ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ବରଗଡ଼ରେ ବିଜେଡିର ଅଭିନବ ପ୍ରତିବାଦ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି
Bargarh (ବରଗଡ଼)ରିପୋର୍ଟ : ତରଣୀ ପଟେଲJuly 11, 202629 views

ବରଗଡ଼,: ରାଜ୍ୟର ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଆଜି ବରଗଡ଼ ଗାନ୍ଧୀ ଛକଠାରେ "ଶିକ୍ଷା ବଞ୍ଚାଅ ଆନ୍ଦୋଳନ" ଏକ ଅଭିନବ ପ୍ରତିବାଦ ବିଜେଡି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲାପ୍ରତିବାଦକାରୀମାନେ ଝାଳମୁଡ଼ି ଓ ସୁଖା ଝୁରୀ ବିକ୍ରି କରିବା ସହ ନିଜ ବେକରେ ଲେମ୍ବୁ ମାଳା ପିନ୍ଧି "ନିମୋଡ଼ା ନିମୋଡ଼ା" ଗୀତର ତାଳେ ନାଚି ସରକାରଙ୍କ ବିରୋଧରେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ କୀର୍ତ୍ତନ ମାଧ୍ୟମରେ ମଧ୍ୟ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ କଟାକ୍ଷ କରାଯାଇଥିଲା।ଏହି ପ୍ରତିବାଦରେ ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ବିଜେଡି ଯୁବ ନେତା ସୁବ୍ରତ ସିଂଙ୍କ ସମେତ ବହୁ ନେତା ଓ ଶତାଧିକ କର୍ମୀ ଯୋଗଦେଇ ସରକାର ବିରୋଧରେ ନାରାବାଜି କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜୁ ଛାତ୍ର ଜନତା ଦଳ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଏବଂ କରନ ଶିକନ୍ଦର। ପ୍ରତିବାଦ ସମୟରେ ବିଜେଡି ନେତୃବୃନ୍ଦ ଅଭିଯୋଗ କରିଥିଲେ ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ପ୍ରାୟ ଦୁଇ ହଜାର ତ୍ରୁଟି ରହିଛି, ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଗୁରୁତର ଅବହେଳା। କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ଶିକ୍ଷା କ୍ଷେତ୍ରରେ ବିଫଳ ହୋଇଥିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ କରି ନେତାମାନେ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ।ପରବର୍ତ୍ତୀ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହାପରେ ଗାନ୍ଧୀ ଛକରୁ ଶୋଭାଯାତ୍ରା ବାହାରି "ନିମୋଡ଼ା ନିମୋଡ଼ା" ଗୀତର ତାଳେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।ଏହି ଅବସରରେ ବିଜେଡି ନେତୃବୃନ୍ଦ ଦାବି କରିଥିଲେ ଯେ, ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟିକୁ ତୁରନ୍ତ ସୁଧାରାଯାଉ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଆଉ କୌଣସି ପ୍ରକାରର ଅବହେଳା କରାନଯାଉ ଏବଂ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୈତିକ ଦାୟିତ୍ୱ ନେଇ ଇସ୍ତଫା ପ୍ରଦାନ କରନ୍ତୁ। ପ୍ରତିବାଦରେ ଶତାଧିକ ଦଳୀୟ ନେତା, କର୍ମୀ ଓ ସମର୍ଥକ ସାମିଲ ହୋଇ ସରକାର ବିରୋଧରେ ସ୍ଲୋଗାନ ଦେଇ ଶିକ୍ଷା କ୍ଷେତ୍ରରେ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ନେବାକୁ ଦୃଢ଼ ଦାବି କରିଥିଲେ।
