ସାନପଦର ଗ୍ରାମର ସୁଯୋଗ୍ୟ ସନ୍ତାନ ସଂଗ୍ରାମୀ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କ ୧୧୧ତମ ଜନ୍ମଜୟନ୍ତୀ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 13, 202666 views

ଖୋର୍ଦ୍ଧ-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର କବିତୀର୍ଥ ସାନପଦର ଗ୍ରାମର ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ କୃଷକନେତା, ଚାରିଥରର ବିଧାୟକ ଓ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କ ୧୧୧ତମ ଜନ୍ମଜୟନ୍ତୀ ଭକ୍ତଚରଣ ସ୍ମୃତି ସଦନରେ ଶ୍ରଦ୍ଧା ଓ ଗାମ୍ଭୀର୍ଯ୍ୟର ସହ ପାଳନ କରାଯାଇଛି।
ଶ୍ରୀକାନ୍ତ କୁମାର ନାୟକଙ୍କ ସଭାପତିତ୍ୱ ଏବଂ ସମାଜସେବୀ ଅଜୟ ମଙ୍ଗରାଜଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ବୋଲଗଡ଼ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଗଙ୍ଗାଧର ପାଇକରାୟ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ଭାଗ ନେଇ କାରାବରଣ କରିଥିଲେ। ତାଙ୍କର ଦେଶପ୍ରେମ ଓ ଜନସେବା ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଜଟଣୀ ବ୍ଲକ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର କହିଥିଲେ, ଗଙ୍ଗାଧର ପାଇକରାୟ କେବଳ ବେଗୁନିଆ-ବୋଲଗଡ଼ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଜଣେ ଆଦର୍ଶ ବିଧାୟକ ଥିଲେ। ତାଙ୍କର ସମଗ୍ର ଜୀବନ ଗରିବ, ଚାଷୀ ଓ ଖଟିଖିଆ ମେହେନତି ଲୋକଙ୍କ ସେବା ପାଇଁ ସମର୍ପିତ ଥିଲା।
କାର୍ଯ୍ୟକ୍ରମରେ ଦୁର୍ଗାପ୍ରସାଦ ସୁବୁଦ୍ଧି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅର୍ଜୁନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ତ୍ରିଲୋଚନ ମହାନ୍ତି, ସୁକାନ୍ତ କୁମାର ଜେନା, ସୁସ୍ମିକାନ୍ତ ନାୟକ, ବିଜୟ କୁମାର ଗୁମାନସିଂହ, ଅନୁପମା ବଳିଆର ସିଂହ, ଦେବୀପ୍ରସାଦ ସିଂହ ଓ ଅଜୟ କୁମାର ଦଳବେହେରା ପ୍ରମୁଖ ଗଙ୍ଗାଧର ପାଇକରାୟଙ୍କ ନିର୍ଭୀକତା, ନୀତି-ଆଦର୍ଶ ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।
ଶେଷରେ ଗ୍ରାମ କମିଟି ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ବେଗୁନିଆ, ବୋଲଗଡ଼, ରାସୋଳ, ଚମ୍ପାଇଲ, ପିଚୁକୁଳି, ବାୟାପଲ୍ଲୀ ଓ ସାନପଦର ସମେତ ବିଭିନ୍ନ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଏହି ଜନ୍ମଜୟନ୍ତୀ ସମାରୋହରେ ଯୋଗଦେଇ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
