ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ, ମିଲର୍ସଙ୍କ ମନମାନି ଓ ପ୍ରଶାସନିକ ଅବହେଳା !
Jajpur (ଯାଜପୁର)ରିପୋର୍ଟ: ନିରୋଜ କୁମାର ସେଠୀ, ଯାଜପୁରJune 26, 202657 views

ଯାଜପୁର ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପ୍ରାଥମିକ କୃଷି ସମବାୟ ସମିତି ସିମିଳିଆ ଓ ନିୟନ୍ତ୍ରିତ ବଜାର କମିଟି, ଯାଜପୁର ଅଧୀନରେ ମଲ୍ଲିକାପୁର ତିଛକି ରାସ୍ତା କଡ଼ରେ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ମିଲର୍ସଙ୍କ ବିଳମ୍ବ ଓ ପ୍ରଶାସନର ଅବହେଳା ଯୋଗୁଁ ଚାଷୀଙ୍କ କଷ୍ଟାର୍ଜିତ ଫସଲ ଏବେ ବର୍ଷାରେ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।
ଯାଜପୁର ବ୍ଲକର ବିଭିନ୍ନ ମଣ୍ଡିରେ ଧାନ କିଣା ହୋଇଥିଲେ ମଧ୍ୟ ମିଲକୁ ଉଠାଣ ହୋଇନାହିଁ। ମଲ୍ଲିକାପୁର ତିଛକି ରାସ୍ତା କଡ଼ରେ ନାଟ ମଡ଼ା ହୋଇ ଧାନ ପଡ଼ି ରହିଛି। କାଦୁଅ ଓ ପାଣି ମଧ୍ୟରେ ଧାନ ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି।
ଏପଟେ କାଳବୈଶାଖୀର ସତର୍କ ସୂଚନା ଚାଷୀଙ୍କ ନିଦ ହଜାଇ ଦେଇଛି। ବର୍ଷା ହେଲେ ଧାନ ଭିଜି ଗଜା ହେବାର ଆଶଙ୍କା ରହିଛି। ମଣ୍ଡିରେ ପର୍ଯ୍ୟାପ୍ତ ତ୍ରିପାଲ କିମ୍ବା ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅନ୍ନଦାତା ନିଜ ଫସଲକୁ ଜଗି ରହିବାକୁ ବାଧ୍ୟ ହେଉଛନ୍ତି।
ଚାଷୀଙ୍କ ଅଭିଯୋଗ, ମିଲର୍ସଙ୍କ ମନମାନି ଓ ପ୍ରଶାସନର ଢିଲା ନୀତି ଯୋଗୁଁ ଦିନ ଦିନ ଧରି ଧାନ ଉଠୁନାହିଁ। ଏଥିରୁ ଚାଷୀମାନେ ଆର୍ଥିକ ଓ ମାନସିକ ଚାପରେ ରହିଛନ୍ତି। ଫସଲ ବିକ୍ରି ନହେବାରୁ ପରିବାର ପ୍ରତିପୋଷଣ ନେଇ ମଧ୍ୟ ସେମାନେ ଚିନ୍ତିତ।
ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗକୁ ତୁରନ୍ତ ହସ୍ତକ୍ଷେପ କରି ଧାନ ଉଠାଣ ବ୍ୟବସ୍ଥା କରିବା ସହ ଦାୟୀ ମିଲର୍ସଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
