--:--:--
-- ---
Srishti News

Web News

୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
Jun 26, 2026•59 views

୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଯାଜପୁର, ତା. ୨୫.୦୬.୨୦୨୬: ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଅବସରରେ ଆଜି ଏନ୍‌.ସି. ଅଟୋନୋମସ୍ କଲେଜ, ଯାଜପୁର ପରିସରରେ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଏନ୍‌.ସି. ଅଟୋନୋମସ୍ କଲେଜ ଏବଂ ବିରଜା ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ବାଣିଜ୍ୟ, ଅର୍ଥନୀତି, ପରିସଂଖ୍ୟାନ, ଗଣିତ ଏବଂ ଅନ୍ୟାନ୍ୟ ସମ୍ବଦ୍ଧ ବିଷୟର ଛାତ୍ରଛାତ୍ରୀମାନେ ଏହି କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମଟି ଏନ୍‌.ସି. ଅଟୋନୋମସ୍ କଲେଜର ଅର୍ଥନୀତି ବିଭାଗର ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଯାଜପୁରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ମନୋଜ କୁମାର ନାୟକଙ୍କ ସକ୍ରିୟ ସହଯୋଗ ଓ ମାର୍ଗଦର୍ଶନରେ ପ୍ରତିଯୋଗିତାଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୯.୦୬.୨୦୨୬ ରିଖରେ ଆୟୋଜିତ ହେବାକୁ ଥିବା ଜାତୀୟ ପରିସଂଖ୍ୟାନ ଦିବସ ପାଳନ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାମାନଙ୍କର ସକ୍ରିୟ ସହଭାଗିତା ପରିଲକ୍ଷିତ ହୋଇଥିଲା ଏବଂ ଏହା ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପରିସଂଖ୍ୟାନ ପ୍ରତି ଆଗ୍ରହ ବୃଦ୍ଧି କରିବାରେ ସହାୟକ ହୋଇଛି।

Jajpur (ଯାଜପୁର) • ରିପୋର୍ଟ _ନିରୋଜ କୁମାର ସେଠୀ

ଯାଜପୁର ଜିଲ୍ଲା କୃଷି ଭବନ ପରିସର ସିଏମ କିସାନ କେନ୍ଦ୍ର ଆଗ ଜଙ୍ଗଲରେ ପରିଣତ
Jun 26, 2026•147 views

ଯାଜପୁର ଜିଲ୍ଲା କୃଷି ଭବନ ପରିସର ସିଏମ କିସାନ କେନ୍ଦ୍ର ଆଗ ଜଙ୍ଗଲରେ ପରିଣତ

ଯାଜପୁର ପୁର କିଆନାଳି ଛକରେ ଥିବା କୃଷି ଭବନ ପରିସରର ଭିତର କଥା ନକହିଲେ ଭଲ। ବଡ ବଡିଆ ବାବୁ ମାନେ କେତେବେଳେ କାର୍ଯ୍ୟାଳୟ ଆସୁଛନ୍ତି ତ କେତେ ବେଳେ ଆସୁନାହାନ୍ତି। ଖାଲି ବାବୁ ମାନଙ୍କର କାମ ହିଁ କାମ,ପ୍ରାସାସନିକ ଆଢ଼ୁଆଳରେ ରହି ରହ ଠହ ହିସାବରେ କାର୍ଯ୍ୟ କରୁଥିବା ଦେଖାଯାଇ ଥିଲା।ଯେବେ ପଡ଼ିବ ଦରକାର ସଫା ହେବ ସି,ଏମ ଘର ଆଗର। ନିଜକୁ ଖରାପ ଲାଗିବାର କଥା।ସରକାର କହୁଛନ୍ତି ପରିଷ୍କାର ରହିବା,ଆମ ପରିବେଶକୁ ସଫାସୁତୁରା ରଖିବି।ହେଲେ ଏଠି ପୁରା ଓଲଟା ଦେଖାଯାଉ ଆଗକୁ ପରିସର କେତେ ସଫା ରହିବ।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ

ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ, ମିଲର୍ସଙ୍କ ମନମାନି ଓ ପ୍ରଶାସନିକ ଅବହେଳା !
Jun 26, 2026•91 views

ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ, ମିଲର୍ସଙ୍କ ମନମାନି ଓ ପ୍ରଶାସନିକ ଅବହେଳା !

ଯାଜପୁର ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପ୍ରାଥମିକ କୃଷି ସମବାୟ ସମିତି ସିମିଳିଆ ଓ ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଅଧୀନରେ ମଲ୍ଲିକାପୁର ତିଛକି ରାସ୍ତା କଡ଼ରେ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ମିଲର୍ସଙ୍କ ବିଳମ୍ବ ଓ ପ୍ରଶାସନର ଅବହେଳା ଯୋଗୁଁ ଚାଷୀଙ୍କ କଷ୍ଟାର୍ଜିତ ଫସଲ ଏବେ ବର୍ଷାରେ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଯାଜପୁର ବ୍ଲକର ବିଭିନ୍ନ ମଣ୍ଡିରେ ଧାନ କିଣା ହୋଇଥିଲେ ମଧ୍ୟ ମିଲକୁ ଉଠାଣ ହୋଇନାହିଁ। ମଲ୍ଲିକାପୁର ତିଛକି ରାସ୍ତା କଡ଼ରେ ନାଟ ମଡ଼ା ହୋଇ ଧାନ ପଡ଼ି ରହିଛି। କାଦୁଅ ଓ ପାଣି ମଧ୍ୟରେ ଧାନ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଏପଟେ କାଳବୈଶାଖୀର ସତର୍କ ସୂଚନା ଚାଷୀଙ୍କ ନିଦ ହଜାଇ ଦେଇଛି। ବର୍ଷା ହେଲେ ଧାନ ଭିଜି ଗଜା ହେବାର ଆଶଙ୍କା ରହିଛି। ମଣ୍ଡିରେ ପର୍ଯ୍ୟାପ୍ତ ତ୍ରିପାଲ କିମ୍ବା ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅନ୍ନଦାତା ନିଜ ଫସଲକୁ ଜଗି ରହିବାକୁ ବାଧ୍ୟ ହେଉଛନ୍ତି। ଚାଷୀଙ୍କ ଅଭିଯୋଗ, ମିଲର୍ସଙ୍କ ମନମାନି ଓ ପ୍ରଶାସନର ଢିଲା ନୀତି ଯୋଗୁଁ ଦିନ ଦିନ ଧରି ଧାନ ଉଠୁନାହିଁ। ଏଥିରୁ ଚାଷୀମାନେ ଆର୍ଥିକ ଓ ମାନସିକ ଚାପରେ ରହିଛନ୍ତି। ଫସଲ ବିକ୍ରି ନହେବାରୁ ପରିବାର ପ୍ରତିପୋଷଣ ନେଇ ମଧ୍ୟ ସେମାନେ ଚିନ୍ତିତ। ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗକୁ ତୁରନ୍ତ ହସ୍ତକ୍ଷେପ କରି ଧାନ ଉଠାଣ ବ୍ୟବସ୍ଥା କରିବା ସହ ଦାୟୀ ମିଲର୍ସଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ, ଯାଜପୁର

ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ
Jun 26, 2026•117 views

ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୋଳ: ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନ୍ତର୍ଗତ ଅନୁଗୁଳ ମୁନିସିପାଲିଟିର ୧୫ ନମ୍ବର ୱାର୍ଡ ତାମ୍ରିତ୍ କଲୋନୀରେ ଏକ ସଚେତନତା ଓ ଜନସମ୍ପର୍କ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ୱାର୍ଡବାସୀଙ୍କ ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା, ସହରାଞ୍ଚଳ ବିକାଶ ଏବଂ ନାଗରିକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଉପସ୍ଥିତ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ସହାୟତା ରାଶି ପ୍ରଦାନ କରିବା ସହ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଚାଲିଥିବା ରାଜ୍ୟସ୍ତରୀୟ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। “ବିକାଶ ଧାରା ଓଡ଼ିଶା ସାରା” ସଂକଳ୍ପକୁ ସାକାର କରିବା ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଅତ୍ୟନ୍ତ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ବିଜେପି ନେତା ଶ୍ରୀ ବାବୁଲି ନାଏକ, ପୂର୍ବତନ କାଉନସିଲର ଶ୍ରୀ ବଂଶୀଧର ପ୍ରଧାନଙ୍କ ସମେତ ୱାର୍ଡର ବହୁ ବାସିନ୍ଦା ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

୩.୮୦ କୋଟି ଟଙ୍କା ବ୍ୟୟରେ ବନ୍ଦା–ନରେନ୍ଦ୍ରପୁର ସଡ଼କର ଶିଳାନ୍ୟାସ
Jun 26, 2026•120 views

୩.୮୦ କୋଟି ଟଙ୍କା ବ୍ୟୟରେ ବନ୍ଦା–ନରେନ୍ଦ୍ରପୁର ସଡ଼କର ଶିଳାନ୍ୟାସ

ଅନୁଗୋଳ: ବଅଁରପାଳ ବ୍ଲକର ବନ୍ଦା ଗ୍ରାମ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବନ୍ଦା ପୂର୍ତ୍ତ ରାସ୍ତା (ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ଠାରୁ ନୁଆହତା–ମହୀଧରପୁର ରାସ୍ତା (ନରେନ୍ଦ୍ରପୁର ଛକ) ପର୍ଯ୍ୟନ୍ତ ଭାୟା ଚଉରିଡିହ ଶିବ ମନ୍ଦିର ଓ ପାଲ୍ ଫାର୍ମ ହାଉସ୍ ସମ୍ମୁଖ ରାସ୍ତାର ଶିଳାନ୍ୟାସ କରିଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ବହୁ ପ୍ରତୀକ୍ଷିତ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବାବେଳେ, ସ୍ଥାନୀୟ ଅଞ୍ଚଳର ଯାତାୟାତ ବ୍ୟବସ୍ଥାର ଉନ୍ନତି ସହ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏହି ରାସ୍ତା ନିର୍ମାଣ ହେଲେ ବନ୍ଦା, ଚଉରିଡିହ, ନରେନ୍ଦ୍ରପୁର ସମେତ ଆଖପାଖ ଅଞ୍ଚଳର ଲୋକମାନେ ସୁବିଧାଜନକ ଯାତାୟାତ ସୁଯୋଗ ପାଇବେ ଏବଂ ଅଞ୍ଚଳର ସାମଗ୍ରିକ ବିକାଶରେ ଏହା ସହାୟକ ହେବ। ଶିଳାନ୍ୟାସ ଉତ୍ସବରେ ୨୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଗୋପାଳ ନାଏକ, ୨୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମୀରା ଗଡନାୟକ, ବିଜେପି ବଅଁରପାଳ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ସୁବ୍ରତ ସାହୁ, ବିଜେପି ନେତା ଶ୍ରୀ ନିରଞ୍ଜନ ସାହୁ, ଶ୍ରୀ ମଧୁସୂଦନ ପ୍ରଧାନ, ଶ୍ରୀ ବୁଦ୍ଧିମନ୍ତ ବୈଦ୍ୟ, ଶ୍ରୀ ଅଜୟ ରାଉଳ, ଶ୍ରୀ ବିପିନ ଦେହୁରୀ, ଶ୍ରୀ କୁମର ନାଏକଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନିଶା ପାଇଁ ଟଙ୍କା ନ ମିଳିବାରୁ ବୃଦ୍ଧା ମା’ଙ୍କ ଆଙ୍ଗୁଠି କାମୁଡ଼ି ଛିଣ୍ଡାଇଲା ପୁଅ, ଅଭିଯୁକ୍ତ ଗିରଫ
Jun 26, 2026•184 views

ନିଶା ପାଇଁ ଟଙ୍କା ନ ମିଳିବାରୁ ବୃଦ୍ଧା ମା’ଙ୍କ ଆଙ୍ଗୁଠି କାମୁଡ଼ି ଛିଣ୍ଡାଇଲା ପୁଅ, ଅଭିଯୁକ୍ତ ଗିରଫ

ଅନୁଗୋଳ: ନିଶାସକ୍ତ ପୁଅର ଅମାନବୀୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ନିଶା ପାଇଁ ଟଙ୍କା ନ ମିଳିବାରୁ ଜଣେ ପୁଅ ନିଜ ବୃଦ୍ଧା ମା’ଙ୍କୁ ନିର୍ମମ ଭାବେ ଆକ୍ରମଣ କରିବା ସହ ତାଙ୍କ ହାତର ଆଙ୍ଗୁଠିକୁ କାମୁଡ଼ି ଗୁରୁତର ଆହତ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କନ୍ଦରସିଂହା ଗ୍ରାମର ପାଞ୍ଚାଳି ନାଥ ଦୀର୍ଘ ଦିନ ଧରି ପୁଅ ପ୍ରତାପ ନାଥଙ୍କ ନିଶାସକ୍ତ ଅବସ୍ଥାରେ ନିର୍ଯାତନାର ଶିକାର ହୋଇଆସୁଥିଲେ। ପୁଅର ଅତ୍ୟାଚାର ଅସହ୍ୟ ହେବାରୁ ସେ ଘର ଛାଡ଼ି ଅନୁଗୋଳର ଏକ ଆଶ୍ରମରେ ଆଶ୍ରୟ ନେଇଥିଲେ। ମଙ୍ଗଳବାର ପ୍ରତାପ ଆଶ୍ରମରେ ପହଞ୍ଚି ନିଶା ପାଇଁ ମା’ଙ୍କୁ ଟଙ୍କା ମାଗିଥିଲା। ତେବେ ପାଞ୍ଚାଳି ଟଙ୍କା ଦେବାକୁ ମନା କରିଦେବାରୁ ସେ ଉତ୍ତେଜିତ ହୋଇ ପ୍ରଥମେ ମା’ଙ୍କୁ ମାଡ଼ ମାରିଥିଲା। ଏଥିରେ ମନ ନ ବୁଝିବାରୁ ପରେ ସେ ମା’ଙ୍କ ହାତର ଏକ ଆଙ୍ଗୁଠିକୁ ଜୋରରେ କାମୁଡ଼ି ଗୁରୁତର ଭାବେ ଆହତ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଆଶ୍ରମ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ତୁରନ୍ତ ପହଞ୍ଚି ଅଭିଯୁକ୍ତ ପ୍ରତାପ ନାଥଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରାଉରକେଲା ଶ୍ରମିକ ସଂଘ ପ୍ରତିନିଧିମଣ୍ଡଳୀଙ୍କ ସେଲ୍ ଚେୟାରମେନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର
Jun 26, 2026•80 views

ରାଉରକେଲା ଶ୍ରମିକ ସଂଘ ପ୍ରତିନିଧିମଣ୍ଡଳୀଙ୍କ ସେଲ୍ ଚେୟାରମେନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର

ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧିମଣ୍ଡଳୀ DIC Conference Hall ଠାରେ ସେଲ୍ ଚେୟାରମେନ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଇସ୍ପାତ ଶ୍ରମିକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟା ସମ୍ପର୍କରେ ଚେୟାରମେନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ପ୍ରତିନିଧିମଣ୍ଡଳୀ ପକ୍ଷରୁ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରାଯାଇଥିଲା— • ୩୯ ମାସର ଏରିୟର ପ୍ରଦାନ। • ଦୀର୍ଘଦିନ ଧରି ଝୁଲି ରହିଥିବା ପୂର୍ଣ୍ଣାଙ୍ଗ ମଜୁରୀ ଚୁକ୍ତିନାମା ଶୀଘ୍ର ସମ୍ପାଦନ। • ବିଗତ ତିନି ବର୍ଷ ମଧ୍ୟରେ ଥରେ ମଧ୍ୟ NJCS ବୈଠକ ନ ଡକାଯିବା ପ୍ରସଙ୍ଗରେ ତୁରନ୍ତ ବୈଠକ ଆହ୍ୱାନ। • ୨୦ ବର୍ଷ ପୁରୁଣା Incentive Reward Schemeର ସଂଶୋଧନ ଓ ଅନୁମୋଦନ। • ବିସ୍ଥାପିତ ଆଧାରରେ ନିଯୁକ୍ତ କର୍ମଚାରୀଙ୍କ ଟ୍ରେନିଂ ପିରିୟଡ୍‌କୁ ଚାକିରି ଅବଧିରେ ଅନ୍ତର୍ଭୁକ୍ତ କରିବା। • ବିସ୍ଥାପିତ କର୍ମଚାରୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଗ୍ରେଡ୍ ପ୍ରଦାନ। • IGH ଓ Townshipର ଘରୋଇକରଣ (Privatisation) ବନ୍ଦ ରଖିବା। • ଇସ୍ପାତ ଶ୍ରମିକମାନଙ୍କ ପାଇଁ Housing Project ଜରିଆରେ ବାସଗୃହ ଯୋଗାଇ ଦେବା। • License Quarter, Retention Scheme, Double Quarter ଏବଂ ଖାଲି ପଡ଼ିଥିବା ୩୦୦୦ରୁ ଅଧିକ କ୍ୱାର୍ଟର ଆବଣ୍ଟନ ଆଦି ସମସ୍ୟାର ସମାଧାନ। • ଇସ୍ପାତ ଶ୍ରମିକଙ୍କୁ Townshipରୁ Plantକୁ ହେଉଥିବା ବେଆଇନ ବଦଳି ବନ୍ଦ କରିବା। • Contract Workersମାନଙ୍କ ପାଇଁ Minimum Wages କାର୍ଯ୍ୟକାରୀ କରିବା। ସେଲ୍ ଚେୟାରମେନ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ଉପସ୍ଥାପିତ ଦାବିଗୁଡ଼ିକୁ ସକାରାତ୍ମକ ଭାବେ ଗ୍ରହଣ କରି ସେଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧିମଣ୍ଡଳୀରେ ଉପସାଧାରଣ ସମ୍ପାଦକ ଚକ୍ରଧର ପ୍ରଧାନ, ଉପସଭାପତି ସୁରେଶ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଦତ୍ତ, ବୀରକିଶୋର ଶେଖରଦେଓ, ସତ୍ୟ ସାହୁ, ନିହାର ଦାସ, ଦୁଃଶାସନ ନାୟକ, ବିକାଶ ବେହୁରିଆ, ପଦ୍ମାଳୟା ଧର, ମନୋଜ କିଶାନ ଓ ପ୍ରତାପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ, ରାଉରକେଲା

କାର ସହିତ ୨୧୦ ଲିଟର ଦେଶୀ ମଦ ଜବତ, ୩ ଗିରଫ
Jun 26, 2026•81 views

କାର ସହିତ ୨୧୦ ଲିଟର ଦେଶୀ ମଦ ଜବତ, ୩ ଗିରଫ

ଭୁବନ ୨୫.୬ - ଢେଙ୍କାନାଳ ଜିଲ୍ଲା ଭୁବନ ଅବକାରୀ ବିଭାଗ ଦ୍ୱାରା ଏକ କାର ସହିତ ୨୧୦ ଲିଟର ଦେଶୀ ମଦ ଜବତ ହେବା ସହ ୩ ଜଣ ଗିରଫ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ଭୁବନ ଅଞ୍ଚଳରେ ଗତ କିଛି ଦିନ ହେଲା ଜୋରଦାର ଚଢ଼ାଉ ଚାଲିଛି। ଭୁବନ ଅବକାରୀ ଉପ ନିରୀକ୍ଷକ ଶ୍ରୀଯୁକ ବୁଲୁ ପାତ୍ର ବୁଧବାର ରାତି ପାଟ୍ରୋଲିଂରେ ଯାଇଥିବା ବେଳେ ଏକ କାର ରେ ବିପୁଳ ଦେଶୀ ମଦ ଆସୁଥିବା ଖବର ପାଇ ଭୁବନ ଥାନା ଅନ୍ତର୍ଗତ ନିଳକଣ୍ଠପୁର ଠାରେ ଓଡ଼ି୦୨ ଏ ଜେ ୧୭୯୧ ବିଶିଷ୍ଟ କାର କୁ ଅଟକ ରଖି ଚଢ଼ାଉ କରି ୨୧୦ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରି ଅବକାରୀ କାର୍ଯ୍ୟଳୟକୁ ଆଣିଥିଲେ । କେଶ୍ ନଂ ୪୫/୨୦୨୬-୨୭ ରେ ମାମଲା ରୁଜ୍ଜୁ କରିବା ସହ ଗିରଫ ବ୍ୟକ୍ତି କଟକ ଜିଲ୍ଲା ଆଠଗଡ ଥାନା ଅରଖପାଟଣା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ,କୋରଙ୍ଗ ଗ୍ରାମର କମଳ ସାହୁ ଏବଂ ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଗନ୍ଦିଆ ଗ୍ରାମର ଜିତେନ୍ଦ୍ର ସାହୁ ଙ୍କୁ ଗୁରୁବାର ଭୁବନ ଜେ ଏମ୍ ଏଫ୍ ସି କୋର୍ଟ ରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବା ପାଇଁ ଅଭିଯୁକ୍ତ ମାନଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି । ଭୁବନ ଅବକାରୀ ସବ୍ ଇନ୍ସପେକ୍ଟର ବୁଲୁ ପାତ୍ର ଙ୍କ ତତ୍ତ୍ଵାବଧାନରେ ଏ ଏସ ଆଇ ଶମ୍ଭୁ ପ୍ରସାଦ ନାୟକ,କନଷ୍ଟେବଳ ଲିଟୁ ବିଶ୍ୱାଳ ,ଶ୍ରଦ୍ଧାଞ୍ଜଳି ସାମଲ, ସୁଜିତ ନାୟକ,ଆଲୋକ କୁମାର ଜେନା ଓ ଗନ୍ଦିଆ ଅବକାରୀ କର୍ମଚାରୀ ମାନେ ଏହି ଚଢ଼ାଉରେ ସହଯୋଗ କରିଥିଲେ ।

Dhenkanal (ଢେଙ୍କାନାଳ) • ରିପୋର୍ଟ: ସୁଶାନ୍ତ କୁମାର ପୋଥାଳ, ଭୁବନ

ଦିଗପହଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣା: ସ୍କୁଟି ଓ ପଲସର ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର
Jun 26, 2026•65 views

ଦିଗପହଣ୍ଡିରେ ଭୟଙ୍କର ସଡ଼କ ଦୁର୍ଘଟଣା: ସ୍କୁଟି ଓ ପଲସର ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରଡ଼ା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ସ୍କୁଟି ଓ ପଲସର ମୋଟର ସାଇକେଲ ମଧ୍ୟରେ ସାମ୍ନାସାମ୍ନି ଭୟଙ୍କର ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ​ମୃତକ ଦୁଇ ଜଣ ହେଲେ ପାଟପୁର ଗ୍ରାମର କାଳିଆ ସ୍ୱାଇଁ ଏବଂ ଲକ୍ଷ୍ମୀପୁର ଗ୍ରାମର ଭୋଳା ସେଠୀ। ସୂଚନା ଅନୁଯାୟୀ, ଆଙ୍କୋରଡ଼ା ଛକ ନିକଟରେ ଦୁଇଟି ଯାକ ଦୁଇଚକିଆ ଯାନ ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଥିଲା ଯେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ମେଡିକାଲ) ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ​ଅପରପକ୍ଷରେ, ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରି ଏହି ଦୁର୍ଘଟଣା କେଉଁ ପରିସ୍ଥିତିରେ ଏବଂ କିଭଳି ଘଟିଲା, ସେ ନେଇ ଅଧିକ ପଚରା ଉଚରା ଓ ଅନୁସନ୍ଧାନ ଚଳାଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଦିଗପହଣ୍ଡି, ଭଞ୍ଜନଗର

ବଦଳିଲେ ରାଜସୁନାଖଳା ଫାଣ୍ଡି ଅଧିକାରୀ
Jun 26, 2026•63 views

ବଦଳିଲେ ରାଜସୁନାଖଳା ଫାଣ୍ଡି ଅଧିକାରୀ

ରଣପୁର ୨୫/୬- ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ହୋଇଥିବା ସଦ୍ୟ ବଦଳି ପ୍ରକ୍ରିୟାରେ ରଣପୁର ଥାନା ଅଧୀନ ରାଜସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କୁ ନୟାଗଡ଼ ରିଜର୍ଭ ଅଫିସ୍ (ଆରଓ) କୁ ଅଚାନକ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ବର୍ତ୍ତମାନ କଣ୍ଟିଲୋ ଫାଣ୍ଡିରେ କାର୍ଯ୍ୟରତ ଥିବା ଅଧିକାରୀ ସ୍ୱାଗତ କୁମାର ଦାସ ରାଜସୁନାଖଳା ଫାଣ୍ଡିର ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ରାଜସୁନାଖଳା ଫାଣ୍ଡି ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ସୀମାବର୍ତ୍ତୀ ଏକ ଗୁରୁତ୍ୱପୂର୍ଣ୍ଣ ପୁଲିସ ଫାଣ୍ଡି ହୋଇଥିବାରୁ ଏଠାରେ ଆଇନ ଶୃଙ୍ଖଳା ରକ୍ଷା ସହ ବିଭିନ୍ନ ଅପରାଧ ନିୟନ୍ତ୍ରଣ ଦିଗରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ରାଜ ସୁନାଖଳା ଫାଣ୍ଡି ଅଞ୍ଚଳରେ ଚୋରି, ଦୁର୍ଘଟଣା, ପାରିବାରିକ ବିବାଦ, ଅବୈଧ ବ୍ୟବସାୟ ଓ ଅନ୍ୟାନ୍ୟ ଘଟଣାର ସମାଧାନ ପାଇଁ ଲୋକମାନେ ଫାଣ୍ଡି ଉପରେ ସମ୍ପୂର୍ଣ ନିର୍ଭର କରିଥାନ୍ତି। ତାଙ୍କ ଅଚାନକ ବଦଳି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ନୂତନ ଭାବେ ଯୋଗଦେବାକୁ ଥିବା ସ୍ୱାଗତ କୁମାର ଦାସଙ୍କ ଉପରେ ଅଞ୍ଚଳବାସୀଙ୍କ ବିଶେଷ ଆଶା ରହିଛି। ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ, ଅପରାଧ ନିୟନ୍ତ୍ରଣ, ସଡ଼କ ସୁରକ୍ଷା ଓ ଲୋକମାନଙ୍କ ସହ ପୁଲିସର ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ଦିଗରେ ସେ ପଦକ୍ଷେପ ନେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ଜିଲ୍ଲା ପୁଲିସ ପକ୍ଷରୁ ଜାରି ହୋଇଥିବା ଏହି ବଦଳି ଆଦେଶ ଅନୁଯାୟୀ ଖୁବଶୀଘ୍ର ନୂତନ ଅଧିକାରୀ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଏହାପରେ ରାଜସୁନାଖଳା ଫାଣ୍ଡିର କାର୍ଯ୍ୟକଳାପ ଓ ଆଇନ ଶୃଙ୍ଖଳା ପରିଚାଳନାରେ କିପରି ପରିବର୍ତ୍ତନ ଆସୁଛି, ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିବ।

Nayagarh (ନୟାଗଡ଼) • ରିପୋର୍ଟ: ନିରଞ୍ଜନ ମହାପାତ୍ର, ରଣପୁର

ଖଲିକୋଟରେ ଜବରଦଖଲ ଉଚ୍ଛେଦ ପ୍ରହସନ
Jun 26, 2026•231 views

ଖଲିକୋଟରେ ଜବରଦଖଲ ଉଚ୍ଛେଦ ପ୍ରହସନ

ଖଲ୍ଲିକୋଟ:୨୫/୦୬, ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ରାସ୍ତା ପ୍ରଶସ୍ତିକରଣ ପାଇଁ ସୁବ୍ୟବସ୍ଥା କରାଯାଇଥିବା ବେଳେ, ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ସହର ଏଥିରୁ ବାଦ୍ ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାସ୍ତା ପ୍ରଶସ୍ତିକରଣ ଦୂରେ ଥାଉ, ଜବର ଦଖଲ ଉଚ୍ଛେଦ ହୋଇପାରୁନାହିଁ । ଖଲ୍ଲିକୋଟ ଏନ୍ ଏ ସି ର ପ୍ରଚାର ପ୍ରହେଳିକା ଆଉ ଧୂଆଁ ବାଣ। ଆଜିର ଏ ଅବସରରେ କହିବାକୁ ଗଲେ ଖଲ୍ଲିକୋଟ ର ଦେଉଳ ମୁଣ୍ଡେଇ ଛକ ଠାରୁ କରଣ ସାହି ପର୍ଯ୍ୟନ୍ତ ପୁରା ରାସ୍ତା ଟ୍ରାଫିକ୍ ଜାମ୍ । ଦେଖିବାକୁ ମିଳିଥିଲା ଗୋଟିଏ ଧାନ ଟ୍ରକ୍ ଟର୍ଣ୍ଣିଙ୍ଗ୍ ପଏଣ୍ଟ୍ ରେ ରହିଥିବା ଫଳରେ ଗାଡି ଗୁଡିକ ପଛକୁ ପଛ ଲମ୍ବା ଧାଡ଼ି ରେ ପ୍ରାୟ ୨୦୦ମିଟର ଲମ୍ବି ରହିଥିଲା ବୋଲି ଜଣାପଡିଛି। ସେତେବେଳେ ଖଲ୍ଲିକୋଟ ପୋଲିସ ପାଟ୍ରୋଲିଙ୍ଗ୍ ରେ ସହର ପରିକ୍ରମା କରିବାସହ, ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ରାସ୍ତା ପୁରା ନିୟନ୍ତ୍ରଣ କୁ ଆସିଲା ପର୍ଯ୍ୟନ୍ତ ଖଲ୍ଲିକୋଟ ପୋଲିସ୍ ବାହିନୀ ସଜାଗ ଥିଲେ ବୋଲି ଜଣାପଡିଛି। ତେଣୁ ସରକାର ଙ୍କୁ ଜନସାଧାରଣ ଙ୍କ ନିବେଦନ, ଯେ ସରକାର ଖଲ୍ଲିକୋଟ ସହର ର ଉନ୍ନତି କରଣ ଦିଗରେ ପଦକ୍ଷେପ ନେଲେ ଜନସାଧାରଣ ବିଶେଷ ଉପକୃତ ହେବେ।

Ganjam (ଗଞ୍ଜାମ) • ରିପୋର୍ଟ: ଶିବରାମ ଜେନା, ସ୍ୱତନ୍ତ୍ର ପ୍ରତିନିଧି, ଖଲିକୋଟ

ତ୍ରିଦିବସୀୟ ଜନ କଲ୍ୟାଣ ଶିବିରରେ ସୁଭଦ୍ରା ଶକ୍ତି ସମାବେଶ
Jun 26, 2026•80 views

ତ୍ରିଦିବସୀୟ ଜନ କଲ୍ୟାଣ ଶିବିରରେ ସୁଭଦ୍ରା ଶକ୍ତି ସମାବେଶ

ବୋଡେ଼ନ: ୨୫/୦୬ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ୧୫ ଟି ପଞ୍ଚାୟତରେ ବି ଡି ଓ ଚିନ୍ମୟ କୁମାର ସାଗରଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ତ୍ରିଦିବସୀୟ ଜନ କଲ୍ୟାଣ ଶିବିର ୨୨ ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି ।ତିନିଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ ବଣ୍ଟନ,ବିଭିନ୍ନ ଭତ୍ତା ପାଇଁ ନୂତନ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ,ଆବାସ ଗୃହର କାର୍ଯ୍ୟାଦେଶ ପତ୍ର ପ୍ରଦାନ,ଅଂତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ,ପି ଏମ ସୂର୍ଯ୍ୟଘର ମୁଫ୍ତ ବିଜଲି ଯୋଜନା,ଲେବର କାର୍ଡ ପ୍ରଦାନ,ବସୁନ୍ଧରା ଯୋଜନା ମାଧ୍ୟମରେ ପଟ୍ଟା ବଣ୍ଟନ,ଚାଷୀଙ୍କ ପାଇଁ ପି ଏମ କିସାନ ଓ ସି ଏମ କିସାନ୍ ଯୋଜନାର କାର୍ଯ୍ୟକ୍ରମ ହୋଇଥିବାବେଳେ ଆଜି ଅନ୍ତିମ ଦିବସରେ ମହିଳା ସଶକ୍ତିକରଣ,ଶିଶୁ ବିକାଶ,ଜୀବନ ଜୀବିକା ପାଇଁ ବିଭିନ୍ନ ସରକାରୀ ପ୍ରୋତ୍ସାହନକୁ ନେଇ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମରେ କରଙ୍ଗାମାଲ ପଞ୍ଚାୟତରେ ସରପଂଚ ରାମ ଲାଲ ପଣ୍ଡା,ମିଶନ ଶକ୍ତି ବିପିସି ବିଜୟ କୁମାର ଭିତ୍ରୀଆ,ଓଜିବି ମ୍ୟାନେଜର ପ୍ରଶାନ୍ତ କୁମାର ନାଏକ,ଜିପି ନୋଡାଲ ଅଫିସର ପିଇଓ ତାପସ କୁମାର ଅଗସ୍ତି,ସାମ୍ବାଦିକ ରାମନାଥ ପଣ୍ଡା,ଏମ ବି କେ ସଂଯୁକ୍ତା ଜାଲ,ସୁପର ଭାଇଯର ବେଦମତି ଖମାରୀ,ଯୋଗାଣ ସହାୟକ ଶଶିଧର ବାଗ ମଞ୍ଚାସିନ ଥିବାବେଳେ ରୋକାଲ ପଞ୍ଚାୟତରେ ନୋଡାଲ ଅଫିସର ରାକେଶ କୁମାର ଷଡଙ୍ଗୀ,ସରପଂଚ ଠାକୁର ବାଗ,ପି ଇ ଓ ବିଜୟ ଲକ୍ଷ୍ମୀ ମହାନ୍ତି,ନାଏବ ସରପଞ୍ଚ ଶଗରିଆ,ବ୍ୟାଙ୍କ୍ ମିତ୍ର ସବିତା ବାଗ ଓ ଏମ ବି କେ ଇନ୍ଦିରା ବାଗ ମଞ୍ଚାସିନ ଅତିଥି ଥିଲେ ।ଠିକ୍ ସେହିପରି ଲର୍କା ପଞ୍ଚାୟତରେ ସରପଂଚ ଜୟଶ୍ରୀ ପଟେଲ,ପି ଇ ଓ ଯଜ୍ଞ ଭାରତୀ ମାଝୀ,ସୁପର ଭାଇଯର ଅହଲ୍ୟା ଜଗତ,ସି ଏଚ୍ ଓ ଉମ୍ମେହାନି ଖାନମ,ଏମ ବି କେ ଜାନକୀ ମାଳି,ଏ ଡି ଇ ଓ ପବିତ୍ର କଶ୍ୟପ ମଞ୍ଚାଷିନ ରହିଥିଲେ ।ସମାବେଶରେ ମିଶନ ଶକ୍ତିର ସି ଆର୍ ପିଙ୍କ ସମେତ ବିଭିନ୍ନ କ୍ୟାଡ଼ର,ଅଙ୍ଗନୱାଡ଼ି କର୍ମୀ,ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା,ଗ୍ରାମର ଭଦ୍ରବ୍ୟକ୍ତି ଓ ଅନ୍ୟାନ୍ୟ ଲୋକ ଅଂଶ ଗ୍ରହଣ କରିଥିଲେ ।ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମ ପାଇଁ ପଞ୍ଚାୟତ ନୋଡାଲ ଅଫିସର ଭାବରେ ୧୧ ଜଣ ପି ଇ ଓ ତାପସ କୁମାର ଅଗସ୍ତି,କ୍ଷମାସାଗର ସୁନାନି,ଗୁର୍ଜ୍ଜୁ ହଂସ,ନମିତା ସାହୁ,ବିଜୟ ଲକ୍ଷ୍ମୀ ମହାନ୍ତି,ହିରଣ୍ୟମୟୀ ଚଲାନ,ଯଜ୍ଞ ଭାରତୀ ମାଝୀ,ଶକ୍ତି ରଂଜନ ରାଉତ,ହୃଷୀକେଶ ବୈଠାରୁ,କ୍ଷୀରୋଦ ଚନ୍ଦ୍ର ନାଏକ,ଶାଶ୍ଵତ କୁମାର ଭୋଇ ଏବଂ ୪ଜଣ ଏଡିଇଓ ସହଶ୍ରାଂଶୁ ଯୋଶୀ,ଗଜାନନ ମେହେର,ହରିଶ୍ଚନ୍ଦ୍ର ମାଝୀ ଓ ନବୀନ ଘିଭେଲା କାର୍ଯ୍ୟ ନିର୍ବାହ କରିଥିଲେ ।ପୁଣି ବ୍ଲକ ପକ୍ଷରୁ ନୋଡାଲ ଅଫିସର ରୂପେ ଡବ୍ଲୁ ଇ ଓ କ୍ଷଣପ୍ରଭା ପାଣିଗ୍ରାହୀ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ନାଏକ, ଏ ପି ଓ ରବିନାରାୟଣ ରାଉତ,ସହକାରୀ ଯନ୍ତ୍ରୀ ଜୁଗେଶ୍ୱର ନାଏକ ଓ ଦିନବନ୍ଧୁ ଶବର,ଯୋଗାଣ ନିରୀକ୍ଷକ ଆଲୋକ କୁମାର ପାତ୍ର,କନିଷ୍ଠ ଯନ୍ତ୍ରୀ ଅମରେନ୍ଦ୍ର ବିଶ୍ଵାଳ, ଧର୍ମେନ୍ଦ୍ର ସାହୁ ଓ ବିରଞ୍ଚିନାରାୟଣ ଉଦଣ୍ଡ ରାୟ ,ଜିପିଡିଓ ଭୀଷ୍ମ କୁମ୍ଭାର,ବି ଏଲ ସି ସୁନୀତା ସୁନା,ବିପିସି ବିଜୟ କୁମାର ଭିତ୍ରିଆ,ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ସାମଲ ଓ ଏବିଏଫ ରାକେଶ କୁମାର ଷଡଙ୍ଗୀ କାର୍ଯ୍ୟ ପରିଚାଳନା କରିଥିଲେ ।ସମସ୍ତ ପଞ୍ଚାୟତର ସରପଂଚ ମିନତୀ ନନ୍ଦ,ସରିତା ନିଆଲ୍, ଜୟଶ୍ରୀ ପଟେଲ, ଚାତୁରି ବେହେରା,ରାମଲାଲ ପଣ୍ଡା,ଠାକୁର ବାଗ,ଗିରିଜା ମାଝୀ,ରଶ୍ମିତା ସିହ୍ନା,ଗମ୍ଭୀର ତାଣ୍ଡି,ସଦାଶିବ ବେହେରା,କୈଳାଶ ଦଳ,ମଙ୍ଗଳ ସିଂ ଦଳ,ମୁକ୍ତା ରାଉତ,ହୀମାଦ୍ରୀ ଜଗତ,ଯୁଗେଶ୍ଵର ପାଣ୍ଡେ ନିଜ ନିଜ ପଞ୍ଚାୟତ କାର୍ଯ୍ୟକ୍ରମରେ ଅତିଥି ରୂପେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ ।

Nuapada (ନୂଆପଡ଼ା) • ରିପୋର୍ଟର : କଶ୍ୟପ ଜଗତ