--:--:--
-- ---
Srishti News

Web News

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ
Aug 4, 2026•46 views

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ

ରାଉରକେଲା: ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ସୋମବାରରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ କରାଯାଏ। ଏହା ବିଶ୍ୱର ପରସ୍ପର ସଂଯୁକ୍ତତା ଏବଂ ଆର୍ଥିକ ଅଭିବୃଦ୍ଧି, ସାଂସ୍କୃତିକ ବିନିମୟ ଏବଂ ବିଶ୍ୱ ସହଯୋଗକୁ ପ୍ରୋତ୍ସାହିତ କରିବାରେ ଅନ୍ତର୍ଜାତୀୟ ବାଣିଜ୍ୟର ଗୁରୁତ୍ୱକୁ ସ୍ମରଣ କରାଇଥାଏ। ଏହି ଦିବସ ସମାଜ ଉପରେ ବାଣିଜ୍ୟର ପ୍ରଭାବ ଏବଂ ଏକ ଅଧିକ ସମାନ ଏବଂ ସ୍ଥାୟୀ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ପାଇଁ ସୁଯୋଗ ଉପରେ ପ୍ରତିଫଳନକୁ ଉତ୍ସାହିତ କରିଥାଏ। ଏହି ଉପଲକ୍ଷେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ଆୟୋଜିତ କାର୍ଯ୍ୟକ୍ରମ ଓ ସଭାକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସସ୍ମିତା ସାମଲ ଉଦ୍‌ଘାଟନ କରି ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବାଣିଜ୍ୟ ବିଷୟରେ ଅଧ୍ୟୟନ ସମ୍ପର୍କରେ ବାର୍ତ୍ତା ଦେଇଥିଲେ। ବିଭାଗୀୟ ମୁଖ୍ୟ ମାୟାଧର ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଦିବସ ପାଳନ ସମ୍ପର୍କରେ ଶ୍ରୀ ବାରିକ ସୂଚନା ଦେଇଥିଲେ। ଏହି ଅବସରରେ ଆୟୋଜିତ ୧୬ଟି ଷ୍ଟଲ୍‌ ମାଧ୍ୟମରେ କ୍ଷୁଦ୍ର ବାଣିଜ୍ୟ ବଜାରରେ ବିଭିନ୍ନ ସାମଗ୍ରୀର ବିପଣନ ଓ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୋଟ ୪୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଉତ୍କର୍ଷ ପ୍ରଦର୍ଶନ କରିଥିବା ତିନୋଟି ଷ୍ଟଲ୍‌ର ପ୍ରତିଭାଗୀଙ୍କୁ ପୁରସ୍କୃତ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯିବା ସହ ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ମୋଟ ୫ ଘଣ୍ଟାର ସମୟ ମଧ୍ୟରେ ଷ୍ଟଲ୍‌ ଲଗାଇଥିବା ଛାତ୍ରଛାତ୍ରୀମାନେ ପ୍ରାୟ ୩୪ହଜାର ଟଙ୍କାର ବ୍ୟାପାର କରି ଦିବସ ପାଳନକୁ ସାର୍ଥକ କରିଥିଲେ। ଏହି ସମସ୍ତ ଆୟୋଜନରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଡ. ଅଭିଜିତ ଲେଙ୍କା, ବିନୟ ସାହୁ, ଗଗନ ମାହାତୋ ଏବଂ ଅଧ୍ୟାପିକା ଡ. ରାଜଲକ୍ଷ୍ମୀ ବାରିକ, ରିୟା ସାହୁ, ସୁରଭି ଦାସ ଏବଂ ସୁଶ୍ରୀ ହର୍ଷିତାଙ୍କ ସମେତ ଉଭୟେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର
Aug 4, 2026•44 views

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ଯ ଆସର

ରାଉରକେଲା :ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ଯ ଓ ମଧୁସୂଦନ ପାଠାଗାର ମିଳିତ ଆନୁକୂଲ୍ଯରେ ଛେଣ୍ଡସ୍ଥିତ ପାଠାଗାର ପରିସରରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି | ଲେଖକ ସାମ୍ମୁଖ୍ଯର ମୁଖ୍ଯ ଉପଦେଷ୍ଟା ଇଂ.ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଓଡିଆ ଜାତିର ସୌନ୍ଦର୍ଯ୍ଯ ବୋଧ ଶୀର୍ଷକରେ ଆଲୋଚନା କରିବାକୁ ଯାଇ କହିଲେ ଯୁଗେ ଯୁଗେ ଏ ଜାତି ସୌନ୍ଦର୍ଯ୍ଯ ପିପାସୁ ,ତା'ର କଳା ସଂସ୍କୃତି ଓ ପରିବେଶରେ ସର୍ବଦା ମନ ମୁଗ୍ଧକର ସୌନ୍ଦର୍ଯ୍ଯରେ ପରିପୂର୍ଣ୍ଣ ଥାଏ | ମୁଖ୍ଯବକ୍ତା ଭାବେ ପ୍ରଧ୍ୟାପକ ଡ.ଅଶ୍ବିନୀ କୁମାର ରାୟ ତାଙ୍କ ଭାଷଣରେ ସେ ଓଡିଆ ଜାତିର ଜୀବନ ଜୀବିକା ଛନ୍ଦମୟ କଳାତ୍ମକ ଅଭିବ୍ଯକ୍ତି, ଲାସ୍ଯମୟୀ କୋଣାର୍କର ଅଳସୀ କନ୍ଯାର ଓଠରେ ଲାବଣ୍ଯବତୀର ନୀଳପ୍ରୀତିର ସମ୍ଭାଷଣ,ଏ ଜାତିର ସାହିତ୍ଯ-ସଂଗୀତ ଓ ସଂସ୍କୃତିରେ ଅନନ୍ଯ ରୂପ, ତାରକସୀ,ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ଦୃଶ୍ଯ , ମାଣବସା ଝୋଟି,କୃଷି କର୍ଷଣ, ସମ୍ବଲପୁରୀ ବାନ୍ଧଶାଢୀ, ଜାତୀୟ କଳା କାବ୍ଯ କୋଣାର୍କରେ ଏ ଜାତିର ସୌନ୍ଦର୍ଯ୍ଯ ବହୁ ଭାବେ ପ୍ରତିଭାତ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ଲେଖକ ସାମ୍ମୁଖ୍ଯର ସାଧାରଣ ସଂପାଦିକା ରଶ୍ମିବାଳା ରାଉତରାୟ ସାମ୍ମୁଖ୍ଯର ଆଭିମୁଖ୍ଯ ଓ ଆଗାମୀ କାର୍ଯ୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ମହାଶ୍ବେତା ସାହୁ ଓ ନିକୁଞ୍ଜ ବିହାରୀ ଦାଶ ସୁନ୍ଦର ଗଳ୍ପ ପାଠ କରିଥିଲେ । ଦ୍ବିତୀୟ ପର୍ଯ୍ଯାୟରେ ଡା.ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ବ ଓ କବି ହୃଶିକେଷ ସାହୁ,କବୀ ଅର୍ଚ୍ଚନା ପାତ୍ରଙ୍କ ସଂଯୋଜନାରେ କବି ବ୍ରଜେନ୍ଦ୍ର ଦାଶ,ପ୍ରତାପ ପଣ୍ଡା,ଗୌତମ ଦାସ, ଦିବାକର ଦାଶ,ଉପେନ୍ଦ୍ର ବସ୍ତିଆ, ଦେବେନ୍ଦ୍ର ବଳ,ବଳରାମ ଦାଶ,ପ୍ରତାପ ରୁଦ୍ର ତ୍ରିପାଠୀ,ଅଜୟ ମହାନ୍ତି,ବିକ୍ରମ ଆଚାର୍ଯ୍ଯ,ନବଘନ ସାମଲ,ବ୍ରହ୍ମାନନ୍ଦ ପାଢୀ ପ୍ରମୁଖ କବିତା ପାଠ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବ୍ରଜ କିଶୋର ପାଣି,ଉପେନ୍ଦ୍ର ପ୍ରଧାନ,ସୂର୍ଯ୍ଯମଣୀ ପଣ୍ଡା କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମଧୁସୂଦନ ପାଠାାରର ସାଧାରଣ ସଂପାଦକ ବିଜୟ କୁମାର ବରାଳ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବୃକ୍ଷରୋପଣ କାର୍ଯ୍ୟକ୍ରମ
Aug 4, 2026•69 views

ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ସଂଗଠନ ପ୍ରଗତି ଉତ୍କଳ ସଂଘ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ 'କ୍ଲିନ୍ ଏଣ୍ଡ ଗ୍ରୀନ୍'ର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରଗତି ଉତ୍କଳ ସଂଘ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପାଠାଗାର ପରିସରକୁ ସମ୍ପୂର୍ଣ୍ଣ ରୂପେ ଆବର୍ଜନା ମୁକ୍ତ କରିବା ପରେ ବିଭିନ୍ନ ପ୍ରକାର ଫଳ, ଫୁଲ ଏବଂ ଅନ୍ୟାନ୍ୟ ଉପାଦେୟ ବୃକ୍ଷ ରୋପଣ କରାଯାଇଥିଲା। ପାଠାଗାରର ସଭାପତି ପ୍ରତାପ କୁମାର ସ୍ବାଇଁ ଏବଂ 'କ୍ଲିନ୍ ଏଣ୍ଡ ଗ୍ରୀନ୍'ର ସଭାପତି ଡା. ଦେବେନ୍ଦ୍ର କୁମାର ସେଠୀ ଓ ସମ୍ପାଦକ ପ୍ରଦୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଭୟ ଅନୁଷ୍ଠାନର ସଦସ୍ୟମାନେ ଅତ୍ୟନ୍ତ ଶୃଙ୍ଖଳା ସହକାରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି ସମ୍ପୂର୍ଣ୍ଣ ପରିସରକୁ ସଫାକରିବା ସହ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ସମାବେଶରେ ଅଧ୍ୟକ୍ଷତା କରି ପ୍ରତାପ କୁମାର ସ୍ବାଇଁ 'କ୍ଲିନ୍ ଏଣ୍ଡ ଗ୍ରୀନ୍'ର ଏଭଳି ମହାନ ପ୍ରୟାସ ପାଇଁ ସଦସ୍ୟ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ପ୍ରଦୀପ କୁମାର ଦାସ ତାଙ୍କ ଅନୁଷ୍ଠାନ ରାଉରକେଲାର ପରିବେଶ ସୁରକ୍ଷା ପାଇଁ ନିୟମିତ ରୂପେ କରିଆସୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପାଠାଗାରର ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ପରିଚାଳନା କରିଥିବାବେଳେ ପାଠାଗାରର ଦୁଇ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ ଓ ଚିତ୍ତରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ସମ୍ପାଦକ ଘନଶ୍ୟାମ ଦଳ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, କ୍ରୀଡ଼ା ସମ୍ପାଦକ ଅରବିନ୍ଦ ପାତ୍ର, ବିପିନ ବିହାରୀ ପଟ୍ଟନାୟକ, ପ୍ରସନ୍ନ କୁମାର ମହାନ୍ତି, ନାରାୟଣ ଚନ୍ଦ୍ର ମହନ୍ତ, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଧରଣୀଧର ସାମଲ, ଦୀନେଶ କୁମାର ଦାସ, ସ୍ମିତା ମିଶ୍ର,, ରଶ୍ମି ସାହୁ, ଦେବେନ୍ଦ୍ର ନାଥ ଆଚାର୍ଯ୍ୟ, ରଞ୍ଜନ ପଣ୍ଡା, ନଳିନୀ କାନ୍ତ ଧର, ଅଜୟ କୁମାର ପ୍ରଧାନଙ୍କ ସହ 'କ୍ଲିନ୍ ଏଣ୍ଡ ଗ୍ରୀନ୍'ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଉତ୍କଳମଣିଙ୍କ ଶ୍ରାଦ୍ଧୋତ୍ସବରେ ପାହାଡ଼ଶ୍ରୀଗିଡ଼ାରେ ରକ୍ତଦାନ ଶିବିର
Aug 4, 2026•23 views

ଉତ୍କଳମଣିଙ୍କ ଶ୍ରାଦ୍ଧୋତ୍ସବରେ ପାହାଡ଼ଶ୍ରୀଗିଡ଼ାରେ ରକ୍ତଦାନ ଶିବିର

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଅତାବିରା ବ୍ଲକ ଅନ୍ତର୍ଗତ ବୀର ମାଟି ପାହାଡ଼ଶ୍ରୀଗିଡ଼ାର ପଞ୍ଚାତୟତ ଭବନରେ ସୋମବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଞ୍ଚ ପାହାଡ଼ଶ୍ରୀଗିଡ଼ା ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ସାହୁ, ପାହାଡ଼ଶ୍ରୀଗିଡ଼ା ଜମିଦାରଙ୍କ ବଂଶଜ ହରଜିତ ସିଂହ, ଯୁକ୍ତତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ୱରୀ ସାମନ୍ତ, ‘ସମାଜ’ର ବରିଷ୍ଠ ସହ ସମ୍ପାଦକ ମୃତ୍ୟୁଞ୍ଜୟ ମେହେର, ରମାକାନ୍ତ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ପାହାଡ଼ଶ୍ରୀଗିଡ଼ା ସରପଞ୍ଚ ଗୀତାଞ୍ଚଳି ପ୍ରଧାନ ଯୋଗଦାନ କରି ଶିବିରକୁ ଉଦ୍‌‌ଘାଟନ କରିଥିଲେ। ଅତିଥିମାନେ ରକ୍ତଦାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ବର୍ତ୍ତମାନ ରକ୍ତ କେନ୍ଦ୍ରରେ ରକ୍ତର ଅଭାବ ଥିବାବେଳେ ଏପରି ଆୟୋଜନର ପ୍ରଶଂସା କରିଥିଲେ। ‘ସମାଜ’ର ରେଙ୍ଗାଲିକ୍ୟାମ୍ପ ସମ୍ବାଦଦାତା ଆକାଶ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଶିବିର ଅନୁଷ୍ଠିତ ହୋଇଥିଲା। ୧୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସରପଞ୍ଚ ଗୀତାଞ୍ଜଳି ପ୍ରଧାନ, ତାଙ୍କର ସ୍ୱାମୀ ରମାକାନ୍ତ ପ୍ରଧାନ, (ଦମ୍ପତ୍ତି ଗଣେଶ ଦାସ, ନିୟତି ଦାସ), ସନ୍ତୋଷ ପଟେଲ, ସ୍ୱପ୍ନଜିତ ଖଟୁଆ, ଶ୍ୟାମ ଚରଣ ପ୍ରଧାନ, ରଜନୀ ପ୍ରଧାନ, ସ୍ମୀତା ମେହେର, କେଦାର ମେହେର, ସଦାନନ୍ଦ ନନ୍ଦ, ଶୁଭଶ୍ରୀ ମେହେର, ଦଧିରାମ ସେଟ, ଧନଞ୍ଜୟ ମେହେର, ଜିତେନ୍ଦ୍ରୀୟ ବାରିକ, ଚତୁର୍ଭୁଜ ସରାଫ, ବିଭୁତି ଭୂଷଣ ମହାପାତ୍ର, ସୁବ୍ରତ ବାରିକ, ସୁନିଲ ଗୁରୁ ପ୍ରମୁଖ ରକ୍ତଦାନ କରିଥିଲେ। ବରଗଡ଼ ରକ୍ତ କେନ୍ଦ୍ରର ଅମରଜିତ ମହାନ୍ତି, ରେବତୀକାନ୍ତ ସାହୁ, ଲକ୍ଷ୍ମୀଚନ୍ଦ୍ର ସାହୁ, ସୁବାସ ଭୋଇ ଓ ମହେନ୍ଦ୍ର ମେହେର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତାମାନଙ୍କୁ ‘ସମାଜ’ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶ୍ୟାମ ଚରଣ ପ୍ରଧାନ ଏହି ଅବସରରେ ତାଙ୍କର ଶହେତମ ରକ୍ତଦାନ କରିଥିଲେ। ଏଥି ପାଇଁ ଶ୍ରୀ ପ୍ରଧାନଙ୍କୁ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ଶିବିର ପରିଚାଳନାରେ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘର ସମସ୍ତ ସଭ୍ୟା, ସିଆରପି, ଏମବିକେ, ଇଏଏମଇ, ଏମବିଇସିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

Bargarh (ବରଗଡ଼) • ବଂଶୀଧର ନାୟକ

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର
Aug 4, 2026•27 views

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ବରଗଡ ଜିଲ୍ଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶତପଥୀଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲୁ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଶାନ୍ତ କୁମାର ଦାଶ, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ହେମସାଗର ଭୋଇ ଏବଂ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଣ୍ତବ ଶବର ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟ କି, ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଆଧାରିତ ସମୁଦାୟ ୪୫ ଗୋଟି ଅଭିଯୋଗ ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ ଏବଂ ୧୬ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Bargarh (ବରଗଡ଼) • ବଂଶୀଧର ନାୟକ

କବିତା:    ସେଲ୍ଫିର ହସ, ଚାଷୀର ଲୁହ
Aug 4, 2026•36 views

କବିତା: ସେଲ୍ଫିର ହସ, ଚାଷୀର ଲୁହ

ସେଲ୍ଫିର ହସ, ଚାଷୀର ଲୁହ (ବନ୍ୟାର ବେଦନାରେ ଓଡ଼ିଶାର ମାଟିର ସ୍ୱର) ନଦୀ ଆଜି ନିଜ ସୀମା ଭୁଲିଛି, ଆକାଶ ଖୋଲିଦେଇଛି ଦୁଃଖର ଝୋଲା। ଲଗାଣ ବର୍ଷାର ପ୍ରତି ବୁନ୍ଦରେ ମାଟି ଲେଖୁଛି ଚାଷୀର କରୁଣ କଥା। ଧାନର ସୁନା ସ୍ୱପ୍ନ ଆଜି ସ୍ରୋତରେ ଭାସିଗଲା। ବର୍ଷର ପରିଶ୍ରମ କ୍ଷଣକରେ ନଦୀ ଛାତିରେ ମିଶିଗଲା। ଯେଉଁ ଜମିରେ ସବୁଜ ହସ ଫୁଟିଥିଲା, ସେଠାରେ ଆଜି ବାଲିର ଶବଦେହ। ଯେଉଁ ପାଦ ମାଟିକୁ ସୁନା କରୁଥିଲା, ସେହି ପାଦ ଆଜି ପାଣିରେ ଖୋଜୁଛି ନିଜ ରାସ୍ତା। ଘର ନାହିଁ… ଦୁଆର ନାହିଁ… ରାସ୍ତା ନାହିଁ… ଚାରିଆଡ଼େ କେବଳ ପାଣିର ଅହଂକାର, ଆଉ ମଣିଷର ଅସହାୟତା। ଗୋଆଳଘର ଭାସିଗଲା, ଗାଈ, ବଳଦ, ଛେଳି, ପକ୍ଷୀ— ସେମାନଙ୍କ ନିରବ କାନ୍ଦଣୀ କେଉଁ ସମ୍ବାଦର ଶୀର୍ଷକ ହୁଏନି। ଏକ ପଟେ ବନ୍ୟାର ସେତୁ ଉପରେ ମୋବାଇଲ ଧରି ସେଲ୍ଫିର ହସ, “ବାହ୍! କେତେ ପାଣି!” ବୋଲି ଉଲ୍ଲାସ। ଅନ୍ୟ ପଟେ ସେହି ପାଣି ଭିତରେ ଡୁବୁଛି ଗୋଟିଏ ଚାଷୀର ବର୍ଷର ସ୍ୱପ୍ନ, ଗୋଟିଏ ପରିବାରର ଭବିଷ୍ୟତ, କେବେ କେବେ… ଗୋଟିଏ ଜୀବନ ମଧ୍ୟ। ବନ୍ୟା କାହା ପାଇଁ ଦୃଶ୍ୟ, କାହା ପାଇଁ ଦୁଃଖର ଦରିଆ। କାହାର କ୍ୟାମେରାରେ ସ୍ମୃତି, କାହାର ଆଖିରେ ଅନନ୍ତ ଲୁହ। ଚାଷୀ ତଥାପି ହାର ମାନେନି। ଲୁହକୁ ପୋଛି ପୁଣି ମାଟିକୁ ମଥା ନୁଆଁଏ। କାରଣ ସେ ଜାଣେ— ମାଟି ତାର ମାଆ, ଆଉ ଆଶା ହିଁ ତାର ଶେଷ ସମ୍ବଳ। ସରକାରୀ ସହାୟତାର ଅପେକ୍ଷାରେ ସେ ଆକାଶକୁ ନୁହେଁ, ମଣିଷର ବିବେକକୁ ଚାହିଁ ରହେ। ମନେ ରଖନ୍ତୁ, ବନ୍ୟାର ପାଣି ଦିନେ ନା ଦିନେ କମିଯିବ, କିନ୍ତୁ ଚାଷୀର ହୃଦୟରେ ଯେଉଁ କ୍ଷତ ରହିଯାଏ, ତାହା କୌଣସି ନଦୀ ଧୋଇ ନେଇପାରେନାହିଁ। କାରଣ… ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ, ମାଟି ହସିଲେ ମଣିଷର ଭବିଷ୍ୟତ ହସିବ। -------------- କବି: ମଳୟ ମେହେର ସିନାପାଲି (ସାମ୍ବାଦିକ ) ଦୂରଭାଷ: ୯୫୫୬୧୩୪୬୮୯

Nuapada (ନୂଆପଡ଼ା) • ମଳୟ ମେହେର, ଜିଲ୍ଲା ପ୍ରତିନିଧି

୫୧ ଲକ୍ଷରୁ ଅଧିକ ବ୍ୟୟରେ ନିରାପଦ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ:  ମଧୁସୂଦନ ମାର୍କେଟ ନିକଟରେ ଯାତାୟାତ ସୁରକ୍ଷା ଓ ସୁବିଧା ବୃଦ୍ଧି ଦିଗରେ ବିଏମସିର ପଦକ୍ଷେପ
Aug 4, 2026•19 views

୫୧ ଲକ୍ଷରୁ ଅଧିକ ବ୍ୟୟରେ ନିରାପଦ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ: ମଧୁସୂଦନ ମାର୍କେଟ ନିକଟରେ ଯାତାୟାତ ସୁରକ୍ଷା ଓ ସୁବିଧା ବୃଦ୍ଧି ଦିଗରେ ବିଏମସିର ପଦକ୍ଷେପ

ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ମଧୁସୂଦନ ମାର୍କେଟ ନିକଟସ୍ଥ ହାଇସ୍କୁଲ ପାର୍ଶ୍ୱରେ ନିରାପଦ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ମଙ୍ଗଳବାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୫୧ ଲକ୍ଷ ୨୧ ହଜାର ୫୦୦ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟାତକୁ ଅଧିକ ସୁଗମ, ସୁରକ୍ଷିତ ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ବିଏମସି ଏହି ପ୍ରକଳ୍ପକୁ ହାତକୁ ନେଇଛି। ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହେଲେ ଉକ୍ତ ଅଞ୍ଚଳରେ ଯାତାୟାତ ସମସ୍ୟା ଦୂର ହେବା ସହ ପଥଚାରୀଙ୍କ ସୁରକ୍ଷା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଭୁବନେଶ୍ୱର (ମଧ୍ୟ)ର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଁହର ଏବଂ ୱାର୍ଡ ନଂ–୨୫ର କର୍ପୋରେଟର ଶ୍ରୀମତୀ ମାନସୀ ରାଣୀ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଜନପ୍ରତିନିଧିମାନେ କହିଥିଲେ ଯେ, ରାଜଧାନୀରେ ଉନ୍ନତ ଭିତ୍ତିଭୂମି ସହ ନିରାପଦ ଯାତାୟାତ ବ୍ୟବସ୍ଥା ଗଢ଼ି ତୋଳିବା ଦିଗରେ ବିଏମସି ପକ୍ଷରୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯାଇ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉନ୍ମୁକ୍ତ କରାଯିବ ବୋଲି ସେମାନେ ସୂଚନା ଦେଇଥିଲେ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁଶାନ୍ତ କୁମାର ମହାକୁଡ଼

ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ଓ ପାଣି ପଞ୍ଚାୟତ ଗଠନ ଦାବିରେ ଘେରାଉ:  ଶତାଧିକ ଚାଷୀଙ୍କ ଗଣଧାରଣା, ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ
Aug 4, 2026•17 views

ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ଓ ପାଣି ପଞ୍ଚାୟତ ଗଠନ ଦାବିରେ ଘେରାଉ: ଶତାଧିକ ଚାଷୀଙ୍କ ଗଣଧାରଣା, ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ଖଡ଼ିଆଳସ୍ଥିତ ନିର୍ବାହୀ ଯନ୍ତ୍ରୀ, ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଡିଭିଜନ କାର୍ଯ୍ୟାଳୟକୁ ସୋମବାର ୟୁକ୍ତ ଅଣଜଳସେଚିତ ଜଳ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘେରାଉ କରାଯାଇଥିଲା। ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ଶୀଘ୍ର ପ୍ରକାଶ କରିବା ଓ ପାଣି ପଞ୍ଚାୟତ ଗଠନରେ ହେଉଥିବା ବିଳମ୍ବକୁ ପ୍ରତିବାଦ କରି ଶତାଧିକ ଚାଷୀ ଏବଂ କମିଟି ସଦସ୍ୟ ଗଣଧାରଣାରେ ସାମିଲ ହୋଇଥିଲେ। ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ପ୍ରଶାସନିକ ପ୍ରକ୍ରିୟା ଅଧରାରେ ରହିଥିବାରୁ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ ଶୀଘ୍ର ସମ୍ପନ୍ନ କରିବା ସହ ପାଣି ପଞ୍ଚାୟତ ଗଠନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେମାନେ ଦାବି ଉଠାଇଥିଲେ। ସୂଚନା ଅନୁସାରେ, ପ୍ରକଳ୍ପ ଅଧୀନରେ ୯ଟି ଜୋନ ଏବଂ ୩ଟି ଉପଖଣ୍ଡ ଗଠନ କରାଯାଇଛି। ପ୍ରଥମ ଓ ଦ୍ୱିତୀୟ ଡିଭିଜନରେ ପାଣି ପଞ୍ଚାୟତ ଗଠନ ପ୍ରକ୍ରିୟା ଆଗକୁ ବଢ଼ିଥିବା ବେଳେ, ତୃତୀୟ ଡିଭିଜନର କେନ୍ଦ୍ର କମିଟି ପାଇଁ ତିନିଜଣ ସଦସ୍ୟଙ୍କ ମନୋନୟନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପନ୍ନ ହୋଇନାହିଁ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବାରୁ ତୁରନ୍ତ ମନୋନୟନ ପ୍ରକ୍ରିୟା ସମ୍ପନ୍ନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଧାରଣାସ୍ଥଳରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଆଶ୍ୱାସନ ଦେଇଥିଲେ। ତେବେ ଦାବି ପୂରଣ ଦିଗରେ ଠୋସ ପଦକ୍ଷେପ ନ ନିଆଯାଏ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି। ଏହି ଆନ୍ଦୋଳନକୁ ଜିଲ୍ଲା କୃଷି ଶକ୍ତି ସଂଗଠନ ପକ୍ଷରୁ ସମର୍ଥନ ଜଣାଯାଇଥିଲା। ସଂଗଠନର ଆବାହକ ସଞ୍ଜୟ ତିୱାରୀ କହିଥିଲେ ଯେ, ଚାଷୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ସଂଗଠନ ସଦା ସେମାନଙ୍କ ସହ ରହିବ। ଆନ୍ଦୋଳନରେ ସଂଗଠନର ସମ୍ପାଦକ ଡଃ ସିଦ୍ଧାର୍ଥ ଶଙ୍କର ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ଭଗତରାମ ଶବର, ଅମରେଶ ପଟ୍ଟନାୟକଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ।

Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ ଓ କଶ୍ୟପ ଜଗତ

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍‌ରେ ସ୍କୁଲ ପରିଚାଳନା ସମିତି (SMC) ର ଗୁରୁତ୍ବପୂର୍ଣ୍ଣ ବୈଠକ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଙ୍କଳ୍ପ
Aug 4, 2026•45 views

ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍‌ରେ ସ୍କୁଲ ପରିଚାଳନା ସମିତି (SMC) ର ଗୁରୁତ୍ବପୂର୍ଣ୍ଣ ବୈଠକ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସଙ୍କଳ୍ପ

ଭୁବନେଶ୍ୱରସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇଆରସି ଭିଲେଜ୍ (IRC Village) ପରିସରରେ ବିଦ୍ୟାଳୟ ପରିଚାଳନା ସମିତି (School Management Committee - SMC) ର ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷାଗତ ବାତାବରଣ, ଭିତ୍ତିଭୂମିର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମିତିର କର୍ମକର୍ତ୍ତା, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଏକାଠି ହୋଇ ଆଲୋଚନା କରିଛନ୍ତି। ​ଜାତୀୟ ଶିକ୍ଷା ନୀତି (NEP 2020) ଏବଂ 'ପିଏମ୍ ଶ୍ରୀ' (PM SHRI) ଯୋଜନା ଅଧୀନରେ ବିଦ୍ୟାଳୟକୁ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିତୋଳିବା ପାଇଁ ସମିତି ସଙ୍କଳ୍ପବଦ୍ଧ ହୋଇଛି। ​ସ୍କୁଲ ପରିଚାଳନା ସମିତି (SMC) ର ମୁଖ୍ୟ କାର୍ଯ୍ୟ ଓ ଦାୟିତ୍ଵ: ​ସ୍କୁଲର ଶୃଙ୍ଖଳିତ ପରିଚାଳନା ଏବଂ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ SMC ର ନିମ୍ନଲିଖିତ ମୁଖ୍ୟ କାର୍ଯ୍ୟ ରହିଛି: ​ବିଦ୍ୟାଳୟ ବିକାଶ ଯୋଜନା (School Development Plan): ​ବିଦ୍ୟାଳୟର ଆଗାମୀ ୩ ବର୍ଷର ଆବଶ୍ୟକତା, ନିର୍ମାଣ ଓ ପାଠପଢ଼ା ମାନକୁ ନେଇ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା। ​ଗୁଣାତ୍ମକ ଶିକ୍ଷା ଓ ଶିକ୍ଷକ-ଛାତ୍ର ଉପସ୍ଥାନ: ​ପ୍ରତିଦିନ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ନିୟମିତ ଉପସ୍ଥାନ ଉପରେ ନଜର ରଖିବା। ​କୌଣସି ପିଲା ଯେପରି ମଝିରୁ ପାଠ ନ ଛାଡ଼ନ୍ତି (Drop-out prevention) ସେଥିପାଇଁ ଅଭିଭାବକଙ୍କ ସହ ଆଲୋଚନା କରିବା। ​ଭିତ୍ତିଭୂମି ଓ ନିରାପତ୍ତା: ​ଶ୍ରେଣୀଗୃହ, ପାଠାଗାର, ବିଜ୍ଞାନଗାର, ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଏବଂ ଖେଳପଡ଼ିଆର ରକ୍ଷଣାବେକ୍ଷଣ ଓ ସୁରକ୍ଷା ନିରୀକ୍ଷଣ କରିବା। ​ପୋଷଣ ଓ ସ୍ୱାସ୍ଥ୍ୟ (PM POSHAN / Mid-Day Meal): ​ମାଧ୍ୟାହ୍ନ ଭୋଜନର ଗୁଣବତ୍ତା, ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକର ପରିବେଶ ତଦାରଖ କରିବା। ​ସରକାରୀ ଯୋଜନାର ସଫଳ ରୂପାୟନ: ​ସମଗ୍ର ଶିକ୍ଷା, ପିଏମ୍ ଶ୍ରୀ (PM SHRI) ଏବଂ ଅନ୍ୟାନ୍ୟ ସରକାରୀ ଅନୁଦାନର ସଠିକ୍ ଓ ପାରଦର୍ଶୀ ବ୍ୟବହାର ସୁନିଶ୍ଚିତ କରିବା।

Bhubaneswar (ଭୁବନେଶ୍ୱର) • ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼

ଜନଅଭିଯୋଗର ତ୍ୱରିତ ସମାଧାନକୁ ଗୁରୁତ୍ୱ: ନୂଆପଡ଼ାରେ ଜିଲ୍ଲାପାଳ–ଏସ୍‌ପିଙ୍କ ଯୁଗ୍ମ ଶୁଣାଣି ଶିବିର
Aug 4, 2026•14 views

ଜନଅଭିଯୋଗର ତ୍ୱରିତ ସମାଧାନକୁ ଗୁରୁତ୍ୱ: ନୂଆପଡ଼ାରେ ଜିଲ୍ଲାପାଳ–ଏସ୍‌ପିଙ୍କ ଯୁଗ୍ମ ଶୁଣାଣି ଶିବିର

ନୂଆପଡ଼ା ସଦର ମହକୁମାସ୍ଥିତ ସଦ୍‌ଭାବନା ସଭାଗୃହରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଶିବିରରେ ମୋଟ ୧୩୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୧୯ଟି ବ୍ୟକ୍ତିଗତ, ୧୯ଟି ସାମୂହିକ ଏବଂ ୧ଟି ରେଡ୍ କ୍ରସ ସମ୍ବନ୍ଧୀୟ ଆବେଦନ ରହିଥିଲା। ଶିବିରରେ ପଞ୍ଜିକୃତ ସମସ୍ତ ଅଭିଯୋଗର ଗୁରୁତ୍ୱର ସହ ଶୁଣାଣି କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଜନସାଧାରଣଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟାର ସମାଧାନ କରିବା ପ୍ରଶାସନର ପ୍ରମୁଖ ଦାୟିତ୍ୱ। ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ସେହିପରି ରେଡ୍ କ୍ରସ ପାଣ୍ଠିରୁ କୁରୁମପୁରୀ ଗ୍ରାମର ବେଲମତୀ ସତନାମୀଙ୍କୁ ତତ୍କାଳୀନ ସହାୟତା ସ୍ୱରୂପ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାଁ, ବନଖଣ୍ଡ ଅଧିକାରୀ (ବନ୍ୟଜନ୍ତୁ) ସମୀର ସାହୁ, ବନଖଣ୍ଡ ଅଧିକାରୀ, କେନ୍ଦୁପତ୍ର ଏ ମାଧବୀଲତା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଡେପୁଟି ଜିଲ୍ଲାପାଳ ଶେଖ ନସୀମ, ରୋଶନ ଜେନା ଏବଂ ନୂଆପଡ଼ା ବିଡିଓ ରୋହିତ ଭୋଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏହି ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Nuapada (ନୂଆପଡ଼ା) • ବିଜୟ ବରିହା

ବିଞ୍ଝାରପୁର ମୋଗଲ ମହଲା ବାସୀ ଲଗାଣ ବର୍ଷା ରେ ହନ୍ତ ସନ୍ତ
Aug 4, 2026•32 views

ବିଞ୍ଝାରପୁର ମୋଗଲ ମହଲା ବାସୀ ଲଗାଣ ବର୍ଷା ରେ ହନ୍ତ ସନ୍ତ

ଯାଜପୁର ବିଞ୍ଝାରପୁର ର ଶୟଦପୁ ଗ୍ରାମ ପଞ୍ଚାୟତ ର ମୋଗଲ ମହଲା ରେ ବାସକରୁଥିବା ଲୋକେ ବହୁ ହାନ୍ତ ସନ୍ତ ସନ୍ତ ରେ କାଳତିପାତ କରୁ ଥିବାର ଆମ ଦୃଶ୍ୟ କୁ ଆସିଥିଲା , ଆମେ ଅନୁଧ୍ୟାନ କରି ଦେଖିଲୁ, ସେଠାକାର ଲୋକେ ପାଣି ଘେର ମଧ୍ୟରେ ଅଛନ୍ତି , ବିଦ୍ୟାର୍ଥୀ ମାନେ ଆଣ୍ଠୁଏ ପାଣିରେ ବିଦ୍ୟାଳୟ କୁ ଯିବାର ଦୃଶ୍ୟ ମନ୍ ହୁଏ , ସେଠାକାର ବାସିନ୍ଦା ଙ୍କ ପ୍ରତିକ୍ରିୟା ରୁ ଅବଗତ ହେଲି ଯେ ସେମାନଙ୍କ ଅଭିଯୋଗ , ଡ୍ରେନେଜ୍ ବିଭାଗ ର ଖମ ଖିଆଲି କାର୍ଯ୍ୟ ଯୋଗୁଁ ଆମ୍ଭେ ଏଭଳି ଦୁର୍ଦ୍ଦଶା ଭୋଗୁଛୁ , ତାଙ୍କର ଦାବି ଯଥାଶୀଘ୍ର ପାଣି ନିଷ୍କାସନ କରି ରାସ୍ତା ଓ ଡ୍ରେନ ର ତ୍ଵରାନିତ କରାଇଲେ ଆମ୍ଭେ ଉପକୃତ ହେବୁ , ନୋଚେତ୍ ରାଜରାସ୍ତା କୁ ଓହ୍ଲିବୁ , ଆବଶ୍ୟକ ପଡ଼ିଲେ ଭୋଟ ବର୍ଜନ କରିବୁ , ତାଙ୍କର ଦାବି ଥିଲା ପ୍ରସାସନ୍ ଏହା ତଦନ୍ତ ପରିସରକୁ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ l

Jajpur (ଯାଜପୁର) • ଉଦୟ ନାଥ ଯେନା

ଚିକିଟି ପେଣ୍ଠ ଶିଶୁମନ୍ଦିର ରୋଡରେ ଜଳବନ୍ଦୀ; ଯାତାୟାତରେ ଅସୁବିଧା ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା
Aug 4, 2026•77 views

ଚିକିଟି ପେଣ୍ଠ ଶିଶୁମନ୍ଦିର ରୋଡରେ ଜଳବନ୍ଦୀ; ଯାତାୟାତରେ ଅସୁବିଧା ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥା

ଚିକିଟି ପେଣ୍ଠ ଶିଶୁମନ୍ଦିର ରୋଡରେ ଲଗାଣ ବର୍ଷା ହେଲେ ବର୍ଷାପାଣି ଜମି ରହିଯାଉଛି ଓ ରାସ୍ତା ଉପରେ ମଧ୍ୟ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବ୍ୟାହତ ହେଉଛି। ଏହି ରାସ୍ତା ଦେଇ ଶିଶୁମନ୍ଦିରର ଛାତ୍ରଛାତ୍ରୀ,ବିଇଓ ଅଫିସ୍, ଷ୍ଟାଡିୟମ ପାଇଁ ଯୁବକ ଓ ବୟସ୍କ, ସମସ୍ତେ ଚାଲିଚାଲି କି ଗାଡ଼ିରେ ଯାତାୟାତ କରୁଥିବାବେଳେ ପାଣି ଲାଗି ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ଓ୍ବାଡ ଦେଇ ଯାଇଥିବା ନାଳ ଗୁଡିକରେ ବର୍ଷା ପୂର୍ବରୁ ସଫା ନ ହୋଇ ଥିବାରୁ ଆବର୍ଜନା ଜମା ହେହୋଇଯାଉଛି। ୭ନମ୍ବର ଓ୍ବାଡ ନାଳ ପାଖରେ ଥିବା ଆବର୍ଜନା କୁଣ୍ଡର ଫାଟକ ଭାଙ୍ଗି ଯାଇଥିବାରୁ ଗୋରୁଗାଈ ଓ ମାଙ୍କଡ ଆବର୍ଜନା ଟାଣିଆଣି ରାସ୍ତାରେ ଭରି କରୁଛନ୍ତି ଯା ଦ୍ଵାରା ନାଳରେ ଆବର୍ଜନା ପ୍ରବେଶ ହେବା ସହ ଦୁର୍ଗନ୍ଧ ହେଉଛି। ରଘୁନାଥ ବିହାର ରୁ ବ୍ରହ୍ମା ନଗର ବସଷ୍ଟାଣ୍ଡ ରାସ୍ତାର ନାଳ ଉପରେ ଥିବା ଛୋଟ କଲଭର୍ଟ ମରାମତି ଅଭାବରୁ ସ୍କୁଲ୍ ପିଲା ଓ ବଡ ଲୋକ ମଧ୍ୟ ପଡିଯାଇ ଆହତ ହେଉଛନ୍ତି। ଶିଶୁମନ୍ଦିରର ପାଚେରୀ ନିର୍ମାଣ ପରେ ସଠିକ୍ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷାର ପାଣି ନିଷ୍କାସିତ ହୋଇପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତା ଜଳମଗ୍ନ ହୋଇପଡ଼ୁଛି। ଏଥିଯୋଗୁଁ ସ୍କୁଲକୁ ଯାଉଥିବା ଶିଶୁମାନଙ୍କ ସହ ସାଧାରଣ ପଥଚାରୀମାନେ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚିକିଟି ଏନଏସି କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତି ସହ ଆବଶ୍ୟକ ମରାମତି କାର୍ଯ୍ୟ ହାତକୁ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ସମସ୍ୟା ସମାଧାନ ପାଇଁ ରଘୁନାଥ ବିହାର ବାସିନ୍ଦା ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଜଣାଇଥିବା ପ୍ରକାଶ।

Ganjam (ଗଞ୍ଜାମ) • ଚିକିଟି,ଦୁର୍ଗା ମାଧବ ମହାରଣା