ଓରାଙ୍ଗଓଟାଙ୍ଗଙ୍କ ରହସ୍ୟଜନକ ଆବିର୍ଭାବ: ବିଚିତ୍ରପୁର ସଂରକ୍ଷିତ ଜଙ୍ଗଲରୁ ୫ଟି ବିରଳ ପ୍ରଜାତିର ଜୀବ ଉଦ୍ଧାର, ପରିବେଶବିତ୍ ଓ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ
Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵରSeptember 8, 202655 views

: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ସଂରକ୍ଷିତ ଲୁଣା ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଓଟାଙ୍ଗ (Orangutan) ଉଦ୍ଧାର ହେବା ଘଟଣା ସାରା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଓ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ସାଧାରଣତଃ ମାଲେସିଆ ଓ ଇଣ୍ଡୋନେସିଆ ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକର ଘଞ୍ଚ ବର୍ଷାଜଙ୍ଗଲରେ ଦେଖାଯାଉଥିବା ଏହି ବିଲୁପ୍ତପ୍ରାୟ ପ୍ରଜାତିର ଜୀବ ଉତ୍ତର ବାଲେଶ୍ଵରର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମିଳିବା ଏକ ବଡ଼ ପ୍ରାକୃତିକ ବ୍ୟତିକ୍ରମ ବୋଲି ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି।
ପ୍ରାୟ ୩,୦୦୦ ରୁ ୫,୦୦୦ ହେକ୍ଟର ବିଶିଷ୍ଟ ଏହି ବିଚିତ୍ରପୁର ଲୁଣା ଜଙ୍ଗଲ ଠାରୁ ମାଲେସିଆ ଓ ଇଣ୍ଡୋନେସିଆର ଦୂରତା ଜଳପଥରେ ପ୍ରାୟ ୧,୮୦୦ ମାଇଲ। ଏତେ ଦୂର ବାଟର ଅନେକ ଦ୍ୱୀପପୁଞ୍ଜ ଅତିକ୍ରମ କରି ଏହି ଶାନ୍ତ ପ୍ରକୃତିର ଜୀବମାନେ ନିଜେ ସମୁଦ୍ର ପାରି ହୋଇ ଆସିବା ଅସମ୍ଭବ। ଅନ୍ୟପଟେ, ବିଚିତ୍ରପୁର ଠାରୁ ପ୍ରାୟ ୧୫୦ ରୁ ୨୦୦ କିଲୋମିଟର ଦୂରରେ ଅବସ୍ଥିତ ବିଶ୍ଵପ୍ରସିଦ୍ଧ ସୁନ୍ଦରବନରୁ ଏମାନେ ଭାସି ଆସିଥାଇପାରନ୍ତି ବୋଲି କେହି କେହି ସନ୍ଦେହ କରୁଥିଲେ ହେଁ, ମଝିରେ ଥିବା ଗଙ୍ଗା ଓ ହୁଗୁଳି ନଦୀର ମୁହାଣ ଏବଂ ସେଠାକାର ପ୍ରଖର ସୁଅକୁ ଅତିକ୍ରମ କରିବା ଏହି ପ୍ରାଣୀଙ୍କ ପକ୍ଷେ ପ୍ରାୟତଃ ଅସମ୍ଭବ।
ସାମ୍ପ୍ରତିକ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ୫ଟି ଓରାଙ୍ଗଓଟାଙ୍ଗଙ୍କ ଦୃଶ୍ୟମାନ ହେବା ଘଟଣାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର ଧରିଛି। କେତେକ ଲୋକ ଏହାକୁ ଏକ କୁଦରତର ଚମତ୍କାର ବୋଲି କହୁଥିବା ଦେଖା ଦେଇଛି।
ଏହି ବିରଳ ପ୍ରଜାତିର ଜୀବଗୁଡ଼ିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର ନକରି, ସେମାନଙ୍କର ପ୍ରାକୃତିକ ପରିବେଶକୁ ଦୃଷ୍ଟିରେ ରଖି ସେହି ସ୍ଥାନୀୟ ବିଚିତ୍ରପୁର ସଂରକ୍ଷିତ ଅଞ୍ଚଳରେ ହିଁ ସୁରକ୍ଷିତ ଭାବେ ଛାଡ଼ିଦେବାକୁ ଭୋଗରାଇବାସୀ ଓ ଆଖପାଖର ବୁଦ୍ଧିଜୀବୀମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ବନ ବିଭାଗ ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି।
