--:--:--
-- ---
Srishti News

Web News

ଆନ୍ଦୋଳନରେ ଡାକ୍ତର, ହନ୍ତସନ୍ତ ରୋଗୀ; ସାରାରାଜ୍ୟରେ ପ୍ରଭାବିତ ହୋଇଛି ରୋଗୀ ସେବା
Jul 3, 202653 views

ଆନ୍ଦୋଳନରେ ଡାକ୍ତର, ହନ୍ତସନ୍ତ ରୋଗୀ; ସାରାରାଜ୍ୟରେ ପ୍ରଭାବିତ ହୋଇଛି ରୋଗୀ ସେବା

ଡାକ୍ତର ଆନ୍ଦୋଳନ ଯୋଗୁଁ ସାରାରାଜ୍ୟରେ ପ୍ରଭାବିତ ହୋଇଛି ରୋଗୀ ସେବା । ରାଜ୍ୟର ପ୍ରାୟ ସବୁ ହସ୍ପିଟାଲରେ ଓପିଡି ସେବା, ଜରୁରୀକାଳୀନ ରୋଗୀ ସେବା, ଆଭ୍ୟନ୍ତରୀଣ ରୋଗୀ ସେବା ଠପ୍ । ଡାକ୍ତର ଆନ୍ଦୋଳନରେ ଥିବାରୁ ସବୁଠି ଦେଖିବାକୁ ମିଳିଥିଲା ରୋଗୀଙ୍କ ଲମ୍ବା ଧାଡ଼ି । ଡାକ୍ତର ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ରୋଗୀ ସେବା । କେଉଁଠି ଆୟୁଷ ଡାକ୍ତର ରୋଗୀକୁ ଦେଖିଛନ୍ତି ତ ଆଉ କେଉଁଠି ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି ରୋଗୀ । ସେହିପରି ଭିନ୍ନକ୍ଷମ ଯାଂଚ ପରୀକ୍ଷା ପାଇଁ ଆସିଥବା ଦିବ୍ୟାଙ୍ଗମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପ୍ରଭାବିତ ହୋଇଛି ରୋଗୀ ସେବା । ରାଜ୍ୟର ପ୍ରାୟ ସବୁ ହସ୍ପିଟାଲରେ ଓପିଡି ସେବା, ଜରୁରୀକାଳୀନ ରୋଗୀ ସେବା, ଆଭ୍ୟନ୍ତରୀଣ ରୋଗୀ ସେବା ଠପ୍ । ଡାକ୍ତର ଆନ୍ଦୋଳନରେ ଥିବାରୁ ସବୁଠି ଦେଖିବାକୁ ମିଳିଥିଲା ରୋଗୀଙ୍କ ଲମ୍ବା ଧାଡ଼ି । ଉପକୂଳରୁ ଉପାନ୍ତ ଚାରିଆଡେ ଘଣ୍ଟା ଘଣ୍ଟା ଧରି ଗୁରୁତର ରୋଗୀଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ଧାଡ଼ିରେ ଛିଡା ହୋଇ ହୋଇ ନୟାନ୍ତ ହୋଇଥିଲେ ବି ଶୁଣିବାକୁ କେହି ନଥିଲେ । କିଛି ରୋଗୀଙ୍କୁ ଆୟୁଷ ଡାକ୍ତର ଦେଖିଥିବାବେଳେ ଆଉ କିଛି ଭଗବାନ ଭରସାରେ ଫେରିଛନ୍ତି । ଜାତୀୟ ଡାକ୍ତର ଦିବସରେ କର୍ତ୍ତବ୍ୟକୁ ଭୁଲିଗଲେ ଡାକ୍ତର; ଏସମା କଟକଣା ବଳବତ୍ତର ସତ୍ତ୍ୱେ ରାଜ୍ୟବ୍ୟାପି କଲେ ଆନ୍ଦୋଳନ ଖାଲି ରୋଗୀ ନୁହଁନ୍ତି ହସ୍ପିଟାଲକୁ ଅତି ଜରୁରୀ କାର୍ଯ୍ୟରେ ଆସିଥିବା ଭିନ୍ନକ୍ଷମ ବି ହଟହଟା ହୋଇଛନ୍ତି । କିଏ ୧୫୦ କିଲୋମିଟରରୁ ଆସିଛି ତ ଆଉ କିଏ ୨୫୦ କିଲୋମିଟରରୁ ଆସିଛି । କିଏ ଗୁରୁଣ୍ଡି ଗୁରୁଣ୍ଡି ଆସିଛି ତ, ଆଉ କିଏ ବାଉଁଶ ବାଡ଼ି ର ସହାୟତାରେ ଛୋଟେଇ ଛୋଟେଇ ଆସିଛି । ଏହିଭଳି ୧୦୦ ରୁ ଅଧିକ ଭିନ୍ନକ୍ଷମ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ନାହିଁନଥିବା ଅସୁବିଧାର ଶିକାର ହୋଇଛନ୍ତି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ପରିବାର ଲୋକ ବହୁ କଷ୍ଟରେ ଏହି ଭିନ୍ନକ୍ଷମ ମାନଙ୍କୁ ନେଇକି ଆସିଥିଲେ ଭିନକ୍ଷମ ସାର୍ଟିଫିକେଟର ଯାଞ୍ଚ ପରୀକ୍ଷା ପାଇଁ । ହେଲେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ସେମାନଙ୍କର ହୋଇପାରିନି ଯାଞ୍ଚ । ଡାକ୍ତର ଜିଦରେ ଅଟଳ ଥିବାରୁ, ଆଗକୁ ଏହି ଆନ୍ଦୋଳନ ଜାରି ରହିଲେ, ସ୍ଥିତି ଭୟଙ୍କର ହୋଇପାରେ ।

Bhubaneswar (ଭୁବନେଶ୍ୱର)ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ସ୍କୁଲ ସମ୍ମୁଖରେ ମଦ ଦୋକାନ: ସରକାରୀ ନିୟମକୁ ବେଖାତିର, ଜନ ଅସନ୍ତୋଷ
Jul 3, 202642 views

ସ୍କୁଲ ସମ୍ମୁଖରେ ମଦ ଦୋକାନ: ସରକାରୀ ନିୟମକୁ ବେଖାତିର, ଜନ ଅସନ୍ତୋଷ

ବ୍ରହ୍ମପୁର:ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ ସ୍କୁଲ ସମ୍ମୁଖରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ପାତପୁର ଅଞ୍ଚଳରେ ସମସ୍ତ ସରକାରୀ ନିୟମାବଳୀ ଓ କଟକଣାକୁ ଉଲ୍ଲଂଘନ କରି ସ୍ୱେଚ୍ଛାଚାରୀ ଭାବେ ଏହି ମଦ ଦୋକାନ ଖୋଲାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ତରଫରୁ ସ୍କୁଲ ଆଗରୁ ମଦ ଦୋକାନ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ​ନିୟମ ଅନୁଯାୟୀ ଶିକ୍ଷାନୁଷ୍ଠାନ କିମ୍ବା ଧାର୍ମିକ ସ୍ଥଳୀ ନିକଟରେ ମଦ ଦୋକାନ ରହିବା ବେଆଇନ। ମାତ୍ର ଏଠାରେ ମଦ ଦୋକାନ ସମ୍ମୁଖରେ ହିଁ ଏକ ପ୍ରାଥମିକ ବିଦ୍ୟାଳୟ (ୟୁ.ପି. ସ୍କୁଲ), ବ୍ୟାଙ୍କ ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଫିସ ରହିଛି। କେବଳ ସେତିକି ନୁହେଁ, ଏହି ଦୋକାନର ମାତ୍ର ୫୦୦ ମିଟର ପରିଧି ମଧ୍ୟରେ ଆହୁରି ଦୁଇଟି କଲେଜ, ମୁଖ୍ୟ ହସ୍ପିଟାଲ ଏବଂ ଏକ ପେଟ୍ରୋଲ ପମ୍ପ ମଧ୍ୟ ରହିଛି। ଅବକାରୀ ବିଭାଗ ସବୁ ଜାଣିଶୁଣି କେଉଁ ଆଧାରରେ ଏଠାରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଲା, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ​ମଦ ଦୋକାନ ଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ରାସ୍ତା ଉପରେ ଲୋକେ ମଦ ପିଇ ଗଣ୍ଡଗୋଳ କରୁଥିବା ବେଳେ ପୋଲିସ ଅନେକ ସମୟରେ ଚଢ଼ାଉ କରି କେବଳ ବାଧ୍ୟବାଧ୍ୟକତାରେ କିଛି ଲୋକଙ୍କୁ ତାଗିଦ୍ କରି ଛାଡ଼ି ଦେଉଛି। ମାତ୍ର ମଦ ଦୋକାନର ସ୍ଥାୟୀ ସମାଧାନ କିମ୍ବା ଏହାକୁ ସେଠାରୁ ହଟାଇବା ଦିଗରେ କୌଣସି ଆନ୍ତରିକତା ପ୍ରକାଶ ପାଉନାହିଁ। ​ସରକାରୀ ନିୟମକୁ ବେଖାତିର କରି କେବଳ ରାଜସ୍ୱ ଆଦାୟ ଆଳରେ କୋମଳମତି ଶିଶୁ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି। ରାଜସ୍ୱ ନାମରେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେବା ସାଧାରଣ ଜନତାଙ୍କୁ ଅତିଷ୍ଠ କରିସାରିଲାଣି। ଯଦି ଅତିଶୀଘ୍ର ଏହି ମଦ ଦୋକାନକୁ ସେଠାରୁ ଉଚ୍ଛେଦ କରାାନଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ଓ ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର

ତାଳଚେର କୋଇଲା କ୍ଷେତ୍ରର ନୂତନ ସିଜିଏମ୍ ଭାବେ ଅଜୟ କୁମାର ସିଂହଙ୍କ ଦାୟିତ୍ୱ ଗ୍ରହଣ
Jul 3, 202647 views

ତାଳଚେର କୋଇଲା କ୍ଷେତ୍ରର ନୂତନ ସିଜିଏମ୍ ଭାବେ ଅଜୟ କୁମାର ସିଂହଙ୍କ ଦାୟିତ୍ୱ ଗ୍ରହଣ

ତାଳଚେର: କୋଲ୍ ମାଇନ୍‌ର ମୁଖ୍ୟ ଶ୍ରୀଯୁକ୍ତ ଅଶୋକ କୁମାର ଧଳ ଅବସର ଗ୍ରହଣ କରିବା ପରେ ନୂତନ ସିଜିଏମ୍ (CGM) ଭାବେ ଶ୍ରୀଯୁକ୍ତ ଅଜୟ କୁମାର ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସିଂହ କହିଛନ୍ତି ଯେ, ତାଳଚେର କୋଲ୍ ମାଇନ୍‌ର ବିଭିନ୍ନ ଖଣି ଓ କାର୍ଯ୍ୟକ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମୀକ୍ଷା କରାଯିବ। ସମସ୍ତ ସମସ୍ୟାର ପର୍ଯ୍ୟାୟକ୍ରମେ ସମାଧାନ କରିବା ସହ କୋଇଲା ଉତ୍ପାଦନ, କାର୍ଯ୍ୟଦକ୍ଷତା ଓ ଶ୍ରମିକ କଲ୍ୟାଣକୁ ପ୍ରାଥମିକତା ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ନୂତନ ସିଜିଏମ୍‌ଙ୍କ ଏହି ପ୍ରତିଶ୍ରୁତିକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳରେ ଆଶାର ସଞ୍ଚାର ହୋଇଛି।

Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
Jul 3, 202654 views

ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଆଳି, ଯେମିତି ଜନ୍ମ ଥିଲେ ମୃତ୍ୟୁ ଅଛି ସେମିତି ଚାକିରୀ ଥିଲେ ଅବସର ଅଛି l ଆଳି ବ୍ଲକ୍ ଅନ୍ତର୍ଗତ ମହାଦେଇପାଟଣା ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାସଚନ୍ଦ୍ର ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବତନ ପ୍ରଧାନଶିକ୍ଷକ ଗୌରାଙ୍ଗଚରଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ୍ ଶିକ୍ଷାଧିକାରୀ ଗୋବିନ୍ଦଚନ୍ଦ୍ର ପରିଡ଼ା, ମୁଖ୍ୟବକ୍ତା ଭାବେ କବି ସଚ୍ଚିତ୍ର ବେହୁରା, ସମ୍ମାନିତ ଅତିଥି ଭାବେ କବି ନୃସିଂହଚରଣ ରାଉତ, ଶିକ୍ଷାବିତ୍ ସୁରେଶଚନ୍ଦ୍ର ଜେନା, ପୂର୍ବତନ ପ୍ରଧାନଶିକ୍ଷକ ବିଷ୍ଟଚରଣ ବିଷ୍ଣୁଚରଣ ଦାଶ, ମନୋରଞ୍ଜନ ସ୍ଵାଇଁ, ଅଶୋକ ମହାପାତ୍ର, ପଙ୍କଜ ପାଣ୍ଡବ ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ କୈଳାସଚନ୍ଦ୍ର ସାହୁଙ୍କ ସମୟାନୁବର୍ଷିତା, ଛାତ୍ରବତ୍ସଳତା ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟ ସମ୍ପର୍କରେ ଅବତାରଣା କରିଥିଲେ | ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଶ୍ରୀ ସାହୁଙ୍କୁ ମାନପ‌ତ୍ର, ଅଙ୍ଗବସ୍ତ୍ର ଦିଆଯାଇ ସମ୍ବନ୍ଧିତ କରାଯାଇଥିଲା | ଶିକ୍ଷକମାନଙ୍କ ପକ୍ଷରୁ ବିଜୟ ପରିଡ଼ା, ମନୋଜ ସାହୁ ଉତ୍ସବ ପରିଚାଳନା ଓ ସମୀର ନାୟକ ସଭା ସଞ୍ଚାଳନ କରିଥିଲେ | କୁଳମଣି ସାହୁ ଧନ୍ୟବାଦ ଦେଇଥିଲେ | ଉତ୍ସବରେ ପରିଚାଳନା କମିଟି ସଦସ୍ୟଙ୍କ ସ‌ହ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ -ଦିଲ୍ଲୀପ ପରିଡା, ଆଳି

ସ୍ରିଷ୍ଟି ନିୟୁଜ୍‌ର ଖବର ପ୍ରସାରଣର ପ୍ରଭାବ: ଦ୍ରୁତ ଗତିରେ ଆରମ୍ଭ ହେଲା ମେଘା ପାଣି ପ୍ରକଳ୍ପର କାମ
Jul 3, 202654 views

ସ୍ରିଷ୍ଟି ନିୟୁଜ୍‌ର ଖବର ପ୍ରସାରଣର ପ୍ରଭାବ: ଦ୍ରୁତ ଗତିରେ ଆରମ୍ଭ ହେଲା ମେଘା ପାଣି ପ୍ରକଳ୍ପର କାମ

ଛତ୍ରପୁର: ଛତ୍ରପୁର ଓ ରଙ୍ଗେଇଲୁଣା ବ୍ଲକ ପାଇଁ ଉଦ୍ଦିଷ୍ଟ ମେଘା ପାଣି ପ୍ରକଳ୍ପର କାମ ଦୀର୍ଘଦିନ ଧରି ଅଟକି ରହିଥିଲା। ଏହି ସମସ୍ୟାକୁ ସ୍ରିଷ୍ଟି ନିୟୁଜ୍ ପ୍ରମୁଖତାର ସହ ପ୍ରସାରଣ କରିବା ପରେ ପ୍ରଶାସନ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ଖବର ପ୍ରସାରଣ ପରେ ଗତ ଦୁଇ ଦିନ ଧରି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଦୀର୍ଘଦିନର ଅବହେଳା ପରେ କାମ ଆରମ୍ଭ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ସ୍ଥାନୀୟ ବାସିନ୍ଦାମାନେ ସ୍ରିଷ୍ଟି ନିୟୁଜ୍ ର ଜନସ୍ୱାର୍ଥମୂଳକ ସାମ୍ବାଦିକତାକୁ ପ୍ରଶଂସା କରିବା ସହ ପ୍ରକଳ୍ପଟି ଶୀଘ୍ର ସମ୍ପୂର୍ଣ୍ଣ କରି ପାନୀୟ ଜଳ ସୁବିଧା ଯୋଗାଇବାକୁ ଦାବି କରିଛନ୍ତି।

Ganjam (ଗଞ୍ଜାମ)ରିପୋର୍ଟ : ପିତାମ୍ବର ମହାରଣା, ଛତ୍ରପୁର

ଭଟଲି ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
Jul 3, 202635 views

ଭଟଲି ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼- ଭଟଲି : ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୧୪ରେ ନେତ୍ରୋତ୍ସବ, ୧୫ରେ ନବଯୌବନ ଦର୍ଶନ, ୧୬ରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଏବଂ ୨୪ ରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଚଳିତ ବର୍ଷ ଦ୍ୱିତୀୟ ଥର ଏଠାରେ ସୁନାବେଶ ଅନୁଷ୍ଠିତ ହେବ ଓ ୨୬ରେ ଅଧରପଣା ସହିତ ସେହିଦିନ ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତହସିଲଦାର ରାମକୃଷ୍ଣ ମିଶ୍ର ବୈଠକରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ବୈଠକରେ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ, ବଡ଼ଦାଣ୍ଡ ରାସ୍ତା ମରାମତି ପାଇଁ ମଧ୍ୟ ବିଭାଗିୟ ଅଧିକାରୀଙ୍କ ଦୃଷ୍ଟିଗୋଚର କରିଥିଲେ । ପାର୍କିଂ ସ୍ଥାନ ମାନଙ୍କରେ ବିଦ୍ୟୁତ ବିଭାଗ ଙ୍କ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ କୁହାଯାଇଥିଲା । ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀଙ୍କୁ ସାଂସ୍କୃତିକ ଦଳ ପଠାଇବାକୁ ଜଣାଇଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା, ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଯାନବାହନ ଚଳାଚଳର ସୁବନ୍ଦୋବସ୍ତ ପାଇଁ ପୋଲିସ ବିଭାଗକୁ ଅବଗତ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରୁ ଏସଡିପିଆରଓ ସନତ ପାଢୀ, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଭଟଲି ଥାନାଅଧିକାରୀ ବିଭୁତି ଭୁଷଣ ଦଳେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ ହାଁସଦା ପ୍ରମୁଖ ମଞ୍ଚାସୀନ ଥିଲେ । ମନ୍ଦିର ପୂଜକ ଗୌରଚନ୍ଦ୍ର ରଥ, ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ, ମନ୍ଦିର ଟ୍ରଷ୍ଟ ବୋର୍ଡ ନୂତନ ମ୍ୟାନେଜିଂ ଟ୍ରଷ୍ଟ ମୋତିଲାଲ ବନଛୋର ତଥା ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Bargarh (ବରଗଡ଼)ରିପୋର୍ଟ : ସିଧେଶ୍ୱର ବରିହା, ଭଟଲି

ଦାଦନର ବିକଳ ପରିଣତି, ଜେଜେମା ସାହାରା ରେ ନାତି ଓ ନାତୁଣୀ
Jul 3, 202635 views

ଦାଦନର ବିକଳ ପରିଣତି, ଜେଜେମା ସାହାରା ରେ ନାତି ଓ ନାତୁଣୀ

ବାଲେଶ୍ଵର : ପରିଣତ ବୟସରେ ପୁଅ ଆଶା ବାଡ଼ି ସାଜି ବାପା ଓ ମାଆଙ୍କ ସାହାରା ସାଜିବା କଥା। ମାତ୍ର ପରିବାରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟି ଚାଲିଛି। ଅସହାୟ ନାତିନାତୁଣୀଙ୍କ ସାହାରା ସାଜିଛନ୍ତି ବୃଦ୍ଧା ଜେଜେମା। ଚିତ୍ର ହେଉଛି ବାଲେଶ୍ଵର ଜିଲ୍ଲା, ଭୋଗରାଇ ବ୍ଲକ, ଶଙ୍ଖାରି ପଞ୍ଚାୟତ ଅଧୀନ ଚକନାପାଳ ଗାଁର। ଏହି ଗାଁରେ ମଣ୍ଡୁ ଓ ବାସନ୍ତୀ ଜେନାଙ୍କ ପରିବାରରେ ସବୁ କିଛି ଠିକ୍ ଠାକ୍ ଚାଲିଥିଲା। ପ୍ରଥମେ ସାତ ବର୍ଷ ପୂର୍ବରୁ ବିଜୁଳି ଆଘାତରେ ସ୍ଵାମୀ ମଣ୍ଡୁଙ୍କ ମୃତ୍ୟୁ ହେଲା। ୨ ଜଣ ପୁଅଙ୍କ ମୁହଁକୁ ଚାହିଁ ମାଆ ଛାତି ଉପରେ ପଥର ରଖି ଦେଇଥିଲେ। ପରିବାରର ବୋଝ ମୁଣ୍ଡାଇବାକୁ ଯାଇ ବଡ଼ ପୁଅ ଗଣେଶ ସ୍ଵାଭାବିକ ଭାବେ ଦାଦନ ଖଟିବାକୁ ଘର ଛାଡ଼ି କାଟିଲେ। ହେଲେ ଠିକଣା ଜାଗାରେ ପହଞ୍ଚିବା ପୂର୍ବରୁ ଟ୍ରେନ ଯାତ୍ରାବେଳେ ସେ ନିଖୋଜ ହୋଇଯାଇଥିଲେ। ଏକ ସପ୍ତାହ ପରେ ସ୍ତ୍ରୀ ସୁଭଦ୍ରା ଘରେ ପହଞ୍ଚିଥିଲେ। କିଛି ଦିନ ସ୍ଵାମୀ ଦୁଃଖରେ ରହିବା ପରେ ଏବେ ଛୁଆ ଦୁଇଙ୍କୁ ଛାଡ଼ି ବାପ ଘରେ ରହୁଛନ୍ତି। ସାନ ପୁଅ କାର୍ତ୍ତିକ (୩୮) ହାଇଦ୍ରାବାଦର ନାମପାଲି ଜିଲ୍ଲା ମଙ୍ଗଳାବାଦର ଏକ ତେଜରାତି ଦୋକାନରେ କାମ କରୁଥିଲେ। ରବିବାର ମଙ୍ଗଳାହାଟ ପୁଲିସ ଷ୍ଟେସନ ପାଖରେ କାର୍ତ୍ତିକ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖୁଥିଲେ। ସେଠାକାର ଓଡ଼ିଆ ଯୁବକମାନେ ତାଙ୍କୁ ଉସମାନିଆ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ କରାଯିବା ପରେ ଜୟ ଜଗନ୍ନାଥ ସଂସ୍ଥା ଅନ୍ତିମ ସଂସ୍କାର କରିଥିବା କଥା ସେଠାରେ କାର୍ଯ୍ୟ କରୁଥିବା ପ୍ରତିଭା ଗାଁର ଅଭିଜିତ ମହାପାତ୍ର କହିଛନ୍ତି। ତେବେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି। ଅପରପକ୍ଷେ ନାତି ନାରାୟଣ ଜେନା (୧୭) ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାଠ ପଢ଼ାରେ ଡୋରି ବାନ୍ଧି ଘରର ବୋଝ ପାଇଁ ପର ଘରେ ମୂଲ ଲାଗୁଛନ୍ତି। ନାତୁଣୀ ତୁଳସୀ (୧୨) ଅଧାରୁ ପାଠପଢ଼ା ଛାଡ଼ି ଘରେ ବସିଛି। ବାସନ୍ତୀଙ୍କୁ ମାସକୁ ମିଳୁଥିବା ୧ ହଜାର ଭତ୍ତା ଟଙ୍କାରେ ୩ ପ୍ରାଣୀ ବହୁ ଅଭାବ ଅନଟନ ମଧ୍ୟରେ ଏକ ପଲିଥିନ ଟାଙ୍ଗି ତଳେ ଦିନ ବିତାଉଛନ୍ତି। ଖାଲି ସେତିକି ନୁହେଁ, ବାସନ୍ତୀଙ୍କ ନାମରେ ଥିବା ଅନ୍ତୋଦୟ କାର୍ଡରେ ଇ-କେୱାଇସି ହୋଇ ନଥିବାରୁ ଚଳିତ ମାସରୁ ରାସନ ଚାଉଳ ମଧ୍ୟ ବନ୍ଦ ହୋଇ ଯାଇଛି। ତେବେ ଏଭଳି ପରିସ୍ଥିତିରେ ଏହି ପରିବାର ଉପରୁ ଦୁଃଖର ପାହାଡ଼ କେବେ ହଟିବ। ବେସାହାରା ପରିବାରର ବେଦନା ସରକାର କେବେ ଶୁଣୁଛନ୍ତି କେବଳ ତାକୁ ହିଁ ଅପେକ୍ଷା।

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର

ଆଷାଢ଼ରେ ଶୁଖିଲା ନଦୀ, ଚିନ୍ତାରେ ଚାଷୀ
Jul 3, 202667 views

ଆଷାଢ଼ରେ ଶୁଖିଲା ନଦୀ, ଚିନ୍ତାରେ ଚାଷୀ

ଅନୁଗୋଳ: ଆଷାଢ଼ ମାସ ଚାଲିଥିଲେ ମଧ୍ୟ ତାଳଚେର ଅଞ୍ଚଳରେ ପର୍ଯ୍ୟାପ୍ତ ବର୍ଷା ହୋଇନଥିବାରୁ ବ୍ରାହ୍ମଣୀ ନଦୀ ସମେତ ଅନେକ ନଦୀ, ନାଳ ଓ କେନାଲ ପ୍ରାୟ ଶୁଖିଲା ପଡ଼ିଛି। ଏହାର ପ୍ରଭାବ ସିଧାସଳଖ ଭାବେ ଚାଷ କାର୍ଯ୍ୟ ଉପରେ ପଡ଼ିଥିବା ବେଳେ ଚାଷୀମାନେ ରୁଆ-ବିହୁଡ଼ା ଆରମ୍ଭ କରିପାରୁନଥିବାରୁ ଚିନ୍ତାରେ ପଡ଼ିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଧରମପୁର ପଞ୍ଚାୟତର ଜନ୍ଦାବାହାଳ ନିକଟରେ କାମ ପାଇଁ କେନାଲର ପାଣି ଅଟକାଯାଇଥିବାରୁ କେନାଲ ଉପରେ ନିର୍ଭରଶୀଳ ଚାଷୀ ଓ ସ୍ଥାନୀୟ ବାସିନ୍ଦା ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରିବେଶବିତ୍‌ମାନଙ୍କ ମତରେ, ଅନିୟନ୍ତ୍ରିତ ଶିଳ୍ପାୟନ, ବନାଞ୍ଚଳ ହ୍ରାସ ଓ ଜଳାଶୟ ନଷ୍ଟ ହେବା ଯୋଗୁଁ ବର୍ଷାର ଧାରାରେ ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସ୍ଥିତି ଜାରି ରହିଲେ ମରୁଡ଼ି ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ଏପରି ପରିସ୍ଥିତିରେ ଜଳ ସଂରକ୍ଷଣ, ବୃକ୍ଷରୋପଣ ଏବଂ ବଡ଼ ବଡ଼ ପୋଖରୀ ନିର୍ମାଣ ଭଳି ପଦକ୍ଷେପ ତୁରନ୍ତ ଗ୍ରହଣ କରିବାକୁ ପରିବେଶବିତ୍‌ ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ନେଇ ଦାବିପତ୍ର
Jul 3, 202677 views

ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ନେଇ ଦାବିପତ୍ର

ଅନୁଗୋଳ: ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ଓ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଜି ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ କୋଇଲା ଖଣି ଦ୍ୱାରା ବିସ୍ଥାପିତ ଲୋକମାନଙ୍କୁ ଏମସିଏଲ ସଠିକ୍ ଭାବେ ବସବାସ କରିବାକୁ ଜାଗା ଯୋଗାଇ ଦେଇ ପାରୁ ନଥିବା ବେଳେ ତାଳଚେରର ଜଣେ ଲୋକ ପ୍ରତିନିଧି ୧୦ ଏକରରୁ ଅଧିକ ଏମସିଏଲ ଭରତପୁର କ୍ଷେତ୍ର ଦ୍ଵାରା ଅଧିଗ୍ରହଣ ହୋଇଥିବା ଜାଗାକୁ ଜୋର ଜବରଦସ୍ତ ଜବରଦଖଲ କରି ମାଳରଗୁଡ଼ି ଆଶ୍ରମ ନାମରେ ନିଜର ବ୍ୟକ୍ତିଗତ ଦଳୀୟ କାର୍ଯ୍ୟାଳୟ ଚଳାଇବା ସହ ଏହି ଜାଗାରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା କୋଟି କୋଟି ଟଙ୍କା ଓ ବିଭିନ୍ନ ଗ୍ରାମପଞ୍ଚାୟତର ଲୋକମାନଙ୍କ ପାଇଁ ବିଭିନ୍ନ ଗ୍ରାମର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଯୋଜନାରେ ଆସିଥିବା ଟଙ୍କାକୁ ବେଆଇନ୍ ଭାବେ ନିଜର ବ୍ୟକ୍ତିଗତ କାର୍ଯ୍ୟାଳୟ ତିଆରିରେ ଖର୍ଚ୍ଚ କରିଛନ୍ତି । ଏଭଳି ଅଭିଯୋଗ ନେଇ ଆଜି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ (ବିଏମ୍ଏସ୍) ର ସଭାପତି ତଥା ଭାରତୀୟ ଜନତା ପାର୍ଟି ଅନୁଗୋଳ ଜିଲ୍ଲାର ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ତାଳଚେରର ଶତାଧିକ ଜନସାଧାରଣଙ୍କ ଉପସ୍ଥିତିରେ ସ୍ଥାନୀୟ ଉପଜିଲ୍ଲାପାଳ ଆଶିଷ ରଂଜନ ସାହୁଙ୍କୁ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବା ସହ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଦୋଷୀ ମାନଙ୍କ ବିରୁଦ୍ଧରେ ଆଗାମୀ ୭ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦୃଢ଼ ଚେତାବନୀ ଦିଆଯାଇଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଏସ୍‌ପି ଅଫିସ ଆଗରେ ଧରାପଡ଼ିଲା ନକଲି ପୋଲିସ
Jul 3, 202672 views

ଏସ୍‌ପି ଅଫିସ ଆଗରେ ଧରାପଡ଼ିଲା ନକଲି ପୋଲିସ

ଅନୁଗୋଳ: ଅନୁଗୋଳ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ନକଲି ପୋଲିସ କନଷ୍ଟେବଲ୍‌ଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି। ଅଭିଯୁକ୍ତ ଜଣକ ପୋଲିସ କନଷ୍ଟେବଲ୍‌ଙ୍କ ୟୁନିଫର୍ମ ପିନ୍ଧି ଏସ୍‌ପି ଅଫିସ ପରିସରରେ ବୁଲୁଥିବା ବେଳେ ସନ୍ଦେହ ହେବାରୁ ପୋଲିସ ତାଙ୍କୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ଏକ ନକଲି ନିଯୁକ୍ତି ପତ୍ର ଜବତ କରାଯାଇଥିବା ଜଣାପଡ଼ିଛି। ଏହାପରେ ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅଭିଯୁକ୍ତ କେଉଁଠାରୁ ପୋଲିସ ପୋଷାକ ଓ ନକଲି ନିଯୁକ୍ତି ପତ୍ର ସଂଗ୍ରହ କରିଥିଲେ ଏବଂ ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବର୍ତ୍ତମାନ ମୁଣ୍ଡବିନ୍ଧାର କାରଣ : ଭାଇରାଲ ଜ୍ୱର
Jul 3, 202676 views

ବର୍ତ୍ତମାନ ମୁଣ୍ଡବିନ୍ଧାର କାରଣ : ଭାଇରାଲ ଜ୍ୱର

ଅନୁଗୋଳ: ଋତୁ ପରିବର୍ତ୍ତନ ସହ ତାଳଚେର ଅଞ୍ଚଳରେ ଭାଇରାଲ ଜ୍ୱରର ପ୍ରକୋପ ବଢ଼ୁଥିବା ଦେଖାଯାଉଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଅନେକେ ଥଣ୍ଡା, କାଶ, ଜ୍ୱର ଓ ମୁଣ୍ଡବିନ୍ଧାରେ ପୀଡ଼ିତ ହେଉଛନ୍ତି। ଫଳରେ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ ବଢ଼ିଥିବା ବେଳେ ଔଷଧ ଦୋକାନରେ ମଧ୍ୟ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। କେହି ଘରେ ଚିକିତ୍ସା ନେଉଥିବା ବେଳେ ଆଉ କେହି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ଅଧିକାଂଶ ଜ୍ୱର ଭାଇରାଲ ସଂକ୍ରମଣ ଜନିତ। ଋତୁ ପରିବର୍ତ୍ତନ, ପ୍ରଦୂଷିତ ପରିବେଶ, ଅପରିଷ୍କାର ଡ୍ରେନ୍, ଅସ୍ୱଚ୍ଛ ପରିବେଶ ଓ ଜଳବାୟୁର ପରିବର୍ତ୍ତନ ଏହାର ଅନ୍ୟତମ କାରଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି। ଶିଳ୍ପାଞ୍ଚଳ ଭାବେ ପରିଚିତ ତାଳଚେରରେ କୋଇଲା ଖଣି ଓ ବିଭିନ୍ନ କଳକାରଖାନା ଯୋଗୁଁ ପରିବେଶ ପ୍ରଦୂଷଣ ବଢ଼ୁଥିବା ଅଭିଯୋଗ ଦୀର୍ଘଦିନର। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ପରିବେଶ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପରି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ନଚେତ ଏଭଳି ରୋଗର ପ୍ରକୋପ ଆଗାମୀ ଦିନରେ ଆହୁରି ବଢ଼ିପାରେ। ଅନ୍ୟପକ୍ଷରେ, ତାଳଚେରରେ ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ନିର୍ମିତ ମେଡିକାଲ କଲେଜ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଦାବିରେ ବିଭିନ୍ନ ସଂଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ତାଳଚେର ବନ୍ଦ ଡାକରା ମଧ୍ୟ ଦିଆଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ମତରେ, ତାଳଚେରର ମାଟି, ପାଣି ଓ ପବନକୁ ସୁରକ୍ଷିତ ରଖିବା ସହ ଜନସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆନଗଲେ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସମସ୍ୟା ଆହୁରି ଜଟିଳ ରୂପ ନେଇପାରେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ତାଳଚେରରେ ସାଇବର ସଚେତନତା କାର୍ଯ୍ୟକ୍ରମ, ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ
Jul 3, 202690 views

ତାଳଚେରରେ ସାଇବର ସଚେତନତା କାର୍ଯ୍ୟକ୍ରମ, ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ

ଅନୁଗୋଳ: ଅନୁଗୋଳ ସାଇବର ଥାନା ପୋଲିସ ପକ୍ଷରୁ ତାଳଚେର ସଭାଘରଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୁନିଅର ଚାମ୍ବର ଇଣ୍ଟରନ୍ୟାସନାଲ (ଜେସିଆଇ), ହାଟତୋଟା ବଣିକ ସଂଘ ଏବଂ ଆଇ ଡ୍ରିମ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀଙ୍କ ସମେତ ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସାଇବର ସୁରକ୍ଷା, ଅନଲାଇନ୍ ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖିବେ, ନିରାପଦ ଡିଜିଟାଲ୍ ଅଭ୍ୟାସ ଆପଣାଇବା ଏବଂ ସାଇବର ଅପରାଧ ଘଟିଲେ କିପରି ଅଭିଯୋଗ କରିବେ ସେ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା। ଉପସ୍ଥିତ ଅଂଶଗ୍ରହଣକାରୀମାନେ ସାଇବର ଅପରାଧରୁ ସତର୍କ ରହିବା ସହ ଡିଜିଟାଲ୍ ମାଧ୍ୟମର ସୁରକ୍ଷିତ ବ୍ୟବହାର ପାଇଁ ଆବଶ୍ୟକ ପରାମର୍ଶ ପାଇଥିଲେ। ଏଭଳି ସଚେତନତା କାର୍ଯ୍ୟକ୍ରମ ସମାଜରେ ଏକ ସୁରକ୍ଷିତ ଓ ସଚେତନ ସାଇବର ପରିବେଶ ଗଠନରେ ସହାୟକ ହେବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା