ଖରିଆର ନଗର ବନ ପରିଦର୍ଶନ କଲେ ଡିଏଫଓ, ସିସିଟିଭି ସ୍ଥାପନ ଓ ଭିତ୍ତିଭୂମି ଉନ୍ନତି ପାଇଁ ନିର୍ଦ୍ଦେଶ
Nuapada (ନୂଆପଡ଼ା)ଭଜନ ଲାଲ ଜଗତAugust 5, 202623 views

ନୂଆପଡ଼ା ବନଖଣ୍ଡର ବିଭାଗୀୟ ବନ ଅଧିକାରୀ (ଡିଏଫଓ) ଅଜିତ ଖାନ ତିଆଲ ସୋମବାର ଖରିଆର ସହରସ୍ଥିତ ନଗର ବନ (ଆର୍ବାନ ଫରେଷ୍ଟ) ପରିଦର୍ଶନ କରି ସେଠାର ରକ୍ଷଣାବେକ୍ଷଣ, ଭିତ୍ତିଭୂମି ବ୍ୟବସ୍ଥା ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ସୁବିଧାର ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ ଡିଏଫଓ ସହରୀ ବନର ବିଭିନ୍ନ ସୁବିଧା ପରଖିବା ସହ ଏହାର ସୌନ୍ଦର୍ଯ୍ୟକରଣକୁ ଆହୁରି ବିକଶିତ କରିବା ଏବଂ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା ସୃଷ୍ଟି କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେ ସମଗ୍ର ନଗର ବନ ପରିସରରେ ସିସିଟିଭି କ୍ୟାମେରା ସ୍ଥାପନ କରିବାକୁ କହିଥିଲେ। ଏହାଦ୍ୱାରା ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ପାର୍କର ନିରନ୍ତର ତଦାରଖ ସମ୍ଭବ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହାଛଡ଼ା ସହରୀ ବନକୁ ଆସୁଥିବା ପର୍ଯ୍ୟଟକଙ୍କ ଯାନବାହନ ପାଇଁ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥାନ ବିକଶିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ୱାରା ଯାତାୟାତ ପରିଚାଳନା ସୁଚାରୁ ହେବା ସହ ପରିଦର୍ଶକମାନେ ସୁବିଧା ପାଇପାରିବେ।
ଡିଏଫଓ ସ୍ଥାନୀୟ ବନ ଅଧିକାରୀ ସୁଦାମ କୁମାର ବାଗଙ୍କୁ ଏହି ସମସ୍ତ କାର୍ଯ୍ୟ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ବନ ବିଭାଗର ବିଶ୍ୱାସ ଯେ, ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ ହେଲେ ଖରିଆର ନଗର ବନର ସୁରକ୍ଷା, ପରିଚାଳନା ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କ ଅନୁଭୂତିରେ ଉଲ୍ଲେଖନୀୟ ଉନ୍ନତି ଆସିବ।
