--:--:--
-- ---
Srishti News

Web News

ବୋଡେ଼ନ ଅଁଳାଭଟାର ବରିଷ୍ଠ ନାଗରିକ ଗରିବ ତାଣ୍ଡିଙ୍କ ପରଲୋକ:  ଲୋକସେବା ଓ କଳାକ୍ଷେତ୍ରରେ ଅବଦାନ ପାଇଁ ଅଞ୍ଚଳବାସୀଙ୍କ ଶ୍ରଦ୍ଧାଞ୍ଜଳି
Jun 27, 2026•156 views

ବୋଡେ଼ନ ଅଁଳାଭଟାର ବରିଷ୍ଠ ନାଗରିକ ଗରିବ ତାଣ୍ଡିଙ୍କ ପରଲୋକ: ଲୋକସେବା ଓ କଳାକ୍ଷେତ୍ରରେ ଅବଦାନ ପାଇଁ ଅଞ୍ଚଳବାସୀଙ୍କ ଶ୍ରଦ୍ଧାଞ୍ଜଳି

ବୋଡେ଼ନ: ୨୬/୦୬ ବୋଡେ଼ନ ବ୍ଲକ ଅନ୍ତର୍ଗତ ଅଁଳାଭଟା ଗ୍ରାମର ଜଣେ ବରିଷ୍ଠ, ଲୋକପ୍ରିୟ ଓ ସମାଜସେବୀ ବ୍ୟକ୍ତି ଗରିବ ତାଣ୍ଡିଙ୍କର ଆଜି ସକାଳ ୬ଟା ସମୟରେ ୯୪ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଅଁଳାଭଟା ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଗରିବ ତାଣ୍ଡି ଜଣେ ସରଳ, ମିଷ୍ଠଭାଷୀ ଓ ମାନବପ୍ରେମୀ ବ୍ୟକ୍ତି ଭାବେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରଖିଥିଲେ । ୧୯୬୪ ମସିହାର ମରୁଡ଼ି ଓ ଦୁର୍ଦ୍ଦିନ ସମୟରେ ସେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ । ସେହି ସମୟରେ ଲଗାତାର ଦୁଇଥର ଲିଟିସର୍ଗି ଗ୍ରାମ ପଞ୍ଚାୟତର ୱାର୍ଡ ସଦସ୍ୟ ଭାବେ ଚୟନ ହୋଇ ଜନସେବା କରିଥିଲେ । ସେ କେବଳ ଜଣେ ଲୋକପ୍ରିୟ ବ୍ୟକ୍ତି ନୁହେଁ, ବରଂ ଜଣେ ସୁପ୍ରସିଦ୍ଧ କଳାକାର ମଧ୍ୟ ଥିଲେ । ମୁହୁରୀ, ନିସାନ, ଘୁଡୁକା, ଖଞ୍ଜଣୀ ଓ ବଂଶୀ ବାଦନରେ ତାଙ୍କର ଅସାଧାରଣ ପ୍ରତିଭା ଥିଲା । ଲୋକକଳାକୁ ଜୀବନ୍ତ ରଖିବାରେ ତାଙ୍କ ଅବଦାନ ଅଞ୍ଚଳବାସୀ ସଦା ସ୍ମରଣ କରିବେ । ସ୍ୱର୍ଗତ ଗରିବ ତାଣ୍ଡି ଅଲେଖ ମହିମା ଧର୍ମର ଅନୁଗାମୀ ହୋଇ ଧର୍ମର ପ୍ରଚାର ଓ ପ୍ରସାର କରିଥିଲେ । ତାଙ୍କର ନିଷ୍ଠା, ସରଳତା ଓ ମାନବିକତା ପାଇଁ ସେ ସବୁବେଳେ ଲୋକଙ୍କ ମନରେ ଅମର ରହିବେ । ତାଙ୍କ ବିୟୋଗରେ ପୁତ୍ର ଯୁଧିଷ୍ଠିର ତାଣ୍ଡି, ଅଗଷ୍ଟି ତାଣ୍ଡି, ଝିଅ ଅନୁସୟା ବାଗ, ନାତି ନବୀନ ତାଣ୍ଡି ଓ ବୃଷଭ ତାଣ୍ଡି ସମେତ ସମସ୍ତ ପରିବାରବର୍ଗ ଗଭୀର ଶୋକରେ ଅଛନ୍ତି । ତାଙ୍କ ଅନ୍ତିମ ବିଦାୟରେ ଅଞ୍ଚଳର ବହୁ ଲୋକ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Nuapada (ନୂଆପଡ଼ା) • ରିପୋର୍ଟର: ଭଜନ ଲାଲ ଜଗତ

ପାଠପଢ଼ା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ
Jun 26, 2026•116 views

ପାଠପଢ଼ା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ଅଭିମନ୍ୟୁ ସାହୁ

ଅନୁଗୋଳ: ଶିକ୍ଷା ହେଉଛି ସମାଜର ଉନ୍ନତିର ମୂଳ ଆଧାର। ଆର୍ଥିକ ଅନଟନ ଯୋଗୁଁ କୌଣସି ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ନ ହେଉ, ସେହି ଉଦ୍ଦେଶ୍ୟରେ ବଅଁରପାଳ ବ୍ଲକ ଗଡସନ୍ତ୍ରୀ ପଞ୍ଚାୟତର ପାଟଣା ସାହିର ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା (ପିତା–ନିରୋଦ ବେହେରା)ଙ୍କ ପାଠପଢ଼ା ପାଇଁ ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅଭିମନ୍ୟୁ ସାହୁଙ୍କ ଏହି ମହତ୍ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି। ବଅଁରପାଳ ଅଞ୍ଚଳରେ ଦୁଃଖ ଓ ଆର୍ଥିକ ଅନଗ୍ରସର ପରିବାରଙ୍କୁ ବିଭିନ୍ନ ସମୟରେ ସହଯୋଗ କରି ସେ ଜଣେ ଜନପ୍ରିୟ ସମାଜସେବୀ ଭାବେ ପରିଚିତ ହୋଇପାରିଛନ୍ତି। ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି ସହଯୋଗ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ ବୋଲି ବୁଦ୍ଧିଜୀବୀ ମହମହଲରେ ମତ ପ୍ରକାଶ କରିଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଜିଲ୍ଲା ପରାମର୍ଶଦାତା ସମିତି ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା ସମିତି ବୈଠକ ଅନୁଷ୍ଠିତ
Jun 26, 2026•81 views

ଜିଲ୍ଲା ପରାମର୍ଶଦାତା ସମିତି ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା ସମିତି ବୈଠକ ଅନୁଷ୍ଠିତ

ଅନୁଗୋଳ: ଅନୁଗୋଳଠାରେ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରାମର୍ଶଦାତା ସମିତି ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜିଲ୍ଲାର ଅଗ୍ରଗତିରେ ବ୍ୟାଙ୍କ୍ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରି ପ୍ରଶଂସା କରିଥିଲେ। ଏହି ବୈଠକରେ ଆଇଏଏସ ପ୍ରୋବେସନର ଶ୍ରୀ ଅଭି ଜୈନ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ ଯୋଗ ଦେଇଥିଲେ। ଏହି ବୈଠକରେ ନାବାର୍ଡ ଉନ୍ନୟନ ବ୍ୟାଙ୍କ ପ୍ରତିନିଧି ଶ୍ରୀ ଆଶୁତୋଷ ରଥ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଶ୍ରୀମତୀ ମୌସୁମୀ ଦାଶ ବ୍ୟାଙ୍କିଙ୍ଗ୍ ସେକ୍ଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଅନୁଗୋଳ ୟୁକୋ ବ୍ୟାଙ୍କର ଜିଲ୍ଲା ପ୍ରବନ୍ଧକ ଶ୍ରୀ ଦୀପକ ଚନ୍ଦ୍ର ସ୍ଵାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକ ପରିଚାଳନା କରିଥିଲେ । ଚଳିତ ଆର୍ଥିକ ବର୍ଷରେ କୃଷି କ୍ଷେତ୍ରରେ ମୋଟ ୨୪୬୪ କୋଟି ଟଙ୍କା ବ୍ୟାଙ୍କମାନେ ଋଣ ପ୍ରଦାନ କରିଥିଲେ । MSME କ୍ଷେତ୍ରରେ ଗତ ବର୍ଷ ଜିଲ୍ଲାରେ ମୋଟ ୪୧୬୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, କାନାରା ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆକ୍ସିସ୍ ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ, HDFC ବ୍ୟାଙ୍କ, ICICI ବ୍ୟାଙ୍କ, IDBI ବ୍ୟାଙ୍କ, IDFC First ବ୍ୟାଙ୍କ, କର୍ଣ୍ଣାଟକ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, Suryodaya ବ୍ୟାଙ୍କ, ESAF ବ୍ୟାଙ୍କ, ଉଜ୍ଜୀବନର ବ୍ୟାଙ୍କ ପ୍ରତିନିଧିପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୋଟ ୧୦୯୭୨ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ଗୃହୀତ ହୋଇଥିଲା ।

Angul (ଅନୁଗୋଳ) • ରିପୋର୍ଟ:ସନାତନ କର ଓ ସରୋଜ କାନ୍ତ ଜେନା

ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
Jun 26, 2026•141 views

ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଅନୁଗୋଳ: ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମେ ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ୱାରା କମିଟି ସଭ୍ୟଙ୍କୁ ଅବଗତ କରାଯାଇଥିଲା | ପରିବହନ ବିଭାଗ ସୂଚନା ଅନୁଯାୟୀ ଗତ ମେ ମାସରେ ଜିଲ୍ଲାରେ ମୋଟ ୪୪ଟି ଦୁର୍ଘଟଣା ଘଟିଥିବାବେଳେ ୧୮ଜଣଙ୍କର ମୃତ୍ୟୁ ଘଟିଛି ଓ ୨୨ଜଣ ଆହତ ହୋଇଛନ୍ତି । ଅପ୍ରେଲ ମାସର ମୋଟ ଦୁର୍ଘଟଣା ତୁଳନାରେ ମେ ମାସରେ ଦୁର୍ଘଟଣା ହାର ବୃଦ୍ଧି ପାଇଛି । ଗତ ମାସରେ ପରିବହନ ବିଭାଗ ଦ୍ୱାରା ହୋଇଥିବା ଯାଞ୍ଚ ସମୟରେ ବିନା ହେଲମେଟରେ ଗାଡି ଚାଲଣ ଯୋଗୁଁ ୧୦୨୪ଜଣ, ଦ୍ରୁତ ଗାଡି ଚାଳନ କରିବା ଯୋଗୁଁ ୧୨୩୧ଜଣ , ମଦ୍ୟପାନ କରି ଗାଡି ଚାଳନା ନିମନ୍ତେ ୩୮ ଜଣ, ଅତ୍ୟଧିକ ମାଲ ପରିବହନ ନିମନ୍ତେ ୪୮ ଜଣଙ୍କଠାରୁ ଜୋରିମାନା ଆଦାୟ କରାଯାଇଥିବାବେଳେ ୪୮୬ ଜଣଙ୍କର ଲାଇସେନ୍ସ ରଦ୍ଦ କରାଯାଇଥିଲା । ବୈଠକରେ ଆଇଏଏସ ପ୍ରୋବେସନର ଶ୍ରୀ ଅଭି ଜୈନ,ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମ୍ବିତ୍ କୁମାର, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିଖିଳ କୁମାର ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସତ୍ୟ ନାରାୟଣ ସାହୁ,ତାଳଚେର ମୋଟରଯାନ ନିରୀକ୍ଷକ ଶ୍ରୀ ତପନ କୁମାର ବେଟୀଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଲଡୁଗାଁରେ ରାମ ମନ୍ଦିର ପାଇଁ ଭୂମିପୂଜନ
Jun 26, 2026•67 views

ଲଡୁଗାଁରେ ରାମ ମନ୍ଦିର ପାଇଁ ଭୂମିପୂଜନ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁଠାରେ ମହା ଆଡମ୍ବରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକର୍ମଟି ହରିରାମ fatechand ପାରିବାର ତରଫରୁ ଆୟୋଜନ କରାଯାଇଥିଲା। ପରିବାରର ଯୁଗଳ ଅଗ୍ରୱାଲ , ମନୋଜ ଅଗ୍ରୱାଲ , ମୁରଲୀ , ମୁକେଶ , ବିମଳ , ଲିଙ୍ଗରାଜ , ଦୁର୍ଗା ଓ କୈଳାଶ ଅଗ୍ରୱାଲ, ଜଗନ୍ନାଥ ମନ୍ଦିର ର ସଭାପତି ଶ୍ରୀ ବନମାଳୀ ମାଝୀ ଙ୍କ ସମେତ ଅନେକକର୍ମକର୍ତ୍ତା ଉପସ୍ଥିତି ଥିଲେ । ଭୂମିପୂଜନ ର କର୍ତ୍ତା ଭାବେ କମଲ ଅଗ୍ରୱାଲ, ପୂଜକ ଶ୍ରୀ କିଶୋର ଠାକୁର ବିଧି ଅନୁସାରେ ପୂଜା କାର୍ଯ୍ୟ ସମାପନା କରିଥିଲେ।

Kalahandi (କଳାହାଣ୍ଡି) • ରିପୋର୍ଟ:ରିତେଶ କୁମାର ମୁଣ୍ଡ, କୋକସରା

ଅସୁସ୍ଥ ବୃଦ୍ଧ ଦମ୍ପତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବିକତାର ପରିଚୟ ଦେଲେ ସ୍ରିଷ୍ଟି ନିୟୁଜର ସାମ୍ବାଦିକ
Jun 26, 2026•134 views

ଅସୁସ୍ଥ ବୃଦ୍ଧ ଦମ୍ପତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବିକତାର ପରିଚୟ ଦେଲେ ସ୍ରିଷ୍ଟି ନିୟୁଜର ସାମ୍ବାଦିକ

ଭୁବନେଶ୍ୱର : ମାନବିକତାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ସ୍ରିଷ୍ଟି ନିୟୁଜର ସାମ୍ବାଦିକ ସୁଶାନ୍ତ କୁମାର ମହାକୁଡ଼। ରାସ୍ତା କଡ଼ରେ ଜ୍ୱରରେ ଅସୁସ୍ଥ ଓ ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧ ଦମ୍ପତିଙ୍କୁ ଉଦ୍ଧାର କରି ସେ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇ ଚିକିତ୍ସାର ବ୍ୟବସ୍ଥା କରିଥିଲେ। ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ଧୋବା ନାହାକ ଓ ତାଙ୍କ ପତ୍ନୀ ବିମଳା ନାହାକ, ଉଭୟଙ୍କ ବୟସ ପ୍ରାୟ ୮୦ ବର୍ଷ। ଜ୍ୱରରେ ଆକ୍ରାନ୍ତ ହୋଇ ସେମାନେ ରାସ୍ତା କଡ଼ରେ ଅସହାୟ ଅବସ୍ଥାରେ ଥିବାବେଳେ ସେହି ବାଟ ଦେଇ ଯାଉଥିବା ସ୍ରିଷ୍ଟି ନିୟୁଜର ସାମ୍ବାଦିକ ସୁଶାନ୍ତ କୁମାର ମହାକୁଡ଼ ସେମାନଙ୍କୁ ଦେଖି ତୁରନ୍ତ ସହାୟତା ପାଇଁ ଆଗେଇ ଆସିଥିଲେ। ବୃଦ୍ଧ ଦମ୍ପତିଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ସେ ସେମାନଙ୍କୁ ନିଜ ଗାଡ଼ିରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେଠାରେ କେବଳ ପହଞ୍ଚାଇ ଫେରି ନଯାଇ, ନିଜେ ଉପସ୍ଥିତ ରହି ଡାକ୍ତରଙ୍କ ଦ୍ୱାରା ଜରୁରୀ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଇଥିଲେ। ବର୍ତ୍ତମାନ ବୃଦ୍ଧ ଦମ୍ପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ସୁଶାନ୍ତ କୁମାର ମହାକୁଡ଼ କହିଛନ୍ତି, "ଲୋକଙ୍କ ସୁଖଦୁଃଖର ଖବର ପ୍ରସାରଣ କରିବା ସହ ସମାଜରେ ଅସହାୟ ଲୋକଙ୍କ ସେବା କରିବା ଆମର ସବୁଠାରୁ ବଡ଼ କର୍ତ୍ତବ୍ୟ।" ଯୁବ ସାମ୍ବାଦିକଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।

Bhubaneswar (ଭୁବନେଶ୍ୱର) • ବ୍ୟୁରୋ ରିପୋର୍ଟ, ଭୁବନେଶ୍ୱର

ସିଙ୍ଗପୁର ବାଣ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଜାରି
Jun 26, 2026•86 views

ସିଙ୍ଗପୁର ବାଣ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଜାରି

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ଆକାଶ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାକୁ ନେଇ ପୋଡ଼ାମାରି ଫାଣ୍ଡି ଏସ୍‌ଆଇ ପ୍ରଭାତ କୁମାର ବାଲିକାନାଙ୍କ ଏତଲା ଆଧାରରେ ପାଟପୁର ଥାନାରେ ମାମଲା ନଂ–୧୮୦/୨୬ ରୁଜୁ କରାଯାଇଛି। ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଥିବା ବେଳେ ତଦନ୍ତକାରୀ ଅଧିକାରୀ ସୋଲେମାନ ଭୁଁୟା ଓ ଛତ୍ରପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆକାଶ ଦାସ ଓ ତାଙ୍କ ପରିବାର ବିଭିନ୍ନ ଉତ୍ସବ ପାଇଁ ହାତ ତିଆରି ବାଣ ପ୍ରସ୍ତୁତ କରି ବିକ୍ରି କରୁଥିଲେ। ବୁଧବାର ସନ୍ଧ୍ୟାରେ ଘରେ ବାଣ ପ୍ରସ୍ତୁତ କରୁଥିବା ସମୟରେ ଅସାବଧାନତାବଶତଃ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣରେ ଆକାଶ ଦାସ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ତାଙ୍କ ବାପା ସନ୍ତୋଷ ଦାସ, ମା ବିଷ୍ଣୁପ୍ରିୟା ଦାସ ଏବଂ ବଡ଼ ମା ଲକ୍ଷ୍ମୀ ଦାସ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗୁରୁବାର ଆକାଶଙ୍କ ମୃତଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଦିଗପହଣ୍ଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ, ତୃଣମୂଳ ସ୍ତରରେ ଦଳ ସୁଦୃଢ ହେବ: ବିଜେଡି
Jun 26, 2026•122 views

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ, ତୃଣମୂଳ ସ୍ତରରେ ଦଳ ସୁଦୃଢ ହେବ: ବିଜେଡି

ଭୁବନେଶ୍ୱର, ୨୫/୦୬/୨୦୨୬: ପୂର୍ବତନ ଆଇଏଏସ୍ ଶ୍ରୀମତୀ ସୁଜାତା ରାଉତ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ତାଙ୍କର ଯୋଗଦାନ ଦଳକୁ ତୃଣମୂଳ ସ୍ତରରେ ଅଧିକ ଶକ୍ତିଶାଳୀ କରିବ ବୋଲି ଦଳର ବରିଷ୍ଠ ନେତୃବୃନ୍ଦ କହିଛନ୍ତି । ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉତ୍ତରୀୟ ଦେଇ ଶ୍ରୀମତୀ ସୁଜାତା ରାଉତଙ୍କୁ ଦଳରେ ସାମିଲ କରିଥିଲେ । ପୂର୍ବତନ ଆଇଏଏସ୍ ଅଧିକାରୀ ଶ୍ରୀମତୀ ସୁଜାତା ରାଉତ ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗ ଦେଇଛନ୍ତି । ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଦଳର ସଂଗଠନକୁ ମଜଭୁତ କରିବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ । ଅନ୍ୟପଟେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରେରଣାର ଉତ୍ସ ଭାବେ ଅଭିହିତ କରି ଶ୍ରୀମତୀ ସୁଜାତା ରାଉତ କହିଥିଲେ, ଜଣେ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୪ ବର୍ଷ ଧରି କାର୍ଯ୍ୟ କରିଛି । ଆଗାମୀ ଦିନରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟର ସେବା କରିବା ପାଇଁ ବିଜୁ ଜନତା ଦଳରେ ଯୋଗ ଦେଇଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ, ଲକ୍ଷ ଲକ୍ଷ ବିଜୁ ଜନତା ଦଳର କର୍ମୀଙ୍କ ସହଯୋଗ ନେଇ ନିଷ୍ଠା ଓ ସମର୍ପିତ ଭାବେ ଦଳ ଓ ରାଜ୍ୟ ପାଇଁ କାର୍ଯ୍ୟ କରିବି । ଏହି ସ୍ୱତନ୍ତ୍ର ସଭାରେ ଦଳର ସାଂସଦ, ବିଧାୟକ ଓ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଆଜି ଶଙ୍ଖ ଭବନରେ ଅତ୍ୟନ୍ତ ଉତ୍ସାହର ସହ ଶ୍ରୀମତୀ ସୁଜାତା ରାଉତଙ୍କୁ ଉଚ୍ଛସ୍ୱିତ ସ୍ୱାଗତ କରାଯାଇଥିଲା ।

Bhubaneswar (ଭୁବନେଶ୍ୱର) • ରିପୋଟ_ନିରୋଜ କୁମାର ସେଠୀ, ଭୁବନେଶ୍ୱର

୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
Jun 26, 2026•59 views

୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର, ତା. ୨୫.୦୬.୨୦୨୬: ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ ଆଜି ଏନ୍‌.ସି. ଅଟୋନୋମସ୍ କଲେଜ, ଯାଜପୁର ପରିସରରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଏନ୍‌.ସି. ଅଟୋନୋମସ୍ କଲେଜ ଏବଂ ବିରଜା ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ବାଣିଜ୍ୟ, ଅର୍ଥନୀତି, ପରିସଂଖ୍ୟାନ, ଗଣିତ ଏବଂ ଅନ୍ୟାନ୍ୟ ସମ୍ବଦ୍ଧ ବିଷୟର ଛାତ୍ରଛାତ୍ରୀମାନେ ଏହି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମଟି ଏନ୍‌.ସି. ଅଟୋନୋମସ୍ କଲେଜର ଅର୍ଥନୀତି ବିଭାଗର ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଯାଜପୁରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ମନୋଜ କୁମାର ନାୟକଙ୍କ ସକ୍ରିୟ ସହଯୋଗ ଓ ମାର୍ଗଦର୍ଶନରେ ପ୍ରତିଯୋଗିତାଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୯.୦୬.୨୦୨୬ ରିଖରେ ଆୟୋଜିତ ହେବାକୁ ଥିବା ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାମାନଙ୍କର ସକ୍ରିୟ ସହଭାଗିତା ପରିଲକ୍ଷିତ ହୋଇଥିଲା ଏବଂ ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିସଂଖ୍ୟାନ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ସହାୟକ ହୋଇଛି।

Jajpur (ଯାଜପୁର) • ରିପୋର୍ଟ _ନିରୋଜ କୁମାର ସେଠୀ

ଯାଜପୁର ଜିଲ୍ଲା କୃଷି ଭବନ ପରିସର ସିଏମ କିସାନ କେନ୍ଦ୍ର ଆଗ ଜଙ୍ଗଲରେ ପରିଣତ
Jun 26, 2026•147 views

ଯାଜପୁର ଜିଲ୍ଲା କୃଷି ଭବନ ପରିସର ସିଏମ କିସାନ କେନ୍ଦ୍ର ଆଗ ଜଙ୍ଗଲରେ ପରିଣତ

ଯାଜପୁର ପୁର କିଆନାଳି ଛକରେ ଥିବା କୃଷି ଭବନ ପରିସରର ଭିତର କଥା ନକହିଲେ ଭଲ। ବଡ ବଡିଆ ବାବୁ ମାନେ କେତେବେଳେ କାର୍ଯ୍ୟାଳୟ ଆସୁଛନ୍ତି ତ କେତେ ବେଳେ ଆସୁନାହାନ୍ତି। ଖାଲି ବାବୁ ମାନଙ୍କର କାମ ହିଁ କାମ,ପ୍ରାସାସନିକ ଆଢ଼ୁଆଳରେ ରହି ରହ ଠହ ହିସାବରେ କାର୍ଯ୍ୟ କରୁଥିବା ଦେଖାଯାଇ ଥିଲା।ଯେବେ ପଡ଼ିବ ଦରକାର ସଫା ହେବ ସି,ଏମ ଘର ଆଗର। ନିଜକୁ ଖରାପ ଲାଗିବାର କଥା।ସରକାର କହୁଛନ୍ତି ପରିଷ୍କାର ରହିବା,ଆମ ପରିବେଶକୁ ସଫାସୁତୁରା ରଖିବି।ହେଲେ ଏଠି ପୁରା ଓଲଟା ଦେଖାଯାଉ ଆଗକୁ ପରିସର କେତେ ସଫା ରହିବ।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ

ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ, ମିଲର୍ସଙ୍କ ମନମାନି ଓ ପ୍ରଶାସନିକ ଅବହେଳା !
Jun 26, 2026•91 views

ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ, ମିଲର୍ସଙ୍କ ମନମାନି ଓ ପ୍ରଶାସନିକ ଅବହେଳା !

ଯାଜପୁର ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପ୍ରାଥମିକ କୃଷି ସମବାୟ ସମିତି ସିମିଳିଆ ଓ ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଅଧୀନରେ ମଲ୍ଲିକାପୁର ତିଛକି ରାସ୍ତା କଡ଼ରେ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ମିଲର୍ସଙ୍କ ବିଳମ୍ବ ଓ ପ୍ରଶାସନର ଅବହେଳା ଯୋଗୁଁ ଚାଷୀଙ୍କ କଷ୍ଟାର୍ଜିତ ଫସଲ ଏବେ ବର୍ଷାରେ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଯାଜପୁର ବ୍ଲକର ବିଭିନ୍ନ ମଣ୍ଡିରେ ଧାନ କିଣା ହୋଇଥିଲେ ମଧ୍ୟ ମିଲକୁ ଉଠାଣ ହୋଇନାହିଁ। ମଲ୍ଲିକାପୁର ତିଛକି ରାସ୍ତା କଡ଼ରେ ନାଟ ମଡ଼ା ହୋଇ ଧାନ ପଡ଼ି ରହିଛି। କାଦୁଅ ଓ ପାଣି ମଧ୍ୟରେ ଧାନ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଏପଟେ କାଳବୈଶାଖୀର ସତର୍କ ସୂଚନା ଚାଷୀଙ୍କ ନିଦ ହଜାଇ ଦେଇଛି। ବର୍ଷା ହେଲେ ଧାନ ଭିଜି ଗଜା ହେବାର ଆଶଙ୍କା ରହିଛି। ମଣ୍ଡିରେ ପର୍ଯ୍ୟାପ୍ତ ତ୍ରିପାଲ କିମ୍ବା ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅନ୍ନଦାତା ନିଜ ଫସଲକୁ ଜଗି ରହିବାକୁ ବାଧ୍ୟ ହେଉଛନ୍ତି। ଚାଷୀଙ୍କ ଅଭିଯୋଗ, ମିଲର୍ସଙ୍କ ମନମାନି ଓ ପ୍ରଶାସନର ଢିଲା ନୀତି ଯୋଗୁଁ ଦିନ ଦିନ ଧରି ଧାନ ଉଠୁନାହିଁ। ଏଥିରୁ ଚାଷୀମାନେ ଆର୍ଥିକ ଓ ମାନସିକ ଚାପରେ ରହିଛନ୍ତି। ଫସଲ ବିକ୍ରି ନହେବାରୁ ପରିବାର ପ୍ରତିପୋଷଣ ନେଇ ମଧ୍ୟ ସେମାନେ ଚିନ୍ତିତ। ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗକୁ ତୁରନ୍ତ ହସ୍ତକ୍ଷେପ କରି ଧାନ ଉଠାଣ ବ୍ୟବସ୍ଥା କରିବା ସହ ଦାୟୀ ମିଲର୍ସଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ, ଯାଜପୁର

ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
Jun 26, 2026•117 views

ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୋଳ: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନ୍ତର୍ଗତ ଅନୁଗୁଳ ମୁନିସିପାଲିଟିର ୧୫ ନମ୍ବର ୱାର୍ଡ ତାମ୍ରିତ୍ କଲୋନୀରେ ଏକ ସଚେତନତା ଓ ଜନସମ୍ପର୍କ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ୱାର୍ଡବାସୀଙ୍କ ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ସହରାଞ୍ଚଳ ବିକାଶ ଏବଂ ନାଗରିକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଉପସ୍ଥିତ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରିବା ସହ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟସ୍ତରୀୟ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। “ବିକାଶ ଧାରା ଓଡ଼ିଶା ସାରା” ସଂକଳ୍ପକୁ ସାକାର କରିବା ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଅତ୍ୟନ୍ତ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ବିଜେପି ନେତା ଶ୍ରୀ ବାବୁଲି ନାଏକ, ପୂର୍ବତନ କାଉନସିଲର ଶ୍ରୀ ବଂଶୀଧର ପ୍ରଧାନଙ୍କ ସମେତ ୱାର୍ଡର ବହୁ ବାସିନ୍ଦା ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା