ସିଙ୍ଗପୁର ବାଣ ବିସ୍ଫୋରଣ ଘଟଣା: ମାମଲା ରୁଜୁ, ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ଜାରି
Ganjam (ଗଞ୍ଜାମ)ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଦିଗପହଣ୍ଡିJune 26, 202654 views

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତକୁ ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ଆକାଶ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାରର ତିନିଜଣ ଗୁରୁତର ଆହତ ହୋଇଛନ୍ତି।
ଘଟଣାକୁ ନେଇ ପୋଡ଼ାମାରି ଫାଣ୍ଡି ଏସ୍ଆଇ ପ୍ରଭାତ କୁମାର ବାଲିକାନାଙ୍କ ଏତଲା ଆଧାରରେ ପାଟପୁର ଥାନାରେ ମାମଲା ନଂ–୧୮୦/୨୬ ରୁଜୁ କରାଯାଇଛି। ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନିର୍ଦ୍ଦେଶରେ ତଦନ୍ତ ଚାଲିଥିବା ବେଳେ ତଦନ୍ତକାରୀ ଅଧିକାରୀ ସୋଲେମାନ ଭୁଁୟା ଓ ଛତ୍ରପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆକାଶ ଦାସ ଓ ତାଙ୍କ ପରିବାର ବିଭିନ୍ନ ଉତ୍ସବ ପାଇଁ ହାତ ତିଆରି ବାଣ ପ୍ରସ୍ତୁତ କରି ବିକ୍ରି କରୁଥିଲେ। ବୁଧବାର ସନ୍ଧ୍ୟାରେ ଘରେ ବାଣ ପ୍ରସ୍ତୁତ କରୁଥିବା ସମୟରେ ଅସାବଧାନତାବଶତଃ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।
ବିସ୍ଫୋରଣରେ ଆକାଶ ଦାସ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ତାଙ୍କ ବାପା ସନ୍ତୋଷ ଦାସ, ମା ବିଷ୍ଣୁପ୍ରିୟା ଦାସ ଏବଂ ବଡ଼ ମା ଲକ୍ଷ୍ମୀ ଦାସ ଗୁରୁତର ଆହତ ହୋଇ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଗୁରୁବାର ଆକାଶଙ୍କ ମୃତଦେହର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
