ଧାମନଗରର ୧୯ ବୁଥ୍ରେ ଭୋଟର ନାମ ବାଦ ନେଇ ଅଭିଯୋଗ, ଥାନାରେ ବିଜେଡିର ଲିଖିତ ଅଭିଯୋଗ
Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 28, 202636 views

ଧାମନଗର: ଧାମନଗର ଏନ୍.ଏ.ସି. ଅଞ୍ଚଳର ପ୍ରାୟ ୧୯ଟି ବୁଥ୍ରେ ସଂଖ୍ୟାଲଘୁ ସମ୍ପ୍ରଦାୟର କିଛି ବୈଧ ଓ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ପାଇଁ ମିଥ୍ୟା ତଥ୍ୟ ଆଧାରରେ ଅନଲାଇନ୍ ଫର୍ମ-୭ ମାଧ୍ୟମରେ ଆପତ୍ତି ଦାଖଲ କରାଯାଉଥିବା ନେଇ ଅଭିଯୋଗ ଉଠିଛି।
ଏହି ଅଭିଯୋଗକୁ ନେଇ ଆଜି ଶତାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ଓ ପୁରୁଷଙ୍କ ସହ ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଧାମନଗର ଥାନାରେ ପହଞ୍ଚିଥିଲେ। ପ୍ରତିନିଧି ଦଳ ଥାନା ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ବଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଯଦି ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରୁ ବାଦ ଦେବା ପାଇଁ ଜାଣିଶୁଣି ମିଥ୍ୟା ତଥ୍ୟ ଦେଇ ଫର୍ମ-୭ ମାଧ୍ୟମରେ ଆପତ୍ତି ଦାଖଲ କରାଯାଇଥାଏ, ତେବେ ଏହା ଗୁରୁତର ଅନିୟମିତତା। ଏହା ଯୋଗ୍ୟ ନାଗରିକଙ୍କ ମତାଧିକାର ଓ ଗଣତାନ୍ତ୍ରିକ ଅଧିକାରକୁ ପ୍ରଭାବିତ କରିପାରେ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ଘଟଣାର ନିରପେକ୍ଷ ଓ ତୁରନ୍ତ ତଦନ୍ତ କରିବାକୁ ବିଜେଡି ପ୍ରତିନିଧି ଦଳ ଦାବି କରିଛି। ଏଥିସହ ତଦନ୍ତରେ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଦାୟୀ ବ୍ୟକ୍ତି ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି।
ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତାଧିକାରର ସୁରକ୍ଷା ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ସ୍ୱଚ୍ଛତା ପାଇଁ ଆଗାମୀ ଦିନରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଲଢ଼େଇ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
