ତୃତୀୟ ବନ୍ୟାରେ ଉବୁଟୁବୁ ଆଳିର ୨୨ ପଞ୍ଚାୟତ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲୀପ ପରିଡା, ରାଜକନିକାAugust 18, 2026145 views

ଯୁଆଡେ ଚାହିଁବ ସିଆଡେ ଖାଲି ପାଣି ଆଉ ପାଣି । ନଦୀ ସହିତ ମିଶି ଯାଇଛି ଚାଷ ଜମି ଓ ଗମନା ଗମନ ରାସ୍ତା । ବନ୍ୟା ଯୋଗୁଁ ପଞ୍ଚାୟତ ସହିତ ପଞ୍ଚାୟତ ମଧ୍ଯରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ଗୋଟିଏ ଘରୁ ପଡିସା ଘରକୁ ଯିବା ମଧ୍ୟ ବନ୍ଦ ହୋଇଯାଇଛି । ବାଧକ ସାଜିଛି ବନ୍ୟା ପାଣି । ତିନିଦିନ ହେବ ବନ୍ୟା ପାଣିରେ ଘରୁ ବାହାର ସବୁକିଛି ବୁଡି ଯାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ଆଳି ବ୍ଲକରେ ପ୍ରବାହିତ ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ଏବେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟାଜଳ ଚାପରେ ଗତକାଲି ବଉଳଯୋଡି ନିକଟରେ କାଳିଆଘାଇ ଗାର୍ଡୱାଲ ଭୁସୁଡି ପଡ଼ିଥିବା ବେଳେ ମୋହନପୁର ନିକଟରେ ମଧ୍ୟ ଘଳିଆ ହେବାର ଆଶଙ୍କା ଦେଖା ଦେଇଥିଲା । ଯେଉଁଠି ଜଳସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା ପକାଇ ପାଣିକୁ ରୋକା ଯାଇଛି । ପ୍ରବଳ ବନ୍ୟା ଯୋଗୁଁ ୨୨ ଟି ପଞ୍ଚାୟତର ୭୦ ହଜାର ଲୋକ ବନ୍ୟା
ପାଣି ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ତିନିଦିନ ହେବ ଅଞ୍ଚଳ ବାସୀ ବନ୍ୟା ଜଳରେ ଉବୁଟୁବୁ ହେଉଥିବା ବେଳେ ପ୍ରଶାସନର ଦେଖାନାହିଁ । ବନ୍ୟାପାଣି ଘେରରେ ଥିବା ଲୋକ ମାନେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ବନ୍ୟାରେ ଗାଁ ଗାଁ ରେ ଥିବା ନଳକୂଅ ଗୁଡିକ ବୁଡି ଯାଇଥିବା ବେଳେ ବସୁଧା ଯୋଜନାରେ ପାଣି ଯୋଗାଇ ଦିଆଯାଉଥିବା ମୋଟର ଘର ଗୁଡିକ ବନ୍ୟା ପାଣିରେ ବୁଡି ଯାଇଥିବାରୁ ସେହି ପାଣି ମଧ୍ୟ ମିଳୁନି । ପାନୀୟ ଜଳ ମିଳିବାର ଉତ୍ସ ବନ୍ୟା ଘେରରେ ଥିବାରୁ ଗାଁ ଗାଁ ରେ ଲୋକ ବନ୍ୟା ପାଣି ଫୁଟାଇ ପିଇବାକୁ ବାଧ୍ଯ ହେଉଛନ୍ତି । ବନ୍ୟାଯୋଗୁଁ ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ଗାଁ ଗାଁରେ ଥିବା ଅଙ୍ଗନଓ୍ବାଡି, ସ୍କୁଲ, ଏ ଏନଏମ ସେଣ୍ଟର ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ୟା ଘେରରେ ରହିଥିବାରୁ ସବୁ କିଛି ଠପ
ହୋଇଯାଇଛି । ହଜାର ହଜାର ଗୃହ ପାଳିତ ଗାଇ, ମେଣ୍ଢା ଓ ଛେଳି ଗୁହାଳରେ ଭୋକ ଉପାସରେ ବନ୍ଧା ହୋଇ ରହିଛନ୍ତି । ଆଳି ଧୋୟାଞ୍ଚଳର ମୁଖ୍ୟ ଗମନା ଗମନ ରାସ୍ତା ମାନପୁର –ଗୋବିନ୍ଦପୁର ରାସ୍ତା ଏବେ ସମ୍ପୂର୍ଣ ଭାବେ ବନ୍ୟା ପାଣିରେ ବୁଡି ଯାଇଛି । ଯାହାଫଳରେ ଲୋକମାନେ ଏବେ ଡଙ୍ଗାରେ ଯାତାୟତ କରୁଛନ୍ତି । ମାନପୁର ଠାରୁ ଜୁଆଣିଆ ପର୍ଯ୍ୟନ୍ତ ଡଙ୍ଗାରେ ଲୋକମାନେ ଦୁଇଶହ ଟଙ୍କା ଦେଇ ଯାତାୟାତ କରୁଛନ୍ତି
। ପାଖାପାଖ ୮ କି ଲୋମି ଟର ପର୍ଯ୍ୟନ୍ତ ବନ୍ୟାପାଣି ଭିତରେ ଡ଼ଙ୍ଗା ସାହାଯ୍ୟରେ ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକ ଡ଼ଙ୍ଗାଚାଳକ ମାନେ ଡ଼ଙ୍ଗାରେ ଆବଶ୍ୟକ ଠାରୁ ଅଧିକ ଲୋକ ଓ ଗାଡି ନେଇ ଯାଉଥିବା ବେଳେ କେତେବେଳେ ଯେ କଣ
ଅଘଟଣ ଘଟିବ ତାହା କହିହେବ ନାହିଁ । ଏହା ଉପରେ ପ୍ରଶାସନିକ କଟକଣା ମଧ୍ଯ ନାହିଁ ।ଗାଁ ଗାଁ ରେ ଏବେ ଲୋକ ଜଳବନ୍ଦୀ ଜୀବନ ବିତାଉଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନଥିବାରୁ ଲୋକମାନଙ୍କୁ ସମସ୍ୟା ଦିନକୁ ଦିନ ବଢ଼ିଚାଲିଛି । ଆଳି ବ୍ଳକ ଧୋୟାଞ୍ଚଳର ଦଶ ପଞ୍ଚାୟତ ସମେତ ପଦନୀପାଳ, ଦଶିପୁର, କୋଳିଡ଼ିହ, ମାଣିକପାଟଣା, ପତ୍ରପୁର, ନରେନ୍ଦ୍ରପୁର, ନୂଆପଡାର ସିଦ୍ଧବାଲି ଗାଁ ପାଣି ଘେରରେ ରହିଛି | ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନଥୁବାରୁ ବନ୍ୟା ବିପନ୍ନ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି । ଅପରପକ୍ଷରେ ବ୍ଳକ ପ୍ରଶାସନ ପକ୍ଷରୁ ଶୁଖୁଲା ଖାଦ୍ୟ ସହିତ ଗୋଖାଦ୍ୟ ମଙ୍ଗଳବାର ଦିନ ବ୍ଲକର ୨୨ ଟି ପଞ୍ଚାୟତକୁ ଯୋଗାଇ ଦିଆଯିବ ବୋଲି ବିଡ଼ିଓ ଅବିନାଶ ବିଶ୍ଵଜିତ ସେଠୀ ସୂଚନା ଦେଇଛନ୍ତି ।
