--:--:--
-- ---
Srishti News

Web News

ବଡ଼ପଡ଼ାଗୁଡା ଗାଁରେ ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା
Aug 14, 2026•79 views

ବଡ଼ପଡ଼ାଗୁଡା ଗାଁରେ ସାମାନ୍ୟ ବଚସାରୁ ଯୁବକଙ୍କୁ ହତ୍ୟା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବଡ଼ପଡ଼ାଗୁଡା ଗାଁରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ, ବଡ଼ପଡ଼ାଗୁଡା ଗାଁର ଲଳିତ ପୂଝାରୀଙ୍କ (୩୦) ସହ କୌଣସି ଏକ ସାମାନ୍ୟ କଥାକୁ ନେଇ ବଚସା ଓ ଯୁକ୍ତିତର୍କ ହୋଇଥିଲା। ପରେ ଏହି ବଚସା ଉଗ୍ର ରୂପ ନେଇଥିବା ବେଳେ ଲଳିତ ଙ୍କୁ ଆକ୍ରମଣ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଆକ୍ରମଣରେ ଲଳିତ ଗୁରୁତର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମୃତ ଲଳିତଙ୍କ ପରିବାର ପକ୍ଷରୁ ଆମପାଣି ଥାନାରେ ଅଭିଯୋଗ କରାଯାଇଛି। ପରିବାରର ଅଭିଯୋଗ ଆଧାରରେ ସୁଶାନ୍ତ ନାୟକଙ୍କୁ ଆମପାଣି ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ଘଟଣାର ପ୍ରକୃତ କାରଣ ଏବଂ ଆକ୍ରମଣର ପରିସ୍ଥିତି ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ ବୋଲି ଜଣାପଡ଼ିଛି।

Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

ଜୁନାଗଡ଼ ସହର ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
Aug 14, 2026•154 views

ଜୁନାଗଡ଼ ସହର ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ଜୁନାଗଡ଼ ସହର ରେ ସ୍ଵାଧୀନତା ର ୮୦ ତମ ବର୍ଷ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବ୍ଲକ୍ ର ଶତାଧିକ ଜନସାଧାରଣ , ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ରୁ ମାଁ ଲଙ୍କେଶ୍ଵରୀ ମନ୍ଦିର ପର୍ୟ୍ୟନ୍ତ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଦେବାଶିଷ କର , ସହ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବେଦାନ୍ତ ମାଝୀ , ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ତୁଷାର ସାହୁ,ବ୍ଲକ୍ ଅଧ୍ୟକ୍ଷ ଶ୍ରୀମତୀ ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା , ଭାରତୀୟ ଜନତା ପାର୍ଟି ଜିଲ୍ଲା ଉପାଧ୍ୟକ୍ଷ କାଞ୍ଚନ ବାଗ , ସରପଞ୍ଚ ସଂଘ ବ୍ଲକ୍ ସଭାପତି ଶ୍ରୀ ତାର ଶଙ୍କର ରାୟଗୁରୁ ଙ୍କ ସହ ଅନେକ ଜନ ପ୍ରତିନିଧି, ଜନସାଧାରଣ ଭାଗ ନେଇ ଥିଲେ।

Kalahandi (କଳାହାଣ୍ଡି) • ଦେବରାଜ ବଣୁଆ, ଜୁନାଗଡ

ଚିକିଟିରେ ପ୍ରଶାସନ ଓ ବିଧାୟକ ଙ୍କ ହର ଘର ତ୍ରିରଙ୍ଗା ପଦଯାତ୍ରା
Aug 14, 2026•44 views

ଚିକିଟିରେ ପ୍ରଶାସନ ଓ ବିଧାୟକ ଙ୍କ ହର ଘର ତ୍ରିରଙ୍ଗା ପଦଯାତ୍ରା

ସ୍ବାଧୀନତାର ଅଶୀ ତମ ବର୍ଷ ପାଳନ ଉପଲକ୍ଷେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ।ଏ ମଧ୍ୟରୁ ଘର ଘର ତିରଙ୍ଗା କାର୍ଯ୍ୟକ୍ରମରେ ଲୋକଙ୍କୁ ସ୍ବାଧୀନତାର ଅମର କାହାଣୀ ଓ ଜାତୀୟ ପତାକାକୁ ଘରେ ଘରେ ପହଞ୍ଚାଇ ଅଗଷ୍ଟ ପନ୍ଦର ଦିନ ଟିକୁ ଗୈ।ରବର ସହ ପାଳନ କରିବା ଯୋଜନା ବିଗତ ବର୍ଷ ଠାରୁ ଚାଲିଆସିଛି। ଏଥିପାଇଁ ଚିକିଟି ବିଧାୟକ ଗତ କାଲି ପାତ୍ରପୁର ବ୍ଲକ ରେ ପଦଯାତ୍ରା କରି ସଚେତନତା ସୃଷ୍ଟି କରିଥିବା ବେଳେ ଆଜି ଚିକିଟି ବ୍ଲକ୍ ତରଫରୁ ଏକ ବିଶାଳ ରାଲି ବାହାରି ଧାନଘର, ଚିକିଟି ପେଣ୍ଠ,କରବାଲୁଆ,ଗଡ ଇତ୍ୟାଦି ଅଞ୍ଚଳ ପରିକ୍ରମା କରିଥିଲେ। ବିଧାୟକ ଶ୍ରୀ ମନୋରଞ୍ଜନ ସାମନ୍ତରା ଆଗରେ ରହି ଜାତୀୟ ପତକା ସହ ପରିକ୍ରମା କରୁଥିବାର ଦେଖାଦେଇଥିଲା ତାଙ୍କ ସହ ଶହ ଶହ କର୍ମୀ ଓ ଜନତା ସାଥି ହୋଇଥିଲେ।ପଦାତିକ ପରେ ସାଇକେଲ ଆରୋହୀ ଓ ତାପରେ ବାଇକ୍ ଆରୋହୀ ମାନେ ତ୍ରିରଙ୍ଗା ଲଗାଇ ଏ ୱତନ ଗୀତ ଗାଇ ଯାଉଥିଲେ। ପଟୁଆର ଦେଖିଲେ ଆପେ ଦର୍ଶକଙ୍କ ଦେଶାତ୍ମବୋଧ ଜାତ ହେଉଥିଲା। ଏଥିରେ ବିଡ଼ିଓ ଶ୍ରୀ ବିବେକାନନ୍ଦ ମିଶ୍ର, ତହସିଲଦାର ଶ୍ରୀ ବିଶ୍ବ ରଞ୍ଜନ କହଁର,ଏନ୍ ଏ ସି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ସୋରେନ, ସିଡ଼ିପିଓ, ବନବିଭାଗ,ପୂର୍ତ୍ତ ବିଭାଗ, ବିଭିନ୍ନ ବିଭାଗର କର୍ମଚାରୀ , ଅଙ୍ଗନବାଡି ଓ ଆଶାକର୍ମୀ ଗଣ ଯୋଗଦେଇ ପଟୁଆରକୁ ଅଧିକ ଆକର୍ଷଣୀୟ କରିପାରିଥିଲେ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ

ସ୍ବର୍ଗତା ସଞ୍ଜୁଲତା ପରିଡ଼ାଙ୍କ ଏକାଦଶାହରେ ଶ୍ରୀନାଥ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି
Aug 14, 2026•41 views

ସ୍ବର୍ଗତା ସଞ୍ଜୁଲତା ପରିଡ଼ାଙ୍କ ଏକାଦଶାହରେ ଶ୍ରୀନାଥ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି

ଯାଜପୁର: ଧର୍ମଶାଳା ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଶ୍ରୀନାଥ ମିଶ୍ର ଧର୍ମଶାଳା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସ୍ବର୍ଗତା ସଞ୍ଜୁଲତା ପରିଡ଼ାଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ମିଶ୍ର ସ୍ବର୍ଗତା ସଞ୍ଜୁଲତା ପରିଡ଼ାଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ସାମାଜିକ ଓ ଜନସେବା କ୍ଷେତ୍ରରେ ଅବଦାନକୁ ସ୍ମରଣ କରିଥିଲେ। ତାଙ୍କ ବିୟୋଗରେ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ପ୍ରଦାନ କରିବାକୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏକାଦଶାହ କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା, କର୍ମୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଯୋଗଦେଇ ସ୍ବର୍ଗତାଙ୍କ ପ୍ରତି ଶୋକ ଓ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁର

ଭଦ୍ରକ ଜିଲ୍ଲାରେ ପୁଣି ବନ୍ୟା: ବୈତରଣୀ ନଦୀର ପାଣି ଚାଷ ଜମିରେ ପଶିଲା
Aug 14, 2026•43 views

ଭଦ୍ରକ ଜିଲ୍ଲାରେ ପୁଣି ବନ୍ୟା: ବୈତରଣୀ ନଦୀର ପାଣି ଚାଷ ଜମିରେ ପଶିଲା

ଭଦ୍ରକ ଜିଲ୍ଲା ସୋହଡା ପଞ୍ଚାୟତ ଅଧୀନ ମଳିମହାରା ଚଟାଣା ଅଞ୍ଚଳରେ ପୁଣିଥରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ନଦୀର ବନ୍ୟା ପାଣି ବାହାରି ଚାଷ ଜମିରେ ପଶୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଫଳରେ ଚାଷୀମାନଙ୍କ ମଧ୍ୟରେ ପୁଣି ଚିନ୍ତା ବଢ଼ିଛି। ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ବତନ ସରପଞ୍ଚ ପ୍ରମୋଦ ସୁତାର। ଚଳିତ ବର୍ଷ ଏହା ଦ୍ୱିତୀୟ ଥର ବନ୍ୟା ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି। ବନ୍ୟା ପାଣି ଅଧିକ ଅଞ୍ଚଳକୁ ନପଶିବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ସହ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ସରକାରୀ କାର୍ଯ୍ୟଦିବସରେ ସ୍ୱାସ୍ଥ୍ୟକେନ୍ଦ୍ର ହିସାବ ବିଭାଗରେ ତାଲା
Aug 14, 2026•66 views

ସରକାରୀ କାର୍ଯ୍ୟଦିବସରେ ସ୍ୱାସ୍ଥ୍ୟକେନ୍ଦ୍ର ହିସାବ ବିଭାଗରେ ତାଲା

ଟାଙ୍ଗୀ: ସରକାରୀ କାର୍ଯ୍ୟଦିବସରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ହିସାବ ବିଭାଗ କାର୍ଯ୍ୟାଳୟ ବନ୍ଦ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଗଷ୍ଟ ୧୩ ତାରିଖ ଗୁରୁବାର ସରକାରୀ କାର୍ଯ୍ୟଦିବସ ଥିବା ସତ୍ତ୍ୱେ ଉକ୍ତ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ହିସାବ ବିଭାଗର ଦାୟିତ୍ୱରେ ଥିବା କର୍ମଚାରୀ ସରକାରୀ ନିବାସରେ ରହୁଥିଲେ ମଧ୍ୟ ସେଦିନ କାର୍ଯ୍ୟାଳୟ ଖୋଲିବାକୁ ଆସିନଥିବା ଅଭିଯୋଗ ହୋଇଛି। ଫଳରେ ବିଭିନ୍ନ କାମରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଲୋକେ ହଇରାଣ ହେଉଥିବା ଅଭିଯୋଗ ଉଠିଛି। ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଭାବେ ଡା. ସତ୍ୟରଞ୍ଜନ ନନ୍ଦ ଦାୟିତ୍ୱରେ ଅଛନ୍ତି। ସେ ପ୍ରସୂତି ରୋଗୀଙ୍କ ଚିକିତ୍ସା, ପ୍ରସବ ଓ ଅସ୍ତ୍ରୋପଚାର ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବାରୁ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ କିଛି କର୍ମଚାରୀ ନିଜ ଦାୟିତ୍ୱରେ ଅବହେଳା କରୁଥିବା ନେଇ ସ୍ଥାନୀୟ ମହଲରୁ ଅଭିଯୋଗ ହୋଇଛି। ସରକାରୀ କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟରେ ଖୋଲିବା ଓ ସାଧାରଣ ଲୋକଙ୍କୁ ସେବା ଯୋଗାଇବା ସରକାରୀ କର୍ମଚାରୀଙ୍କ ଦାୟିତ୍ୱ। ଏଭଳି ଅବ୍ୟବସ୍ଥା ଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଲୋକେ ଅନାବଶ୍ୟକ ଭାବେ ହଇରାଣ ହେଉଥିବାରୁ ଘଟଣାର ତଦନ୍ତ କରି ଦାୟୀ କର୍ମଚାରୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରାଯିବାରୁ ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିବା ଜଣାପଡ଼ିଛି।

Khordha (ଖୋର୍ଦ୍ଧା) • ରିପୋର୍ଟ: ଯଦୁମଣି ବେହେରା, ଚିଲିକା, ଖୋର୍ଦ୍ଧା

ଅଜଣା ଗାଡ଼ି ଧକ୍କାରେ ଗୋମାତା ଗୁରୁତର
Aug 13, 2026•62 views

ଅଜଣା ଗାଡ଼ି ଧକ୍କାରେ ଗୋମାତା ଗୁରୁତର

ବଲବୀଘାଟ ପୋଲ ଉପରେ ରାତିରେ ଗୋମାତା ଶୋଇଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଧକ୍କାରେ ଗୋମାତା ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ି ରହିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଗୋମାତାକୁ ଉଦ୍ଧାର କରିଥିଲେ। ପରେ ତାହାର ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ଗ୍ରାମବାସୀଙ୍କ ଏହି ମାନବିକ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଅନ୍ୟପଟେ, ନିଜ ପ୍ରିୟ ଗାଈ ଗୁରୁତର ଆହତ ହୋଇଥିବା ଖବର ପାଇ ଗାଈର ମାଲିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୋମାତାର ଅବସ୍ଥା ଦେଖି ସେ ଭାଙ୍ଗିପଡ଼ି କାନ୍ଦି କାନ୍ଦି ଘରକୁ ଫେରିଥିବା ଜଣାପଡ଼ିଛି। ଘଟଣାରେ ଜଡ଼ିତ ଅଜଣା ଗାଡ଼ିକୁ ଚିହ୍ନଟ କରି ଚାଳକଙ୍କ ବିରୋଧରେ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଆଳି ଓ ରାଜକନିକା ବ୍ଲକରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଏବଂ ବାଇକ ରାଲି
Aug 13, 2026•216 views

ଆଳି ଓ ରାଜକନିକା ବ୍ଲକରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଏବଂ ବାଇକ ରାଲି

କେନ୍ଦ୍ରାପଡ଼ା ଜିଲ୍ଲାର ଆଳିନିର୍ବାଚନ ମଣ୍ଡଳୀର ଆଳି ଏବଂ ରାଜକନିକା ଏହି ଉଭୟ ଦୁଇଟି ବ୍ଲକରେ ହଜାର ହଜାର ସଂଖ୍ୟାର ଜନସାଧାରଣ ମାନଙ୍କୁ ନେଇ ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଏବଂ ଆମ ଦେଶ ଭାରତର ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଆହ୍ୱାନ କ୍ରମେ ଏବଂ ଆମ ରାଜ୍ୟ ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡିଶା ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହ‌ନ ସାମଲଙ୍କ ନିର୍ଦେଶ କ୍ରମେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ବା ବାଇକ ରାଲି କରାଯାଇଛି । ଆଳି ବ୍ଲକର ପତ୍ରପୁର ସେତୁ ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଆଳି ବ୍ଲକ, ଥାନା, ତହସିଲ ଦେଇ ଡ଼ାକବଙ୍ଗଳା ଜଳ ସମ୍ପଦ କାର୍ଯ୍ୟାଳୟରୁ ବାହାରି ଖରାସ୍ରୋତା ନଦୀ ସେତୁ (ଗଡ଼ଗଡି ପୋଲ ) ଶ୍ୱେତ୍ତୀୟ ରାଜ୍ୟ ରାଜପଥ 20ର କଟକ -ଚାନ୍ଦବାଲି ମୁଖ୍ୟରାସ୍ତାରେ ଆସିଥିଲେ ଏବଂ ରାଜକନିକା ବ୍ଲକର ବରୁଣାଡିହା ଭାରିଗଦା ଛକରୁ ଆସିକି ରାଜକନିକା ଚନ୍ଦନ ପୋଖରୀ ଛକରୁ ଅଶୋକ ବଜାର ଦେଇ କନିକା ତହସିଲ, ବ୍ଲକ, ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, କନିକା ଥାନା ଛକ ଦେଇ ଷ୍ଟକଚର ଛକ, କଣ୍ଠପଡ଼ା ବଜାର, ତରାସ ନେତାଜୀ ଛକରୁ ଆସି ତରାସ ନେତାଜୀ କ୍ଲବ ପାଖରେ ପଂହଁଚିଥିଲେ ଏବଂ ଭାରତର ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ, ଜାତୀୟ ତ୍ରିରଙ୍ଗା ପତାକା ଲଗାଇ ବନ୍ଦେ ମାତରଂ, ଭାରତ ମାତା କି ଜୟ, ଇନ କୀଲାବ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ । ସେହିପରି ରାଜକନିକା ବ୍ଲକ ବିଡ଼ିଓ କୈଳାସ ଚନ୍ଦ୍ର ମହାଳିକ ଏବଂ ବ୍ଲକ ସଂଯୋଜକ ସୁବ୍ରତ ସାମଲଙ୍କ ସହିତ ସମସ୍ତ କର୍ମଚାରୀ ମାନେ,କନିକା ତହସିଲଦାର ଭାନୁମତୀ ମାଝୀଙ୍କ ସହିତ ସମସ୍ତ କର୍ମଚାରୀ ମାନଙ୍କ ନେତୃତ୍ବରେ, ଅବସର ପ୍ରାପ୍ତ ଭାରତୀୟ ସେନା ଅଧିକାରୀ, ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ଅଧକ୍ଷଙ୍କ ସହିତ ସମସ୍ତ କର୍ମଚାରୀ,ଛାତ୍ର ଛାତ୍ରୀ ମାନେ, NCC ସ୍କାଉଟ & ଗାଇଡ଼ସ, ଓଳାଭର ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସହିତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ, MBK, CRP, OLM ବିଭାଗର ସମସ୍ତେ ଏହି ହର ଘର ତ୍ରିରଙ୍ଗା ଶୋଭାଯାତ୍ରାରେ ଉପସ୍ଥିତ ରହିଥିଲେ । ଅଗଷ୍ଟ 15 ତାରିଖରେ 80ତମ ସ୍ବାଧୀନତା ଦିବସ‌ ପାଳନ କରା‌ଯିବ ବୋଲି ଆମ ଦେଶ ଭାରତବାସୀ, ଆମ ରାଜ୍ୟ ଓଡିଶାବାସୀ, ଆମ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲା ବାସୀ ଏବଂ ଆମ ଆଳି ନିର୍ବାଚନ ମଣ୍ଡଳୀର ଆଳି ଏବଂ ରାଜକନିକା ଉଭୟ ବ୍ଲକର ଅଞ୍ଚଳବାସୀଙ୍କୁ ତ୍ରିରଙ୍ଗା ଶୋଭାଯାତ୍ରାରେ ଦେଶପ୍ରେମୀ ମାନଙ୍କୁ ଜାଗ୍ରତ କରାଯାଇଛି।

Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲୀପ ପରିଡା, ରାଜକନିକା

ଏମ୍‌ଆର୍‌ପି ଉଲ୍ଲଂଘନ ରୋକିବାକୁ ଅଚାନକ ଯାଞ୍ଚ: ଅବକାରୀ ବିଭାଗକୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ: ଜୁଲାଇରେ ୧୯୩ ମାମଲା, ୧୦୮ ଗିରଫ; ଅବକାରୀ ରାଜସ୍ୱ ଆଦାୟରେ ୮.୦୭% ବୃଦ୍ଧି
Aug 13, 2026•10 views

ଏମ୍‌ଆର୍‌ପି ଉଲ୍ଲଂଘନ ରୋକିବାକୁ ଅଚାନକ ଯାଞ୍ଚ: ଅବକାରୀ ବିଭାଗକୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ: ଜୁଲାଇରେ ୧୯୩ ମାମଲା, ୧୦୮ ଗିରଫ; ଅବକାରୀ ରାଜସ୍ୱ ଆଦାୟରେ ୮.୦୭% ବୃଦ୍ଧି

ନୂଆପଡ଼ା, ୧୩/୦୮: ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅବୈଧ ମଦ କାରବାର ଉପରେ ରୋକ୍‌ ଲଗାଇବା ସହ ମଦ ଦୋକାନରେ ଏମ୍‌ଆର୍‌ପି ଉଲ୍ଲଂଘନ ରୋକିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ବୈଠକର ପ୍ରାରମ୍ଭରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ବିଭାଗ ପକ୍ଷରୁ ଜିଲ୍ଲାରେ ଚାଲିଥିବା ଆଇନ ପ୍ରବର୍ତ୍ତନ, ଅବୈଧ ମଦ ବିରୋଧୀ ଚଢ଼ାଉ, ମାମଲା ରୁଜୁ, ଜବତ ଓ ରାଜସ୍ୱ ଆଦାୟ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଜୁଲାଇ ମାସରେ ୧୯୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୦୮ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ୬୮ଟି ମାମଲା କୋର୍ଟକୁ ପଠାଯାଇଛି। ଏହି ସମୟରେ ବିଭାଗ ପକ୍ଷରୁ ୨,୨୮୨ ଲିଟର ଆଇଡି ମଦ, ୮୭୭.୪ ବଲ୍କ ଲିଟର ଓଏସ୍‌ ମଦ ଓ ୪୪,୫୩୦ ଲିଟର ଫରମେଣ୍ଟେଡ୍‌ ମହୁଲି ୱାଶ୍‌ ଜବତ କରାଯାଇଛି। ରାଜସ୍ୱ ଆଦାୟ କ୍ଷେତ୍ରରେ ମଧ୍ୟ ଜିଲ୍ଲା ଉଲ୍ଲେଖନୀୟ ପ୍ରଗତି କରିଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩୨ କୋଟି ୫୭ ଲକ୍ଷ ଟଙ୍କାର ବାର୍ଷିକ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୭ କୋଟି ୨୯ ଲକ୍ଷ ୯୦ ହଜାର ୬୨୪ ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏହା ବାର୍ଷିକ ଲକ୍ଷ୍ୟର ୨୨.୪୧ ପ୍ରତିଶତ। ଗତବର୍ଷର ସମାନ ଅବଧି ତୁଳନାରେ ଏଥର ରାଜସ୍ୱ ଆଦାୟରେ ୮.୦୭ ପ୍ରତିଶତ ବୃଦ୍ଧି ହୋଇଛି। ସମୀକ୍ଷା ସମୟରେ ଜିଲ୍ଲାପାଳ ମଦ ଦୋକାନଗୁଡ଼ିକରେ ନିର୍ଦ୍ଧାରିତ ଏମ୍‌ଆର୍‌ପିଠାରୁ ଅଧିକ ଦରରେ ମଦ ବିକ୍ରି ହେଉଛି କି ନାହିଁ, ତାହା ନିୟମିତ ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଅଚାନକ ଚଢ଼ାଉ ଓ ଯାଞ୍ଚକୁ ଆହୁରି ଜୋରଦାର କରିବା ସହ ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସେ କହିଥିଲେ। ଏଥିସହ ଚୋରା ମଦ କାରବାର ବିରୋଧରେ ଚଢ଼ାଉକୁ ଆହୁରି ବ୍ୟାପକ କରିବା ସହ ନିୟମିତ ଫିଲ୍ଡ ମନିଟରିଂ ମାଧ୍ୟମରେ ଅବୈଧ କାରବାର ଉପରେ ରୋକ୍‌ ଲଗାଇବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ସେକ୍ସନ ଅଫିସର ସୌମ୍ୟକାନ୍ତ ଓଟ୍ଟା, ଅବକାରୀ ଉପ-ନିରୀକ୍ଷକ ବୃନ୍ଦାବତୀ ଭୁଆ, ଅବକାରୀ ସହକାରୀ ଉପ-ନିରୀକ୍ଷକ ବଳଭଦ୍ର ରାଉତଙ୍କ ସମେତ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ।

Nuapada (ନୂଆପଡ଼ା) • ବିଜୟ ବରିହା

Nuapada Collector Stresses Surprise Checks to Curb MRP Violations: Excise Department Reviews Enforcement, Illegal Liquor Crackdown and Revenue Collection
Aug 13, 2026•60 views

Nuapada Collector Stresses Surprise Checks to Curb MRP Violations: Excise Department Reviews Enforcement, Illegal Liquor Crackdown and Revenue Collection

Nuapada, August 13: A monthly review meeting of the Excise Department was held at the District Headquarters Conference Hall under the chairmanship of Nuapada Collector Madhusudan Dash, with a focus on strengthening enforcement, curbing illegal liquor trade and ensuring that liquor is sold strictly at the prescribed Maximum Retail Price (MRP). At the outset, District Excise Superintendent Sanghamitra Pradhan presented a detailed report on the department’s enforcement activities, raids against illegal liquor, revenue collection and overall performance in the district. During July, the Excise Department registered 193 cases, arrested 108 persons and forwarded 68 cases to the court. The department also seized 2,282 litres of ID liquor, 877.4 bulk litres of OS liquor and 44,530 litres of fermented Mahua wash during the month. Revenue collection also showed positive growth. For the financial year 2026-27, the district has been assigned an annual revenue target of ₹32.57 crore. By the end of July, the department had collected ₹7.29 crore, including ₹7,29,90,624, achieving 22.41 per cent of the annual target. The collection marked an 8.07 per cent increase compared to the corresponding period of the previous year. Reviewing the departmental performance, Collector Madhusudan Dash directed officials to keep a close watch on liquor outlets and ensure that liquor is not sold above the prescribed MRP. He emphasised the need for regular surprise inspections and raids at liquor shops and instructed officials to take stringent action against violations. The Collector also called for intensified enforcement against the illegal liquor trade and stressed the importance of sustained field-level monitoring to prevent unlawful activities. The meeting was attended by Excise Inspector Hirabati Thati, Section Officer Saumyakanta Otta, Excise Sub-Inspector Brundabati Bhua, Excise Assistant Sub-Inspector Balabhadra Raut, along with other officials of the department. The review meeting underlined the administration’s commitment to strengthening excise enforcement, protecting consumers from overcharging and taking firm action against illegal liquor activities across Nuapada district.

Nuapada (ନୂଆପଡ଼ା) • Report: Malaya Meher, DC

ତ୍ରିରଙ୍ଗାରେ ରଙ୍ଗିଲା ସ୍ୱପ୍ନେଶ୍ୱର, ଗୁଞ୍ଜିଲା ଦେଶପ୍ରେମର ସ୍ୱର: ହର ଘର ତ୍ରିରଙ୍ଗା’ ଅଭିଯାନରେ ମଣ୍ଡଳସ୍ତରୀୟ ଶୋଭାଯାତ୍ରା
Aug 13, 2026•14 views

ତ୍ରିରଙ୍ଗାରେ ରଙ୍ଗିଲା ସ୍ୱପ୍ନେଶ୍ୱର, ଗୁଞ୍ଜିଲା ଦେଶପ୍ରେମର ସ୍ୱର: ହର ଘର ତ୍ରିରଙ୍ଗା’ ଅଭିଯାନରେ ମଣ୍ଡଳସ୍ତରୀୟ ଶୋଭାଯାତ୍ରା

ବୋଡ଼େନ: ସ୍ୱାଧୀନତା ଦିବସକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ବୋଡ଼େନ ବ୍ଲକ ଅନ୍ତର୍ଗତ ସ୍ୱପ୍ନେଶ୍ୱର ମଣ୍ଡଳରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା। ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ସ୍ୱପ୍ନେଶ୍ୱର ମଣ୍ଡଳ ସଭାପତି ରାଜକିଶୋର ହେର୍ଣ୍ଣାଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ଅତୀନ୍ଦ୍ର ସିଂ ମଲ୍ଲିକ, ରୁଦ୍ରମାଧବ ପଟେଲଙ୍କ ସମେତ ବିଭିନ୍ନ ଅଞ୍ଚଳର ଜନପ୍ରତିନିଧି, କାର୍ଯ୍ୟକର୍ତ୍ତା, ଯୁବକ-ଯୁବତୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ। ହାତରେ ତ୍ରିରଙ୍ଗା ଧରି ସମସ୍ତେ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିବା ସହ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ। ଏହି ଅବସରରେ ତ୍ରିରଙ୍ଗା ପତାକା ସହ ଏକ ଆକର୍ଷଣୀୟ ଦେଶପ୍ରେମମୟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ‘ବନ୍ଦେ ମାତରମ୍‌’, ‘ଭାରତ ମାତା କୀ ଜୟ’ ସମେତ ବିଭିନ୍ନ ଦେଶପ୍ରେମମୟ ନାରାରେ ସମଗ୍ର ପରିବେଶ ମୁଖରିତ ହୋଇଉଠିଥିଲା। ତ୍ରିରଙ୍ଗାର ରଙ୍ଗରେ ସଜିଥିବା ଶୋଭାଯାତ୍ରା ଅଞ୍ଚଳବାସୀଙ୍କ ମନରେ ଦେଶପ୍ରେମର ନୂଆ ଉତ୍ସାହ ସୃଷ୍ଟି କରିଥିଲା। କାର୍ଯ୍ୟକ୍ରମରେ ବକ୍ତାମାନେ ଜାତୀୟ ପତାକାର ମହତ୍ତ୍ୱ, ସ୍ୱାଧୀନତା ସଂଗ୍ରାମୀଙ୍କ ଅମର ତ୍ୟାଗ ଏବଂ ଦେଶର ଏକତା ଓ ଅଖଣ୍ଡତା ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱାଧୀନତା କେବଳ ଉତ୍ସବ ପାଳନର ବିଷୟ ନୁହେଁ, ବରଂ ଦେଶ ପ୍ରତି ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସ୍ମରଣ କରିବାର ଅବସର ବୋଲି ସେମାନେ ମତ ଦେଇଥିଲେ। ପ୍ରତ୍ୟେକ ନାଗରିକ ନିଜ ଘରେ ତ୍ରିରଙ୍ଗାକୁ ସମ୍ମାନର ସହ ଉଡ଼ାଇ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ସହ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବାକୁ ଉପସ୍ଥିତ ଅତିଥି ଓ ବକ୍ତାମାନେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସ୍ୱପ୍ନେଶ୍ୱର ଅଞ୍ଚଳରେ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତାକୁ ଆହୁରି ବ୍ୟାପକ କରିଥିବା ଦେଖିବାକୁ ମିଳିଛି।

Nuapada (ନୂଆପଡ଼ା) • କଶ୍ୟପ ଜଗତ

ଐତିହାସିକ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ଦୁର୍ଦ୍ଦଶା: ଅବହେଳାରେ ମଉଳିଛି ଶିକ୍ଷାନୁଷ୍ଠାନର ଗୌରବ
Aug 13, 2026•150 views

ଐତିହାସିକ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ଦୁର୍ଦ୍ଦଶା: ଅବହେଳାରେ ମଉଳିଛି ଶିକ୍ଷାନୁଷ୍ଠାନର ଗୌରବ

ଖଲ୍ଲିକୋଟ, ଦିନେ ଯେଉଁ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ସହର ସମେତ ଦୂରଦୂରାନ୍ତର ଛାତ୍ରଛାତ୍ରୀଙ୍କ ଜ୍ଞାନାର୍ଜନର ପ୍ରମୁଖ କେନ୍ଦ୍ର ପାଲଟିଥିଲା, ଆଜି ସେହି ଐତିହାସିକ ଶିକ୍ଷାନୁଷ୍ଠାନ ଅବହେଳାର ଶିକାର ହୋଇ ନିଜର ଗୌରବ ହରାଇବାକୁ ବସିଛି। ଖଲ୍ଲିକୋଟ ସହରର ହୃଦୟସ୍ଥଳରେ ଅବସ୍ଥିତ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ବର୍ତ୍ତମାନର ଦୁର୍ଦ୍ଦଶାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଖଲ୍ଲିକୋଟର ରାଜା ରାଜବାହାଦୁର ସ୍ୱର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଶାସନକାଳରେ ୧୯୧୭ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହା ଖଲ୍ଲିକୋଟ ଅଞ୍ଚଳର ଶିକ୍ଷା ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ଏହି ବିଦ୍ୟାଳୟରୁ ଅନେକ ଛାତ୍ର ଶିକ୍ଷା ଗ୍ରହଣ କରି ଶାସନ, ପ୍ରଶାସନ ଓ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି। ବର୍ତ୍ତମାନର ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଏହି ବିଦ୍ୟାଳୟର ପୁରାତନ ଛାତ୍ର ବୋଲି ଜଣାପଡ଼ିଛି। କିନ୍ତୁ ଏତେ ଗୌରବମୟ ଇତିହାସ ଥିବା ସତ୍ତ୍ୱେ ବିଦ୍ୟାଳୟର ବର୍ତ୍ତମାନର ପରିବେଶ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ଭବନର ରଙ୍ଗ ମଉଳି ଯାଇଥିବା ବେଳେ ପରିବେଶରେ ଅପରିଚ୍ଛନ୍ନତା ଦେଖାଯାଉଛି। ପ୍ରବେଶଦ୍ୱାରଠାରୁ ବିଦ୍ୟାଳୟ ପରିସର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣର ଅଭାବ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଅନ୍ୟପଟେ ଖଲ୍ଲିକୋଟ ସହରରେ ସୁବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା ନଥିବାରୁ ବିଦ୍ୟାଳୟ ପରିସର ଓ ଏହାର ଚାରିପାଖରେ ଗାଡ଼ି ରହୁଥିବାରୁ ବିଦ୍ୟାଳୟର ପ୍ରବେଶପଥ ମଧ୍ୟ ପ୍ରଭାବିତ ହେଉଛି। ଏହା ଫଳରେ ଏକ ଐତିହାସିକ ଶିକ୍ଷାନୁଷ୍ଠାନର ପରିବେଶ ଆହୁରି ଅସୁନ୍ଦର ହୋଇପଡ଼ିଛି। ବିଦ୍ୟାଳୟର ଛାତ୍ରସଂଖ୍ୟା ମଧ୍ୟ ଧୀରେ ଧୀରେ କମୁଥିବା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଶିକ୍ଷାନୁଷ୍ଠାନର ପରିଚାଳନା, ଶିକ୍ଷକଙ୍କ ଉପସ୍ଥାନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ମଧ୍ୟ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠୁଛି। ତେବେ ଏହି ସମସ୍ତ ଅଭିଯୋଗର ସ୍ୱାଧୀନ ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବିଦ୍ୟାଳୟର ଏଭଳି ଅବସ୍ଥାକୁ ନେଇ ପୁରାତନ ଛାତ୍ର, ଅଭିଭାବକ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ଶିକ୍ଷାପ୍ରେମୀ ଓ ପୁରାତନ ଛାତ୍ରମାନେ ବିଦ୍ୟାଳୟର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଭିତ୍ତିଭୂମିର ଉନ୍ନତି, ପରିବେଶର ସୌନ୍ଦର୍ଯ୍ୟକରଣ ଓ ଆବଶ୍ୟକ ମରାମତି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏନେଇ ପୁରାତନ ଛାତ୍ର ତଥା ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନ କାର୍ଯ୍ୟ କରିଥିବା ଶିବରାମ ଜେନା ବିଭିନ୍ନ ସମୟରେ ଗଣମାଧ୍ୟମ ଜରିଆରେ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିବା କହିଛନ୍ତି। ତଥାପି ଏଯାବତ୍ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶତାବ୍ଦୀ ପୁରୁଣା ଏହି ଐତିହାସିକ ଶିକ୍ଷାନୁଷ୍ଠାନକୁ ଅବହେଳାରୁ ମୁକ୍ତ କରି ଏହାର ପୁରୁଣା ଗୌରବ ଫେରାଇବା ସହ ଆବଶ୍ୟକ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଖଲ୍ଲିକୋଟବାସୀ ଦାବି କରିଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି