--:--:--
-- ---
Srishti News

Web News

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଆର ଏସ ପିରେ ଥିବା କେଣ୍ଟିନ ପରିଦର୍ଶନ: କ୍ୟାଣ୍ଟିନ ଗୁଡିକରେ କୁଢ଼ କୁଢ଼ ନିଶାଦ୍ରଵ୍ୟ ଦେଖି ବିଧାୟକଙ୍କ  ଅସନ୍ତୋଷ ପ୍ରକାଶ
Aug 5, 2026•9 views

ବିଧାୟକ ଶ୍ରୀ ଦୁର୍ଗା ତନ୍ତୀଙ୍କ ଆର ଏସ ପିରେ ଥିବା କେଣ୍ଟିନ ପରିଦର୍ଶନ: କ୍ୟାଣ୍ଟିନ ଗୁଡିକରେ କୁଢ଼ କୁଢ଼ ନିଶାଦ୍ରଵ୍ୟ ଦେଖି ବିଧାୟକଙ୍କ ଅସନ୍ତୋଷ ପ୍ରକାଶ

ରାଉରକେଲା : ରଘୁନାଥପଲ୍ଲୀ ବିଧାୟକ ତଥା ଓଡିଶା ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ଫର ଷ୍ଟିଲ ଏଣ୍ଡ ମାଇନ୍ସ ର ସଦସ୍ୟ ଏବଂ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ଇସ୍ପାତ କାରଖାନା ପରିଷର ଭିତରେ ଥିବା କ୍ୟାଣ୍ଟିନ ଗୁଡିକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ବିଧାୟକଙ୍କ ସହିତ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗର ଫୁଡ଼ ଇନ୍ସପେକ୍ଟର ଏବଂ ଜର୍ମାନୀର ମଧ୍ୟ ସାମିଲ ଥିଲେ । ପରିଦର୍ଶନରେ ଯାଇଥିବା ଏହି ଦଳ ପ୍ରଥମେ ଏସ ଏମ ଏସ-୨,ଏସ ପି-୧,କୋକ ଓଭେନ ଆଦି ଅଞ୍ଚଳରେ ଥିବା ଏକାଧିକ ଘରୋଇ କ୍ୟାଣ୍ଟିନକୁ ଯାଇଥିଲେ । ପରିଦର୍ଶନ ସମୟରେ କ୍ୟାଣ୍ଟିନ ଗୁଡିକର ଆଭ୍ୟନ୍ତରୀଣ ପରିବେଶ ସମେତ ଖାଦ୍ୟ ପ୍ରସ୍ତୁତ ହେଉଥିବା ରୋଷେଇ ଘରର ସ୍ଵଛତା ଅତି ଦୟନୀୟ ଅବସ୍ଥାରେ ଥିବା ଦେଖି ବିଧାୟକ ଶ୍ରୀ ତନ୍ତୀ ଅସନ୍ତୋଷ ପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ କେତେକ କ୍ୟାଣ୍ଟିନ ଗୁଡିକରେ ରନ୍ଧା ଖାଦ୍ୟ ରଖୁଥିବା ସ୍ଥାନକୁ ଦେଖି ବିଧାୟକ ଏବଂ ସାଙ୍ଗରେ ଯାଇଥିବା ରାଜ୍ୟ ସରକାରଙ୍କ ଫୁଡ଼ ଇନ୍ସପେକ୍ଟର ପ୍ରମୁଖ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହିତ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଏହା ଠିକ ନୁହେଁ ବୋଲି କହି କ୍ୟାଣ୍ଟିନର ମାଲିକଙ୍କୁ ତାଗିଦ କରିବା ସହିତ ପରିଦର୍ଶନ ଜାରି ଦଳରେ ସାମିଲ ଥିବା ରାଉରକେଲା ଇସ୍ପାତ କାରଖାନାର ଅଧିକାରୀଙ୍କୁ ଘଟଣାର ଗମ୍ଭୀରତାକୁ ହୃଦବୋଧ କରି ଆବଶ୍ୟକ ପଦକ୍ଷେପ ନେବାପାଇଁ ବିଧାୟକ ପରାମର୍ଶ ଦେଇଥିଲେ । ବଡ଼ ଆଶ୍ଚର୍ଯ୍ୟର ବିଷୟ କି ଯେ ରାଜ୍ୟରେ ଗୁଟକା,ସିଗାରେଟ ଏବଂ ଖଇନି ଆଦି ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ଲାଗିଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ପରିଷରରେ ଥିବା ଏହି ସମସ୍ତ କ୍ୟାଣ୍ଟିନ ଭିତରୁ କୁଢ଼ କୁଢ଼ ଗୁଟକା, ସିଗାରେଟ ଏବଂ ଖଇନି ଆଦି ମିଳିଥିଲା। କାରଖାନା ଭିତରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଏଭଳି ନିଶା ଦ୍ରବ୍ୟ ଯୋଗାଇଦେବା ଘଟଣା ଦେଖି ବିଧାୟକ ଶ୍ରୀତନ୍ତୀ ବିରକ୍ତି ପ୍ରକାଶ କରି ମିଳିଥିବା ସମସ୍ତ ନିଶାଦ୍ରବ୍ୟ ଗୁଡିକୁ ନଷ୍ଟ କରିବା ପାଇଁ ଉପସ୍ଥିତ ଆର ଏସ ପି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ଏପରି ବେଆଇନ କାର୍ଯ୍ୟ ଜରିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ପ୍ରାୟ ସମସ୍ତ କ୍ୟାଣ୍ଟିନରେ ଯୋଗାଇଦିଆଯାଉଥିବା ପାନୀୟ ଜଳର ମାନ ଲୋକମାନଙ୍କ ପାଇଁ ଉପଯୁକ୍ତ ନଥିବା ମଧ୍ୟ ପରିଲକ୍ଷିତ ହୋଇଥିଲା । କ୍ୟାଣ୍ଟିନ ଗୁଡିକରେ ଥିବା ଅବ୍ୟବସ୍ଥା ଗୁଡିକୁ ଗମ୍ଭୀରତାର ସହ ବିଚାରକୁ ନେଇ ଯେହେତୁ ଏହା କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ଜୀବନ ସହ ଜଡିତ ତେଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇ ପରିଲକ୍ଷିତ ହୋଇଥିବା ତ୍ରୁଟିସବୁକୁ ସୁଧାରୀ କ୍ୟାଣ୍ଟିନ ଅଞ୍ଚକର ପରିବେଶକୁ ଆସନ୍ତା ପରିଦର୍ଶନ ପୂର୍ବରୁ ସୁବ୍ୟବସ୍ଥିତ କରିବା ପାଇଁ ବିଧାୟକ ଉପସ୍ଥିତ ଥିବା କାରଖାନାର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବିଶାଳ ଶିକ୍ଷକ ସମାବେଶ ଆସନ୍ତା ୧୬ ରେ
Aug 5, 2026•8 views

ବିଶାଳ ଶିକ୍ଷକ ସମାବେଶ ଆସନ୍ତା ୧୬ ରେ

ରାଉରକେଲା: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆହ୍ବାନ ରେ ବିଭିନ୍ନ ଦାବି ନେଇ ଭୁବନେଶ୍ବର ଠାରେ ଆସନ୍ତା ୧୬ ତାରିଖରେ ବିଶାଳ ଶିକ୍ଷକ ସମାବେଶ ଓ ଅହୋରାତ୍ର ଗଣଧାରଣା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଦାବି ଗୁଡିକ ମଧ୍ୟରେ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ ଓ ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ସହିତ ସରକାରୀ କରଣ, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଓ ଗ୍ରେଡ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମ ର ପୁନଃ ପ୍ରଚଳନ ଓ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ ଟି ନେସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଆଦି ଅନ୍ତର୍ଭୁକ୍ତ। ଏନେଇ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସଭାରେ ସଭାପତି ନିମାଇଁ ଚରଣ ନାୟକଙ୍କ ସଭାପତିତ୍ବ ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମନ୍ୱୟ ସମିତି ର ସଭାପତି ସୁକାନ୍ତ କୁମାର ବେହେରା, ସମିତି ର ଆବାହକ ତଥା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ବାଇଁ,ଶରତ କୁମାର ସାହୁ, ସୁବାସ ଚନ୍ଦ୍ର ସ୍ବାଇଁ, ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ, ନିତ୍ୟାନନ୍ଦ ବେହେରା,ପ୍ରଣବ କୁମାର ଜେନା, ରମାକାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଏହି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ରଖିବାରେ ବିଫଳ, ମାନବିକତା ଓ ଶିକ୍ଷକ ଜାତିର ସ୍ବାଭିମାନ ପାଇଁ ଏ ଲଢେଇ ବୋଲି ଆହ୍ବାନ ଦିଆଯାଇଛି। ଏଥିପାଇଁ ଅନୁଷ୍ଠାନ ତରଫରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେହିପରି ୯ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ୫ ଗୋଟି ଲେଖାଏଁ ଜିଲ୍ଲାକୁ ନେଇ ଦୀର୍ଘମିଆଦି ଆନ୍ଦୋଳନ ପାଇଁ ଆଭାସୀ ବୈଠକ ଓ ୧୬ ତାରିଖରେ ଭୁବନେଶ୍ଵର ସ୍ଥିତ ଗାନ୍ଧୀ ମାର୍ଗ ଠାରେ ମହାସମାବେଶ ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅହୋରାତ୍ର ଗଣଧାରଣା କରାଯିବ ବୋଲି ସୂଚନା ଦିଆଯାଇଛି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଶିକ୍ଷାରେ ଉତ୍ତର ଦାୟିତ୍ଵ ଏବଂ ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ ଆଲୋଚନାଚକ୍ର
Aug 5, 2026•7 views

ଶିକ୍ଷାରେ ଉତ୍ତର ଦାୟିତ୍ଵ ଏବଂ ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ ଆଲୋଚନାଚକ୍ର

ରାଉରକେଲା କଲେଜ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲାର ଅଧ୍ୟାପକମାନଙ୍କ ମଞ୍ଚ 'ମନ୍ଥନ' ଆୟୋଜିତ 'ଶିକ୍ଷାରେ ଉତ୍ତର ଦାୟିତ୍ଵ ଏବଂ ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ' ସମ୍ପର୍କରେ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମନ୍ଥନ-ରାଉରକେଲାର ସଭାପତି ଶ୍ରୀନାଥ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମାର୍ଗଦର୍ଶକ ଭାବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଓଡିଶା ପଶ୍ଚିମ ପ୍ରାନ୍ତର ସଂଘଚାଳକ ତଥା ମ୍ୟୁନିସିପାଲ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ଏବଂ ରାଉରକେଲା କଲେଜର ଅଧ୍ୟକ୍ଷ ତଥା ସାହିତ୍ୟ ପରିଷଦର ରାଉରକେଲା ମହାନଗର ସଭାପତି ଡ. ରବୀନ୍ଦ୍ର କୁମାର ଜେନା ଉପସ୍ଥିତ ଥିଲେ।ବିଶେଷ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ବିଷୟ ବିଶେଷଜ୍ଞ ଭାବେ ଏନଆଇଟି, ରାଉରକେଲାର ପ୍ରଫେସର ଦୁର୍ଗା ପ୍ରସାଦ ମହାପାତ୍ର, ରାଜନୀତି ବିଜ୍ଞାନ ସହାୟକ ପ୍ରଫେସର ମନୋଜ କୁମାର ଦଳେଇ ଯୋଗଦେଇଥିଲେ। ମନ୍ଥନର ସଭାପତି ଶ୍ରୀନାଥ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଡ. ବିଶ୍ବନାଥ ପରିଜା, ସମ୍ପାଦକ ସୁଶାନ୍ତ ପଟେଲ, ପ୍ରଫେସର ପିୟୁଷ ରଞ୍ଜନ ଦାସ, ସୂର୍ଯ୍ଯକାନ୍ତ ଦାସ, କରୁଣାକର ପାଟ୍ଟଶାଣୀ, ଗଜେନ୍ଦ୍ରନାଥ ଦାଶ, ପ୍ରୀତମ ସାମଲ, ସମୀର କୁମାର ସାହୁ, ଡ. ରବୀନ୍ଦ୍ର ବାରିକ, ଆସ୍ତିକ ବାରିକ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ସଭାପତି, ସମସ୍ତ ଅତିଥି , ବିଷୟ ବିଶେଷଜ୍ଞ ତଥା ଅଧ୍ୟାପକମାନେ ସେମାନଙ୍କ ବକ୍ତବ୍ୟରେ ଗୁଣବତ୍ତା, ପାରଦର୍ଶିତା, ଉତ୍ତର ଦାୟିତ୍ଵ, ନୈତିକ ଦାୟିତ୍ବ, ଚରିତ୍ର ଗଠନ, ଶିକ୍ଷକ ଚୟନରେ ଗୁଣାତ୍ମକ ମାନ, ଶୈକ୍ଷିକ ବାତାବରଣ, ରାଷ୍ଟ୍ର ଓ ସମାଜ ନିର୍ମାଣରେ ଭୂମିକା, ଛାତ୍ର- ଛାତ୍ରୀ ଓ ଅଭିଭାବକଙ୍କ ପ୍ରତି ଶିକ୍ଷକଙ୍କ ଦାୟିତ୍ଵ, ବ୍ୟବସ୍ଥାରେ ସୁଧାର ଆଣିବା, ପ୍ରତିଶ୍ରୁତିବଦ୍ଧତା ଓ ସଚେତନତା ତଥା ସମୟର ଆବଶ୍ୟକତା ନେଇ ଶିକ୍ଷକମାନଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ରାଉରକେଲା ମହାନଗର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ, ଚିତ୍ତରଞ୍ଜନ ଜେନା, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ରାଉରକେଲା ରୋଟାରୀ କ୍ଲବର ୬୯ତମ ପ୍ରତିଷ୍ଠା ଉତ୍ସବ
Aug 5, 2026•10 views

ରାଉରକେଲା ରୋଟାରୀ କ୍ଲବର ୬୯ତମ ପ୍ରତିଷ୍ଠା ଉତ୍ସବ

ରାଉରକେଲା : ରାଉରକେଲା ରୋଟାରୀ କ୍ଲବ ର ୬୯ତମ ପ୍ରତିଷ୍ଠା ଉତ୍ସବ ରାଉରକେଲା କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡିଜି ରୋଟାରିଆନ ଆଲମ ସିଂହ ରୂପରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଜାତୀୟ ସଂଗୀତ ପରେ ବିଗତ ବର୍ଷର ର ଅଧ୍ୟକ୍ଷ ଆରଟିଏନ ସୁଶାନ୍ତ ତ୍ରିପାଠୀ ସମାବେଶକୁ ସ୍ୱାଗତ କରିଥିଲେ ଏବଂ ବର୍ଷକ ମଧ୍ୟରେ ତାଙ୍କୁ ସମର୍ଥନ କରିବା ପାଇଁ ଲାଠିକଟା ଦୃଷ୍ଟିହୀନ ବିଦ୍ୟାଳୟ, ଏନଆଇଟି ରୋଟ୍ରାକ୍ଟର, ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲର ଇଣ୍ଟରାକ୍ଟର ଏବଂ ସ୍ଥାନୀୟ କ୍ଲବ ପରିଚାଳନାକୁ ସମ୍ମାନିତ କରିଥିଲେ। ବିଦାୟୀ ସଚିବ ରୋଟିରିଆନ ହୀରାଲାଲ ମହାପାତ୍ର ବିଗତ ବର୍ଷ ପାଇଁ କ୍ଲବର କାର୍ଯ୍ୟକଳାପ ରିପୋର୍ଟ ଉପସ୍ଥାପନ କରିଥିଲେ। ପରେ ୨୦୨୬-୩୭ ପାଇଁ ନୂତନ ଅଧ୍ୟକ୍ଷ ଓ ତାଙ୍କ ଦଳ ଶପଥ ପାଠ କରିଥିଲେ। ଏହି ଅବସରରେ ଡିଜି, ପ୍ରଥମ ମହିଳା ରୋଟାରିଆନ ହରପାଲ ରୂପରା ଏବଂ ଏଜି ଆରଟିଏନ ଭଗବାନ ପାଢିଙ୍କ ଉପସ୍ଥିତିରେ ୭ ଜଣ ନୂତନ ସଦସ୍ୟଙ୍କୁ ସାମିଲ କରାଯାଇଥିଲା। ନୂତନ ସଭାପତି ଆରଟିଏନ ଶୁଭାଶିଷ ସାମଲ ଚଳିତ ବର୍ଷ ପାଇଁ ତାଙ୍କର ଦୃଷ୍ଟିକୋଣ ବାଣ୍ଟିଥିଲେ। ରୋଟାରୀ ଫାଉଣ୍ଡେସନକୁ ପ୍ରଥମ ସମସ୍ତ ସଦସ୍ୟ ଗିଭିଂ କ୍ଲବ ହେବା ପାଇଁ ଡିଜିଙ୍କୁ ୯୦୬୩୦.୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା। ଏଜି ଆରଟିଏନ ଭଗବାନ ପାଢୀ କ୍ଲବର ମେଗା ସ୍ଥାୟୀ ପ୍ରକଳ୍ପଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ନୂତନ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଡିଜି ଆରଟିଏନ ଆଲମ ସିଂହ ରୂପରା ନୂତନ ଦଳକୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କ ଭାଷଣ ସମୟରେ ଆତ୍ମ-ଉର୍ଦ୍ଧ୍ୱ ସେବା ପ୍ରମାଣିତ କରି କରାଯାଇଥିବା ସମସ୍ତ ପ୍ରକଳ୍ପକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବୁଲେଟିନ ଦି ରୋଟେଟରକୁ ସମ୍ମାନିତ ଅତିଥିମାନେ ଉନ୍ମୋଚନ କରିଥିଲେ। ଆରଟିଏନ ଡକ୍ଟର ଆର ଏନ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍ଥାପନ ସମାରୋହର ମୁଖ୍ୟ ଥିଲେ ଆରଟିଏନ କୋୟେନା ଦସ୍ତିଦାର। ଏହି କାର୍ଯ୍ୟକ୍ରମରେ କ୍ଲବ ସଦସ୍ୟ, ରାଉରକେଲା, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ବିଭିନ୍ନ ରୋଟାରୀ କ୍ଲବର ରୋଟାରିଆନ, ଅତିଥି ଏବଂ ରୋଟାକ୍ଟରଙ୍କ ସମେତ ମୋଟ ୮୫ ଜଣ ଉପସ୍ଥିତ ଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଜଗଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା
Aug 5, 2026•29 views

ଜଗଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ରାଉରକେଲା: ଜଗଦା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ଏନ୍ଆଇଟି ର ପ୍ରଫେସର ଦିଲ୍ଲୀପ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ,ବିଦ୍ୟାଳୟ ର ସଭାପତି ଡା. ସାମନ୍ତ କୁମାର ସାହୁ, ଉପସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ବୈଷ୍ଣବ ଚରଣ ମହାପାତ୍ର, ସହ ସମ୍ପାଦକ କୃପାସିନ୍ଧୁ ବେଉରିଆ, କୋଷାଧକ୍ଷ ଚନ୍ଦ୍ରଶେଖର ପତି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ କୁମାର ବାରିକ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ପ୍ରଫେସର ଡା. ପ୍ରଧାନ ତାଙ୍କ ବକ୍ତବ୍ୟ ରେ ମାନବ ସଭ୍ୟତା ଓ ଦେଶ ବିକାଶ ରେ ବିଜ୍ଞାନ ର ଆବଶ୍ୟକ‌ତା ତଥା ନିରନ୍ତର ଗବେଷଣା କ୍ଷେତ୍ର ରେ ଶିଶୁ ମାନେ ଆଗ୍ରହୀ ହେବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳା ରେ ବିଜ୍ଞାନ ପ୍ରକଳ୍ପ ୮୦ ଟି ଓ ଗଣିତ ରେ ୨୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଶକ୍ତିସଂରକ୍ଷଣ, ଆବର୍ଜନାପ୍ରବନ୍ଧନ, ସୌରଶକ୍ତି, କୃଷି,ଜୀବାଶ୍ମଇନ୍ଧନ, ଖାଦ୍ୟସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜୈବିକ ବିବିଧତା, ପରିବେଶ ସୁରକ୍ଷା, ମହାକାଶବିଜ୍ଞାନ ପ୍ରଭୃତି ଅନେକ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଜ୍ଞାନ ପ୍ରକଳ୍ପରେ ୧୦ ଜଣ, ଗଣିତ ପ୍ରକଳ୍ପରେ ୧୭ ଜଣ, ବିଜ୍ଞାନ ପ୍ରୟୋଗରେ ୨୫ ଜଣ, ଗଣିତ ପ୍ରୟୋଗ ରେ ୨୦ ଜଣ, ଆଶୁ ଭାଷଣରେ ୩୦ ଜଣ, ଗଣିତ ପ୍ରଶ୍ନମଞ୍ଚରେ ୩୦ ଜଣ, ବିଜ୍ଞାନ ପ୍ରଶ୍ନମଞ୍ଚରେ ୯୮ ଜଣ, ସଂସ୍କୃତିଜ୍ଞାନ ପ୍ରଶ୍ନମଞ୍ଚ ରେ ୩୦ ଜଣ, ପତ୍ରବାଚନରେ ୧୪ ଜଣ, ମୂର୍ତ୍ତିକଳା ୧୧ ଜଣ ଓ ନିବନ୍ଧ ପ୍ରତିଯୋଗିତାରେ ୭୦ ଜଣ ଅଂଶଗ୍ରହଣ କରିଥିଲେ ‌। ସମସ୍ତ ଶିଶୁମାନଙ୍କୁ ଶିଶୁ,ବାଲ ଓ କିଶୋର ଏହିପରି ତିନୋଟି ଭାଗରେ ଭାଗ କରାଯାଇଥିଲା । ନିକଟସ୍ଥ ପ୍ରଗତି ବିଦ୍ୟାମନ୍ଦିର, ଚିନ୍ମୟ ବିଦ୍ୟାଳୟ, ଗୋପବନ୍ଧୁ ହାଇସ୍କୁଲ ହମିରପୁର, ଡିଭାଇନ ଲାଇଫ ଏକାଡେମୀ, ଏନ.ଆଇ.ଟି କ୍ୟାମ୍ପସ ହାଇସ୍କୁଲ, ସେକ୍ଟର-୨୦ ହାଇସ୍କୁଲ,ସେକ୍ଟର-୬ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରାଉରକେଲା ଟାଉନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବିଜ୍ଞାନ ଶିକ୍ଷକମାନେ ବିଚାରକ ରୂପେ ଯୋଗଦେଇଥିଲେ । ସମାରୋପ କାର୍ଯ୍ୟକ୍ରମରେ ରାଉରକେଲା ସଂକୁଳର ସଂକୁଳ ପ୍ରମୁଖ ଶ୍ରୀଶତପଥି ଓ ବିଦ୍ୟାଳୟର ସମ୍ପାଦକ ଶ୍ରୀ ମହାପାତ୍ର ଯୋଗଦେଇ ମା ସରସ୍ବତୀଙ୍କ ନିକଟରେ ରେ ପୁଷ୍ପାର୍ଚ୍ଚନା କରିଥିଲେ । ସଂକୁଳ ପ୍ରମୁଖ ଶ୍ରୀ ଶତପଥୀ ତାଙ୍କ ଅଭିଭାଷଣରେ ଭବିଷ୍ୟତ ର ବୈଜ୍ଞାନିକ ଶିଶୁ ଭାଇ ଭଉଣୀ ମାନଙ୍କୁ ଭୌତିକ ସୁଖ ସାଧନା ନିମନ୍ତେ ଏହି ଜ୍ଞାନ ବିଜ୍ଞାନ ମେଳା ର ଉପାଦେୟତା ଓ ଆଗାମୀ ସମସ୍ୟା ର ସମାଧାନ ନିମନ୍ତେ ବିଜ୍ଞାନର ଆବଶ୍ୟକ‌ତା ସମ୍ବନ୍ଧରେ ବକ୍ତବ୍ୟ ରଖୁଥିଲେ । ସମ୍ପାଦକ ଶ୍ରୀ ମହାପାତ୍ର ଜ୍ଞାନ ବିଜ୍ଞାନମେଳା ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବାର ପ୍ରକୃଷ୍ଟ ମାଧ୍ୟମ ବୋଲି ଅଭିହିତ କରିଥିଲେ । ବିଜ୍ଞାନ ପ୍ରମୁଖା ଅର୍ଚ୍ଚନା ମଞ୍ଜରୀ ପଣ୍ଡା ବିବରଣୀ ପାଠ କରିଥିଲାବେଳେ ଭଲ ପ୍ରଦର୍ଶନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ର ବରିଷ୍ଠ ଗୁରୁଜୀ କାଶୀନାଥ ପାଢ଼ୀ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସକ୍ରିୟ ଅଂଶଗ୍ରହଣକରି ଜ୍ଞାନ ବିଜ୍ଞାନମେଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ ‌।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ, ରାଉରକେଲା

ଯାଜପୁର ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ପ୍ରସ୍ତୁତି ବୈଠକ: ଅଗଷ୍ଟ  23 ତାରିଖରେ ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ପାଇଁ ପ୍ରସ୍ତୁତ ବୈଠକ
Aug 5, 2026•21 views

ଯାଜପୁର ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ପ୍ରସ୍ତୁତି ବୈଠକ: ଅଗଷ୍ଟ 23 ତାରିଖରେ ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ପାଇଁ ପ୍ରସ୍ତୁତ ବୈଠକ

ଆସନ୍ତା ଅଗଷ୍ଟ ମାଷ ୨୩ ତାରିଖରେ ଯାଜପୁର ଜିଲ୍ଲା ରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟର-୧ ର ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ପଦ୍ମଲୋଚନ ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଙ୍ଗଠନ ସମ୍ପାଦକ ଗୌରାଙ୍ଗ ଚରଣ ମହି, ଜିଲ୍ଲା ଉପଦେଷ୍ଟା ନିର୍ମଳ ସମକକ୍ଷ ଏବଂ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ l ବୈଠକରେ ଗୌରାଙ୍ଗ ଚରଣ ମହି ସାମ୍ବାଦିକମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଦକ୍ଷତା ବୃଦ୍ଧି, ବୃତ୍ତିଗତ ମାନଦଣ୍ଡ ଓ ଡିଜିଟାଲ ସାମ୍ବାଦିକତାରେ ଉନ୍ନତି ସମ୍ପର୍କରେ ପ୍ରେରଣା ଦାୟକ ବକ୍ତବ୍ୟ ରଖିଥିଲେ। ସେହିପରି ଅଗଷ୍ଟ ମାଷ ୨୩ ତାରିଖରେ ରେ ଖୋର୍ଦ୍ଧା, ଜିଲ୍ଲା ,ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ର ସମସ୍ତ ସଦସ୍ୟ ମାନେ ଏହି ପ୍ରଶିକ୍ଷଣ ଶିବିର ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଶିବିର ରେ ଯୋଗ ଦେଉଥିବା ସମସ୍ତ ସାମ୍ବାଦିକମାନଙ୍କୁ ସମ୍ମାନଜନକ ସ୍ୱାଗତ ଓ ସୁଚାରୁ ବ୍ୟବସ୍ଥାପନା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ଯାଜପୁର ଜିଲ୍ଲା ମିଡ଼ିଆ ସେଲ୍ର ଦାୟିତ୍ୱ ହେମନ୍ତ କୁମାର ନାୟକଙ୍କୁ ଅର୍ପଣ କରାଯାଇଥିଲା। ବୈଠକରେ ରାଜ୍ୟ ପରିଷଦ ସଭ୍ୟ ସରୋଜ କୁମାର ଧଳ, ସଦସ୍ୟ ନିୟୁଜ ଚେନେଲ ର ରାଜ୍ୟ ସଂଯୋଜକ ଶ୍ରୀକାନ୍ତ ବିଶ୍ୱାଳ, ବରିଷ୍ଠ ସଦସ୍ୟ ଜିତୁ ବେହେରା, ନିରୋଜ କୁମାର ସେଠୀ, ପ୍ରଦୀପ କୁମାର ପୃଷ୍ଟି, ଉଦୟନାଥ ଜେନା, ପ୍ରଭାତ ମଲ୍ଲିକ, ସୁଶାନ୍ତ କୁମାର ଜେନା, ଅଗ୍ନିବେଶ ଭାସ୍କର, ସଞ୍ଜୟ ନାୟକ, ଭାଗିରଥି ଜେନା, ମାନସ କୁମାର ସାହୁ, ନବଘନ ବାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନ ଦେଇଥିଲେ। ଶେଷରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ମହି ୨୩ ଅଗଷ୍ଟର ପ୍ରଶିକ୍ଷଣ ଶିବିରକୁ ସୁଚାରୁ, ଶୃଙ୍ଖଳିତ ଓ ସଫଳ ଭାବେ ଆୟୋଜନ କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।

Jajpur (ଯାଜପୁର) • ରିପୋର୍ଟ - ନିରୋଜ କୁମାର ସେଠୀ

ଟିଟିଲାଗଡ଼ ବଜାର ଉପ ଡାକଘର ବିନା ଛୁଟିରେ ଝୁଲୁଛି ତାଲା
Aug 5, 2026•176 views

ଟିଟିଲାଗଡ଼ ବଜାର ଉପ ଡାକଘର ବିନା ଛୁଟିରେ ଝୁଲୁଛି ତାଲା

ବିନା ଛୁଟିରେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ବଜାର ଉପ ଡାକଘର ଠାରେ ଝୁଲୁଛି ତାଲା l ମୁଖ୍ୟ ଡାକଘର ଏବଂ ଅନ୍ୟ ଠାରେ ଥିବା ଡାକଘର ଖୋଲା ରହିଥିବାବେଲେ ଏହି ବଜାର ଉପ ଡାକଘର ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା l ଏଥିରେ କାର୍ଯ୍ୟରତ ଥିବା ପୋଷ୍ଟ ମାଷ୍ଟର ମନମୁଖୀ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି l ଆଜି ଅଗଷ୍ଟ ୫ତାରିଖ ଦିନ ବିନା ଛୁଟିରେ ଅଫିସ ବନ୍ଦ ରହିଥିଲା l ଲୋକମାନେ ଡିପୋଜିଟ ଓ ଉଇଡ୍ରାଲ ପାଇଁ ଆସି ହତାଶ ହୋଇ ଫେରିଯାଇଥିଲେ l ପୋଷ୍ଟ ମାଷ୍ଟର ଯଦି ଛୁଟିରେ ଅଛନ୍ତି ତାହେଲେ ଅଫିସ କାହିଁକି ତାଲା ଝୁଲୁଛି ବୋଲି ବୁଦ୍ଧିଜୀବୀମାନେ ସନ୍ଦେହ ପ୍ରକାଶ କରୁଛନ୍ତି l ଏହାର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି l

Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼

ଗୌଡନାଳୀ ଗ୍ରାମରେ ପାଲା ଏବଂ ସଂକିର୍ତ୍ତନ୍ୟ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ
Aug 5, 2026•99 views

ଗୌଡନାଳୀ ଗ୍ରାମରେ ପାଲା ଏବଂ ସଂକିର୍ତ୍ତନ୍ୟ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ ଗ୍ରାମ ପଞ୍ଚାୟତ ର ଗୌଡନାଳି ଗ୍ରାମରେ ଶ୍ରୀମତୀ ସରସ୍ବତୀ କିସାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ମାଁ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଗୌଡନାଳୀ ର ସହଯୋଗ ରେ ଏକ ଦିବସୀୟ ସଂକିର୍ତ୍ତନ୍ୟ ମହୋତ୍ସବ ୨୦୨୬ ଏବଂ ପାଲା ସମ୍ମିଳନୀ -୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ଶ୍ରୀମତୀ ସରସ୍ବତୀ କିସାନ ସଭାପତିତ୍ୱ କରିଥିବା ବେଳେ ଦେବଗଡ଼ ବିଧାନ ସଭା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ପାଲା କଳାକାର ଏବଂ ସଂକିର୍ତ୍ତନ୍ୟ ଦଳ ମାନଙ୍କୁ ଉତ୍ସାହିତ କରିଥିଲେ। ପାଲା ସମ୍ମିଳନୀ ରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରସିଦ୍ଧ ପାଲା ଗାୟକ ଓ ଦଳ ମାନେ ଯୋଗ ଦେଇ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି କରିଥିଲେ। ପାଲା ଗାୟକ ଙ୍କ ମଧ୍ୟରେ କୁମୁଦିନୀ ପଟେଲ (କୁଚିଣ୍ଡା ଖଣ୍ଡକଟା), ନଳିନୀ ଦାସ, ବିଶାଖା ପଟେଲ, ଶାନ୍ତି ନାଏକ (ଝାରସୁଗୁଡ଼ା), ବାସନ୍ତୀ ନାଏକ (କୁଚିଣ୍ଡା), କ୍ଷୀରୋଦ ବାଗ୍ (ସମ୍ବଲପୁର), ଯଶୋବନ୍ତ ଖଡିରତ୍ନ (କେସନପୁର), ସ୍ନେହଲତା ବେହେରା, ସଂଯୁକ୍ତା ପ୍ରଧାନ,ଟଙ୍କଧର ଖଡିରତ୍ନ, ଓ ରମେଶ ମିଶ୍ର ବଳମ) ପ୍ରମୁଖ ଅତି ଚିତ୍ତାକର୍ଷକ କଳା ପରିବେଷଣ କରିଥିଲେ । ସଙ୍କିର୍ତ୍ତନ୍ୟ ମହୋତ୍ସବ ରେ ଶ୍ରୀରାଧା ଗୋବିନ୍ଦ ସଂକିର୍ତ୍ତନ ମଣ୍ଡଳୀ (ନୁଆଗାଁ), ଓଁ କେଶବାୟୋ ସଂକିର୍ତ୍ତନ ମଣ୍ଡଳୀ (ରେଙ୍ଗାଳବାହାଳ), ଶ୍ରୀ ରାଧାକୃଷ୍ଣ ସଂକିର୍ତ୍ତନ ମଣ୍ଡଳୀ (ମନୋହରପୁର ), ରାଧା ଗୋବିନ୍ଦ ସଂକିର୍ତ୍ତନ ମଣ୍ଡଳୀ (ଗୌଡନାଳୀ) ଆଦି ସଂକୀର୍ତ୍ତନ ମଣ୍ଡଳୀ ଗୁଡିକ ଯୋଗଦାନ କରି ଅତି ଉଚ୍ଚକୋଟୀର ସଂକିର୍ତ୍ତନ୍ୟ ପରିବେଷଣ କରି ରୁଣ୍ଡିଭୁତ ଶ୍ରଦ୍ଧାଳୁ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏହି ମହୋତ୍ସବରେ ଗୌଡନାଳୀ ଗ୍ରାମର ଆଖପାଖ ଗ୍ରାମ ଯଥା - ପୋଇପାଣୀ, ନୂଆଗାଁ , ରେଙ୍ଗାଳବାହାଳ, ଶିମିଳିନାଳୀ, ନଳବନ୍ଧ, ବଳମ , କଣ୍ଢଳ , ଗୌଡସୁଗୁଡା , ଅସନନାଳି ଆଦି ଗ୍ରାମରୁ ବହୁମାତ୍ରାରେ ଦର୍ଶକ ଉପସ୍ଥିତ ରହି ହରିବୋଲ ହୁଳହୁଳି ଶବ୍ଦରେ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମହୋତ୍ସବଟି ଦିବା ୩.୦୦ ଘଟିକାରୁ ଆରମ୍ଭ ହୋଇ ରାତି ୧୨.୦୦ ଘଟିକା ପର୍ଯ୍ୟନ୍ତ ଜାରି ରହିଥିଲା । ସନ୍ଧ୍ୟା ୮.୦୦ ଘଟିକାରେ ସମସ୍ତ କଳାକାର ଏବଂ ଦର୍ଶକଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରାଯାଇଥିଲା । ସର୍ବ ଶେଷରେ ଶ୍ରୀଯୁକ୍ତ ବିଦ୍ୟାଧର ଉଦାବର ଙ୍କ ଆହ୍ବାନ କ୍ରମେ ଏହି ମହୋତ୍ସବ କୁ ଉଦ୍ ଯାପନ କରିଥିଲେ ।

Deogarh (ଦେଓଗଡ଼) • ରିପୋର୍ଟ:- ନରୋତ୍ତମ ପରିଡ଼ା, ବାରକୋଟ

ରେଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସଭା: ଶିକ୍ଷାର ମାନ ବୃଦ୍ଧି ଓ ସମନ୍ୱୟ ଉପରେ ଗୁରୁତ୍ୱାରୋପ
Aug 5, 2026•41 views

ରେଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସଭା: ଶିକ୍ଷାର ମାନ ବୃଦ୍ଧି ଓ ସମନ୍ୱୟ ଉପରେ ଗୁରୁତ୍ୱାରୋପ

କୋମନା ବ୍ଲକ ଅନ୍ତର୍ଗତ ରେଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାବକ ସଭା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ନିୟମିତ ଉପସ୍ଥାନ, ଶୃଙ୍ଖଳା ରକ୍ଷା ଓ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ଜଳନ୍ଧର ସବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପ-ସଭାପତି ଶ୍ରୀମତୀ ଯଶୋବନ୍ତୀ ରାଣା ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ପଣ୍ଡା ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଶିଶୁମାନଙ୍କ ସର୍ବାଙ୍ଗୀଣ ବିକାଶରେ ଅଭିଭାବକଙ୍କ ସକ୍ରିୟ ସହଯୋଗ ଓ ଭୂମିକା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ। ସଭାରେ ଶିକ୍ଷକ ଜନମେଜୟ ସବର ଏବଂ ଶିକ୍ଷୟିତ୍ରୀ ମନ୍ଦାକିନୀ ପ୍ରୁଷ୍ଟି, ଲାବଙ୍ଗଲତା ରାଣା ଓ ସସ୍ମିତା ନାୟକ ଉପସ୍ଥିତ ରହି ଅଭିଭାବକମାନଙ୍କ ସହ ଶିଶୁମାନଙ୍କ ଶିକ୍ଷା, ଆଚରଣ, ନିୟମିତ ପାଠପଢ଼ା, ସହପାଠ୍ୟ କାର୍ଯ୍ୟକଳାପ ଓ ବିଦ୍ୟାଳୟର ଶୃଙ୍ଖଳା ସମ୍ପର୍କରେ ବିସ୍ତୃତ ମତବିନିମୟ କରିଥିଲେ। ଉପସ୍ଥିତ ଅଭିଭାବକ ଓ ଗଣ୍ୟମାନ୍ୟ ବ୍ୟକ୍ତିମାନେ ମଧ୍ୟ ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ନିରନ୍ତର ସମନ୍ୱୟ ବଜାୟ ରଖିବାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଜଣେ ଅଭିଭାବକ ପ୍ରତିନିଧି କହିଥିଲେ ଯେ, ଏଭଳି ସଭା ମାଧ୍ୟମରେ ଶିକ୍ଷକମାନଙ୍କ ସହ ସିଧାସଳଖ ଆଲୋଚନା କରି ଶିଶୁମାନଙ୍କ ଶିକ୍ଷାଗତ ଅଗ୍ରଗତି ଓ ବ୍ୟକ୍ତିତ୍ୱ ବିକାଶ ସମ୍ପର୍କରେ ସଠିକ୍ ଧାରଣା ମିଳୁଛି, ଯାହା ଭବିଷ୍ୟତରେ ଶିଶୁମାନଙ୍କ ଉନ୍ନତିରେ ସହାୟକ ହେବ। ସଭା ଶେଷରେ ବିଦ୍ୟାଳୟ ଓ ଅଭିଭାବକଙ୍କ ମଧ୍ୟରେ ନିୟମିତ ସହଯୋଗ ଏବଂ ସମନ୍ୱୟ ବଜାୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। “ଶିକ୍ଷା ହିଁ ଉନ୍ନତିର ମୂଳ ଭିତ୍ତି” ବାର୍ତ୍ତା ସହ ସଭାର ସମାପନ କରାଯାଇଥିଲା।

Nuapada (ନୂଆପଡ଼ା) • ଗିରେନ୍ଦ୍ର କୁମାର ଜଗତ, କୋମନା

ବନ୍ୟା କ୍ଷୟକ୍ଷତି ନେଇ ପିସିସି ସଭାପତିଙ୍କୁ ସାକ୍ଷାତ କଲେ ଯାଜପୁରର କଂଗ୍ରେସ ନେତୃବୃନ୍ଦ
Aug 5, 2026•20 views

ବନ୍ୟା କ୍ଷୟକ୍ଷତି ନେଇ ପିସିସି ସଭାପତିଙ୍କୁ ସାକ୍ଷାତ କଲେ ଯାଜପୁରର କଂଗ୍ରେସ ନେତୃବୃନ୍ଦ

ଯାଜପୁର ନିର୍ବାଚନ ମଣ୍ଡଳୀରେ ସମ୍ପ୍ରତି ବନ୍ୟା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ସମ୍ପର୍କରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କୁ ଭେଟି ଆଲୋଚନା କରିଛନ୍ତି ଯାଜପୁରର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦ ଏବଂ ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାଗର ରଞ୍ଜନ ପରିଡା। ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାକ୍ଷାତକାର ସମୟରେ ଶ୍ରୀ ନନ୍ଦ ଏକ ସ୍ମାରକପତ୍ର ପ୍ରଦାନ କରି ଯାଜପୁର ଅଞ୍ଚଳର ବନ୍ୟା ପରିସ୍ଥିତି, ଲୋକଙ୍କ ଦୁର୍ଦ୍ଦଶା ଏବଂ ଚାଷଜମି, ଘରବାଡ଼ି ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି, ବନ୍ୟା ଦୁର୍ଗତଙ୍କ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଯଥାସମ୍ଭବ ସହାୟତା ଏବଂ ରିଲିଫ୍ ବ୍ୟବସ୍ଥା କରିବାକୁ ନିବେଦନ କରାଯାଇଥିଲା। ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପ୍ରତିନିଧିମଣ୍ଡଳୀଙ୍କ କଥା ଧ୍ୟାନର ସହ ଶୁଣି ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ପ୍ରତି ସହଯୋଗ ଓ ସମବେଦନା ପ୍ରକାଶ କରିଥିବା ଜଣାପଡ଼ିଛି। ଯାଜପୁର ଜିଲ୍ଲାର ବନ୍ୟା ପୀଡ଼ିତ ଲୋକଙ୍କ ସମସ୍ୟାକୁ ରାଜ୍ୟସ୍ତରରେ ଉପସ୍ଥାପନ କରିବା ସହ ସେମାନଙ୍କ ପାଇଁ ଆବଶ୍ୟକ ସହାୟତା ଯୋଗାଇବାକୁ କଂଗ୍ରେସ ନେତୃବୃନ୍ଦ ଦାବି କରିଛନ୍ତି।

Jajpur (ଯାଜପୁର) • ରିପୋର୍ଟର: ଅନିଲ କୁମାର ଜେନା

ଖରିଆର ନଗର ବନ ପରିଦର୍ଶନ କଲେ ଡିଏଫଓ, ସିସିଟିଭି ସ୍ଥାପନ ଓ ଭିତ୍ତିଭୂମି ଉନ୍ନତି ପାଇଁ ନିର୍ଦ୍ଦେଶ
Aug 5, 2026•20 views

ଖରିଆର ନଗର ବନ ପରିଦର୍ଶନ କଲେ ଡିଏଫଓ, ସିସିଟିଭି ସ୍ଥାପନ ଓ ଭିତ୍ତିଭୂମି ଉନ୍ନତି ପାଇଁ ନିର୍ଦ୍ଦେଶ

ନୂଆପଡ଼ା ବନଖଣ୍ଡର ବିଭାଗୀୟ ବନ ଅଧିକାରୀ (ଡିଏଫଓ) ଅଜିତ ଖାନ ତିଆଲ ସୋମବାର ଖରିଆର ସହରସ୍ଥିତ ନଗର ବନ (ଆର୍ବାନ ଫରେଷ୍ଟ) ପରିଦର୍ଶନ କରି ସେଠାର ରକ୍ଷଣାବେକ୍ଷଣ, ଭିତ୍ତିଭୂମି ବ୍ୟବସ୍ଥା ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ସୁବିଧାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଡିଏଫଓ ସହରୀ ବନର ବିଭିନ୍ନ ସୁବିଧା ପରଖିବା ସହ ଏହାର ସୌନ୍ଦର୍ଯ୍ୟକରଣକୁ ଆହୁରି ବିକଶିତ କରିବା ଏବଂ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା ସୃଷ୍ଟି କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେ ସମଗ୍ର ନଗର ବନ ପରିସରରେ ସିସିଟିଭି କ୍ୟାମେରା ସ୍ଥାପନ କରିବାକୁ କହିଥିଲେ। ଏହାଦ୍ୱାରା ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ପାର୍କର ନିରନ୍ତର ତଦାରଖ ସମ୍ଭବ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ଏହାଛଡ଼ା ସହରୀ ବନକୁ ଆସୁଥିବା ପର୍ଯ୍ୟଟକଙ୍କ ଯାନବାହନ ପାଇଁ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ବିକଶିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ୱାରା ଯାତାୟାତ ପରିଚାଳନା ସୁଚାରୁ ହେବା ସହ ପରିଦର୍ଶକମାନେ ସୁବିଧା ପାଇପାରିବେ। ଡିଏଫଓ ସ୍ଥାନୀୟ ବନ ଅଧିକାରୀ ସୁଦାମ କୁମାର ବାଗଙ୍କୁ ଏହି ସମସ୍ତ କାର୍ଯ୍ୟ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ବନ ବିଭାଗର ବିଶ୍ୱାସ ଯେ, ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ ହେଲେ ଖରିଆର ନଗର ବନର ସୁରକ୍ଷା, ପରିଚାଳନା ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କ ଅନୁଭୂତିରେ ଉଲ୍ଲେଖନୀୟ ଉନ୍ନତି ଆସିବ।

Nuapada (ନୂଆପଡ଼ା) • ଭଜନ ଲାଲ ଜଗତ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ନୂତନ ରାଜ୍ୟ କମିଟି ଘୋଷଣା : ସନ୍ତୋଷ କୁମାର ନନ୍ଦ ସଂଗଠନ ସମ୍ପାଦକ ଭାବେ ମନୋନୀତ
Aug 5, 2026•29 views

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ନୂତନ ରାଜ୍ୟ କମିଟି ଘୋଷଣା : ସନ୍ତୋଷ କୁମାର ନନ୍ଦ ସଂଗଠନ ସମ୍ପାଦକ ଭାବେ ମନୋନୀତ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନକୁ ଆହୁରି ସଶକ୍ତ ଓ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକରେ ନୂତନ ରାଜ୍ୟ କମିଟି ଘୋଷଣା କରାଯାଇଥିଲା। ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ସଭାପତି ଡ଼. ରାମଚନ୍ଦ୍ର ଖୁଣ୍ଟିଆ ନୂତନ କମିଟିରେ ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦଙ୍କୁ ଓଡ଼ିଶା ଶାଖାର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ ସନ୍ତୋଷ କୁମାର ନନ୍ଦ ରାଜ୍ୟ ସଭାପତି ଡ଼. ରାମଚନ୍ଦ୍ର ଖୁଣ୍ଟିଆଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ, ଶ୍ରମିକଙ୍କ ଅଧିକାର ସୁରକ୍ଷା, ସଂଗଠନର ବିକାଶ ଏବଂ ରାଜ୍ୟବ୍ୟାପୀ ସଂଗଠନକୁ ସୁଦୃଢ଼ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ। ଡ଼. ଖୁଣ୍ଟିଆଙ୍କ ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି। ନୂତନ କମିଟି ଗଠନ ପରେ ସଂଗଠନର କର୍ମକର୍ତ୍ତା ଓ ଶ୍ରମିକ ନେତୃବୃନ୍ଦଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ, ଆଗାମୀ ଦିନରେ ରାଜ୍ୟରେ ଶ୍ରମିକ ସ୍ୱାର୍ଥ ସୁରକ୍ଷା ଓ ସଂଗଠନ ବିସ୍ତାର ଦିଗରେ ଏହି ନୂତନ ଟିମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ ପାଇଛି।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁର