--:--:--
-- ---
Srishti News

ସଂସଦରେ ପାଳଲହଡା ରେଳ ଲାଇନ ପ୍ରସଙ୍ଗ ଉଠାଇଲେ ସାଂସଦ ରୁଦ୍ର ନାରାୟଣ ପାଣି

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 22, 202673 views
ସଂସଦରେ ପାଳଲହଡା ରେଳ ଲାଇନ ପ୍ରସଙ୍ଗ ଉଠାଇଲେ ସାଂସଦ ରୁଦ୍ର ନାରାୟଣ ପାଣି
ତାଳଚେର: ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣି ସଂସଦର ଚଳିତ ଅଧିବେଶନର ପ୍ରଥମ ଦିନ ନିୟମ–୩୭୭ ଅନୁଯାୟୀ ପାଳଲହଡା ଅଞ୍ଚଳର ଦୀର୍ଘଦିନର ରେଳ ସଂଯୋଗ ଦାବିକୁ ଉଠାଇଛନ୍ତି। ସେ ତାଳଚେର–ବିମଳାଗଡ଼ ରେଳ ପ୍ରକଳ୍ପର କାର୍ଯ୍ୟକୁ ଯଥାଶୀଘ୍ର ସମାପ୍ତ କରିବା ସହ ପାଳଲହଡା ରେଳ ଷ୍ଟେସନକୁ ସହର ନିକଟରେ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସାଂସଦ ଶ୍ରୀ ପାଣି କହିଛନ୍ତି ଯେ, ତାଳଚେର–ବିମଳାଗଡ଼ ରେଳ ଲାଇନର ନିର୍ମାଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଥିବା ବେଳେ ଖମାର ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଖମାରରୁ ପାଳଲହଡାର ଦୂରତା ମାତ୍ର ୨୩ କିଲୋମିଟର ଥିବାରୁ ଏହି ଅଂଶର କାର୍ଯ୍ୟକୁ ଆଉ ବିଳମ୍ବ ନକରି ତ୍ୱରାନ୍ୱିତ କରାଯିବା ଆବଶ୍ୟକ। ସେ ଆହୁରି କହିଛନ୍ତି ଯେ, ପାଳଲହଡା ଅନୁଗୋଳ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀର ମୁଖ୍ୟାଳୟ। ଏହା କେଉଁଝର ଓ ଦେବଗଡ଼ ଜିଲ୍ଲା ସହ ସଂଯୋଗର ଏକ ପ୍ରମୁଖ କେନ୍ଦ୍ର ହୋଇଥିବାରୁ ରେଳ ସଂଯୋଗ ଏଠାର ଆର୍ଥିକ, ସାମାଜିକ ଓ ଶିଳ୍ପ ବିକାଶରେ ବଡ଼ ଭୂମିକା ନେବ। ସାଂସଦ ଶ୍ରୀ ପାଣି ସଂସଦରେ ଏହା ମଧ୍ୟ ଦାବି କରିଛନ୍ତି ଯେ, ବର୍ତ୍ତମାନ ପ୍ରସ୍ତାବିତ ରେଳ ଷ୍ଟେସନ ସହରଠାରୁ ପ୍ରାୟ ୭ କିଲୋମିଟର ଦୂରରେ ନିର୍ମାଣ କରିବାର ଯୋଜନା ରହିଛି। ଏହା ପରିବର୍ତ୍ତେ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାଳଲହଡା ସହର ନିକଟରେ ରେଳ ଷ୍ଟେସନ ସ୍ଥାପନ କରାଯାଉ ବୋଲି ସେ ଦୃଢ଼ ଦାବି ଜଣାଇଛନ୍ତି। ପାଳଲହଡା ଅଞ୍ଚଳର ବହୁଦିନର ରେଳ ସଂଯୋଗ ଦାବିକୁ ସଂସଦରେ ଉପସ୍ଥାପନ କରି ସାଂସଦ ରୁଦ୍ର ନାରାୟଣ ପାଣି କେନ୍ଦ୍ର ସରକାରଙ୍କୁ ରେଳ ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ସମାପ୍ତ କରିବା ସହ ଲୋକହିତକୁ ଗୁରୁତ୍ୱ ଦେଇ ଷ୍ଟେସନର ସ୍ଥାନ ନିର୍ଦ୍ଧାରଣ କରିବାକୁ ଅନୁରୋଧ କରିଛନ୍ତି।