ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ଓ ପାଣି ପଞ୍ଚାୟତ ଗଠନ ଦାବିରେ ଘେରାଉ: ଶତାଧିକ ଚାଷୀଙ୍କ ଗଣଧାରଣା, ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ
Nuapada (ନୂଆପଡ଼ା)ରିପୋର୍ଟ: ଭଜନ ଲାଲ ଜଗତ ଓ କଶ୍ୟପ ଜଗତAugust 4, 20269 views

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ଖଡ଼ିଆଳସ୍ଥିତ ନିର୍ବାହୀ ଯନ୍ତ୍ରୀ, ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଡିଭିଜନ କାର୍ଯ୍ୟାଳୟକୁ ସୋମବାର ୟୁକ୍ତ ଅଣଜଳସେଚିତ ଜଳ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଘେରାଉ କରାଯାଇଥିଲା। ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ଶୀଘ୍ର ପ୍ରକାଶ କରିବା ଓ ପାଣି ପଞ୍ଚାୟତ ଗଠନରେ ହେଉଥିବା ବିଳମ୍ବକୁ ପ୍ରତିବାଦ କରି ଶତାଧିକ ଚାଷୀ ଏବଂ କମିଟି ସଦସ୍ୟ ଗଣଧାରଣାରେ ସାମିଲ ହୋଇଥିଲେ।
ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ପ୍ରଶାସନିକ ପ୍ରକ୍ରିୟା ଅଧରାରେ ରହିଥିବାରୁ ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ବିଶେଷକରି ଚନ୍ଦୋପଲା ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାକୁ ଶୀଘ୍ର ସମ୍ପନ୍ନ କରିବା ସହ ପାଣି ପଞ୍ଚାୟତ ଗଠନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେମାନେ ଦାବି ଉଠାଇଥିଲେ।
ସୂଚନା ଅନୁସାରେ, ପ୍ରକଳ୍ପ ଅଧୀନରେ ୯ଟି ଜୋନ ଏବଂ ୩ଟି ଉପଖଣ୍ଡ ଗଠନ କରାଯାଇଛି। ପ୍ରଥମ ଓ ଦ୍ୱିତୀୟ ଡିଭିଜନରେ ପାଣି ପଞ୍ଚାୟତ ଗଠନ ପ୍ରକ୍ରିୟା ଆଗକୁ ବଢ଼ିଥିବା ବେଳେ, ତୃତୀୟ ଡିଭିଜନର କେନ୍ଦ୍ର କମିଟି ପାଇଁ ତିନିଜଣ ସଦସ୍ୟଙ୍କ ମନୋନୟନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପନ୍ନ ହୋଇନାହିଁ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବାରୁ ତୁରନ୍ତ ମନୋନୟନ ପ୍ରକ୍ରିୟା ସମ୍ପନ୍ନ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ଧାରଣାସ୍ଥଳରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଆଶ୍ୱାସନ ଦେଇଥିଲେ। ତେବେ ଦାବି ପୂରଣ ଦିଗରେ ଠୋସ ପଦକ୍ଷେପ ନ ନିଆଯାଏ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ସ୍ପଷ୍ଟ କରିଛନ୍ତି।
ଏହି ଆନ୍ଦୋଳନକୁ ଜିଲ୍ଲା କୃଷି ଶକ୍ତି ସଂଗଠନ ପକ୍ଷରୁ ସମର୍ଥନ ଜଣାଯାଇଥିଲା। ସଂଗଠନର ଆବାହକ ସଞ୍ଜୟ ତିୱାରୀ କହିଥିଲେ ଯେ, ଚାଷୀଙ୍କ ନ୍ୟାୟସଙ୍ଗତ ଦାବି ପୂରଣ ପାଇଁ ସଂଗଠନ ସଦା ସେମାନଙ୍କ ସହ ରହିବ। ଆନ୍ଦୋଳନରେ ସଂଗଠନର ସମ୍ପାଦକ ଡଃ ସିଦ୍ଧାର୍ଥ ଶଙ୍କର ମହାପାତ୍ର, ରାଜେନ୍ଦ୍ର ମହାପାତ୍ର, ଭଗତରାମ ଶବର, ଅମରେଶ ପଟ୍ଟନାୟକଙ୍କ ସମେତ ଶତାଧିକ ଚାଷୀ ଯୋଗଦେଇଥିଲେ।
