Web News

ଭଞ୍ଜନଗର ଏସପି ଙ୍କ ମହନୀୟତା, ଆହତ ଯୁବକ ଙ୍କୁ ଉଦ୍ଧାର କରି ମେଡ଼ିକାଲ ରେ କଲେ ଭର୍ତ୍ତି
ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଏଏସପିଙ୍କ ଏହିଭଳି ମହାନ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି। ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତିରେ ଏଏସପି ଦେ ଗାଲେରୀ ଅଭିମୁଖେ ଯାଉଥିଲେ। ବାଟରେ ଭଞ୍ଜନଗର କୁଲାଡ ରୋଡରେ ଜଣେ ଯୁବକ ସାଗର ମହାରଣା ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ଏଏସପି ଦେଖିଥିଲେ। ଏହାପରେ ତାଙ୍କୁ ସେ ତୁରନ୍ତ ଉଦ୍ଧାର କରି ଆଣି ନିଜ ଗାଡିରେ ଭଞ୍ଜନଗର ମେଡିକାଲରେ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ପଠାଯାଇଛି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଭଞ୍ଜନଗର

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, କର୍ମୀ ମାନଙ୍କୁ କର୍ଣ୍ଣ ମନ୍ତ୍ର
କନ୍ଧମାଳ : ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ। ବିଜେଡି ପକ୍ଷରୁ ୮ ପଞ୍ଚାୟତ ତଥା ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ଗଦାପୁର, ହାତୀମୁଣ୍ଡା, ସରାମୁଳି ଏବଂ ତାଜୁଙ୍ଗିଆର ବିଜେଡି କର୍ମୀ ଓ ନେତା ବ୍ରାହ୍ମଣୀଗାଁରେ ଏକାଠି ହୋଇଥିଲେ। ବୈଠକରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦଳକୁ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନରେ ନିଜ ଦଳ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଜିଲାପରିଷଦ ପ୍ରାର୍ଥୀଙ୍କୁ ନିର୍ବାଚନ ଜିତେଇବାକୁ ମନ୍ତ୍ରଣା ଦେଇଥିଲେ। ସେ କର୍ମୀଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ସାଙ୍ଗଠନିକ ମଜଭୁତ ପାଇଁ ସମସ୍ତେ ପରିଶ୍ରମ କରିବା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ବିଜେଡି ଶାସନ କରିବା ସମୟରେ ଗାଁ ଗାଁରେ ବିକାଶ ହେବା ସହ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ନିକଟରେ ସୁବିଧାଜନକ ଭାବେ ପହଞ୍ଚି ପାରୁଥିଲା, ଯାହା ଭାଜପା ସରକାର ଲୋକଙ୍କୁ ନିର୍ବାଚନ ଜିତିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ତାକୁ ପାଳନ କରୁ ନ ଥିବା ପୂର୍ବତନ ବିଧାୟକ ଭାଜପା ଉପରେ ବର୍ଷିଥିଲେ। ସେହିପରି ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ଶାସନ କରୁଥିବା ବେଳେ ବ୍ରାହ୍ମଣୀଗାଁ ଅଞ୍ଚଳର ଲୋକଙ୍କ ସମସ୍ୟାକୁ ସେ ବୁଝୁ ନ ଥିବା ଓ ମାଳମାଳ ସମସ୍ୟା ଲୋକଙ୍କ ମୁଣ୍ଡ ଉପରେ ଲଦି ହୋଇରହିଥିବା କୁହାଯାଇଥିଲା। ତେଣୁ ଅଞ୍ଚଳର ବିକାଶ ପାଇଁ ପୁଣି ଆଞ୍ଚଳିକ ଦଳ ବିଜେଡି ସାଙ୍ଗଠନିକ ଆହୁରି ମଜଭୁତ ପାଇଁ ପରାମର୍ଶ ଦେଇଥିଲେ।
Kandhamal (କନ୍ଧମାଳ) • ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ ଭଞ୍ଜନଗର

ନିର୍ମାଣ ସରିଲା, ହେଲେ ଚାଲୁ ହେଉନି ନୂଆ ଲ୍ୟାବ୍: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହନ୍ତସନ୍ତ!
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିସରରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂତନ "ଜିଲ୍ଲା ସମନ୍ୱିତ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର" (DIPHL) ର ଭବନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ।ପୁରୁଣା ଲ୍ୟାବ୍ରେ ଜାଗା ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ରୋଗୀମାନେ ଭୋର ସକାଳୁ ଆସି ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି। ଗତ ବର୍ଷ (୨୦୨୩) ନଭେମ୍ବରରୁ କାମ ଆରମ୍ଭ ହୋଇ ଏବେ କୋଠା ପ୍ରସ୍ତୁତ, କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏହା ଉଦ୍ଘାଟନ ହୋଇପାରୁ ନାହିଁ।ଆବଶ୍ୟକୀୟ ଫଣ୍ଡ ମଞ୍ଜୁର ହୋଇ ନଥିବାରୁ ନୂଆ ମେସିନ୍, ଡାକ୍ତରୀ କର୍ମଚାରୀ କିମ୍ବା ଟେକ୍ନିସିଆନ୍ ନିଯୁକ୍ତି ହୋଇନାହିଁ। ସରକାରୀ ଲ୍ୟାବ୍ରେ ସମସ୍ୟା ଯୋଗୁଁ ଗରିବ ରୋଗୀମାନେ ବାଧ୍ୟ ହୋଇ ବାହାର ପ୍ରାଇଭେଟ୍ କ୍ଲିନିକରେ ଅଧିକ ଟଙ୍କା ଖର୍ଚ୍ଚ କରି ଟେଷ୍ଟ୍ କରାଉଛନ୍ତି। ବାଲେଶ୍ୱର ସମେତ ପଡ଼ୋଶୀ ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ହଜାର ହଜାର ରୋଗୀଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଏହି ନୂଆ ଲ୍ୟାବ୍କୁ କାର୍ଯ୍ୟକ୍ଷମ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି।
Balasore (ବାଲେଶ୍ୱର) • ରିପୋର୍ଟ ପ୍ରଭାତ କୁମାର ବାରିକ ବାଲେଶ୍ଵର

କଂକ୍ରିଟ ରାସ୍ତା କାମ ନିମ୍ନ ମାନର ର ନେଇ ତାତିଲେ ଗ୍ରାମବାସୀ
ବାହାନଗା ବ୍ଲକ କୁରୁଡ଼ା ପଞ୍ଚାୟତର ୩ ନମ୍ବର ୱାର୍ଡରେ ଏକ କଂକ୍ରିଟ ରାସ୍ତା କାମ ନିମ୍ନମାନର ନେଇ ତତିଲେ ଗ୍ରାମବାସୀ। ଏହି ଗାର୍ଡକୁ ୨୦୨୫-୨୦୨୬ ଆର୍ଥିକ ବର୍ଷରେ ଜିଆରଇଏସ ଯୋଜନାରେ ୧ ଲକ୍ଷ ୪୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହି କାମ ବିଭାଗୀୟ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ଅଛି। ମାତ୍ର କାମଟି ସରପଞ୍ଚଙ୍କ ତତ୍ତ୍ଵାବଧାନରେ କରାଯାଉଛି। ବୁଧବାର କାମ ଆରମ୍ଭ ହେବା ସମୟରେ ୱାର୍ଡ ସଭ୍ୟାଙ୍କ ସ୍ବାମୀ ଭଜିତ ସାହୁ ଓ ଗ୍ରାମବାସୀ ଅଭିଯୋଗ କରିବା ସହିତ ଭଲ ଆବିଳେ କାମ ଆରମ୍ଭ କରିବାକୁ କହିବାରୁ ସରପଞ୍ଚ ମାନନ୍ତି ସେମାନଙ୍କ ସହିତ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ପରେ ବ୍ଲକର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ମାଝୀ ପହଞ୍ଚି ବୁଝାସୁଝା କରିବା ସହିତ ହେଉଥିବା କାମକୁ ତଦାରଖ କରିଥିଲେ। କାମ ମେଜରମେଣ୍ଟ ବେଳେ ମାପରେ କମ୍ ଦେଖା ହୋଇଥିବା ନେଇ ଅଭିଯୋଗ ହେବାରୁ ରାସ୍ତା ମଝି ଓ କଡ଼ରେ ଖୋଳା ହୋଇ କାମ ଦେଖାଯାଇଥିଲା। ମାତ୍ର ମ୍ୟାଟେରିଆଲ ନିମ୍ନମାନର କମ ସିମେଣ୍ଟରେ କାମ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ପରେ କନିଷ୍ଠ ଯନ୍ତ୍ରୀ ମାଝୀଙ୍କ ଉପସ୍ଥିତିରେ କାମ କରାଯାଇଥିଲା।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ ବାଲେଶ୍ଵର

ସମାଜ ସେବୀ ସନ୍ତୋଷ ଓଝା ଙ୍କ ନିଶା ନିବାରଣ ବିରୁଦ୍ଧରେ ନିରବ ପ୍ରାର୍ଥନା
ଯାଜପୁର ଜିଲ୍ଲା ଧର୍ମ ଶାଳା ବ୍ଲକ ଜାରକା ଅଂଚଳର ଉଦିୟ ମାନ ଯୁବକ ସମାଜସେବୀ କର୍ମୀ ସନ୍ତୋଷ ଓଝା ଅଭିନବ ଉପାୟରେ ନିଶା ନିବାରଣ ବିରୁଦ୍ଧରେ ହାତରେ ଫ୍କାକ କାର୍ଡ ଧରି ନିରବ ପ୍ରାର୍ଥନାରେ ବସିଛନ୍ତି।ଜାରକା ଅଞ୍ଚଳରେ ଦିନକୁ ଦିନ ଚୋରି,ଡକାୟତ ,ବେକରୁ ସୁନା ଚେନ ଲୁଟ, ରାଜ ହାନି ବଢ଼ିଚାଲିଛି। ଯୁବପିଢି କିପରି ନିଶା ନିବାରଣ ରୁ ଦୂରେଇ ରହିବେ ସେଥି ପାଇଁ ଜାରକା ବଜାର ବ୍ରିଜ ତଳେ ମୁହଁରେ କପଡ଼ା ବାନ୍ଧି,ହାତରେ ଫ୍କାକ କାର୍ଡ ଧରି ସଚେତନତା ବାର୍ତ୍ତା ଚାଲିଛନ୍ତି।ଯାହାକି ତାଙ୍କର କାର୍ଯ୍ୟ କଳାପ ଅତୁଳନୀୟ। ତେଣୁ ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ।
Jajpur (ଯାଜପୁର) • ରିପୋର୍ଟ - ନିରୋଜ କୁମାର ସେଠୀ

ବେଆଇନ ପାଣି ପାଇପ ସଂଯୋଗ ବିଚ୍ଛିନ୍ନ: ପୋଲିସ ସୁରକ୍ଷାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ଗ୍ରାମବାସୀଙ୍କ ଅସନ୍ତୋଷ
ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅନ୍ତର୍ଗତ ସାରୁବାହାଲ ଗ୍ରାମରେ ବେଆଇନ ଭାବେ କରାଯାଇଥିବା ପାଣି ପାଇପ ସଂଯୋଗକୁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଚ୍ଛିନ୍ନ କରାଯାଇଛି। ଏହି କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ମହିଳାମାନେ ପ୍ରଥମେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରିବା ପରେ ସଂଯୋଗ କାଟିବାକୁ ଦାବି କରି ବିରୋଧ କରିଥିଲେ। ସୂଚନାନୁଯାୟୀ, କୋଏଲ ନଦୀରୁ ବିଶ୍ରା ସହର ଓ ଦରେଇକେଲା ଗ୍ରାମକୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି। ଏହି ପାଇପ ଲାଇନ ସାରୁବାହାଲ ଗ୍ରାମ ଦେଇ ଯାଇଥିଲେ ମଧ୍ୟ ଗ୍ରାମଟିକୁ ଯୋଜନାରେ ସାମିଲ କରାଯାଇନଥିଲା। ଫଳରେ କିଛି ପରିବାର ମୁଖ୍ୟ ପାଇପ ଲାଇନରୁ ବେଆଇନ ଭାବେ ସଂଯୋଗ ନେଇ ପାନୀୟ ଜଳ ବ୍ୟବହାର କରୁଥିଲେ। ବିଶ୍ରା ଓ ଦରେଇକେଲା ପଞ୍ଚାୟତ ପକ୍ଷରୁ ଏହି ବେଆଇନ ସଂଯୋଗ ବିରୋଧରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ବିଭାଗ ପକ୍ଷରୁ ବିଶ୍ରା ଥାନାର ସହଯୋଗ ଲୋଡ଼ାଯାଇଥିଲା। ଅନ୍ୟପଟେ ସାରୁବାହାଲ ଗ୍ରାମବାସୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରଙ୍କୁ ଲିଖିତ ଭାବେ ଅନୁରୋଧ କରି ପ୍ରଥମେ ଗ୍ରାମରେ ପାଣି ସମସ୍ୟାର ସମାଧାନ କରିବା ପରେ ପାଇପ ସଂଯୋଗ ବିଚ୍ଛିନ୍ନ କରିବାକୁ ଦାବି କରିଥିଲେ। ତେବେ ବିଭାଗ ପକ୍ଷରୁ ଏହି ଅନୁରୋଧକୁ ଗ୍ରହଣ ନକରି ପୋଲିସ ଉପସ୍ଥିତିରେ ଜେସିବି ସହାୟତାରେ ବେଆଇନ ପାଇପ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା। ଘଟଣାସ୍ଥଳରେ ବ୍ଲକ ଅଧ୍ୟକ୍ଷା ତଥା ସମିତି ସଭ୍ୟା ଫୁଲମନି କେରକେଟା ଓ ସରପଞ୍ଚ ଦୁଲାରୀ ଖାଖା ପହଞ୍ଚି ଗ୍ରାମର ପାଣି ସମସ୍ୟାର ସମାଧାନ ପରେ ପାଇପ କାଟିବାକୁ ଅନୁରୋଧ କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ପାଣି ଯୋଗାଣ ବନ୍ଦ ରହିବ ଏବଂ ଚାରି ଦିନ ମଧ୍ୟରେ ସମସ୍ୟାର ସମାଧାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେ ଆହୁରି କହିଥିଲେ ଯେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମିଳିଥିବା ଅଭିଯୋଗ ଆଧାରରେ ବେଆଇନ ପାଣି ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଘଟଣା ସମୟରେ ବିଶ୍ରା ଓ ଦରେଇକେଲା ପଞ୍ଚାୟତର ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଏବଂ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।
Sundargarh (ସୁନ୍ଦରଗଡ଼) • ରିପୋର୍ଟ : ମୁକେଶ ମାହାତୋ ଓ ଗଣପତି ଦାସ, ବିଶ୍ରା

ନାଲକୋ CSR ପାଣ୍ଠିରୁ ଅନୁଗୋଳ ବିଧାନସଭା ପାଇଁ ୧୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ପ୍ରକଳ୍ପ ମଞ୍ଜୁର
ଅନୁଗୋଳ: ନାଲକୋର CSR ପାଣ୍ଠିରୁ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଲାଡ଼, ଗିରାଙ୍ଗ, ଗୋତମରା, ବଲରାମପ୍ରସାଦ, ବନ୍ଦା, ବଅଁରପାଳ, ବୁଢ଼ାପଙ୍କ, ନୂଆହତା, ତୁଳସୀପାଳ, ବେନ୍ତପୁର, ଗୋପୀନାଥପୁର, ବାଦିବାହାଳ, ସୁସୁଡା, ଖଲାରୀ ସମେତ ବିଭିନ୍ନ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କାର ଅର୍ଥ ମଞ୍ଜୁର ହୋଇଛି। ଏହି ଅର୍ଥରେ ଅଞ୍ଚଳର ବିଭିନ୍ନ ମୌଳିକ ସୁବିଧା ଓ ଜନହିତକର ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଏହି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଇବାରେ ପଦକ୍ଷେପ ନେଇଥିବା ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ନାଲକୋ ପ୍ରଶାସନଙ୍କୁ ବିଭିନ୍ନ ମହଳରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି। ସେହିପରି ଏହି ପ୍ରକଳ୍ପଗୁଡ଼ିକ ମଞ୍ଜୁର କରାଇବାରେ ସହଯୋଗ କରିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପାଇଁ ଦୁଇଦିନିଆ ପ୍ରଶିକ୍ଷଣ ଆରମ୍ଭ
ଅନୁଗୋଳ: ଆଗାମୀ ଜନଗଣନା କାର୍ଯ୍ୟକ୍ରମକୁ ସଫଳ ଓ ସୁପରିଚାଳିତ କରିବା ଉଦ୍ଦେଶ୍ୟରେ ଅନୁଗୋଳ ଜିଲ୍ଲା ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ ପ୍ରିତୀମୟ ଉଦ୍ଘାଟନ କରି ପ୍ରଶିକ୍ଷାର୍ଥୀମାନଙ୍କୁ ଜନଗଣନା ଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମକୁ ଦାୟିତ୍ୱବୋଧ ଓ ନିଷ୍ଠାର ସହ ସମ୍ପାଦନ କରିବାକୁ ଆହ୍ୱାନ ଜଣାଇଥିଲେ। ପ୍ରାରମ୍ଭରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ଡେପୁଟି ଜନଗଣନା ଅଧିକାରୀ ଶ୍ରୀ ଜୟକୃଷ୍ଣ ପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ବିଷୟବସ୍ତୁ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଭୋଇ ଏବଂ ସହାୟକ ଶ୍ରୀ ଦୀପକ କୁମାର ପ୍ରଶିକ୍ଷାର୍ଥୀମାନଙ୍କୁ ଜନଗଣନା ପୁସ୍ତିକା ପ୍ରସ୍ତୁତିର ବିଭିନ୍ନ ବୈଷୟିକ ଓ ପ୍ରକ୍ରିୟାଗତ ଦିଗ ଉପରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ, ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ, ଅମିନ ଏବଂ ବୈଷୟିକ ସହାୟକମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ଜନଗଣନା ବିଭାଗର ବରିଷ୍ଠ ସହାୟକ ଶ୍ରୀ ସୁଶାନ୍ତ କୁମାର ଅମାନ୍ତ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ : ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ମାତ୍ର ୮ ଘଣ୍ଟାରେ ଚୋରି ମାମଲାର ପର୍ଦ୍ଦାଫାସ; ୭ ଗିରଫ, ସୁନା ଓ ନଗଦ ଟଙ୍କା ଜବତ
ତାଳଚେର: କୋଲିୟାରୀ ଥାନା ପୋଲିସ ଏକ ଚୋରି ମାମଲାର ମାତ୍ର ୮ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୪୭ ହଜାର ଟଙ୍କା ନଗଦ, ୨୧.୨୮୦ ଗ୍ରାମ ତରଳାଇଥିବା ସୁନା ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଡେରା କୋଲିୟାରୀର ବାସିନ୍ଦା ସାର୍ଥକ ସିଙ୍ଘଲଙ୍କ ଘରୁ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ସୁନା ବାଲା ଚୋରି ହୋଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ସିସିଟିଭି ଫୁଟେଜ୍ ଓ ଗୁଇନ୍ଦା ସୂଚନା ଆଧାରରେ ଘରୋଇ ସହାୟକ ତୀର୍ଥ ମୁଖୀଙ୍କୁ ଧରିଥିଲା। ପଚରାଉଚରାରେ ସେ ଚୋରି ସ୍ୱୀକାର କରିବା ପରେ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହି ସଫଳ ଅଭିଯାନକୁ କୋଲିୟାରୀ ଥାନା ପୋଲିସ ଅନୁଗୋଳ ଏସ୍ପିଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ କରିଥିଲା।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସାଉଥ୍ ବଲଣ୍ଡା ମାର୍କେଟ କମ୍ପ୍ଲେକ୍ସରେ ମଦ ଦୋକାନ ବନ୍ଦ ଦାବି; ଶତାଧିକ ମହିଳାଙ୍କ ବିରୋଧ
ତାଳଚେର: ସାଉଥ୍ ବଲଣ୍ଡା ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ମଦ ଦୋକାନକୁ ବନ୍ଦ କରିବା ଏବଂ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ପାଖା ପାଖି କଲୋନୀର ଶତାଧିକ ମହିଳା ବିରୋଧ ପ୍ରଦର୍ଶନ କରିଛନ୍ତି। ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଦୋକାନରୁ ମଦ କିଣି ଅନେକ ବ୍ୟକ୍ତି ମାର୍କେଟ ପରିସର ଓ ଆଖପାଖ ଅଞ୍ଚଳରେ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏହା ଯୋଗୁଁ ମହିଳା, ଶିଶୁ ଓ ସ୍ଥାନୀୟ ବାସିନ୍ଦାମାନେ ନିତ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଅସୁରକ୍ଷିତ ମନେ କରୁଛନ୍ତି। ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉକ୍ତ ମଦ ଦୋକାନକୁ ତୁରନ୍ତ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଶତାଧିକ ମହିଳା ଦାବି ଜଣାଇଛନ୍ତି। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ବୃହତ୍ତର ଆନ୍ଦୋଳନ କରାଯିବ ବୋଲି ସେମାନେ ସତର୍କ କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ବର୍ଷା ଯୋଗୁଁ ରାସ୍ତା ନଥିବାରୁ ସ୍ଥାନୀୟ ଲୋକେ ହନ୍ତସନ୍ତ
ନୟାଗଡ ଜିଲ୍ଲା, ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ଅନ୍ତର୍ଗତ ନଇତଇଲା ଗ୍ରାମ ର ସ୍କୁଲ ଠାରୁ ଆଦିବାସୀ ସାହି କୁ ସିମେଣ୍ଟ କଂକ୍ରିଟ ରାସ୍ତା ନଥିବାରୁ ଜନସାଧାରଣ ଲୋକେ ଯାତାୟାତ କରିବାରେ ବହୁତ ଅସୁବିଧା ହେଉଛନ୍ତି! ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପଂଚାୟତ ରେ ଜଣାଇଥିଲେ ମଧ୍ୟ ପଂଚାୟତ କତୃପକ୍ଷ କଥାକୁ ଏଡ଼େଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି! ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଜଣାଇଥିଲେ ମଧ୍ୟ ବ୍ଲକ ପ୍ରଶାସନଙ୍କ କୌଣସି ପଦକ୍ଷେପ କିମ୍ବା ଉତ୍ତର ମିଳିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ସ୍ଥାନୀୟ ଲୋକେ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି.
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ଏମ୍ସିଏଲ୍ର ଅବହେଳା ଅଭିଯୋଗ; ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଣେ ମୃତ୍ୟୁ
ତାଳଚେର: ତାଳଚେର ଅଞ୍ଚଳରେ ଏମ୍ସିଏଲ୍ର ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜଗନ୍ନାଥ ମାଇନ୍ସ ଇଲେକ୍ଟ୍ରିକ୍ ସବ୍-ଷ୍ଟେସନରୁ କ୍ୱାର୍ଟରଗୁଡ଼ିକୁ ଯାଇଥିବା ବିଦ୍ୟୁତ୍ ଲାଇନ୍ ଦୀର୍ଘଦିନ ଧରି ବିପଦଜନକ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ମରାମତି କରାଯାଇନଥିଲା। ଏହି ଅବହେଳା ଯୋଗୁଁ ଆଜି ଗୋବରା ଗ୍ରାମର ଗଣେଶ୍ୱର ବାରିକ (୪୨)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସେ ଘରୁ ନିଜ ବ୍ୟବସାୟ କାମରେ ବାହାରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ମୃତ ଗଣେଶ୍ୱରଙ୍କ ପରିବାରରେ ପିତା ଶୋମନାଥ ବାରିକ, ପତ୍ନୀ ସୁନିତା ବାରିକ (୩୭), ୯ ବର୍ଷର ବଡ଼ ପୁଅ ଓ ୪ ବର୍ଷର ସାନ ପୁଅ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇ ସମଗ୍ର ପରିବାର ଶୋକାକୁଳ ହୋଇପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକମାନେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ବିପଦଜନକ ବିଦ୍ୟୁତ୍ ଲାଇନ୍ର ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା
