--:--:--
-- ---
Srishti News

Web News

ହଣ୍ଡପା ଥାନା ପରିଦର୍ଶନ କଲେ ଅନୁଗୋଳ ଏସ୍‌ପି, ପୋଲିସ କାର୍ଯ୍ୟକାରିତାର କଲେ ସମୀକ୍ଷା
Jul 13, 2026•90 views

ହଣ୍ଡପା ଥାନା ପରିଦର୍ଶନ କଲେ ଅନୁଗୋଳ ଏସ୍‌ପି, ପୋଲିସ କାର୍ଯ୍ୟକାରିତାର କଲେ ସମୀକ୍ଷା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ୍‌ପି) ହଣ୍ଡପା ଥାନା ପରିଦର୍ଶନ କରି ପୋଲିସ କାର୍ଯ୍ୟକାରିତାର ବିଭିନ୍ନ ଦିଗର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଥାନାର ସମସ୍ତ ପଦାଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ଆଇନ-ଶୃଙ୍ଖଳା ପରିସ୍ଥିତି, ମାମଲାର ତଦନ୍ତର ଅଗ୍ରଗତି ଏବଂ ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଉଥିବା ପୋଲିସ ସେବାର ମୂଲ୍ୟାଙ୍କନ କରିଥିଲେ। ଏସ୍‌ପି ବୃତ୍ତିଗତ ଦକ୍ଷତା, ଉତ୍ତରଦାୟିତ୍ୱ ଓ ଜନଅଭିଯୋଗର ତ୍ୱରିତ ସମାଧାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସେ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ୱଚ୍ଛ,ଦାୟିତ୍ୱବୋଧସମ୍ପନ୍ନ ଓ ନାଗରିକ-କୈନ୍ଦ୍ରିକ ପୋଲିସିଂ ପ୍ରତି ସର୍ବଦା ପ୍ରତିବଦ୍ଧ ରହିବା ସହ ସାଧାରଣ ଲୋକଙ୍କ ବିଶ୍ୱାସ ଅର୍ଜନ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜୁନାଗଡ ବ୍ଲକ ବିନା ସୂଚନା ଫଳକରେ ବିଭିନ୍ନ କାର୍ଯ୍ୟ କାହା ସ୍ୱାର୍ଥରେ
Jul 13, 2026•134 views

ଜୁନାଗଡ ବ୍ଲକ ବିନା ସୂଚନା ଫଳକରେ ବିଭିନ୍ନ କାର୍ଯ୍ୟ କାହା ସ୍ୱାର୍ଥରେ

ଜୁନାଗଡ - ଜୁନାଗଡ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରେ ହେଉଥିବା ରାସ୍ତା,ଗୃହ ନିର୍ମାଣ ବିନା ସୂଚନା ଫଳକରେ କାର୍ଯ୍ୟ କରାଯିବାର ଜନସାଧାରଣ ଅଭିଯୋଗ କହିଛନ୍ତି। ଚର୍ଚ୍ଚା ହେଉଛି କେଉଁ ସରକାରୀ ବାବୁ ଙ୍କ କେତେ ଭାଗ ମାପ ଅଛି ଓ ଅର୍ଥ ଆତ୍ମସାତ କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ପରି ଜଣାପଡୁଛି । ରକ୍ଷକ ଯଦି ଭକ୍ଷକ ହେବ ଶବ କି ପାଇବା ପ୍ରାଣ ଏହି ଢଗ ସମ୍ପୂର୍ଣ୍ଣ ଭାବରେ ଏହି ବ୍ଲକ୍ ରେ ଅକ୍ଷର ଅକ୍ଷର ପାଳନ ହେଉଛି। ନିକଟ ଅତୀତରେ ଯେଉଁ ସବୁ କାମ ହେଇଛି ତାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସବୁ ସତ ସାମ୍ନା କୁ ଆସିବ ବୋଲି ଚର୍ଚା ଜୋର ଧରିଛି। ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Kalahandi (କଳାହାଣ୍ଡି) • ରିପୋର୍ଟ : ଦେବରାଜ ବାଣୁଆ, ଜୁନାଗଡ଼

କଂଗ୍ରେସ ଓ ରାଇଚରଣ ମହାନ୍ତି
Jul 13, 2026•85 views

କଂଗ୍ରେସ ଓ ରାଇଚରଣ ମହାନ୍ତି

ସୁକିନ୍ଦା ରେ କଂଗ୍ରେସ ର ଦକ୍ଷ ନେତା ଭାବେ ନିଜକୁ ପ୍ରମାଣିତ କରିଥିବା ରାଇଚରଣ ମହାନ୍ତି ବୁର୍ଲା ଛାତ୍ର ଆନ୍ଦୋଳନ ରୁ ନିଜ ରାଜନୈତିକ ଯାତ୍ରା ୧୯୮୩ ମସିହା ରୁ ଆରମ୍ଭ କରନ୍ତି । ଛାତ୍ର ସମୟରେ ବ୍ୟାସନଗର କଲେଜ୍ ରୁ ଦୁଇ ଦୁଇ ଥର ନିର୍ବାଚନ ଲଢିବା ପରେ ୧୯୯୫ ରେ ଆନୁଷ୍ଠାନିକ ଭାବେ ଜିଲ୍ଲା ଯୁବ କଂଗ୍ରେସ ର ସାଧାରଣ ସମ୍ପାଦକ ଭାବେ ନିଜ ଯାତ୍ରା ଆରମ୍ଭ କରି ଅଦ୍ୟାବଧି ୨୦୨୩ ଠାରୁ ରାଜ୍ୟ ସମ୍ପାଦକ ଭାବେ କଂଗ୍ରେସ ଦଳ ସାଙ୍ଗରେ ଠିଆ ହୋଇଥିବା ହାତ ଗଣତି ନେତୃବୃନ୍ଦ ମାନଙ୍କ ମଧ୍ୟରେ ଅନ୍ୟତମ । ସୁକିନ୍ଦା ରୁ ଦୁଇ ଦୁଇ ଥର ବିଧାୟକ ତଥା ମନ୍ତ୍ରୀ ହୋଇଥିବା ଶ୍ରୀ ଶରତ ରାଉତ ଙ୍କ ଏକାନ୍ତ ଅନୁଗତ ଭାବେ ଦୀର୍ଘ ବର୍ଷ ଧରି ସୁଚାରୁ ରୂପେ ନିଜ ଦାୟିତ୍ଵ ତୁଲାଇଥିଲେ ମଧ୍ୟ ଗତ ସାଧାରଣ ନିର୍ବାଚନ ରେ ବିଧାୟକ ଟିକେଟ ହାତେଇବାରେ ଅସମର୍ଥ ହୋଇଥିଲେ ରାଇଚରଣ । ସ୍ପଷ୍ଟ ଭାବରେ ନିଜ ମତ ରଖୁଥିବା ରାଇଚରଣ ଙ୍କ ଜୀବନ ଶୈଳୀ ଅତ୍ୟନ୍ତ ସରଳ । ଘର ର ବଡ ପୁଅ ହୋଇଥିବା ସତ୍ତ୍ବେ ନିଜ ଯୌବନ କୁ କଂଗ୍ରେସ ଦଳକୁ ଦେଇ କେବଳ ନାମକୁ ମାତ୍ର ଦଳୀୟ ପଦବୀ ଟିଏ ହାତେଇ ବାରେ ସକ୍ଷମ ହୋଇଛନ୍ତି। ଏକଥା ରେ ଅନେକ ବିଶ୍ୱାସ ରହିଛି ଯେ କିଛି ସରଳ ଓ ନିଃସ୍ଵାର୍ଥପର ଲୋକଙ୍କ ପାଇଁ କଂଗ୍ରେସ ଦଳ ଆଜି ବି ନିଜ ସତ୍ତା ହରାଇନି। ତେବେ ମୁଁ ଭାବେ ରାଇଚରଣ ଜଣେ ଭଲ ନେତା ହୋଇ ସୁଦ୍ଧା ଏଯାଏଁ ଦଳ ନବଦଳେଇ ବୋଧ ହୁଏ ଠିକ୍ କରିଛନ୍ତି । ତେବେ ସୁକିନ୍ଦାର ସମସ୍ତ ଅସୁବିଧା ତଥା ସମସ୍ୟା ବିଷୟରେ ଆଲୋଚନା ହେଲେ ଦଳ ମତ ନିର୍ବିଶେଷରେ ତାଙ୍କ ସଦୟ ଉପସ୍ଥିତି ତାଙ୍କୁ ଭବିଷ୍ୟତ ରେ ଆହୁରି ଆଗକୁ ନେବ ।

Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ, ଦାନଗଦୀ କଳିଂଗନଗର

ଜୟମଙ୍ଗଳ ଶିଳ୍ପାଞ୍ଚଳରେ ମାଲାନି  ଫୋନସ କମ୍ପାନୀ ର କାର୍ଯ୍ୟରତ ଶ୍ରମିକମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି
Jul 13, 2026•55 views

ଜୟମଙ୍ଗଳ ଶିଳ୍ପାଞ୍ଚଳରେ ମାଲାନି ଫୋନସ କମ୍ପାନୀ ର କାର୍ଯ୍ୟରତ ଶ୍ରମିକମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି

ଖୋର୍ଦ୍ଧା ଜିଲ୍ଲା ଜୟମଙ୍ଗଳ ଶିଳ୍ପାଞ୍ଚଳରେ ଅବସ୍ଥିତ ମାଲାନି ଫୋମସ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ, ସେମାନଙ୍କ ପ୍ରତି ଅମାନବିକ ବ୍ୟବହାର କରାଯିବା ସହ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦିଆଯାଉଛି। ବାରମ୍ବାର ଦାବି ଉପସ୍ଥାପନ କରିଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ କୌଣସି ସକାରାତ୍ମକ ପଦକ୍ଷେପ ନେଇନଥିବାରୁ ବାଧ୍ୟ ହୋଇ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଛନ୍ତି ଶ୍ରମିକମାନେ। ଧାରଣା ସମୟରେ ଶ୍ରମିକମାନେ ନିଜ ଦାବି ପୂରଣ ସହ ଶ୍ରମିକଙ୍କ ପ୍ରତି ହେଉଥିବା ଅନ୍ୟାୟ ବନ୍ଦ କରିବାକୁ ଦାବି କରିଛନ୍ତି। ଏପଟେ ଏହି ଅଭିଯୋଗ ଉପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଅଧିକ ଜୋରଦାର କରାଯିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।

Khordha (ଖୋର୍ଦ୍ଧା) • ରିପୋର୍ଟ - ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଜଟଣୀ ଶିବମନ୍ଦିର ନିକଟରେ  ମଦ ଦୋକାନକୁ ବିରୋଧ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ  ଦାବିପତ୍ର
Jul 13, 2026•38 views

ଜଟଣୀ ଶିବମନ୍ଦିର ନିକଟରେ ମଦ ଦୋକାନକୁ ବିରୋଧ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ଖୋର୍ଦ୍ଧା: ସୀତାରାମ ଶିବମନ୍ଦିର ନିକଟରେ ଚାଲୁଥିବା ମଦ ଦୋକାନକୁ ବନ୍ଦ କରିବା ଦାବିରେ ସ୍ଥାନୀୟ ବାସିନ୍ଦା ଓ ଭକ୍ତମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ, ମନ୍ଦିର ନିକଟରେ ମଦ ଦୋକାନ ଥିବାରୁ ଧାର୍ମିକ ପରିବେଶ ବ୍ୟାହତ ହେଉଛି। ଏଥିସହ ମହିଳା, ଶିଶୁ ଓ ଶ୍ରଦ୍ଧାଳୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦର୍ଶାଯାଇଛି। ଅଭିଯୋଗକାରୀମାନେ ପ୍ରଶାସନକୁ ଶୀଘ୍ର ହସ୍ତକ୍ଷେପ କରି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କିମ୍ବା ବନ୍ଦ କରିବା ପାଇଁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ସାନପଦର ଗ୍ରାମର ସୁଯୋଗ୍ୟ ସନ୍ତାନ ସଂଗ୍ରାମୀ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କ ୧୧୧ତମ ଜନ୍ମଜୟନ୍ତୀ
Jul 13, 2026•62 views

ସାନପଦର ଗ୍ରାମର ସୁଯୋଗ୍ୟ ସନ୍ତାନ ସଂଗ୍ରାମୀ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କ ୧୧୧ତମ ଜନ୍ମଜୟନ୍ତୀ

ଖୋର୍ଦ୍ଧ-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର କବିତୀର୍ଥ ସାନପଦର ଗ୍ରାମର ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ କୃଷକନେତା, ଚାରିଥରର ବିଧାୟକ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କ ୧୧୧ତମ ଜନ୍ମଜୟନ୍ତୀ ଭକ୍ତଚରଣ ସ୍ମୃତି ସଦନରେ ଶ୍ରଦ୍ଧା ଓ ଗାମ୍ଭୀର୍ଯ୍ୟର ସହ ପାଳନ କରାଯାଇଛି। ଶ୍ରୀକାନ୍ତ କୁମାର ନାୟକଙ୍କ ସଭାପତିତ୍ୱ ଏବଂ ସମାଜସେବୀ ଅଜୟ ମଙ୍ଗରାଜଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଗଙ୍ଗାଧର ପାଇକରାୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାଗ ନେଇ କାରାବରଣ କରିଥିଲେ। ତାଙ୍କର ଦେଶପ୍ରେମ ଓ ଜନସେବା ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଜଟଣୀ ବ୍ଲକ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର କହିଥିଲେ, ଗଙ୍ଗାଧର ପାଇକରାୟ କେବଳ ବେଗୁନିଆ-ବୋଲଗଡ଼ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଜଣେ ଆଦର୍ଶ ବିଧାୟକ ଥିଲେ। ତାଙ୍କର ସମଗ୍ର ଜୀବନ ଗରିବ, ଚାଷୀ ଓ ଖଟିଖିଆ ମେହେନତି ଲୋକଙ୍କ ସେବା ପାଇଁ ସମର୍ପିତ ଥିଲା। କାର୍ଯ୍ୟକ୍ରମରେ ଦୁର୍ଗାପ୍ରସାଦ ସୁବୁଦ୍ଧି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅର୍ଜୁନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ତ୍ରିଲୋଚନ ମହାନ୍ତି, ସୁକାନ୍ତ କୁମାର ଜେନା, ସୁସ୍ମିକାନ୍ତ ନାୟକ, ବିଜୟ କୁମାର ଗୁମାନସିଂହ, ଅନୁପମା ବଳିଆର ସିଂହ, ଦେବୀପ୍ରସାଦ ସିଂହ ଓ ଅଜୟ କୁମାର ଦଳବେହେରା ପ୍ରମୁଖ ଗଙ୍ଗାଧର ପାଇକରାୟଙ୍କ ନିର୍ଭୀକତା, ନୀତି-ଆଦର୍ଶ ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଶେଷରେ ଗ୍ରାମ କମିଟି ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ବେଗୁନିଆ, ବୋଲଗଡ଼, ରାସୋଳ, ଚମ୍ପାଇଲ, ପିଚୁକୁଳି, ବାୟାପଲ୍ଲୀ ଓ ସାନପଦର ସମେତ ବିଭିନ୍ନ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଏହି ଜନ୍ମଜୟନ୍ତୀ ସମାରୋହରେ ଯୋଗଦେଇ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଶୁଦୁପୁରରେ  ଘଟିଥିବା ହତ୍ୟକାଣ୍ଡର ଜଟଣୀ ପୁଲିସ୍ କରିଛି ପର୍ଦ୍ଦାଫାଶ
Jul 13, 2026•85 views

ଶୁଦୁପୁରରେ ଘଟିଥିବା ହତ୍ୟକାଣ୍ଡର ଜଟଣୀ ପୁଲିସ୍ କରିଛି ପର୍ଦ୍ଦାଫାଶ

ଖୋର୍ଦ୍ଧା-ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁରରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ମାମଲାରେ ଅଭିଯୁକ୍ତ ମହେଶ୍ୱର ହରିଚନ୍ଦନଙ୍କୁ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁସାରେ, ମୃତକ ମାର୍କଣ୍ଡ ବଳିୟାରସିଂ ବାରମ୍ବାର ମଦ୍ୟପାନ ପାଇଁ ମହେଶ୍ୱରଙ୍କୁ ଟଙ୍କା ମାଗୁଥିଲେ। ମଦ୍ୟପାନ କରି ଗାଳିଗୁଲଜ ଓ ଅଶାନ୍ତି ସୃଷ୍ଟି କରୁଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ମହେଶ୍ୱରଙ୍କ ଘର ସମ୍ମୁଖରେ ମାର୍କଣ୍ଡ ପୁଣି ଗାଳିଗୁଲଜ କରିଥିଲେ। ଏହାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ହୋଇ ମହେଶ୍ୱର ଏକ ପରିବା କଟା ଛୁରୀରେ ମାର୍କଣ୍ଡଙ୍କ ପେଟ ଓ ଛାତିର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ମାର୍କଣ୍ଡଙ୍କ ମୃତ୍ୟୁ ଘଟିଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଭଦ୍ରକ ଜିଲ୍ଲା ପୋଲିସ ସଂଘ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ, ସଭାପତି ଭାବେ ଖଗେନ୍ଦ୍ରନାଥ ଦାସ ନିର୍ବାଚିତ
Jul 13, 2026•29 views

ଭଦ୍ରକ ଜିଲ୍ଲା ପୋଲିସ ସଂଘ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ, ସଭାପତି ଭାବେ ଖଗେନ୍ଦ୍ରନାଥ ଦାସ ନିର୍ବାଚିତ

ଭଦ୍ରକ: ଭଦ୍ରକ ଜିଲ୍ଲା ପୋଲିସ ସଂଘର ବହୁ ପ୍ରତୀକ୍ଷିତ ନିର୍ବାଚନ ସମ୍ପୂର୍ଣ୍ଣ ଶାନ୍ତି, ଶୃଙ୍ଖଳା ଏବଂ ସୌହାର୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ସଫଳତାର ସହିତ ସମାପ୍ତ ହୋଇଛି। ଜିଲ୍ଲାର ବିଭିନ୍ନ ଥାନା ଓ ପୋଲିସ କାର୍ଯ୍ୟାଳୟରୁ ଆସିଥିବା ସଦସ୍ୟମାନେ ଗଣତାନ୍ତ୍ରିକ ପରମ୍ପରାକୁ ସମ୍ମାନ ଜଣାଇ ଉତ୍ସାହର ସହିତ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଭୋଟ ଗ୍ରହଣ ଶେଷ ହେବା ପରେ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ଭୋଟ ଗଣତି କରାଯାଇଥିଲା। ସମସ୍ତ ପ୍ରକ୍ରିୟା ଶେଷ ପରେ ନିର୍ବାଚନର ଫଳାଫଳ ଘୋଷଣା କରିଥିଲେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅଂଶୁମାନ ଦିବେଦୀ। ଫଳାଫଳ ଘୋଷଣା ପରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ଏହି ନିର୍ବାଚନରେ ସଭାପତି ପଦବୀ ପାଇଁ ପ୍ରାର୍ଥୀ ଥିବା ଖଗେନ୍ଦ୍ରନାଥ ଦାସ ବିଜୟୀ ହୋଇ ଭଦ୍ରକ ଜିଲ୍ଲା ପୋଲିସ ସଂଘର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିଜୟ ଖବର ପ୍ରକାଶ ପାଇବା ମାତ୍ରେ ସହକର୍ମୀମାନଙ୍କ ମଧ୍ୟରେ ଉଲ୍ଲାସ ଦେଖିବାକୁ ମିଳିଥିଲା। ଅନେକ ସଦସ୍ୟ ତାଙ୍କୁ ଫୁଲତୋଡ଼ା ପ୍ରଦାନ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ବିଜୟ ପରେ ନବନିର୍ବାଚିତ ସଭାପତି ଖଗେନ୍ଦ୍ରନାଥ ଦାସ ସମସ୍ତ ସହକର୍ମୀ ଭାଇ ଓ ଭଉଣୀମାନଙ୍କୁ ହୃଦୟର ଗଭୀରତାରୁ କୃତଜ୍ଞତା ଜଣାଇ କହିଥିଲେ ଯେ, “ଆପଣମାନେ ମୋ ପ୍ରତି ଯେଉଁ ଅଗାଧ ଭରସା ଓ ବିଶ୍ୱାସ ପ୍ରକାଶ କରିଛନ୍ତି, ତାହା ମୋ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଆପଣମାନଙ୍କ ଭଲପାଇବା, ସମର୍ଥନ ଓ ଆସ୍ଥା ମୋତେ ଏହି ଦାୟିତ୍ୱ ଗ୍ରହଣ କରିବାକୁ ଅଧିକ ପ୍ରେରଣା ଦେଇଛି।ସେ ଆହୁରି କହିଥିଲେ, “ମୋ ଉପରେ ଅର୍ପଣ କରାଯାଇଥିବା ଏହି ମହାନ ଦାୟିତ୍ୱକୁ ମୁଁ ସମ୍ପୂର୍ଣ୍ଣ ନିଷ୍ଠା, ସତତା, ସ୍ୱଚ୍ଛତା ଓ ଦାୟିତ୍ୱବୋଧ ସହ ପାଳନ କରିବାକୁ ଦୃଢ଼ ପ୍ରତିଜ୍ଞାବଦ୍ଧ। ସଂଘର ପ୍ରତ୍ୟେକ ସଦସ୍ୟଙ୍କ ହିତକୁ ସର୍ବାଗ୍ରେ ରଖି କାର୍ଯ୍ୟ କରିବି। କୌଣସି ସହକର୍ମୀଙ୍କ ସମସ୍ୟା କିମ୍ବା ଅସୁବିଧାକୁ ଅଣଦେଖା କରାଯିବ ନାହିଁ। ସମସ୍ତଙ୍କ ସହଯୋଗରେ ସଂଘକୁ ଆହୁରି ସୁଦୃଢ଼, ସକ୍ରିୟ ଓ କଲ୍ୟାଣମୂଳକ ସଂଗଠନ ଭାବେ ଗଢ଼ି ତୋଳିବା ପାଇଁ ଆମେ ସମସ୍ତେ ମିଶି କାମ କରିବୁ।ସେ ସମସ୍ତ ସହକର୍ମୀଙ୍କ ନିକଟରୁ ଆଗାମୀ ଦିନରେ ମଧ୍ୟ ସମାନ ସହଯୋଗ, ମାର୍ଗଦର୍ଶନ, ପରାମର୍ଶ ଏବଂ ଆଶୀର୍ବାଦ କାମନା କରିଥିଲେ। ଏହା ସହିତ ସେ ସ୍ପଷ୍ଟ କରିଥିଲେ ଯେ, ସଂଘର ଏକତା, ଶୃଙ୍ଖଳା ଏବଂ ପାରସ୍ପରିକ ସମ୍ମାନକୁ ସର୍ବଦା ପ୍ରାଧାନ୍ୟ ଦିଆଯିବ ଏବଂ ପ୍ରତ୍ୟେକ ସଦସ୍ୟଙ୍କ ନ୍ୟାୟସଙ୍ଗତ ସ୍ୱାର୍ଥ ରକ୍ଷା ପାଇଁ ସଂଘ ସଦା ପ୍ରତିବଦ୍ଧ ରହିବ।ଏହି ନିର୍ବାଚନ କେବଳ ଏକ ପଦବୀ ପାଇଁ ପ୍ରତିଯୋଗିତା ନୁହେଁ, ବରଂ ଭଦ୍ରକ ଜିଲ୍ଲା ପୋଲିସ ପରିବାରର ଏକତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍ପରିକ ସହଯୋଗର ଏକ ସୁନ୍ଦର ଉଦାହରଣ ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ନବନିର୍ବାଚିତ କାର୍ଯ୍ୟକାରିଣୀଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ପୋଲିସ ସଂଘ ଆଗାମୀ ଦିନରେ ସଦସ୍ୟମାନଙ୍କ କଲ୍ୟାଣ, ସଂଗଠନର ସୁଦୃଢ଼ୀକରଣ ଏବଂ ସମସ୍ତଙ୍କ ମଙ୍ଗଳ ପାଇଁ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ ପାଇଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ପୁରୀ ରଥଯାତ୍ରା ପାଇଁ ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ମେୟରଙ୍କ ଆହ୍ୱାନ: ବାହାରୁ ଆସୁଥିବା ଭକ୍ତଙ୍କ ସେବା ଓ ସହଯୋଗ ପାଇଁ ଜନସାଧାରଣଙ୍କୁ ଅନୁରୋଧ
Jul 13, 2026•81 views

ପୁରୀ ରଥଯାତ୍ରା ପାଇଁ ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ମେୟରଙ୍କ ଆହ୍ୱାନ: ବାହାରୁ ଆସୁଥିବା ଭକ୍ତଙ୍କ ସେବା ଓ ସହଯୋଗ ପାଇଁ ଜନସାଧାରଣଙ୍କୁ ଅନୁରୋଧ

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ, ନିର୍ମଳ ଓ ସୁନ୍ଦର କରି ରଖିବା ସହିତ ଦେଶବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ସବୁ ପ୍ରକାର ସେବା ଏବଂ ସହଯୋଗ ଯୋଗାଇ ଦେବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ମେୟର ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ବିଏମସି ପକ୍ଷରୁ ଆୟୋଜିତ ଏକ ସ୍ୱଚ୍ଛତା ସଚେତନତା ଶିବିରରେ ଯୋଗଦେଇ ମେୟର ଏହି ବିଶେଷ ଅନୁରୋଧ କରିଛନ୍ତି। ​ମେୟର ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି ଯେ, ରଥଯାତ୍ରା ସମୟରେ ରାଜଧାନୀ ଦେଇ ଅସଂଖ୍ୟ ଭକ୍ତଙ୍କ ଆଗମନ ହୋଇଥାଏ। ଏହି ପରିପ୍ରେକ୍ଷୀରେ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। "ସ୍ୱଚ୍ଛତା ଆପଣାନ୍ତୁ, ରୋଗ ହଟାନ୍ତୁ" ବାର୍ତ୍ତାକୁ ପାଥେୟ କରି ସହରର ପ୍ରତ୍ୟେକ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ​ରାଜଧାନୀକୁ ଆସୁଥିବା ସମସ୍ତ ଅତିଥି ଏବଂ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ସେବା ପ୍ରଦାନ କରି ଓଡ଼ିଶାର ଅତିଥି ସତ୍କାର ପରମ୍ପରାକୁ ବଜାୟ ରଖିବାକୁ ମେୟର ସହରବାସୀଙ୍କୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଏମସିର ବହୁ ବରିଷ୍ଠ ଅଧିକାରୀ, କର୍ପୋରେଟର ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଜନସାଧାରଣଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: ଅନଙ୍ଗ ପ୍ରସାଦ ଦାସ, ଭୁବନେଶ୍ୱର

ଜନସଂଖ୍ୟା ନିୟନ୍ତ୍ରଣ ଓ ସମାନ ନାଗରିକ ସଂହିତା ଲାଗୁ ଦାବି: ଖୋର୍ଦ୍ଧା ADMଙ୍କୁ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ସ୍ମାରକପତ୍ର
Jul 13, 2026•181 views

ଜନସଂଖ୍ୟା ନିୟନ୍ତ୍ରଣ ଓ ସମାନ ନାଗରିକ ସଂହିତା ଲାଗୁ ଦାବି: ଖୋର୍ଦ୍ଧା ADMଙ୍କୁ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ସ୍ମାରକପତ୍ର

ଦେଶରେ ବଢୁଥିବା ଜନସଂଖ୍ୟା ଉପରେ ରୋକ୍ ଲଗାଇବା, ସମାନ ନାଗରିକ ସଂହିତା (UCC) କାର୍ଯ୍ୟକାରୀ କରିବା ଏବଂ ଓ୍ବାକଫ୍ ବୋର୍ଡକୁ ଉଚ୍ଛେଦ କରିବା ଦାବିରେ ଆଜି ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଫ୍ରଣ୍ଟର ସଦସ୍ୟମାନେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ (ADM)ଙ୍କୁ ଭେଟି ଏହି ଦାବିପତ୍ର ହସ୍ତାନ୍ତର କରିଛନ୍ତି। ​ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ସମ୍ବିଧାନର ଧାରା ୪୪ କୁ ସମ୍ମାନ ଜଣାଇ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ତଥା ଦୁଇ ସନ୍ତାନ ନୀତି (Two-Child Policy) ତୁରନ୍ତ ଲାଗୁ କରାଯିବା ଆବଶ୍ୟକ। ଦେଶର ସୀମିତ ସମ୍ବଳ ତୁଳନାରେ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ଯୋଗୁଁ ଭବିଷ୍ୟତରେ ଖାଦ୍ୟ, ପାନୀୟ ଜଳ, ବାସଗୃହ ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗମ୍ଭୀର ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ସହିତ ଦେଶର ଧର୍ମନିରପେକ୍ଷତା ଓ ସୁରକ୍ଷା ପ୍ରତି ଆସୁଥିବା ବିପଦକୁ ଏଡ଼ାଇବା ପାଇଁ ଓ୍ବାକଫ୍ ବୋର୍ଡକୁ ଉଚ୍ଛେଦ କରିବାକୁ ସଂଗଠନ ପକ୍ଷରୁ ଜୋରଦାର ଦାବି କରାଯାଇଛି। ​ଓଡ଼ିଶା ସରକାର ମଧ୍ୟ ପ୍ରାଦେଶିକ ସ୍ତରରେ ଏହି ନିୟମକୁ କଡ଼ାକଡ଼ି କରିବା ସହ ଦୁଇ ସନ୍ତାନ ନୀତି ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ ବ୍ୟବସ୍ଥା ଗ୍ରହଣ କରିବାକୁ ଫ୍ରଣ୍ଟ ଅନୁରୋଧ କରିଛି। ଯଦି ଏହି ଦାବିଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ସାମାଜିକ ଓ ଅର୍ଥନୈତିକ ସନ୍ତୁଳନ ବିଗିଡ଼ିଯିବ ବୋଲି ସଦସ୍ୟମାନେ ଆଶଙ୍କା ପ୍ରକାଶ କରିଛନ୍ତି। ​ଏହି ସ୍ମାରକପତ୍ର ପ୍ରଦାନ ସମୟରେ ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟର ଖୋର୍ଦ୍ଧା ଜିଲ୍ଲାର ସଭାପତି ଶ୍ରୀ ଯୁକ୍ତ ଜୟ କୃଷ୍ଣ ପରିଡ଼ା, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରଯୁକ୍ତ ଗଦାଧର ପାତ୍ର ଙ୍କ ସମେତ ଜିଲ୍ଲା ର ବହୁ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

Bhubaneswar (ଭୁବନେଶ୍ୱର) • ​ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ଆଧୁନିକ କୃଷିରେ ସଫଳତାର ନୂଆ ଦୃଷ୍ଟାନ୍ତ: ରତ୍ନାପ୍ରଭା ମଟଗଜସିଂହ
Jul 13, 2026•35 views

ଆଧୁନିକ କୃଷିରେ ସଫଳତାର ନୂଆ ଦୃଷ୍ଟାନ୍ତ: ରତ୍ନାପ୍ରଭା ମଟଗଜସିଂହ

ରଣପୁର, ପ୍ରତିନିଧି: ରଣପୁର ବ୍ଲକ ଅନ୍ତର୍ଗତ କାସନ୍ଦା ପଞ୍ଚାୟତର ଜାମୁସାହି ଗ୍ରାମର ଶ୍ରୀମତୀ ରତ୍ନାପ୍ରଭା ମଟଗଜସିଂହ ଆଧୁନିକ କୃଷି ଓ ପଶୁପାଳନ କ୍ଷେତ୍ରରେ ସଫଳତା ହାସଲ କରି ଅଞ୍ଚଳର ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଧଳା ଘୁଷୁରୀ ପାଳନ, କୁକୁଡ଼ା ପାଳନ, କଦଳୀ ଚାଷ ସହ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ସେ ଆର୍ଥିକ ସ୍ୱାବଲମ୍ବନର ଏକ ସଫଳ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ସାନପୁଅ ଅମୀୟ ମଟଗଜସିଂହ କୃଷି କାର୍ଯ୍ୟର ସମସ୍ତ ପରିଚାଳନା ଦାୟିତ୍ୱ ତୁଲାଇବା ସହ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି। ସେମାନଙ୍କ ପାଖରେ ଟ୍ରାକ୍ଟର, ପାୱାର ଟିଲର, ଧାନ ରୁଆ ମେସିନ, ରିପର ସମେତ ବିଭିନ୍ନ କୃଷି ଯନ୍ତ୍ରପାତି ରହିଥିବାରୁ ଚାଷ କାର୍ଯ୍ୟ ଅଧିକ ସହଜ ଓ ଲାଭଜନକ ହୋଇପାରିଛି। ଆଧୁନିକ କୃଷି ପଦ୍ଧତି ଓ କଠିନ ପରିଶ୍ରମ ବଳରେ ରତ୍ନାପ୍ରଭା ମଟଗଜସିଂହଙ୍କ ପରିବାର ଆଜି ରଣପୁର ଅଞ୍ଚଳରେ ଜଣେ ସଫଳ ଚାଷୀ ପରିବାର ଭାବେ ପରିଚିତ। ସେମାନଙ୍କ ଏହି ସଫଳତା ଅନ୍ୟ ଚାଷୀଙ୍କୁ ଆଧୁନିକ କୃଷି ଆପଣେଇବା ପାଇଁ ଉତ୍ସାହିତ କରୁଛି।

Nayagarh (ନୟାଗଡ଼) • ରିପୋର୍ଟ : ନିରଞ୍ଜନ ମହାପାତ୍ର, ରଣପୁର

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ଏବଂ ପ୍ରାଚୀନ ପାଲୁର ବନ୍ଦରର ପୁନରୁଦ୍ଧାର ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଜଣାଇଲେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ
Jul 13, 2026•49 views

ବ୍ରହ୍ମପୁରରେ ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ଏବଂ ପ୍ରାଚୀନ ପାଲୁର ବନ୍ଦରର ପୁନରୁଦ୍ଧାର ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଜଣାଇଲେ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ତଥା ଦକ୍ଷିଣ ଓଡ଼ିଶାର ଶିଳ୍ପ ଓ ସାଂସ୍କୃତିକ ପ୍ରଗତିକୁ ଆହୁରି ବେଗବାନ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ନେଇଛନ୍ତି ମାନ୍ୟବର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ବୈଠକରେ ଉପସ୍ଥାପିତ ହୋଇଥିବା ପ୍ରସ୍ତାବ ଆଧାରରେ, ସେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କୁ ବ୍ରହ୍ମପୁରଠାରେ ଏକ ଆଧୁନିକ ଜାହାଜ ନିର୍ମାଣ କାରଖାନା (Shipbuilding Unit) ପ୍ରତିଷ୍ଠା ଏବଂ ଐତିହାସିକ ପାଲୁର ବନ୍ଦରର ବିକାଶ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ​ଏହି ଅବସରରେ ସାଂସଦ ଡ. ପାଣିଗ୍ରାହୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ‘ମେରିଟାଇମ୍ ଅମୃତ କାଳ ଭିଜନ ୨୦୪୭’ ଓ ଓଡ଼ିଶାରେ ଚାଲିଥିବା ସାଗରମାଳା ପ୍ରକଳ୍ପର ସଫଳତା ପାଇଁ କେନ୍ଦ୍ର ମନ୍ତ୍ରୀଦ୍ୱୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣଠାରେ ୨୧,୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସାଟେଲାଇଟ ମେଜର ପୋର୍ଟ ଏବଂ ଛତ୍ରପୁର ନିକଟରେ ୨,୧୦୦ କୋଟି ଟଙ୍କାର ଟାଇଟାନିୟମ୍ ପ୍ରକଳ୍ପ ପାଇଁ ସେ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଅଞ୍ଚଳର ଅଧିକ ପ୍ରଗତି ପାଇଁ ଦୁଇଟି ପ୍ରମୁଖ ଦାବି ଉପସ୍ଥାପନ କରିଛନ୍ତି: ​୧. ଆଧୁନିକ ଜାହାଜ ନିର୍ମାଣ କାରଖାନା (Shipbuilding Unit) ପ୍ରତିଷ୍ଠା: ଭାରତକୁ ବିଶ୍ୱର ଶୀର୍ଷ ୫ଟି ଜାହାଜ ନିର୍ମାଣକାରୀ ଦେଶ ମଧ୍ୟରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯେଉଁ ଲକ୍ଷ୍ୟ ରହିଛି, ସେଥିପାଇଁ ଗଞ୍ଜାମର ଉପକୂଳବର୍ତ୍ତୀ ଅଞ୍ଚଳ ସବୁଠାରୁ ଉପଯୁକ୍ତ ସ୍ଥାନ । ବାହୁଦା ବନ୍ଦରର ନିକଟବର୍ତ୍ତୀ ଅଞ୍ଚଳ ଏବଂ ଛତ୍ରପୁରର ରେୟାର ଆର୍ଥସ୍ (Rare Earths) ପ୍ଲାଣ୍ଟ ଭଳି ଶିଳ୍ପ ଭିତ୍ତିଭୂମି ଯୋଗୁଁ ଏଠାରେ ଜାହାଜ ନିର୍ମାଣ ପାଇଁ ଆବଶ୍ୟକୀୟ କଞ୍ଚାମାଲ ଏବଂ ସାମଗ୍ରୀ ସହଜରେ ଉପଲବ୍ଧ ହୋଇପାରିବ । ଏହି ପ୍ରକଳ୍ପ ଦ୍ୱାରା ଦକ୍ଷିଣ ଓଡ଼ିଶାର ହଜାର ହଜାର କୁଶଳୀ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ​୨. ପ୍ରାଚୀନ ପାଲୁର ବନ୍ଦରର ପୁନରୁଦ୍ଧାର: ଇତିହାସ ପ୍ରସିଦ୍ଧ ପାଲୁର ବନ୍ଦର (ପ୍ରାଚୀନ ପାଲୌରା) ଦିନେ କଳିଙ୍ଗର ନୌବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଥିଲା। ପ୍ରଧାନମନ୍ତ୍ରୀଙ୍କ ‘ବିକାଶ ଭି, ବିରାସତ ଭି’ ଭିଜନ ଅନୁଯାୟୀ, ଗୁଜରାଟର ଲୋଥାଲ ଭଳି ପାଲୁରଠାରେ ମଧ୍ୟ ଏକ ‘ରାଷ୍ଟ୍ରୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ’ (National Maritime Heritage Complex) ପ୍ରତିଷ୍ଠା କରାଯିବା ଉଚିତ, ଯାହା ଓଡ଼ିଶାର ଗୌରବମୟ ଇତିହାସକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବ ଏବଂ ପର୍ଯ୍ୟଟନର ବିକାଶ ଘଟାଇବ। ​ଯୁଗ୍ମ ବୈଷୟିକ ଟିମ୍‌କୁ ଓଡ଼ିଶା ଗସ୍ତ ପାଇଁ ନିମନ୍ତ୍ରଣ: ଏହି ସମସ୍ତ ପ୍ରସ୍ତାବର କ୍ଷେତ୍ର ପରିଦର୍ଶନ ଓ ବୈଷୟିକ ଅନୁଧ୍ୟାନ ପାଇଁ ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଉଭୟ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁର, ମନ୍ତ୍ରଣାଳୟର ସଚିବ (Secretary) ଏବଂ ଉଚ୍ଚସ୍ତରୀୟ ବୈଷୟିକ ଦଳ (Technical Team) କୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଗସ୍ତ କରିବା ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଛନ୍ତି । ଏହି ମେଗା ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଓଡ଼ିଶାର ସାମୁଦ୍ରିକ ଅର୍ଥନୀତି (Blue Economy) ରେ ଏକ ନୂତନ ବିପ୍ଳବ ଆସିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Ganjam (ଗଞ୍ଜାମ) • ​ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର