--:--:--
-- ---
Srishti News

ପେନାଲ୍ଟିରେ କୋମନାକୁ ମାତ୍‌ ଦେଇ ଫାଇନାଲରେ ବୋଡ଼େନ ରୋମାଞ୍ଚକର ସେମିଫାଇନାଲରେ ୪-୨ ଗୋଲ୍‌ରେ ବିଜୟ; ୧୫ ତାରିଖ ଫାଇନାଲ ପାଇଁ ପକ୍କା କଲା ସ୍ଥାନ

Nuapada (ନୂଆପଡ଼ା)ରିପୋର୍ଟ: ଭଜନ ଲାଲ ଜଗତAugust 12, 20265 views
ପେନାଲ୍ଟିରେ କୋମନାକୁ ମାତ୍‌ ଦେଇ ଫାଇନାଲରେ ବୋଡ଼େନ  ରୋମାଞ୍ଚକର ସେମିଫାଇନାଲରେ ୪-୨ ଗୋଲ୍‌ରେ ବିଜୟ; ୧୫ ତାରିଖ ଫାଇନାଲ ପାଇଁ ପକ୍କା କଲା ସ୍ଥାନ
ଖଡ଼ିଆଳ, ୧୨/୦୮: ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଖେଳ ପଡ଼ିଆରେ ଚାଲିଥିବା ୧୭ତମ ରାଜା ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୬ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ବୋଡ଼େନ। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଲ୍‌ କରିବାରେ ବିଫଳ ହେବା ପରେ ପେନାଲ୍ଟି ସୁଟ୍‌ଆଉଟ୍‌ର ଆଶ୍ରୟ ନିଆଯାଇଥିଲା। ଶେଷରେ ବୋଡ଼େନ ୪-୨ ଗୋଲ୍‌ରେ କୋମନାକୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। ଆରମ୍ଭରୁ ହିଁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ବୋଡ଼େନ ଓ କୋମନାର ଖେଳାଳିମାନେ ପରସ୍ପରକୁ ଚାପରେ ରଖିବା ସହ ଗୋଲ୍‌ ପାଇଁ ଅନେକ ପ୍ରୟାସ କରିଥିଲେ। ତେବେ ଉଭୟ ଦଳର ରକ୍ଷଣଭାଗ ଦୃଢ଼ ରହିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଲ୍‌ କରିପାରିନଥିଲା। ଫଳରେ ମ୍ୟାଚ୍‌ର ନିଷ୍ପତ୍ତି ପେନାଲ୍ଟି ସୁଟ୍‌ଆଉଟ୍‌କୁ ଯାଇଥିଲା। ପେନାଲ୍ଟି ସୁଟ୍‌ଆଉଟ୍‌ରେ ବୋଡ଼େନ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ୪ଟି ଗୋଲ୍‌ କରିଥିବା ବେଳେ କୋମନା ୨ଟି ଗୋଲ୍‌ କରିପାରିଥିଲା। ଫଳରେ ବୋଡ଼େନ ବିଜୟୀ ହୋଇ ୧୫ ଅଗଷ୍ଟରେ ହେବାକୁ ଥିବା ଫାଇନାଲ ମ୍ୟାଚ୍‌ର ଟିକେଟ୍‌ ହାସଲ କରିଛି। ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ କମଳ ଚରଣ ତାଣ୍ଡି, ଖଡ଼ିଆଳ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ନଗର କଂଗ୍ରେସ ସଭାପତି ପ୍ରବୀଣ ପଟ୍ଟନାୟକ, ଓଡ଼ିଶା ଯୁବ କଂଗ୍ରେସ ସମ୍ପାଦକ ଶାହରୁଖ ଖାନ୍, ଖଡ଼ିଆଳ ବ୍ଲକ କଂଗ୍ରେସ ସଭାପତି ବୁଦ୍ଧଦେବ ବେହେରା, ଯୁବ କଂଗ୍ରେସ ସଭାପତି ପ୍ରଦୀପ ବେହେରା, ଖଡ଼ିଆଳ କଂଗ୍ରେସ ଉପସଭାପତି ଗିରିଧାରୀ ସୁନା, ସମ୍ପାଦକ ହେମନୁ ପୁଞ୍ଜି ଏବଂ ସାମ୍ବାଦିକ ଭଜନ ଲାଲ ଜଗତ ମଞ୍ଚାସୀନ ଥିଲେ। ମ୍ୟାଚ୍‌ ପରିଚାଳନାରେ Football Association of Odishaର ଅଫିସିଆଲ୍‌ ରେଫରୀ ତାପସ ପତି, ଆନନ୍ଦ ବେମାଲ, ସୌରଭ ପଣ୍ଡା ଓ ବିହାରୀଲାଲ ମାସରା ଦାୟିତ୍ୱ ତୁଲାଇଥିଲେ। ବେଦାନ୍ତ ପ୍ରଧାନ ସ୍କୋର୍‌ ପରିଚାଳନା କରିଥିବା ବେଳେ ଜାତୀୟ ସ୍ତରୀୟ ଭାଷ୍ୟକାର ପ୍ରକାଶ ଚନ୍ଦ୍ର ପତ୍ର ଓ ଧନଞ୍ଜୟ ମଲ୍ଲିକ ଧାରାବିବରଣୀ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ଅନୁପ ସିଂ ଦେଓ ମେମୋରିଆଲ ଫୁଟବଲ ଟ୍ରଷ୍ଟର ସଭାପତି ଅଙ୍କିତ ସିଂ ଦେଓ, ସମ୍ପାଦକ ଜିତେନ୍ଦ୍ର ନାୟକ, ଉପସଭାପତି ପ୍ରଭୁଦତ୍ତ ଗୌଡ଼, କୋଷାଧ୍ୟକ୍ଷ ବିଶ୍ୱରଞ୍ଜନ ପଣ୍ଡାଙ୍କ ସମେତ ରୂପେଶ ଟାହାଣି, ବିବେକ ପୋଡ଼, ସୁଶାନ୍ତ କୁମାର ସ୍ୱାଇଁ, ଶ୍ୟାମ ନାଗ, ବସନ୍ତି ମାଝୀ, ପୁଣ୍ୟତୋଷ ମୁଣ୍ଡ, ଦେବ ପ୍ରଧାନ, ଆକିବ୍‌ ରାଜା, ଝିଣ୍ଟୁ ମହାପାତ୍ର, ପ୍ରଶାନୁ ପଟ୍ଟନାୟକ, ନିରଞ୍ଜନ ପୋଡ଼, ମହମ୍ମଦ ଆରିଫ, ଗୁଡୁ ପାଣିଗ୍ରାହୀ, ସୁଶାନୁ ସାହୁ, ହରିହର ସାହୁ ଓ ଦୀପ୍ତିରଞ୍ଜନ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ। ବୋଡ଼େନର ଏହି ବିଜୟ ପରେ ଫାଇନାଲ ମ୍ୟାଚ୍‌କୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢ଼ିଛି। ୧୫ ଅଗଷ୍ଟର ଫାଇନାଲରେ ବୋଡ଼େନ କାହାକୁ ଭେଟିବ ଏବଂ ଚାମ୍ପିଅନ୍‌ ଟ୍ରଫି କିଏ ହାତେଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର।