--:--:--
-- ---
Srishti News

Web News

ଜଳବନ୍ଦୀ ଘେରରେ ବ୍ରହ୍ମପୁର : ସ୍ମାର୍ଟ ସିଟିର ଡ୍ରେନେଜ୍ ବ୍ୟବସ୍ଥା ଉପରେ ପ୍ରଶ୍ନ
Sep 24, 2026•84 views

ଜଳବନ୍ଦୀ ଘେରରେ ବ୍ରହ୍ମପୁର : ସ୍ମାର୍ଟ ସିଟିର ଡ୍ରେନେଜ୍ ବ୍ୟବସ୍ଥା ଉପରେ ପ୍ରଶ୍ନ

ବ୍ରହ୍ମପୁର, ୨୪/୦୯: – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ୩ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ବ୍ରହ୍ମପୁର ସହର ଏବେ ପ୍ରାୟ ଜଳବନ୍ଦୀ। ସହରର ପ୍ରମୁଖ ରାସ୍ତା, ଗଳିକନ୍ଦି ଓ ତଳିଆ ଅଞ୍ଚଳରେ ଆଣ୍ଠୁଏ ଯାଏଁ ପାଣି ଜମି ରହିଥିବା ବେଳେ ଅନେକ ସାହି-ବସ୍ତିରେ ବର୍ଷାଜଳ ଘର ଭିତରକୁ ପଶିଯାଇ ଲୋକଙ୍କ ଜୀବନଯାପନ ଅସ୍ତବ୍ୟସ୍ତ କରିଦେଇଛି। ଏହା କେବଳ ଗୋଟିଏ ୱାର୍ଡର ସମସ୍ୟା ନୁହେଁ, ପ୍ରାୟ ସମଗ୍ର ସହରର ସମାନ ସ୍ଥିତି ସ୍ମାର୍ଟ ସିଟିର ଡ୍ରେନେଜ୍ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ୱାର୍ଡର ଗଳିକନ୍ଦିରେ ନାଳ ନିର୍ମାଣ ପାଇଁ ଜନସାଧାରଣଙ୍କ ଅର୍ଥରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। କିନ୍ତୁ ସାମାନ୍ୟ ବର୍ଷାରେ ମଧ୍ୟ ଯଦି ସହର ଜଳମଗ୍ନ ହୋଇଯାଉଛି, ତେବେ ନାଳ ନିର୍ମାଣର ଯୋଜନା ଓ କାମର ମାନ ଠିକ୍ ଅଛି କି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ।କେତେକ ସ୍ଥାନରେ ଆବଶ୍ୟକତା ନଥାଇ ନାଳ ନିର୍ମାଣ ହୋଇଥିବା ଓ ଯେଉଁଠି ପ୍ରକୃତରେ ଆବଶ୍ୟକତା ଅଛି ସେଠାରେ ନାଳ ନିର୍ମାଣ ହୋଇନଥିବା ଅଭିଯୋଗ ହେଉଛି। ଏହାଛଡା ଅନେକ ନାଳର ସଠିକ୍ ଆଉଟ୍‌ଲେଟ୍ ବ୍ୟବସ୍ଥା ନଥିବାରୁ ପାଣି ବାହାରକୁ ଯାଇପାରୁନାହିଁ। ଅନ୍ୟ ଏକ ବଡ଼ ସମସ୍ୟା ହେଉଛି ନାଳ ସଫେଇ। ଅଧିକାଂଶ ନାଳ ମାଟି, ପଲିଥିନ୍, ଆବର୍ଜନା ଓ ବର୍ଜ୍ୟବସ୍ତୁରେ ପୋତି ହୋଇ ରହିଛି। ବର୍ଷା ପୂର୍ବରୁ ନିୟମିତ ସଫେଇ ହେଉନଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଵେ ସ୍ଥାନୀୟ ପ୍ରଶାସନର ଦୂରଦୃଷ୍ଟିର ଅଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। କେବଳ ବର୍ଷା ସମୟରେ ପମ୍ପ ଲଗାଇ ପାଣି କାଢିବା ସ୍ଥାୟୀ ସମାଧାନ ନୁହେଁ। ତେଣୁ ସମଗ୍ର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ଡ୍ରେନେଜ୍ ବ୍ୟବସ୍ଥାର ବୈଜ୍ଞାନିକ ସମୀକ୍ଷା, ତ୍ରୁଟି ଚିହ୍ନଟ, ଆବଶ୍ୟକ ସ୍ଥାନରେ ପୁନର୍ନିର୍ମାଣ ଏବଂ ଏକ ଦୀର୍ଘମିଆଦୀ ସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା ପ୍ରଣୟନ ପାଇଁ ଦାବି ଜୋର ଧରିଛି l ଏଥିସହ ଜନସାଧାରଣଙ୍କ ଅର୍ଥରେ ହୋଇଥିବା ନାଳ ନିର୍ମାଣ କାର୍ଯ୍ୟର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ହେବା ସହ ଯଦି ଅନିୟମିତତା ଓ ନିମ୍ନମାନର କାମ ପ୍ରମାଣିତ ହୁଏ ତେବେ ଦାୟୀ ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସହରବାସୀ ଦାବି କରିଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ ଦୀପକ କୁମାର ଚୌଧୁରୀ

କଳିଙ୍ଗ ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଧସିବାରୁ ଯାତାୟାତ ବାଧାପ୍ରାପ୍ତ, ବହୁ ଗାଡ଼ି ଅଟକ
Sep 24, 2026•11 views

କଳିଙ୍ଗ ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଧସିବାରୁ ଯାତାୟାତ ବାଧାପ୍ରାପ୍ତ, ବହୁ ଗାଡ଼ି ଅଟକ

କନ୍ଧମାଳ:ଲଗାଣ ବର୍ଷା ଯୋଗୁଁ କନ୍ଧମାଳର ପ୍ରସିଦ୍ଧ କଳିଙ୍ଗ ଘାଟିରେ ପୁଣି ଥରେ ଭୂସ୍ଖଳନ (Landslide) ଘଟିଛି। ଘାଟି ରାସ୍ତାର ଏକ ବଡ଼ ଅଂଶ ତଳକୁ ଧସିଯିବା ଫଳରେ ଏହି ପ୍ରମୁଖ ମାର୍ଗରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ​ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେବ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଜଳ ଯୋଗୁଁ ପାହାଡ଼ର ମାଟି ଅଳଗା ହୋଇ ରାସ୍ତା ଉପରକୁ ଖସିପଡ଼ିବା ସହ ରାସ୍ତାର ପାର୍ଶ୍ୱ ଭାଙ୍ଗି ତଳକୁ ଖସି ଯାଇଛି। ଚିତ୍ରରେ ଦେଖିବାକୁ ମିଳୁଛି ଯେ, ସୁରକ୍ଷା ପାଇଁ ଲଗାଯାଇଥିବା ବାରିକେଡ୍ ଏବଂ ଗାର୍ଡୱାଲ୍ ମଧ୍ୟ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ସେହି ରାସ୍ତାରେ ଲାଲ୍ ବାରିକେଡ୍ ଓ କୋନ୍ ଲଗାଯାଇ ଗାଡ଼ି ଚଳାଚଳକୁ ନିୟନ୍ତ୍ରିତ କରାଯାଉଛି। ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ଭାରୀ ଯାନବାହନ ଯାତାୟାତ ଉପରେ କଟକଣା ଲଗାଯାଇଛି। ରାସ୍ତା ବନ୍ଦ ଓ ବାଧାପ୍ରାପ୍ତ ହେବା ଯୋଗୁଁ ଘାଟିର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଗମନାଗମନ ଠପ୍ ହୋଇଯିବାରୁ ସାଧାରଣ ଯାତ୍ରୀ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍ ଚାଳକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି। ରାସ୍ତାରୁ ମାଟି ହଟାଇବା ଓ ଅସ୍ଥାୟୀ ମରାମତି କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲୁ ରହିଛି। ତେବେ ବର୍ଷା ଜାରି ରହିଲେ ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏହି ରାସ୍ତାରେ ଜରୁରୀ ନଥିଲେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି।

Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ପୁରୁଷୋତ୍ତମପୁର :ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ପୁଣି ଖସିଲା ପଥର । ଦ୍ବିତୀୟ ଥର ପାଇଁ ପାହାଡ଼ରୁ ଖସିଲା ପଥର । ପାହାଡ଼ରୁ ପଥର ଖସିବା ଯୋଗୁଁ ରାସ୍ତା ଅବରୋଧ । ପଥରକୁ ରାସ୍ତା ଉପରୁ ସଫାକଲା ପ୍ରଶାସନ
Sep 24, 2026•8 views

ପୁରୁଷୋତ୍ତମପୁର :ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ପୁଣି ଖସିଲା ପଥର । ଦ୍ବିତୀୟ ଥର ପାଇଁ ପାହାଡ଼ରୁ ଖସିଲା ପଥର । ପାହାଡ଼ରୁ ପଥର ଖସିବା ଯୋଗୁଁ ରାସ୍ତା ଅବରୋଧ । ପଥରକୁ ରାସ୍ତା ଉପରୁ ସଫାକଲା ପ୍ରଶାସନ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ଦ୍ବିତୀୟ ଥର ଖସିଲା ପଥର । ପୂର୍ବରୁ ମଧ୍ୟ ପଥର ମାଟି ଖସିଥିଲା ବେଳେ ରାସ୍ତାରେ ଯିବା ଆସିବା ବାଧାପ୍ରାପ୍ତ ହୋଇଥିଲା । ତେବେ ପ୍ରଶାସନ ଦ୍ୱାରା ତାହାକୁ ବାହାର କରାଯାଇ ସଫା କରାଯାଇଥିଲା । ତେବେ ଗତ ରାତିରେ ପୁଣି ପାହାଡ଼ରୁ ମାଟି ସହ ପଥର ଧସିଥିଲା । ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖସିଥିବା ଜଣାପଡ଼ିଛି । ବର୍ଷା ଲାଗି ରହିଥିବା ବେଳେ ତାରାତାରିଣୀ ମନ୍ଦିର ନିକଟ ପାହାଡ଼ରୁ ହଠାତ ଦ୍ବିତୀୟ ଥର ବଡ଼ ପଥର ଓ ମାଟି ଖସିଥିଲା । ପାହାଡ଼ରୁ ଖସିଥିବା ପଥର ଓ ମାଟି ରାସ୍ତା ନିକଟରେ ଜମା ହୋଇଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ତହସିଲଦାର ତଥା ତାରାତାରିଣୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ବେହେରା, ପୁରୁଷୋତ୍ତମପୁର ଆଇଆଇସି କୂଳମଣି ସେଠୀ, ପୂର୍ତ୍ତ ବିଭାଗ ଏସଡ଼ିଓ ସୁରେଶ କୁମାର ମିଶ୍ର, ଯେଇ ସୋନିଆ ପ୍ରଧାନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପାହାଡ଼ରୁ ଖସିଥିବା ପଥର ଓ ମାଟିକୁ ଶୀଘ୍ର ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ଷା ଜାରି ରହିଥିବାରୁ ପାହାଡ଼ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ଜେସିବି ଦ୍ୱାରା ପଥର ଓ ମାଟି ହଟାଇ ରାସ୍ତା ସଫା କରାଯାଇଛି ।

Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ହଳଦିଆପଦର ବ୍ରିଜ୍‌ରେ ସଡ଼କ ଦୁର୍ଘଟଣା  କାର୍‌, ବାଇକ୍‌ ଓ ଏକ୍ସେଲ୍‌ ମଧ୍ୟରେ ଧକ୍କା; ୨ ଜଣ ଆହତ
Sep 24, 2026•7 views

ହଳଦିଆପଦର ବ୍ରିଜ୍‌ରେ ସଡ଼କ ଦୁର୍ଘଟଣା କାର୍‌, ବାଇକ୍‌ ଓ ଏକ୍ସେଲ୍‌ ମଧ୍ୟରେ ଧକ୍କା; ୨ ଜଣ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ୍‌ ଉପରେ ଘଟିଛି ସଡ଼କ ଦୁର୍ଘଟଣା। କାର୍‌, ବାଇକ୍‌ ଓ ଏକ୍ସେଲ୍‌ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଓଭରବ୍ରିଜ୍‌ ଉପରେ ଯାଉଥିବା ସମୟରେ କାର୍‌, ବାଇକ୍‌ ଓ ଏକ୍ସେଲ୍‌ ମଧ୍ୟରେ କୌଣସି କାରଣରୁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବାଇକ୍‌ ଚାଳକ ଓ ଏକ୍ସେଲ୍‌ ଚାଳକ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଆହତ ଏକ୍ସେଲ୍‌ ଚାଳକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲ୍‌କୁ ନିଆଯାଇଥିବା ଜଣାପଡ଼ିଛି। ଅନ୍ୟ ଆହତଙ୍କ ଚିକିତ୍ସା ସମ୍ପର୍କରେ ତତ୍କାଳ ସ୍ପଷ୍ଟ ସୂଚନା ମିଳିନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ଘଟଣା ସମ୍ପର୍କରେ ପୁଲିସ୍‌ ପକ୍ଷରୁ ତଦନ୍ତ କରାଯାଇ ଦୁର୍ଘଟଣାର କାରଣ ନେଇ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Ganjam (ଗଞ୍ଜାମ) • ବିଜୟାନନ୍ଦ ତ୍ରିପାଠୀ

ଲଗାଣ ବର୍ଷାରେ ଚାଷୀକୂଳ ଚିନ୍ତାରେ:ଏକର ଏକର ଧାନ ଫସଲ ଜଳମଗ୍ନ, ନଷ୍ଟ ଆଶଙ୍କା: ପାଟପୁର, ରାଧାଦେଇପୁର ଓ ଉସ୍ତା ଅଞ୍ଚଳରେ ଚାଷୀଙ୍କ ମୁଣ୍ଡରେ ଚିନ୍ତାର ଭାଜ
Sep 24, 2026•4 views

ଲଗାଣ ବର୍ଷାରେ ଚାଷୀକୂଳ ଚିନ୍ତାରେ:ଏକର ଏକର ଧାନ ଫସଲ ଜଳମଗ୍ନ, ନଷ୍ଟ ଆଶଙ୍କା: ପାଟପୁର, ରାଧାଦେଇପୁର ଓ ଉସ୍ତା ଅଞ୍ଚଳରେ ଚାଷୀଙ୍କ ମୁଣ୍ଡରେ ଚିନ୍ତାର ଭାଜ

: ଲଗାଣ ବର୍ଷା ଯୋଗୁଁ ଚାଷଜମିରେ ଜମି ରହିଛି ବର୍ଷାଜଳ। ଫଳରେ ଏକର ଏକର ଧାନ ଫସଲ ଜଳମଗ୍ନ ହୋଇପଡ଼ିଥିବା ବେଳେ ଫସଲ ନଷ୍ଟ ହେବା ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପାଟପୁର, ରାଧାଦେଇପୁର ଓ ଉସ୍ତା ଗ୍ରାମ ଅଞ୍ଚଳର ବିଭିନ୍ନ ଚାଷଜମିରେ ବର୍ଷାଜଳ ଦୀର୍ଘ ସମୟ ଧରି ଜମି ରହିଥିବା ଅଭିଯୋଗ ହୋଇଛି। ଧାନ ଗଛ ପାଣିରେ ବୁଡ଼ି ରହିବା ଯୋଗୁଁ ଆଗାମୀ ଦିନରେ ଫସଲର ଉତ୍ପାଦନ ହ୍ରାସ ପାଇବା ସହ ଅନେକ ଜମିରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ଚାଷୀମାନଙ୍କ କହିବା ଅନୁସାରେ, ଚାଷଜମିରୁ ବର୍ଷାଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଅତ୍ୟଧିକ ଜଳ ଜମି ରହିଲେ ଧାନ ଗଛର ମୂଳ ପଚିବା ସହ ଫସଲରେ ରୋଗପୋକ ଦେଖାଦେବାର ସମ୍ଭାବନା ମଧ୍ୟ ରହିଛି। ଅନ୍ୟପକ୍ଷରେ, ଜମିରୁ ଶୀଘ୍ର ଜଳ ନିଷ୍କାସନ ନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ କ୍ଷତିଗ୍ରସ୍ତ ଚାଷଜମିର ସରକାରୀ ସ୍ତରରେ ଆକଳନ କରାଯାଇ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ବର୍ଷା ଜାରି ରହିଲେ ପରିସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ଥିବାରୁ ପ୍ରଶାସନ କେବେ ତତ୍ପରତା ଦେଖାଉଛି ଏବଂ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ କି ପଦକ୍ଷେପ ନେଉଛି, ତାହାକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି।

Ganjam (ଗଞ୍ଜାମ) • ବିଜୟନନ୍ଦ ତ୍ରିପାଠୀ

ଏକ୍ସଲେନ୍ସ ଇନ୍ ହାୟର ଏଡୁକେସନ୍ ଲିଡରସିପ୍ ସମ୍ମାନରେ ସମ୍ମାନିତ ସୁକାନ୍ତ ପରିଡ଼ା
Sep 24, 2026•47 views

ଏକ୍ସଲେନ୍ସ ଇନ୍ ହାୟର ଏଡୁକେସନ୍ ଲିଡରସିପ୍ ସମ୍ମାନରେ ସମ୍ମାନିତ ସୁକାନ୍ତ ପରିଡ଼ା

ଜଗତପୁର: ଜଗତପୁର ଥାନା ଅନ୍ତର୍ଗତ ଖଇରା ଇମାମନଗର ଅଞ୍ଚଳର ସୁକାନ୍ତ ପରିଡ଼ାଙ୍କୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ତାଙ୍କର ନେତୃତ୍ବ, ଅବଦାନ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 'ଏକ୍ସଲେନ୍ସ ଇନ୍ ହାୟର ଏଡୁକେସନ୍ ଲିଡରସିପ୍ ସମ୍ମାନ-୨୦୨୬' ରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ତାଜ୍ ପାଲେସ୍ ଠାରେ ଆୟୋଜିତ ଟାଇମସ ନାଓ ଏଡୁକେସନ୍ ସମିଟ-୨୦୨୬ ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେ ସେନଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମାନେଜମେଣ୍ଟ ର ଆଡମିସନ ଓ ମାର୍କେଟିଂ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଦୀର୍ଘ ୨୪ ବର୍ଷର ତାଙ୍କର ପେଶାଦାର ଯାତ୍ରାରେ ପ୍ରତିଷ୍ଠାନିକ ବିକାଶ, ରଣନୀତିକ ନେତୃତ୍ବ, ଶିଳ୍ପ-ଶିକ୍ଷାନୁଷ୍ଠାନ ସହଯୋଗ ଏବଂ ଶିଳ୍ପ ସଂଯୋଜିତ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଅବଦାନ ର ସ୍ୱୀକୃତି ଆଣିଦେଇଛିଏହି ସମ୍ମାନ। ନିଯୁକ୍ତି ଯୋଗ୍ୟତା, ଉଦ୍ୟମିତା, ଦକ୍ଷତା ବିକାଶ, ଶିକ୍ଷା କ୍ଷେତ୍ରରେ ନବସୃଜନ, ଛାତଛାତ୍ରୀଙ୍କ ଫଳାଫଳ ଓ ଦୀର୍ଘମିଆଦି ପ୍ରତିଷ୍ଠାନିକ ବିକାଶ ଉପରେ ଶ୍ରୀ ପରିଡ଼ା ବିଶେଷ ଗୁରୁତ୍ଵ ଦିଅନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ନିରାଶାରୁ ଆତ୍ମନିର୍ଭରତାର ଯାତ୍ରା
Sep 24, 2026•6 views

ନିରାଶାରୁ ଆତ୍ମନିର୍ଭରତାର ଯାତ୍ରା

ଦଶପଲ୍ଲା, ନୟାଗଡ଼: ଜୀବନର ଶେଷ ପର୍ଯ୍ୟାୟରେ ନିରାଶା ଓ ଅସହାୟତା ମଧ୍ୟରେ ଥିବା ଜଣେ ବୃଦ୍ଧାଙ୍କ ଜୀବନରେ ଏବେ ଆସିଛି ନୂଆ ଆଶା। ଛୋଟ ଛୋଟ ଜୀବିକାମୂଳକ ପଦକ୍ଷେପ ତାଙ୍କୁ ଆତ୍ମନିର୍ଭର ହେବାର ରାସ୍ତା ଦେଖାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଦୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁରୁଡ଼ାଙ୍ଗୀ ଗାଁର ବାସିନ୍ଦା ଶ୍ରୀମତୀ ସେବତୀ ମାଝୀ ଜଣେ ଭୂମିହୀନ ଓ ଅତ୍ୟନ୍ତ ଅସହାୟ ବୃଦ୍ଧା। ତାଙ୍କୁ ସହାୟତା ଯୋଗାଇବା ସହ କୁକୁଡ଼ା ପାଳନ, ଆଜୋଲା ପ୍ରସ୍ତୁତି ଏବଂ ମିଶ୍ର ଚାଷ ସମ୍ପର୍କରେ ତାଲିମ ଦିଆଯାଇଥିଲା। ଏହି କାର୍ଯ୍ୟକଳାପ ଆରମ୍ଭ କରିବା ପରେ ସେବତୀ ମାଝୀ ଏବେ ନିଜ ଖର୍ଚ୍ଚ ତୁଲାଇବା ପାଇଁ ଯଥେଷ୍ଟ ଆୟ କରିପାରୁଛନ୍ତି। ଏଥିସହ ନିଜକୁ ବ୍ୟସ୍ତ ରଖିପାରୁଥିବାରୁ ସେ ଖୁସି ଅଛନ୍ତି। ସେବତୀ ମାଝୀ କହିଛନ୍ତି ଯେ, ଏହି କାମଗୁଡ଼ିକ ତାଙ୍କ ଜୀବନକୁ ଏକ ନୂଆ ଅର୍ଥ ଦେଇଛି। ତେଣୁ ଆଗକୁ ମଧ୍ୟ ସେ ଏହି କାର୍ଯ୍ୟ ଜାରି ରଖିବେ। ଦୁର୍ଗମ ଗ୍ରାମାଞ୍ଚଳର ଅସହାୟ ଓ ଆବଶ୍ୟକତା ଥିବା ମହିଳାମାନଙ୍କ ପାଇଁ ଏଭଳି ଛୋଟ ଛୋଟ ହସ୍ତକ୍ଷେପ କିପରି ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ, ସେବତୀ ମାଝୀଙ୍କ କାହାଣୀ ତାହାର ଏକ ଉଦାହରଣ।

Nayagarh (ନୟାଗଡ଼) • ରିପୋର୍ଟ:ଲକ୍ଷ୍ମୀଧର ମୁର୍ମୁ

ଝାରବନ୍ଧ କଲେଜରେ ଏନ ଏସ ଏସ ସ୍ଥାପନ ଦିବସ ପାଳନ
Sep 24, 2026•9 views

ଝାରବନ୍ଧ କଲେଜରେ ଏନ ଏସ ଏସ ସ୍ଥାପନ ଦିବସ ପାଳନ

ଝାରବନ୍ଧ -ବରଗଡ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ଏନ ଏସ ଏସ ସ୍ଥାପନ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ଏନଏସଏସ ଧ୍ୱଜା ଉତ୍ତୋଳନ କରି ସାମୂହିକ ଏନଏସଏସ ଗୀତ ଗାନ କରାଯାଇଥିଲା । ସଭା ଆରମ୍ଭରେ ଏନ ଏସ ଏସ ପ୍ରୋଗ୍ରାମ ଅଫିସର୍ ରୀତାଞ୍ଜଳି ଗୁରୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଉପସ୍ଥିତ ଅନୁଷ୍ଠାନ ର ସବୁ ପୂର୍ବତନ ଏନ ଏସ ଏସ ପ୍ରୋଗ୍ରାମ ଅଫିସର୍ ଏନ ଏସ ଏସ ର ନୀତି ଓ ଆଦର୍ଶ ବିଷୟରେ ଆଲୋଚନା କରିଥିଲେ ତଥା ରାଷ୍ଟ୍ର ପାଇଁ ଆକୁଣ୍ଠ ଚିତ୍ତରେ କାର୍ଯ୍ୟକରିବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ସନ୍ଧ୍ୟାରେ ଏନଏସଏସ ଧ୍ୱଜା ଅବତରଣ କାର୍ଯ୍ୟକ୍ରମ କରାଯାଇଥିଲା । ପରିଶେଷରେ ଗଗନ ବିହାରୀ ଦନସନା ଧନ୍ୟବାଦ ଅର୍ପଣ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ସର୍ବୋଚ୍ଚ ସ୍ତରରେ ଜଳଭଣ୍ଡାର, ରେକର୍ଡ ବିଦ୍ୟୁତ୍ ଉତ୍ପାଦନ
Sep 24, 2026•8 views

ସର୍ବୋଚ୍ଚ ସ୍ତରରେ ଜଳଭଣ୍ଡାର, ରେକର୍ଡ ବିଦ୍ୟୁତ୍ ଉତ୍ପାଦନ

ଜୟପାଟଣା- ବିଗତ ଦିନର ଲଗାଣ ବର୍ଷା ଓ ଲଘୁ ଚାପ ବର୍ଷାକୁ ଦୃଷ୍ଟିରେ ରଖ୍ ଇନ୍ଦ୍ରାବତୀ କର୍ତ୍ତୃ ପକ୍ଷ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲି ଇନ୍ଦ୍ରାବତୀ ନଦୀ ଗର୍ଭକୁ ପାଣି ଛାଡ଼ିଛନ୍ତି। ବର୍ତ୍ତମାନ ବିଦ୍ୟୁତ୍ ଉତ୍ପାଦନ ମଧ୍ଯ ସର୍ବୋଚ୍ଚ ସୀମାକୁ ଲଂଘି ୬୦୩ମେଗାୱାଟ ଉତ୍ପାଦନ ହେଉଥ‌ିବା ଜଣାପଡ଼ି ଛି। ସୂଚନା ଅନୁଯାୟୀ, ଇନ୍ଦ୍ରାବତୀ ଜଳଭଣ୍ଡାର ସର୍ବୋଚ୍ଚ ସୀମା ୬୪୨ମିଟର ରହିଥିବାବେଳେ ଗତ ମଙ୍ଗଳବାର ଦିନ ଜଳସ୍ତର ୬୪୦.୨୦୦ ମିଟରରେ ପହଞ୍ଚିଛି। ଫଳରେ ମୁଖ୍ୟ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲି ପ୍ରତି ସେକେଣ୍ଡରେ ୭୨ଘନ ମିଟର ପାଣି ଇନ୍ଦ୍ରାବତୀ ନଦୀ ଗର୍ଭକୁ ଛଡ଼ାଯାଇଛି। ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ନଜରରେ ରଖ୍ ଏଭଳି ପ୍ରତିରକ୍ଷା ସତର୍କତାମୂଳକ ପଦକ୍ଷେପ ନିଆଯାଇଥିବା ମୁଖ୍ୟଯନ୍ତ୍ରୀ ପ୍ରକାଶକରିଛନ୍ତି। ଏଥି ସହିତ ମୁଖିଗୁଡ଼ା ସ୍ଥିତ ଶକ୍ତିଗୃହରୁ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ସର୍ବୋଚ୍ଚ ସୀମାକୁ ଅତିକ୍ରମ କରି ୬୦୩ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ କରାଯାଉଥିବା ତଥ୍ୟ ସାମ୍ନାକୁ ଆସିଛି। ନଦୀଗର୍ଭକୁ ପାଣି ଛଡ଼ାଯିବା ସମୟରେ ସମସ୍ତ ନବରଙ୍ଗପୁର ଜିଲ୍ଲାର ତଳି ଅଞ୍ଚଳକୁ ସତର୍କ ସୂଚନା ଦିଆଯାଇଥୁବ ଥୁବା ପ୍ରକାଶ। ବର୍ଷାର ପରିମାଣ ଅଧିକ ହେଲେ ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଅଧ‌ିକ ପାଣି ଛଡ଼ାଯିବା ର ସମ୍ଭାବନା ରହିଛି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ ଙ୍କ ରିପୋର୍ଟ

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ହ୍ୟାଣ୍ଡବଲ ରେ ଭାଗ ନେବେ କୋକସରା ବ୍ଲକ ର ୪ ଛାତ୍ର
Sep 24, 2026•8 views

ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ହ୍ୟାଣ୍ଡବଲ ରେ ଭାଗ ନେବେ କୋକସରା ବ୍ଲକ ର ୪ ଛାତ୍ର

କଳାହାଣ୍ଡି, ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ହାଣ୍ଡବଲ ପ୍ରତିଯୋଗିତାରେ କୋକସରା ବ୍ଲକ ର ଜବାହର ଉଚ୍ଚ ବିଦ୍ୟାଳୟ ର ୩ ଜଣ ଓ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡୋଙ୍ଗରିଗୁଡା ର ଜଣେ ଛାତ୍ର ମନୋନୀତ ହୋଇ ଆସନ୍ତା ୨୫ ରୁ ୨୭ ତାରିଖ ଯାଜପୁର ଜିଲ୍ଲା ସ୍ଥିତ ଛତିଆ ଏମ ଏଚ ହାଇୟର ସେକେଣ୍ଡାରୀ ସ୍କୁଲ ରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ହାଣ୍ଡବଲ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଥିବା ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଛାତ୍ର ମାନେ ହେଲେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର ଗୁପ୍ତେଶ୍ଵର ଛତ୍ରୀଆ, ସୌରଭ ଦୁର୍ଗା, ସୁବ୍ରତ ପ୍ରଧାନୀ ଓ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡୋଙ୍ଗରିଗୁଡା ର ହିମାଳୟ କୈବର୍ତ୍ତ। ଏହି ଛାତ୍ର ମାନେ ଗୁରୁବାର ଜିଲ୍ଲା ଟିମ ମେନେଜର ଅଜୟ ସରାଫ ଓ କୋଚ୍ ଭବାନୀ ଶଙ୍କର ଶବର ଙ୍କୁ ରିପୋଟିଂ କରିବାକୁ କୁହାଯାଇଛି।କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଅମିତ କୁମାର ମହାନ୍ତି ଙ୍କ ପ୍ରଶିକ୍ଷଣ ରେ ପୂର୍ବରୁ ଅନେକ ଛାତ୍ରଛାତ୍ରୀ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ବିଭିନ୍ନ କ୍ରୀଡା ରେ ସଫଳତା ହାସଲ କରି ନିଜ ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି ।କୋକସରା ବ୍ଲକ ରୁ ୪ ଛାତ୍ର ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ହାଣ୍ଡବଳ ପାଇଁ ମନୋନୀତ ହେବାପରେ ଜବାହର ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ସମେତ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ, କୋକସରା

ଝାରବନ୍ଧ କଲେଜରେ ଗଙ୍ଗାଧର ମେହେରଙ୍କ ୧୬୫ ତମ ଜନ୍ମ ଜୟନ୍ତୀ ପାଳନ
Sep 24, 2026•7 views

ଝାରବନ୍ଧ କଲେଜରେ ଗଙ୍ଗାଧର ମେହେରଙ୍କ ୧୬୫ ତମ ଜନ୍ମ ଜୟନ୍ତୀ ପାଳନ

ଝାରବନ୍ଧ -ବରଗଡ ଜିଲ୍ଲା ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ଗଙ୍ଗାଧର ମେହେରଙ୍କ ୧୬୫ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦଧିବାମନ ମହାବିଦ୍ୟାଳୟ, ଭଟଲିର ଓଡ଼ିଆ ଅଧ୍ୟାପକ ଡଃ ଦୁର୍ଗାଶିଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ଓଡ଼ିଆ ଅଧ୍ୟାପିକା ରୀତାଞ୍ଜଳି ଗୁରୁ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ । ଡଃ ପଟ୍ଟନାୟକ, ମେହେର କବିଙ୍କ ସାହିତ୍ୟରେ ବିଜ୍ଞାନ ବିଷୟରେ ଆଲୋଚନା କରିଥିଲେ । ଇତ୍ୟବସରେ ରେ ଡ଼ଃ ରଶ୍ମିରଞ୍ଜନ ମହାନ୍ତି, ଯାଜ୍ଞସେନି ନାୟକ, ସାର୍ତ୍ତିକ ସାହୁ, ନବୀନ କୁମାର ମେହେର, ଗଗନ ବିହାରୀ ଦନସନା, ଡ଼ଃ ଖ୍ୟାତିମୟ ତ୍ରିପାଠୀ, ରଶ୍ମି ମହାଲିଙ୍ଗ, ମିନପ୍ରଭା ପ୍ରଧାନ, ଚନ୍ଦ୍ରମଣି ବାଗ, କୁନି ସାହା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ମୁକେଶ ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ ବଂଶୀଧର ନାୟକ

ଅଚଳ ଆକ୍ୱାଗାର୍ଡ, ପାଣି ପାଇଁ ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ
Sep 24, 2026•7 views

ଅଚଳ ଆକ୍ୱାଗାର୍ଡ, ପାଣି ପାଇଁ ହନ୍ତସନ୍ତ ରୋଗୀ ଓ ସମ୍ପର୍କୀୟ

ବରଗଡ଼: ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଇବା ପାଣିକୁ ନେଇ ସମସ୍ୟା ଦେଖାଦେଇଛି। ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲାରେ ଲାଗିଥିବା ଆକ୍ୱାଗାର୍ଡ ଦୀର୍ଘ ସମୟ ଧରି ଅଚଳ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଟ୍ୟାପ୍ ଦବାଇଲେ ମଧ୍ୟ ପାଣି ବାହାରୁନଥିବାରୁ ବିଶୁଦ୍ଧ ପିଇବା ପାଣି ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ହନ୍ତସନ୍ତ ହେଉଛନ୍ତି। ପ୍ରତିଦିନ ଏହି ଚିକିତ୍ସାଳୟକୁ ବରଗଡ଼ ଜିଲ୍ଲା ସମେତ ଦୂରଦୂରାନ୍ତ ଅଞ୍ଚଳରୁ ଶହ ଶହ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଅନେକ ରୋଗୀ ଦୀର୍ଘ ସମୟ ଧରି ହସ୍ପିଟାଲରେ ରହୁଥିବା ବେଳେ ସେମାନଙ୍କ ସହ ରହୁଥିବା ସମ୍ପର୍କୀୟଙ୍କ ପାଇଁ ମଧ୍ୟ ପିଇବା ପାଣି ଏକ ଅତ୍ୟାବଶ୍ୟକ ସୁବିଧା। କିନ୍ତୁ ତୃତୀୟ ମହଲାରେ ଥିବା ଆକ୍ୱାଗାର୍ଡ ଅଚଳ ହୋଇଥିବାରୁ ଲୋକେ ପାଣି ପାଇଁ ଅନ୍ୟ ସ୍ଥାନ ଉପରେ ନିର୍ଭର କରୁଛନ୍ତି। ବିଶେଷକରି ରୋଗୀଙ୍କ ଚିକିତ୍ସା ସମୟରେ ବିଶୁଦ୍ଧ ପାଣିର ଆବଶ୍ୟକତା ଅଧିକ ରହୁଥିବା ବେଳେ ହସ୍ପିଟାଲ ପରିସରରେ ଏଭଳି ଏକ ମୌଳିକ ସୁବିଧା ଅଚଳ ହୋଇପଡ଼ିବାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ୱାସ୍ଥ୍ୟସେବା ଭଳି ଏକ ଜରୁରୀ ସ୍ଥାନରେ ପିଇବା ପାଣି ଭଳି ମୌଳିକ ସୁବିଧା ସୁଚାରୁ ଭାବେ ଉପଲବ୍ଧ କରାଇବା ଆବଶ୍ୟକ। ତେଣୁ ଅଚଳ ଆକ୍ୱାଗାର୍ଡକୁ ଶୀଘ୍ର ମରାମତି କରି ପୁଣିଥରେ କାର୍ଯ୍ୟକ୍ଷମ କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ସୁବିଧାରେ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ଦାବି ହେଉଛି। ତେବେ ଦୀର୍ଘ ସମୟ ଧରି ଅଚଳ ଥିବା ଏହି ଆକ୍ୱାଗାର୍ଡ କେବେ ମରାମତି ହେବ ଏବଂ ରୋଗୀ ଓ ସମ୍ପର୍କୀୟଙ୍କୁ କେବେ ମିଳିବ ସୁବିଧାରେ ବିଶୁଦ୍ଧ ପିଇବା ପାଣି—ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Bargarh (ବରଗଡ଼) • ରିପୋର୍ଟ: ସତ୍ୟ ସୁରୁଜଳ