--:--:--
-- ---
Srishti News

ଐତିହାସିକ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ଦୁର୍ଦ୍ଦଶା: ଅବହେଳାରେ ମଉଳିଛି ଶିକ୍ଷାନୁଷ୍ଠାନର ଗୌରବ

Ganjam (ଗଞ୍ଜାମ)ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧିAugust 13, 2026158 views
ଐତିହାସିକ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ଦୁର୍ଦ୍ଦଶା: ଅବହେଳାରେ ମଉଳିଛି ଶିକ୍ଷାନୁଷ୍ଠାନର ଗୌରବ
ଖଲ୍ଲିକୋଟ, ଦିନେ ଯେଉଁ ଶିକ୍ଷାନୁଷ୍ଠାନ ଖଲ୍ଲିକୋଟ ସହର ସମେତ ଦୂରଦୂରାନ୍ତର ଛାତ୍ରଛାତ୍ରୀଙ୍କ ଜ୍ଞାନାର୍ଜନର ପ୍ରମୁଖ କେନ୍ଦ୍ର ପାଲଟିଥିଲା, ଆଜି ସେହି ଐତିହାସିକ ଶିକ୍ଷାନୁଷ୍ଠାନ ଅବହେଳାର ଶିକାର ହୋଇ ନିଜର ଗୌରବ ହରାଇବାକୁ ବସିଛି। ଖଲ୍ଲିକୋଟ ସହରର ହୃଦୟସ୍ଥଳରେ ଅବସ୍ଥିତ ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟର ବର୍ତ୍ତମାନର ଦୁର୍ଦ୍ଦଶାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଖଲ୍ଲିକୋଟର ରାଜା ରାଜବାହାଦୁର ସ୍ୱର୍ଗତ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଶାସନକାଳରେ ୧୯୧୭ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହା ଖଲ୍ଲିକୋଟ ଅଞ୍ଚଳର ଶିକ୍ଷା ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସିଛି। ଏହି ବିଦ୍ୟାଳୟରୁ ଅନେକ ଛାତ୍ର ଶିକ୍ଷା ଗ୍ରହଣ କରି ଶାସନ, ପ୍ରଶାସନ ଓ ବିଭିନ୍ନ କ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି। ବର୍ତ୍ତମାନର ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ଏହି ବିଦ୍ୟାଳୟର ପୁରାତନ ଛାତ୍ର ବୋଲି ଜଣାପଡ଼ିଛି। କିନ୍ତୁ ଏତେ ଗୌରବମୟ ଇତିହାସ ଥିବା ସତ୍ତ୍ୱେ ବିଦ୍ୟାଳୟର ବର୍ତ୍ତମାନର ପରିବେଶ ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ଭବନର ରଙ୍ଗ ମଉଳି ଯାଇଥିବା ବେଳେ ପରିବେଶରେ ଅପରିଚ୍ଛନ୍ନତା ଦେଖାଯାଉଛି। ପ୍ରବେଶଦ୍ୱାରଠାରୁ ବିଦ୍ୟାଳୟ ପରିସର ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣର ଅଭାବ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି। ଅନ୍ୟପଟେ ଖଲ୍ଲିକୋଟ ସହରରେ ସୁବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା ନଥିବାରୁ ବିଦ୍ୟାଳୟ ପରିସର ଓ ଏହାର ଚାରିପାଖରେ ଗାଡ଼ି ରହୁଥିବାରୁ ବିଦ୍ୟାଳୟର ପ୍ରବେଶପଥ ମଧ୍ୟ ପ୍ରଭାବିତ ହେଉଛି। ଏହା ଫଳରେ ଏକ ଐତିହାସିକ ଶିକ୍ଷାନୁଷ୍ଠାନର ପରିବେଶ ଆହୁରି ଅସୁନ୍ଦର ହୋଇପଡ଼ିଛି। ବିଦ୍ୟାଳୟର ଛାତ୍ରସଂଖ୍ୟା ମଧ୍ୟ ଧୀରେ ଧୀରେ କମୁଥିବା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଶିକ୍ଷାନୁଷ୍ଠାନର ପରିଚାଳନା, ଶିକ୍ଷକଙ୍କ ଉପସ୍ଥାନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ମଧ୍ୟ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠୁଛି। ତେବେ ଏହି ସମସ୍ତ ଅଭିଯୋଗର ସ୍ୱାଧୀନ ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବିଦ୍ୟାଳୟର ଏଭଳି ଅବସ୍ଥାକୁ ନେଇ ପୁରାତନ ଛାତ୍ର, ଅଭିଭାବକ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ଶିକ୍ଷାପ୍ରେମୀ ଓ ପୁରାତନ ଛାତ୍ରମାନେ ବିଦ୍ୟାଳୟର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଭିତ୍ତିଭୂମିର ଉନ୍ନତି, ପରିବେଶର ସୌନ୍ଦର୍ଯ୍ୟକରଣ ଓ ଆବଶ୍ୟକ ମରାମତି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏନେଇ ପୁରାତନ ଛାତ୍ର ତଥା ଶିକ୍ଷା କ୍ଷେତ୍ରରେ ଦୀର୍ଘଦିନ କାର୍ଯ୍ୟ କରିଥିବା ଶିବରାମ ଜେନା ବିଭିନ୍ନ ସମୟରେ ଗଣମାଧ୍ୟମ ଜରିଆରେ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିବା କହିଛନ୍ତି। ତଥାପି ଏଯାବତ୍ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶତାବ୍ଦୀ ପୁରୁଣା ଏହି ଐତିହାସିକ ଶିକ୍ଷାନୁଷ୍ଠାନକୁ ଅବହେଳାରୁ ମୁକ୍ତ କରି ଏହାର ପୁରୁଣା ଗୌରବ ଫେରାଇବା ସହ ଆବଶ୍ୟକ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବାକୁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଖଲ୍ଲିକୋଟବାସୀ ଦାବି କରିଛନ୍ତି।