ପଲିଥିନ ଛାତ ତଳେ ୫ ବର୍ଷ: ଆବାସ ଅପେକ୍ଷାରେ ମାନସିଂଙ୍କ ପରିବାର
Nuapada (ନୂଆପଡ଼ା)କଶ୍ୟପ ଜଗତ, ବୋଡେ଼ନAugust 12, 202615 views

ବୋଡ଼େନ, ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଆବାସ ଯୋଜନା ଚାଲୁଥିବା ବେଳେ ଆଜି ବି ଜଣେ ଗରିବ ପରିବାର ପଲିଥିନ ଛାତ ତଳେ ଦିନ କାଟୁଥିବା ଘଟଣା ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ ପଦାକୁ ଆଣିଛି।
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ୬ ନମ୍ବର ୱାର୍ଡରେ ମାନସିଂ ରାଉତଙ୍କ ପରିବାର ଦୀର୍ଘ ୫ ବର୍ଷ ଧରି ପଲିଥିନ ଘେରା ଅସ୍ଥାୟୀ ଘରରେ ରହୁଥିବା ଅଭିଯୋଗ ହୋଇଛି। ପରିବାରରେ ମାନସିଂ ରାଉତ, ତାଙ୍କ ପତ୍ନୀ ଯମୁନା ରାଉତ, ପୁଅ ଭବାନୀ ରାଉତ, ବୋହୂ ଧାନମତୀ ରାଉତ ଏବଂ ତିନି ଜଣ ଛୋଟ ଛୁଆଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ଅଛନ୍ତି।
ଘରେ ରହିବା ପାଇଁ ସ୍ଥାନ ଅଭାବ ଯୋଗୁଁ ମାନସିଂ ଓ ତାଙ୍କ ପତ୍ନୀଙ୍କୁ ଏକ ପଲିଥିନ ଘେରା ଅସ୍ଥାୟୀ ଘରେ ରହିବାକୁ ପଡ଼ୁଛି। ବର୍ଷା ହେଲେ ଛାତରୁ ପାଣି ଗଳି ଘର ଭିତରେ ପଶୁଥିବା ବେଳେ ଖରାଦିନେ ପଲିଥିନ ତଳର ଅସହ୍ୟ ତାତିରେ ଜୀବନ ଅତିଷ୍ଠ ହୋଇପଡ଼ୁଛି। ଏଭଳି ଅସୁରକ୍ଷିତ ପରିବେଶରେ ପାଞ୍ଚ ବର୍ଷ ଧରି ଜୀବନ ବିତାଇବାକୁ ପଡ଼ୁଥିବାରୁ ପରିବାରର ଦୁର୍ଦ୍ଦଶା ବଢ଼ିଚାଲିଛି।
ମାନସିଂ ରାଉତ କହିଛନ୍ତି, “ପାଞ୍ଚ ବର୍ଷ ହେଲା ଏମିତି କଷ୍ଟରେ ରହୁଛୁ। ପଞ୍ଚାୟତକୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ମିଳିଲେ ଆମ ଜୀବନ ବଞ୍ଚିଯିବ।”
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗ୍ରାମର ଅନେକ ପରିବାର ଆବାସ ଯୋଜନାରେ ଘର ପାଇଥିବା ବେଳେ ମାନସିଂଙ୍କ ପରିବାର ଏପର୍ଯ୍ୟନ୍ତ ଆବାସ ତାଲିକାରୁ ବାଦ ପଡ଼ିଛି। ପରିବାରର ଦୟନୀୟ ଅବସ୍ଥା ସମ୍ପର୍କରେ ପଞ୍ଚାୟତ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ ୬ ନମ୍ବର ୱାର୍ଡବାସୀଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଗରିବ ପରିବାରର ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ପକ୍କା ଘର ଯୋଗାଇଦେବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
ପ୍ରଶାସନ ଯଦି ଶୀଘ୍ର ପଦକ୍ଷେପ ନ ନିଏ, ତେବେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ୱାର୍ଡବାସୀ ଚେତାବନୀ ଦେଇଛନ୍ତି। ଖବର ପ୍ରକାଶ ପରେ ବୋଡ଼େନ ବ୍ଲକ ପ୍ରଶାସନ ମାନସିଂ ରାଉତଙ୍କ ପରିବାର ପାଇଁ କି ପଦକ୍ଷେପ ନେଉଛି, ଏବେ ତାହା ଉପରେ ସମସ୍ତଙ୍କ ନଜର।
