Web News

ପାଠପଢ଼ା ପାଇଁ ସମାଜସେବୀଙ୍କ ସହାୟତା
ବାଲେଶ୍ଵର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଷାଫଳ ପଞ୍ଚାୟତର ଆଦିବାସୀ ଯୁବକ କୁଆଁରିଆ ବାସ୍କେଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସମାଜସେବୀ ତଥା ଯୁବନେତା ବିକ୍ରମ ପଣ୍ଡା। ଆଦିବାସୀ ଗରିବ ଯୁବକ କୁଆଁରିଆ ବାସ୍କେ ଭାରତର ଅନ୍ୟତମ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ବମ୍ବେ ଆଇଆଇଟିରେ ପଢ଼ିବା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ସେଥିପାଇଁ ଆଜି କଷାଫଳ ପଞ୍ଚାୟତରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିକ୍ରମ ପଣ୍ଡା ଯୋଗଦେଇ କୁଆଁରିଆଙ୍କ ନାମଲେଖା ପାଇଁ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ଅନୁଗୋଳ ପୋଲିସର 'ମୋବାଇଲ୍ ମେଳା 5.0' : ୨୧ ଲକ୍ଷ ଟଙ୍କାର ୧୦୫ ମୋବାଇଲ୍ ପ୍ରକୃତ ମାଲିକଙ୍କୁ ଫେରାଇଲା ପୋଲିସ
ଅନୁଗୋଳ: ଜନସାଧାରଣଙ୍କ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସମ୍ପତ୍ତିକୁ ପୁନରୁଦ୍ଧାର କରି ସେମାନଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଅନୁଗୋଳ ପୋଲିସ ପକ୍ଷରୁ 'ମୋବାଇଲ୍ ମେଳା 5.0' କାର୍ଯ୍ୟକ୍ରମ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି। ଏହି ଅବସରରେ ପ୍ରାୟ ୨୧ ଲକ୍ଷ ଟଙ୍କା ମୂଲ୍ୟର ୧୦୫ଟି ହଜିଯାଇଥିବା ଓ ଚୋରି ହୋଇଥିବା ସ୍ମାର୍ଟଫୋନ୍ ସେମାନଙ୍କର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଅନୁଗୋଳ ପୋଲିସ ଏପର୍ଯ୍ୟନ୍ତ ଆୟୋଜିତ ପାଞ୍ଚଟି 'ମୋବାଇଲ୍ ମେଳା' ମାଧ୍ୟମରେ ପ୍ରାୟ ୧.୩୦ କୋଟି ଟଙ୍କା ମୂଲ୍ୟର ୬୮୦ରୁ ଅଧିକ ମୋବାଇଲ୍ ଫୋନ୍ ସଫଳତାର ସହ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇବାରେ ସଫଳ ହୋଇଛି। ପୋଲିସ ଷ୍ଟେସନ ଏବଂ ଜିଲ୍ଲା ସାଇବର ସେଲର ମିଳିତ ପ୍ରୟାସରେ CEIR–ସଞ୍ଚାର ସାଥୀ ପୋର୍ଟାଲ୍ ଏବଂ ଜିଲ୍ଲା ପୋଲିସର ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ମାଧ୍ୟମରେ ପ୍ରାପ୍ତ ଅଭିଯୋଗକୁ ଆଧାର କରି ଏହି ମୋବାଇଲ୍ ଫୋନ୍ଗୁଡ଼ିକୁ ଟ୍ରାକ୍ କରାଯାଇ ଉଦ୍ଧାର କରାଯାଇଥିଲା। ଏହି ପଦକ୍ଷେପ ଅନୁଗୋଳ ପୋଲିସର ଜନସେବା ପ୍ରତି ଦୃଢ଼ ପ୍ରତିବଦ୍ଧତା ଏବଂ ଆଧୁନିକ ପ୍ରଯୁକ୍ତିର ସଫଳ ବ୍ୟବହାରର ଏକ ଉଲ୍ଲେଖନୀୟ ଉଦାହରଣ ବୋଲି ସାଧାରଣରେ ପ୍ରଶଂସା କରାଯାଉଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭୟାବହ ବସ୍ ଦୁର୍ଘଟଣା: ୨୪ ଆହତ, ୬ ଜଣଙ୍କ ଅବସ୍ଥା ଗୁରୁତର
ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ବୁରୁକୁନା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଭୟାବହ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁନ୍ଦରଗଡ଼ରୁ ପୁରୀ ଅଭିମୁଖେ ଯାଉଥିବା ବସ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାରେ ପଡ଼ିଥିବା ସୂଚନା ମିଳିଛି। ଦୁର୍ଘଟଣା ଖବର ପାଇ ସମଲ ଓ ଖମାର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ଏହି ଦୁର୍ଘଟଣାରେ ମୋଟ ୨୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନିଟ୍-୨୦୨୬ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ପଞ୍ଚାୟତର ଝଜିରିବାହାଳ ଗ୍ରାମର ପିତାମ୍ବର ପରିଡ଼ାଙ୍କ ସୁପୁତ୍ର ପ୍ରଭୁଦତ୍ତ ପରିଡ଼ା ଚଳିତ ବର୍ଷର ନିଟ୍ (NEET)-୨୦୨୬ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ୭୨୦ ନମ୍ବରରୁ ୬୨୧ ନମ୍ବର ଅର୍ଜନ କରି ବଅଁରପାଳ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପରେ ଆଜି ତାଙ୍କ ବାସଭବନରେ ପହଞ୍ଚିଛନ୍ତି ବଅଁରପାଳ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ସାହୁ ପ୍ରଭୁଦତ୍ତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଉପସ୍ଥିତ ବ୍ୟକ୍ତିବର୍ଗ ପ୍ରଭୁଦତ୍ତଙ୍କ ସଫଳତାକୁ ପ୍ରଶଂସା କରିବା ସହ ତାଙ୍କ ପରିଶ୍ରମ ଓ ଅଧ୍ୟବସାୟ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାଦାୟକ ବୋଲି ମତ ପ୍ରକାଶ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସଂସଦରେ ପାଳଲହଡା ରେଳ ଲାଇନ ପ୍ରସଙ୍ଗ ଉଠାଇଲେ ସାଂସଦ ରୁଦ୍ର ନାରାୟଣ ପାଣି
ତାଳଚେର: ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି ସଂସଦର ଚଳିତ ଅଧିବେଶନର ପ୍ରଥମ ଦିନ ନିୟମ–୩୭୭ ଅନୁଯାୟୀ ପାଳଲହଡା ଅଞ୍ଚଳର ଦୀର୍ଘଦିନର ରେଳ ସଂଯୋଗ ଦାବିକୁ ଉଠାଇଛନ୍ତି। ସେ ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପର କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ସହ ପାଳଲହଡା ରେଳ ଷ୍ଟେସନକୁ ସହର ନିକଟରେ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସାଂସଦ ଶ୍ରୀ ପାଣି କହିଛନ୍ତି ଯେ, ତାଳଚେର–ବିମଳାଗଡ଼ ରେଳ ଲାଇନର ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଖମାର ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଖମାରରୁ ପାଳଲହଡାର ଦୂରତା ମାତ୍ର ୨୩ କିଲୋମିଟର ଥିବାରୁ ଏହି ଅଂଶର କାର୍ଯ୍ୟକୁ ଆଉ ବିଳମ୍ବ ନକରି ତ୍ୱରାନ୍ୱିତ କରାଯିବା ଆବଶ୍ୟକ। ସେ ଆହୁରି କହିଛନ୍ତି ଯେ, ପାଳଲହଡା ଅନୁଗୋଳ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀର ମୁଖ୍ୟାଳୟ। ଏହା କେଉଁଝର ଓ ଦେବଗଡ଼ ଜିଲ୍ଲା ସହ ସଂଯୋଗର ଏକ ପ୍ରମୁଖ କେନ୍ଦ୍ର ହୋଇଥିବାରୁ ରେଳ ସଂଯୋଗ ଏଠାର ଆର୍ଥିକ, ସାମାଜିକ ଓ ଶିଳ୍ପ ବିକାଶରେ ବଡ଼ ଭୂମିକା ନେବ। ସାଂସଦ ଶ୍ରୀ ପାଣି ସଂସଦରେ ଏହା ମଧ୍ୟ ଦାବି କରିଛନ୍ତି ଯେ, ବର୍ତ୍ତମାନ ପ୍ରସ୍ତାବିତ ରେଳ ଷ୍ଟେସନ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ନିର୍ମାଣ କରିବାର ଯୋଜନା ରହିଛି। ଏହା ପରିବର୍ତ୍ତେ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାଳଲହଡା ସହର ନିକଟରେ ରେଳ ଷ୍ଟେସନ ସ୍ଥାପନ କରାଯାଉ ବୋଲି ସେ ଦୃଢ଼ ଦାବି ଜଣାଇଛନ୍ତି। ପାଳଲହଡା ଅଞ୍ଚଳର ବହୁଦିନର ରେଳ ସଂଯୋଗ ଦାବିକୁ ସଂସଦରେ ଉପସ୍ଥାପନ କରି ସାଂସଦ ରୁଦ୍ର ନାରାୟଣ ପାଣି କେନ୍ଦ୍ର ସରକାରଙ୍କୁ ରେଳ ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ସହ ଲୋକହିତକୁ ଗୁରୁତ୍ୱ ଦେଇ ଷ୍ଟେସନର ସ୍ଥାନ ନିର୍ଦ୍ଧାରଣ କରିବାକୁ ଅନୁରୋଧ କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଏକାଦଶାହ କର୍ମରେ କାନ୍ଥ ଭୂଷୁଡ଼ି ଜଣେ ମୃତ, ୫ ଗୁରୁତର
ତାଳଚେର; ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ପଂଚାୟତ ସଲୋଡ଼ା ଗ୍ରାମର ପୁରୁଷତୋମ ସାହୁଙ୍କ ଏକାଦଶ କର୍ମ ସମୟରେ ହଠାତ୍ ଘରର କାନ୍ଥ ଭୂଷୁଡ଼ି ପଡ଼ିବା ଯୋଗୁଁ କମଳଲୋଚନ ମହାପାତ୍ରଙ୍କ ଅକାଳ ବିୟୋଗ ଖବର ଅଂଚଳବାସୀଙ୍କୁ ମର୍ମାହତ କରିଛି । ଏହି ଦୁର୍ଘଟଣାରେ ୫ ଜଣ ମଧ୍ୟ ଗୁରୁତର ଆହାତ ହୋଇ ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏହି ଦୁଃଖ ଖବର ତାଳଚେର ଅଂଚଳରେ ପ୍ରଚାରତି ହେବାପରେ ଏକ ଶୋକରଛାୟା ଖେଳାଇ ଦେଇଛି । ସୂଚନାମୂତାବକ ଲଗାଣବର୍ଷା ଜନିତ ତାଳଚେର ଉପଖଣ୍ଡ ଅଂଚଳରେ ବର୍ଷାପାଣି ଜମିବା ଯୋଗୁଁ ଘର ଗୁଡ଼ିକର କାନ୍ଥମାନ ଦୁର୍ବଳ ହେବାସହ କିଛି କିଛି ସ୍ଥାନରେ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହେଉଛି ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

କଣିହାଁରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି: ୯୦ ଅଭିଯୋଗ ଗ୍ରହଣ, ୧୪ଟିର ତୁରନ୍ତ ସମାଧାନ
କଣିହାଁ: ଜିଲ୍ଲାପାଳ, ଅନୁଗୋଳ, ଆରକ୍ଷୀ ଅଧିକ୍ଷକ, ଅନୁଗୋଳ ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ କଣିହାଁ ବ୍ଲକ ମୁଖ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣିରେ ମୋଟ ୯୦ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ୧୪ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅବସରରେ ୪ ଜଣ ଅଭାବୀ ଓ ଦୁଃଖୀ ବ୍ୟକ୍ତିଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ମୋଟ ୨୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ଏଭଳି ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ୨ ପୃଥକ ମାମଲାରେ ୨ ଯୁବକ ଗିରଫ
ଅନୁଗୋଳ: ନାଲକୋ ନଗର ଥାନା ଅଞ୍ଚଳରେ ଦୁଇଟି ପୃଥକ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ, ନାଲକୋ ଥାନା କେସ୍ ନଂ. ୨୨୯/୨୬ରେ ବଲରାମପ୍ରସାଦ ଗ୍ରାମର ମହମ୍ମଦ ମୁସେଲି କୁରେସି (୧୯)ଙ୍କ ବିରୋଧରେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ ସମୟରେ ନାବାଳିକାଙ୍କ ଡାକ୍ତରୀ ପରୀକ୍ଷାରେ ଗର୍ଭପାତ ସମ୍ପର୍କିତ ସୂଚନା ମିଳିଥିବା ପୋଲିସ କହିଛି। ଏହାପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ନାଲକୋ ଥାନା କେସ୍ ନଂ. ୧୩୦/୨୬ରେ କଣ୍ଟା ବଣିଆ ଥାନା ଅନ୍ତର୍ଗତ ମାନ୍ୟବେଡ଼ା ଗ୍ରାମର ସ୍ମୃତିରଞ୍ଜନ ନାୟକ (୧୯)ଙ୍କ ବିରୋଧରେ ନାଲକୋ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରି ପରବର୍ତ୍ତୀ ସମୟରେ ତାଙ୍କ ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଦୁଇଟି ମାମଲାରେ ଆଇନ ଅନୁଯାୟୀ ପରବର୍ତ୍ତୀ ତଦନ୍ତ ଜାରି ରହିଥିବା ନାଲକୋ ନଗର ଥାନା ଅଧିକାରିଣୀ ନମିତା ନାୟକ ସୂଚନା ଦେଇଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରେଳୱେ ବ୍ରିଜ୍ରୁ ଖସି ବ୍ରାହ୍ମଣୀରେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର
ତାଳଚେର: କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଉପରେ ଥିବା ବିମଳାଗଡ଼ ରେଳୱେ ବ୍ରିଜ୍ରୁ ଖସିପଡ଼ି ନିଖୋଜ ହୋଇଥିବା ୧୫ ବର୍ଷୀୟ ନାବାଳକଙ୍କ ମୃତଦେହ ପ୍ରାୟ ୨୦ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ତାଳଚେର ଓ କଣିହାଁ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଚାଲିଥିବା ସନ୍ଧାନ ଅଭିଯାନରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏସ୍.ଓ.ଏଫ୍ (SOF) ଅଧିକାରୀ ନାରାୟଣ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ନିଖୋଜ ସ୍ଥାନଠାରୁ ପ୍ରାୟ ୧.୫ କିଲୋମିଟର ତଳମୁଣ୍ଡରୁ ମୃତଦେହଟି ଠାବ କରାଯାଇଥିଲା। ମୃତ ନାବାଳକ ଜଣକ ହେଲେ ସମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗ୍ରାମର ଯୁଧିଷ୍ଠିର ପ୍ରଧାନଙ୍କ ୧୫ ବର୍ଷୀୟ ପୁଅ ଶୁଭ୍ରାଂଶୁ ପ୍ରଧାନ। ଗତକାଲି ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ସେ ରେଳୱେ ବ୍ରିଜ୍ରୁ ଖସି ବ୍ରାହ୍ମଣୀ ନଦୀରେ ଭାସିଯାଇଥିଲେ। ଘଟଣା ପରେ ସମଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

NEET-2026ରେ ସଫଳତା: ଝଜିରିବାହାଳର ପ୍ରଭୁଦତ୍ତ ପରିଡ଼ାଙ୍କୁ ଯୁବ ବିଜେଡି ସଭାପତି ଅରୁଣାଭ ସିଂହଙ୍କ ଶୁଭେଚ୍ଛା
ବଅଁରପାଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ଝଜିରିବାହାଳ ଗ୍ରାମର ଶ୍ରୀ ପିତାମ୍ବର ପରିଡ଼ାଙ୍କ ସୁପୁତ୍ର ଶ୍ରୀ ପ୍ରଭୁଦତ୍ତ ପରିଡ଼ା ଚଳିତ ବର୍ଷ NEET-2026 ପରୀକ୍ଷାରେ ୬୨୧ ନମ୍ବର ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ଅବସରରେ ଅନୁଗୋଳ ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଅରୁଣାଭ ସିଂହ ପ୍ରଭୁଦତ୍ତଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ସେ ପ୍ରଭୁଦତ୍ତଙ୍କ ଉଜ୍ଜ୍ୱଳ ଓ ମଙ୍ଗଳମୟ ଭବିଷ୍ୟତ କାମନା କରିବା ସହ ଡାକ୍ତରୀ କ୍ଷେତ୍ରରେ ସେ ସଫଳତାର ଶିଖର ଛୁଇଁ ଅଞ୍ଚଳ ଓ ରାଜ୍ୟର ନାଁ ଉଜ୍ଜ୍ୱଳ କରନ୍ତୁ ବୋଲି ଆଶୀର୍ବାଦ ଓ ଶୁଭକାମନା ଜଣାଇଥିଲେ। ପ୍ରଭୁଦତ୍ତଙ୍କ ଏହି ସଫଳତାକୁ ନେଇ ପରିବାର, ସମ୍ପର୍କୀୟ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ସରୋଜ କାନ୍ତ ଜେନା

ଡଅଁରାରେ ନବନିର୍ମିତ କଲ୍ୟାଣ ମଣ୍ଡପ ଉଦଘାଟିତ, ଲୋକାର୍ପଣ କଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଡଅଁରା ଗ୍ରାମରେ ନବନିର୍ମିତ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରି ଏହାକୁ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ଏହି କଲ୍ୟାଣ ମଣ୍ଡପ ଅଞ୍ଚଳର ସାମାଜିକ, ସାଂସ୍କୃତିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ ଉପଯୁକ୍ତ କେନ୍ଦ୍ର ଭାବେ ପରିଣତ ହେବ। ଏହା ଗ୍ରାମବାସୀଙ୍କ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମକୁ ଅଧିକ ସୁବିଧାଜନକ କରିବା ସହ ସାମାଜିକ ସମ୍ପ୍ରୀତିକୁ ସୁଦୃଢ଼ କରିବ। ଏହି ଉଦଘାଟନ ଉତ୍ସବରେ ତାଳଚେର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ହେମଲତା ମହାନ୍ତି, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସନ୍ତୋଷ କୁମାର ପ୍ରଧାନ, ତାଳଚେର ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ରାଜେଶ ସାହୁ, ତାଳଚେର ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ, ସମିତିସଭ୍ୟ, ତାଳଚେର ପୌରପରିଷଦର କାଉନସିଲରମାନେ, ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ବିପୁଳ ସଂଖ୍ୟକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଅଞ୍ଚଳବାସୀ ନବନିର୍ମିତ କଲ୍ୟାଣ ମଣ୍ଡପ ପାଇଁ ବିଧାୟକ ଓ ସମ୍ପୃକ୍ତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତାଳଚେରରେ ୩ୟ ଓଡ଼ିଶା ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିଅନସିପ୍
ତାଳଚେର: ତାଳଚେର ରାଇଫଲ କ୍ଲବ୍ ପରିସରରେ ଆୟୋଜିତ "୩ୟ ଓଡ଼ିଶା ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିଅନସିପ୍" କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ସେ ଖେଳାଳିମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସୁଟିଂ ଭଳି କୌଶଳଭିତ୍ତିକ ଖେଳର ବିକାଶ ପାଇଁ ଏପରି ପ୍ରତିଯୋଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଗୋଳ ଜିଲ୍ଲା ରାଇଫଲ ଆସୋସିଏସନ, ଓଡ଼ିଶା ରାଇଫଲ ଆସୋସିଏସନ ଓ ତାଳଚେର ରାଇଫଲ କ୍ଲବ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଚାମ୍ପିଅନସିପ୍ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟକ ବନ୍ଧୁକ ଚାଳନା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ଓଡ଼ିଶାରେ ସୁଟିଂ ଭଳି ସମ୍ଭାବନାମୟ ଖେଳର ପ୍ରସାର ଏବଂ ଆଞ୍ଚଳିକ ପ୍ରତିଭାମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତରରେ ସୁଯୋଗ ଦେବା ଦିଗରେ ଏଭଳି ପ୍ରତିଯୋଗିତା ଏକ ପ୍ରଶଂସନୀୟ ପଦକ୍ଷେପ। କ୍ରୀଡ଼ା କ୍ଷେତ୍ରରେ ନୂତନ ପ୍ରତିଭା ସୃଷ୍ଟି ଓ ଯୁବପିଢ଼ିଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବାରେ ଏହି ଚାମ୍ପିଅନସିପ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା
