Web News

ଦିଲ୍ଲୀ ଅଭିମୁଖେ ଆଦିବାସୀଙ୍କ ଯାତ୍ରା
*ଅଧିକାର, ଭାଷା, ଶିକ୍ଷା ଓ ମୌଳିକ ସୁବିଧା ଦାବିରେ ଯନ୍ତର ମନ୍ତରରେ ଆନ୍ଦୋଳନ* ଭୁବନେଶ୍ୱର/ଦିଲ୍ଲୀ: ନିଜର ଅଧିକାର, ମାତୃଭାଷାର ସୁରକ୍ଷା, ଶିକ୍ଷା ଏବଂ ମୌଳିକ ସୁବିଧା ଦାବିରେ ଆଦିବାସୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଟ୍ରେନ ଯୋଗେ ଏକାଧିକ ଆଦିବାସୀ ପ୍ରତିନିଧି ଦିଲ୍ଲୀ ଯାତ୍ରା କରୁଥିବା ଦୃଶ୍ୟ ଦିଲ୍ଲୀର ଯନ୍ତର ମନ୍ତରଠାରେ ଏକତ୍ରିତ ହୋଇ ନିଜର ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବା ନେଇ ଏହି ଯାତ୍ରା କରାଯାଉଥିବା ଜଣାପଡ଼ିଛି। ବିଶେଷକରି ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ, ମାତୃଭାଷାରେ ଶିକ୍ଷାର ସୁଯୋଗ, ମୌଳିକ ଭିତ୍ତିଭୂମି ଏବଂ ନିଜସ୍ୱ ଅଧିକାର ସୁନିଶ୍ଚିତ କରିବା ଦାବି ଉଠିଛି। ଆଦିବାସୀ ଅଞ୍ଚଳରେ ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କିତ ସମସ୍ୟା ନେଇ ପୂର୍ବରୁ ମଧ୍ୟ ଆଲୋଚନା ହୋଇଆସୁଛି। ଆଦିବାସୀ ସମାଜର ଦାବି— ଅଧିକାର ସହ ସମ୍ମାନଜନକ ଜୀବନ, ଉନ୍ନତ ଶିକ୍ଷା ଓ ମୌଳିକ ସୁବିଧା। ଏହି ଦାବିକୁ ନେଇ ଦିଲ୍ଲୀର ଯନ୍ତର ମନ୍ତରରେ ସ୍ୱର ଉଠାଇବା ପାଇଁ ଯାତ୍ରା କରିଛନ୍ତି ଆଦିବାସୀ ପ୍ରତିନିଧିମାନେ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ଘୋର ଅବ୍ୟବସ୍ଥା ଭିତରେ ରସୁଲପୁର ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ
ଯାଜପୁର, ତା ୦୩.୦୯.୨୦୨୬ ରିଖ: ଯାଜପୁର ଜିଲ୍ଲା ରସୁଲପୁର ପଞ୍ଚାୟତ ସମିତି ପରିସରରେ ଆଜି ବ୍ଲକ୍ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ୨୦୨୬ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସଶକ୍ତୀକରଣ ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରୀ ସହାୟତାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଶିବିରରେ ମୋଟ ୩୧୫ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜୀକରଣ କରିବା ସହ ଡାକ୍ତରୀ ଦଳ ଦ୍ୱାରା ସେମାନଙ୍କର ମୂଲ୍ୟାଙ୍କନ ଓ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ୧୬୫ ଜଣ ଶାରୀରିକ ଭିନ୍ନକ୍ଷମ (OH), ୪୨ ଜଣ ଦୃଷ୍ଟିହୀନ (VI), ୪୨ ଜଣ ଶ୍ରବଣବାଧିତ (HI), ୪୫ ଜଣ ମାନସିକ ଅଗ୍ରସର/ସିପି (MR/CP) ଏବଂ ୨୧ ଜଣ ବହୁବିଧ ଭିନ୍ନକ୍ଷମ (MD) ହିତାଧିକାରୀ ଶିବିରରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ତୁରନ୍ତ ସହାୟତା ସ୍ୱରୂପ ହିତାଧିକାରୀଙ୍କୁ ୭ଟି ଶ୍ରବଣ ଯନ୍ତ୍ର (Hearing Aid), ୨ଟି ଟ୍ରାଇ-ସାଇକେଲ୍ (Tricycle), ୧ଟି ହୁଇଲ୍ ଚେୟାର୍ (Wheelchair) ଏବଂ ୧୨ ଜଣଙ୍କୁ UDID ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, କୋରେଇଙ୍କ ପ୍ରତିନିଧି ଶ୍ରୀ ପ୍ରହଲ୍ଲାଦ ପଣ୍ଡା, ଧର୍ମଶାଳା ବିଧାୟକଙ୍କ ପ୍ରତିନିଧି ଶ୍ରୀ ତୀର୍ଥରାଜ ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଜାନକୀ ହେମ୍ବ୍ରମ୍, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରସୁଲପୁର ଶ୍ରୀ ସତ୍ୟାନନ୍ଦ ଦାସ, ବ୍ଲକ ର ସମସ୍ତ ଅଧିକାରୀ ଓ କର୍ମଚାରୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସବୁ କାର୍ଯ୍ଯକ୍ରମ ଭିତର ଜଣେ ବୃଦ୍ଧ ଅଚେତ୍ ହୋଇଯିବା ନଜର କୁ ଆସିଥିଲା , ଅସୁସ୍ଥ ବୃଦ୍ଧ ହେଲେ ଜେନାପୁର ଅଞ୍ଚଳର ଗୌରାଙ୍ଗ ଚରଣ ପାତ୍ର, ବୟସ -୮୦ , ପ୍ରାୟ ୧ଘଣ୍ଟା କାଳ ଅଣ ନିଶ୍ୱାସ ଅବସ୍ଥାରେ ପଡିରହିଲେ, ୧୦୮ ଆମ୍ବୁଲାନ୍ସ ଅପେକ୍ଷାରେ, ପ୍ରବଳ ଭିଡ଼ ସାଙ୍ଗକୁ ଗୁଳୁଗୁଳି ଗରମ ଅସହ୍ୟ ଥିଲା ଯାହାଫଳରେ ବୃଦ୍ଧ, ବୃଦ୍ଧା ମାନଙ୍କ ପାଇଁ କୌଣସି ସୁବିଧାର ବ୍ୟବସ୍ଥା ନଥିଲା, ଯାହା ଫଳରେ ଜଣେ ବୃଦ୍ଧ କାର୍ଯ୍ଯକ୍ରମ ମଝିରେ ଚେତା ହରାଇବସିଥିଲେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା,କାର୍ଯ୍ୟକ୍ରମ ରେ ଅନେକ ଗୁଡ଼ିଏ ସମସ୍ୟ ଦେଖା ଦେଇଥିଲା ଯେପରି ପିଇବା ପାଣି, ଖାଦ୍ୟ ସମସ୍ୟା, ଫ୍ୟାନ ସମସ୍ୟା ଏହିଭଳି ଅନେକ ସମସ୍ୟା ମଧ୍ୟରେ ଚାଲିଥିଲା କାର୍ଯ୍ଯକ୍ରମ,
Jajpur (ଯାଜପୁର) • ରିପୋର୍ଟ _ନିରୋଜ କୁମାର ସେଠୀ

ଆଖଣ୍ଡଳମଣି ରାସ୍ତାରେ ଦୁର୍ଘଟଣା: କାର୍ ଧକ୍କାରେ ବୃଷଭ ଗୁରୁତର
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ଛକ ନିକଟରେ ଆଖଣ୍ଡଳମଣି ରାସ୍ତାରେ ଏକ କାର୍ ଧକ୍କାରେ ଏକ ବୃଷଭ ଗୁରୁତର ଆହତ ହୋଇଛି। ଘଟଣାକୁ ନେଇ କିଛି ସମୟ ପାଇଁ ରାସ୍ତାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ସୂଚନା ଅନୁଯାୟୀ, କାର୍ଟି ଦ୍ରୁତ ଗତିରେ ଆଖଣ୍ଡଳମଣି ରାସ୍ତାରେ ଯାଉଥିବା ସମୟରେ କୋଠାର ଛକ ନିକଟରେ ହଠାତ୍ ରାସ୍ତା ଉପରେ ଏକ ବୃଷଭକୁ ଦେଖିଥିଲା। ଏହାପରେ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ବୃଷଭକୁ ଧକ୍କା ଦେଇଥିଲେ। ଧକ୍କାରେ ବୃଷଭଟି ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଲୋକମାନେ କାର୍ ଚାଳକଙ୍କୁ ପଚରାଉଚରା କରିବା ସହ ଆହତ ବୃଷଭଟିର ଚିକିତ୍ସା ବ୍ୟବସ୍ଥା କରିଥିଲେ। ଘଟଣାକୁ ନେଇ କିଛି ସମୟ ଧରି ସେଠାରେ ଉତ୍ତେଜନା ଲାଗିରହିଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବଂ କାର୍ର ଚାଳକଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଭଜନ, କୀର୍ତ୍ତନରେ ଭାବବିହ୍ୱଳ ଭକ୍ତ; ଆଧ୍ୟାତ୍ମିକ ପରିବେଶରେ ଜୟନଗର
ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଅବସରରେ ଭକ୍ତିମୟ ହୋଇଉଠିଛି ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳ। ଭକ୍ତଙ୍କ ଘରେ ଘରେ ଆୟୋଜିତ ହେଉଛି ସତସଙ୍ଗ। ଭଜନ, କୀର୍ତ୍ତନ ଓ ଠାକୁରଙ୍କ ଆଧ୍ୟାତ୍ମିକ ବାଣୀରେ ଭକ୍ତମାନେ ହେଉଛନ୍ତି ଭାବବିହ୍ୱଳ। ଏହି କ୍ରମରେ ଧାମନଗର ଅଞ୍ଚଳର ଜୟନଗର ଗ୍ରାମର ପ୍ରଭାକର ସ୍ୱାଇଁଙ୍କ ଘରେ ଆୟୋଜିତ ହୋଇଥିଲା ଏକ ବିଶେଷ ସତସଙ୍ଗ। ଏଥିରେ ମହିଳା ଓ ପୁରୁଷ ଭକ୍ତଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ସତସଙ୍ଗରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୀବନୀ, ଆଦର୍ଶ ଓ ବିଭିନ୍ନ ଆଧ୍ୟାତ୍ମିକ ବାଣୀ ଉପରେ ଆଲୋଚନା କରାଯାଇଥିଲା। ପୂଜାପାଠ ପରେ ଭକ୍ତମାନେ ଭଜନ ଓ ନାଚଗୀତରେ ମସଗୁଲ ହୋଇଥିଲେ। ଭକ୍ତିରସରେ ବୁଡ଼ି ଯାଇଥିଲା ସମଗ୍ର ପରିବେଶ। ଏହି ସତସଙ୍ଗରେ ଦୂରଦୂରାନ୍ତରୁ ମଧ୍ୟ ଅନେକ ଭକ୍ତ ଆସି ଯୋଗଦେଇଥିଲେ। ଠାକୁରଙ୍କ ପ୍ରତି ଭକ୍ତଙ୍କ ଅଗାଢ଼ ଶ୍ରଦ୍ଧା ଓ ଭକ୍ତି ଏଠାରେ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା। ପୂଜାପାଠ ଓ ସତସଙ୍ଗ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଭକ୍ତ ଏକାଠି ହୋଇ ପ୍ରସାଦ ସେବନ କରିଥିଲେ। ଠାକୁରଙ୍କ ଜନ୍ମମାସରେ ଏଭଳି ଘରେ ଘରେ ସତସଙ୍ଗ ଆୟୋଜନ ଭକ୍ତମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ଆଧ୍ୟାତ୍ମିକ ଚେତନାକୁ ଆହୁରି ମଜବୁତ କରୁଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ପିପିଲି ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ: ଗ୍ରାମାଞ୍ଚଳର ବିକାଶ ଓ ସମସ୍ୟାର ସମାଧାନ ଉପରେ ବିଧାୟକଙ୍କ ଗୁରୁତ୍ଵ
ପିପିଲି, : ପିପିଲି ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଆଜି ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ବୈଠକ ଅଧିବେଶନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ସ୍ଥାନୀୟ ଡେଲାଙ୍ଗ-ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମିତିର ଅଧ୍ୟକ୍ଷା ଦେବସ୍ଵନୀ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ପିପିଲି ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ (BDO), ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ସ୍ୱାଇଁଙ୍କ ସମେତ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ। ବୈଠକରେ ମୁଖ୍ୟତଃ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ, ଗ୍ରାମୀଣ ଅର୍ଥନୀତିକୁ ଶକ୍ତିଶାଳୀ କରିବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ କରିବା ଦିଗରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏହି ଅବସରରେ ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ନିଜ ବକ୍ତବ୍ୟରେ ଗ୍ରାମାଞ୍ଚଳର ସଶକ୍ତୀକରଣ ଉପରେ ଆଲୋକପାତ କରିବା ସହ ଲୋକଙ୍କ ସମସ୍ୟାକୁ ଦୂର କରିବା ପାଇଁ ସମସ୍ତ ପ୍ରତିନିଧି ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଶେଷରେ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ଗ୍ରାମର ପ୍ରଗତି ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।
Puri (ପୁରୀ) • ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ, ପିପିଲି

ସମାଜସେବାରୁ ରାଜନୀତି ମଇଦାନକୁ ଓହ୍ଲାଇବେ କି ଗୌତମ?
ସମାଜସେବା, ରକ୍ତଦାନ ଓ ଯୁବପିଢ଼ିଙ୍କ ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟ ମାଧ୍ୟମରେ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ପଞ୍ଚାୟତ ବନସର ଗ୍ରାମର ଯୁବକ ଗୌତମ ସାହୁ। ମଧ୍ୟବିତ୍ତ ପରିବାରରେ ବଢ଼ିଥିବା ଗୌତମ ପାଠପଢ଼ା ସହ ସମାଜସେବାକୁ ମଧ୍ୟ ନିଜ ଜୀବନର ଅଂଶ କରିଛନ୍ତି। ଗ୍ରାଜୁଏସନ୍ ପରେ ଜାଭିୟର୍ କଲେଜ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟରେ ଅଧ୍ୟୟନ ସମ୍ପୂର୍ଣ୍ଣ କରିଥିବା ଗୌତମ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଗରିବ, ଦୁସ୍ଥ ଓ ଅସହାୟଙ୍କୁ ସହଯୋଗ କରିଆସିଛନ୍ତି। ତାଙ୍କ ସମାଜସେବାର ଏକ ଉଲ୍ଲେଖନୀୟ ଦିଗ ହେଉଛି ୨୮ ବର୍ଷ ବୟସରେ ୨୮ ଥର ରକ୍ତଦାନ। ଏହି କାର୍ଯ୍ୟ ପାଇଁ ସେ ବିଭିନ୍ନ ସଂଗଠନ ପକ୍ଷରୁ ମାନପତ୍ର ଓ ସମ୍ମାନ ମଧ୍ୟ ପାଇଛନ୍ତି। କେବଳ ସମାଜସେବା ନୁହେଁ, ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ତାଙ୍କର ସକ୍ରିୟତା ରହିଛି। ଏଥିସହ ଆରଏସଏସ, ଏବିଭିପି ଓ ସ୍ୱଦେଶୀ ଜାଗରଣ ମଞ୍ଚ ସହ ଜଡ଼ିତ ରହି ବିଭିନ୍ନ ଦାୟିତ୍ୱ ତୁଲାଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାର ଯୁବପିଢ଼ିଙ୍କୁ ସ୍ୱରୋଜଗାର ମାଧ୍ୟମରେ ନିଜ ଗୋଡ଼ରେ ଠିଆ କରାଇବା ଏବଂ ଗାଁଗୁଡ଼ିକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ମଧ୍ୟ ଗୌତମଙ୍କ ଚିନ୍ତାଧାରା ରହିଛି। ଏବେ ତାଙ୍କୁ ନେଇ ଅଞ୍ଚଳରେ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ସମାଜସେବାରୁ କଣ ରାଜନୀତି ମଇଦାନକୁ ଓହ୍ଲାଇବେ ଗୌତମ? ଆଗାମୀ ଦିନରେ ତାଙ୍କୁ ରାଜନୈତିକ ମଞ୍ଚରେ ଦେଖିବାକୁ ମିଳିବ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଚାଲିଛି। ତେବେ କେଉଁ ଦଳରେ ଯୋଗଦେବେ କିମ୍ବା ରାଜନୀତିକୁ ନ ଆସି ସମାଜସେବାକୁ ଆହୁରି ବ୍ୟାପକ କରିବେ—ସେନେଇ ଗୌତମଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ। ତେଣୁ ଚର୍ଚ୍ଚା କେତେଦୂର ବାସ୍ତବ ରୂପ ନେବ, ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ନଜର ଗୌତମ ସାହୁଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ଶିକ୍ଷା ପୁରସ୍କାର ରେ ସାମିଲ ହେଲା ରେଙ୍ଗାଲପାଲି ୟୁପି ସ୍କୁଲ
କଳାହାଣ୍ଡି, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଗୁରୁଦିବସ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠନ ଗୁଡ଼ିକର ଉନ୍ନତି ଶିକ୍ଷାଦାନ, ଶୈଖିକ ପରିବେଶ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି।କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟରେ ତୃତୀୟ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଜୟପାଟଣା ବ୍ଳକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗାଲପାଲି ଶିକ୍ଷା ବର୍ଷ ୨୦୨୪ ପାଇ ଶ୍ରେଷ୍ଠ ଆଲୁମିନି ଓ ଶିକ୍ଷାବର୍ଷ ୨୦୨୫ ପାଇଁ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମନୋନୀତ ହୋଇଛି। ଏହା ପୂର୍ବରୁ ମଧ୍ୟ ବିଦ୍ୟାଳୟ ଜିଲ୍ଲା, ବ୍ଲକ ସ୍ତରୀୟ ବିଭିନ୍ନ ପୁରସ୍କାର ଗ୍ରହଣ କରି ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ଗଢି ତୋଳିବାରେ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ଙ୍କ ଅବଦାନ ଅତୁଳନୀୟ ଅଟେ। ବିଦ୍ୟାଳୟର ଆନୁସାଙ୍ଗିକ ବିକାଶ,ଶୈକ୍ଷିକ ଉନ୍ନତି, ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ସମସ୍ତ ବିଦ୍ୟାଳୟ ଠାରୁ ସ୍ୱତନ୍ତ୍ର ଲାଭ କରିଛି। ବିଦ୍ୟାଳୟର ଗ୍ରାମ୍ୟ ଯୁବକ, ପରିଚାଳନା କମିଟି ଙ୍କ ସହଯୋଗ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ଟା, ଉଦ୍ୟମ ପ୍ରଶଂସାଯୋଗ୍ୟ। ରାଜ୍ୟ ସ୍ତରୀୟ ଶ୍ରେଷ୍ଠ ପୁରସ୍କାର ପାଇବା ଖବର ଶୁଣି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।ରାଜ୍ୟ ସ୍ତରରେ ବିଦ୍ୟାଳୟ ର ଉଲ୍ଲେଖନିୟ ସଫଳତାର ଶ୍ରେୟ ଗ୍ରାମବାସୀ, ସ୍ବେଛାସେବୀ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ, ପରିଚାଳନା କମିଟି ଓ ଛାତ୍ରଛାତ୍ରୀ ଙ୍କୁ ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ପ୍ରଦାନ କରିଛନ୍ତି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ, ଜୟପାଟଣା

ଅବକାରୀ ବିଭାଗର ଚଢ଼ାଉ: ଦୁଇଟି ମାମଲାରେ ମଦ ଜବତ, ୨ ଗାଡ଼ି ଜବତ
ଖୋର୍ଦ୍ଧା, : ଖୋର୍ଦ୍ଧା ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମଦ କାରବାର ବିରୋଧରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଦୁଇଟି ପୃଥକ ମାମଲାରେ ବିପୁଳ ପରିମାଣର ‘ଆସ୍କା-୪୦’ ଦେଶୀ ମଦ ଜବତ ହୋଇଥିବା ବେଳେ ମଦ ପରିବହନରେ ବ୍ୟବହୃତ ଦୁଇଟି ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି।ପ୍ରଥମ ମାମଲାରେ ୮୦ଟି ଆସ୍କା-୪୦ ବୋତଲ ଜବତ ହୋଇଥିବା ବେଳେ ଏକ ଲାଲ ରଙ୍ଗର Hero HF Deluxe ମୋଟରସାଇକେଲ ଜବତ ହୋଇଛି। ସେହିପରି ଦ୍ୱିତୀୟ ମାମଲାରେ ୮୦ଟି ଆସ୍କା-୪୦ ବୋତଲ ଜବତ ହୋଇଥିବା ବେଳେ ଏକ ଲାଲ ରଙ୍ଗର Bajaj Discover ମୋଟରସାଇକେଲ ଜବତ କରାଯାଇଛି।ଅବକାରୀ ବିଭାଗ ପକ୍ଷରୁ ଉଭୟ ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି। ଅବୈଧ ମଦ କାରବାର ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜୋରଦାର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ନୂତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସମାରୋହ
ରାଉରକେଲା :ରାଉରକେଲା ଆଇନ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମହାବିଦ୍ୟାଳୟର ଅଧକ୍ଷା ଡ଼କ୍ଟର ସମ୍ପାଦିକା ମହାନ୍ତି ଅଧକ୍ଷତା କରି ନିଜ ବକ୍ତବ୍ୟରେ କଲେଜର ନବାଗତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ ଓ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଲକ୍ଷ୍ୟପଥରେ ପହଞ୍ଚିବା ପାଇଁ ଛାତ୍ରଛାତ୍ରୀ ଦୃଢ ନିଷ୍ଟା ଓ ଅଧ୍ୟବସାୟ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ l କଲେଜ ର ଅତିଥି ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ପ୍ରାଧ୍ୟାପକ, କର୍ମଚାରୀ ପ୍ରମୁଖ ଯୋଗଦେଇ ନବlଗତ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାର ସହିତ ଶିକ୍ଷାଗ୍ରହଣ ଓ ଶୃଙ୍ଖଳିତ ଜୀବନ ଅତିବାହିତ କରିବାପାଇଁ ପରାମର୍ଶ ଦେଇଥିଲେ l ଏହାପରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସମ୍ଭିଧାନର ମୁଖପତ୍ର, ମହାବିଦ୍ୟାଳୟର ଛାତ୍ରନୀତି, ପାଠାଗାର ନୀତି ସହିତ ପାଠ୍ୟକ୍ରମ ଏବଂ ବିଷୟବସ୍ତୁ ସମ୍ଭଳିତ ଏକ କିଟ ପ୍ରଦାନ କରାଯାଇଥିଲା l ଛାତ୍ର ଅମିତ ପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ ଛାତ୍ର ହବିବୁର ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ l
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ନିଶାମୁକ୍ତ ଭାରତ ଅଭିଯାନ
ରାଉରକେଲା: "ନିଶାମୁକ୍ତ ଭାରତ ଅଭିଯାନ "ଭାରତ ସରକାରଙ୍କ "ସାମାଜିକ ନ୍ୟାୟ ଓ ଅଧିକାରିତା"ନ୍ୟାୟାଳୟ ଦ୍ୱାରା ୧୫ଅଗଷ୍ଟ ୨୦୨୦ ରେ ଆରମ୍ଭ ହୋଇଥିବା ଏକ ରାଷ୍ଟ୍ରୀୟ ଅଭିଯାନ, ଯାହାର ଉଦ୍ଦେଶ୍ୟ ଭାରତକୁ ନିଶାମୁକ୍ତକରିବା,ଏହି ଉଦ୍ଦେଶ୍ୟ ନେଇ ରାଉରକେଲା ଆଇନ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧକ୍ଷା ଡ଼କ୍ଟର ସମ୍ପାଦିକା ମହାନ୍ତି ଙ୍କ ଅଧକ୍ଷତାରେ ଓ (IQAC) ସଂଯୋଜକ ଡକ୍ଟର ତନ୍ମୟ ରାଜ ପାଢ଼ୀ ଙ୍କ ସଂଯୋଜନାରେ "ନିଶାମୁକ୍ତ ଭାରତ ଅଭିଯାନ "ପରିପ୍ରେକ୍ଷୀରେ ଏକ କର୍ମଶାଳାର ଆୟୋଜନ ବ୍ରହ୍ମକୁମାରୀ ସଂଗଠନର "ମିଶନ ସ୍ପନ୍ଦନ "କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଥିଲା l ଏହି କର୍ମଶାଳାରେ ମିଶନ ସ୍ପନ୍ଦନର କର୍ମକର୍ତ୍ତା ବ୍ରହ୍ମ କୁମାରୀ ସୁଦୀପ, ବ୍ରହ୍ମ କୁମାରୀ ରାଜୀବ, ବ୍ରହ୍ମ କୁମାରୀ ରିତା ଯୋଗଦେଇଥିଲେ l ବ୍ରହ୍ମ କୁମାରୀ ରାଜୀବ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିଶାର ଅପକାରିତା ବିଷୟରେ ଆଲୋଚନା କରିଥିଲେ l ସେ ସଚିନ ତେନ୍ଦୁଲକର, ଧ୍ୟାନଚନ୍ଦ ଏହିପରି ଅନେକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱର ଉଦାହରଣ ଦେଇ ସେମାନଙ୍କ ପରି ଭଲ ଅଭ୍ୟାସକୁ ନିଶା ରୂପେ ଗ୍ରହଣ କରିବା ପାଇଁ ଉପଦେଶ ଦେଇଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶପଥପାଠ କରାଇଥିଲେ l ସେମାନେ ନିଜକୁ ଭଲପାଇଲେ ଏବଂ ସମ୍ମାନ ଦେଲେ, ଆମେ ନିଶାଠାରୁ ନିଜକୁ ଦୁରେଇ ରଖିପାରିବା ର ଉପଦେଶ ଦେଇଥିଲେ l ଏହି କର୍ମଶାଳାରେ ପ୍ରାଧ୍ୟାପକ ଡକ୍ଟର ତନ୍ମୟ ରାଜ ପାଢ଼ୀ ଓ ଦ୍ୱିବେନ୍ଦୁ କୁମାର ପଣ୍ଡା ଭାରତୀୟ ସମ୍ବିଧାନରେ ନିଶାମୁକ୍ତ ଆଇନକୁ ତାଙ୍କ ବକ୍ତବ୍ୟରେ ଉପସ୍ଥାପିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, କାର୍ଯ୍ୟାଳୟ କର୍ମଚାରୀ ମାନେ ମଧ୍ୟ ଯୋଗଦେଇଥିଲେ l ଏହି କର୍ମଶାଳାର ମଞ୍ଚ ପରିଚାଳନା ଛାତ୍ର ଚିନ୍ମୟ ନାରାୟଣ ପ୍ରଧାନ କରିଥିଲେ ଓ ଛାତ୍ର ଧରିତ୍ରୀ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରି କର୍ମଶାଳାର ପରିସମାପ୍ତି ଘୋଷଣା କରିଥିଲେ l
Rourkela (ରାଉରକେଲା) • କୁଞ୍ଜ ବିହାରୀ ରାଉତ

ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ଶ୍ୱଶୁର ଗୁରୁତର: ଝଗ୍ରାହି ଛକ ନିକଟରେ ମର୍ମାନ୍ତୁକ ଦୁର୍ଘଟଣା; ପୁଅ ଅଳ୍ପକେ ବର୍ତ୍ତିଲେ
କୋମନା ଥାନା ଅନ୍ତର୍ଗତ ବିଜୁ ଫୋରୱେ ରାସ୍ତାର ଝଗ୍ରାହି ଗ୍ରାମ ଛକ ନିକଟରେ ଗୁରୁବାର ଏକ ମର୍ମାନ୍ତୁକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ବାଇକ୍ରେତିନି ଆରୋହି ଯାଉଥିବା ସମୟରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଶ୍ୱଶୁର ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପୁଅ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ, ଧୁମାଭଟା ଗ୍ରାମର ବାପ-ପୁଅ ଓ କୋଟ୍ରିବାହାଲ ଗ୍ରାମର ତାଙ୍କ ଶ୍ୱଶୁର ଏକ ବାଇକ୍ରେ ବିଜୁ ଫୋରୱେ ରାସ୍ତା ଦେଇ ଯାଉଥିଲେ। ଝଗ୍ରାହି ଗ୍ରାମ ଛକ ନିକଟରେ ଏକ ଟ୍ରକ୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ଜଣେ ବାଇକ୍ ଆରୋହୀ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ମୃତକଙ୍କ ଶ୍ୱଶୁର ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି। ଅନ୍ୟପକ୍ଷରେ ମୃତକଙ୍କ ପୁଅ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ କୋମନା ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଦୁର୍ଘଟଣାସ୍ଥଳରେ ତଦନ୍ତ କରିବା ସହ ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଓ ଘଟଣାର ପରିସ୍ଥିତି ନେଇ ପୁଲିସ ତଦନ୍ତ ଜାରି ରଖିଛି। ଏହି ଘଟଣାକୁ ନେଇ ଧୁମାଭଟା ଓ କୋଟ୍ରିବାହାଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Nuapada (ନୂଆପଡ଼ା) • ଗିରେନ୍ଦ୍ର କୁମାର ଜଗତ

ବ୍ରହ୍ମପୁର: ମେଡିକାଲ କଲେଜ କ୍ୟାମ୍ପସରୁ ରହସ୍ୟଜନକ ଭାବେ ନିଖୋଜ ହେଲେ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ର
ବ୍ରହ୍ମପୁରସ୍ଥିତ ପ୍ରସିଦ୍ଧ ଏମକେସିଜି (MKCG) ମେଡିକାଲ କଲେଜରୁ ଜଣେ ପ୍ରଥମ ବର୍ଷର MBBS ଛାତ୍ର ରହସ୍ୟଜନକ ଭାବେ ନିଖୋଜ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ଛାତ୍ରଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମର ସାଗର ସାହୁ। ଗତ ଅଗଷ୍ଟ ୩୧ ତାରିଖଠାରୁ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ। ସୂଚନା ଅନୁସାରେ, ସାଗର ମେଡିକାଲ କଲେଜର ଦୁଇଟି ପରୀକ୍ଷା ଦେଇଥିଲେ। ଗତ ସୋମବାର ଫିଜିଓଲୋଜି ପରୀକ୍ଷା ଚାଲିଥିବା ସମୟରେ ସେ ପରୀକ୍ଷା ହଲ୍ ବାହାରକୁ ଆସିବା ପରେ ଆଉ ହଷ୍ଟେଲକୁ ଫେରିନଥିଲେ। କଲେଜ କର୍ତ୍ତୃପକ୍ଷ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏହାପରେ କଲେଜର ଡିନ୍ଙ୍କ ଅଭିଯୋଗ ଆଧାରରେ ବୈଦ୍ୟନାଥପୁର ଥାନାରେ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ତଦନ୍ତ ସମୟରେ ପୋଲିସ ବ୍ରହ୍ମପୁର ରେଳଷ୍ଟେସନ ନିକଟରୁ ସାଗରଙ୍କ ମୋବାଇଲ୍ ଫୋନ୍ ଉଦ୍ଧାର କରିଛି। ସେ ଶେଷ ଥର ପାଇଁ ଏକ ଧଳା ସାର୍ଟ ପିନ୍ଧିଥିବା ଏବଂ କଲେଜ ବ୍ୟାଗ୍ ଧରିଥିବା ଜଣାପଡ଼ିଛି। ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ରେଳଷ୍ଟେସନ ଏବଂ କ୍ୟାମ୍ପସ ଆଖପାଖର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ସାଗରଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ପଚରାଉଚରା କରୁଛି। ଅନ୍ୟପଟେ ପୁଅର ନିଖୋଜ ଖବର ପାଇ ପରିବାର ଲୋକେ ଗଭୀର ମାନସିକ ଚିନ୍ତାରେ ଅଛନ୍ତି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଂଜନଗର
