ଏମ୍ସିଏଲ୍ର ଅବହେଳା ଅଭିଯୋଗ; ବିଦ୍ୟୁତ୍ ତାର ସଂସ୍ପର୍ଶରେ ଜଣେ ମୃତ୍ୟୁ
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJuly 9, 202671 views

ତାଳଚେର: ତାଳଚେର ଅଞ୍ଚଳରେ ଏମ୍ସିଏଲ୍ର ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜଗନ୍ନାଥ ମାଇନ୍ସ ଇଲେକ୍ଟ୍ରିକ୍ ସବ୍-ଷ୍ଟେସନରୁ କ୍ୱାର୍ଟରଗୁଡ଼ିକୁ ଯାଇଥିବା ବିଦ୍ୟୁତ୍ ଲାଇନ୍ ଦୀର୍ଘଦିନ ଧରି ବିପଦଜନକ ଅବସ୍ଥାରେ ରହିଥିଲେ ମଧ୍ୟ ଏହାର ମରାମତି କରାଯାଇନଥିଲା।
ଏହି ଅବହେଳା ଯୋଗୁଁ ଆଜି ଗୋବରା ଗ୍ରାମର ଗଣେଶ୍ୱର ବାରିକ (୪୨)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ସେ ଘରୁ ନିଜ ବ୍ୟବସାୟ କାମରେ ବାହାରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ମୃତ ଗଣେଶ୍ୱରଙ୍କ ପରିବାରରେ ପିତା ଶୋମନାଥ ବାରିକ, ପତ୍ନୀ ସୁନିତା ବାରିକ (୩୭), ୯ ବର୍ଷର ବଡ଼ ପୁଅ ଓ ୪ ବର୍ଷର ସାନ ପୁଅ ଅଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟଙ୍କୁ ହରାଇ ସମଗ୍ର ପରିବାର ଶୋକାକୁଳ ହୋଇପଡ଼ିଛି।
ଘଟଣା ପରେ ସ୍ଥାନୀୟ ଲୋକମାନେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ବିପଦଜନକ ବିଦ୍ୟୁତ୍ ଲାଇନ୍ର ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି।
