Web News

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କେନ୍ଦୁଝର: ୦୫/୧୦:କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଆଜିର ଏହି ଶିବିରରେ ମୋଟ ୨୧୨ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୧୮୮ଟି, ସାମୁହିକ ଅଭିଯୋଗ ୨୪ଟି ଏବଂ ରେଡକ୍ରସ ସହାୟତା ପାଇଁ ୦୯ଟି ଆବେଦନ ଗ୍ରହଣ କରାଯାଇଛି। ୩୮ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲପାଳ ଶ୍ରୀ ବିଶାଲ ସିଂହ, ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ହନୁମନ୍ତ ଧାମଧେରେ , ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଉପ-ଜିଲ୍ଲାପାଳ କେନ୍ଦୁଝର ଉମାଶଙ୍କର ଦଳାଇ ଏବଂ ଏସଡିପିଓ ସୁଦର୍ଶନ ଗଙ୍ଗୋଇଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ।
Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
ବଜେପୁର -ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ବ୍ୟତୀତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଅଶୋକ କୁମାର ଦାସ, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ହେମସାଗର ଭୋଇ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଣ୍ଡବ ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସରୋଜ ବିଶ୍ବାଳ ଏବଂ ତହସିଲଦାର ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ କି, ଉକ୍ତ ଶିବିରରେ ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଆଧାରିତ ସମୁଦାୟ ୭୭ ଗୋଟି ଅଭିଯୋଗ ମଧ୍ୟରୁ ୫୨ ଗୋଟି ବ୍ୟକ୍ତିଗତ ଏବଂ ୨୫ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟାଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଆଇନ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା
ରାଉରକେଲା: ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ରାଉରକେଲା ଆଇନ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ଏକକ ସଂଗୀତ ଓ ସାମାଜିକ ବାର୍ତ୍ତା ରିଲ୍ସ ପ୍ରତିଯୋଗୀତା ଅନୁଷ୍ଠିତ ସୋଇଯାଇଛି। ପ୍ରତିଯୋଗୀତା ଗୁଡିକରେ ବିଚାରକ ଭାବେ ଗୁରୁ ପ୍ରଦୀପ କୁମାର ପଣ୍ଡା, ଗୁରୁ ସ୍ବର୍ଣ୍ଣଲେଖା ମହନ୍ତ, ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ ଓ ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ। ଏହି ଉଭୟ ପ୍ରତିଯୋଗିତାରେ ରାଉରକେଲା ଆଇନ ମହାବିଦ୍ୟାଳୟ, ମ୍ୟୁନିସିପାଲ ମହାବିଦ୍ୟାଳୟ, ଇସ୍ପାତ ବିଦ୍ୟାମନ୍ଦିର,ଆଇଆଇପିଏମ୍, ବିଇଡି କଲେଜ,ଏସଜି ମହିଳା ମହାବିଦ୍ୟାଳୟ, ହୋମିଓପାଥିକ କଲେଜ,ଡାମିଟ୍ସ, ହାଇଟେକ୍ ମେଡିକାଲ୍ କଲେଜ ଓ ରାଜଗାଙ୍ଗପୁର କଲେଜର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ସଂଗୀତ ପ୍ରତିଯୋଗୀତାରେ ତବଲା ରେ ଗୁରୁ ଗୈ।ରାଙ୍ଗ ଗୋଛାୟତ,କେସିଓ ରେ ଗୁରୁ ଦେବ ରଣା ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପୁରସ୍କୃତ କରାଯିବ। ଧରିତ୍ରୀ ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ଡ ସମ୍ପାଦିକା ମହାନ୍ତି,ଡ ତନ୍ମୟ ରାଜ ପାଢ଼ୀ,ଡ଼ ଦିବ୍ୟେନ୍ଦୁ ପଣ୍ଡା, ଅନୁସ୍ମିତା ମହାନ୍ତି, ମନୋରଞ୍ଜନ ମହାନ୍ତି, ସୁଜାତା ନାୟକ, ଲକ୍ଷ୍ମୀପ୍ରିୟା ସାହୁ, ଦେବାଶିଷ ବେହେରା, ଟେକ୍ନିକାଲ ବିଶେଷଜ୍ଞ ଅକ୍ଷୟ ଦାଶ, ଅମିତା ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନନ୍ଦକିଶୋର ମହନ୍ତ, ହୃଦୟ ରଞ୍ଜନ ମହାନ୍ତି, ଆୟୁଷ୍ମାନ ସାହୁ,ଦେବକୀ କାରୁଆ, ରବିନ୍ଦ୍ର ବାଲମୁଚୁ,ରଜତ ମହନ୍ତ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଛାତ୍ରୀ ରୀତୁ କୁମାରୀ ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଜିଲ୍ଲା ଲେଖକ ସlମ୍ମୁଖ୍ୟର ମାସିକ ସାହିତ୍ୟ ଆସର
ରାଉରକେଲା: ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ସୁନ୍ଦରଗଡ଼ ଜିଲ୍ଲା ଲେଖକ ସମ୍ମୁଖ୍ୟ ଓ ମଧୁସୂଦନ ପlଠାଗାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡସ୍ଥିତ ନିଜସ୍ୱ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଲେଖକ ସlମ୍ମୁଖ୍ୟ ର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ୱରେ ଏବଂ କବି ସୁଶାନ୍ତ କୁମାର ନାୟକଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବେ କବି ବ୍ରଜେନ୍ଦ୍ର ଦାଶ 'ରାଷ୍ଟ୍ରହିତ ଓ ସାହିତ୍ୟ 'ଶୀର୍ଷକ ଆଲୋଚନା କରିବାକୁ ଯାଇ କହିଲେ ସାହିତ୍ୟ କେବଳ ଭାବର ଅଭିବ୍ୟକ୍ତି ନୁହେଁ, ଏହା ଏକ ଜାତିର ଚେତନା, ସଂସ୍କୃତି, ଓ ମୂଲ୍ୟବୋଧର ଦର୍ପଣ, ରାଷ୍ଟ୍ରର ଇତିହାସ, ସଂଘର୍ଷ, ସପ୍ନ ଓ ସମ୍ଭାବନାକୁ ସାହିତ୍ୟ ଶବ୍ଦର ଶକ୍ତିରେ ପିଢ଼ି ପରେ ପିଢ଼ି ପହଞ୍ଚାଇ ଥାଏ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଗଗନ ଧଳ କହିଲେ ରାଷ୍ଟ୍ର ଓ ସାହିତ୍ୟ ପରସ୍ପର ପରିପୂରକ । ଅନ୍ୟତମ ବକ୍ତା ଶଙ୍କର ତ୍ରିପାଠୀ କହିଲେ ଯେ କୌଣସି ରାଷ୍ଟ୍ରର ବିକାଶର ମୂଳ ଧାର ହେଉଛି ସାହିତ୍ୟ। ପ୍ରାରମ୍ଭରେ ସାଂସଦର ମୁଖ୍ୟ ଉପଦେଷ୍ଟା ଅଭୟ କୁମାର ଦାସ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ରଖିଥିଲେ। ସଂସଦର ସମ୍ପାଦିକା ରଶ୍ମିଵାଳା ରାଉତରାୟ ସଂସଦର ଆଗାମୀ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନା କରିଥିଲେ । ଏହି ଅବସରରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଏବଂ ଗୀତାରାଣୀ ବେହେରା ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମଞ୍ଜୁଳା କୁମାରୀ ରଥଙ୍କ ସଭାପତିତ୍ୱରେ ଡ଼. ଗୀତାଞ୍ଜଳି ପତ୍ରୀ ସମ୍ମାନିତ ଅତିଥି, ସୁନିତା ସାହୁ ଏବଂ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ କବି ପରେଶ ବିଶ୍ୱାଳ, ନବଘନ ସାମଲ,ଉପେନ୍ଦ୍ର ବସ୍ତିଆ, ଦିବାକର ଦାଶ, ପ୍ରତାପ କୁମାର ପଣ୍ଡା,ଉର୍ବଶୀ ଦଶପତି,ବଳରାମ ଦାଶ, ଦେବେନ୍ଦ୍ର ବଳ, ଅର୍ଚନା ପାତ୍ର, ନିରୁପମା ନାୟକ ପ୍ରମୁଖ କବିତା ପାଠ କରିଥିଲେ । ସୂର୍ଯ୍ୟମଣି ପଣ୍ଡା ଏବଂ ବ୍ରଜକିଶୋର ପାଣି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ, ଶେଷରେ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ଚିତ୍ତରଞ୍ଜନ ଦାସଙ୍କ ଜୀବନ ଥିଲା ଆରୋହଣ ଓ ଅବରୋହଣର ସମନ୍ବୟ: ପ୍ରଗତି ଉତ୍କଳ ସଂଘରେ ଚିତ୍ତରଞ୍ଜନ ଦାସଙ୍କ ୧୦୪ତମ ଜୟନ୍ତୀ ପାଳିତ
ରାଉରକେଲା: ଓଡ଼ିଆ ସାହିତ୍ୟ ଏବଂ ଚିନ୍ତାଜଗତର ପ୍ରାତଃସ୍ମରଣୀୟ ବ୍ୟକ୍ତିତ୍ୱ ଚିତ୍ତରଞ୍ଜନ ଦାସ (ଚିତ୍ତ ଭାଇ) କେବଳ ଜଣେ ସାଧାରଣ ଲେଖକ ନଥିଲେ, ସେ ଥିଲେ ଜଣେ ଗଭୀର ଅନ୍ୱେଷକ। ଜ୍ଞାନ, ଦର୍ଶନ, ବିଶ୍ୱସାହିତ୍ୟ ଏବଂ ଆଧ୍ୟାତ୍ମିକତାର ଉଚ୍ଚତର ସ୍ତରକୁ (ଆରୋହଣ) ପହଞ୍ଚିବା ପାଇଁ ସେ ଆଜୀବନ ସାଧନା କରିଥିଲେ। ତାଙ୍କର ପ୍ରବନ୍ଧ ଓ ଚିନ୍ତାମୂଳକ ରଚନାଗୁଡ଼ିକରେ ମନୁଷ୍ୟର ବୌଦ୍ଧିକ ଓ ଆତ୍ମିକ ବିକାଶର ପ୍ରତିଫଳନ ଦେଖିବାକୁ ମିଳେ। ଜ୍ଞାନର ଶିଖରରେ ପହଞ୍ଚି ମଧ୍ୟ ସେ କେବେହେଲେ ସାଧାରଣ ମଣିଷଠାରୁ ଦୂରେଇ ଯାଇ ନଥିଲେ। ଓଡ଼ିଶାର ଗାଁ ଗଣ୍ଡା, ସାଧାରଣ ମଣିଷର ଦୁଃଖସୁଖ, ଏବଂ ମାଟିର ସୁଗନ୍ଧ ତାଙ୍କ ଲେଖନୀରେ ମୁଖ୍ୟ ସ୍ଥାନ ପାଇଥିଲା। ଏହା ଥିଲା ତାଙ୍କର 'ଅବରୋହଣ'—ଯାହା ଜ୍ଞାନକୁ ସମାଜର ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା। ସେ ବିଶ୍ୱବିଦ୍ୟାଳୟର ଚାରି କାନ୍ଥ ଭିତରେ ସୀମିତ ନରହି ମୁକ୍ତ ଆକାଶର ପକ୍ଷୀ ପରି ବୁଲିଥିଲେ ଏବଂ ମଣିଷର ମନକୁ ବୁଝିବାକୁ ଚେଷ୍ଟା କରିଥିଲେ। ତାଙ୍କର ସମଗ୍ର ଜୀବନ ଏକ ତୀର୍ଥଯାତ୍ରା ପରି ଥିଲା, ଯେଉଁଥିରେ ସତ୍ୟ, ସୌନ୍ଦର୍ଯ୍ୟ ଏବଂ ପ୍ରେମର ସନ୍ଧାନ ଥିଲା। ଚିତ୍ତ ଭାଇଙ୍କ ଏହି ଚିନ୍ତାଧାରା ଆଜି ମଧ୍ୟ ଆମକୁ ଜୀବନକୁ ଏକ ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଦୃଷ୍ଟିରୁ ଦେଖିବା ପାଇଁ ପ୍ରେରଣା ଯୋଗାଏ। ପ୍ରଗତି ଉତ୍କଳ ସଂଘରେ ଚିତ୍ତରଞ୍ଜନ ଦାସଙ୍କ ୧୦୪ତମ ଜୟନ୍ତୀ ପାଳନ ଅବସରରେ ସମ୍ମାନୀତ ବକ୍ତା ଭାବେ ବିଶିଷ୍ଟ ଚିତ୍ତାନୁରାଗୀ ଅଶୋକ କୁମାର ପତି ଏବଂ ମୂଖ୍ୟଅତିଥି ଚିତ୍ତ ପ୍ରେମୀ ଡ. କିଶୋରୀ ଦାଶ ଯୋଗ ଦେଇ ଉପରୋକ୍ତ ମନ୍ତବ୍ୟ ଦେବା ସହ କହିଲେ ଯେ, ଚିତ୍ତ ଭାଇ ଜଣେ ପ୍ରକୃତ ଅର୍ଥରେ 'ଆରୋହଣ ଓ ଅବରୋହଣର ମଣିଷ' ଥିଲେ। ତାଙ୍କର ଜୀବନ ଦର୍ଶନ, ସାହିତ୍ୟିକ ସାଧନା ଏବଂ ମାନବବାଦୀ ଦୃଷ୍ଟିକୋଣ ଏହି ଦୁଇଟି ଧାରାର ଏକ ଅନୂପମ ସମନ୍ୱୟ ଥିଲା। ଡ. ନଗେନ କୁମାର ଦାସଙ୍କ ସଭାପତିତ୍ବ ଏବଂ ଚିତ୍ତପ୍ରେମୀ ଭାରତ ଭୂଷଣ ମହାନ୍ତିଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାକୁ ଅତିଥି ମାନେ ଚିତ୍ତରଞ୍ଜନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଗଙ୍ଗାଧର ତ୍ରିପାଠୀ ରବୀନ୍ଦ୍ର ସଙ୍ଗୀତ ପରିବେଷଣ କରିଥିଲେ। ରାଧାମୋହନ ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇନ୍ଦ୍ରମଣି ମହାପାତ୍ର, ଲକ୍ଷ୍ମଣ ନାଥ ଦାସ, ଘନଶ୍ୟାମ ଧଳ, ଅରବିନ୍ଦ ପାତ୍ର, ରଶ୍ମି ସାହୁ, ଅର୍ଚ୍ଚନା ପାତ୍ର , ବବିତା ଦାଶ, ଧରଣୀଧର ସାମଲ ଏବଂ ବରୁଣ କୁମାର ନାହାକ ପ୍ରମୁଖ ସହାୟତା କରିଥିବା ବେଳେ, ସହରର ବହୁ ସାହିତ୍ୟ - ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
Rourkela (ରାଉରକେଲା) • କୁଞ୍ଜବିହାରୀ ରାଉତ

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ କେନ୍ଦୁଝର ଗସ୍ତ
*କେନ୍ଦୁଝର, ୦୫/୧୦:* ସୂଚନା ଓ ଲୋକସମ୍ପର୍କ ବିଭାଗ, ଉତ୍ତରାଞ୍ଚଳ, ସମ୍ବଲପୁରର ଯୁଗ୍ମ ନିର୍ଦ୍ଦେଶିକା ତଥା ଅତିରିକ୍ତ ଉପନିର୍ଦ୍ଦେଶିକା କଲ୍ୟାଣୀ ଦାଶ ଦିନିକିଆ କେନ୍ଦୁଝର ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତିର୍ମୟୀ ନାଏକ ଓ କାର୍ଯ୍ୟାଳୟର କର୍ମଚାରୀମାନେ ଶ୍ରୀମତୀ ଦାଶଙ୍କୁ ସ୍ୱାଗତ କରିଥିଲେ। ଶ୍ରୀମତୀ ଦାଶ କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର, ରେଜିଷ୍ଟର, ଫାଇଲ୍ ଓ ସରକାରୀ ଦସ୍ତାବିଜ ଯାଞ୍ଚ କରିବା ସହ ବିଭାଗୀୟ କାର୍ଯ୍ୟଧାରାର ସମୀକ୍ଷା କରିଥିଲେ। ସମସ୍ତ ସରକାରୀ କାର୍ଯ୍ୟାବଳୀକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସୁଚାରୁରୂପେ ସମ୍ପାଦନ କରିବା ସହ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ଯୋଗାସୂତ୍ର ବଜାୟ ରଖି ବିଭାଗୀୟ କାର୍ଯ୍ୟକୁ ଆହୁରି ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣିଙ୍କ ରିପୋର୍ଟ

କଟାବାହାଲରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ
ଗାଇସିଲେଟ -)ବରଗଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ନେତାଜୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ୭୨ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ସାହୁ, ବନପାଳ ରାଜେନ୍ଦ୍ର କୁମାର ସିଂ, ଗୌନ୍ତିଆ ମାନଭଞ୍ଜନ ବରିହା, ନେତାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦର୍ଶନ ବାରିକ, ପ୍ରକୃତିପ୍ରେମୀ ବିପିନ ବିହାରୀ ନନ୍ଦ, ନବୀନ ଚନ୍ଦ୍ର ବରିହା ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ଓ ବନ୍ୟପ୍ରାଣୀ ପ୍ରକୃତିର ଅମୂଲ୍ୟ ସମ୍ପଦ ବୋଲି ମତପ୍ରକାଶ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଜଙ୍ଗଲ ନଷ୍ଟ ହେବା ସହ ବନ୍ୟଜନ୍ତୁଙ୍କ ପ୍ରାକୃତିକ ବାସସ୍ଥାନ କ୍ରମେ ସଙ୍କୁଚିତ ହେଉଛି। ଏହାର ପ୍ରତ୍ୟକ୍ଷ ପ୍ରଭାବ ପରିବେଶୀୟ ସନ୍ତୁଳନ ଉପରେ ପଡ଼ୁଛି। ତେଣୁ ବନ୍ୟପ୍ରାଣୀ ସୁରକ୍ଷା ସହିତ ଜଙ୍ଗଲ ସଂରକ୍ଷଣକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ। ପ୍ରକୃତି ଓ ବନ୍ୟଜୀବଙ୍କ ସହ ସହାବସ୍ଥାନ ହିଁ ମାନବ ସମାଜର ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ସେମାନେ ମତ ଦେଇଥିଲେ। ଏହି ଅବସରରେ ବନ ବିଭାଗ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ନେଇ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ରାଲିଟି କଟାବାହାଲ ଗ୍ରାମ ପରିକ୍ରମା କରିଥିବା ବେଳେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ପରିବେଶ ପ୍ରତି ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରାଯାଇଥିଲା। ବନ୍ୟଜନ୍ତୁଙ୍କ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ଏହା ସମଗ୍ର ସମାଜର ସାମୂହିକ ଦାୟିତ୍ୱ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। ‘ଜଙ୍ଗଲ ବଞ୍ଚିଲେ ବନ୍ୟପ୍ରାଣୀ ବଞ୍ଚିବେ, ବନ୍ୟପ୍ରାଣୀ ବଞ୍ଚିଲେ ପ୍ରକୃତିର ସନ୍ତୁଳନ ବଞ୍ଚିବ’ ଏହି ବାର୍ତ୍ତା ସହ ଉପସ୍ଥିତ ସମସ୍ତେ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ପାଇଁ ସଚେତନ ରହିବାକୁ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ବନ ବିଭାଗର କର୍ମଚାରୀମାନେ, ନିରାକାର ନାଏ କ, ଦିଲ୍ଲୀପ, ଉପସ୍ଥିତ ଥିଲେ।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ମାଁ କରମସାନି ପୁଜା ର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ରକ୍ତ ଦାନ ଶିବିର
ବରଗଡ -ବରଗଡ ସ୍ଥିତ ୱାର୍ଡ ନମ୍ବର ୦୧ ନିଳୀ ବନ୍ଧ ପଡ଼ା ଠାରେ ଏକତା ମଞ୍ଚ ଓ ନିଷ୍ଠା ପରିବାର ତରଫ ରୁ ମାଁ କରମସାନି ପୁଜା ର ସ୍ୱର୍ଣ୍ଣ ଜୟନ୍ତୀ (୫୦ବର୍ଷ ପୂର୍ତ୍ତି) ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଓ ଶ୍ରୀ ସୁଧାଂଶୁ ଗଡତିଆ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୫୫ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଏଥିରେ ୧୪ଜଣ ମହିଳା ରକ୍ତ ଦାତା ରକ୍ତ ଦାନ କରିଥିଲେ। ଏକତା ମଞ୍ଚ ର ସଭାପତି ଉତ୍ତମ ଜେନା ଙ୍କ ସହ ଟୁନୁ ପଣ୍ଡା, ଗୌତମ ସାହୁ, ସତ୍ୟ ସାହୁ, ବିଜେ ସାହୁ, ରମେଶ ମହାପାତ୍ର, ବବି ଜେନା, ତ୍ରିନାଥ ସାହୁ, ବୀରେନ୍ଦ୍ର ଷ!ଣ୍ଢ, ଛବିଷ୍ଟ ସାହୁ, ବିକ୍ରମ ନାୟକ, ଲୋକନାଥ ମେହେର, ସୁରେଶ ପଧାନ, ଆଶିଷ ସ୍ୱାଇଁ , ରଘୁ ପଧାନ, ବ୍ରଜ ପଧାନ, ମୁନୁ ବାଗ ଙ୍କ ସହ ଏକତା ମଞ୍ଚ ର ସମସ୍ତ ସଦସ୍ୟ, ପଡ଼ା ବାସୀ ସମସ୍ତେ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଏହି ଶିବିର ର ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଏକତା ମଞ୍ଚ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ସମସ୍ତ ଙ୍କୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ମାସିକ କ୍ଲଷ୍ଟର୍ ସ୍ତରିୟ ସହ ଭାଗିତା ବୈଠକ ଅନୁଷ୍ଠିତ
ଦିଗପହଣ୍ଡି,:ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ନଗର କ୍ଲଷ୍ଟର ସିଆରସିସି ଅନିଲ କୁମାର ଦାସ ଏବଂ ପୂର୍ବତନ ସିଆରସିସି ଉପେନ୍ଦ୍ର ପଣ୍ଡାଙ୍କ ମିଳିତ ସଂଯୋଜନାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଗପହଣ୍ଡି ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ (ABEO) ରସାନନ୍ଦ ଘଡେଇ ଅତିଥି ଭାବେ ଯୋଗଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) ସମ୍ବନ୍ଧୀୟ ଶିକ୍ଷା ଦାନ ପ୍ରଣାଳୀ ଉପରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଦେଇଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି, ଶିକ୍ଷଣ ସାମଗ୍ରୀ (TLM)ର ସଠିକ୍ ବ୍ୟବହାର ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଶିକ୍ଷକମାନଙ୍କର ଶୈକ୍ଷିକ ଦକ୍ଷତା ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଏହାସହ ଶିକ୍ଷାର୍ଥୀମାନଙ୍କ ଶୈକ୍ଷିକ ପ୍ରଗତିର ନିୟମିତ ସମୀକ୍ଷା କରିବା ନେଇ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଅନେକ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇ ନିଜ ନିଜର ଶିକ୍ଷଣ ଅନୁଭୂତି ସାଝା କରିଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଇଣ୍ଡିଆ (INDIA) ଆଲାଏନ୍ସର ସମନ୍ୱୟ ବୈଠକ ଅନୁଷ୍ଠିତ: ମିଳିତ ଭାବେ କାର୍ଯ୍ୟ କରିବାକୁ ବିଭିନ୍ନ ଦଳର ସଂକଳ୍ପ
ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିସିସି ସଭାପତି ପ୍ରକାଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ 'ଇଣ୍ଡିଆ' (INDIA) ଆଲାଏନ୍ସର ପ୍ରମୁଖ ସହଯୋଗୀ ଦଳଗୁଡ଼ିକ ସାମିଲ ହୋଇଥିଲେ। ଏହି ବୈଠକରେ ଆଗାମୀ ଦିନର ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି ଏବଂ ଏମଏମଡିଆର (MMDR) ବିଲ୍ ପ୍ରତ୍ୟାହାର ଦାବି ଉପରେ ଏଠାରେ ଗୁରୁତ୍ୱାରୋପ କରାଯାଇଥିଲା। ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ଦଳ ମିଳିତ ଓ ସମନ୍ୱିତ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଏହି ସମନ୍ୱୟ ବୈଠକରେ ଫରୱାର୍ଡ ବ୍ଲକ୍, ସମାଜବାଦୀ ପାର୍ଟି, ସିପିଆଇ (CPI), ଏଆଇଏଫବି (AIFB), ସିପିଆଇ(ଏମ) [CPI(M)] ଏବଂ ସିପିଆଇ(ଏମଏଲ) ଲିବରେସନ [CPI(ML) Liberation] ର ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ଆଗାମୀ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ପାଇଁ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ବିଭିନ୍ନ ବ୍ଲକ୍ ସ୍ତରୀୟ ବୈଠକ ମଧ୍ୟ ଶେଷ ହୋଇଥିବା ସୂଚନା ମିଳିଛି।
Ganjam (ଗଞ୍ଜାମ) • ରିପୋର୍ଟ ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

କାମ ନ ହୋଇ ୫ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ତଦନ୍ତ ଦାବି: ଭୂତସରସିଙ୍ଗି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ
ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଗ୍ରାମ ପଞ୍ଚାୟତରେ ଏକ ଉନ୍ନୟନମୂଳକ କାର୍ଯ୍ୟ ନାମରେ ପ୍ରାୟ ୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଅନିୟମିତ ଭାବେ ଖର୍ଚ୍ଚ ହୋଇଥିବା ଅଭିଯୋଗ ଉଠିଛି। ତେବେ ମାଟିରେ କାମ ହୋଇନଥିବା ଅଭିଯୋଗ ହେବା ସହ କାର୍ଯ୍ୟର ସ୍ୱଚ୍ଛତା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, ସମ୍ପୃକ୍ତ କାର୍ଯ୍ୟସ୍ଥଳରେ ନିର୍ମାଣ କିମ୍ବା ଉନ୍ନୟନ କାର୍ଯ୍ୟ ହୋଇଥିବାର ସ୍ପଷ୍ଟ ଚିହ୍ନ ଦେଖିବାକୁ ମିଳୁନାହିଁ। ଏପରିକି କାର୍ଯ୍ୟସ୍ଥଳରେ ଲଗାଯାଇଥିବା ନାମଫଳକରେ କାମ ଆରମ୍ଭ ଓ ଶେଷ ତାରିଖ ଉଲ୍ଲେଖ ନଥିବା ମଧ୍ୟ ଅଭିଯୋଗକାରୀମାନେ କହିଛନ୍ତି। ଫଳରେ କାର୍ଯ୍ୟର ଅନୁମୋଦନ, ବ୍ୟୟ ଓ ବାସ୍ତବ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସରକାରୀ ଅର୍ଥର ସଠିକ୍ ବ୍ୟବହାର ହୋଇଛି କି ନାହିଁ, ବାସ୍ତବରେ କାର୍ଯ୍ୟ ସମ୍ପାଦିତ ହୋଇଛି କି ନାହିଁ ଏବଂ ବିଲ୍ ପୈଠରେ କୌଣସି ଅନିୟମିତତା ହୋଇଛି କି ନାହିଁ—ଏସବୁ ଦିଗରେ ତଦନ୍ତର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭୂମିକା ସମେତ ସମଗ୍ର କାର୍ଯ୍ୟର ରେକର୍ଡ, ମଷ୍ଟରରୋଲ, ବିଲ୍-ଭାଉଚର ଏବଂ କାର୍ଯ୍ୟସ୍ଥଳର ବାସ୍ତବ ସ୍ଥିତି ଯାଞ୍ଚ କରାଯାଉ ବୋଲି ଦାବି ହୋଇଛି। ଏଥିସହ ସ୍ୱତନ୍ତ୍ର ଭାବେ ତଦନ୍ତ କରି ଅନିୟମିତତା ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ସହ ସରକାରୀ ଅର୍ଥ ଆଦାୟ କରିବାକୁ ଦାବି ଉଠିଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରଶାସନ ପକ୍ଷରୁ ତଦନ୍ତ କରାଗଲେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ

ହାତୀ-ବାରହା ଉପଦ୍ରବରେ ଫସଲ ନଷ୍ଟ, ଚାଷୀଙ୍କ ଧାରଣା: ୩ ବର୍ଷ ହେଲା ସୋଲାର ତାରବାଡ଼ ଅଧପନ୍ତରିଆ; DFOଙ୍କ ହସ୍ତକ୍ଷେପ ଦାବି
ଟାଙ୍ଗୀ: ଜଙ୍ଗଲୀ ହାତୀ ଓ ବାରହାଙ୍କ ଉପଦ୍ରବରେ ଧାନ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନିରାକାରପୁର, ଦିଆ ଓ ଲେଣ୍ଡୋ ଗ୍ରାମ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ନିଜ ଫସଲର ସୁରକ୍ଷା ଦାବିରେ ନିରାକାରପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଦୀର୍ଘଦିନ ଧରି ଏହି ଅଞ୍ଚଳରେ ଜଙ୍ଗଲୀ ହାତୀ ଓ ବାରହାଙ୍କ ଉପଦ୍ରବ ଲାଗି ରହିଛି। ରାତି ସମୟରେ ହାତୀ ଓ ବାରହା ଧାନ କ୍ଷେତରେ ପଶି ଏକର ଏକର ଫସଲ ନଷ୍ଟ କରୁଛନ୍ତି। ଅମଳ ସମୟ ପାଖେଇ ଆସିଥିବାରୁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀମାନେ ଆର୍ଥିକ କ୍ଷତି ସହ ଚିନ୍ତାରେ ପଡ଼ିଛନ୍ତି। ବନ୍ୟଜନ୍ତୁଙ୍କ ଉପଦ୍ରବରୁ ଫସଲକୁ ସୁରକ୍ଷା ଦେବା ପାଇଁ ସରକାରୀ ସହଭାଗିତାରେ ସୋଲାର ତାରବାଡ଼ ନିର୍ମାଣ ପାଇଁ ଚାଷୀମାନେ ବନ ବିଭାଗ ନିକଟରେ ନିଜ ଅଂଶର ୧୦ ପ୍ରତିଶତ ଅର୍ଥ ପଇଠ କରିଥିବା କହିଛନ୍ତି। ତେବେ ଏହାରି ମଧ୍ୟରେ ପ୍ରାୟ ୩ ବର୍ଷ ବିତିଯାଇଥିଲେ ମଧ୍ୟ ସୋଲାର ତାରବାଡ଼ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଚାଷୀମାନଙ୍କ ଅସନ୍ତୋଷ ବଢ଼ିଛି। ଚାଷୀମାନେ ବାରମ୍ବାର ନିଜ ସମସ୍ୟା ନେଇ ବନ ବିଭାଗ ନିକଟରେ ଗୁହାରି କରିଥିଲେ ମଧ୍ୟ ଦାବି ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଶେଷରେ ବାଧ୍ୟ ହୋଇ ଚାଷୀମାନେ ଧାରଣାରେ ବସିଥିବା କହିଛନ୍ତି। ଧାରଣାରେ ବରିଷ୍ଠ ଚାଷୀ ନେତା ବିପିନ ବିହାରୀ ଜୟସିଂହ, ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା ଓ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ। ଆନ୍ଦୋଳନ ସ୍ଥଳକୁ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ (DFO) ତୁରନ୍ତ ଆସି ଚାଷୀମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ: ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା
