--:--:--
-- ---
Srishti News

ବେଆଇନ ପାଣି ପାଇପ ସଂଯୋଗ ବିଚ୍ଛିନ୍ନ: ପୋଲିସ ସୁରକ୍ଷାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ଗ୍ରାମବାସୀଙ୍କ ଅସନ୍ତୋଷ

Sundargarh (ସୁନ୍ଦରଗଡ଼)ରିପୋର୍ଟ : ମୁକେଶ ମାହାତୋ ଓ ଗଣପତି ଦାସ, ବିଶ୍ରାJuly 9, 2026223 views
ବେଆଇନ ପାଣି ପାଇପ ସଂଯୋଗ ବିଚ୍ଛିନ୍ନ: ପୋଲିସ ସୁରକ୍ଷାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ଗ୍ରାମବାସୀଙ୍କ ଅସନ୍ତୋଷ
ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅନ୍ତର୍ଗତ ସାରୁବାହାଲ ଗ୍ରାମରେ ବେଆଇନ ଭାବେ କରାଯାଇଥିବା ପାଣି ପାଇପ ସଂଯୋଗକୁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଚ୍ଛିନ୍ନ କରାଯାଇଛି। ଏହି କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ, ମହିଳାମାନେ ପ୍ରଥମେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରିବା ପରେ ସଂଯୋଗ କାଟିବାକୁ ଦାବି କରି ବିରୋଧ କରିଥିଲେ। ସୂଚନାନୁଯାୟୀ, କୋଏଲ ନଦୀରୁ ବିଶ୍ରା ସହର ଓ ଦରେଇକେଲା ଗ୍ରାମକୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି। ଏହି ପାଇପ ଲାଇନ ସାରୁବାହାଲ ଗ୍ରାମ ଦେଇ ଯାଇଥିଲେ ମଧ୍ୟ ଗ୍ରାମଟିକୁ ଯୋଜନାରେ ସାମିଲ କରାଯାଇନଥିଲା। ଫଳରେ କିଛି ପରିବାର ମୁଖ୍ୟ ପାଇପ ଲାଇନରୁ ବେଆଇନ ଭାବେ ସଂଯୋଗ ନେଇ ପାନୀୟ ଜଳ ବ୍ୟବହାର କରୁଥିଲେ। ବିଶ୍ରା ଓ ଦରେଇକେଲା ପଞ୍ଚାୟତ ପକ୍ଷରୁ ଏହି ବେଆଇନ ସଂଯୋଗ ବିରୋଧରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ପରେ ବିଭାଗ ପକ୍ଷରୁ ବିଶ୍ରା ଥାନାର ସହଯୋଗ ଲୋଡ଼ାଯାଇଥିଲା। ଅନ୍ୟପଟେ ସାରୁବାହାଲ ଗ୍ରାମବାସୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରଙ୍କୁ ଲିଖିତ ଭାବେ ଅନୁରୋଧ କରି ପ୍ରଥମେ ଗ୍ରାମରେ ପାଣି ସମସ୍ୟାର ସମାଧାନ କରିବା ପରେ ପାଇପ ସଂଯୋଗ ବିଚ୍ଛିନ୍ନ କରିବାକୁ ଦାବି କରିଥିଲେ। ତେବେ ବିଭାଗ ପକ୍ଷରୁ ଏହି ଅନୁରୋଧକୁ ଗ୍ରହଣ ନକରି ପୋଲିସ ଉପସ୍ଥିତିରେ ଜେସିବି ସହାୟତାରେ ବେଆଇନ ପାଇପ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା। ଘଟଣାସ୍ଥଳରେ ବ୍ଲକ ଅଧ୍ୟକ୍ଷା ତଥା ସମିତି ସଭ୍ୟା ଫୁଲମନି କେରକେଟା ଓ ସରପଞ୍ଚ ଦୁଲାରୀ ଖାଖା ପହଞ୍ଚି ଗ୍ରାମର ପାଣି ସମସ୍ୟାର ସମାଧାନ ପରେ ପାଇପ କାଟିବାକୁ ଅନୁରୋଧ କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ପାଣି ଯୋଗାଣ ବନ୍ଦ ରହିବ ଏବଂ ଚାରି ଦିନ ମଧ୍ୟରେ ସମସ୍ୟାର ସମାଧାନ କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେ ଆହୁରି କହିଥିଲେ ଯେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମିଳିଥିବା ଅଭିଯୋଗ ଆଧାରରେ ବେଆଇନ ପାଣି ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଘଟଣା ସମୟରେ ବିଶ୍ରା ଓ ଦରେଇକେଲା ପଞ୍ଚାୟତର ଜନପ୍ରତିନିଧି, ବିଭାଗୀୟ ଅଧିକାରୀ ଏବଂ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।