକ୍ତି, ମଣ୍ଡି ହେମାଳ, ପାଚିକା ସଂଘ ଓ ବିଏମ୍ଏସ୍ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ସଂଘର ସଦସ୍ୟମାନେ ସାମିଲ ହୋଇଥିଲେ। ଶ୍ରମିକଙ୍କ ସାମାଜିକ ସୁରକ୍ଷା, ଉଚିତ ପାରିଶ୍ରମିକ ଓ ନିରାପଦ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ସହ ଶ୍ରମର ମର୍ଯ୍ୟାଦା ରକ୍ଷା ପାଇଁ ସରକାର ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ବିଏମ୍ଏସ୍ ପକ୍ଷରୁ ଅନୁରୋଧ କରାଯାଇଛି।
Nuapada (ନୂଆପଡ଼ା) • କଶ୍ୟପ ଜଗତ

ବନ୍ୟା ସାଜିଲା ଲୋକ ମାନଙ୍କ ଦୁଃଖର କାରଣ
ଯାଜପୁର ବରି ବ୍ଲକ ଅନ୍ତର ଗତ ବୋଦୂଅ ପଂଚାୟତରେ ବନ୍ୟା ଜଳ ପଶି ବୋହୁ ଲୋକ ମାନଙ୍କ ଧନ ଜୀବନ ଓ ଚାଷ ଜମିକୁ ନଷ୍ଟ କରି ଦେଇଛି ଏବଂ ସେଠାରେ ସ୍କୁଲ ପିଲାମାନଙ୍କ ପାଠ ପଢା ବାଧା ପ୍ରାପ୍ତ ହୋଇଛି ଓ ପିଇବା ପାଣିର ମଧ୍ୟ ସମସ୍ୟା ଦେଖା ଦେଇଛି | ସେଠାରେ ଆମେ ଦେଖିବାକୁ ପାଇଲୁ ସ୍ଥାନୀୟ ଲୋକ ମାନେ ଖରସ୍ରୋତା ନଦୀର ବନ୍ୟା ଜଳସ୍ତର କୁ ନେଇ ଭୟ ଭିତ ଅବସ୍ଥାରେ ଅଛନ୍ତି | ଏହି ସମୟରେ ପ୍ରଶାସନ ର ସହାନୁଭୂତି ଓ ସହଯୋଗ ବହୁତ ମହତ୍ୱପୂର୍ଣ୍ଣ ଅଟେ ଏହି ସମୟରେ ପ୍ରଶାସନ ଯଦି ସମର୍ଥନ ଓ ସହାନୁଭୂତି ଦିଏ ତାହେଲେ ସମସ୍ତ ଜନ ସାଧାରଣ ଙ୍କ ପାଇଁ ଆଶା ଓ ଶକ୍ତି ହୁଏ.
Jajpur (ଯାଜପୁର) • ନିର୍ମଳ ଜେନା ଙ୍କ ରିପୋର୍ଟ

ବରି ବାଙ୍କ ସାହି ଠାରେ ଫୁଣି ଥରେ ଘାଇ
ଯାଜପୁର ବରି ଅଂଚଳର କିମିରିଆପାଳ ପଂଚାୟତ ବାଙ୍କ ସାହି ନିକଟରେ ଫୁଣି ଥରେ ଘାଇ .ବନ୍ୟା ପାଣି ରେ ପାଖା ପାଖି ଛଟି ପଂଚାୟତ ସମ୍ପୂର୍ଣ ଭାବରେ ଜଳ ମଗ୍ନ ହୋଇ ଯାଇଛି ବର୍ତମାନ ଅଞ୍ଚଳ ବାସି ଭୟ ଭିତ ଅବସ୍ଥାରେ ଅଛନ୍ତି ବାଙ୍କ ସାହି ଓ ପାଖା ପାଖି ଗାଁ ଗୁଡିକ ସବୁଠୁ ଅଧିକ କ୍ଷତି ଦେଖିବାକୁ ମିଳୁଛି ଏବଂ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷ ଜମି ଉପରେ ପାଞ୍ଚ ଫୁଟ ର ପାଣି ସୁଅ ଚାଲିଛି ବର୍ତମାନ ପରିସ୍ଥିଥି ଶଙ୍କଟା ପୂର୍ଣ୍ଣ ଲୋକ ମାନେ ନାହିଁ ନଥବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କ ପାଖରେ ପହଂଚି ପାରିନି.. ସ୍ଥାନୀୟ ଲୋକଙ୍କର ଦାବି ପ୍ରଶାସନ ଯଥା ଶୀଘ୍ର ସେମାନଙ୍କ ପାଖରେ ପହଂଚି ସାହାଯ୍ୟ ର ହାତ ଵଡାନ୍ତୁ .
Jajpur (ଯାଜପୁର) • ନିର୍ମଳ ଜେନା ଙ୍କ ରିପୋର୍ଟ

ଅଧା କାର୍ଯ୍ୟ ହୋଇ ପଡ଼ିରହିଛି ଓଭରହେଡ ପାଣି ଟାଙ୍କି
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଖାଲମଡା ଅଞ୍ଚଳବାସୀଙ୍କୁ ନିୟମିତ ଓ ନିରାପଦ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହୋଇଥିବା ଓଭରହେଡ ପାଣି ଟାଙ୍କି ଅଧା କାର୍ଯ୍ୟରେ ପଡ଼ିରହିଛି ଫଳରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର ହେବା ବଦଳରେ ଦିନକୁ ଦିନ ଜଟିଳ ହେଉଛି! ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ମେଗା ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଗ୍ରାମକୁ ପାଇପ ବିଛା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ହୋଇଥିବା କୁହାଯାଉଛି ପ୍ରକଳ୍ପର ମୁଖ୍ୟ ଅଂଶ ଭାବେ ଥିବା ଓଭରହେଡ ଟାଙ୍କି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବାରୁ ଲୋକଙ୍କୁ ଏହାର ସୁଫଳ ମିଳୁନାହିଁ! ପାଇପ ବିଛା କାର୍ଯ୍ୟ ଶେଷ ହୋଇଥିବା ସତ୍ତ୍ୱେ ଓଭରହେଡ ପାଣି ଟାଙ୍କି କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ଏବଂ ପ୍ରକଳ୍ପରୁ କେବେ ନିୟମିତ ପାନୀୟ ଜଳ ଯୋଗାଣ ହେବ,ସେନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି!ତୁରନ୍ତ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ କରି ଓଭରହେଡ ଟାଙ୍କିକୁ କାର୍ଯ୍ୟକ୍ଷମ କରିବା ସହ ନିୟମିତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି!
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ବୋଡ଼କ ପଞ୍ଚାୟତ ରେ କୁମ୍ଭୀର ଆତଙ୍କ ଭୟରେ ଗ୍ରାମବାସୀ
ଭଦ୍ରକ ଜିଲ୍ଲାର ବୋଡ଼କ ପଞ୍ଚାୟତ ଅଞ୍ଚଳରେ ବନ୍ୟା ମଧ୍ୟରେ ଦେଖାଦେଇଛି କୁମ୍ଭୀର ଆତଙ୍କ। ରେବ ନଦୀରେ ଏକ ବିଶାଳ କୁମ୍ଭୀର ବୁଲୁଥିବା ଦେଖିବା ପରେ ନଦୀକୂଳବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବା ବେଳେ ନଦୀ ପଟୁ ଏକ ବିଶାଳ କୁମ୍ଭୀର ରାସ୍ତା ଆଡ଼କୁ ଆସିଥିବା ଦେଖାଯାଇଛି। ଏପରିକି ରାସ୍ତାରେ ବୁଲୁଥିବା ଏକ କୁକୁରକୁ କୁମ୍ଭୀରଟି ଟାଣି ନେଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ଚିନ୍ତା ଆହୁରି ବଢ଼ିଛି। ବନ୍ୟା ସମୟରେ ରାସ୍ତା ଓ ନଦୀ ମଧ୍ୟରେ ତଫାତ ବୁଝିବା କଷ୍ଟକର ହୋଇଥିବାରୁ ଜଳମଗ୍ନ ରାସ୍ତାରେ ଯାତାୟାତ ନକରିବାକୁ ସତର୍କ କରାଯାଇଛି। ବିଶେଷକରି ନଦୀକୂଳ ଓ ବନ୍ୟାଜଳ ପ୍ରବାହିତ ଅଞ୍ଚଳକୁ ଛୋଟ ପିଲାମାନଙ୍କୁ ନନେବାକୁ ପରାମର୍ଶ ଦିଆଯାଇଛି। କୁମ୍ଭୀରର ଗତିବିଧି ଉପରେ ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ବନ୍ୟାଜଳ ହଟିବା ପର୍ଯ୍ୟନ୍ତ ହଟନଗର ରାସ୍ତା ସମେତ ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବା ଜରୁରୀ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ସ୍ୱାଧୀନତା ଦିବସ ଉପଲକ୍ଷେ କେନ୍ଦୁମୁଣ୍ଡାରେ ଯୁବ ମହୋତ୍ସବ: ଗୀତ ଓ ନୃତ୍ୟରେ ପ୍ରତିଭା ଦେଖାଇଲେ ଯୁବପିଢ଼ି
କେନ୍ଦୁମୁଣ୍ଡା: କେନ୍ଦୁମୁଣ୍ଡା ଯୁଥ୍ କମିଟି ଓ କେନ୍ଦୁମୁଣ୍ଡା ସ୍କୁଲ ମ୍ୟାନେଜମେଣ୍ଟ କମିଟିର ମିଳିତ ଆୟୋଜନରେ ଏକ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅଞ୍ଚଳର ଯୁବପିଢ଼ି ଓ କୁନି କଳାକାରମାନେ ଗୀତ ଓ ନୃତ୍ୟ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସ୍କୁଲ ମ୍ୟାନେଜମେଣ୍ଟ କମିଟିର ଅଧ୍ୟକ୍ଷ ଶ୍ରୀ ଗୋବର୍ଦ୍ଧନ ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ବିଚାରକ ଭାବେ ଦିଗାମ୍ବର ମହାନନ୍ଦ, ସନ୍ତୋଷ ବାଗ, ରାଜା ବାଗ, ଲିଲୁ ମହାନନ୍ଦ ଓ ସଞ୍ଜୟ କୁମାର ରାଉତ ଦାୟିତ୍ୱ ତୁଲାଇଥିଲେ। ଗୀତ ପ୍ରତିଯୋଗିତାରେ ଜୋକନାଥ ଜଗତ ପ୍ରଥମ, ପଙ୍କଜିନୀ ଜାଲ ଦ୍ୱିତୀୟ ଏବଂ ଜ୍ୟୋତ୍ସ୍ନା ସୁନାନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ନୃତ୍ୟ ପ୍ରତିଯୋଗିତାରେ ପଙ୍କଜିନୀ ଜାଲ ପ୍ରଥମ, ଲତା ସୁନାନୀ ଦ୍ୱିତୀୟ ଏବଂ ଅମ୍ବିକା ମାଝୀ ଓ ଜ୍ୟୋତ୍ସ୍ନା ରଣା ଯୁଗ୍ମଭାବେ ତୃତୀୟ ସ୍ଥାନ ହାସଲ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିନାଥ, ପ୍ରଦୀପ, ରୋହିତ ବାଗ, ଜିତେନ୍ଦ୍ର ସୁନାନୀ, ଋଷିଧର, ଗୁଡୁ, ଚୈବାନ, ଜଳଧର, ଯୁବରାଜ, ବ୍ରଜସାବ, ପିଣ୍ଟୁ, ମିଲୁ, ବୁଲୁ ଓ ଆଲୋକ ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ମଞ୍ଚ ପ୍ରଦାନ ସହ ଯୁବପିଢ଼ିଙ୍କ ମଧ୍ୟରେ ସାଂସ୍କୃତିକ ଚେତନା ଓ ଭାଇଚାରା ବୃଦ୍ଧି ପାଇବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଥିଲେ।
Nuapada (ନୂଆପଡ଼ା) • ରିପୋର୍ଟ : ମଳୟ ମେହେର, ଜିଲ୍ଲା ପ୍ରତିନିଧି

ତୃତୀୟ ବନ୍ୟାରେ ଉବୁଟୁବୁ ଆଳିର ୨୨ ପଞ୍ଚାୟତ
ଯୁଆଡେ ଚାହିଁବ ସିଆଡେ ଖାଲି ପାଣି ଆଉ ପାଣି । ନଦୀ ସହିତ ମିଶି ଯାଇଛି ଚାଷ ଜମି ଓ ଗମନା ଗମନ ରାସ୍ତା । ବନ୍ୟା ଯୋଗୁଁ ପଞ୍ଚାୟତ ସହିତ ପଞ୍ଚାୟତ ମଧ୍ଯରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ଗୋଟିଏ ଘରୁ ପଡିସା ଘରକୁ ଯିବା ମଧ୍ୟ ବନ୍ଦ ହୋଇଯାଇଛି । ବାଧକ ସାଜିଛି ବନ୍ୟା ପାଣି । ତିନିଦିନ ହେବ ବନ୍ୟା ପାଣିରେ ଘରୁ ବାହାର ସବୁକିଛି ବୁଡି ଯାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ଆଳି ବ୍ଲକରେ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ଏବେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟାଜଳ ଚାପରେ ଗତକାଲି ବଉଳଯୋଡି ନିକଟରେ କାଳିଆଘାଇ ଗାର୍ଡୱାଲ ଭୁସୁଡି ପଡ଼ିଥିବା ବେଳେ ମୋହନପୁର ନିକଟରେ ମଧ୍ୟ ଘଳିଆ ହେବାର ଆଶଙ୍କା ଦେଖା ଦେଇଥିଲା । ଯେଉଁଠି ଜଳସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା ପକାଇ ପାଣିକୁ ରୋକା ଯାଇଛି । ପ୍ରବଳ ବନ୍ୟା ଯୋଗୁଁ ୨୨ ଟି ପଞ୍ଚାୟତର ୭୦ ହଜାର ଲୋକ ବନ୍ୟା ପାଣି ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ତିନିଦିନ ହେବ ଅଞ୍ଚଳ ବାସୀ ବନ୍ୟା ଜଳରେ ଉବୁଟୁବୁ ହେଉଥିବା ବେଳେ ପ୍ରଶାସନର ଦେଖାନାହିଁ । ବନ୍ୟାପାଣି ଘେରରେ ଥିବା ଲୋକ ମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ବନ୍ୟାରେ ଗାଁ ଗାଁ ରେ ଥିବା ନଳକୂଅ ଗୁଡିକ ବୁଡି ଯାଇଥିବା ବେଳେ ବସୁଧା ଯୋଜନାରେ ପାଣି ଯୋଗାଇ ଦିଆଯାଉଥିବା ମୋଟର ଘର ଗୁଡିକ ବନ୍ୟା ପାଣିରେ ବୁଡି ଯାଇଥିବାରୁ ସେହି ପାଣି ମଧ୍ୟ ମିଳୁନି । ପାନୀୟ ଜଳ ମିଳିବାର ଉତ୍ସ ବନ୍ୟା ଘେରରେ ଥିବାରୁ ଗାଁ ଗାଁ ରେ ଲୋକ ବନ୍ୟା ପାଣି ଫୁଟାଇ ପିଇବାକୁ ବାଧ୍ଯ ହେଉଛନ୍ତି । ବନ୍ୟାଯୋଗୁଁ ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ଗାଁ ଗାଁରେ ଥିବା ଅଙ୍ଗନଓ୍ବାଡି, ସ୍କୁଲ, ଏ ଏନଏମ ସେଣ୍ଟର ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ୟା ଘେରରେ ରହିଥିବାରୁ ସବୁ କିଛି ଠପ ହୋଇଯାଇଛି । ହଜାର ହଜାର ଗୃହ ପାଳିତ ଗାଇ, ମେଣ୍ଢା ଓ ଛେଳି ଗୁହାଳରେ ଭୋକ ଉପାସରେ ବନ୍ଧା ହୋଇ ରହିଛନ୍ତି । ଆଳି ଧୋୟାଞ୍ଚଳର ମୁଖ୍ୟ ଗମନା ଗମନ ରାସ୍ତା ମାନପୁର –ଗୋବିନ୍ଦପୁର ରାସ୍ତା ଏବେ ସମ୍ପୂର୍ଣ ଭାବେ ବନ୍ୟା ପାଣିରେ ବୁଡି ଯାଇଛି । ଯାହାଫଳରେ ଲୋକମାନେ ଏବେ ଡଙ୍ଗାରେ ଯାତାୟତ କରୁଛନ୍ତି । ମାନପୁର ଠାରୁ ଜୁଆଣିଆ ପର୍ଯ୍ୟନ୍ତ ଡଙ୍ଗାରେ ଲୋକମାନେ ଦୁଇଶହ ଟଙ୍କା ଦେଇ ଯାତାୟାତ କରୁଛନ୍ତି । ପାଖାପାଖ ୮ କି ଲୋମି ଟର ପର୍ଯ୍ୟନ୍ତ ବନ୍ୟାପାଣି ଭିତରେ ଡ଼ଙ୍ଗା ସାହାଯ୍ୟରେ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକ ଡ଼ଙ୍ଗାଚାଳକ ମାନେ ଡ଼ଙ୍ଗାରେ ଆବଶ୍ୟକ ଠାରୁ ଅଧିକ ଲୋକ ଓ ଗାଡି ନେଇ ଯାଉଥିବା ବେଳେ କେତେବେଳେ ଯେ କଣ ଅଘଟଣ ଘଟିବ ତାହା କହିହେବ ନାହିଁ । ଏହା ଉପରେ ପ୍ରଶାସନିକ କଟକଣା ମଧ୍ଯ ନାହିଁ ।ଗାଁ ଗାଁ ରେ ଏବେ ଲୋକ ଜଳବନ୍ଦୀ ଜୀବନ ବିତାଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନଥିବାରୁ ଲୋକମାନଙ୍କୁ ସମସ୍ୟା ଦିନକୁ ଦିନ ବଢ଼ିଚାଲିଛି । ଆଳି ବ୍ଳକ ଧୋୟାଞ୍ଚଳର ଦଶ ପଞ୍ଚାୟତ ସମେତ ପଦନୀପାଳ, ଦଶିପୁର, କୋଳିଡ଼ିହ, ମାଣିକପାଟଣା, ପତ୍ରପୁର, ନରେନ୍ଦ୍ରପୁର, ନୂଆପଡାର ସିଦ୍ଧବାଲି ଗାଁ ପାଣି ଘେରରେ ରହିଛି | ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନଥୁବାରୁ ବନ୍ୟା ବିପନ୍ନ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି । ଅପରପକ୍ଷରେ ବ୍ଳକ ପ୍ରଶାସନ ପକ୍ଷରୁ ଶୁଖୁଲା ଖାଦ୍ୟ ସହିତ ଗୋଖାଦ୍ୟ ମଙ୍ଗଳବାର ଦିନ ବ୍ଲକର ୨୨ ଟି ପଞ୍ଚାୟତକୁ ଯୋଗାଇ ଦିଆଯିବ ବୋଲି ବିଡ଼ିଓ ଅବିନାଶ ବିଶ୍ଵଜିତ ସେଠୀ ସୂଚନା ଦେଇଛନ୍ତି ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା, ରାଜକନିକା

ଥିପାଖୋଲରେ ଯୁବକଙ୍କ ସଲିଳ ସମାଧି, ନା ରହିଛି ଆଉ କିଛି ରହସ୍ୟ?
*ଥିପାଖୋଲରେ ଜଳାଶୟ ନେଲା ଯୁବକଙ୍କ ଜୀବନ: ୧୮ ଘଣ୍ଟା ପରେ ମିଳିଲା ମୃତଦେହ; ପର୍ଯ୍ୟଟକ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ* ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧୀନ ଥିପାଖୋଲ ପର୍ଯ୍ୟଟନସ୍ଥଳୀରେ ଘଟିଛି ଏକ ମର୍ମନ୍ତୁଦ ଅଘଟଣ । ବୁଲିବାକୁ ଆସିଥିବା ଜଣେ ଯୁବକ ଜଳାଶୟରେ ବୁଡ଼ି ନିଖୋଜ ହେବାର ପ୍ରାୟ ୧୮ ଘଣ୍ଟା ପରେ ସୋମବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଛତିଶଗଡ଼ ଅମଲିପଦର ଅଞ୍ଚଳର ୨୫ ବର୍ଷୀୟ ବସନ୍ତ କୁମାର ଧ୍ରୁବ ବୋଲି ଜଣାପଡ଼ିଛି । ଘଟଣା ପରେ ପରିବାର ଓ ସାଙ୍ଗସାଥୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ, ବସନ୍ତ ରବିବାର ନିଜ ୬ ଜଣ ସାଙ୍ଗଙ୍କ ସହ ଥିପାଖୋଲ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଆସିଥିଲେ । ବୁଲାବୁଲି ପରେ ସମସ୍ତେ ଜଳାଶୟ ନିକଟକୁ ଯାଇଥିଲେ । ଅପରାହ୍ନ ପ୍ରାୟ ୪ଟା ସମୟରେ ସେମାନଙ୍କ ମଧ୍ୟରୁ ୩ ଜଣ ପାଣି ଭିତରକୁ ପଶିଥିଲେ । ତେବେ ପାଣିର ଗଭୀରତା ଓ ସ୍ରୋତ ସମ୍ପର୍କରେ ଠିକ୍ ଅନୁମାନ ନ କରିବାରୁ ହଠାତ୍ ସେମାନେ ବିପଦରେ ପଡ଼ିଥିଲେ । ଦୁଇଜଣ ଯୁବକ କୌଣସି ପ୍ରକାରେ ପାଣିରୁ ବାହାରି ଆସିଥିବା ବେଳେ ବସନ୍ତ ଆଉ ବାହାରି ପାରିନଥିଲେ । ସାଙ୍ଗମାନଙ୍କ ଆଖି ଆଗରେ ସେ ପାଣିରେ ନିଖୋଜ ହୋଇଯିବା ପରେ ଘଟଣାସ୍ଥଳରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ସେମାନେ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ସିନାପାଲି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସିନାପାଲି ପୁଲିସ ଓ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ଜଳାଶୟରେ ପାଣିର ଗଭୀରତା ଓ ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାରକାରୀ ଦଳକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ରାତି ପର୍ଯ୍ୟନ୍ତ ଅଭିଯାନ ଚାଲିଥିଲେ ମଧ୍ୟ ବସନ୍ତଙ୍କ କୌଣସି ସନ୍ଧାନ ମିଳିନଥିଲା । ସୋମବାର ସକାଳୁ ପୁଣିଥରେ ଜୋରଦାର ଖୋଜାଖୋଜି ଆରମ୍ଭ ହୋଇଥିଲା । ଦୀର୍ଘ ସମୟର ଅଭିଯାନ ପରେ ସୋମବାର ଦିନ ପ୍ରାୟ ୧୨ଟା ସମୟରେ ବସନ୍ତଙ୍କ ମୃତଦେହ ଠାବ କରାଯାଇଥିଲା। ଉଦ୍ଧାରକାରୀ ଦଳ ମୃତଦେହକୁ ଜଳାଶୟରୁ ବାହାର କରିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ ପାଇଥିଲା । ମୃତ୍ୟୁକୁ ନେଇ ଉଠିଲା ସନ୍ଦେହ, ବସନ୍ତଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ କିଛି ପ୍ରଶ୍ନ ମଧ୍ୟ ଉଠିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ମୃତଦେହର ବେକ, ପାଟି ଓ କାନ ନିକଟରେ ଆଘାତ ଚିହ୍ନ ଥିବା ଦେଖାଯାଇଛି । ଏହା ଦୁର୍ଘଟଣାଜନିତ ଆଘାତ ନା ଅନ୍ୟ କୌଣସି କାରଣ, ତାହା ନେଇ ସନ୍ଦେହ ପ୍ରକାଶ ପାଇଛି । ତେବେ ଘଟଣାଟି ହତ୍ୟା କିମ୍ବା ଦୁର୍ଘଟଣା—ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ତଥ୍ୟ ସାମ୍ନାକୁ ଆସିନାହିଁ । ପୁଲିସ ତଦନ୍ତ ଓ ଆବଶ୍ୟକ ଚିକିତ୍ସା ପରୀକ୍ଷା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ପର୍ଯ୍ୟଟକ ସୁରକ୍ଷା ନେଇ ବଢ଼ିଲା ଚିନ୍ତା, ବର୍ଷା ଋତୁରେ ଜଳାଶୟରେ ପାଣି ବଢ଼ିବା ସହ ସ୍ରୋତ ମଧ୍ୟ ତୀବ୍ର ହୋଇଥାଏ । ଏଭଳି ସମୟରେ ପାଣିର ଗଭୀରତା ନ ଜାଣି ଜଳାଶୟ ଭିତରକୁ ପ୍ରବେଶ କରିବା ଅତ୍ୟନ୍ତ ବିପଦଜନକ । ଥିପାଖୋଲ ଭଳି ପର୍ଯ୍ୟଟନସ୍ଥଳୀରେ ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରି ସତର୍କତାମୂଳକ ଫଳକ ଲଗାଇବା, ସୁରକ୍ଷାକର୍ମୀ ନିୟୋଜନ କରିବା ଏବଂ ଜରୁରୀ ସମୟରେ ତୁରନ୍ତ ଉଦ୍ଧାର ପାଇଁ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟପକ୍ଷରେ ପର୍ଯ୍ୟଟକମାନେ ମଧ୍ୟ ନିଜ ସୁରକ୍ଷା ପ୍ରତି ସଚେତନ ରହିବା ଆବଶ୍ୟକ । ପାଣିର ଗଭୀରତା ଓ ସ୍ରୋତ ସମ୍ପର୍କରେ ଜାଣିନଥାଇ ଜଳାଶୟ ଭିତରକୁ ଯିବା, ବିପଦପୂର୍ଣ୍ଣ ସ୍ଥାନରେ ଫଟୋ ଉଠାଇବା କିମ୍ବା ମଜାମସ୍ତି କରିବାରୁ ଦୂରେଇ ରହିବା ଦରକାର । ଥିପାଖୋଲର ଏହି ଦୁଃଖଦ ଘଟଣା ଅନ୍ୟ ପର୍ଯ୍ୟଟକଙ୍କ ପାଇଁ ଏକ ସତର୍କବାଣୀ ପାଲଟିଛି । ଭବିଷ୍ୟତରେ ଏଭଳି ଅଘଟଣର ପୁନରାବୃତ୍ତି ରୋକିବାକୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର, ଜିଲ୍ଲା ପ୍ରତିନିଧି

୨ କି.ମି. ନାଗଯାତ୍ରା ପରେ ଶିବଲିଙ୍ଗରେ ଜଳାଭିଷେକ, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ
ଘୁଚାଗୁଡ଼ା: ପବିତ୍ର ନାଗ ପଞ୍ଚମୀ ଅବସରରେ ଘୁଚାଗୁଡ଼ା ରେଙ୍ଗଟାପଡ଼ା, କଇଁଟପଦର ଓ କେନ୍ଦୁମୁଣ୍ଡା ମଧ୍ୟସ୍ଥିତ ଶିବମନ୍ଦିର ପରିସରରେ ଭକ୍ତି ଓ ଆଧ୍ୟାତ୍ମିକତାର ଅନନ୍ୟ ପରିବେଶ ସୃଷ୍ଟି ହୋଇଥିଲା। ନାଗ ପଞ୍ଚମୀ ଅବସରରେ କଳାହାଣ୍ଡି ଜିଲା ଦଶପୁର ଗ୍ରାମର ଚମ୍ପେଶ୍ୱର ନାଗ ବୋଲ୍ବମ୍ ପାର୍ଟି ପକ୍ଷରୁ ଏକ ନାଗଯାତ୍ରା ଆୟୋଜିତ ହୋଇଥିଲା। ଉଦନ୍ତୀ ନଦୀର ଶଗଡ଼ିଆ ଘାଟରୁ ଭକ୍ତମାନେ ପବିତ୍ର ଜଳ ଧରି ପ୍ରାୟ ୨ କିଲୋମିଟର ଦୂରତା ନାଗଯାତ୍ରା କରି ଶିବମନ୍ଦିରରେ ପହଞ୍ଚିଥିଲେ। ପରେ ଶିବଲିଙ୍ଗରେ ପବିତ୍ର ଜଳ ଢାଳି ଭକ୍ତିପୂର୍ଣ୍ଣ ଭାବେ ପୂଜାର୍ଚ୍ଚନା କରିଥିଲେ। ନାଗ ପଞ୍ଚମୀର ଧାର୍ମିକ ପରମ୍ପରା ଓ ଶୈବ ଭକ୍ତିର ଏହି ସମାଗମ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା। ଏହି ଅବସରରେ ଘୁଚାଗୁଡ଼ା ତ୍ରିନାଥ ମନ୍ଦିର ସେବାୟତ ଶ୍ରୀ ବାଲକୃଷ୍ଣ ନାଏକଙ୍କ ସମେତ ମନବୋଧ ମାଝୀ, ଭମରବର ପ୍ରଧାନ, ପାରେଶ୍ୱର ସା, ପବିତ୍ର ନାଏକ, ଭାସ୍କର ବୈଠାରୁ, ଦେବରାଜ ପ୍ରଧାନ, ମନୋଜ ନାଏକ, ରଘୁନାଥ ସା, ସଞ୍ଜୟ ମାଝୀ, ଡୋଳାମଣି ନାଗ, କେବଳ ନାଗ, କର୍ଣ୍ଣ ନାଗ ଓ ଘାସି ନାଗଙ୍କ ସମେତ ଘୁଚାଗୁଡ଼ା, ରେଙ୍ଗଟାପଡ଼ା, କଇଁଟପଦର ଓ କେନ୍ଦୁମୁଣ୍ଡା ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଧାଡ଼ିବାନ୍ଧି ପୂଜାର୍ଚ୍ଚନା କରିବା ସହ ଭଗବାନ ଶିବଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ହଳଦୀମୁଣ୍ଡାର ରାଧାକୃଷ୍ଣ ଭୋଜନ ମଣ୍ଡଳୀ ପକ୍ଷରୁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିଲା। ପୂଜାର୍ଚ୍ଚନା ସମାପ୍ତ ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା ହୋଇଥିଲା। ମନ୍ଦିର ପୂଜକ ଶଙ୍କରଲାଲ ନାଏକ ଓ ପଙ୍କଜ ଦାସ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ କରିଥିଲେ। ନାଗ ପଞ୍ଚମୀ ଅବସରରେ ଶିବମନ୍ଦିର ପରିସରରେ ଦିନତମାମ ଭକ୍ତିମୟ ପରିବେଶ ଲାଗି ରହିଥିଲା।
Nuapada (ନୂଆପଡ଼ା) • ମଳୟ ମେହେର, ଜିଲ୍ଲା ପ୍ରତିନିଧି

ବ୍ରାହ୍ମଣୀର ତାଣ୍ଡବ ରେ ବରୀରେ ବନ୍ୟା ପରିସ୍ଥିତି, ଅନେକ ଅଞ୍ଚଳ ଜଳମଗ୍ନ
ବରୀ: ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ବରୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗୁରୁତର ହୋଇଛି। ନଦୀର ପାଣି ବଢ଼ିବା ସହ ତଳିଆ ଅଞ୍ଚଳଗୁଡ଼ିକରେ ପାଣି ପଶିଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ବରୀ ରୁ କାଇପଡ଼ା ଏବଂ ବରୀ ରୁ ବରୁଆଁ ମୁଖ୍ୟ ରାସ୍ତା ରେ ବନ୍ୟା ସ୍ରୋତ ହେବାପରେ ଯାତାୟାତ ର ବହୁ ସମସ୍ୟା ଦେଖା ଦେଇଛି ତା ସହ ବିଭିନ୍ନ ଗାଁର ରାସ୍ତାଘାଟ, ଚାଷଜମି ଓ ଘରବାଡ଼ି ନିକଟରେ ବନ୍ୟାଜଳ ଜମିଥିବା ଦେଖିବାକୁ ମିଳିଛି। ବନ୍ୟାଜଳ ଧୀରେଧୀରେ ଅଧିକ ଅଞ୍ଚଳକୁ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନଦୀରେ ପାଣି ବଢ଼ିବା ଯୋଗୁଁ ତଳିଆ ଅଞ୍ଚଳରେ ରହୁଥିବା ପରିବାରଗୁଡ଼ିକ ଅଧିକ ଚିନ୍ତାରେ ଅଛନ୍ତି। ଚାଷଜମିରେ ପାଣି ଜମିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ମଧ୍ୟ ରହିଛି। ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଆବଶ୍ୟକ ସ୍ଥାନରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
Jajpur (ଯାଜପୁର) • ବରୀ ରୁ ସୁଧାଂଶୁ ଶେଖର ଓଝା

ବନ୍ୟାଞ୍ଚଳ ପରିଦର୍ଶନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ଭଦ୍ରକ/ଧାମନଗର: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆଜି ଧାମନଗର ନିର୍ବାଚନମଣ୍ଡଳୀର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ସହ ଆଶା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶ୍ୟାମସୁନ୍ଦର ପଞ୍ଚାୟତର ଓରାଳୀ ଜଗ୍ରାମରେ ପହଞ୍ଚିଥିଲେ। ସେଠାରେ ମା’ ଗ୍ରାମଦେବତୀଙ୍କୁ ଦର୍ଶନ କରିବା ପରେ ବନ୍ୟା ପରିସ୍ଥିତିର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବୋଟ୍ ଯୋଗେ ବିଭିନ୍ନ ବନ୍ୟା ପ୍ରଭାବିତ ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ଲୋକମାନେ କେଉଁ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଖାଦ୍ୟ, ପାନୀୟ ଜଳ, ଚିକିତ୍ସା ଓ ଅନ୍ୟାନ୍ୟ ଆବଶ୍ୟକତା କିଭଳି ରହିଛି, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ପଚାରି ବୁଝିଥିଲେ। ଏଥିସହ ବନ୍ୟା ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ମଧ୍ୟ ସେ ଅବଗତ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଧାମନଗର ଅଞ୍ଚଳର ବିଧାୟକ, ସାଂସଦଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ସରକାରୀ ସହାୟତା ଶୀଘ୍ର ପହଞ୍ଚାଇବା ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ଏହି ଗସ୍ତରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ବନ୍ୟାଞ୍ଚଳ ପରିଦର୍ଶନ ଓ ଲୋକଙ୍କ ସହ ଆଲୋଚନାକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି। ବିପଦ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆସି ଲୋକଙ୍କ ସମସ୍ୟା ବୁଝିବା ଘଟଣା ସାଧାରଣ ଲୋକଙ୍କ ମନରେ ଆଶ୍ୱାସନା ସୃଷ୍ଟି କରିଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ
