Web News

ଦୀର୍ଘ ପନ୍ଦର ମାସ ପରେ ଗୋ ମାତା ଜନ୍ମ ଦେଲା ବିକଳାଙ୍ଗ ଛୁଆ
ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ଗୁମୁଗଡ଼ ଗ୍ରାମରୁ ଏକ ଦୁଃଖଦ ଓ ଚର୍ଚ୍ଚାର ବିଷୟ ପାଲଟିଥିବା ଘଟଣା ସାମ୍ନାକୁ ଆସିଛି। ଜଣେ ଗରିବ ପରିବାର ନିଜର ଜୀବିକା ନିର୍ବାହ ପାଇଁ ବହୁ ଆଶା ଓ ବିଶ୍ୱାସ ସହ ଏକ ଗାଈ ପାଳନ କରିଥିଲେ। ପରିବାରର ଆଶା ଥିଲା ଯେ ଗାଈଟି ଛୁଆ ଜନ୍ମ ଦେବା ପରେ କ୍ଷୀର ଉତ୍ପାଦନ କରିବ ଏବଂ ସେହି କ୍ଷୀର ବିକ୍ରି କରି ପରିବାରର ଗୁଜୁରାଣ ମେଣ୍ଟାଇବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ପରିବାରର ସମସ୍ତ ଆଶା ଓ ସ୍ୱପ୍ନ ଏକ ମୁହୂର୍ତ୍ତରେ ଭାଙ୍ଗି ଯାଇଛି। ସୂଚନା ଅନୁସାରେ, ଗାଈଟି ଦୀର୍ଘ ପନ୍ଦର ମାସ ଧରି ଗର୍ଭବତୀ ଅବସ୍ଥାରେ ରହିଥିଲା। ସାଧାରଣତଃ ଗାଈର ଗର୍ଭଧାରଣ ସମୟ ପ୍ରାୟ ନଅରୁ ଦଶ ମାସ ହୋଇଥାଏ, କିନ୍ତୁ ଏହି ଘଟଣାରେ ସମୟ ଅସ୍ୱାଭାବିକ ଭାବେ ବଢ଼ିଯିବାରୁ ପରିବାର ସଦସ୍ୟମାନେ ଚିନ୍ତାରେ ପଡ଼ିଥିଲେ। ଶେଷରେ ଆଜି ଗାଈଟି ପ୍ରସବ ବେଦନା ପାଇଥିଲା। କିନ୍ତୁ ଦୀର୍ଘ ସମୟ ଧରି ପ୍ରସବ ହୋଇନଥିବାରୁ ପରିସ୍ଥିତି ଗୁରୁତର ହୋଇପଡ଼ିଥିଲା। ଖବର ପାଇ ଘରୋଇ ପଶୁ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଈର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଓ ତାଙ୍କ ଟିମ୍ ବହୁ ପରିଶ୍ରମ କରି ପ୍ରସବ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଦୀର୍ଘ ସମୟର ଚେଷ୍ଟା ପରେ ଗାଈର ପେଟରୁ ଏକ ବିକଳାଙ୍ଗ ବାଛୁରୀ ବାହାର କରାଯାଇଥିଲା। ବାଛୁରୀଟିର ଶାରୀରିକ ଗଠନ ସାଧାରଣ ନଥିବାରୁ ଏହାକୁ ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗରିବ ପରିବାରଟି ଏହି ଘଟଣା ପରେ ଭାଙ୍ଗି ପଡ଼ିଛି। ଯେଉଁ ଗାଈକୁ ସେମାନେ ପରିବାରର ଆର୍ଥିକ ସହାୟକ ଭାବେ ଦେଖୁଥିଲେ, ସେହି ଗାଈର ଏପରି ପ୍ରସବ ସେମାନଙ୍କୁ ନିରାଶ କରିଛି। ତଥାପି ଏହି ସମସ୍ତ ଦୁଃଖ ମଧ୍ୟରେ ଗୋଟିଏ ଆଶ୍ୱସ୍ତିର କଥା ହେଉଛି, ଗାଈଟି ସୁସ୍ଥ ଅବସ୍ଥାରେ ବଞ୍ଚିଯାଇଛି। ପରିବାର ଲୋକେ କହିଛନ୍ତି ଯେ ବାଛୁରୀକୁ ହରାଇଥିଲେ ମଧ୍ୟ ଗାଈର ଜୀବନ ରକ୍ଷା ପାଇଥିବାରୁ ସେମାନେ କିଛିଟା ସନ୍ତୋଷ ଅନୁଭବ କରୁଛନ୍ତି। ଏହି ଅସାଧାରଣ ଘଟଣା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗାଁର ଲୋକମାନେ ଘଟଣାସ୍ଥଳକୁ ଯାଇ ବିକଳାଙ୍ଗ ବାଛୁରୀକୁ ଦେଖିବା ସହ ଗାଈର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଖବର ନେଉଛନ୍ତି। ପଶୁ ଚିକିତ୍ସକମାନଙ୍କ ମତାନୁସାରେ, ଗର୍ଭାବସ୍ଥା ସମୟରେ କିଛି ଜୈବିକ ତ୍ରୁଟି କିମ୍ବା ବିକାଶଗତ ସମସ୍ୟା କାରଣରୁ ଏଭଳି ବିକଳାଙ୍ଗ ଛୁଆ ଜନ୍ମ ହୋଇପାରେ। ତେବେ ପ୍ରକୃତ କାରଣ ଜାଣିବା ପାଇଁ ଅଧିକ ପରୀକ୍ଷା ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଗୁମୁଗଡ଼ ଗ୍ରାମର ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଏକ ବିରଳ ଓ ଚର୍ଚ୍ଚିତ ଘଟଣା ଭାବେ ଆଲୋଚନାର ବିଷୟ ହୋଇଛି। ଗୋଟିଏ ପଟେ ପରିବାରର ଆଶା ଭାଙ୍ଗିଯାଇଥିବା ବେଳେ ଅନ୍ୟପଟେ ଗାଈର ଜୀବନ ବଞ୍ଚିଯାଇଥିବା ଘଟଣା ସମସ୍ତଙ୍କୁ କିଛିଟା ଆଶ୍ୱସ୍ତ କରିଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ବରିଷ୍ଠ ସାମ୍ବାଦିକଙ୍କ ପେନସନ୍ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ୩ ମାସ ସମୟ ଦେଲେ ହାଇକୋର୍ଟ
କଟକ, ୨୫ ଜୁନ,: ଓଡ଼ିଶାର ବରିଷ୍ଠ ସାମ୍ବାଦିକମାନଙ୍କୁ ପେନସନ୍ ସୁବିଧା ପ୍ରଦାନ ଦାବିକୁ ନେଇ ଚାଲିଥିବା ଆଇନଗତ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୀତିଗତ ନିଷ୍ପତ୍ତି ନେବା ପାଇଁ ତିନି ମାସ ସମୟ ପ୍ରଦାନ କରିଛନ୍ତି। ବରିଷ୍ଠ ସାମ୍ବାଦିକ ସଂଘ, ଓଡ଼ିଶା (SJAO) ପକ୍ଷରୁ ଦାଖଲ ହୋଇଥିବା ଅବମାନନା ମାମଲା (CONTC ନଂ–୧୧୮୯/୨୦୨୬)ର ଶୁଣାଣି କରି ନ୍ୟାୟମୂର୍ତ୍ତି ଡ଼. ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣାଯାଇଥିଲା ଯେ, ବରିଷ୍ଠ ସାମ୍ବାଦିକଙ୍କ ପେନସନ୍ ଯୋଜନା ସମ୍ପର୍କିତ ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧୀନ ଅବସ୍ଥାରେ ରହିଛି। ସାମ୍ବାଦିକ ସମାଜର ଦୀର୍ଘଦିନର ଦାବି ଓ ସେମାନଙ୍କ ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନିକ, ଆର୍ଥିକ ଏବଂ ନୀତିଗତ ଦିଗକୁ ବିଚାର କରିବା ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ସରକାରୀ ପକ୍ଷ ଆଦାଲତଙ୍କୁ ଅବଗତ କରାଇଥିଲେ। ସରକାର ଆଇନଜୀବୀଙ୍କ ଆଶ୍ୱାସନକୁ ଗ୍ରହଣ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ପେନସନ୍ ପ୍ରଦାନ ସମ୍ପର୍କରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ସୁଯୋଗ ଦେଇଛନ୍ତି। ଏହି ସମୟ ମଧ୍ୟରେ ସମସ୍ତ ସମ୍ଭାବ୍ୟତାକୁ ଆକଳନ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କୋର୍ଟ ଆଶା ପ୍ରକାଶ କରିଛନ୍ତି। ଏହା ସହିତ ଅବମାନନା ମାମଲାର ନିଷ୍ପତ୍ତି କରାଯାଇଥିବା ବେଳେ, ଭବିଷ୍ୟତରେ ଯଦି ଏହି ପ୍ରସଙ୍ଗରେ ଅନାବଶ୍ୟକ ବିଳମ୍ବ ହୁଏ, ତେବେ ଆବେଦନକାରୀ ପୁଣିଥରେ ନୂତନ ଅବମାନନା ମାମଲା ଦାଖଲ କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଦୀର୍ଘଦିନ ଧରି ବରିଷ୍ଠ ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ଓ ପେନସନ୍ ସୁବିଧା ଦାବି ଉଠିଆସୁଥିବା ବେଳେ, ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ସାମ୍ବାଦିକ ମହଳରେ ନୂତନ ଆଶା ସଞ୍ଚାର କରିଛି। ଏବେ ସମସ୍ତଙ୍କ ନଜର ରହିଛି ରାଜ୍ୟ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ।
ରିପୋର୍ଟ: କବିରାଜ ପାତ୍ର, କଟକ

ଡକାୟତି ଯୋଜନା ବିଫଳ, ୬ଜଣ ଡକାୟତ ଗିରଫ
ବାଲେଶ୍ବର: ବଡ଼ ଧରଣର ଡକାୟତି ଯୋଜନା ବିଫଳ କରିଛି ପୁଲିସ। ଏଥିରେ ସାମିଲ ଥିବା ସବୁ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ଏକାଧିକ ମାରଣାସ୍ତ୍ର ଜବତ ହୋଇଛି। ରାତି ପେଟ୍ରୋଲିଂ ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ ମାଲ ଗୋଦାମ ଛକ ଓଭରବ୍ରିଜ ପାଖରୁ ଗିରଫ କରିଛି। ସେମାନେ ସେଠାରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିଲେ ବୋଲି ପୁଲିସ କହିଛି। ଖବର ଅନୁସାରେ, ସହଦେବ ଖୁଣ୍ଟା ଥାନା ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିଲେ। ସେହି ସମୟରେ ମାଲଗୋଦାମ ଛକରେ କିଛି ଯୁବକ ମାରଣାସ୍ତ୍ର ଦେଖାଇ ପାଟିତୁଣ୍ଡ କରିବା ସହିତ ସାଧାରଣ ଲୋକଙ୍କୁ ଧମକ ଦେଉଥିଲେ। ଏହା ସହିତ ରେଳ ଷ୍ଟେସନରୁ ରାତିରେ ଆସୁଥିବା ଯାତ୍ରୀଙ୍କୁ ନିଶାଣ କରି ଏକ ବଡ଼ ଧରଣର ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଏନେଇ ପୁଲିସକୁ ସ୍ଥାନୀୟ ଗୁଇନ୍ଦା ପକ୍ଷରୁ ସୂଚନା ମିଳିଥିଲା। ପରେ ପୁଲିସ ସେଠାରେ ପହଞ୍ଚି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ମଧ୍ୟ ଜଣା ପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶିଳ୍ପାଞ୍ଚଳ ଥାନା ଗଣେଶ୍ବରପୁରର ସୁରଜ କୁମାର ମହାନ୍ତି (୨୯), ସଦର ଥାନା କୁଢ଼ିଆ ଗାଁର ପ୍ରତିକ ନାୟକ(୨୩), ସୋର ଥାନା ଚମ୍ପୁ ଅଞ୍ଚଳର ଦିବ୍ୟ ରଞ୍ଜନ ସ୍ବାଇଁ (୨୪), ଟାଉନଥାନା ଗୋପାଳଗାଁର ଦୀପେଶ କୁମାର ଜେନା (୩୯) ଓ ସହଦେବଖୁଣ୍ଟା ଥାନା ଅରଡ଼ବଜାରର ସେକ କୁର୍ବାନ(୩୭)। ସେମାନଙ୍କୁ ଅଦାଲତ ଚାଲାଣ କରାଯାଇଛି। ଅପରାଧିମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ୪ଟି ଅଫୁଟା ଗୁଳି, ଗୋଟିଏ ପିତ୍ତଳ ଖଣ୍ଡା, ଅନ୍ୟ ଏକ ଲୁହା ଖଣ୍ଡା, ଗୋଟିଏ ତେଲଙ୍ଗା କଟୁରି, ଦୁଇଟି ଅଫୁଟା ବୋମା, ୩ଟି ମୋଟର ସାଇକେଲ, ଦୁଇଟି ସ୍ମାର୍ଟ ଫୋନ, ଗୋଟିଏ କୋଦାଳ ବେଣ୍ଟ ପୁଲିସ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରେମୁଣା, ସହଦେବଖୁଣ୍ଟା, ସଦର,ସେ୍ାର, ଶିଳ୍ପାଞ୍ଚଳ, ଟାଉନ ଓ ବସ୍ତା ଥାନାରେ ରହିଥିବା କୁହାଯାଇଛି। ସେକ କୁର୍ବାନ ଅପରାଧିକ ଏହି ୫ ଜଣଙ୍କୁ ନେଇ ବହୁ ଦିନ ହେଲା ଅପରାଧ କାର୍ଯ୍ୟ ପରିଚାଳନା କରିବା ସହିତ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ କହିଛି। ଏନେଇ ଅତିରିକ୍ତ ଏସପି ଦେବଜ୍ୟୋତି ଦାସ ସହଦେବଖୁଣ୍ଟା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଥାନାଧିକାରୀ ଆଲୋକ କୁମାର ବେହେରାଙ୍କ ନେତୃତ୍ବରେ ଏହି ଅଭିଯାନ ସଫଳ ହୋଇଥିବା ସେ ଜଣାଇଛନ୍ତି।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର, ସ୍ଵତନ୍ତ୍ର ପ୍ରତିନିଧି

ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପକୁ ନେଇ ଜନଅସନ୍ତୋଷ, ରାସ୍ତା ସମସ୍ୟାରେ ହଇରାଣ ଉପଭୋକ୍ତା
ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡ଼ା ଗ୍ରାମପଞ୍ଚାୟତରେ ଅବସ୍ଥିତ ଟାଟା ପାୱାରର ଓରିକାମ୍ପ ପାୱାର ସପ୍ଲାଇ କାର୍ଯ୍ୟାଳୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରତିଦିନ ଶତାଧିକ ଉପଭୋକ୍ତା ବିଦ୍ୟୁତ ସଂଯୋଗ, ବିଲ୍, ଟ୍ରାନ୍ସଫର୍ମର ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଏହି କାର୍ଯ୍ୟାଳୟକୁ ଆସୁଥିବା ବେଳେ ଅଫିସକୁ ଯିବା ରାସ୍ତାର ଦୟନୀୟ ଅବସ୍ଥା ସେମାନଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ସୂଚନା ଅନୁଯାୟୀ, ଅଫିସକୁ ସଂଯୋଗ କରୁଥିବା ରାସ୍ତାଟି ଗତ ପ୍ରାୟ ଆଠ ବର୍ଷ ଧରି ସୋଚନୀୟ ଅବସ୍ଥାରେ ପଡ଼ି ରହିଛି। ରାସ୍ତାରେ ବଡ଼ ବଡ଼ ଖାଲଖମା ଓ ଭାଙ୍ଗିଯାଇଥିବା ଅଂଶ ଯୋଗୁଁ ଯାତାୟାତ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ବିଶେଷ କରି ବୃଦ୍ଧ, ମହିଳା ଓ ଦୂରଦୂରାନ୍ତରୁ ଆସୁଥିବା ଉପଭୋକ୍ତାମାନେ ଏଥିପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହି ସମ୍ପର୍କରେ ଟାଟା ପାୱାର କାର୍ଯ୍ୟାଳୟର କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ, ରାସ୍ତା ସମସ୍ୟା ନେଇ ସମ୍ପୃକ୍ତ ବିଭାଗକୁ ଅନେକ ଥର ଲିଖିତ ଭାବେ ଜଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ। ସ୍ଥାନୀୟ ଲୋକେ ଓ ଉପଭୋକ୍ତାମାନେ ତୁରନ୍ତ ରାସ୍ତାର ମରାମତି କରାଯିବା ସହ ଯାତାୟାତ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଟିଟିପିଏସ୍ର ମନମୁଖୀ କାର୍ଯ୍ୟ ପାଇଁ ଦୁର୍ଦ୍ଦଶାରେ ଜନସାଧାରଣ, ୪ ବର୍ଷ ହେଲା ଖୋଳା ପଡ଼ିଛି ରାସ୍ତା
ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଟିଟିପିଏସ୍ (TTPS) ପକ୍ଷରୁ ଖଣି ଅଞ୍ଚଳରୁ କୋଇଲା ପରିବହନ ପାଇଁ ବେଲ୍ଟ କନଭେୟର ବ୍ୟବସ୍ଥା କରାଯାଇଛି। ଏହି ବେଲ୍ଟ ଲାଇନ୍ ଥର୍ମାଲ ପାୱାର ପ୍ଲାଣ୍ଟରୁ ଘଣ୍ଟପଡ଼ା ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିବା ବେଳେ, ଏହା ପାଇଁ ଖୋଳାଯାଇଥିବା ରାସ୍ତା ଆଜି ଲୋକଙ୍କ ପାଇଁ ବିପଦର କାରଣ ପାଲଟିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ଚାରି ବର୍ଷ ତଳେ ରାସ୍ତା ଖୋଳାଯାଇଥିଲେ ମଧ୍ୟ ଏହାର ପୁନରୁଦ୍ଧାର କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ ସମୟରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବର୍ଷା ଦିନରେ ରାସ୍ତାର ଅବସ୍ଥା ଅଧିକ ସଙ୍କଟଜନକ ହୋଇପଡ଼ୁଛି। ଏହି ଅବହେଳିତ ରାସ୍ତାରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ବେଳେ, ବହୁ ଲୋକ ଆହତ ହୋଇ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଟିଟିପିଏସ୍ କିମ୍ବା ସମ୍ପୃକ୍ତ ପ୍ରଶାସନ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହେଉଛି। ସ୍ଥାନୀୟ ବାସିନ୍ଦାମାନେ ଶୀଘ୍ର ରାସ୍ତାର ମରାମତି ଏବଂ ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ବଡ଼ ଧରଣର ଅଘଟଣ ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଯନ୍ତ୍ରୀଙ୍କ ବିରୋଧରେ ଆମରଣ ଅନଶନ ଜାରି
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଞ୍ଚାୟତରେ ନିର୍ମିତ ରାସ୍ତା କାମରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଏବଂ ଏହା ସତ୍ତ୍ୱେ ବିଲ୍ ପାସ୍ କରାଯାଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ସଂପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କିଛି ସମାଜସେବୀ ଓ ପଞ୍ଚାୟତବାସୀ ଗତ ତିନି ଦିନ ଧରି ଆମରଣ ଅନଶନରେ ବସିଛନ୍ତି। ଅନଶନକାରୀମାନଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ତଦନ୍ତ କିମ୍ବା ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ଆମରଣ ଅନଶନର ପଥ ବାଛିଥିବା କହିଛନ୍ତି। ତିନି ଦିନ ଧରି ଅନଶନରେ ବସିଥିବା ବ୍ୟକ୍ତିମାନେ ଖରା ଓ ଗରମକୁ ଖାତିର ନକରି ନିଜ ଦାବିରେ ଅଟଳ ରହିଛନ୍ତି। ଦିନରେ ପ୍ରଚଣ୍ଡ ଖରା ଏବଂ ରାତିରେ ବିଭିନ୍ନ ବିପଦ ସତ୍ତ୍ୱେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ଅନଶନକାରୀଙ୍କ ଦାବି ପୂରଣ ପାଇଁ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ: କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

କେନ୍ଦୁଝରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ଗୁରୁତ୍ଵପୂର୍ଣ୍ଣ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
ରିପୋର୍ଟ: ନିରୋଜ କୁମାର ସେଠୀ, କେନ୍ଦୁଝର କେନ୍ଦୁଝରରେ ଆଜି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ଏକ ଗୁରୁତ୍ୱପର୍ଣ୍ଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ କାଞ୍ଝାହାରୀ ଗେଷ୍ଟ ହାଉସ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲା ଶାଖାର ସଭାପତି ଅଜିତ୍ କୁମାର୍ ପଲେଇଙ୍କ ନେତୃତ୍ୱରେ ଏବଂ ରାଜ୍ୟ ସଭାପତି ମନୋଜ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବୈଠକର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକଙ୍କ ପ୍ରତିନିଧି କମଳକାନ୍ତ ଦାସ,ଲୋକ ସମ୍ପର୍କ ଓ ସୂଚନା ବିଭାଗର ଅଧିକାରି ଜ୍ୟୋତିର୍ମୟୀ ନାଏକ, ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ୱାଦିକ ବିନୟ ଭୂଷଣ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହାସହ ମହାସଂଘର ରାଜ୍ୟ ଉପସଭାପତି ତଥା କେନ୍ଦୁଝର ଜିଲ୍ଲା ପ୍ରଭାରୀ ନିରଞ୍ଜନ ପାଣି, ଯୁଧିଷ୍ଠିର ପାତ୍ର,ଜିଲ୍ଲା ସମ୍ପାଦକ କ୍ଷେତ୍ରବାସୀ ମହାନ୍ତଙ୍କ ସମେତ ଧିରେନ୍ କୁମାର୍ ପରିଡ଼ା,ରୁଦ୍ର ନାରାୟଣ ଲୋହାର, ଜଗବନ୍ଧୁ ପଣ୍ଡା, ଚନ୍ଦ୍ର ଶେଖର ସାହୁ,ଦୀନବନ୍ଧୁ ମିଶ୍ର,ପୂର୍ଣ୍ଣ ଚନ୍ଦ୍ର ମହାନ୍ତ,ରାଜେଶ ମିଶ୍ର, ଏବଂ ଜିଲ୍ଲାର ବହୁ ସାମ୍ୱାଦିକ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ସାମ୍ବାଦିକଙ୍କ ସୁରକ୍ଷା,ଶିକ୍ଷା,ସ୍ବାସ୍ଥ୍ୟ ସୁବିଧା ସାମ୍ବାଦିକଙ୍କ କଲ୍ୟାଣ ଏବଂ ବିଭିନ୍ନ ଜନସନସ୍ୟା ସମ୍ପର୍କିତ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ସାମ୍ୱାଦିକ ମାନଙ୍କ ସ୍ବାର୍ଥ ସୁରକ୍ଷା ସହ ସାମାଜିକ ଦାୟିତ୍ବ ନିର୍ବାହରେ ଡିଜିଟାଲ ମିଡିଆର ଭୂମିକାକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ଯ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି ସାମ୍ବାଦିକ ମାନଙ୍କ ସମସ୍ୟାକୁ ସରକାଙ୍କ ନିକଟରେ ପହଞ୍ଚାଇବେ ବୋଲି ଆଶ୍ୱାସନା ଦେଇଥିଲେ l ଶେଷରେ ସମସ୍ତ ଅତିଥି,ସଦସ୍ୟ ଓ ସାମ୍ୱାଦିକ ମାନଙ୍କୁ ଧନ୍ୟବାଦ୍ ଜଣାଇ ବୈଠକର ସମାପନ କରାଯାଇଥିଲା ।
Kendujhar (କେନ୍ଦୁଝର) • ରିପୋର୍ଟ: ନିରୋଜ କୁମାର ସେଠୀ, କେନ୍ଦୁଝର

ଧାମନଗରରେ ଆହତ ବୃଷଭର ଚିକିତ୍ସା, ଗ୍ରାମବାସୀଙ୍କ ମାନବିକତାର ନିଦର୍ଶନ
ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ବିରୁହାଁ ଗ୍ରାମରେ ଦୀର୍ଘ ଦିନ ଧରି ଏକ ବୃଷଭ ତାହାର ଶିଙ୍ଗରେ ଗୁରୁତର ସମସ୍ୟା ଥିବାରୁ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଥିଲା। ବୃଷଭଟିର ଅବସ୍ଥା ଦେଖି ଗ୍ରାମବାସୀମାନେ ମାନବିକତାର ପରିଚୟ ଦେଇ ସହଯୋଗର ହାତ ବଢ଼ାଇଥିଲେ। ସମସ୍ତଙ୍କ ମିଳିତ ପ୍ରୟାସରେ ଘରୋଇ ପଶୁ ଚିକିତ୍ସକଙ୍କ ସହାୟତା ନିଆଯାଇ ବୃଷଭଟିର ସଫଳ ଚିକିତ୍ସା କରାଯାଇଛି। ଚିକିତ୍ସା ପରେ ବୃଷଭଟିର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି। ନିରୀହ ପଶୁପକ୍ଷୀଙ୍କ ପ୍ରତି ଦୟା ଓ ସହାନୁଭୂତି ପ୍ରଦର୍ଶନ କରି ସମାଜ ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିଛନ୍ତି ବିରୁହାଁ ଜେନାସାହି ଗ୍ରାମର ଲୋକମାନେ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ, ଧାମନଗର

ବାଲିଘର ଫାଉଣ୍ଡେସନ ପକ୍ଷରୁ ବୈଜ୍ୟେଷ୍ଟ ବ୍ୟାକ୍ତିଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ
ରିପୋର୍ଟ : ନିରୋଜ କୁମାର ସେଠୀ, ଏରସମା ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ପକ୍ଷରୁ ଏରସମା ବ୍ଲକ୍ ଜପା ପଞ୍ଚାୟତର ବୋତି ଗାଁ ନିବାସୀ ୧୭ ଜଣ ବୈଜ୍ୟେଷ୍ଟ ବ୍ୟାକ୍ତିଙ୍କୁ ନୂତନ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।ସମାଜରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କିଛି କର୍ତ୍ତବ୍ୟ କରିବାର ଆଭିମୁଖ୍ୟ ନେଇ ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଅନୁଷ୍ଠାନର ସକ୍ରିୟ ସଦସ୍ୟା ସରୋଜିନୀ ଜୟସିଂଙ୍କ ସହଯୋଗରେ ଗ୍ରାମର ସର୍ବଶ୍ରୀ ମାଧବ ସେଠୀ, ସର୍ଵେଶ୍ୱର ବେହେରା, ଭକ୍ତବନ୍ଧୁ ପାଇଟାଳ,ନିତ୍ୟାନନ୍ଦ ସାମିଲ, ନାରାୟଣ ସ୍ୱାଇଁ, ବଳରାମ ସାମଲ,ଦୁର୍ଗା ଚରଣ ସ୍ୱାଇଁ, ସୀତାକାନ୍ତ ସ୍ୱାଇଁ,ବଟକୃଷ୍ଣ ପାଇଟାଳ,ରବୀନ୍ଦ୍ରନାଥ ବେହେରା, ଅଲେଖ ସ୍ୱାଇଁ,ରବୀନ୍ଦ୍ର ସାହୁ, ଅଲେଖ ବିଶ୍ୱାଳ, କେଳୁ ସ୍ୱାଇଁ,କୃଷ୍ଣ ଚନ୍ଦ୍ର ପାଇଟାଳ,ସନ୍ତୋଷ ପାଇଟାଳ ଓ ଦୀନବନ୍ଧୁ ସ୍ୱାଇଁ ପ୍ରମୁଖ ବରିଷ୍ଠ ନାଗରିକ ମାନଙ୍କୁ ନୂତନ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି।
Jagatsinghpur (ଜଗତସିଂହପୁର) • ରିପୋର୍ଟ : ନିରୋଜ କୁମାର ସେଠୀ, ଏରସମା

ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ବଢୁଛି ଲୋକପ୍ରିୟତା
ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏକ ବଡ଼ ଦଳଗତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ, ଦିନକୁ ଦିନ ରାଜ୍ୟରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ସୁନାମ ଓ ଲୋକପ୍ରିୟତା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଜନସାଧାରଣଙ୍କ ମଧ୍ୟରେ ଦଳ ପ୍ରତି ଥିବା ବିଶ୍ୱାସ ଏବେ ଶୀର୍ଷକୂ ଛୁଇଁଛି। ନେତୃତ୍ୱଙ୍କ ଦକ୍ଷ ପରିଚାଳନା ଏହି ସଫଳତା ଏବଂ ବଢୁଥିବା ଲୋକପ୍ରିୟତା ପଛରେ ଦଳର କିଛି ପ୍ରମୁଖ ତଥା ପ୍ରଭାବଶାଳୀ ନେତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ସଫଳ ରଣନୀତି ରହିଛି। ବିଶେଷ କରି ବଦ୍ରୀନାଥ ମହାନ୍ତି, ରାକେଶ ବେହେରା, ଅନୁରାଧା ମ୍ୟାଡମ୍ l ଏହି ସମସ୍ତ ଶୀର୍ଷ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ମାର୍ଗଦର୍ଶନରେ ଦଳର ସଂଗଠନ ତୃଣମୂଳ ସ୍ତରରେ ଅତ୍ୟନ୍ତ ମଜବୁତ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ: "ଜନସାଧାରଣଙ୍କ ସେବା ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏହି ନେତାମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି, ଯାହା ଦଳକୁ ଏକ ନୂଆ ଶିଖରକୁ ନେଇଯାଉଛି।" ଜନସାଧାରଣଙ୍କ ସମର୍ଥନ ସାଧାରଣ ଲୋକଙ୍କ ସମସ୍ୟାକୁ ବୁଝିବା ଏବଂ ତାହାର ସଠିକ୍ ସମାଧାନ କରିବା ପାଇଁ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ସଦାସର୍ବଦା ଚେଷ୍ଟିତ। ଏହି କାରଣରୁ ଲୋକମାନଙ୍କ ମଧ୍ୟରେ ଦଳ ପ୍ରତି ଭଲପାଇବା ଓ ଆଦୃତି ବହୁ ପରିମାଣରେ ବୃଦ୍ଧି ପାଇଛି, ଯାହା ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ଏକ ବଡ଼ ସଙ୍କେତ ବୋଲି କୁହାଯାଉଛି।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁଶାନ୍ତ କୁମାର ମହାକୁଡ଼, ଭୁବନେଶ୍ୱର

ସମ୍ବଲପୁରରେ ରାଜସ୍ୱ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ, ବଣ୍ଟନ ହେଲା ବସୁନ୍ଧରା ଓ ଜଙ୍ଗଲ ଜମି ପଟ୍ଟା
ରିପୋର୍ଟ: ରିତେଶ କୁମାର ମୁଣ୍ଡ, ସମ୍ବଲପୁର ସମ୍ବଲପୁର, ୨୪/୦୬:ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ଜିଲ୍ଲା ପରିଷଦ ସଭାଗୃହରେ ରାଜସ୍ୱ, ଭୂମି ଅଧିଗ୍ରହଣ, ପୁନଃସ୍ଥାପନ ଏବଂ ପୁନର୍ବାସ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ତହସିଲ ଅଞ୍ଚଳରେ ଚାଲିଥିବା ରାଜସ୍ୱ ପ୍ରଶାସନ, ଭୂମି ଅଧିଗ୍ରହଣ ପ୍ରକ୍ରିୟା, ପୁନଃସ୍ଥାପନ ଓ ପୁନର୍ବାସ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଏବଂ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ତହସିଲରୁ ଆସିଥିବା ୮୫ ଜଣ ହିତାଧିକାରୀଙ୍କୁ ବସୁନ୍ଧରା ପଟ୍ଟା ବଣ୍ଟନ କରାଯାଇଥିଲା। ସେହିପରି ୬୩ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୩୯ଟି ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ଭୂମିହୀନ ଓ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭୂମି ଅଧିକାର ପ୍ରଦାନ କରିବା ସହ ଶିକ୍ଷାନୁଷ୍ଠାନଗୁଡ଼ିକର ଜମି ସମ୍ବନ୍ଧୀୟ ସମସ୍ୟାର ସମାଧାନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।
Sambalpur (ସମ୍ବଲପୁର) • ରିପୋର୍ଟ: ରିତେଶ କୁମାର ମୁଣ୍ଡ, ସମ୍ବଲପୁର

ମାନ୍ୟବରଙ୍କ ଝିଆରୀ-ପୁତୁରାଙ୍କ ନାଁରେ ଚାଲିଛି ଠିକାଦାରୀ
ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲ୍ଲିକୋଟ ଖଲ୍ଲିକୋଟ:୨୪/୦୬ ,ଡବଲ୍ ଇଞ୍ଜିନ୍ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଖଲ୍ଲିକୋଟରେ ଉନ୍ନତି କ୍ଷେତ୍ରରେ ଜିରୋ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଶାସନ କାଳରେ ଦୁଇ ଦୁଇ ଥର ଖଲ୍ଲିକୋଟ ବିଧାନସଭା ଆସନରୁ ଲଢି ବିଜୟୀ ହୋଇଛନ୍ତି। ଏବେ ବିଜେପିରୁ ମଧ୍ୟ ଲଢି ବିଜୟୀ ହାସଲ କରିଛନ୍ତି। ଏବକୁ ଡବଲ୍ ଇଞ୍ଜିନ୍ ସରକାରଙ୍କ ୨ଵର୍ଷ ଅବଧି ପୂର୍ଣ୍ଣ ହେବାର ନଜିର କୁ ଆସୁଛି ହେଲେ ଖଲ୍ଲିକୋଟ ସହର ର ଉନ୍ନତି ମୂଳକ କାର୍ଯ୍ୟ କ୍ରମ କ'ଣ ହୋଇଛି ? ହଁ ଉନ୍ନତି ହୋଇଛି ଗୋଷ୍ଠୀ କନ୍ଦଳ, ମିଶ୍ରଣ ପର୍ବ, Old Wine in New Bottle, ଟେଣ୍ଡର ପ୍ରକ୍ରିୟା ରେ ପରସ୍ପର କାଦୁଅ ଫିଙ୍ଗା ଫିଙ୍ଗି, ଦାଦା, ବଡବାପା ମାନେ ନେତା, ଝିଆରୀ ପୁତୁରା ମାନେ କରୁଛନ୍ତି କଣ୍ଟ୍ରାକ୍ଟର୍ ଓ ଏଥିରେ ବଳିପଡୁଛନ୍ତି ସାଧାରଣ ଜନତା। ଏବେ ଖବର ନେବାରୁ ଜଣାପଡିଛି ଯେ ଖଲ୍ଲିକୋଟ ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ଘର ସାମ୍ନାରେ , ତହସିଲଦାର ସରକାରୀ ବାସଭବନ ର ପଛ ଭାଗରେ ପାଚେରୀ କୁ ଲାଗି ଗୋଟିଏ ଘର ତିଆରି ଚାଲିଛି, ପାଖରେ ରହିଛି ମିଶନ ଶକ୍ତି ଗୃହ ଯାହାକି ଏପର୍ଯ୍ୟନ୍ତ ହସ୍ତାନ୍ତର ହୋଇନାହିଁ। ସେଠାରେ ସୂଚନା ଫଳକ ନାହିଁ, କିଏ ଉକ୍ତ ଅନୁଷ୍ଠାନ ଟି କରୁଛନ୍ତି, ସେ ଭଦ୍ର ବ୍ୟକ୍ତି ବିଶେଷ ମଧ୍ୟ ନାହାନ୍ତି। ତାହା ହେଲେ ଏ ଘର କାହାର ଆଦେଶରେ ତିଆରି ଚାଲିଛି। ଏ ସଂପର୍କରେ ଆମର ସ୍ଥାନୀୟ ଖଲିକୋଟ ତହସିଲ ଦାର ଙ୍କୁ ସ୍ରିଷ୍ଟି ନିୟୁଜ୍ ର ରିପୋର୍ଟ ର ଶିବରାମ ଜେନା ଫୋନ୍ ମାଧ୍ୟମରେ ଅବଗତ କରାଇଥିଲେ। କିନ୍ତୁ ଆଶାନୁରୂପ ଉତ୍ତର ପାଇନାହାନ୍ତି । ତତ୍ ସହିତ ଖଲ୍ଲିକୋଟ ଏନ୍ଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ଦିପ ଖାଡଙ୍ଗା ଙ୍କୁ ଫୋନ୍ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ତେଣୁ ସରକାର ଙ୍କୁ ଜନସାଧାରଣ ଙ୍କ ତରଫ ରୁ ଶିବରାମ ଜେନା ନିବେଦନ କରିଛନ୍ତି ଯେ, ଏହା ର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେଇ ଜନସାଧାରଣ ଙ୍କ ମଧ୍ୟରେ ଚାଲିଥିବା ଚର୍ଚ୍ଚାର ଅବସାନ ଘଟାନ୍ତୁ ।
Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲ୍ଲିକୋଟ
